ଟ୍ରାଇବାଲ୍ ଜୁଏଲାରୀ ପ୍ରତି ମୋର ଆକର୍ଷଣ ପିଲାଟି ଦିନରୁ । ବେଙ୍ଗଲର ଜଣେ ଶିକ୍ଷକ ଆମକୁ ସେତେବେଳେ ଇଂରାଜୀ ପଢ଼ାଉଥିଲେ । ତାଙ୍କ ପତ୍ନୀଙ୍କ ନାଁ ଥିଲା ପାୟଲ୍ ଓ ସେ ତାଙ୍କ ସ୍ମୃତିରେ ଗୋଟିଏ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ପାଉଁଜିଟେ ସବୁବେଳେ ପାଖରେ ରଖୁଥିଲେ। ଏମିତିକି ଶ୍ରେଣୀଗୃହକୁ ଆସିବା ବେଳେ ବି ସେଇଟି ଡିକ୍ସନାରୀର ଶେଷ ପୃଷ୍ଠାରେ ନହେଲେ ଡାଏରୀର ଶେଷ ପୃଷ୍ଠାରେ ରଖା ହୋଇଥାଏ । କୁଟିକମ ହୋଇଥିବା ସେଇ ପାଉଁଜିଟି ସେମିତି ସ୍ମୃତିରେ ରହିଛି ଆଜି ଯାଏ।
ପରେ ଯେତେବେଳେ ଟ୍ରାଇବାଲ୍ ଜୁଏଲାରୀ ତିଆରି ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା କରମୂଳ ଗାଁର କାରିଗରଙ୍କୁ ଭେଟିଲି ସେଇଠୁ ଆଗ ଆଣିଥିଲି ଗୋଟେ ପାଉଁଜି। ଅତୀତ ସ୍ମୃତିରେ ଥିବା ସେଇ ସମାନ ଡିଜାଇନ୍ର ପାଉଁଜିଟି ଆବଶ୍ୟ ପାଇନି ଏଯାଏଁ । ବଡ଼ ହେବା ପରେ ପରେ ବିଭିନ୍ନ ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଅନେକଙ୍କୁ ଟ୍ରାଇବାଲ୍ ନେକଲେସ୍ ପିନ୍ଧିବାର ଦେଖିଛି । ତେଣୁ ମୋର କଲେକସନ୍ରେ ବି ସେଥିରୁ ଗୁଡ଼ାଏ ସାମିଲ୍ ହୋଇ ଯାଇଛନ୍ତି । ବିଶେଷ କରି ଓଡ଼ିଶାରେ ତିଆରି ପିତ୍ତଳର ଟ୍ରାଇବାଲ୍ ଜୁଏଲାରୀ।
ଓଡ଼ିଶାରେ ଅନେକ ଜନଜାତି ରହିଛନ୍ତି। ସେଥି ଭିତରୁ ଅଧିକାଂଶ ଜନଜାତିର ମହିଳାମାନେ ପିତ୍ତଳ, ରୂପା ଓ ଅନ୍ୟାନ୍ୟ ଧାତୁରେ ନିର୍ମିତ ଅଳଙ୍କାର ସବୁ ପିନ୍ଧନ୍ତି। ଏହା ମୁଖ୍ୟତ ରାୟଗଡା, ଫୁଲବାଣୀ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ମିଳିଥାଏ । ପ୍ରତ୍ୟେକ ଜନଜାତିର ନିଜସ୍ୱ ସଂଗୀତ, ନୃତ୍ୟ, ଭାଷା, ସଂସ୍କୃତି ରହିବା ପରି ରହିଛି ବି ସ୍ୱତନ୍ତ୍ର ଅଳଙ୍କାର। ଅଳଙ୍କାର ତିଆରି କରିବା ବେଳେ କାରିଗରମାନେ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରି ସୁନ୍ଦର ସୁନ୍ଦର ଅଳଙ୍କାରମାନ ତିଆରି କରନ୍ତି, ଯାହାର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅର୍ଥ ମଧ୍ୟ ରହିଥାଏ ।
