Advertisment

Mahabharat Story: ଛଦ୍ମବେଶ ଏବଂ ଆଜ୍ଞାତବାସର ବୃତ୍ତାନ୍ତ

ପାଣ୍ଡବମାନେ ଗୋଟେ ବର୍ଷ ଅଜ୍ଞାତବାସରେ ରହିବା ପାଇଁ କେଉଁ ଦେଶକୁ ମନୋନୀତ କଲେ ? କିଏ କୋଉ ନାମ ଧରି କୋଉ ଛଦ୍ମରୂପ ଧରି ରହିବାକୁ ଠିକ କଲେ ? ପାଣ୍ଡବମାନଙ୍କ ସହ ଥିବା ଅନ୍ୟମାନେ ପୁଣି କୁଆଡେ ଗଲେ ? ଏଇସବୁ ରୋଚକ ଘଟଣା ବିଷୟରେ ଅଧିକ ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

ଘୋର ଅରଣ୍ୟ ଭିତରେ ଯକ୍ଷ ରୂପରେ ସ୍ୱୟଂ ଧର୍ମଦେବତା ଆସି ଯୁଧିଷ୍ଠିରଙ୍କୁ ପରୀକ୍ଷା କରି ବରଦାନ କରି ଚାଲିଗଲେ । ବନବାସର ବାର ବର୍ଷ ସରିବାକୁ ବସିଥିଲା । ଏବେ ପାଣ୍ଡବମାନଙ୍କୁ ଗୋଟେ ବର୍ଷ ଅଜ୍ଞାତବାସରେ ରହିବାକୁ ହେବ । ସେ ସମୟରେ କୌରବମାନଙ୍କ ଚର ସେମାନଙ୍କ ଖବର ଯେମିତି ଜାଣିବେନି । କାରଣ ସର୍ତ୍ତ ଅନୁସାରେ ଅଜ୍ଞାତବାସ ସମୟରେ ଚିହ୍ନା ପଡ଼ିଲେ ପୁଣି ବାର ବର୍ଷ ବନବାସରେ ରହିବାକୁ ହେବ । 

Advertisment

ବନବାସ ସମୟରେ ପାଣ୍ଡବମାନଙ୍କ ସହ ସେମାନଙ୍କ ପୁରୋହିତ ଧୌମ୍ୟ, କିଛି ବ୍ରାହ୍ମଣ ଓ କେତେଜଣ ପରିଚାରକ ସର୍ବଦା ରହୁଥିଲେ । ଅଜ୍ଞାତବାସ ସମୟରେ ସେମାନଙ୍କୁ ସାଙ୍ଗରେ ଧରି ବର୍ଷେ ପର୍ଯ୍ୟନ୍ତ ଲୁଚି ରହିବା ସମ୍ଭବ ନୁହେଁ । ତେଣୁ ଯୁଧିଷ୍ଠିର ବ୍ରାହ୍ମଣମାନଙ୍କ ଆଗରେ ହାତ ଯୋଡ଼ି କହିଲେ, “ଆପଣମାନେ ସମସ୍ତେ ଜାଣନ୍ତି କୌରବମାନେ କେମିତି କପଟ କରି ଆମମାନଙ୍କୁ ବନବାସକୁ ପଠେଇ ହଇରାଣ କରିଛନ୍ତି । ବାର ବର୍ଷର ବନବାସ କଷ୍ଟ ଆମମାନଙ୍କ ସହ ଆପଣମାନେ ବି ଭୋଗିଛନ୍ତି । ଏବେ ଆମମାନଙ୍କୁ ଗୋଟେ ବର୍ଷ ଛଦ୍ମବେଶରେ ଲୁଚି ରହିବାକୁ ପଡ଼ିବ। ଦୁଷ୍ଟ ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନିଙ୍କ ଚର ଆମକୁ ନିଶ୍ଚୟ ଖୋଜି ବୁଲିବେ । ତେଣୁ ଏତିକି ସମୟ ଆପଣମାନେ ଦୟାକରି ଅରଣ୍ୟରୁ ଦେଶକୁ ଫେରିଯାଆନ୍ତୁ ।” 

