Mahabharat
ହିମାଳୟରୁ ଆସି ପାଣ୍ଡବମାନେ କାମ୍ୟକ ବନରେ ପହଞ୍ଚିବା ଖବର କୃଷ୍ଣ ପାଇଲା ପରେ ଦିନେ ପତ୍ନୀ ସତ୍ୟଭାମାଙ୍କୁ ସାଙ୍ଗରେ ଧରି ରଥ ଚଢି ସେଠାରେ ପହଞ୍ଚିଲେ । ଅନେକ ଦିନ ପରେ ପରସ୍ପରଙ୍କୁ ଦେଖି ସମସ୍ତେ ଆନନ୍ଦିତ ହେଲେ । ବନବାସ ପରବର୍ତ୍ତୀ ସମୟ ପାଇଁ ମିଳିମିଶି ଯୋଜନା କରୁଥିବା ବେଳେ ସେଠାରେ ଆସି ପହଞ୍ଚିଲେ ବର୍ଷୀୟାନ ମହାନ ତପସ୍ୱୀ ମାର୍କଣ୍ଡେୟ। ଅନନ୍ତ କାଳରୁ ଜୀବିତ ଥିବା ତପସ୍ୱୀ ମାର୍କଣ୍ଡେୟଙ୍କ ରୂପ କାନ୍ତି ଯୁବକ ପରି ଝଟକୁ ଥିଲା । ମାର୍କଣ୍ଡେୟଙ୍କୁ ପାଖରେ ପାଇ ଶ୍ରୀକୃଷ୍ଣ ଓ ପାଣ୍ଡବମାନେ ତାଙ୍କ ପାଦ ବନ୍ଦନା କଲେ ଓ ସସମ୍ମାନେ ଆସନରେ ବସାଇଲେ କୃଷ୍ଣ ମାର୍କଣ୍ଡେୟଙ୍କୁ କହିଲେ, ହେ ମହାତ୍ମା ! ଆମେ ସମସ୍ତେ ଆପଣଙ୍କ ପାଖରୁ ଦେବତା, ଋଷି ଓ ରାଜାମାନଙ୍କ ପୂଣ୍ୟ କଥା ଶୁଣିବାକୁ ଚାହୁଁଛୁ । ଯୁଧିଷ୍ଠିର ହାତ ଯୋଡି କହିଲେ, ହେ ମୁନିବର! ଆପଣ ଦେବତା, ଦୈତ୍ୟ, ମହାତ୍ମା, ଋଷି ଓ ରାଜର୍ଷିମାନଙ୍କ କଥା ଜାଣିଛନ୍ତି । ଅନେକ ଦିନରୁ ଆପଣଙ୍କୁ ଦର୍ଶନ କରିବାର ଅଭିଳାଷ ମୋ ଭିତରେ ଥିଲା । ମୋତେ କୁହନ୍ତୁ ଏ ସଂସାରରରେ କାହିଁକି ଶୁଭ କାମ କଲେ ଅଶୁଭ ଫଳ ମିଳେ ଓ ଅଶୁଭ କାମ କଲେ ଶୁଭ ଫଳ ମିଳେ? କୌରବ ଓ ଆମ ପାଣ୍ଡବମାନଙ୍କ କର୍ମ ଓ କର୍ମଫଳ ବିଚାର କଲାବେଳକୁ ମୋତେ ସେପରି ହିଁ ଲାଗୁଛି । ଯୁଧିଷ୍ଠିର ତାଙ୍କ ମନରେ ଥିବା ଆହୁରି ଅନେକ ପ୍ରଶ୍ନ ମାର୍କଣ୍ଡେୟଙ୍କୁ ପଚାରିଲେ ।
