/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746513681.jpg)
ଅଭିଶପ୍ତ ରାଜା
ଭୀମ ଫୁଲ ସନ୍ଧାନରେ ହନୁମାନ କହିଥିବା ଦିଗରେ ଅଗ୍ରସର ହେଲେ । କିଛି ବାଟ ଗଲା ପରେ ଦେଖିଲେ ଏକ ବିଶାଳ ସୁନ୍ଦର ସରୋବରରେ ପ୍ରଚୁର ଶତଦଳ ପଦ୍ମ ଫଟିଛି । କୈଳାଶ ଶିଖରରେ ଥିବା କୁବେରଙ୍କ ଭବନ ପାଖରୁ ଝରଣାଟିଏ ଆସି ସେଇ ସରୋବରରେ ପଡିଛି । ସରୋବରରେ ସୁନା ରଙ୍ଗର ଡେଣା ଥିବା ହଂସ ସବୁ ଖେଳୁଛନ୍ତି । ହନୁମାନ କହିଥିଲେ ସରୋବରଟି କୁବେରଙ୍କର ଅତି ପ୍ରିୟ ସ୍ଥାନ । ଅନ୍ୟ ଦେବତା, ଗନ୍ଧର୍ବ, କିନ୍ନର ଓ ଅପସରୀମାନେ ସେଠାକୁ ନିୟମିତ ସ୍ନାନ କରିବାକୁ ଆସନ୍ତି । ସରୋବରର ଚାରି ପାଖରେ ରମଣୀୟ ବଗିଚା ବି ରହିଛି । ବଗିଚାରେ ଅନେକ ପ୍ରକାର ଫୁଲ ଫୁଟିଛି । ବିଭିନ୍ନ ରଙ୍ଗ ବେରଙ୍ଗର ଚଢେଇ ବୁଲୁଛନ୍ତି ।
ଭୀମ ଦେଖିଲେ ସେ ସରୋବରକୁ ହଜାରେ ରାକ୍ଷସ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଧରି ଜଗିବସିଛନ୍ତି । ସେମାନେ ଭୀମଙ୍କୁ ଜଟାଜୁଟ ବେଶରେ ମୃଗ ଚମଡା ପିନ୍ଧି ଅସ୍ତ୍ର ଧରିଥିବାର ଦେଖି ପାଖକୁ ଆସି ପଚାରିଲେ, ହେ ଯୁବକ ତୁମେ ମୁନି ପରି ବେଶ ହେଇଚ କିନ୍ତୁ ଅସ୍ତ୍ର ବି ଧରିଛ। କିଏ ତୁମେ? କ'ଣ ତୁମର ପରିଚୟ? ଏଠାକୁ କାହିଁକି ଆସିଛ?
ଭୀମ ନିଜର ପରିଚୟ ଦେଲେ ଓ ସେଠାକୁ ଆସିବାର କାରଣ ବି କହିଲେ । ସରୋବରରୁ ଫୁଲ ତୋଳି ନେବା କଥା ଶୁଣି ଜଗୁଆଳି ରାକ୍ଷସମାନେ କହିଲେ ସରୋବର କୁବେରଙ୍କର । ସେଠାରୁ ପତ୍ରଟେ ବି ନେବାର ଅଧିକାର କୌଣସି ମର୍ତ୍ତ୍ୟଧାମର ମଣିଷର ନାହିଁ । ଏପରିକି ଏଠାର ପାଣି ଟୋପେ ପିଇବା ପାଇଁ ତୁମକୁ କୁବେରଙ୍କ ଅନୁମତି ନେବାକୁ ହେବ ।
