Advertisment

Mahabharat Story: ସାପ କବଳରୁ ମୁକ୍ତି ଓ ହିମାଳୟରୁ ପାଣ୍ଡବମାନଙ୍କ ପ୍ରସ୍ଥାନ ବୃତ୍ତାନ୍ତ

ଭୀମସେନଙ୍କ ଦେହରେ ଗୁଡେଇ ହୋଇଥିବା ସାପ ତାଙ୍କୁ ଛାଡିଲା କେମିତି? ସାପକୁ କ'ଣ ସବୁ କହିଲେ ଯୁଧିଷ୍ଠିର? କାହିଁକି ଅର୍ଜୁନଙ୍କୁ ଦିବ୍ୟ ଅସ୍ତ୍ରର ପ୍ରଦର୍ଶନ କରିବାକୁ ମନା କଲା ଦୈବବାଣୀ? କେଉଁ ଯୋଜନାରେ ପାଣ୍ଡବମାନେ ହିମାଳୟରୁ ବନବାସର ଶେଷ ଦୁଇ ବର୍ଷ କାଟିବାକୁ ହସ୍ତିନାପୁର ପାଖ ଜଙ୍ଗଲକୁ ଫେରିଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
Mahabharat Story

Mahabharat Story

Advertisment

ଜଙ୍ଗଲରେ ବୁଲୁଥିବା ବେଳେ ଭୀମ ବିଶାଳ ଏକ ସାପର ହାବୁଡରେ ପଡିଲେ । ଭୀମ ପଚାରି ବୁଝିଲେ ସେ ସାପ ହେଉଛି ତାଙ୍କରି ପୂର୍ବପୁରୁଷ ରାଜା ନହୁଷ । ଅଭିଶପ୍ତ ହୋଇ ସାପ ରୂପରେ ତାଙ୍କୁ ଗ୍ରାସ କରିଛନ୍ତି । ନହୁଷ ଅଭିଶାପ ପାଇଥିଲେ ଦିନର ଷଷ୍ଠ ଭାଗରେ ତାଙ୍କ ହାବୁଡରେ ଯିଏ ବି ପଡିବ ତାକୁ ସେ ଗ୍ରାସ କରିବେ । ସେ ଯେତେ ବଡ଼ ବୀର ହୋଇଥାଉନା କାହିଁକି ବଳବୀର୍ଯ୍ୟହୀନ ହେଇଯିବ। ଶେଷରେ ବହୁ ବର୍ଷ ପରେ ଜଣେ ଜ୍ଞାନୀ ଲୋକର ଉତ୍ତରରେ ତାଙ୍କର ମୁକ୍ତି ହେବ ।

Advertisment

ଭୀମ ସାପ କବଳରୁ ବଳ ପ୍ରୟୋଗ କରି ମୁକ୍ତ ହୋଇ ପାରିଲେନି। ସେ ଜାଣିଥିଲେ ସାପର ଦାର୍ଶନିକ ପ୍ରଶ୍ନର ଉତ୍ତର ଦେଇ ପାରିବେନି। ତେଣୁ ଅନେକ ପ୍ରକାର କଥା କହି ସାପ କବଳରୁ ମୁକ୍ତି ପାଇବାକୁ ପ୍ରାଣପଣେ ଚେଷ୍ଟା କଲେ । ଭୀମ ବୁଝିପାରୁଥିଲେ ଆଜି ଆଉ ତାଙ୍କୁ ସାପ କବଳରୁ ମୁକ୍ତି ପାଇବାର ନାହିଁ । କୌରବମାନଙ୍କ ଉପରେ ପ୍ରତିଶୋଧ ସେ ଆଉ ନେଇପାରିବେନି। ପାଞ୍ଚାଳୀକୁ ଦେଇଥିବା କଥା ରଖିପାରିବେନି। ଭୀମ ସାପର କୁଣ୍ଡଳୀ ଭିତରେ ରହି ବିଦୁରଙ୍କ ଘରେ ଛାଡି ଦେଇ ଆସିଥିବା ମାଆ କୁନ୍ତୀ, ଅଳ୍ପ ଦୂରରେ ଆଶ୍ରମରେ ଥିବା ଅନ୍ୟ ତିନିଭାଇ ଯୁଧିଷ୍ଠିର, ନକୁଳ, ସହଦେବ ଓ ପତ୍ନୀ ଦ୍ରୌପଦୀ , ଇନ୍ଦ୍ରପୁରୀକୁ ଯାଇଥିବା ଅର୍ଜୁନଙ୍କ କଥା ମନ ପକାଇ ବିଳାପ କରିବାକୁ ଲାଗିଲେ। ତାଙ୍କୁ ଲାଗୁଥିଲା ହୁଏତ ଏ ଜନ୍ମରେ ଆଉ ତାଙ୍କର ଏମାନଙ୍କ ସାଙ୍ଗରେ ଦେଖା ହେବନି ।