ଯୁଧିଷ୍ଠିରଙ୍କ ବିନୟପୂର୍ଣ୍ଣ ଅନୁରୋଧ ଶୁଣି ପୁରୋହିତ ଧୌମ୍ୟ କହିଲେ, “ହେ ଧର୍ମରାଜ, ଏଥିରେ ଆପଣ ବିଚଳିତ ହୁଅନ୍ତୁ ନାହିଁ । ଆପଣ ସବୁବେଳେ ସ୍ଥିତପ୍ରଜ୍ଞ । ଆପଣ ଏକା ଅଜ୍ଞାତବାସ କରୁନାହାଁନ୍ତି । ଦେବତାମାନେ ବି ପୂର୍ବରୁ ଆବଶ୍ୟକତା ଥିବାରୁ ଅଜ୍ଞାତବାସ କରିଛନ୍ତି । ଇନ୍ଦ୍ର ତାଙ୍କ ଶତ୍ରୁ ଦମନ ପାଇଁ ନିଷାଦ ଦେଶରେ ବ୍ରାହ୍ମଣର ଛଦ୍ମ ବେଶରେ ଅଜ୍ଞାତବାସ କରିଥିଲେ । ଦୈତ୍ୟମାନଙ୍କ ସଂହାର ପାଇଁ ବିଷ୍ଣୁ ମାନବ ରୂପ ଧରି ଅଦିତିଙ୍କ ଗର୍ଭରେ ବାସ କରିବା ପୂର୍ବରୁ ହୟଗ୍ରୀବ ଅବତାର ନେଇ ବହୁକାଳ ଅଜ୍ଞାତରେ ଥିଲେ । ଭଗବାନ ବିଷ୍ଣୁ ରାମ ଅବତାରରେ ମନୁଷ୍ୟ ରୂପରେ ଛଦ୍ମରେ ରହି ରାବଣ ନିଧନ କରିଥିଲେ । ଜଗତର ମଙ୍ଗଳ ପାଇଁ ସୂର୍ଯ୍ୟଦେବତା ପ୍ରତିଦିନ ଗୁପ୍ତ ହୁଅନ୍ତି । ମହାତ୍ମାମାନେ ଏପରି ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପ୍ରଚ୍ଛନ୍ନରେ ରହି ଶତ୍ରୁମାନଙ୍କୁ ପରାଜିତ କରିଛନ୍ତି । ହେ ଯୁଧିଷ୍ଠିର! ତୁମେ ବିନା ଦ୍ୱିଧାରେ ଅଜ୍ଞାତବାସରେ ରୁହ ଓ ମନେରଖ, ଯିଏ ଧର୍ମରାସ୍ତାରେ ରୁହେ ଶେଷରେ ତା'ର ବିଜୟ ସୁନିଶ୍ଚିତ ।”

Advertisment

ପାଣ୍ଡବମାନେ ପୁରୋହିତ ଧୌମ୍ୟ ଓ ବ୍ରାହ୍ମଣମାନଙ୍କୁ ପ୍ରଣାମ କଲେ। କଥା ଦେଲେ ଅଜ୍ଞାତବାସ ପରେ ସଭିଙ୍କ ସହ ପୁଣି ସାକ୍ଷାତ ହେବ। 

ତାପରେ ଅରଣ୍ୟର ଏକ ନିର୍ଜନ ସ୍ଥାନରେ ଯୁଧିଷ୍ଠିର, ପାଞ୍ଚାଳୀ ଓ ତାଙ୍କ ଭାଇମାନଙ୍କ ସାଙ୍ଗରେ ଅଜ୍ଞାତବାସ ବିଷୟରେ କଥା ହେଲେ। ସମସ୍ତଙ୍କର ଚିନ୍ତା ଥିଲା ସେମାନଙ୍କୁ ଏମିତି ଏକ ସ୍ଥାନ ଚୟନ କରିବାକୁ ହେବ ଯେଉଁଠି ସେମାନଙ୍କୁ କେହି ଚିହ୍ନିପାରିବେନି । ଯେଉଁଠି ନିଃଶଙ୍କରେ ସେମାନେ ଗୋଟେ ବର୍ଷ କାଟିପାରିବେ । ଅନ୍ୟ ସମସ୍ତେ କଥା ହୋଇ ଶେଷରେ କହିଲେ, ଅର୍ଜୁନ ହିଁ ସମସ୍ତଙ୍କ ଅପେକ୍ଷା ଅଧିକ ଦେଶ ବୁଲିଛନ୍ତି । ତେଣୁ ସେ ହିଁ କୁହନ୍ତୁ ଅଜ୍ଞାତବାସ ପାଇଁ ସବୁଠାରୁ ନିରାପଦ ଜାଗା କେଉଁଟା ହେବ । 

