ଯିଏ ପଚାରୁଛି କହୁଛି ମାଆ ଶୋଇଛି, ଏମିତିରେ ତିନି ଦିନ ବିତିଗଲା.. ହେଲେ ହଠାତ୍‌

ମୃତ୍ୟୁ ନା ସେ ଜାଣିଛି ମମତାର ବନ୍ଧନକୁ, ନା ସେ ବୁଝିଛି ମାତୃତ୍ୱର ଆବେଗକୁ । କଅଁଳ ବୟସରେ ମମତାର ପଣତକାନି ଛିଡ଼ାଇ ଦେଇଛି କାଳ । ୫ବର୍ଷର ଅବୋଧ ଶିଶୁକନ୍ୟାଟି ଆଜି ହୋଇଯାଇଛି ଅନାଥ । ତଥାପି ଭାବୁଛି ତା ମାଆ ଶୋଇଛି ।

Kuni

(ରିପୋର୍ଟ-ଘଟେଶ୍ୱର ମିଶ୍ର): ଅଭାବ ଅନଟନ ସହ ଲଢୁ ଲଢୁ ଜୀବନ ହରାଇଲା ମା । ସେହି ମାଆର ଶବ ସହ ୩ ଦିନ ୩ ରାତି କାଟିଲା ୫ ବର୍ଷର ଛୁଆ । ମରଣକୁ ବୁଝିପାରିନଥିବା ଟିକି ଝିଅଟି ଭାବୁଥିଲା, ତା’ ମାଆ ଶୋଇଯାଇଛି । ହେଲେ ୩ ଦିନ ପରେ ମାଆ ପାଟିରୁ ପୋକ ବାହାରିବା ଦେଖିଥିଲା ଝିଅ, ଆଉ ଲୋକଙ୍କୁ ଜଣାଇବା ପରେ ସବୁ ଘଟଣା ପଦାକୁ ଆସିଥିଲା ।

ମୃତ୍ୟୁ ନା ସେ ଜାଣିଛି ମମତାର ବନ୍ଧନକୁ, ନା ସେ ବୁଝିଛି ମାତୃତ୍ୱର ଆବେଗକୁ । କଅଁଳ ବୟସରେ ମମତାର ପଣତକାନି ଛିଡ଼ାଇ ଦେଇଛି କାଳ । ୫ବର୍ଷର ଅବୋଧ ଶିଶୁକନ୍ୟାଟି ଆଜି ହୋଇଯାଇଛି ଅନାଥ । ତଥାପି ଭାବୁଛି ତା ମାଆ ଶୋଇଛି । ଦିନେ କି ଦୁଇ ଦିନ ନୁହଁ, ତିନି ଦିନ ଧରି ମାଆ ଶୋଇଛି । ନା ଡାକିଲେ ଶୁଣୁଛି, ନା ଖାଇବା କଥା କହିଲେ ହାତ ବଢ଼ାଇ ଦେଉଛି । କାରଣ ସେ ଜାଣିବାରେ ତା ରୋଗୀଣା ମାଆ ଶୋଇଛି । ବାସ୍, ଏତିକି ଭାବି ଭାବି ଆଜିକୁ ୩ ଦିନ ଧରି ମାଆର ଶବ ସହ କାଳ କାଟିଛି । ବଲାଙ୍ଗିର ସାଗରପଡ଼ାର ନିଷ୍ପାପ ଟିକି ଝିଅ ।

 

ସାଗରପଡା ଶିବମନ୍ଦିର ନିକଟ ଏକ ଘରେ ଭଡ଼ାରେ ଝିଅ ସହ ରହୁଥିଲେ ୩୫ ବର୍ଷିୟା କୁନି ନାଏକ । ପର ଘରେ ବାସନ ମାଜୁଥିବାରୁ ବାପ ଘର ଓ ଶାଶୁଘର ଲୋକେ ପାଖ ପୁରାଇ ଦେଉନଥିଲେ । ସ୍ୱାମୀ ଆରପାରିକୁ ଚାଲିଯିବା ପରଠୁ ଏହି ଛୋଟ ଛୁଆକୁ ଧରି ବେସାହାରା ଅବସ୍ଥାରେ ପଡ଼ି ରହିଥିଲେ ଭଡ଼ାଘରେ । ତେବେ ୩ଦିନ ତଳେ ରୋଗାକ୍ରାନ୍ତ ଅବସ୍ଥାରେ ପଡ଼ିରହିଲେ ଯେ, ଆଉ ଉଠିଲେନି ବିଛଣାରୁ । କେତେବେଳେ କିଏ କେମିତି କୁନି କୁଆଡ଼େ ଗଲା ବୋଲି ପଚାରିଲେ ଟିକି ଝିଅଟି କହୁଥିଲା ମାଆ ଶୋଇପଡ଼ିଛି । ଲୋକେ ବି ବିଶ୍ୱାସ କରିନେଉଥିଲେ, ଛୁଆକୁ ଖାଇବାକୁ ଦେଉଥିଲେ । ହେଲେ ଆଜି ସକାଳୁ ମାଆ ପାଟିରେ ପୋକ ବାହାରୁଥିବା ଦେଖି ଲୋକଙ୍କୁ ଜଣାଇଥିଲା କୁନିଝିଅ । ଲୋକେ ଆସି ଦେଖିଲା ବେଳକୁ ତା’ମାଆର ମୃତ୍ୟୁ ହୋଇସାରିଛି ।

ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଅସହାୟ କୁନି ଝିଅକୁ ଚାଇଲ୍ଡ ଲାଇନ ଟିମ୍ ଉଦ୍ଧାର କରି ମେଡିକାଲ ପରୀକ୍ଷା ପରେ ଶିଶୁ ମଙ୍ଗଳ କମିଟିରେ ରଖିଛି । ତାକୁ କୌଣସି ଏକ ଅନାଥାଶ୍ରମରେ ରଖାଯିବ ବୋଲି କହିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟା ।

ଅଭାବ ଅନଟନ ସହ ଲଢ଼େଇ କରୁ କରୁ ଜୀବନ ହରାଇଥିବା କୁନି ଏବଂ ଅନାଥ ପାଲଟିଯାଇଥିବା କୁନିଝିଅର ଏହି କରୁଣ କାହାଣୀ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ଆଉ ଉପହାସ କରୁଛି ଗଦା ଗଦା ସରକାରୀ ଯୋଜନାକୁ ।