ମାର୍କଣ୍ଡେୟ ଧିର ସ୍ଥିର ଭାବରେ ଯୁଧିଷ୍ଠିରଙ୍କ ପ୍ରଶ୍ନମାନଙ୍କର ଗୋଟି ଗୋଟି ଉତ୍ତର ଦେବାକୁ ଲାଗିଲେ । କହିଲେ, ପୁରା କାଳରେ ମନୁଷ୍ୟର ଅବସ୍ଥା ଆଜି ପରି ନଥିଲା । ଧିରେ ଧିରେ ମଣିଷମାନେ ପାପାସକ୍ତ ହୋଇ, ଅଜ୍ଞାନରେ କୁକର୍ମ କରି, ଅଧର୍ମ ରାସ୍ତାରେ ବାଟ ଚାଲି ଓ ପାପ କରି ଶେଷରେ ଏଇ ଅବସ୍ଥାରେ ଆସି ପାହଞ୍ଚିଲେ । କାହାର ଇହ ଓ ପରକାଳରେ ମଙ୍ଗଳ ହୁଏ ପୁଣି କାହାର ଇହ ଓ ପରକାଳରେ ଅମଙ୍ଗଳ ବି ହୁଏ । ଯାହା ପାଖରେ ପ୍ରଚୁର ଧନ ସମ୍ପଦ ଅଛି, ଯିଏ ସଦା ସର୍ବଦା ଦୁର୍ମୂଲ୍ୟ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ସବୁବେଳେ ଦେହଜ ସୁଖରେ ଲିପ୍ତ ରୁହେ, ସେ ଇହ ଲୋକରେ ସୁଖ ସିନା ପାଏ କିନ୍ତୁ ପରଲୋକରେ କଷ୍ଟ ଭୋଗେ । ଯିଏ ଯୋଗ ଓ ତପସ୍ୟା କରେ, ନିଜର ଇନ୍ଦ୍ରୀୟକୁ ନିଜ ଅଧିନରେ ରଖେ, ସ୍ୱାଧ୍ୟାୟ କରେ ଓ ଜୀବେ ଦୟା କରେ ସେ ଇହ ଲୋକରେ କଷ୍ଟ ପାଏ କିନ୍ତୁ ପରଲୋକରେ ସୁଖ ଭୋଗ କରେ । ଯିଏ ଧର୍ମ ଆଚରଣ କରେ, ଯଜ୍ଞ କରି ଦେବତାମାନଙ୍କୁ ସନ୍ତୁଷ୍ଟ କରିରଖେ ସେ ଇହ ଓ ପରଲୋକରେ ସୁଖ ଭୋଗ କରେ ।
ଯେଉଁମାନେ ମୁଢ ବିଦ୍ୟାଭ୍ୟାସ, ତପସ୍ୟା, ଦାନ ନକରି ଓ ସନ୍ତାନ ଉତ୍ପନ୍ନ ନକରି କେବଳ ଦେହଜ ସୁଖରେ ବ୍ୟସ୍ତ ରୁହନ୍ତି ସେମାନେ ଇହ ଓ ପର ଉଭୟ ଲୋକରେ କଷ୍ଟ ଭୋଗ କରନ୍ତି । ତାପରେ କଥାକୁ ସ୍ପଷ୍ଟ ଭାବରେ ବୁଝାଇବାକୁ ମାର୍କଣ୍ଡେୟ ସେଇଠି ବସି ଅନେକ ପୁରାଣ କାହାଣୀ ଗପିଲେ । ଥରେ ହୈହୟ ବଂଶର ଜଣେ ରାଜକୁମାର ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଯାଇଥାନ୍ତି । ଜଙ୍ଗଲରେ ବୁଲୁ ବୁଲୁ ରାଜକୁମାର ଦେଖିଲେ କିଛି ଦୂରରେ ଗଛ ଲଟା ଗହଳି ଭିତରେ ହରିଣ ଗୋଟେ ଛିଡା ହେଇଛି । ସେ ଡେରୀ ନକରି ହରିଣକୁ ଲକ୍ଷ୍ଯ କରି ତୀର ମାରିଲେ । ତାପରେ ପାଖରେ ଯାଇ ଦେଖନ୍ତି ତ ହରିଣ ବଦଳରେ କୃଷ୍ଣସାର ହରିଣ ଚମଡା ପିନ୍ଧିଥିବା ଜଣେ ଋଷି କୁମାର ମରି ଶୋଇଛନ୍ତି । ରାଜକୁମାର ତାଙ୍କ ନିଜ ବାପାଙ୍କୁ ଯାଇ କହିଲେ ସେ ଅଯଣାତରେ ବଡ ଭୁଲ ଗୋଟେ କରିଛନ୍ତି । ରାଜା ବ୍ୟସ୍ତ ହୋଇ ଜାଣିବାକୁ ଚାହିଁଲେ ମରିଥିବା ଋଷିପୁତ୍ର କାହାର ସନ୍ତାନ । ଚରମାନେ ଆସି ଖବର ଦେଲେ ମୃତ ବାଳକ ହେଉଛନ୍ତି ତପସ୍ୱୀ ଅରିଷ୍ଟନେମୀଙ୍କ ପୁଅ ।
ଅଧିକ ପଢ଼ନ୍ତୁ:ଭୀମଙ୍କ ପଦ୍ମବନ ସନ୍ଧାନ ଓ ସାପ ରୂପୀ ରାଜାଙ୍କ କାହାଣୀ
ରାଜା ସାଙ୍ଗେ ସାଙ୍ଗେ ନିଜ ପୁଅ ଦ୍ୱାରା ହେଇଥିବା ତୃଟି ପାଇଁ କ୍ଷମା ଭିକ୍ଷା ଉଦ୍ଦେଶ୍ୟରେ ଯାଇଁ ଋଷି ଅରିଷ୍ଟନେମୀଙ୍କ ଆଶ୍ରମରେ ପହଞ୍ଚିଲେ । ଋଷି ରାଜାଙ୍କୁ ଦେଖି ଆଶ୍ରମକୁ ପାଛୋଟି ନେଲା ବେଳକୁ ରାଜା କହିଲେ, ନା ନା ମହାତ୍ମା ଆମେ ବ୍ରହ୍ମହତ୍ୟା ଦୋଷରେ ଦୋଷୀ । ତେଣୁ ଆଶ୍ରମର ପବିତ୍ର ପ୍ରାଙ୍ଗଣରେ ପାଦ ରଖିବୁନି । ଋଷି ଅରିଷ୍ଟନେମୀ ରାଜାଙ୍କୁ ପଚାରିଲେ ଚାଲ ଦେଖିବା ତ କୋଉ ବ୍ରାହ୍ମଣକୁ ତୁମେ ହତ୍ୟା କରିଛ ? ରାଜା ରାଜକୁମାରଙ୍କୁ ଧରି ଋଷି ପୁତ୍ର ମରିଥିବା ସ୍ଥାନକୁ ଗଲେ । କିନ୍ତୁ ସେଠାରେ କିଛିବି ନଥିଲା । ତାପରେ ଋଷି ଅରିଷ୍ଟନେମୀ ଜଣେ ବ୍ରାହ୍ମଣ ବାଳକଙ୍କୁ ଦେଖାଇ କହିଲେ ଏ କ'ଣ ସେଇ ବାଳକ ଯାହାକୁ ତୁମେ ହତ୍ୟା କରିଥିଲ?
ରାଜକୁମାର ଏକବାର ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ପ୍ରକୃତରେ କିଛି ସମୟ ଆଗରୁ ସେ ଏଇ ଋଷିକୁମାରଙ୍କୁ ହିଁ ମୃଗ ଭାବି ଭୁଲରେ ହତ୍ୟା କରିଥିଲେ । ରକ୍ତାକ୍ତ ମୃତ ଶରୀର ବୃକ୍ଷ ଗହଳରେ ପଡିଥିବାର ବି ଦେଖିଥିଲେ । କିନ୍ତୁ ଏ କି ଚମତ୍କାର? ସେ ବଞ୍ଚିଲେ କେମିତି?