ଅର୍ଜୁନ କହିଲେ, “ଧର୍ମଦେବତା ଆଶୀର୍ବାଦ ଦେଇଛନ୍ତି ଅଜ୍ଞାତବାସ ସମୟରେ ଆମମାନଙ୍କୁ କେହିବି ଚିହ୍ନି ପାରିବେନି । ତେଣୁ ବିନା ଶଙ୍କାରେ ଆମେ ଏ ବର୍ଷଟା ବିତେଇ ପାରିବା । ଭାରତ ବର୍ଷରେ ଅନେକ ସୁନ୍ଦର ଦେଶ ମୁଁ ଦେଖିଛି । ସେଥିରୁ ଯେକୌଣସି ସ୍ଥାନରେ ଆମେମାନେ ରହିପାରିବା । ତଥାପି ଯଦି ଆପଣମାନେ କହୁଛନ୍ତି ତେବେ ମୋ ମତରେ ଆମେ ପାଞ୍ଚାଳ, ଚେଦି, ମତ୍ସ୍ୟ, ଶୂରସେନ, ମଲ୍ଲ, ଦଶାର୍ଣ୍ଣ, ସୌରାଷ୍ଟ୍ର ଓ ଅବନ୍ତୀ ଦେଶ ଭିତରୁ ଯେକୌଣସି ଗୋଟିଏ ଦେଶକୁ ଯାଇପାରିବା । ଆପଣମାନେ ଭାବିଚିନ୍ତି ବିଚାର କରି କୁହନ୍ତୁ କୁଆଡ଼େ ଯିବା?”

ଯୁଧିଷ୍ଠିର କହିଲେ, “ହେ ଅର୍ଜୁନ! ତୁମେ କହିଥିବା ଦେଶମାନଙ୍କ ଭିତରୁ ମୁଁ ଭାବୁଛି ଆମେମାନେ ମତ୍ସ ଦେଶକୁ ଯିବା ନିରାପଦ ହେବ । ମତ୍ସଦେଶର ରାଜା ବିରାଟ ପାଣ୍ଡବମାନଙ୍କ ପ୍ରତି ସ୍ନେହଶୀଳ । ରାଜା ବିରାଟ ଧାର୍ମିକ, ବଦାନ୍ୟ, ବିଜ୍ଞ ଓ ବଳବାନ ଅଟନ୍ତି । ଚାଲ ଆମେ ସେଇ ବିରାଟଙ୍କ ମତ୍ସ ଦେଶକୁ ଯିବା ।”

ଯୁଧିଷ୍ଠିରଙ୍କ କଥା ଶୁଣି ଅର୍ଜୁନ ପଚାରିଲେ, “ଆପଣଙ୍କ ପରି ଧିର, ସ୍ଥିର ଧାର୍ମିକ ମଣିଷ ବିରାଟଙ୍କ ପାଖରେ କେଉଁ କାମ କରିବେ ପ୍ରଥମେ ଚିନ୍ତା କରନ୍ତୁ । ରାଜସୂୟ ଯଜ୍ଞ ପରେ ସମ୍ରାଟ ଭାବରେ ବଞ୍ଚିଥିବା ମହାରାଜ ଏବେ ଅନ୍ୟଜଣେ ରାଜାଙ୍କ ପାଖରେ ସାମାନ୍ୟ ରାଜକର୍ମଚାରୀ ଭାବରେ ରହିବେ ଭାବିଲା ବେଳକୁ ମୋ ଛାତି ଫାଟିଯାଉଛି ।” 

ଯୁଧିଷ୍ଠିର କହିଲେ, “ମୁଁ ଭାବୁଛି ବିରାଟଙ୍କ ପାଖରେ ପହଞ୍ଚି ମୁଁ ପଶାଖେଳ ଜାଣିଥିବା ଜଣେ ବ୍ରାହ୍ମଣ ଭାବରେ ନିଜର ପରିଚୟ ଦେବି । ମୋ ନାମ ହେବ କଙ୍କ । ମୁଁ ଏକଦା ରାଜା ଯୁଧିଷ୍ଠିରଙ୍କ ସଭାସଦ ଓ ପଶାଖେଳର ସାଥି ଥିଲି ବୋଲି କହିବି । ବିରାଟଙ୍କର ପଶାଖେଳ ପ୍ରତି ଆଗ୍ରହ କଥା ମୁଁ ଜାଣେ । ମୁଁ ନିଶ୍ଚିନ୍ତ ସେ ମନା କରିବେନି ।” 

ନିଜ କଥା କହିଲାପରେ ଯୁଧିଷ୍ଠିର ଭୀମଙ୍କୁ ଚାହିଁ ପଚାରିଲେ “ତୁମେ କୋଉ ବେଶ ଧରିବ ବୃକୋଦର? ତୁମେ କ'ଣ କହି ରାଜା ବିରାଟଙ୍କ ଆଗରେ ନିଜର ପରିଚୟ ଦେବ?” 

