Advertisment

Mahabharat Story: ଦୁଇ ବାନ୍ଧବୀଙ୍କ କଳି ଓ ଏକ ଅଜବ ସନ୍ଧିର ପ୍ରସ୍ତାବ

ଦୁଇ ବାନ୍ଧବୀଙ୍କ ଭିତରେ କାହିଁକି ଲାଗିଲା କଳି । କାହିଁକି ରାଜକୁମାରୀ ହୋଇ ବି ଦାସୀ ହେଲେ ଶର୍ମିଷ୍ଠା? କାହିଁକି ଗୁରୁକନ୍ୟା ଦେବଯାନୀଙ୍କ ଜିଦି ଆଗରେ ଅସହାୟ ହେଲେ ଜଣେ ରାଜା ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Two friend's fight and a strange peace proposal

Two friend's fight and a strange peace proposal

କଚ ଦେବଲୋକରେ ମୃତ୍ୟୁ ସଂଜୀବନୀ ମନ୍ତ୍ର ଧରି ପହଞ୍ଚିଲେ । ମନ୍ତ୍ର ହାସଲ କରିବାକୁ କଚଙ୍କୁ ଅନେକ ବର୍ଷ ଧରି ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମରେ ରହିବାକୁ ହୋଇଥିଲା । ମନ୍ତ୍ର ଶିଖି କଚ ଫେରିଲା ପରେ, ଦେବତାମାନେ ବଡ଼ ଖୁସି ହୋଇଗଲେ । ସେମାନେ ଇନ୍ଦ୍ରଦେବଙ୍କୁ କହିଲେ ଆଉ ଡେରି କାହିଁକି ଦେବରାଜ? ଏବେ ଶତୃଙ୍କ ସହ ଲଢ଼େଇ କରିବାରେ ଆମର ଆଉ ଭୟ ନାହିଁ । ଇନ୍ଦ୍ରଦେବ ବି ଅନ୍ୟ ଦେବତାମାନଙ୍କ କଥାରେ ରାଜି ହେଲେ ଓ ଭାବିଲେ, ହଁ ଆଉ ଡେରି କାହଁକି?

Advertisment
Two friend's fight and a strange peace proposalଦୁଇ ବାନ୍ଧବୀଙ୍କ କଳି ଓ ଏକ ଅଜବ ସନ୍ଧିର ପ୍ରସ୍ତାବ

ସୁଯୋଗ ଵି ଶୀଘ୍ର ଆସି ପହଞ୍ଚିଲା । ଇନ୍ଦ୍ରଦେବ ଦିନେ ଦେଖିଲେ ଜଙ୍ଗଲ ଭିତରେ କିଛି ଯୁବା ନାରୀ ସେମାନଙ୍କ ପୋଷାକ ପତ୍ର ଓ ଅଳଙ୍କାର ସବୁ ଉପରେ ରଖି, ପାଣି ଭିତରେ ପଶି ଆନନ୍ଦରେ ଜଳକ୍ରୀଡା କରୁଛନ୍ତି । ଇନ୍ଦ୍ରଙ୍କ ମୁଣ୍ଡରେ ଦୁଷ୍ଟବୁଦ୍ଧି ଗୋଟେ ଯୁଟିଲା । ସେ ତୁରନ୍ତ ସେଇଠି ପହଞ୍ଚିଲେ ଓ ଲୁଚି ଲୁଚି ସେ ଯୁବତୀମାନଙ୍କର ପୋଷାକ ଓ ଅଳଙ୍କାର ପତ୍ରକୁ ଗୋଳାମିଶା କରିପକେଇଲେ । ପାଣିରେ ପଶି ଗାଧୋଉଥିବା ଓ ଜଳକ୍ରୀଡା କରୁଥିବା ସେଇ ଯୁବତୀମାନଙ୍କ ଭିତରେ ଥିଲେ ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀ ଓ ଅସୁରରାଜା ବୃଷପର୍ବାଙ୍କ ଝିଅ ଶର୍ମିଷ୍ଠା । ଗାଧୁଆ ପାଧୁଆ ସାରି ସେମାନେ ଯେତେବେଳେ ପାଣିରୁ ଉପରକୁ ଉଠିଆସି ନିଜ ନିଜ ପୋଷାକ ପତ୍ର ପିନ୍ଧିଲେ, ସେତେବେଳେ ଯାଇଁ ଜାଣିଲେ ସବୁ କିଛି ଗୋଳମାଳ ହେଇ ଯାଇଛି । ଇନ୍ଦ୍ରଙ୍କ ଦ୍ୱାରା ପୋଷାକ ସବୁ ଅଦଳ ବଦଳ କରାଯାଇଥିବାରୁ ଶର୍ମିଷ୍ଠା ଭୁଲରେ ଦେବଯାନୀଙ୍କ ପୋଷାକ ପିନ୍ଧିପକାଇଥାନ୍ତି ।

ଦେବଯାନୀ ଯେତେବେଳେ ଦେଖିଲେ ତାଙ୍କ ପୋଷାକ ଶର୍ମିଷ୍ଠା ପିନ୍ଧିଛନ୍ତି ସେତେବେଳେ ସେ ଭୀଷଣ ଭାବରେ ରାଗି ଗଲେ । ତାଙ୍କୁ ଲାଗିଲା ଶର୍ମିଷ୍ଠା ଜାଣି ଜାଣି ତାଙ୍କ ପୋଷାକ ପିନ୍ଧିଛନ୍ତି । ସେଉଠୁ ସେ ବିରକ୍ତିରେ ଶର୍ମିଷ୍ଠାଙ୍କୁ ଗାଳି କରିବାକୁ ଲାଗିଲେ । ଶର୍ମିଷ୍ଠା ରାଜା ବୃଷପର୍ବାଙ୍କ ଝିଅ । ସେ କାହିଁ କାହାର କଟୁ କଥା ସହିଥା'ନ୍ତେ? ସେ ବି ଆହୁରି କଡ଼ା କରି ଦେବଯାନୀଙ୍କୁ ଉତ୍ତର ଫେରାଇଲେ । ଦେବଯାନୀଙ୍କୁ ଶର୍ମିଷ୍ଠା କହିଲେ, ଯା-ଯା ତୁ ମୋତେ କ'ଣ କହିବୁ ଲୋ? ତୋ ବାପା ତ ସବୁଦିନ ମୋ ବାପା ପାଖରେ ହାତ ପାତୁଛନ୍ତି । ସକାଳୁ ସଞ୍ଜ ଯାଏଁ ମୋ ବାପାଙ୍କର ଗୁଣ ଗାନ କରୁଛନ୍ତି । ତୁ ବୋଧେ ଭୁଲିଯାଉଛୁ ତୁ ଗୋଟେ ଦରିଦ୍ର ବ୍ରାହ୍ଣଣର ଝିଅ, ଆଉ ମୁଁ ରାଜାର ଝିଅ । ତୁ ଆଉ ତୋ ବାପା, ମୋ ବାପ ଦେଉଥିବା ଦାନରେ ଜୀବନ ଧାରଣ କରିଛ । ତୁ ମୋତେ ଏମିତି କହିବାକୁ ସାହସ କେମିତି କଲୁ? ଦେବଯାନୀ ଏକଥା ଶୁଣି ଆହୁରି ରାଗି ଗଲେ ଓ କିଛି ନକହି ଶର୍ମିଷ୍ଠା ପିନ୍ଧିଥିବା ପୋଷାକକୁ ଟଣା ଓଟରା କରିବା ଆରମ୍ଭ କଲେ । ସେଉଠୁ ଶର୍ମିଷ୍ଠା ବିରକ୍ତ ହେଇ ପାଖରେ ଥିବା ଏକ ପୁରୁଣା କୂଅ ଭିତରକୁ ଦେବଯାନୀଙ୍କୁ ଠେଲିଦେଇ ଅନ୍ୟମାନଙ୍କୁ ସାଙ୍ଗରେ ଧରି ସେ ସ୍ଥାନ ଛାଡ଼ି ରାଜ ନଅରକୁ ଚାଲିଆସିଲେ । ସେଠୁ ସମସ୍ତେ ବାହାରିଗଲେ ଓ ବିଚରା ଦେବଯାନୀ କୂଅ ଭିତରେ ଏକୁଟିଆ ରହିଗଲେ ।