ରାଜା ଆଶ୍ଚର୍ଯ୍ୟ ହୋଇ ଋଷିଙ୍କୁ ପଚାରିଲେ, ଏ କ'ଣ ତପସ୍ୟାର କରାମତି? ମୃତ ବାଳକ ପୁର୍ନଜୀବନ କେମିତି ପାଇଲେ?
ମହାଭାରତଅରିଷ୍ଟନେମୀ କହିଲେ ଆମେ ସତ୍ୟ ପଥରେ ଅଛୁ ଓ ସ୍ୱଧର୍ମ ପାଳନ କରୁଛୁ । ବାହ୍ମଣର କର୍ମ କରୁଛୁ, ଅତଥି ଓ ପରିଜନଙ୍କ ଭୋଜନ ପରେ ଯାଇଁ ଭୋଜନ କରୁଛୁ, ଶାନ୍ତ ରହୁଛୁ, ଦାନ କରଛୁ, କ୍ଷମା ଆଚରଣ କରୁଛୁ, ତୀର୍ଥ ଯାତ୍ରା କରୁଛୁ ଓ ଯୋଗୀମାନଙ୍କ ଗହଣରେ ରହଛୁ ବୋଲି ଆମେ ମୃତ୍ୟୁକୁ ଭୟ କରୁନୁ । ମୃତ୍ୟୁ ଆମକୁ ସ୍ପର୍ଶ କରିପାରୁନି । ହେ ରାଜା! ତୁମେ ବ୍ରହ୍ମ ହତ୍ୟା ଦୋଷକୁ ଭୟ ନକରି ଏବେ ଯାଇପାର । ରାଜା ଓ ରାଜକୁମାର ବ୍ରହ୍ମର୍ଷି ଅରିଷ୍ଟନେମୀଙ୍କୁ ପ୍ରଣାମ କରି ପ୍ରସ୍ଥାନ କଲେ ।
ତାପରେ ମାର୍କଣ୍ଡେୟ ଋଷି ଆଉ ଏକ କାହାଣୀ କହିଲେ । ବୈନ୍ୟ ନାମରେ ଜଣେ ରାଜର୍ଷି ଅଶ୍ୱମେଧ ଯଜ୍ଞ କରୁଥାନ୍ତି । ଅତ୍ରୀ ଋଷି ତାଙ୍କ ପାଖକୁ କିଛି ଧନ ରତ୍ନ ଆଶାରେ ଯିବାକୁ ବାହାରିଥିଲେ । କିନ୍ତୁ କିଛି କାରଣ ମନରେ ଭାବି ଆଉ ଗଲେନି । ଭାବିଲେ ପରିବାର ଧରି ବନଚାରୀ ହୋଇଯିବେ । ତାଙ୍କ ପତ୍ନୀ କିନ୍ତୁ ତାଙ୍କୁ ବୈନ୍ୟଙ୍କ ପାଖକୁ ଯାଇ କିଛି ଧନ ରତ୍ନ ଆଣିବାକୁ ପ୍ରବର୍ତ୍ତାଇଲେ। ଅତ୍ରୀ ତାଙ୍କ ପତ୍ନୀଙ୍କୁ କହିଲେ ଯେ, ବୈନ୍ୟଙ୍କ ପାଖକୁ ଯିବାରେ ମୋର କିଛି ଆପତ୍ତି ନାହିଁ କିନ୍ତୁ ମୋତେ ଗୌତମ ଋଷି କହିଛନ୍ତି ବୈନ୍ୟଙ୍କୁ ଘେରି କିଛି ମନ୍ଦ ପ୍ରକୃତିର ବ୍ରାହ୍ମଣ ଅଛନ୍ତି। ସେମାନେ ଅର୍ଥକୁ ଅନର୍ଥ କରିବେ । ତଥାପି ଅତ୍ରୀ ଋଷି ପତ୍ନୀଙ୍କ କଥା ମାନି ବୈନ୍ୟଙ୍କ ପାଖରେ ପହଞ୍ଚିଲେ ଓ ଯଜ୍ଞ ସ୍ଥଳରେ ପହଞ୍ଚି ରାଜାଙ୍କର ସ୍ତବ କଲେ । ଅତ୍ରୀ କହିଲେ, ହେ ରାଜା ଆପଣ ଈଶ୍ୱର, ଆପଣ ପୃଥିବୀର ଶ୍ରେଷ୍ଠ ରାଜା । ମୁନି ଋଷିମାନେ ଆପଣଙ୍କ ସ୍ତବ କରନ୍ତି ଓ ଆପଣଙ୍କ ଠାରୁ ବଳି କେହି ବଡ ଧାର୍ମିକ ରାଜା ନାହାଁନ୍ତି । ଅତ୍ରୀଙ୍କ କଥା ଶୁଣି ଗୌତମ ବିରକ୍ତ ହୋଇଗଲେ । କହିଲେ ଏପରି ଅଯଥା ଚାଟୁ କଥା କହିବା ଉଚିତ ନୁହେଁ । ଅତ୍ରୀ ମଧ୍ୟ ଯାହା କହିଛନ୍ତି ସେଥିରେ କିଛି ଅସୁବିଧା ନାହିଁ କହି ଗୌତମଙ୍କ ସହ ଯୁକ୍ତି କଲେ । ଦୁହେଁ ବଡ ପାଟିରେ ଯୁକ୍ତି ତର୍କ କରିବାରୁ ଯଜ୍ଞ କାମ ବ୍ୟାହତ ହେଲା । ସେଠାରେ ଥିବା ବ୍ରାହ୍ମଣମାନେ ପଚାରିଲେ ସେ ଦୁହେଁ କ'ଣ ପାଇଁ ଗଣ୍ଡଗୋଳ କରୁଛନ୍ତି ଓ ସେମାନଙ୍କୁ ଯଜ୍ଞ ସ୍ଥଳକୁ ଆସିବାକୁ କିଏ ଅନୁମତି ଦେଲା?
ଅତ୍ରୀ ଓ ଗୌତମଙ୍କ ପାଖକୁ ଆସି କାଶ୍ୟପ ଋଷି ବିବାଦର କାରଣ ପଚାରିଲେ । ଦୁହେଁ ନିଜ ନିଜର ଯୁକ୍ତି ରଖିଲା ପରେ କାଶ୍ୟପ ଋଷି ସେମାନଙ୍କୁ ନେଇ ସନତକୁମାରଙ୍କ ପାଖକୁ ଗଲେ । ସନତକୁମାର ବିଭିନ୍ନ ଉଦାହରଣ ଦେଇ ବୁଝାଇଲେ ରାଜା ହିଁ ପ୍ରକୃତରେ ଶ୍ରେଷ୍ଠ । ଅଗ୍ନି ଯେପରି ପବନ ସହ ଯୁକ୍ତ ହୋଇ ଜଙ୍ଗଲକୁ ଦହନ କରେ ସେମିତି ବ୍ରହ୍ମତେଜ କ୍ଷତ୍ରୀୟର ତେଜ ସହ ମିଳିତ ହୋଇ ଶତୃ ନାଶ କରେ । ରାଜା ହିଁ ଧର୍ମରକ୍ଷକ, ପ୍ରଜାଙ୍କ ପାଳନକାରୀ ।
ରାଜା ବୈନ୍ୟ ସନତକୁମାରଙ୍କ କଥାରେ ଖୁସି ହେଲେ ଓ ଅତ୍ରୀଙ୍କୁ ବିଭିନ୍ନ ଧନଧାନ୍ୟ ଦାନ ଦେଇ ବିଦା କଲେ ।
ମାର୍କଣ୍ଡେୟ ବିଭିନ୍ନ କାହାଣୀ ଛଳରେ ଆହୁରି ଅନେକ କଥା କହିସାରିଲା ପରେ ଯୁଧିଷ୍ଠିର କହିଲେ, ହେ ମୁନି ! ଆମେ ମହର୍ଷି ମନୁଙ୍କ ବିଷୟରେ ଜାଣିବାକୁ ଚାହୁଁଛୁ । ଦୟାକରି ତାଙ୍କ ବିଷୟରେ କିଛି କହିବା ହୁଅନ୍ତୁ ।