Also Read
ଅବଶ୍ୟ ସେସବୁ ଏବେ ଡ଼ିଜାଇନର୍ ମାନଙ୍କର ହସ୍ତକ୍ଷେପରେ କୁଆଡ଼େ ହଜିଗଲାଣି । ଆଜିକାଲି ବିଭାଗୀୟ ଦୋକାନରେ ଆଦିବାସୀ ଅଳଙ୍କାର ନାଁରେ ଯାହା ଆପଣ ପାଇବେ ତାହା ଅରିଜିନାଲ୍ ଠାରୁ ବହୁତ ଭିନ୍ନ । ତେବେ ଆଦିବାସୀ ଅଳଙ୍କାର ଦିନକୁ ଦିନ ଆନ୍ତର୍ଜାତୀୟ ବଜାରରେ ଲୋକପ୍ରିୟ ହେବାରେ ଲାଗିଛି । ବଜାରରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଓଡ଼ିଶାର ଆଦିବାସୀ ଅଳଙ୍କାରଗୁଡିକୁ ସ୍ୱତନ୍ତ୍ର, ଚମତ୍କାର ଏବଂ ଆଧୁନିକ ଭାବରେ ବିବେଚନା କରାଯାଉଛି ।
ଆଦିବାସୀ ଅଳଙ୍କାର ତିଆରି କରିବାର ପ୍ରକ୍ରିୟା କିନ୍ତୁ ଖୁବ୍ କଷ୍ଟ ଓ ସମୟ ସାପେକ୍ଷ । ଗୋଟିଏ ଗୋଟିଏ ଅଳଙ୍କାର ତିଆରି କରିବା ପାଇଁ ପୁରା ପରିବାର ଲାଗି ରହିଥା'ନ୍ତି । ତିଆରି ଚାଲେ; ଆଙ୍କଲେଟ୍, କାନଫୁଲ, ଖଡୁ, ମୁଣ୍ଡ କଣ୍ଟା, ବ୍ରେସଲେଟ୍, ମୁଦି, ଲକେଟ୍, ଚୋଖେର୍, ନେକଲେସ୍ ଆଦି। ତା' ଭିତରେ ପୁଣି ବିଭିନ୍ନ ପ୍ରକାରର ଡିଜାଇନ୍। ଏଇ ଯେମିତି କାନଫୁଲ ସବୁ; ଚକ ଆକୃତିର ପିତ୍ତଳ କାନଫୁଲ, ମୋଡ଼ା ଯାଇଥିବା ବସନ୍ତ ପିତ୍ତଳ କାନଫୁଲ, ପତ୍ର କାନଫୁଲ, ଚାରିକୋଣିଆ ପିତ୍ତଳ କାନଫୁଲ, ସ୍ପାଇରାଲ୍ ଆକୃତିର କାନଫୁଲ ଇତ୍ୟାଦି। ତେବେ ଏସବୁ କେମିତି ତିଆରି ହୁଏ ଓ ଏଥିଲାଗି କ'ଣ କ'ଣ ସବୁ ଦରକାର ହୁଏ ତାହା ଆଗକୁ ଜାଣିବା।

ଆଦିବାସୀ ଅଳଙ୍କାର ତିଆରି ପାଇଁ ଆବଶ୍ୟକ ଉପକରଣ ଏବଂ କଞ୍ଚାମାଲ:
• ପିତ୍ତଳ ସିଟ୍: ଏହା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହେଉଥିବା ମୁଖ୍ୟ ସାମଗ୍ରୀ ।
• ମାର୍କର୍: ପିତ୍ତଳ ସିଟ୍ ଉପରେ ଏକ ଆବଶ୍ୟକୀୟ ଆକୃତି ଆଙ୍କିବା ପାଇଁ ଏହା ବ୍ୟବହୃତ ହୁଏ ।
• କଟର: ପିତ୍ତଳ ସିଟ୍ ରୁ ଇଚ୍ଛା ମୁତାବକ ଆକୃତି କାଟିବା ପାଇଁ ଏହା ବ୍ୟବହୃତ ହୁଏ ।