Advertisment

ପୁରୁରବା ଓ ଉର୍ବଶୀଙ୍କର ଛଅ ପୁଅରୁ ଆୟୁସ ଜଣେ । ଆୟୁସଙ୍କର ପାଞ୍ଚ ପୁଅ । ଜଣେ ପୁଅର ନାମ ହେଲା ନହୁଷ । ନହୁଷ ତାଙ୍କ ବାପାଙ୍କ ପରି ଜଣେ ଧର୍ମପରାୟଣ ଓ ପ୍ରତାପୀ ରାଜା ଥିଲେ । ନହୁଷଙ୍କ ପତ୍ନୀଙ୍କ ନାମ ପ୍ରୀୟଭାଷ । ନହୁଷଙ୍କର ପୁଣି ଛଅ ପୁଅ । ୟାତି, ଯଜାତି, ସମ୍ୟାତି, ଆୟାତି, ପଞ୍ଚ ଓ ଉଦ୍ଧବ । ଛଅ ପୁଅ ଭିତରେ ଯଯାତି ସତ୍ୟ ଓ ଧର୍ମ ପଥରେ ସଦାବେଳେ ଥାଆନ୍ତି । ନହୁଷଙ୍କ ପରେ ଯଯାତି ରାଜା ହେଲେ । ଯଯାତି ବିଶାଳ ଏକ ସାମ୍ରାଜ୍ୟର ରାଜା ଥାଆନ୍ତି । ସୁରୁଖୁରୁରେ ଶାସନ ସମ୍ଭାଳିଥାନ୍ତି । ସେଦିନ ରାଜା ଯଯାତି ମୃଗୟାରେ ଘନ ଜଙ୍ଗଲ ଭିତରେ ବୁଲୁଥାନ୍ତି । ବୁଲୁ ବୁଲୁ ତାଙ୍କୁ ଓ ତାଙ୍କ ଘୋଡାକୁ ଶୋଷ ହେବାରୁ ସେ ପାଣି ସନ୍ଧାନ କରୁ କରୁ ଏକ ପୁରୁଣା କୂଅ ପାଖରେ ପହଞ୍ଚିଲେ । କୂଅ ଭିତରକୁ ପାଣି ପାଇଁ ଅନେଇ ଦେଖିଲା ବେଳକୁ ସୁନ୍ଦରୀ ଯୁବତୀ ଜଣେ ସେଠି ବସିଛି ।

ଏମିତି ଜଙ୍ଗଲ ଭିତରେ ପରିତ୍ୟକ୍ତ କୂଅ ଭିତରେ ଜଣେ ସୁନ୍ଦରୀ ରମଣୀକୁ ଦେଖି ରାଜା ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ଓ ଦେବଯାନୀଙ୍କୁ ତାଙ୍କର ପରିଚୟ ମାଗିଲେ । ପଚାରିଲେ ଏମିତି ଏ କୂଅ ଭିତରକୁ ସେ ଆସିଲେ କେମିତି? ପରିଚୟ ପାଇଲା ପରେ ଦେବଯାନୀଙ୍କୁ କୂଅ ଭିତରୁ ହାତ ବଢ଼ାଇ ଯଯାତି ଉଦ୍ଧାର କଲେ ଓ ତାପରେ ନିଜ ବାଟରେ ଚାଲିଗଲେ?

କୂଅରୁ ବାହାରିଲା ପରେ ଦେବଯାନୀ ଆହୁରି ରାଗିଯାଇଥାନ୍ତି । ସେ ଚାହୁଁଥିଲେ ତାଙ୍କର ଏମିତି ଅବସ୍ଥାର ଖବରଟି ତାଙ୍କ ବାପାଙ୍କ ପାଖରେ ତୁରନ୍ତ ପହଞ୍ଚିବା ଦରକାର । କିନ୍ତୁ ସେ ମନେ ମନେ ଠିକ୍ କରିଥା'ନ୍ତି ଏ କଥାର ସମାଧାନ ନହେଲା ପର୍ଯ୍ୟନ୍ତ ସେ ରାଜା ବୃଷପର୍ବାଙ୍କ ନଗରକୁ ପ୍ରବେଶ କରିବେନି । ତେଣୁ ଜଣେ ପରିଚାରିକା ହାତରେ ଦେବଯାନୀ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଖବର ପଠେଇଲେ । ଖବର ପାଇ ଶୁକ୍ରାଚାର୍ଯ୍ୟ ଵି ତୁରନ୍ତ ଆସି ଝିଅ ପାଖରେ ପହଞ୍ଚିଲେ ।

Two friend's fight and a strange peace proposal ଦୁଇ ବାନ୍ଧବୀଙ୍କ କଳି ଓ ଏକ ଅଜବ ସନ୍ଧିର ପ୍ରସ୍ତାବ

