/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752561003.jpg)
ମହାଭାରତ କଥା
ଅନୁମତି ପାଇଲାପରେ ବୃହନ୍ନଳା ବେଶରେ ଥିବା ଅର୍ଜୁନ ରାଜ ଦରବାରକୁ ଆସିଲେ । ସେତେବେଳକୁ ରାଜା ବିରାଟଙ୍କ ପଶାକାଠି ମାଡରେ ଯୁଧିଷ୍ଠିରଙ୍କ ନାକରୁ ବହୁଥିବା ରକ୍ତ ଧାର ବନ୍ଦ ହେଇସାରିଥିଲା। ଯୁବରାଜ ଉତ୍ତରଙ୍କୁ ଚାହିଁ ରାଜା ବିରାଟ କହିଲେ, “ତୁମ ପରି ସୁଯୋଗ୍ୟ ପୁତ୍ର ପାଇ ଆମେ ଧନ୍ୟ ହେଇଛୁ ଯୁବରାଜ । ତୁମେ ଏକା ଏକା କେମିତି ବିଶାଳ କୌରବସେନାଙ୍କୁ ପରାସ୍ତ କଲ ସେ କଥା ଆମମାନଙ୍କୁ କୁହ । ମୋର ବଡ ଇଚ୍ଛା ହେଉଛି ତୁମ ପାଖରୁ ସେ ଅନୁଭୂତି ଶୁଣିବାକୁ । କେମିତି ତୁମେ ଏତେ ବଡ ବଡ ବୀରଙ୍କୁ ପରାସ୍ତ କରି ଆମ ଗୋଧନକୁ ମୁକ୍ତ କଲ? କେମିତି ତୁମେ ବୀର ଭୀଷ୍ମ, ଅଶ୍ଵତ୍ଥାମା, ଦ୍ରୋଣ, କର୍ଣ୍ଣଙ୍କ ପରି ବୀରମାନଙ୍କ ଶକ୍ତିଶାଳୀ ବାଣକୁ ପ୍ରତିହତ କଲ?”
ଉତ୍ତର କହିଲେ, “ମହାରାଜ ସତ କଥା ହେଲା ମୁଁ କୌଣସି ବୀରଙ୍କୁ ପରାସ୍ତ କରିନି କି ଆମ ଦେଶର ଗୋଧନକୁ ମୁଁ ମୁକ୍ତ କରିନି । ମୁଁ ତ ବୀର ଦର୍ପରେ ରଥରେ ବସି ଯୁଦ୍ଧାସ୍ତ୍ର ଧରି ରାଜଧାନୀରୁ ବାହାରି ଯାଇଥିଲି । କିନ୍ତୁ ସମୁଦ୍ର ପରି କୌରବଙ୍କ ବିଶାଳ ସେନା ଦେଖି ମୋର ପ୍ରବଳ ଭୟ ହେଲା । ମୁଁ ରଥରୁ ଡେଇଁ ସେଠୁ ଖସି ଆସିବାକୁ ଚେଷ୍ଟା କଲି । କିନ୍ତୁ ହଠାତ୍ ଜଣେ ଦେବପୁତ୍ର ସେଠାରେ ପହଞ୍ଚିଲେ ଓ ମୋତେ ରଥରେ ବସେଇ ନିଜେ ଯୁଦ୍ଧ କଲେ । ମୁଁ ଯୁଦ୍ଧ କରିନି ବରଂ ମୁଁ ତାଙ୍କ ରଥର ସାରଥି ହୋଇ ଯୁଦ୍ଧ ଦେଖୁଥିଲି । ସେଇ ଦେବପୁତ୍ରଙ୍କ ବାଣ ପ୍ରହାର ସହ୍ୟ କରିନପାରି ସମସ୍ତ କୌରବ ବୀର ଯୁଦ୍ଧ ଭୂମି ଛାଡି ପଳାୟନ କରୁଥିଲେ । ତଥାପି ସେମାନଙ୍କୁ ଦେବପୂତ୍ର ଦୟା ନଦେଖାଇ ଦିବ୍ୟ ଅସ୍ତ୍ର ପ୍ରୟୋଗ କରି ଯୁଦ୍ଧ କ୍ଷେତ୍ରରେ ସମସ୍ତଙ୍କୁ ଅଚେତ କରିଦେଲେ । ସେଇ ସୁଯୋଗରେ ମୁଁ ଭୀଷ୍ମ, କର୍ଣ୍ଣ, ଦ୍ରୋଣ, କୃପ, ଅଶ୍ଵତ୍ଥାମା ଓ ଦୁର୍ଯ୍ୟୋଧନଙ୍କ ଉତ୍ତରୀୟକୁ ବିଜୟ ଚିହ୍ନ ଭାବରେ ଆଣିଦେଲି ।”