ଭୀମ କହିଲେ ସେ କ୍ଷତ୍ରୀୟ । ତେଣୁ ତାଙ୍କର ଯାହା ଦରକାର ସେ ନେଇପାରିବେ । ସେଥିରେ କାହାର ଅନୁମତି ନେବା ଦରକାର ନାହିଁ । ତାପରେ ଏ ସରୋବର ପ୍ରକୃତିର । ତୁମେମାନେ ମୋତେ ଫୁଲ ତୋଳିବାକୁ ବାରଣ କରିପାରିବନି । ଏତିକି କହି ଭୀମ ସେ ସରୋବରରେ ପଶି ଫୁଲ ତୋଳିବାକୁ ଆରମ୍ଭ କଲେ । ଭୀମ ସେମାନଙ୍କ ବାରଣ ନମାନିବାରୁ ସେଠାରେ ଥିବା ରାକ୍ଷସମାନେ ଭୀମଙ୍କୁ ଆକ୍ରମଣ କଲେ । କିନ୍ତୁ ମହାବଳଶାଳୀ ଭୀମଙ୍କ ସହ ସେମାନେ କେତେ ସମୟ ବା ଯୁଦ୍ଧ କରିପାରିବେ । ଖୁବ ଶୀଘ୍ର ଭୀମ ସେମାନଙ୍କୁ ପ୍ରବଳ ମାଡ଼ ମାରିଲେ ଓ ପାଲଟା ଆକ୍ରମଣ କରି ଅନେକଙ୍କୁ ମାରି ପକେଇଲେ । ରାକ୍ଷସମାନେ ଭୟରେ ଛତ୍ରଭଙ୍ଗ ଦେଇ ନିଜ ନିଜ ଜୀବନ ରକ୍ଷା କରି ସେଠୁ ପଳାୟନ କରି କୁବେରଙ୍କୁ ସାକ୍ଷାତ କରି ଭୀମଙ୍କ କଥା କହିଲେ । କୁବେର କହିଲେ, ହଁ ମୁଁ ଜାଣିଛି ପବନ ପୁତ୍ର ଭୀମ ତାଙ୍କ ପତ୍ନୀ ପାଞ୍ଚାଳୀଙ୍କ ପାଇଁ ଶତଦଳ ପଦ୍ମ ସନ୍ଧାନରେ ଆସିଛନ୍ତି । ତାଙ୍କୁ ଫୁଲ ତୋଳିବାକୁ ଛାଡିଦିଅ । ସେ ତାଙ୍କ ମନ ଭରିଲା ପର୍ଯ୍ୟନ୍ତ ଗାଧାନ୍ତୁ ଓ ଆବଶ୍ୟକୀୟ ଫୁଲ ତୋଳନ୍ତୁ ।
ଭୀମ କୁବେରଙ୍କ ସରୋବର ପାଖରେ ରାକ୍ଷସମାନଙ୍କୁ ମାରି ଗୋଡେଇଲା ବେଳକୁ ଯୁଧିଷ୍ଠିର ଓ ଅନ୍ୟମାନେ ବିଶ୍ରାମ ନେଉଥିବା ବଦରିକା ଆଶ୍ରମରେ ହଠାତ୍ ଅଦିନିଆ ଝଡ ପବନ ମାଡି ଆସିଲା। ଆକାଶରେ ବିନା ମେଘରେ ବିଜୁଳି ଚମକିଲା । ଶୁଖିଲା ଘଡ ଘଡି ଶୁଭିଲା । ଯୁଧିଷ୍ଠିର ଜାଣିପାରିଲେ ଭୀମଙ୍କ ପ୍ରତି କିଛି ବିପଦ ହୁଏତ ପଡିଛି । ସେ ଆଉ ବିଳମ୍ବ ନକରି କହିଲେ ଚାଲ ତୁମ ବାପାକୁ ଖୋଜିବାକୁ ଯିବା । ଘଟୋତ୍କଚ ଓ ତାଙ୍କ ସହାୟକମାନେ ଯୁଧିଷ୍ଠିର, ନକୁଳ, ସହଦେବ ଓ ଅନ୍ୟମାନଙ୍କୁ ପିଠିରେ ବସେଇ ଖୁବଶୀଘ୍ର କୁବେରଙ୍କ ପଦ୍ମ ସରୋବର ପାଖରେ ପହଞ୍ଚିଗଲେ । ସମସ୍ତେ ସେଠାରେ ପହଞ୍ଚି ଦେଖିଲେ ଭୀମ ତାଙ୍କର ମହା ଆନନ୍ଦରେ ସରୋବରରେ ସ୍ନାନ କରୁଛନ୍ତି ଓ ପଦ୍ମ ଫୁଲ ତୋଳୁଛନ୍ତି । ସରୋବରର ଆଖ ପାଖରେ ଅନେକ ରାକ୍ଷସ ମରି ପଡିଛନ୍ତି ଓ ଆଉ କିଛି ଦରମରା ହୋଇ ଆର୍ତ୍ତଚିତ୍କାର କରୁଛନ୍ତି।
ପରିବେଶ ଓ ପରିସ୍ଥିତି ଦେଖି ଯୁଧିଷ୍ଠିରଙ୍କୁ କିଛି ଆଉ ଅବୁଝା ରହିଲାନି । ଧର୍ମରାଜ ଭୀମଙ୍କୁ କହିଲେ, ହେ ବୃକୋଦର! ଆମେ ଏମିତି କିଛି କାମ କରିବା ଉଚିତ ନୁହେଁ, ଯେଉଁଥିରେ ଦେବତାମାନେ ଆମମାନଙ୍କ ଉପରେ ବିରକ୍ତ ହେବେ । ଭୀମଙ୍କୁ ବୁଝାଇଲା ପରେ ଯୁଧିଷ୍ଠିର ସେଇଠି ବରୁଣ ଓ ଅନ୍ୟ ଦେବତାମାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ ।
ଅଭିଶପ୍ତ ରାଜାତାପରେ ସମସ୍ତେ ମିଶି ସେ ପୂଣ୍ୟ ସରୋବରରେ ସ୍ନାନ କଲେ । ଯୁଧିଷ୍ଠିର ଲୋମଶ ମହର୍ଷିଙ୍କୁ କହିଲେ ତାଙ୍କର ବଡ ଇଚ୍ଛା ସେ କୁବେରପୁରୀ ଥରେ ଦର୍ଶନ କରିବେ। ଲୋମଶ ମୁନି କିଛି କହିବା ଆଗରୁ ଦୈବବାଣୀ ହେଲା, ହେ ରାଜନ ଏଠାରୁ କୁବେର ପୁରୀ ଯିବା ଦୁଃସାଧ୍ୟ । ତୁମେ ଏବେ ବଦରିକା ଆଶ୍ରମକୁ ଫେରିଯାଅ । ସେଠାରୁ ବୃଷାପର୍ବଙ୍କ ଆଶ୍ରମକୁ ଯିବ । ତାପରେ ସେଠାରୁ ମହର୍ଷି ଆର୍ଷିସେନଙ୍କ ଆଶ୍ରମକୁ ଯିବ। ସେଉଠୁ ତୁମକୁ କୁବେର ପୁରୀ ଦିଶିବ ।
ଦୈବୀବାଣୀ ଶୁଣି ସମସ୍ତେ ବଦରିକା ଆଶ୍ରମକୁ ଫେରିଆସିଲେ । ଅଳ୍ପ ଦିନ ପରେ ଯୁଧିଷ୍ଠିର ଘଟୋତ୍କଚ ଓ ତାଙ୍କ ସହଯୋଗୀମାନଙ୍କୁ ବିଦାୟ ଦେଲେ । ଦିନେ ଭୀମ ଆଶ୍ରମରେ ନଥାନ୍ତି । କିଛି ଦିନ ତଳୁ ଜଣେ ନୁଆ ବ୍ରାହ୍ମଣ ଯୁବକ ଅତ୍ୟନ୍ତ ବିନୟ ବ୍ୟବହାରରେ ପାଣ୍ଡବ ଭାଇମାନଙ୍କର ଘନିଷ୍ଠ ହୋଇଥାଏ । ପ୍ରକୃତରେ ସେ ଜଣେ ରାକ୍ଷସ । ତା' ନାମ ହେଉଛି ଜଟାସୁର । ତା'ର ଦ୍ରୌପଦୀଙ୍କ ଉପରେ ଖରାପ ଦୃଷ୍ଟି ଥାଏ । ଉପଯୁକ୍ତ ସମୟର ଅପେକ୍ଷାରେ ଥାଏ ସେ । ସେଦିନ ଭୀମସେନ ଆଶ୍ରମରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ସେ ତା'ର ଭୟଙ୍କର ରାକ୍ଷସ ରୂପ ପ୍ରକଟ କଲା ଓ ଦ୍ରୌପଦୀଙ୍କୁ ଅପହରଣ କରିବାକୁ ଚେଷ୍ଟା କଲା । ଦ୍ରୌପଦୀଙ୍କ ଚିତ୍କାର ଶୁଣି ଯୁଧିଷ୍ଠିର, ନକୁଳ ଓ ସହଦେବ ଧାଇଁ ଆସିଲେ ।
ରାକ୍ଷସକୁ ବିରୋଧ କଲାରୁ ରାକ୍ଷସ ସେ ତିନିଜଣଙ୍କୁ ବି ଯୋର କରି ତା' ପିଠିରେ ବସେଇ ଆଶ୍ରମରୁ ବାହାରିଲା । କିଛି ବାଟ ଯିବା ପରେ ଯୁଧିଷ୍ଠିର ତାଙ୍କ ଶରୀରର ଓଜନକୁ ବଢାଇ ଚାଲିଲେ । ଫଳରେ ସେ ଜଟାସୁର ରାକ୍ଷସ ଆଉ ଅଧିକ ବେଗରେ ଚାଲିପାରିଲାନି । ହଠାତ ରାକ୍ଷସ ଦେଖିଲା ଯାହାଙ୍କୁ ଲୁଚି ସେ ଦ୍ରୌପଦୀଙ୍କୁ ହରଣ କରିଥିଲା ସେଇ ଭୀମସେନ କରାଳ ରୂପ ଧରି ରାସ୍ତାରେ ଛିଡା ହୋଇଛନ୍ତି । ଭୀମଙ୍କୁ ଦେଖି ରାକ୍ଷସ କହିଲା, ମୁଁ ଜାଣିଛି ତୁ ବହୁ ରାକ୍ଷସଙ୍କୁ ନିପାତ କରିଛୁ । ଆଜି ତୋତେ ମାରି ସେ ସମସ୍ତ ରାକ୍ଷସଙ୍କ ମରଣର ପ୍ରତିଶୋଧ ନେବି ।
ତାପରେ ଭୀମ ଓ ଜଟାଧରୀ ରାକ୍ଷସ ଭିତରେ ଘମାଘୋଟ ଲଢେଇ ଚାଲିଲା । ଦୁହିଁଙ୍କ ଯୁଦ୍ଧରେ ପାଖରେ ଥିବା ବଡ ବଡ ଗଛମାନେ ଉପୁଡିଲେ । ପାହାଡରୁ ପଥର ଖସିଲା । ଭୂଇଁ ବିଦୀର୍ଣ୍ଣ ହେଲା । ରାକ୍ଷସର ବଳ କମି କମି ଆସିଲା । କିଛି ସମୟ ପରେ ଜଟସୁର ରାକ୍ଷସ ଭୀମଙ୍କ ବଜ୍ର ମୁଷ୍ଠି ସମ୍ଭାଳି ପାରିଲାନି । ମାଟି କାମୁଡି ତଳେ ପଡିଲା । ଭୀମ ସେ ରାକ୍ଷସର ହାତ ଟାଣି ଛିଣ୍ଡେଇ ଦୂରକୁ ଫିଙ୍ଗିଦେଲେ ।