ସେତବେଳକୁ ଦେବଯାନୀ ରାଗରେ ଗୁମାନ କରି ବସିଥା'ନ୍ତି । ଶୁକ୍ର ପହଞ୍ଚିଲା ପରେ ଶର୍ମିଷ୍ଠା ତାଙ୍କ ବିଷୟରେ କ'ଣ କ'ଣ ସବୁ କହିଥିଲେ, ସବୁକିଛି ଗୋଟି ଗୋଟି କରି କହିଲେ । ଏମିତି କଥା ଶୁଣି ଶୁକ୍ରାଚାର୍ଯ୍ୟ ପ୍ରଥମେ ଦୁଃଖିତ ହେଲେ । ସେ ଜାଣନ୍ତି ଅସୁରମାନଙ୍କ ପାଇଁ ସେ କ'ଣ କ'ଣ ସବୁ କରୁଛନ୍ତି । ଅସୁର ରାଜା ଅବଶ୍ୟ ସେ କଥା ଜାଣନ୍ତି । କିନ୍ତୁ ତାଙ୍କ ପିଲାମାନଙ୍କର ମନରେ ତାଙ୍କ ପ୍ରତି ସମ୍ମାନ ନାହିଁ । ଅସୁର କୂଳ ପାଇଁ ତାଙ୍କର ଅବଦାନ ବିଷୟରେ ରାଜ କନ୍ୟା ଶର୍ମିଷ୍ଠା ଯଦି ଅବଗତ ଥାଆନ୍ତେ, ତେବେ ଦେବଯାନୀଙ୍କ ପ୍ରତି ଏପରି ବ୍ୟବହାର କେବେବି କରିନଥାନ୍ତେ କିମ୍ବା ତାଙ୍କ ନାଁ ନେଇ ଏମିତି ଖରାପ କଥା କହିନଥା'ନ୍ତେ ।

ତାପରେ ଶୁକ୍ରାଚାର୍ଯ୍ୟ ସେଉଠୁ ସିଧା ଆସି ଦାନବ ରାଜା ବୃଷପର୍ବାଙ୍କ ଦରବାରରେ ପହଞ୍ଚିଲେ ଓ ରାଜକୁମାରୀଙ୍କ ଆଚରଣ ବିଷୟରେ ତାଙ୍କୁ ଅବଗତ କରାଇଲେ । ତାପରେ ଶୁକ୍ରଚାର୍ଯ୍ୟ କହିଲେ - ହେ ରାଜା ! ଏ ସବୁ କିଛି ଠିକ୍ ହେଉନି । ପ୍ରଥମେ ତୁମେମାନେ ମୋ ପାଖରେ ପାଠ ପଢୁଥିବା ଜଣେ ନିରୀହ ବ୍ରାହ୍ମଣ ଛାତ୍ର କଚକୁ ବିନା ଦୋଷରେ ଦୁଇ ଦୁଇ ଥର ହତ୍ୟା କଲ । ଏବେ ତୁମ ଝିଅ, ମୋ ଝିଅକୁ ମାରିଦେବାକୁ ଜଙ୍ଗଲର ଏକ ପୁରୁଣା କୂଅ ଭିତରକୁ ହେଇ ଠେଲି ଦେଇ ଆସିଥିଲା । ତୁମେ ଭଲରେ ଜାଣିଛ ଯେ, ମୋ ପାଇଁ ମୋ ଝିଅ ମୋ ଜୀବନଠୁ ବଳି ପ୍ରିୟ । ମୁଁ ଏପଟେ ତୁମ ଦାନବମାନଙ୍କ ଜୀବନ ରକ୍ଷା କରୁଛି ଅଥଚ ତୁମେମାନେ ସେପଟେ ମୋ ଲୋକମାନଙ୍କୁ ମାରିବାର ଉପାୟ ଚିନ୍ତା କରିବାରେ ବ୍ୟସ୍ତ । ମୁଁ ତୁମମାନଙ୍କ ପାଇଁ କ'ଣ କରୁଛି ତୁମ ପିଲାମାନେ ଜାଣି ପାରୁନାହାଁନ୍ତି । ହୁଏତ ତୁମେ ସେମାନଙ୍କୁ ଠିକ୍ ଭାବରେ ଅବଗତ କରାଉନ । ଏବେ ମୁଁ ଓ ମୋ ଝିଅ ଆଉ ତୁମ ରାଜ୍ୟରେ ରହିବାକୁ ଚାହୁଁନୁ । ଏବେ ଆମର ରାସ୍ତା ଆଲଗା ।

