/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750403693.jpg)
ମହାଭାରତ କଥା
ଗୋଟିଏ ବର୍ଷର ଅଜ୍ଞାତବାସ ବିରାଟଙ୍କ ମତ୍ସ୍ଯ ଦେଶରେ କାଟିବେ ବୋଲି ପାଣ୍ଡବ ପାଞ୍ଚ ଭାଇ ସିଦ୍ଧାନ୍ତ ନେଲେ । କିଏ କୋଉ ଛଦ୍ମବେଶରେ ରହି ସମୟ କାଟିବେ ତାହା ବି କଥା ହେଲେ। ତାପରେ ସେମାନଙ୍କ ଯୋଜନା ଜଣାଇ ପୁରୋହିତ ଧୌମ୍ୟଙ୍କ ପରାମର୍ଶ ମାଗିଲେ ।
ସବୁ ଶୁଣି ସାରି ଧୌମ୍ୟ କହିଲେ ତୁମେ ସବୁ ରାଜ ପରିବାରର ଲୋକ । କିନ୍ତୁ ଅନ୍ୟ ଜଣେ ରାଜାଙ୍କ ପାଖରେ ତାଙ୍କ କର୍ମଚାରୀ ଭାବରେ ରହିବା ବଡ଼ କଷ୍ଟ କାମ । ତୁମମାନଙ୍କୁ ସମ୍ମାନ ମିଳୁ ଅବା ଅସମ୍ମାନ ମିଳୁ ଏଇ ବର୍ଷଟା ଅଜ୍ଞାତବାସରେ ରହିବାକୁ ହେବ, ଯେମିତି ତୁମମାନଙ୍କୁ କେହି ଚିହ୍ନି ପାରିବେନି । ରାଜାଙ୍କ ପାଖରେ କାମ ମାନେ ଖଣ୍ଡାଧାରରେ ବାଟ ଚାଲିବା ପରି କଥା । ସବୁବେଳେ ସତର୍କ ହୋଇ ରହିବାକୁ ହେବ। ରାଜା କିଛି ନପଚାରିଲା ଯାଏଁ ଉପରେ ପଡ଼ି କିଛି ଉପଦେଶ ଦେବେନି । ରାଜାଙ୍କ ସାମ୍ନାରେ ବେଶି କଥା ହେବନି । ମନେରଖିବ, ରାଜାଙ୍କର ଅତି ନିକଟକୁ ଯିବନି କି ବେଶି ଦୂରକୁ ଯିବନି । ରାଜାଙ୍କର ଯିଏ ଅମଙ୍ଗଳ ପାଞ୍ଚୁଥିବ ଓ ରାଜାଙ୍କର ଯିଏ ଶତ୍ରୁ ହୋଇଥିବ ତା' ସାଙ୍ଗରେ ସମ୍ପର୍କ ବାନ୍ଧିବନି । ଯାହାବି କରିବ ରାଜାଙ୍କୁ ଜଣେଇ କରିବ । ରାଜାଙ୍କୁ ଖୁବ ବିଶ୍ୱାସ କରିବନି । ରାଜା ଯେଉଁ ଆସନରେ ବସନ୍ତି ଓ ଯେଉଁ ଯାନ ବାହନରେ ଯିବା ଆସିବା କରନ୍ତି ସେଥିରେ କେବେବି ବସିବନି । ରାଜା କିଛି କାମ ପାଇଁ ଯଦି ନିର୍ଦ୍ଦେଶ ଦିଅନ୍ତି, ତେବେ କେବେବି ମନା କରିବନି । ଯିଏ ଉତ୍ସାହୀ, ବୁଦ୍ଧିମାନ, ବଳଶାଳୀ, ପରାକ୍ରମୀ, ସତ୍ୟବାଦୀ, ଶାନ୍ତ ଜିତେନ୍ଦ୍ରୀୟ ଓ ଯିଏ ଛାଇ ପରି ରାଜାଙ୍କ ଅନୁଗାମୀ ହୋଇ ପାରିବ କେବଳ ସେ ହିଁ ରାଜାଙ୍କ ସହ ରହିପାରିବ ।
