Advertisment

Mahabharat Story: ଅର୍ଜୁନଙ୍କ ସାରଥୀ ରୂପ ଓ ବିରାଟ ଯୁବରାଜଙ୍କ ଭୟ ବୃତ୍ତାନ୍ତ

କାହିଁକି ଏକା ଏକା କୌରବସେନା ସହ ଯୁଦ୍ଧରେ ବାହାରିଲେ ରାଜକୁମାର ଉତ୍ତର ? କିଏ କହିଲା ଅର୍ଜୁନଙ୍କୁ ତାଙ୍କ ରଥରେ ସାରଥୀ ହେବାକୁ ? କାହିଁକି ପ୍ରଥମେ ସାରଥୀ ହେବାକୁ ମନା କଲେ ଅର୍ଜୁନ ? ବିଶାଳ କୌରବ ସେନାଙ୍କୁ ଆଗରେ ଦେଖି କ'ଣ କହିଲେ ଯୁବରାଜ ଉତ୍ତର ? ଏମିତି ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

ତ୍ରିଗର୍ତ୍ତ ଦେଶର ରାଜା ସୁଶର୍ମା ମତ୍ସ୍ଯ ଦେଶ ଆକ୍ରମଣ କରି ଗୋଧନ ଅପହରଣ ସାଙ୍ଗକୁ ରାଜା ବିରାଟଙ୍କୁ ବନ୍ଦୀକରି ନେଇ ପଳେଇଯିବା ବେଳକୁ ଯୁଧିଷ୍ଠିରଙ୍କ ଆଦେଶରେ ଭୀମ ତାଙ୍କୁ ଅଟକାଇଲେ । ଭୀମ ଖୁବ ଅଳ୍ପ ସମୟ ଭିତରେ ସୁଶର୍ମାଙ୍କୁ ପରାସ୍ତ କଲେ ଓ ବିରାଟଙ୍କୁ ଉଦ୍ଧାର କଲେ । ରାଜଧାନୀକୁ ଖବର ଦିଆଗଲା ବିଜୟ ଉତ୍ସବକୁ ଧୁମଧାମରେ ପାଳନ କରାଯିବ ଓ ବିଜୟୀ ରାଜାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । 

Advertisment

ଏପଟେ ରାଜଧାନୀରେ କିନ୍ତୁ ଖୁସି ଓ ଆନନ୍ଦର ସମୟ ବେଶି ସମୟ ପାଇଁ ନଥିଲା । ବିଜୟ ଖବର ପରେ ପରେ ଅନ୍ୟ ଏକ ଖବର ଆସି ପହଞ୍ଚିଲା ଯେ ଦେଶର ଉତ୍ତର ଦିଗରୁ କୌରବ ସେନା ମତ୍ସ୍ଯ ଦେଶ ଆକ୍ରମଣ କରିଛନ୍ତି । କେବଳ ଆକ୍ରମଣ କରିନାହାଁନ୍ତି ସେଠାରେ ରହୁଥିବା ଷାଠିଏ ହଜାର ଗାଈ ଗୋରୁଙ୍କୁ ଅପହରଣ କରି ନେଉଛନ୍ତି । ରାଜା ବିରାଟ ଏବେ ରାଜଧାନୀରୁ ଦୂରରେ। ରାଜଧାନୀରେ ବିରାଟଙ୍କ ପୁଅ ଯୁବରାଜ ଉତ୍ତର ଏକା ଅଛନ୍ତି । ମନ୍ତ୍ରୀ ଓ ପରାମର୍ଶଦାତାମାନେ ଉତ୍ତରଙ୍କୁ କହିଲେ, “ହେ ଯୁବରାଜ! ଏମିତି ଏକ ଘଡିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ କୌରବସେନାଙ୍କୁ ସମ୍ମୁଖୀନ ହେବାକୁ ହେବ । ସେମାନେ ଆମ ଗୋପାଳମାନଙ୍କୁ ପୀଡା ଦେଇ ଆମ ଦେଶର ଗୋଧନ ଅପହରଣ କରି ନେଇଯାଉଛନ୍ତି । ମହାରାଜାଙ୍କ ଅନୁପସ୍ଥିତିରେ ଆପଣଙ୍କୁ ହିଁ ଦେଶର ଧନ ଓ ପ୍ରଜାମାନଙ୍କ ସୁରକ୍ଷାର ଦାୟିତ୍ୱ ନେବାକୁ ହେବ“। ଖବର ଆଣିଥିବା ଗୋପାଳମାନଙ୍କ ମୁଖିଆ କହିଲେ, ”ହେ ଯୁବରାଜ! ଆଉ ଡେରି ନକରି ଶୀଘ୍ର କ୍ଷତ୍ରୀୟ ଧର୍ମ ପାଳନ କରନ୍ତୁ ଓ ଶତ୍ରୁ ସଂହାର କରନ୍ତୁ ।“