ଶୁକ୍ରଙ୍କ କଥା ଶୁଣି ବୃଷପର୍ବା ବଡ଼ ବ୍ୟସ୍ତ ହୋଇ ପଡିଲେ । ସେ ବୁଝୁଥିଲେ ଗୁରୁ ଶୁକ୍ରାଚାର୍ଯ୍ୟ ଦାନବମାନଙ୍କୁ ପରିତ୍ୟାଗ କଲେ ତା'ର ଫଳାଫଳ ବଡ଼ ବିଷମ ହେବ । ତେଣୁ ସେ ସାଙ୍ଗେ ସାଙ୍ଗେ କ୍ଷମା ପାର୍ଥନା କଲେ ଓ କହିଲେ, ହଁ ଗୁରୁଦେବ ମୋ ପକ୍ଷରୁ ନିଶ୍ଚୟ ଗୁରୁତର ଭୁଲ ହେଇଛି । ସେଥିପାଇଁ ଆପଣ ଯାହା ଦଣ୍ଡ ବିଧାନ କରିବେ ମୁଁ ଓ ମୋ ଝିଅ ସ୍ୱୀକାର କରିବାକୁ ରାଜି ଅଛୁ । ଦୟାକରି ଆମମାନଙ୍କୁ ଛାଡି ଚାଲିଯିବା କଥା କୁହନ୍ତୁ ନାହିଁ ।

ବୃଷପର୍ବାଙ୍କ କଥା ଶୁଣି ଶୁକ୍ର କହିଲେ ,ମୋତେ ଏ ସବୁ କଥା କହି ଲାଭ ନାହିଁ । ଦେବଯାନୀର ଜିଦ୍ ଯେ ସ୍ୱୟଂ ରାଜା ଆସି ତା' ସର୍ତ୍ତ ଶୁଣିବା ଦରକାର । ଦେବଯାନୀ ତାଙ୍କ ଜିଦ୍ ରେ ଅଟଳ ଥାଆନ୍ତି । ତେଣୁ ରାଜା ବୃଷପର୍ବା ଶେଷରେ ଦେବଯାନୀଙ୍କ ପାଖରେ ଆସି ପହଞ୍ଚିଲେ । ବୃଷପର୍ବାଙ୍କୁ ଦେଖି ଦେବଯାନୀ କହିଲେ - ହେ ରାଜା ! ଆପଣଙ୍କ ଝିଅ ମୋତେ ଓ ମୋ ବାପାଙ୍କୁ ଯେଉଁପରି ଅପମାନ କରିଛି ସେଥିପାଇଁ ସେ ଦଣ୍ଡ ପାଇବାକୁ ଯୋଗ୍ୟ । ଦଣ୍ଡ ହେଲା ସେ ସାରା ଜୀବନ ମୋର ଦାସୀ ହେଇ ରହିବ । ତା' ସାଙ୍ଗରେ ଆଉ ହଜାରେ ଦାସୀ ବି ଆସିବେ । ମୁଁ ବିବାହ କଲାପରେ ସେମାନେ ସମସ୍ତେ ମୋ ସହିତ ମୋ ଶାଶୁଘରକୁ ମଧ୍ୟ ଯିବେ ।

Two friend's fight and a strange peace proposal ଦୁଇ ବାନ୍ଧବୀଙ୍କ କଳି ଓ ଏକ ଅଜବ ସନ୍ଧିର ପ୍ରସ୍ତାବ