ଯୁଧିଷ୍ଠିରଙ୍କ ଅନୁରୋଧ ଶୁଣି ମାର୍କଣ୍ଡେୟ କହିଲେ ମନୁ ମଣିଷମାନଙ୍କ ଭିତରେ ଶ୍ରେଷ୍ଠ । ନିଜର ବଳ, କାନ୍ତି, ଦୀପ୍ତି ଓ ତପସ୍ୟାରେ ସେ ତାଙ୍କର ସମସ୍ତ ପୂର୍ବପୁରୁଷଙ୍କୁ ଅତିକ୍ରମ କରିଥିଲେ । ଏକ ପାଦରେ ଛିଡାହୋଇ ପୁଣି ମୁଣ୍ଡକୁ ତଳକୁ ରଖି ସେ ସହସ୍ର ବର୍ଷ ତପସ୍ୟା କରିଥିଲେ ।
ଥରେ ସେ ତପସ୍ୱୀ ମନୁ ଚୀରିଣୀ ନାମକ ଏକ ନଦୀ ତଟରେ ସ୍ନାନ ସାରି ତପ ଆଚରଣ କରୁଥାନ୍ତି । ସେତିକିବେଳେ ଗୋଟେ ଦଣ୍ଡିକିରି ମାଛ ତାଙ୍କ ପାଖକୁ ପହଁରି ପହଁରି ଆସିଲା ଓ କହିଲା, ହେ ମୁନିବର! ଏ ନଦୀରେ ବହୁତ ବଡ ବଡ ମାଛ ଅଛନ୍ତି । ସେମାନଙ୍କ ଭିତରୁ କେହିବି ମୋତେ ଯେ କୌଣସି ମୁହୂର୍ତ୍ତରେ ଖାଇଦେଇପାରେ । ମୋତେ ବଡ ଭୟ ଲାଗୁଛି । ଦୟାକରି ମୋ ଜୀବନ ରକ୍ଷା କରନ୍ତୁ ।
ମନୁ ଜାଣିଥିଲେ ମତ୍ସ୍ୟ ନ୍ୟାୟରେ ବଳଶାଳୀ ଜୀବ ଦୂର୍ବଳ ଜୀବକୁ ହତ୍ୟା କରି ଭୋକ ମେଣ୍ଟାଏ । କୁନି ମାଛର କଥା ଶୁଣି ମନୁଙ୍କ ମନରେ ଦୟା ଆସିଲା । ମନୁ ତାଙ୍କ ହାତ ଆଞ୍ଜୁଳିରେ ପାଣି ସହ ସେ ମାଛକୁ ନଦୀରୁ ଉଠେଇ ଆଣି ଏକ ପାତ୍ରରେ ରଖିଲେ । ମାଛଟି ଆନନ୍ଦରେ ସେ ପାତ୍ରରେ ଖେଳିବାକୁ ଲାଗିଲା ଓ ଧିରେ ଧିରେ ଦିନକୁ ଦିନ ବଢିବାକୁ ଲାଗିଲା । କିଛି ଦିନ ପରେ ତା' ଆକାର ବଢିବାରୁ ସେ ଆଉ ଛୋଟିଆ ପାତ୍ରରେ ରହିପାରିଲାନି । ମନୁଙ୍କୁ ପ୍ରାର୍ଥନା କରି ତା' ଅସୁବିଧା କଥା କହିଲା । ମନୁ ସେ ମାଛକୁ ନେଇ ସ୍ୱଚ୍ଛନ୍ଦରେ ବଢିବା ପାଇଁ ଏଥର ଗୋଟେ ବାମ୍ଫି ଭିତରେ ନେଇ ଛାଡିଦେଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mahabharat_1746949977.jpg)