ରାଜକୁମାର ଉତ୍ତର ରାଜା ବିରାଟଙ୍କୁ ସାଙ୍ଗରେ ଆଣିଥିବା କୌରବ ବୀରମାନଙ୍କ ଭିନ୍ନ ଭିନ୍ନ ରଙ୍ଗର ଉତ୍ତରୀୟ ସବୁ ଦେଖାଇଲେ ।
ରାଜକୁମାରଙ୍କ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ ରାଜା ବିରାଟ । ସେ ଯାହା ଭାବିଥିଲେ ଘଟଣାଟି ସେପରି ଘଟିନଥିଲା । ରାଜକୁମାର ଏକା ଏକା ଯୁଦ୍ଧ ଜୟ କରିନାହାଁନ୍ତି । କିଏ ତେବେ ସେହି ଦେବପୁତ୍ର? ରାଜା ବିରାଟ କିଛି ବୁଝିନପାରି ଯୁବରାଜଙ୍କୁ ପଚାରିଲେ, “ହେ ପୁତ୍ର! ତୁମ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଉଛି । କେଉଁ ଦେବପୁତ୍ର ତୁମକୁ ସାହାଯ୍ୟ କଲେ? କାହିଁକି ସାହାଯ୍ୟ କଲେ? ତୁମେ ତାଙ୍କୁ ଏଠାକୁ ନିମନ୍ତ୍ରଣ କରି ଆଣିଲନି କାହିଁକି? ଯିଏ ଆମ ଦେଶ ପାଇଁ ଯୁଦ୍ଧ କଲେ ଓ କୌରବସେନାଙ୍କୁ ବିତାଡିତ କରି ଆମ ଗୋଧନ ରକ୍ଷା କଲେ ଏବଂ ତୁମ ଜୀବନ ରକ୍ଷା କଲେ ତାଙ୍କୁ ଏଠାକୁ ଡାକିଆଣିଥିଲେ ଆମେ ଦେଶବାସୀ ତାଙ୍କୁ କୃତଜ୍ଞତା ଜଣାଇଥାନ୍ତେ । ତାଙ୍କୁ ବିରୋଚିତ ସମ୍ବର୍ଦ୍ଧନା ଦିଆଯାଇଥାନ୍ତା।”
ଉତ୍ତର କହିଲେ, “ମହାରାଜ ମାତ୍ର ଅଳ୍ପ ଦିନ ପାଇଁ ସେ ଦେବପୁତ୍ର ମୋ ପାଖରୁ ବିଦାୟ ନେଇଛନ୍ତି । ମୋତେ କଥା ଦେଇ ଯାଇଛନ୍ତି ଖୁବ ଶୀଘ୍ର ସେ ଆମ ରାଜଧାନୀକୁ ଆସି ଆପଣଙ୍କୁ ସାକ୍ଷାତ କରିବେ ।” ଉତ୍ତର ସବୁକିଛି ଜାଣି ବି ସେଠାରେ ଅଧିକ କିଛି ପ୍ରକାଶ କଲେନି । କାରଣ ବୃହନ୍ନଳା ରୂପରେ ଥିବା ଅର୍ଜୁନ ରାଜକୁମାରଙ୍କୁ ପାଣ୍ଡବମାନଙ୍କ ପରିଚୟ ଆଉ ଅଳ୍ପ ଦିନପାଇଁ ଗୋପନ ରଖିବାକୁ ଅନୁରୋଧ କରିଥିଲେ ।
ମତ୍ସ୍ଯ ଦେଶ ଦୁଇ ଦୁଇଟା ଯୁଦ୍ଧରେ ଏକକାଳୀନ ବିଜୟ ଲାଭ ହେଇଥିଲା । ରାଜା ବିରାଟ ଓ ରାଜକୁମାର ଉତ୍ତର ଦୁଇଟି ଅଲଗା ଅଲଗା ଯୁ୍ଦ୍ଧରେ ବିଜୟ ଲାଭକରି ରାଜଧାନୀକୁ ଫେରିଥିଲେ । ଦୁଇଦିନ ପରେ ବିଜୟ ଉତ୍ସବ ପାଳନ ପାଇଁ ରାଜଧାନୀରେ ରାଜାଙ୍କ ସଭା କକ୍ଷରେ ସଭା ଆୟୋଜନ ଚାଲିଥାଏ। ସବୁ କିଛି ସୁନ୍ଦର ଭାବରେ ସାଜସଜା କରାଯାଇଥାଏ। ରାଜ୍ୟର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ରାଜସଭାର ପାତ୍ରମନ୍ତ୍ରୀ ଓ ସେନାପତି ବହୁମୂଲ୍ୟର ପୋଷାକରେ ସାଜସଜ ହୋଇ ଉପସ୍ଥିତ ଥାଆନ୍ତି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ହଠାତ ରାଜସଭା ଭିତରକୁ ବ୍ରାହ୍ମଣ କଙ୍କ, ରାନ୍ଧୁଣିଆ ବଲ୍ଲବ,ଅଶ୍ୱପାଳକ ଧର୍ମଗ୍ରନ୍ଥୀ, ଗୋପାଳକ ତନ୍ତ୍ରୀପାଳ,ନୃତ୍ୟ ଶିକ୍ଷକ ବୃହନ୍ନଳା ଓ ପରିଚାରିକା ସୈରୀନ୍ଧ୍ରୀ ରାଜକୀୟ ବେଶ ପୋଷାକ ପରିଧାନ କରି ପ୍ରବେଶ କଲେ ଓ ଆସନରେ ବସିଲେ । ପରିବେଶ ଓ ପରିସ୍ଥିତକୁ ହଠାତ୍ କୌଣସି ସଭାଷଦ କିଛି ବୁଝିପାରିଲେନି ।
ଅଳ୍ପ ସମୟ ପରେ ମହାରାଜା ବିରାଟ ରାଜସଭାକୁ ଆସିଲେ । ବ୍ରାହ୍ମଣ କଙ୍କ, ରାନ୍ଧୁଣିଆ ବଲ୍ଲବ, ଅଶ୍ୱପାଳକ ଧର୍ମଗ୍ରନ୍ଥୀ, ଗୋପାଳକ ତନ୍ତ୍ରୀପାଳ, ନୃତ୍ୟ ଶିକ୍ଷକ ବୃହନ୍ନଳା ଓ ପରିଚାରିକା ସୈରୀନ୍ଧ୍ରୀ ରାଜପୋଷାକ ପିନ୍ଧି ଆସନରେ ବସିଥିବାର ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ଓ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଚାହିଁଲେ । ରାଜାଙ୍କ କ୍ରୋଧପୂର୍ଣ୍ଣ ଚାହାଣୀ ଦେଖି ଅର୍ଜୁନ କହିଲେ, “ହେ ମହାରାଜ! ଆପଣଙ୍କ ରାଜଦରବାରରେ ବ୍ରାହ୍ମଣ ରୂପରେ ଯିଏ ଗତ ଗୋଟେ ବର୍ଷ ହେଲାଣି ଉପସ୍ଥିତ ଅଛନ୍ତି ସେ ଦେବରାଜ ଇନ୍ଦ୍ରଙ୍କ ଆସନରେ ବସିବାର ଯୋଗ୍ୟତା ରଖନ୍ତି । ବ୍ରାହ୍ମଣ କଙ୍କଙ୍କ ପ୍ରକୃତ ପରିଚୟ ହେଲା ସେ ହେଉଛନ୍ତି ପାଣ୍ଡବଙ୍କ ବଡ ଭାଇ ଧର୍ମରାଜ ଯୁଧିଷ୍ଠିର।”
