Advertisment

ରାଜନୈତିକ ବିବାଦରୁ ବାସନ୍ଦ ପରିବାର; ପିଲାଙ୍କୁ ବି ସ୍କୁଲ ଯିବା ମନା

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ଅଦ୍ୟତନ ହୋଇଛି
undefined

Ganjam News

Advertisment

ଗଞ୍ଜାମ ଜିଲ୍ଲାରୁ ବାସନ୍ଦ ବ୍ୟାଧିର ଭିନ୍ନ ଏକ କାହାଣୀ । ବାସନ୍ଦ ହୋଇଥିବା ପରିବାରକୁ ପାନେ ଚଖେଇବା ପାଇଁ ନିଜ ପିଲାଙ୍କ ସ୍କୁଲକୁ ବନ୍ଦ କରି ଦେଇଛନ୍ତି ଗ୍ରାମବାସୀ । ଗଞ୍ଜାମ କବିସୂର୍ଯ୍ୟନଗର କୁଶପଲ୍ଲୀ ଗାଁରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Advertisment

ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଅଛି, ଅଣ୍ଡା ଛତୁଆ ସବୁ ଅଛି । ହେଲେ ୩-୪ ଜଣଙ୍କୁ ଛଡ଼ା ବାକି ପିଲାଙ୍କ ଦେଖାନାହିଁ । ଅଙ୍ଗନୱାଡ଼ି କେନ୍ଦ୍ରକୁ ଲାଗିଥିବା ପ୍ରାଥମିକ ବିଦ୍ୟାଳୟ ବି ଖୋଲିଛି। ସାର ଅଛନ୍ତି । ହେଲେ ପ୍ରଥମରୁ ପଞ୍ଚମ ଯାଏଁ ୪୪ଜଣ ପିଲାଙ୍କ ଭିତରୁ କେଉଁଦିନ ୪ ଜଣ ତ କେଉଁଦିନ ୫ ଜଣ ଛାତ୍ରଛାତ୍ରୀଙ୍କୁ ଛାଡ଼ିଦେଲେ ଆଉ କେହି ବିଦ୍ୟାଳୟକୁ ଆସୁନାହାନ୍ତି । ଗାଁରେ ସବୁ ପିଲା ଥିଲେ ବି ଖରାଛୁଟି ପରଠୁ ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ୍ କୁଶପଲ୍ଲୀ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟକୁ ଆସୁନାହାନ୍ତି ।

ପଞ୍ଚାୟତ ନିର୍ବାଚନ ବେଳର ରାଜନୈତିକ ବିବାଦର ଦଣ୍ଡ ଏବେ ପିଲାଙ୍କୁ ଭୋଗିବାକୁ ପଡୁଛି । ଏମାନଙ୍କ ଅଭିଯୋଗ ଗତ ପଞ୍ଚାୟତ ଭୋଟ୍ ସମୟରୁ ଗାଁର ତିନି ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ତେବେ ଏଇ ତିନି ପରିବାରର ମହିଳା, ସ୍କୁଲର ପାଚିକାଠୁ ନେଇ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ଓ ଆଶାକର୍ମୀ ଭାବେ କାମକରୁଥିବାରୁ ଗତମାସ ୨୧ ତାରିଖ ଅର୍ଥାତ୍ ଖରାଛୁଟି ପରଠୁ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡୁନାହାନ୍ତି କି ଅଣ୍ଡା, ଛତୁଆ ନେଉ ନାହାନ୍ତି । ଆଶାକର୍ମୀଙ୍କ ଠାରୁ ବି କୌଣସି ସେବା ଗ୍ରହଣ କରୁ ନାହାନ୍ତି । ଏମିତିକି ଅଭିଯୁକ୍ତ ପରିବାର ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।

Advertisment

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । କହିଛନ୍ତି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର କୌଣସି ତଥ୍ୟ କମିଟି ପାଖରେ ରହୁ ନଥିବାରୁ ଏଭଳି ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଛାତ୍ରଛାତ୍ରୀ ସାମୂହିକ ଛୁଟିରେ ରହିବା କଥା ବିଭାଗୀୟ ଉପରିସ୍ଥ ଅଧିକାରୀ ଜାଣିବା ପରେ ଗାଁରେ ପହଞ୍ଚି ଅଭିଭାବକ ଓ ଗ୍ରାମ କମିଟି ସହ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନି ।

ଗଞ୍ଜାମ ଜିଲ୍ଲା ପାଇଁ ବାସନ୍ଦ ବ୍ୟାଧି କିଛି ନୂଆ କଥା ନୁହେଁ, ହେଲେ ଗଲା ପଞ୍ଚାୟତ ନିର୍ବାଚନ ସମୟରୁ ୩ଟି ପରିବାରକୁ ବାସନ୍ଦ ରଖାଯିବା ଏବଂ ସେମାନଙ୍କ ଉପରେ ରାଗ ସୁଝାଇବାକୁ ନିଜ ପିଲାଙ୍କ ଭବିଷ୍ୟତ ପ୍ରତି ବି ଆଖି ବୁଜି ଦିଆଯିବା, ଏବଂ ଏସବୁଥିରେ ପୋଲିସ ପ୍ରଶାସନ ନିରବ ରହିବା ଉଦବେଗ ସୃଷ୍ଟି କରିଛି । ହେଲେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

School Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