ଏଇସବୁ କଥାବାର୍ତ୍ତା ଚାଲିଥିବା ସମୟରେ ପୁରନାରୀମାନେ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କ ଆଗରେ ନିଜର ବଡିମା ଦେଖାଇବାକୁ ଯୁବରାଜ ଉତ୍ତର ନିଜର ଆତ୍ମପ୍ରଶଂସା କରି କହିଲେ, “ମୋର ଯୁଦ୍ଧକ୍ଷେତ୍ରକୁ ଯାଇ ଶତ୍ରୁମାନଙ୍କୁ ସାମ୍ନା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ କିଛିଦିନ ତଳେ ଏକ ଯୁଦ୍ଧରେ ମୁଁ ମୋ ରଥର ସାରଥିକୁ ହରେଇଛି । ମୋତେ ଏବେ ଜଣେ ଉପଯୁକ୍ତ କୁଶଳୀ ସାରଥି ମିଳିଗଲେ ମୁଁ ଏକାକୀ ସେ କୌରବସେନାଙ୍କୁ ଆମ ଦେଶର ସୀମା ସେପଟକୁ ଘଉଡେଇ ଦେଇ ପାରିବି । କୌରବ ସେନାମାନେ ମୋ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଖିଲେ ଅର୍ଜୁନଙ୍କୁ ମନ ପକାଇବେ ।“ 

Advertisment

ଅଳ୍ପ ଦୂରରେ ଛିଡା ହୋଇଥିବା ବୃହନ୍ନଳାର ଛଦ୍ମବେଶରେ ଥିବା ଅର୍ଜୁନ ଯୁବରାଜ ଉତ୍ତରଙ୍କ ବାହାସ୍ଫୋଟ ଶୁଣୁଥିଲେ । ସେ ଦ୍ରୌପଦୀଙ୍କୁ କହିଲେ, “ତୁମେ ଯାଇ ରାଜକୁମାରୀ ଉତ୍ତରାଙ୍କୁ କୁହ ମୁଁ ଭଲଭାବରେ ରଥ ଚଳାଇପାରେ । ମୋତେ ସାଙ୍ଗରେ ସାରଥି ଭାବରେ ନେଇ ଯୁବରାଜ ଯୁଦ୍ଧ ଯାତ୍ରା କରନ୍ତୁ । ”

ସୈରୀନ୍ଧ୍ରୀ ରୂପୀ ଦ୍ରୌପଦୀ ଯଥାଶୀଘ୍ର ରାଜକୁମାରୀ ଉତ୍ତରାଙ୍କ ପାଖରେ ପହଞ୍ଚି କହିଲେ, “ହେ ରାଜକୁମାରୀ! ମହାରାଜା ଏବେ ରାଜଧାନୀରେ ନାହାଁନ୍ତି । ଖବର ଆସିଛି କୌରବସେନା ଆପଣଙ୍କ ଦେଶର ଗୋଧନ ଅପହରଣ କରି ନେଇଯାଉଛନ୍ତି । ହୁଏତ ପୁରା ରାଜ୍ୟ ବି ଅଧିକାର କରିନେବେ । ଯୁବରାଜ ବୀରତ୍ୱର ସହ ଏକାକୀ କୌରବସେନାଙ୍କୁ ସାମ୍ନା କରିବାକୁ ବାହାରିଛନ୍ତି । କିନ୍ତୁ ତାଙ୍କ ପାଖରେ ଉପଯୁକ୍ତ ସାରଥି କେହି ନାହାଁନ୍ତି । ଆପଣଙ୍କୁ ଯେଉଁ ବୃହନ୍ନଳା ନୃତ୍ୟ ଗୀତ ଶିଖାଉଛନ୍ତି ମୁଁ ତାଙ୍କ ବିଷୟରେ ଜାଣିଛି । ସେ ଜଣେ ବହୁତ ଭଲ ସାରଥି । ସେ ଅନେକ ଥର ଯୁଦ୍ଧ ସମୟରେ ବୀର ଅର୍ଜୁନଙ୍କ ସାରଥି ଭାବରେ ରଥ ଚାଳନା କରିଛନ୍ତି । ଖାଣ୍ଡବବନ ଦହନ ସମୟରେ ସେ ଅର୍ଜୁନଙ୍କ ରଥରେ ଥିଲେ । ମୋ ଜାଣିବାରେ ବୃହନ୍ନଳାଙ୍କ ପରି ସାରଥି ଏଠି କେହି ନାହାଁନ୍ତି । ତାପରେ ମୁଁ ଯାହା ଜାଣିଛି ସେ ଅର୍ଜୁନଙ୍କ ପାଖରୁ ଯୁଦ୍ଧଅସ୍ତ୍ର ଚାଳନା ବି ଶିକ୍ଷା କରିଛନ୍ତି । ଆପଣ ଆଉ ଡେରିନକରି ବୃହନ୍ନଳାଙ୍କୁ ଆଦେଶ ଦିଅନ୍ତୁ ସେ ଆପଣଙ୍କ ଭାଇ ଯୁବରାଜ ଉତ୍ତରଙ୍କ ରଥର ସାରଥି ଭାବରେ ଯୁଦ୍ଧକୁ ବାହାରିବେ ।“ 

ଉତ୍ତରା ପ୍ରଥମେ ତାଙ୍କ ଭାଇ ଉତ୍ତରଙ୍କ ପାଖରେ ପହଞ୍ଚି କହିଲେ, ”ଭାଇ ସୈରୀନ୍ଧ୍ରୀ କହୁଛନ୍ତି ମୋତେ ନାଚ ଗୀତ ଶିଖାଉଥିବା ବୃହନ୍ନଳା ଆଗରୁ ଅର୍ଜୁନଙ୍କ ସାରଥି ଥିଲେ । ଅର୍ଜୁନଙ୍କ ପାଖରୁ ସେ ଯୁଦ୍ଧ ଅସ୍ତ୍ର ଚାଳନା ବି ଶିକ୍ଷା କରିଛନ୍ତି । ଆଉ କେହି ନଥିବା ବେଳେ ତୁମେ ତାଙ୍କୁ ସାରଥି ଭାବରେ ବରଣ କର ଓ ଶୀଘ୍ର ଯୁଦ୍ଧଯାତ୍ରା କରି ସେ ଗର୍ବୀ କୌରବସେନାଙ୍କୁ ଉପଯୁକ୍ତ ଦଣ୍ଡ ଦିଅ ।“ 

ଉତ୍ତର ରାଜି ହେଲାପରେ ରାଜକୁମାରୀ ଉତ୍ତରା ନୃତ୍ୟମଣ୍ଡପରେ ଥିବା ବୃହନ୍ନଳାର ଛଦ୍ମ ବେଶରେ ଥିବା ଅର୍ଜୁନଙ୍କ ପାଖରେ ପହଞ୍ଚିଲେ ଓ କହିଲେ, “କୌରବସେନା ଆମ ଦେଶ ଆକ୍ରମଣ କରିଛନ୍ତି । ଏବେ ରାଜଧାନୀରେ ମହାରାଜା ନାହାଁନ୍ତି । ସେ ଅନ୍ୟ ଏକ ଯୁଦ୍ଧରେ ବିଜୟ ଲାଭକରି ଫେରୁଛନ୍ତି । ମୋ ଭାଇ ଯୁବରାଜ ଉତ୍ତର ଏକାକୀ କୌରବସେନାଙ୍କ ସହ ଯୁଦ୍ଧ ଯାତ୍ରା କରିବାକୁ ପ୍ରସ୍ତୁତ । କିନ୍ତୁ ତାଙ୍କର ଜଣେ ଉପଯୁକ୍ତ ସାରଥି ଦରକାର । ସୈରିନ୍ଧ୍ରୀ ଆପଣଙ୍କ ବିଷୟରେ ମୋତେ ସବୁ କିଛି କହିସାରିଛନ୍ତି । ସେ କହିଛନ୍ତି ଆପଣ ବୀର ଅର୍ଜୁନଙ୍କ ସାରଥି ଭାବରେ ତାଙ୍କ ସହ ଯୁଦ୍ଧ ଯାତ୍ରା କରିଛନ୍ତି । ତେଣୁ ଆମ ଦେଶର ବିପତ୍ତି ସମୟରେ ମୋ ଭାଇର ସାରଥି ହୋଇ ଯୁଦ୍ଧ ଯାତ୍ରା କରନ୍ତୁ ।“ 