ଭୀମଙ୍କୁ ଜଙ୍ଗଲରେ ସର୍ପ ଗୁଡେଇ ହୋଇ ଅବଶ କଲା ବେଳକୁ ବଦରୀକା ଆଶ୍ରମରେ ଯୁଧିଷ୍ଠିରଙ୍କୁ ହଠାତ୍ ଅଶୁଭ ଶକୁନ ସବୁ ଦୃଶ୍ୟ ହେଲା । ତାଙ୍କର ଦକ୍ଷିଣ ହାତ ଥରିଲା ଓ ବାଁ ପଟର ଆଖି ଡେଇଁଲା। ଚାରିଦିଗରୁ ଗରମ ପବନ ବହିବାକୁ ଲାଗିଲା । ଯୁଧିଷ୍ଠିର ସମସ୍ତଙ୍କୁ ପାଖକୁ ଡାକି ଜାଣିଲେ ଏକା ଭୀମସେନ ପାଖରେ ନାହାଁନ୍ତି । ଆଉ ଡେରି ନକରି ଯୁଧିଷ୍ଠିର ରାଜ ପୁରୋହିତ ଧୌମ୍ୟଙ୍କୁ ସାଙ୍ଗରେ ଧରି ଜଙ୍ଗଲ ଭିତରକୁ ଭୀମଙ୍କୁ ଖୋଜିବାକୁ ବାହାରିଲେ । ଅନେକ ଖୋଜିଲା ପରେ ଏକ ପାହାଡ଼ର ଗୁମ୍ଫା ପାଖରେ ଯୁଧିଷ୍ଠିର ଦେଖିଲେ ଏକ ବିଶାଳ ସାପ ଭୀମଙ୍କ ଦେହରେ ଗୁଡ଼େଇ ହୋଇ ରହିଛି ।

Advertisment

ଯୁଧିଷ୍ଠିର ମହାବଳଶାଳୀ ଭୀମସେନଙ୍କୁ ଏମିତି ଏକ ସାପର କୁଣ୍ଡଳୀ ଭିତରେ ଅବଶ ହୋଇ ଗୁଡେଇ ରହିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ କ'ଣ ହୋଇଛି? କିଏ ଏଇ ସାପ? ତୁମକୁ ସେ ଗ୍ରାସ କଲା କେମିତି?

ଭୀମ ସବୁ କଥା କହିଲେ । ଭୀମ କହିଲେ ଆମରି ବଂଶର ରାଜା ନହୁଷ ଅଭିଶାପ ପାଇ ସାପ ପାଲଟିଛନ୍ତି । ନହୁଷଙ୍କ ସାପ ହେବାର କାହାଣୀ ଭୀମଙ୍କ ପାଖରୁ ଶୁଣିସାରିଲା ପରେ ଯୁଧିଷ୍ଠିର ସାପକୁ ଅନ୍ୟ ଆହାର ବଦଳରେ ଭୀମଙ୍କୁ ଛାଡିଦେବାକୁ ଅନୁରୋଧ କଲେ ।

Advertisment
Mahabharat Storyସାପ କବଳରୁ ମୁକ୍ତି ଓ ହିମାଳୟରୁ ପାଣ୍ଡବମାନଙ୍କ ପ୍ରସ୍ଥାନ ବୃତ୍ତାନ୍ତ