ଅର୍ଜୁନ ସେଠାରେ ବ୍ରାହ୍ମଣ କଙ୍କଙ୍କ ପ୍ରକୃତ ପରିଚୟ ଦେଲାପରେ ପୁରା ସଭାରେ ଗୁଞ୍ଜରଣ ଖେଳିଗଲା । ଯୁଧିଷ୍ଠିର ଯୁଧିଷ୍ଠିର କହି ସଭାରେ ସମସ୍ତେ କୋଳାହଳ କରିବାକୁ ଲାଗିଲେ। ରାଜା ବିରାଟ ମଧ୍ୟ କିଛି ବୁଝିପାରିଲେନି। ରାଜା ସ୍ୱପ୍ନ ଦେଖୁଛନ୍ତି ନା ଯାହା ଶୁଣୁଛନ୍ତି ତାହା ବାସ୍ତବ ଜାଣିପାରିଲେନି । ରାଜା ଓ ପରିଷଦଙ୍କ ସନ୍ଦେହମୋଚନ କରିବାକୁ ରାଜକୁମାର ଉତ୍ତର ତାଙ୍କ ଆସନରୁ ଉଠି ଠିଆ ହେଲେ ଓ କହିଲେ, “ମହାରାଜ ସେଦିନ ଯୁଦ୍ଧବେଳେ ଯେଉଁ ଦେବପୁତ୍ର ମତ୍ସ୍ଯ ଦେଶକୁ ରକ୍ଷା କରିଥିଲେ ସେ ଏଠାରେ ଉପସ୍ଥିତ ଅଛନ୍ତି । ଆମ ଅନ୍ତଃପୁରରେ ରାଜକୁମାରୀଙ୍କୁ ନାଚ ଗୀତ ଶିଖାଉଥିବା ବୃହନ୍ନଳା ହିଁ ସେ ଦେବପୁତ୍ର । ମହାରାଜ ବୃହନ୍ନଳା ଆଉ କେହିନୁହଁନ୍ତି, ସେ ହେଉଛନ୍ତି ଛଦ୍ମବେଶରେ ଥିବା ଶ୍ରେଷ୍ଠ ଧର୍ନୁଧର ଅର୍ଜୁନ। ରନ୍ଧନଶାଳରେ ରୋଷେଇ ବାସ କରୁଥିବା ପାଚକ ବଲ୍ଲବ ହେଉଛନ୍ତି ଭୀମସେନ । ତନ୍ତ୍ରୀପାଳ ହେଉଛନ୍ତି ନକୁଳ ଓ ଧର୍ମଗ୍ରନ୍ଥୀ ହେଉଛନ୍ତି ସହଦେବ । ପରିଚାରିକା ସୈରୀନ୍ଧ୍ରୀଙ୍କ ପ୍ରକୃତ ପରିଚୟ ହେଲା ସେ ହେଲେ ପଞ୍ଚୁପାଣ୍ଡବଙ୍କ ମହାରାଣୀ ଦ୍ରୁପଦ ରାଜନନ୍ଦିନୀ ଦ୍ରୌପଦୀ । ଆମର ଓ ଆମ ଦେଶର ପରମ ସୌଭାଗ୍ୟର କଥା ଯେ ଗତ ବର୍ଷେ ହେଲାଣି ଅଜ୍ଞାତବାସରେ ଛଦ୍ମବେଶ ଧରି ସେମାନେ ଆମମାନଙ୍କ ପାଖରେ ଅଛନ୍ତି ।”
ଉତ୍ତରଙ୍କ ପାଖରୁ ପ୍ରକୃତ ସତ କଥା ଶୁଣି ରାଜା ବିରାଟଙ୍କର ଆନନ୍ଦର ସୀମା ରହିଲାନି । ରାଜା ତାଙ୍କ ରାଜ ସିଂହାସନରୁ ଓହ୍ଲାଇ ଆସି ଯୁଧିଷ୍ଠିରଙ୍କୁ କୋଳାଗ୍ରତ କଲେ ଓ ହାତ ଯୋଡି କ୍ଷମା ପ୍ରାର୍ଥନା କରି କହିଲେ, “ହେ କୁନ୍ତୀ ନନ୍ଦନ, ଧର୍ମରାଜ, ଆପଣ ଆମ ପାଖରେ ପୁରା ଅଜ୍ଞାତବାସର ସମୟତକ ବିତାଇଲେ। ଏତେ ପାଖରେ ଥାଇବି ଆମେ ଅଧମ ଆପଣମାନଙ୍କ ପ୍ରକୃତ ପରିଚୟ ଜାଣି ପାରିଲୁନି । ଜାଣତରେ ଅଜାଣତରେ ଆପଣମାନଙ୍କୁ କଷ୍ଟ ଦେଇଛୁ । ଆମ ଅଜ୍ଞତା ପାଇଁ ଆମମାନଙ୍କୁ ଆପଣଙ୍କ ବଡ଼ପଣରେ କ୍ଷମା କରିଦିଅନ୍ତୁ। ଏ ପୁରା ମତ୍ସ୍ଯ ଦେଶ ଆପଣଙ୍କର । ଏ ଧନ ସମ୍ପତ୍ତି ଗୋଧନ ସବୁ ଆପଣଙ୍କର। ଆପଣ ଯେମିତି ଚାହିଁବେ ସେମତି ତା'ର ସଦବ୍ୟବହାର କରନ୍ତୁ ।”