• ନିହାଣ: ଏଗୁଡିକ ପିତ୍ତଳ ସିଟ୍ ଉପରେ ଡିଜାଇନ୍ ଖୋଦେଇ ପାଇଁ ବ୍ୟବହୃତ ହେବା ସହ ପିତ୍ତଳ ଧାତୁ କାଟିବା ପାଇଁ ମଧ୍ୟ ବ୍ୟବହୃତ ହୁଏ।
• ହାତୁଡ଼ି: ପିତ୍ତଳ ସିଟ୍ କୁ ଆକାର ଦେବା ପାଇଁ ବ୍ୟବହୃତ ହୁଏ।
• ମେଟାଲ୍ ରୁଲର୍: ଏହା ଏକ ସିଧା ରେଖା ଆଙ୍କିବା ପାଇଁ ବ୍ୟବହୃତ ହୁଏ।
• ହାଫ୍ ରାଉଣ୍ଡ ଫାଇଲ୍: ଆଭ୍ୟନ୍ତରୀଣ ବକ୍ର ପୃଷ୍ଠକୁ ସଫାସୁତୁରା କରିବା ପାଇଁ ଏହା ବ୍ୟବହୃତ ହୁଏ ।
• ନାଇଟ୍ରିକ୍ ଏସିଡ୍: ପିତ୍ତଳ ସିଟ୍ ଉପରେ ଅବାଞ୍ଛିତ ଚିହ୍ନଗୁଡିକ ତରଳାଇ ସଫା କରିବା ପାଇଁ ଏହା ବ୍ୟବହୃତ ହୁଏ ।
• ତାର ବ୍ରଶ୍: ଅଳଙ୍କାର ସଫା କରିବା ପାଇଁ ବ୍ୟବହୃତ ହୁଏ ।
• ଡିଭାଇଡର୍: ଏହା ଦୂରତା ଚିହ୍ନିବା ପାଇଁ ବ୍ୟବହୃତ ହୁଏ ।
• ପିତ୍ତଳ ତାର: ଅଳଙ୍କାର ତିଆରି ଓ ତିଆରି ଶେଷ କରିବା ପାଇଁ ବ୍ୟବହୃତ ସାମଗ୍ରୀ।
• ଆନ୍ଭିଲ୍: ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହେଉଥିବା ଏକ ଧାତୁ ବ୍ଲକ ।
• ସୋପ୍ ନଟ୍: ଅଳଙ୍କାର ସଫା କରିବା ପାଇଁ ଏହା ବ୍ୟବହୃତ ହୁଏ ।
ଆଦିବାସୀ ଅଳଙ୍କାର ପ୍ରସ୍ତୁତ କରିବା ପ୍ରକ୍ରିୟା:
ପ୍ରତ୍ୟେକ ଅଳଙ୍କାରର ନିଜସ୍ୱ ଶୈଳୀ ଓ ତିଆରି କରିବାର ଢାଞ୍ଚା ରହିଛି । ପ୍ରଥମେ କାରିଗର ପିତ୍ତଳ ସିଟ୍ ନେଇ ମାର୍କର ବ୍ୟବହାର କରି ସିଟ୍ ଉପରେ ଆବଶ୍ୟକ ଆକୃତି ଆଙ୍କନ୍ତି । ତାପରେ ସେଇ ଆକୃତିକୁ କଟର୍ ବ୍ୟବହାର କରି କାଟି ଦିଅନ୍ତି। ଥରେ ନିଜ ଇଚ୍ଛା ମୁତାବକ ଆକୃତି ମିଳିଯିବା ପରେ କାରିଗର ପିତ୍ତଳ ସିଟ୍ ଉପରେ ଏକ ଡିଜାଇନ୍ ଆରମ୍ଭ କରନ୍ତି । ନିହାଣ ଏବଂ ହାତୁଡ଼ି ବ୍ୟବହାର କରି ପିତ୍ତଳ ସିଟ୍ ରେ ଖୋଦେଇ କରି କିଛି ଡିଜାଇନ୍ ବି ତିଆରି କରନ୍ତି । ଡିଜାଇନ୍ ତିଆରି ହେବା ପରେ କାରିଗରମାନେ କାନର ହୁକ୍ ଲଗେଇବା ପାଇଁ ବସ୍ତୁର ଗୋଟିଏ ମୁଣ୍ଡରେ ଛିଦ୍ର ତିଆରି କରନ୍ତି । ତାପରେ କାନ ପାଇଁ ହୁକ୍ ଟି ପିତ୍ତଳ ତାର ବ୍ୟବହାର କରି ପ୍ରସ୍ତୁତ କରାଯାଏ । ଏହା ଏକ ପ୍ରକାର ଶୈଳୀ।