ଯୁଧିଷ୍ଠିର ଦିନେ ଦ୍ରୌପଦୀ ଓ ଅନ୍ୟ ଭାଇମାନଙ୍କୁ ପାଖକୁ ଡାକି କହିଲେ, ଏହା ଭିତରେ ଆମମାନଙ୍କର ଚାରିବର୍ଷର ବନବାସ କଷ୍ଟ ଶେଷ ହେଲାଣି । ପାଞ୍ଚବର୍ଷ ପରେ ବୀର ଅର୍ଜୁନ ଆମମାନଙ୍କୁ ଶ୍ୱେତଗିରୀରେ ଦେଖାଦେବେ ବୋଲି କହିଯାଇଛନ୍ତି । ତେଣୁ ଆମକୁ ସେଇ ଦିଗରେ ଯିବାକୁ ହେବ । ପାଣ୍ଡବ ପରିବାର, ଲୋମଶ ମହର୍ଷି, ଧୌମ୍ୟ ଓ ସାଙ୍ଗରେ ଥିବା ବ୍ରାହ୍ମଣମାନେ ଉତ୍ତର ଦିଗକୁ ବାହାରିଲେ । ପୁରା ସତର ଦିନ ଚାଲିଲା ପରେ ସେମାନେ ହିମାଳୟର ଉପରିଭାଗରେ ପହଞ୍ଚିଲେ । ସେଇଠି ତପସ୍ୱୀ ବୃଷାପର୍ବାଙ୍କ ଆଶ୍ରମ ଥିଲା । ଆଶ୍ରମରେ ସମସ୍ତେ ବିଶ୍ରାମ ନେଲେ। ପରଦିନ ଭୀମ ମୃଗୟା ସନ୍ଧାନରେ ବାହାରି ଜଙ୍ଗଲ ଭିତରେ ବୁଲୁଥା'ନ୍ତି ।
ଜଙ୍ଗଲ ଭିତରେ ବୁଲୁ ବୁଲୁ ଭୀମ ହଠାତ୍ ଗୋଟେ ପାହାଡ଼ ଗୁମ୍ଫା ନିକଟରେ ପହଞ୍ଚିଲେ ଓ ସେଠାରେ ଏକ ବିରାଟ ସାପକୁ ଦେଖିଲେ । ସାପ ଆକାରରେ ବିରାଟ ଥିଲା ଓ ଦେହ ତା'ର ଚିତ୍ରିତ ଥିଲା । ସେ ସାପର ବଡ ଆଁ ଗୁମ୍ଫାର ଭ୍ରମ ସୃଷ୍ଟି କରୁଥିଲା । ସାପର ଆଖିରୁ ଯେମିତି ନିଆଁ ବାହାରୁଥିଲା । ଜିଭ ଲହ ଲହ କରି ସେ ଭୀମଙ୍କୁ ଅନେଇ ରହିଥିଲା । ସାପ ଦେଖୁ ଦେଖୁ ଭୀମଙ୍କ ଦେହରେ ଗୁଡେଇ ହେବାକୁ ଲାଗିଲା । ମହା ବଳଶାଳୀ ଭୀମ ଶତ ଚେଷ୍ଟା କରିବି ସାପ କବଳରୁ ନିଜକୁ ମୁକ୍ତ କରିପାରିଲେନି । ତାଙ୍କ ଦେହ ଅବଶ ହେଇ ଆସିଲା । ଭୀମ ନିଜର ପରିଚୟ ଦେଇ ସାପକୁ ପଚାରିଲେ, ତୁମେ କିଏ? ତୁମେ ମୋତେ ସାଧାରଣ ସାପ ପରି ଲାଗୁନ । ମୋତେ ଅବଶ କଲାପରି ଶକ୍ତି କେମିତି ପାଇଲ? ମୋତେ ପ୍ରକୃତ ପରିଚୟ ଦିଅ ।