ଯୁଧିଷ୍ଠିର କହିଲେ, “ମହାରାଜ, ଆମର ଆପଣଙ୍କ ଧନ ସମ୍ପତ୍ତିର କିଛିବି ଆବଶ୍ୟକତା ନାହିଁ । ଆମେ ସମସ୍ତେ ଆପଣଙ୍କ ପାଖରେ ବରଂ କୃତଜ୍ଞତା ଜଣାଉଛୁ । ଆମମାନଙ୍କୁ ପୁରା ଗୋଟେ ବର୍ଷ ଆପଣ ଆଶ୍ରୟ ଦେଇଛନ୍ତି । ଆପଣଙ୍କ ସହଯୋଗ ଆମେ ନିଶ୍ଚୟ ମନେରଖିବୁ । ଆପଣ ପାଣ୍ଡବମାନଙ୍କର ପରମ ମିତ୍ର ହୋଇ ସବୁଦିନ ରହିବେ ।”
ରାଜା ବିରାଟ ତାଙ୍କ ଅଜାଣତରେ ଅପମାନିତ କରିଥିବା ଅର୍ଜୁନଙ୍କ ପାଖକୁ ଯାଇ କହିଲେ, “ହେ ଫାଲଗୁନି, ମୋର ଗୋଟେ ଅନୁରୋଧ କିନ୍ତୁ ଆପଣଙ୍କୁ ରକ୍ଷା କରିବାକୁ ହେବ । ମୋର ଇଚ୍ଛା ମୋର ଏକମତ୍ର କନ୍ୟା ଉତ୍ତରାକୁ ମୁଁ ଆପଣଙ୍କ ସହ ବିବାହ ଦେବି । ଆପଣ ମୋର କନ୍ୟାକୁ ଗ୍ରହଣ କରନ୍ତୁ ଓ ମତ୍ସ୍ଯ ଦେଶର ଜ୍ୱାଇଁ ହୁଅନ୍ତୁ ।”
ମହାରାଜା ବିରାଟଙ୍କ ଅନୁରୋଧ ଶୁଣି ଅର୍ଜୁନ କହିଲେ, “ ମୁଁ ବଡ ଦୁଃଖିତ ଯେ ଆପଣଙ୍କ ଅନୁରୋଧ ରକ୍ଷା କରିପାରୁନି । କାରଣ ମୁଁ ରାଜକୁମାରୀ ଉତ୍ତରାଙ୍କୁ ନାଚ ଗୀତ ଶିକ୍ଷା ଦେଉଥିଲି। ତେଣୁ ସେ ମୋର ଶିଷ୍ୟା । ମୁଁ ତାଙ୍କ ଗୁରୁ । ନିଜ ଶିଷ୍ୟାକୁ ବିବାହ କରି ମୁଁ ଏତେ ବଡ ପାପ କରିପାରିବିନି । ହଁ ଗୋଟେ କାମ କରିପାରିବି, ମୋ ପୁଅ ସାଙ୍ଗରେ ବିବାହ କରି ପାଣ୍ଡବ ପରିବାରର ବୋହୂ ଭାବରେ ଉତ୍ତରାଙ୍କୁ ଘରକୁ ନେଇ ପାରିବି । ମୋ ପୁଅ ଅଭିମନ୍ୟୁ ବୀର ଯୁବକ । ଶ୍ରୀକୃଷ୍ଣଙ୍କ ଭଣଜା ସେ । କୃଷ୍ଣ ବଳରାମଙ୍କ ପାଖରେ ରହି ଏବେ ଅସ୍ତ୍ରବିଦ୍ୟା ସାଧନ କରୁଛନ୍ତି ।”
ଅର୍ଜୁନ ଏତିକି କହି ବଡ ଭାଇ ଯୁଧିଷ୍ଠିରଙ୍କୁ ଚାହିଁଲେ । ଯୁଧିଷ୍ଠିରଙ୍କର ଏ ପ୍ରସ୍ଥାବରେ ଅରାଜି ହେବାର କିଛି କାରଣ ନଥିଲା । ଯଥାଶୀଘ୍ର ଅଭିମନ୍ୟୁ ଓ ଉତ୍ତରାଙ୍କ ବିବାହ ପାଇଁ କୃଷ୍ଣଙ୍କ ପାଖକୁ ଖବର ନେଇ ଦୂତ ବାହାରିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)