ମହାଭାରତ କଥାମହାଭାରତ କଥା

ଅର୍ଜୁନ ରାଜକୁମାରୀଙ୍କ କଥାରେ ସଙ୍ଗେ ସଙ୍ଗେ ରାଜି ନହେଇ କହିଲେ, ”ହେ ରାଜକୁମାରୀ ମୋର କାମ ହେଲା ନାଚ ଗୀତ କରିବା । ମୁଁ ସିନା ନାଚି ପାରିବି କି ଗୀତ ଗାଇପାରିବି, ନହେଲେ ବାଦ୍ୟ ଯନ୍ତ୍ର ବାଦନ କରିପାରିବି । କିନ୍ତୁ ସାରଥି ହେବି କେମିତି ଯେ? ସେ ସବୁ କ'ଣ ମୋ ହାତରେ ଭଲରେ ହୋଇପାରିବ? ହଉ ତୁମେ ଯେତବେଳେ କହୁଛ, ପୁଣି ଦେଶ ବିପଦରେ ପଡିଛି, ମୁଁ ରାଜକୁମାର ଉତ୍ତରଙ୍କ ସାରଥି ହେବାକୁ ଏବେ ରାଜି ଅଛି । ତେଣିକି ଦେଖାଯାଉ କେତେଦୂର ମୁଁ ଠିକ ଭାବରେ ମୋ କାମ ତୁଲେଇ ପାରୁଛି କି ନାହିଁ?"  

ଅର୍ଜୁନ ରାଜି ହେଲା ପରେ ରାଜକୁମାରୀ ଉତ୍ତରା ତାଙ୍କୁ ଧରି ରାଜକୁମାରଙ୍କ ପାଖରେ ପହଞ୍ଚିଲେ । ଅର୍ଜୁନ ଅଭିନୟ କରି ସେ କିଛି ଜାଣନ୍ତିନି ବୋଲି ପ୍ରଥମେ କହିଲେ । ଯିଏ ବାହାର ଲୋକ ଦେଖିବ ତାଙ୍କ ବ୍ୟବହାର ଦେଖି ଭାବିବ ବିଚରା ସାରଥି କାମ ସେ ଜାଣିନାହାନ୍ତି । ଅର୍ଜୁନ ତରତରରେ ସାରଥିର କବଚକୁ ଓଲଟା ବାଗରେ ପିନ୍ଧିପକାଇବାରୁ ସେଠାରେ ଉପସ୍ଥିତ ଥିବା ଅନ୍ତଃପୁରର ନାରୀମାନେ ହସି ହସି ଗଡିଗଲେ । ଯୁବରାଜ ଉତ୍ତର ଅର୍ଜୁନଙ୍କୁ କେମିତି ସଠିକ ଭାଗରେ କବଚ ପିନ୍ଧିବାକୁ ହୁଏ ଶିଖାଇଦେଲେ ଓ କହିଲେ, “ଭୟ କରନି, ବିନା ଡରରେ ମୋ ସାଙ୍ଗରେ ଚାଲ । ତମ କାମ ହେଲା କେବଳ ଘୋଡା ଓ ରଥକୁ ସମ୍ଭାଳିବ । ମୁଁ ତୁମକୁ ସବୁ ବିପଦରୁ ରକ୍ଷା କରିବି । ଆଗରୁ ଅର୍ଜୁନଙ୍କ ଯୁଦ୍ଧ ତ ଦେଖିଛ। ଆଜି ମୋ ଯୁଦ୍ଧ କୌଶଳ ଦେଖିବ । ମୁଁ କେମିତି ଏକା ଏକା ସେ କୌରବ ସେନାଙ୍କୁ ପରାସ୍ତ କରିବି ଜାଣିବ । “

ଉତ୍ତର ଓ ଅର୍ଜୁନ ରାଜଧାନୀରୁ ରଥ ଧରି ବାହାରିଲା ବେଳକୁ ଅନ୍ତଃପୁରର ନାରୀମାନେ କହିଲେ ତୁମେ ଦୁହେଁ ଯୁଦ୍ଧ ବିଜୟ କରି ରାଜଧାନୀକୁ ଫେରିଲା ବେଳକୁ ବିଜୟ ଚିହ୍ନ ସ୍ୱରୂପରେ ସେ ପରାଜିତ କୌରବମାନଙ୍କ ମନୋହର ବସ୍ତ୍ର କିଛି ମନକରି ଆଣି ଆସିବ । 

ରାଜଧାନୀରୁ ବାହାରିଗଲା ପରେ ଯୁବରାଜ ଉତ୍ତର ବଡ଼ ଉତ୍ସାହରେ ତାଙ୍କ ସାରଥି ଅର୍ଜୁନଙ୍କୁ କହିଲେ, “ମୋତେ ଯଥା ଶୀଘ୍ର ସେ କୌରବ ସେନାଙ୍କ ପାଖକୁ ନେଇଯାଅ । ମୁଁ ସେ ଗର୍ବୀ କୌରବସେନାଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ଆମ ଦେଶର ଗୋଧନକୁ ଉଦ୍ଧାର କରିବି । “