ବୃଷପର୍ବାଙ୍କର ଏବେ ଦେବଯାନୀଙ୍କ କଥାରେ ଅରାଜି ହେବାର ବାଟ ନଥିଲା । ତାପରେ ସଙ୍ଗେ ସଙ୍ଗେ ନିଜ ଝିଅ ଶର୍ମିଷ୍ଠାଙ୍କ ପାଖକୁ ରାଜା ଜଣେ ଦାସୀ ହାତରେ ଖବର ପଠାଇଲେ । ଦାସୀ ପାଖରୁ ସବୁକଥା ଶୁଣିଲା ପରେ ଶର୍ମିଷ୍ଠା କହିଲେ, ଠିକ୍ ଅଛି । ଯଦି ଦେବଯାନୀ ଆଉ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଏମିତି ଇଚ୍ଛା ତେବେ ତାହାହିଁ ହେବ । ସେଇଆ ହିଁ ହେଉ । ମୁଁ ଦାସୀ ହେବା ବଡ଼ କଥା ନୁହେଁ । ବଡ଼ କଥା ହେଲା ଦେବଯାନୀ ଆଉ ଗୁରୁ ଶୁକ୍ରାଚାର୍ଯ୍ୟ ଆମ ଦାନବମାନଙ୍କ ପାଖରେ ରହିବା ଦରକାର । ତାପରେ ଶର୍ମିଷ୍ଠା କାଳ ବିଳମ୍ବ ନକରି ହଜାରେ ଦାସୀଙ୍କୁ ଧରି ସବାରୀରେ ବସି ଦେବଯାନୀଙ୍କ ପାଖକୁ ସେଇ ଜଙ୍ଗଲ ଭିତରର ପୁରୁଣା କୂଅ ପାଖକୁ ବାହାରିଲେ ।

ଦେବଯାନୀଙ୍କ ପାଖରେ ପହଞ୍ଚିଲା ପରେ ଶର୍ମିଷ୍ଠା କହିଲେ, ମୁଁ ଆଜିଠାରୁ ତୁମର ଦାସୀ ଭାବରେ ସେବା କରିବି । ତୁମେ ଯାହା କହିବ ମୁଁ ଓ ଅନ୍ୟ ହଜାରେ ଦାସୀ ତାହା ପାଳନ କରିବୁ । କିନ୍ତୁ ଦେବଯାନୀଙ୍କ ମନ ଭିତରେ ସେତେବେଳ ପର୍ଯ୍ୟନ୍ତ ନିଆଁ ପରି ଜଳୁଥିବା କ୍ରୋଧ ଥଣ୍ଡା ପଡିନଥାଏ । ଶର୍ମିଷ୍ଠା ଆତ୍ମ ସମର୍ପଣ କଲା ପରେ ମଧ୍ୟ ଦେବଯାନୀ କହିଲେ - ଆହା ତୁମେ ତ ରାଜ କନ୍ୟା । ବଡ଼ ସୁକୁମାରୀ ଜୀବନ । ତମ ବାପାଙ୍କ ପ୍ରଶସ୍ଥି ଗାନ କରି ଓ ତୁମ ବାପାଙ୍କ ଆଗରେ ହାତ ପତେଇ ଆମ ବାପ ଝିଅଙ୍କ ଗୁଜୁରାଣ ମେଣ୍ଟେ । ତୁମ ପରି ରାଜ କୁମାରୀ ଜଣେ ମାଗିଖିଆ ଗରିବ ବ୍ରାହ୍ଣଣ ଝିଅର ଦାସୀ ହେଇ କେମିତି ରହିବ ଯେ?

ଦେବଯାନୀଙ୍କ ଏପରି କଥା ଶୁଣି ବି ଶର୍ମିଷ୍ଠା ଅତ୍ୟନ୍ତ ନମ୍ର ଭାବରେ କହିଲେ, ସେ ଯାହାବି ହେଉ ଜଣକୁ ସବୁବେଳେ ନିଜର ଆତ୍ମ ପରିଜନଙ୍କ ମଙ୍ଗଳ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇ ରହିବା ଉଚିତ । କେବଳ ବର୍ତ୍ତମାନ ପାଇଁ ନୁହେଁ ପରେ ବି ଆପଣଙ୍କ ବାପା ଆପଣଙ୍କୁ ଯେଉଁଠି ବିବାହ ଦେବେ ସେଠାକୁ ବି ଆପଣଙ୍କ ସହ ଯିବାକୁ ମୁଁ ପ୍ରସ୍ତୁତ ।

ଏତେ ପରେ ଯାଇଁ ଦେବଯାନୀଙ୍କ ରାଗ ଶାନ୍ତ ହେଲା ଓ ସେ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, ବାପା ! ଏବେ ମୁଁ ଯାହା ଚାହୁଁଥିଲି ତାହା ହେଇସାରିଛି । ଚାଲନ୍ତୁ ଆମେ ଏବେ ଆମ ଘରକୁ ଫେରିଯିବା । ତାପରେ ସମସ୍ତେ ଜଙ୍ଗଲର ସେଇ ପୁରୁଣା କୂଅ ପାଖରୁ ନଗର ଅଭିମୁଖେ ବାହାରିଲେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
Advertisment
Advertisment