ଅଧିକ ପଢ଼ନ୍ତୁ: ଶତଦଳ ପଦ୍ମର ସନ୍ଧାନ ଓ ଭୀମଙ୍କ ଗର୍ବ ଭଙ୍ଗ କଥା

ସର୍ପ ରୂପୀ ନହୁଷ କିନ୍ତୁ କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ ପୂର୍ବରୁ ଭୀମଙ୍କୁ ଯେଉଁ ପ୍ରଶ୍ନ କଥା କହିଥିଲେ ସେଇ ଏକା କଥା ଯୁଧିଷ୍ଠିରଙ୍କୁ କହିଲେ । ଯୁଧିଷ୍ଠିର ସାପ କଥାରେ ରାଜି ହୋଇ କହିଲେ ଠିକ ଅଛି, କ'ଣ ତୁମର ପ୍ରଶ୍ନ ? ମୋତେ ପଚାର ମୁଁ ତୁମ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି ।

ସର୍ପ ରୂପୀ ନହୁଷ ପଚାରିଲେ, ହେ ଯୁଧିଷ୍ଠିର କୁହ! ବ୍ରାହ୍ମଣ କିଏ ଓ ସେ କ'ଣ ଜାଣିବା ଦରକାର?

ଯୁଧିଷ୍ଠିର କହିଲେ, ହେ ସର୍ପରାଜ! ଯାହା ପାଖରେ ସତ୍ୟ, ଦୟା, ଦାନ, କ୍ଷମା, ତପସ୍ୟା, ଅହିଂସା ଓ ଶୀଳତା ରହିଥିବ କେବଳ ସେ ହିଁ ବ୍ରାହ୍ମଣ ।

ନହୁଷ ପଚାରିଲେ ସତ୍ୟ, ଦାନ, ଅହିଂସା, ଦୟା ଆଦି ଗୁଣ ଯଦି ଜଣେ ଶୁଦ୍ର ପାଖରେ ଥାଏ ତେବେ ସେ କ'ଣ ବ୍ରାହ୍ମଣ ହୋଇପାରିବ?

ଯୁଧିଷ୍ଠିର କହିଲେ, ହେ ସର୍ପରାଜ! ଏହି ସବୁ ଗୁଣ ଓ ଲକ୍ଷଣ ଯେଉଁ ଶୁଦ୍ର ପାଖରେ ଥାଏ ସେ ଶୂଦ୍ର ନୁହେଁ ଓ ଏସବୁ ଗୁଣ ଓ ଲକ୍ଷଣ ଯେଉଁ ବ୍ରାହ୍ମଣ ପାଖରେ ନଥାଏ ସେ ବ୍ରାହ୍ମଣ ନୁହେଁ । ଏ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତି ହିଁ ବ୍ରାହ୍ମଣ ଓ ଗୁଣ ନଥିବା ବ୍ୟକ୍ତି ଶୁଦ୍ର । ବେଦ ଜାଣିନଥିବା ମଣିଷ ହେଉଛି ଶୁଦ୍ର ।

ନହୁଷ ସର୍ପଙ୍କ ଆଉ କିଛି ପ୍ରଶ୍ନ ପରେ ଯୁଧିଷ୍ଠିର ମଧ୍ୟ ତାଙ୍କୁ କିଛି ପ୍ରଶ୍ନ କଲେ । ସର୍ପ ରୂପୀ ନହୁଷ ତା'ର ଉତ୍ତର ଦେଲେ । ନହୁଷ କହିଲେ, ହେ ରାଜା! ସତ୍ୟ, ଦମ, ତପସ୍ୟା, ଦାନ, ଅହିଂସା ଓ ଧର୍ମନିଷ୍ଠତା ପୁରୁଷଙ୍କର ସାଧ୍ୟ । ଜାତି କୁଳ ସାଧକ ନୁହେଁ । ହେ ରାଜା ଅଭିଶାପରୁ ମୁକ୍ତ ହେବାକୁ ତୁମ ସହ ମୁଁ ବ୍ରହ୍ମ ଓ ବ୍ରହ୍ମ ବିଷୟରେ ପ୍ରଶ୍ନ କରିଥିଲି । ଏବେ ତୁମ ଭାଇ ଭୀମସେନଙ୍କୁ ମୁକ୍ତ କରୁଛି ଓ ମୁଁ ସ୍ୱର୍ଗକୁ ପ୍ରସ୍ଥାନ କରୁଛି ।

