ବାଡ଼ିରେ ଫଳିଛି ଲାଲ ଲାଲ ଷ୍ଟ୍ରବେରି : ବାପାଙ୍କ ପ୍ରେରଣା ପାଇ ଚାଷରେ ସଫଳ ହେଲେ ଦୁଇ ଭାଇ

ନାଲି ନାଲି ଷ୍ଟ୍ରବେରି ଦେଖିଲା ମାନେ ପାଟି ରୁ ଲାଳ ଗଡିବା ସ୍ୱାଭାବିକ । ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ମନ ଜିଣେ ଷ୍ଟ୍ରବେରି । କିନ୍ତୁ ବଜାରରେ ଏହାର ଦର ଅଧିକ ଥିବାରୁ ସମସ୍ତଙ୍କ ପାଇଁ କିଣିବା ସମ୍ଭବପର ହୋଇପାରେ ନାହିଁ ।

ଦୁଇ ଭାଇ ସଫଳ ଷ୍ଟ୍ରବେରି ଚାଷୀ

ଆଜିକାଲି ଯୁବପୀଢ଼ିଙ୍କୁ ଚାଷ କଥା କହିଲେ ମୁହଁ ମୋଡ଼ି ଦେଉଛନ୍ତି । ଅନେକ ଲୋକ ଚାକିରି ପଛେ ଧାଉଁଥିବା ବେଳେ ବାପାଙ୍କ ଠାରୁ ପ୍ରେରଣା ପାଇଁ ପଢାସାରି ବିଭିନ୍ନ ପ୍ରକାରର ଫଳଚାଷ କରିବାକୁ ମନ ବଳାଇଛନ୍ତି ପଦ୍ମପୁର ଜାମଖେର ଗାଁର ଦୁଇ ଭାଇ ଅଜିତ ଏବଂ ସୁଜିତ ବିଶ୍ୱାଳ । ବର୍ତ୍ତମାନ ସେମାନେ ଷ୍ଟ୍ରବେରୀ ଚାଷ ପାଇଁ ଚର୍ଚ୍ଚା ପରିଧିକୁ ଆସିଛନ୍ତି ।

ପଦ୍ମପୁର ଅଂଚଳରେ ଜାମଖେର ଗାଁର ଦୁଇ ଭାଇ ସୁଜିତ ଓ ଅଜିତ ବିଶ୍ୱାଳ । ତାଙ୍କ ବାଡ଼ିରେ ଫଳିଛି ନାଲି ନାଲି ଷ୍ଟ୍ରବେରି । ଷ୍ଟ୍ରବେରି ଚାଷ କରି ସଫଳ ହୋଇଛନ୍ତି । ଷ୍ଟ୍ରବେରି କିଲୋ ପିଛା ବଜାର ରେ ୬୦୦ ରୁ ୭୦୦ ଥିବା ବେଳେ ୪୦୦ ରୁ ୫୦୦ ଟଙ୍କା ଭିତରେ ବକ୍ରି କରିବା ସହ ସେମାନେ ବେଶ୍ ଲାଭବାନ ହୋଇ ପାରିଛନ୍ତି । କମ ଦରରେ ବର୍ତ୍ତମାନ ସତେଜ ଷ୍ଟ୍ରବେରି ପାଇ ସ୍ଥାନୀୟ ଲୋକେ ମଧ୍ୟ ଖୁସି । ତେବେ ତାଙ୍କ ଦେଖାଦେଖି ବର୍ତ୍ତମାନ ଅନେକ ସ୍ଥାନୀୟ ଯୁବକ ମଧ୍ୟ ଚାଷ କରିବା ପାଇଁ ମନ ବଳାଇଲେଣି ।

ପ୍ରଥମେ ମହାରାଷ୍ଟ୍ରରୁ କିଛି ଚାରା ଆଣି ଦୁଇ ଭାଇ ବାଡ଼ିରେ ଲଗାଇଥିଲେ । ପରେ ଜଳବାୟୁ ନିୟନ୍ତ୍ରଣ ସହ ଥଣ୍ଡା ପରିବେଶ ପାଇଁ କୃତ୍ରିମ ଭାବରେ ସ୍ପ୍ରିଙ୍କଲ ସାହାଯ୍ୟରେ ଗଛରେ ପାଣି ସିଂଚନ କରୁଥିଲେ । ପାଖା ପାଖି ଗୋଟେରୁ ଦୁଇ ମାସ ଗଛର ଯତ୍ନ ନେବା ପରେ ଗଛରେ ଫଳିଛି ଲାଲଲାଲ ଷ୍ଟ୍ରବେରି । ତାଙ୍କ ସଫଳତା ସମ୍ପର୍କରେ ଜାଣିବା ପରେ ବିଭିନ୍ନ ସ୍ଥାନରୁ ଲୋକେ ଦୁଇ ଭାଇଙ୍କ ନିକଟକୁ ଆସୁଛନ୍ତି । ଚାଷ କରି କିପରି କିପରି ସ୍ୱାବଲମ୍ବୀ ହୋଇପାରିବେ ତାର ଉଦାହରଣ ପାଲଟିଛନ୍ତି ଦୁଇ ଭାଇ ।

ପଦ୍ମପୁରରୁ ସୋମେଶ ଚନ୍ଦ୍ର ମହାନ୍ତିଙ୍କ ରିପୋର୍ଟ