ଅନ୍ୟ ଏକ ଶୈଳୀ ଅନୁଯାୟୀ, କାରିଗରମାନେ ପିତ୍ତଳ ସିଟରୁ ଆବଶ୍ୟକ ଆକୃତି କାଟି ନେବା ପରେ ସେହି ସିଟ୍ ରେ ରୁଲର୍ ବ୍ୟବହାର କରି ଏକ ରେଖା ଆଙ୍କନ୍ତି ଏବଂ ନିହାଣ, ହାତୁଡ଼ି ବ୍ୟବହାର କରି ମଝି ଅଂଶକୁ କାଟି ଦିଅନ୍ତି । ପରେ, ଭିତର ପୃଷ୍ଠକୁ ହାଫ୍ ରାଉଣ୍ଡ ଫାଇଲ୍ ବ୍ୟବହାର କରି ମସୃଣ କରାଯାଏ । ଥରେ ଇଚ୍ଛା ମୁତାବକ ଆକୃତି ପାଇଯିବା ପରେ ଏହାର ଚାରିପାଖରେ ପିତ୍ତଳର ପତଳା ତାର ଗୁଡ଼ଇ ଦିଆଯାଏ। ସବୁ ସରିବା ପରେ ପ୍ରସ୍ତୁତ ଅଳଙ୍କାରକୁ ନାଇଟ୍ରିକ୍ ଏସିଡ୍ ରେ ପକାଇ ସାରି ସଫା କରାଯାଏ।
ନାଇଟ୍ରିକ୍ ଏସିଡ୍ ଦ୍ରବଣକୁ ଏକ ପାତ୍ରରେ ଉପଯୁକ୍ତ ଅନୁପାତରେ ପାଣିରେ ମିଶାଇ ଦିଆଯାଏ ଏବଂ ପ୍ରସ୍ତୁତ ଅଳଙ୍କାରକୁ ସେହି ମିଶ୍ରଣରେ କିଛି ମିନିଟ୍ ପାଇଁ ବୁଡ଼ାଇ ଦିଆଯାଏ । ଏହା ଅଳଙ୍କାର ପୃଷ୍ଠରେ ଥିବା ଅବାଞ୍ଛିତ ଚିହ୍ନଗୁଡ଼ିକୁ ମିଳାଇ ଦିଏ । ନାଇଟ୍ରିକ୍ ଏସିଡ୍ ଅଳଙ୍କାରକୁ ଉଜ୍ଜ୍ୱଳ କରିବାରେ ମଧ୍ୟ ସାହାଯ୍ୟ କରେ । ଅଳଙ୍କାରକୁ ନାଇଟ୍ରିକ୍ ଏସିଡ୍ ଦ୍ରବଣରୁ ବାହାର କରିବା ପରେ ପୁଣି ସାଧାରଣ ପାଣିରେ ଧୋଇ ଦିଆଯାଏ। ଅଳଙ୍କାର ଧୋଇବା ପାଇଁ ସୋପ୍ ନଟ୍ ବ୍ୟବହାର କରାଯାଏ । ଦୁଇ ତିନୋଟି ସୋପ୍ ନଟ୍ ପାଣିରେ ବୁଡ଼ାଇ ଅଳଙ୍କାରକୁ ସେହି ମିଶ୍ରଣରେ ବୁଡ଼ାଇ ତାର ବ୍ରଶ୍ ବ୍ୟବହାର କରି ସ୍କ୍ରବ୍ କରାଯାଇ ଭଲ ଭାବରେ ଧୋଇ ଦିଅଯାଏ ।
ଏତେ କାମ ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏତେ ପରିଶ୍ରମ ସତ୍ତ୍ଵେ ଆଜି ବି କାରିଗରମାନେ ଅଭାବରେ ଥାଆନ୍ତି, ଗରାଖ ଖୋଜୁଥାଆନ୍ତି ଓ ମୋ ପରି ତାଙ୍କ କଥା ଶୁଣୁଥିବା କେହି ଗୋଟେ ଲୋକ ପାଇଗଲେ, 'ମାଡାମ୍ ! କିଛି ପଇସା ଦରକାର ଥିଲା , ଏତକ ଜିନିଷ ରଖି କିଛି ଦେଇଥାଆନ୍ତୁ । ଆପଣ କୋଉଠି ଗୋଟେ ନିଶ୍ଚୟ ମଥେଇ ଦେବେ କହି ଧରେଇ ଦିଅନ୍ତି ।