ସାପ ଆହୁରି ଭଲ ଭାବରେ ଭୀମଙ୍କ ଦେହରେ ଗୁଡେଇ ହେଇ କହିଲା, ହେ ବୀର ମୁଁ ଏବେ ଭୀଷଣ ଭାବରେ ଭୋକିଲା ଅଛି । ମୋ ପରିଚୟ ପଚାରିଲଣି ଯେତବେଳେ କହୁଛି ଶୁଣ । ତାପରେ ତମକୁ ଖାଇ ମୋର ଭୋକ ମେଣ୍ଟାଇବି । ପୂର୍ବ ଜନ୍ମରେ ମୁଁ ପୁରୁ ବଂଶର ବିଶ୍ୱବିଖ୍ୟାତ ରାଜା ନହୁଷ ଥିଲି । ମୋ ବାପାଙ୍କ ନାମ ଆୟୁ । ତୁମେ ମୋଅରି ବଂଶରେ ଜନ୍ମ । କିନ୍ତୁ ଆଜି ତୁମକୁ ଖାଇ ମୋ ଭୋକ ମେଣ୍ଟାଇବି । ଏକଦା ଅନେକ ପୂଣ୍ୟ କର୍ମ ଓ ଯାଗ ଯଜ୍ଞ କରି ମୁଁ ଇନ୍ଦ୍ରପଦ ଲାଭ କରିଥିଲି । କିନ୍ତୁ ସ୍ୱର୍ଗର ଐଶ୍ୱର୍ଯ୍ୟ ଓ ଇନ୍ଦ୍ରପଦ ମୋ ମନରେ ଗର୍ବ ଭରିଦେଲା । ମୁଁ ଋଷିମାନଙ୍କୁ ମୋ ପାଲିଙ୍କି କାନ୍ଧେଇବାକୁ ଆଦେଶ ଦେଲି ।
ଦିନେ କିଛି ଋଷି ମୋ ପାଲିଙ୍କିକୁ କାନ୍ଧେଇ ଚାଲିଥାନ୍ତି । ସେମାନଙ୍କ ଭିତରେ ଅଗସ୍ତ୍ୟ ଋଷି ବି ଥାଆନ୍ତି । ଋଷିମାନଙ୍କର କୋଉ ଭାର ବୋହିବା ଅଭ୍ୟାସ ଥାଏ । ତେଣୁ ସେମାନେ ଧିରେ ଧିରେ ଚାଲୁଥାନ୍ତି । ମୁଁ ଧୀର ଗତି ଦେଖି ବିରକ୍ତିରେ ଅଗସ୍ତ୍ୟ ଋଷିଙ୍କୁ ପାଦରେ ଖେଞ୍ଚି ଶୀଘ୍ର ଚାଲିବାକୁ କହିଲି । ମୋର ଦୁର୍ବ୍ୟବହାରରେ ଅଗସ୍ତ୍ୟ ଋଷି ରାଗିଗଲେ ଓ ମୋତେ ଅଭିଶାପ ଦେଲେ । ମୁଁ ଇନ୍ଦ୍ର ଆସନରୁ ସିଧା ଆସି ସାପର ଶରୀର ନେଇ ପୃଥିବୀରେ ପଡିଲି । ସେତେବେଳେ ଯାଇଁ ମୋର ହେତୁ ହେଲା କେତେବଡ ଭୁଲ କରିଛି ମୁଁ । ତାପରେ ଅଗସ୍ତ୍ୟ ଋଷିଙ୍କୁ ପ୍ରାର୍ଥନା କରିବାରୁ ସେ ମୋ ଉପରେ ଦୟା କଲେ ଓ କହିଲେ ତୁମ ପ୍ରଶ୍ନର ଉତ୍ତର ଜଣେ ବିଜ୍ଞ ମଣିଷ ଦେଲା ପର୍ଯ୍ୟନ୍ତ ତୁମକୁ ସାପ ରୂପରେ ଜଙ୍ଗଲରେ ପଡି ରହିବାକୁ ହେବ । ସେଇଦିନରୁ ମୁଁ ସାପ ହୋଇ ପଡିଛି । ଏବେ ମୋ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମକୁ ଛାଡିଦେବି ନହଲେ ତୁମ ବଳିଷ୍ଠ ଶରୀରକୁ ଖାଇ ମୋର ଭୋକ ମେଣ୍ଟାଇବି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)