ଭୀମ କହିଲେ, “ମୁଁ ଭାବିସାରିଛି ବିରାଟଙ୍କ ପ୍ରାସାଦରେ ଜଣେ ରୋଷେଇଆ ଭାବରେ ରହିବି । ରୋଷେଇରେ ମୋର ଦକ୍ଷତା ଅଛି । ରାଜାଙ୍କ ରନ୍ଧନଶାଳରେ ଥିବା ପାଚକମାନଙ୍କ ଅପେକ୍ଷା ମୁଁ ନିଶ୍ଚୟ ଅଧିକ ସୁସ୍ୱାଦୁ ରନ୍ଧନ କରିପାରିବି । ଜଙ୍ଗଲକୁ ଯାଇ ମୁଁ ଜାଳେଣୀ ପାଇଁ ବଡ଼ ବଡ଼ କାଠଗଣ୍ଡି ଆଣିପାରିବି । ମୋ କାମରେ ରାଜା ନିଶ୍ଚୟ ଖୁସି ହେବେ । ମୋର ନାମ ବଲ୍ଳବ ରହିବ। ତାପରେ ମୁଁ ରାଜାଙ୍କ ରଙ୍ଗଭୂମିରେ ତାଙ୍କ ମଲ୍ଲମାନଙ୍କ ସହ ମଲ୍ଲଯୁଦ୍ଧ କରି ରାଜାଙ୍କ ମନୋରଞ୍ଜନ କରିପାରିବି । ମଲ୍ଲମାନଙ୍କୁ ଜୀବନରେ ମାରିବିନି। କେବଳ ମାଟି ଉପରେ କଚାଡ଼ି ଦେବି ।”

ଯୁଧିଷ୍ଠିର ତାପର ଅର୍ଜୁନଙ୍କୁ ଚାହିଁ ପଚାରିଲେ, “ହେ ଧନଞ୍ଜୟ ! ତୁମେ କୋଉ ରୂପରେ କୋଉ କାମ କରିବ? କେମିତି ଆତ୍ମଗୋପନ କରି ପୁରା ଗୋଟେ ବର୍ଷ ରହିବ? ତୁମ ପରି ବୀର ସୁପୁରୁଷ ପକ୍ଷରେ ନିଜକୁ ଗୋପନ ରଖିବା ସହଜ ହେବନି ।” 

ଅର୍ଜୁନ କହିଲେ, “ମୁଁ ନପୁଂସକ ଭାବରେ ରହିବି । ଇନ୍ଦ୍ରପୁରରେ ଥିବା ବେଳେ ଉର୍ବଶୀଙ୍କ ପ୍ରଣୟ ଅନୁରୋଧ ରଖିନଥିବାରୁ ସେ ମୋତେ ଗୋଟେ ବର୍ଷ ନପୁଂସକ ହେବାକୁ ଅଭିଶାପ ଦେଇଥିଲେ। ନିଜକୁ ଲୁଚେଇବାକୁ ମୋ ବାହୁରେ ଥିବା କ୍ଷତ ଚିହ୍ନକୁ ଲୁଚାଇବାକୁ ମୁଁ ବଳା ପିନ୍ଧିବି । କର୍ଣ୍ଣରେ କୁଣ୍ଡଳ ଓ ହାତରେ ଶଙ୍ଖା ପିନ୍ଧିବି । ମୁଣ୍ଡରେ ବେଣୀ ପାରିବି। କ୍ଳୀବ ରୂପରେ ବୃହନ୍ନଳା ନାମରେ ରାଣୀହଂସପୁର ଭିତରେ ନାରୀମାନଙ୍କ ଗହଣରେ ରହିବି । ବିରାଟ ରାଜାଙ୍କ ପୁରନାରୀମାନଙ୍କୁ ନାଚ, ଗୀତ ଓ ବାଦ୍ୟ ବଜାଇବା ଶିଖାଇବି । ଇନ୍ଦ୍ରପୁରୀରେ ଥିବା ବେଳେ ମୁଁ ଗାନ୍ଧର୍ବ ବିଦ୍ୟା ସାଧନା କରିଥିଲି । କହିବି ମୁଁ ରାଣୀ ଦ୍ରୌପଦୀଙ୍କ ଅନ୍ତଃପୁରରେ ତାଙ୍କ ଅନ୍ତରଙ୍ଗ ପରିଚାରିକା ଥିଲି । ବୃହନ୍ନଳାର ନାରୀ ରୂପ ଭିତରେ ଅର୍ଜୁନ ଲୁଚି ରହିବେ । କେହି କିଛି ଜାଣିପାରିବେନି ।”

