ଗାଁରେ ବସିଲା ଆମ୍ବ ପସରା...କମ୍‌ ଦାମରେ ସୁଆଦିଆ ଆମ୍ବ ପାଇବେ ଗ୍ରାହକ

ଗାଁ ମୁଣ୍ଡରେ ବସିଲା ଆମ୍ବ ମାର୍କେଟ୍‌ । କମ୍‌ ଦାମ୍‌ରେ ସୁସ୍ୱାଦୁ ଆମ୍ବ ପାଇବେ ଗ୍ରାହକ... ଭଲ ରୋଜଗାର କରିବେ ଚାଷୀ ।

Mango

ପୂର୍ବ ବର୍ଷ ପରି ଏ ବର୍ଷ ବି ବରଗଡରେ ଦେଖିବାକୁ ମିଳିଛି ଆମ୍ବର ପସରା । ପାଛିଆରେ ସଜା ହୋଇଛି ଭଳିକି ଭଳି ଆମ୍ବ । ଆମ୍ବ ପସରା ପାଖରେ ଗାଁ ଲୋକଙ୍କଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ହୋଇଛନ୍ତି ଏକାଠି । ଆଉ ଏହି ପସରାରେ ଆମ୍ରପଲ୍ଲୀଠାରୁ ଆରମ୍ଭ କରି ଲେଙ୍ଗଡା,ଦସେରି, ତୋଟା ପଲେଇ, ବାଇଗଣ ପଲେଇ,ଗୋଲାପଖସ,ମଲ୍ଲିକା,ଲାଟ ସେନ୍ଦ୍ରୀ, ନିଲମ,ଅଲଫାନସୋ ସମେତ ଭିନ୍ନଭିନ୍ନ କିସମର ଆମ୍ବ ରହିଛି ।

ସହର କି ଟାଉନ୍‌ ନୁହେଁ ବରଂ ଗାଁ ଏରିଆରେ ଖୋଲିଛି ଏମିତି ଆମ୍ବର ପସରା । ଲୋକମାନେ ନିଜନିଜ ପସନ୍ଦ ଅନୁସାରେ ଆସି କିଣିନେଉଛନ୍ତି ଆମ୍ବ । କାରଣ ଏଠାରେ କୌଣସି ବେପାରୀ ନୁହେଁ ବରଂ ଚାଷୀ ସିଧାସଳଖ ଲୋକଙ୍କୁ ବିକ୍ରି କରୁଛନ୍ତି ଆମ୍ବ । ଅନେକ ସମୟରେ ସାହୁକାର ଓ ବେପାରୀ ଚାଷୀଙ୍କଠାରୁ କମ୍‌ ଦାମରେ ଆମ୍ବ କିଣି ଲୋକଙ୍କୁ ଅଧିକ ଦାମ୍‌ରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି । ତେଣୁ ଚାଷୀ କେମିତି ଦୁଇ ପଇସା ଅଧିକ ଲାଭ ପାଇବେ ସେନେଇ ପରିକଳ୍ପନା କରାଯାଇଥିଲା । ଖାଲି ପରିକଳ୍ପନା କରାଯାଇଥିଲା ତାହା ନୁହେଁ ବରଂ ବ୍ୟବସ୍ଥା ବି କରାଯାଇଥିଲା । ଆଉ ଏବେ ସିଧାସଳଖ ଚାଷୀଙ୍କଠାରୁ ଆମ୍ବ କିଣୁଛନ୍ତି ଲୋକେ ।

ଓରମାସ୍‌ ଓ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହନ ସହ ଖାଉଟିଙ୍କୁ ଗୋଟିଏ ଛାତ ତଳେ ବିଭିନ୍ନ କିସମର ଆମ୍ବ ଯୋଗାଇ ଦେବା ଲକ୍ଷ୍ୟରେ ଗତ ୫ ବର୍ଷ ପୂର୍ବରୁ ଏମିତି ଆମ୍ବ ବିକ୍ରିର ଆୟୋଜନ କରାଯାଉଛି । ତେବେ ଓରମାସର ଏମିତି ଚିନ୍ତାଧାରାକୁ ଚାଷୀମାନେ ବି ପ୍ରଶଂସା କରିଛନ୍ତି । ଆମେ ସମସ୍ତେ ଜାଣନ୍ତି ବରଗଡର ଚାଷୀ ଧାନ ଚାଷ ଉପରେ ବେଶୀ ନିର୍ଭରଶୀଳ । ହେଲେ ଏବେ କେବଳ ଧାନ ଚାଷ ନୁହେଁ ବରଂ ଆମ୍ବ ଚାଷ କରି କେମିତି ଚାଷୀମାନେ ସ୍ୱାବଲମ୍ବୀ ହେବେ ସେଥିପାଇଁ ପ୍ରଶାସନ ଚେଷ୍ଟା କରୁଛି ।