ନହୁଷଙ୍କ ପ୍ରସ୍ଥାନ ପରେ ଭୀମଙ୍କୁ ସାଙ୍ଗରେ ଧରି ଯୁଧିଷ୍ଠିର ଓ ଧୌମ୍ୟ ଆଶ୍ରମକୁ ଫେରି ଆସିଲେ । ସେଠାରେ ସାତ ରାତି ବିଶ୍ରାମ କରି ସମସ୍ତେ ପୁଣି ଆଗକୁ ଚାଲିଲେ । ଅନେକ ରାସ୍ତା ଅତିକ୍ରମ କଲାପରେ ଶେଷରେ ସମସ୍ତେ ଯାଇଁ ତପସ୍ୱୀ ଅଷ୍ଟିଷେଣଙ୍କ ଆଶ୍ରମରେ ପହଞ୍ଚିଲେ । ତପସ୍ୱୀ ଅଷ୍ଟିଷେଣ ତାଙ୍କ ଦିବ୍ୟଦୃଷ୍ଟିରେ ଜାଣିପାରିଲେ ପାଣ୍ଡବମାନେ ତାଙ୍କ ଆଶ୍ରମରେ ଆସି ପହଞ୍ଚିଛନ୍ତି । ତପସ୍ୱୀ ଅଷ୍ଟିଷେଣ ପାଣ୍ଡବମାନଙ୍କୁ ଭଲ ମନ୍ଦ ଅନେକ ପ୍ରଶ୍ନ ପଚାରିଲା ପରେ ଅନେକ ଉପଦେଶ ମଧ୍ୟ ଦେଲେ । କହିଲେ ଆଉ ଏଉଠୁ ଆଗକୁ ଯିବାରେ ବିପଦ ଅଛି । ତେଣୁ ସମସ୍ତେ ଯେତେଦିନ ଚାହିଁବ ଏଇ ଆଶ୍ରମରେ ରହି ଅର୍ଜୁନଙ୍କୁ ଅପେକ୍ଷା କର ।

ହିମାଳୟର ସୁନ୍ଦର ପରିବେଶରେ ଅନେକ ପ୍ରକାରର ଗଛ, ବୃକ୍ଷ, ପଶୁ ଓ ପକ୍ଷୀଙ୍କ ଗହଣରେ ସମସ୍ତେ ସମୟ କାଟିବାକୁ ଲାଗିଲେ । ଦିନେ ଶ୍ୱେତଗିରୀ ଆଶ୍ରମରେ ବସି ପାଣ୍ଡବ ପରିବାର ଅର୍ଜୁନଙ୍କ ବିଷୟରେ କଥା ହେଲାବେଳକୁ ଏକ ଦିବ୍ୟ ରଥ ଆସି କିଛି ଦୂରରେ ଆକାଶରୁ ଓହ୍ଲଇଲା । ଘୋଡା ଯୋଚା ହୋଇଥିବା ସେ ରଥ ଥିଲା ଦେବରାଜ ଇନ୍ଦ୍ରଙ୍କର । ରଥର ସାରଥି ଆସନରେ ବସିଥିଲେ ମାତଳୀ । ରଥରୁ ସୁନ୍ଦର ବେଶ ପୋଷାକ ପିନ୍ଧି ବିଭିନ୍ନ ଦିବ୍ୟ ଅସ୍ତ୍ର ଧରି ଅର୍ଜୁନ ଓହ୍ଲେଇଲେ ।