ଏଥର ଯୁଧିଷ୍ଠିର ସାନଭାଇ ନକୁଳଙ୍କୁ ଚାହିଁ କହିଲେ, “ତୁମେ ସୁକୁମାର ରାଜକୁମାର ବିରାଟଙ୍କ ପ୍ରାସାଦରେ କ'ଣ କରିବ ଓ ଗୋଟେ ବର୍ଷ ପାଇଁ କୋଉ ଛଦ୍ମରୂପ ଧରିବ?” 

ନକୁଳ କହିଲେ, “ହେ ଧର୍ମରାଜ ମୁଁ ରାଜାଙ୍କ ଅଶ୍ୱ ପାଳନ କରିବି । ଅଶ୍ୱ ଶାସ୍ତ୍ରରେ ମୋର ପାରଦର୍ଶିତା ରହିଛି । ଘୋଡାମାନଙ୍କର ଚିକିତ୍ସା କରିବା ଓ ସେମାନଙ୍କର ସେବା ଯତ୍ନ ନେବାରେ ମୋତେ ଆନନ୍ଦ ମିଳେ । ବିରାଟ ରାଜାଙ୍କୁ ନିଜର ପରିଚୟ ଦେଇ କହିବି ମୁଁ ଅତୀତରେ ପାଣ୍ଡବମାନଙ୍କର ଘୋଡାଶାଳର ଦାୟିତ୍ୱରେ ଥିଲି। ମୋର ନାମ ଅଶ୍ୱପାଳ ଗ୍ରନ୍ଥିକ ରହିବ ।” 

ସହଦେବଙ୍କୁ ଚାହିଁ ଯୁଧିଷ୍ଠିର କହିଲେ, “ତୁମେ ତେବେ କ'ଣ କରିବ?” ବଡ଼ଭାଇଙ୍କ ପ୍ରଶ୍ନ ଶୁଣି ସହଦେବ କହିଲେ, “ମୁଁ ରାଜାଙ୍କ ଗାଈଗୋରୁଙ୍କ ଯତ୍ନ ନେବି । ସେମାନଙ୍କ ଭଲ ମନ୍ଦ, ରୋଗ ପାଇଁ ଉପଯୁକ୍ତ ଔଷଧ ବ୍ୟବସ୍ଥା ମୁଁ କରିପାରିବି । ଗାଈ କେମିତି ଅଧିକ କ୍ଷୀର ଦେବେ ତା'ର ଉପାୟ ମୁଁ ଜାଣିଛି । ମୋର ନାମ ତନ୍ତ୍ରପାଳ ରହିବ । ମୁଁ ବିରାଟ ରାଜାଙ୍କୁ କହିବି ମୁଁ ଜଣେ ଗୋଚିକିତ୍ସକ ଓ ଯୁଧିଷ୍ଠିରଙ୍କ ଗୋଶାଳରେ କାମ କରୁଥିଲି ।” 

ଶେଷକୁ ପାଞ୍ଚାଳୀଙ୍କୁ ଚାହିଁ ଯୁଧିଷ୍ଠିର ଭାବିବାକୁ ଲାଗିଲେ । ଯାହାଙ୍କ ସେବାରେ ଶହ ଶହ ଦାସୀ ପରିଚାରିକା ଥିଲେ ସେ ଏବେ କରିବେ କ'ଣ? ପାଞ୍ଚାଳରାଜନନ୍ଦିନୀ ଅଲିଅଳରେ ବଢ଼ିଥିବା ରାଜକୁମାରୀ ଥିଲେ। ପାଣ୍ଡବମାନଙ୍କୁ ବିବାହ କରି ମହାରାଣୀ ହେଲେ। ଏବେ ସେ ତାଙ୍କର ଐଶ୍ୱର୍ଯ୍ୟମୟ ରୂପ ଲାବଣ୍ୟକୁ ଲୁଚେଇ ରଖିବେ କେମିତି? ଶେଷରେ ହସ୍ତିନାପୁରର ମହାରାଣୀ ବିରାଟ ରାଜାଙ୍କ ଅନ୍ତଃପୁରରେ ସାମାନ୍ୟ ସେବିକା ରୂପରେ କାମ କରିବେ ନା କ'ଣ ? ମନେ ମନେ ଭାଙ୍ଗିପଡିଲେ ଯୁଧିଷ୍ଠିର । 