ଅର୍ଜୁନ ପବନ ବେଗରେ ରଥ ଚଳେଇ ଆଗକୁ ବଢିଲେ । ଅଳ୍ପ ସମୟ ପରେ ବିରାଟ କୌରବ ସେନା ଦିଗବଳୟ ପାଖରେ ଦୃଶ୍ୟ ହେଲା । ରଥ, ଘୋଡା ଓ ଅସଂଖ୍ୟ ସୈନ୍ୟମାନଙ୍କ ପାଇଁ ପ୍ରଚୁର ଧୂଳି ଉଡି ଆକାଶକୁ ଘୋଡେଇ ରଖିଥାଏ । ଅର୍ଜୁନ ଆହୁରି ପାଖକୁ ଉତ୍ତରଙ୍କ ରଥ ନେଲା ପରେ କୌରବମାନଙ୍କ ବିଶାଳ ସୁସଜ୍ଜିତ ସେନା, ସେନାପତିମାନଙ୍କ ରଥର ପତାକା ଆଖିରେ ପଡିଲା । ଯୁବରାଜ ଉତ୍ତର ଦେଖିଲେ ଆଉ ଅଳ୍ପ ଦୂରରେ କୌରବ ସେନାର ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ, ଅଙ୍ଗ ନରେଶ କର୍ଣ୍ଣ, ଅଶ୍ୱଥାମା ଓ ଦୁର୍ଯ୍ୟୋଧନ ଆଦି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଛିଡା ହୋଇଛନ୍ତି । 

ଆଗରେ ଏତେ ବଡ ସେନା ଓ ଏତେ ବଡ ବଡ ବୀରଙ୍କୁ ଦେଖି ଅଳ୍ପ ସମୟ ଆଗରୁ ବଡ ବଡ କଥା କହୁଥିବା ଯୁବରାଜ ଉତ୍ତରଙ୍କର ସବୁ ଉତ୍ସାହ ହଠାତ୍ ମରିଗଲା । ଭୟରେ ସେ ଗୋଟାପଣ ଝାଳରେ ଗାଧୋଇ ପଡିଲେ । ମୁହଁ ଏକବାର ଶୁଖିଗଲା ଓ ଦେହ ହାତ ଥରିଲା । ଏପରିକି ସେ ଧରିଥିବା ଅସ୍ତ୍ର ତାଙ୍କର ହାତରୁ ଖସିପଡିଲା । ଉତ୍ତର କହିଲେ, “ହେ ବୃହନ୍ନଳା! କୌରବ ସେନାଙ୍କ ଆଗରେ ଠିଆ ହୋଇଥିବା ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ, ଅଶ୍ୱଥାମା ଆଉ ଦୁର୍ଯ୍ୟାଧନଙ୍କୁ ଦେଖି ମୋତେ ପ୍ରଚଣ୍ଡ ଭୟ ଲାଗୁଛି । ଏବେ ଆମ ପାଖରେ ନା ସୈନ୍ୟ ଅଛନ୍ତି ନା ସେନାପତି । ସେମାନେ ସବୁ ତ୍ରିଗର୍ତ୍ତ ସେନାଙ୍କ ସହ ଯୁଦ୍ଧ କରିବାକୁ ଯାଇଛନ୍ତି । ତାପରେ ଏତେ ଏତେ ବଡ ବୀରମାନଙ୍କ ସାଙ୍ଗରେ ଯୁଦ୍ଧ ମୁଁ ଏକା କରିପାରିବିନି । ଯୁଦ୍ଧବିଦ୍ୟାରେ ମୁଁ ଏତେ ପାରଙ୍ଗମ ନୁହେଁ । ତେଣି ଆଉ ମୁହୂର୍ତ୍ତଟେ ବିଳମ୍ବ ନକରି ଆମ ରଥକୁ ଫେରାଇ ଶୀଘ୍ର ଏ ସ୍ଥାନ ଛାଡ ।“

ଅର୍ଜୁନ କିନ୍ତୁ ଉତ୍ତରଙ୍କ କଥା ନଶୁଣି ରଥକୁ କୌରବସେନାଙ୍କ ଆହୁରି ପାଖକୁ ନେଇଗଲେ ।

Mahabharat Mahabharat Story
Advertisment
Advertisment