ଅର୍ଜୁନଙ୍କ ଫେରି ଆସିବା ଦେଖି ସମସ୍ତେ ଖୁସି ହୋଇଗଲେ। ଅର୍ଜୁନ ଆସି କୁଳ ପୁରୋହିତ ଧୌମ୍ୟ, ଲୋମଶ ଋଷି, ତପସ୍ୱୀ ଅଷ୍ଟିଷେଣ ଓ ବଡ ଦୁଇ ଭାଇଙ୍କୁ ପ୍ରଣାମ କଲେ । ନକୁଳ ଓ ସହଦେବଙ୍କୁ ଆଲିଙ୍ଗନ କଲେ ଓ ଦ୍ରୌପଦୀଙ୍କ ପାଖକୁ ଯାଇ କଥା ହେଲେ । ଅର୍ଜୁନ ତାଙ୍କ ଇନ୍ଦ୍ରପୁରୀରେ ରହିଥିବା ସମୟ ଓ ଅନୁଭୂତି ସବୁକୁ ଗୋଟି ଗୋଟି ବର୍ଣ୍ଣନା କରି ସମସ୍ତଙ୍କୁ କହିଲେ । କେମିତି ସେ ଇନ୍ଦ୍ରଙ୍କ ଆଦେଶରେ ରାକ୍ଷସମାନଙ୍କ ସହ ଯୁଦ୍ଧ କଲେ, ଇନ୍ଦ୍ରପୁରୀରେ କ'ଣ କ'ଣ କଲେ, ଦୈବୀ ଅସ୍ତ୍ର ସବୁ କେମିତି ପାଇଲେ ଓ ତା'ର ବ୍ୟବହାର କେମିତି ଶିଖାଇଲେ ସବୁକିଛି ବର୍ଣ୍ଣନା କଲେ ।

Mahabharat Storyସାପ କବଳରୁ ମୁକ୍ତି ଓ ହିମାଳୟରୁ ପାଣ୍ଡବମାନଙ୍କ ପ୍ରସ୍ଥାନ ବୃତ୍ତାନ୍ତ

ଅର୍ଜୁନଙ୍କ କଥା ଶୁଣି ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ, ତୁମେ ଦିବ୍ୟ ଅସ୍ତ୍ର ସବୁ ପାଇଲାପରେ ଆମମାନଙ୍କର ଶକ୍ତି ଯଥେଷ୍ଟ ବଢିଲା । ଏଥର କୌରବ ସେନାଙ୍କୁ ସାମ୍ନା କରିବାରେ କିଛି ଅସୁବିଧା ହେବନି । ଅର୍ଜୁନ ତାଙ୍କ ଭାଇମାନଙ୍କ କୌତୁହଳ ମେଣ୍ଟାଇବାକୁ ସେ ଦିବ୍ୟ ଅସ୍ତ୍ରସବୁକୁ ବାହାର କଲେ ଓ ତା'ର ପ୍ରୟୋଗ କେମିତି ହୁଏ ଦେଖାଇବାକୁ ଆରମ୍ଭ କଲେ । ଅସ୍ତ୍ର ସବୁକୁ ବାହାର କରୁ କରୁ ହଠାତ୍ ପୁରା ଶ୍ୱେତଗିରି କମ୍ପିତ ହେବାକୁ ଆରମ୍ଭ କଲା। ଦିବ୍ୟ ଅସ୍ତ୍ରମାନଙ୍କ ତେଜରେ ସୂର୍ଯ୍ୟଙ୍କ ତେଜ ନିଷ୍ପ୍ରଭ ଦିଶିଲା । ପବନ ସ୍ଥିର ହେଇଗଲା । ସ୍ୱର୍ଗରୁ ଦୈବବାଣୀ ହେଲା, ହେ ଅର୍ଜୁନ! ତୁମେ ବିନା କାରଣରେ କୌଣସି ଦିବ୍ୟ ଅସ୍ତ୍ରର ବ୍ୟବହାର କରନି। ଏପରି କରିବା ଦ୍ୱାରା ସଂସାର ଉପରେ ବହୁତ ବିପଦ ପଡିବ । ତୁମକୁ ଦିବ୍ୟ ଅସ୍ତ୍ର ଦିଆଯାଇଥିଲା କେବଳ ଶତ୍ରୁମାନଙ୍କ ବିରୁଦ୍ଧରେ ବ୍ୟବହାର କରିବାକୁ। କୌତୁହଳରେ କାହା ଆଗରେ ପ୍ରଦର୍ଶନ କରିବାକୁ ନୁହେଁ । ଦିବ୍ୟ ଅସ୍ତ୍ରକୁ ଅଲକ୍ଷ୍ୟ ସ୍ଥାନରେ କଦାପି ପ୍ରୟୋଗ କରିବନି । ଦୈବୀବାଣୀ ଶୁଣି ଅର୍ଜୁନ ଅସ୍ତ୍ର ପ୍ରଦର୍ଶନରୁ ବିରତ ହେଲେ ଓ ଦୈବବାଣୀ ପ୍ରତି ପ୍ରଣାମ ଜଣାଇଲେ ।