ଯୁଧିଷ୍ଠିରଙ୍କ ମନ ଭିତରେ ଚାଲିଥିବା ପ୍ରଶ୍ନକୁ ବୁଝିପାରି ଦ୍ରୌପଦୀ କହିଲେ, “ମହାରାଜ ମୋ ପାଇଁ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ । ଯେଉଁ ସାଧ୍ଵୀ ନାରୀ ଅନ୍ୟର ଆଶ୍ରୟରେ ରୁହେ ତାକୁ ସୈରିନ୍ଧ୍ରୀ କୁହନ୍ତି । ସେ ତା'ର ସତୀତ୍ୱ ଓ ପାତିବ୍ରତ୍ୟ ପାଳନ କରିବାର ଅଧିକାର ସହ ଏପରି ଆଶ୍ରୟ ନେଇଥାଏ । ମୁଁ ବିରାଟଙ୍କ ଅନ୍ତଃପୁରରେ ସେମିତି ସୈରିନ୍ଧ୍ରୀ ହୋଇ ରହିବି । ଆଗରୁ ମୁଁ ମହାରାଣୀ ଦ୍ରୌପଦୀଙ୍କ ପରିଚାରିକା ଥିଲି ବୋଲି କହିବି । ମୁଁ ଅନ୍ତଃପୁରର ନାରୀମାନଙ୍କର ମୁଣ୍ଡ କୁଣ୍ଡେଇଦେବା, ବେଣୀ ବାନ୍ଧିବା ସହ ସେମାନଙ୍କୁ ବିଭିନ୍ନ ଗପ କହି ମନ ମୋହିପାରିବି । ମୋ ସେବାରେ ବିରାଟ ରାଜାଙ୍କ ରାଣୀ ସୁଦେଷ୍ଣା ମୋତେ ନିଶ୍ଚୟ ଆଦର କରି ପାଖରେ ରଖିବେ ।” 

ଦ୍ରୌପଦୀଙ୍କ କଥା ଶୁଣିସାରି ଯୁଧିଷ୍ଠିର କହିଲେ, “ହେ ପାଞ୍ଚାଳୀ, ତୁମେ ଆମର କୁଳବଧୂ । ପତିବ୍ରତା ଓ ପତିପ୍ରାଣ। ଏବେ ମନେରଖ ତୁମକୁ ଅନ୍ୟ ଜଣେ ରାଜାଙ୍କ ପ୍ରାସାଦରେ ନିଜକୁ ପାପୀ ପୁରୁଷଙ୍କ ପାପପୂର୍ଣ୍ଣ ଲୋଲୁପ ଦୃଷ୍ଟିରୁ ରକ୍ଷା କରି ଖୁବ ସାବଧାନତାର ସହ ରହିବାକୁ ହେବ ।”

ସମସ୍ତଙ୍କ ସହିତ କଥା ହେଲା ପରେ ଯୁଧିଷ୍ଠିର ସାଙ୍ଗରେ ଥିବା ବ୍ରାହ୍ମଣମାନଙ୍କୁ ଦ୍ରୁପଦ ଦେଶକୁ ଯିବାକୁ କହିଲେ । ଇନ୍ଦ୍ରସେନ ଆଦି ସାରଥିମାନେ ଖାଲି ରଥ ଧରି ଦ୍ୱାରକା ବାହାରିଲେ । ଦ୍ରୌପଦୀଙ୍କ ପରିଚାରିକା ସବୁ ପାଞ୍ଚାଳ ଦେଶକୁ ଗଲେ । ସମସ୍ତଙ୍କୁ କୁହାଗଲା ଯେ କେହିବି ପଚାରିଲେ କୁହାଯିବ ପାଣ୍ଡବମାନେ ସମସ୍ତଙ୍କୁ ବିଦାୟ ଦେଇ ଦ୍ୱୈତ ବନରୁ କୁଆଡ଼େ ଗଲେ ଆମେ କେହି କିଛି ଜାଣିନୁ ।

Mahabharat Mahabharat Story Mahabharat Bheem
Advertisment
Advertisment