ଦଶହରାରେ ବଡ଼ ଅଘଟଣ : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

ହରଭଙ୍ଗା ଥାନା ଜବଲପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ବିଦ୍ୟୁତତ ଆଘତରେ ୩ ଜଣଙ୍କ ଜୀବନ ଚାଲିଯାଇଛି

ବିଜୟା ଦଶମୀରେ ବଡ଼ ଅଘଟଣ । ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ଜୀବନ ଚାଲିଯାଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ଲୁଗା ଶୁଖାଉ ଥିବା ବେଳେ ଏତେ ବଡ଼ ଅଘଟଣ ଘଟିଛି । ପର୍ବ ଦିନରେ ଘରେ କାନ୍ଦବୋବାଳି ପଡ଼ିଛି । ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ ଦିଅର ସୁଶୀଲ ବେହେରା।

ମୃତକ ସୁକାନ୍ତି ବେହେରା ଆଜି ସକାଳେ ଗାଧୋଇ ସାରିବା ପରେ ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ। ହେଲେ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିବାରୁ ସେ ଲାଖି ଯାଇଥିଲେ । ଏହା ଦେଖି ଭାଉଜକୁ ବଞ୍ଚାଇବାକୁ ଆସିଥିଲେ ଦିଅର ସୁଶୀଲ ସେଠାରେ ପହଞ୍ଚି ଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ଓ ତାରରେ ଲାଗିଯାଇଥିଲେ।

ପରେ ସୁକାନ୍ତିଙ୍କ ପୁଅ ସୋହନ ଆସି ମା’ ଓ କାକାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଓ ତାରରେ ଲାଖି ଯାଇଥିଲେ ।

ପରେ ଗ୍ରାମବାସୀ ବିଦ୍ୟୁତ କାଟି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟାର ଖେଳିଯାଇଛି।