ଅର୍ଜୁନ ପହଞ୍ଚିଲା ପରେ ସମସ୍ତେ ମିଶି ପୁରା ଚାରି ବର୍ଷ ସେଇ ଆଶ୍ରମରେ ରହିଲେ । ଆଖ ପାଖ ଅଞ୍ଚଳ ମନଖୁସିରେ ବୁଲିଲେ । ତାପରେ ଦିନେ ଯୁଧିଷ୍ଠିର ଭାଇମାନଙ୍କୁ ପାଖକୁ ଡାକି ପରବର୍ତ୍ତୀ ଯୋଜନା ତିଆରି କଲେ । ସମସ୍ତେ ମିଶି କଥା ହେଲେ ଯେ ଦଶ ବର୍ଷ ତ ଏମିତି ଏମିତି କଟିଗଲା । ବନବାସର ପର ଦୁଇ ବର୍ଷ କୌରବ ରାଜ୍ୟର ପାଖାପାଖି ରହିବାକୁ ହେବ। ତାପରେ ବର୍ଷକ ପାଇଁ ଅଜ୍ଞାତ ବାସ କରିବାକୁ ପୁଣି ଥରେ ଦୂର ସ୍ଥାନକୁ ପଳେଇ ଆସିବାକୁ ହେବ । ଫଳରେ ଦୁର୍ଯ୍ୟୋଧନ, ଶକୁନି ଆଦି ଆମମାନଙ୍କର ସନ୍ଧାନ ପାଇବେନି ।

ଏମିତି ବିଚାର କରି ପାଣ୍ଡବ ପରିବାର ଯେଉଁ ରାସ୍ତାରେ ଯାଇଥିଲେ ଠିକ ସେଇ ରାସ୍ତାରେ କାମ୍ୟକ ବନକୁ ଫେରି ଆସିଲେ । କାମ୍ୟକ ବନରେ ସେମାନେ ପହଞ୍ଚିବା ଖବର କୃଷ୍ଣ ପାଇଲା ପରେ ଦିନେ ପତ୍ନୀ ସତ୍ୟଭାମାଙ୍କୁ ସାଙ୍ଗରେ ଧରି ରଥ ଚଢି କାମ୍ୟକ ବନରେ ଆସି ପହଞ୍ଚିଲେ । ଅନେକ ଦିନ ପରେ ପରସ୍ପରଙ୍କ ଭିତରେ ସାକ୍ଷାତ ହେଲା । ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ କହିଲେ ଆପଣମାନଙ୍କର ବନବାସ ଖୁବ ଶୀଘ୍ର ଶେଷ ହେବ । ଆଉ ଅଳ୍ପ ଦିନର କଥା । ଆପଣମାନଙ୍କ ସହ ମିଶି କୌରବ ସେନାଙ୍କ ସହ ଲଢିବାକୁ ଆମ ଯଦୁବଂଶର ଯୋଦ୍ଧାମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ତାପରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ ଦ୍ୱାରକାରେ ସୁଭଦ୍ରାଙ୍କ ପୁଅ ଅଭିମନ୍ୟୁଙ୍କ ସହ ତାଙ୍କ ପାଞ୍ଚ ପୁଅ ବି ଅସ୍ତ୍ର ଶସ୍ତ୍ର ଏବଂ ଶାସ୍ତ୍ର ଶିକ୍ଷା କରୁଛନ୍ତି । ବନବାସ ପରେ ଖୁବ ଶୀଘ୍ର ସମସ୍ତଙ୍କ ସହ ସାକ୍ଷାତ ହେବ ।

ଅଧିକ ପଢ଼ନ୍ତୁ: ଜ୍ଞାନ ପ୍ରାପ୍ତିର ସରଳ ରାସ୍ତା ଖୋଜୁଥିବା ଋଷିପୁତ୍ରର କାହାଣୀ 

Mahabharata Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