ଧୌମ୍ୟଙ୍କ କଥାକୁ ଯୁଧିଷ୍ଠିର ଓ ଅନ୍ୟ ଭାଇମାନେ ମନଦେଇ ଶୁଣୁଥା'ନ୍ତି । ତାପରେ ଧୌମ୍ୟ ଟିକେ ନୀରବ ରହି ପୁଣି କହିଲେ, "ହେ ରାଜନ! ରାଜା ଯଦି ତୁମକୁ କିଛିବି ଗୋପନରେ କୁହନ୍ତି ତେବେ କେବେବି ସେକଥା ଅନ୍ୟ ଆଗରେ ପ୍ରକାଶ କରିବନି । ଦେଶର ପ୍ରଜାମାନଙ୍କ ପାଖରୁ କେବେବି କିଛି ଉତ୍କଚ ଗ୍ରହଣ କରିବନି । ରାଜାଙ୍କ ଦ୍ୱାରା ଅନ୍ୟ କୌଣସି ରାଜ କର୍ମଚାରୀ ଯଦି କିଛି ରାଜାନୁଗ୍ରହ ଲାଭ କରୁଛି ତେବେ ତାଙ୍କ ପ୍ରତି ଈର୍ଷା ଭାବ ପ୍ରକାଶ କରିବନି । ଯଥାଯୋଗ୍ୟ ସ୍ଥାନରେ ଆପଣା ରାଜାଙ୍କର ସଦା ପ୍ରଶଂସା କରିବ । ନିଜର ଲାଭ ପାଇଁ ରାଜାଙ୍କ ସହ ଅନ୍ୟର କଳହ କରାଇବନି ।"
ଏହିପରି ପୁରୋହିତ ଧୌମ୍ୟଙ୍କ ପାଖରୁ ପାଣ୍ଡବମାନେ ରାଜାଙ୍କ ପାଖରେ ରହିଲା ବେଳେ କ'ଣ କରିବେ କ'ଣ କରିବେନିର ଉପଦେଶ ଶୁଣି ମାନସିକ ଭାବରେ ପ୍ରସ୍ତୁତ ହେଲେ । ତାପରେ ଧୌମ୍ୟ ବିଦାୟ ନେଲା ବେଳକୁ ଯୁଧିଷ୍ଠିରଙ୍କୁ ଆଶୀର୍ବାଦ ଦେଇ କହିଲେ, ଆଉ ଗୋଟେ ବର୍ଷ ତୁମକୁ ସବୁପ୍ରକାର ଦୁଃଖ କଷ୍ଟ ସହିବାକୁ ହେବ । ତାପରେ ତୁମ ଅପହୃତ ରାଜ ସିଂହାସନ ତୁମେ ନିଶ୍ଚୟ ଫେରିପାଇବ ।
ସମସ୍ତେ ଜଣ ଜଣକରି ଚାଲିଗଲା ପରେ ପାଣ୍ଡବ ପାଞ୍ଚ ଭାଇ ଓ ପାଞ୍ଚାଳୀ ଯମୁନା ନଦୀର ଦକ୍ଷିଣ ପଟରେ ଥିବା ଅରଣ୍ୟ ଭିତରେ ବାଟ ଚାଲୁଥା'ନ୍ତି । ଉତ୍ତରରେ ପାଞ୍ଚାଳ ଓ ଦକ୍ଷିଣରେ ଦଶାର୍ଣ୍ଣ ଦେଶ ପଡ଼ିବ ବୋଲି ସେମାନେ ନିବିଡ଼ ଜଙ୍ଗଲ ଭିତରେ ଚାଲୁଥା'ନ୍ତି। ଉଦ୍ଦେଶ୍ୟ ଥାଏ ବାଟରେ ସେମାନଙ୍କୁ କେହି ଯେମିତି ଚିହ୍ନି ପାରିବେନି ।
ବାଟ ଚାଲିବା ଭିତରେ ପାଣ୍ଡବମାନଙ୍କର ମୁହଁରେ ବେଶ ଦାଢ଼ି ବଢିଯାଇଥାଏ, ପିନ୍ଧା ବସନ ମଳିନ ପଡ଼ିସାରିଥାଏ । ହାତରେ ଧନୁ ଓ ଖଣ୍ଡା ଧରି ପାଣ୍ଡବମାନେ ବାଟ ଚାଲୁଥିବା ବେଳେ ସେମାନେ ଜଙ୍ଗଲରେ ବୁଲୁଥିବା ଯାଯାବର ଶିକାରୀଙ୍କ ପରି ଦିଶୁଥା'ନ୍ତି । ଧିରେ ଧିରେ ବଣ ପତଳା ହୋଇ ଆସିଲା । ଏଥର ଦୂରରୁ ଜନ ବସତି ଦୃଶ୍ୟ ହେଲା । ଅନେକ ରାସ୍ତା ଚାଲିଲା ପରେ ଦ୍ରୌପଦୀଙ୍କୁ ବହୁତ ଅବଶ ଲାଗୁଥିଲା । ସେ ଯୁଧିଷ୍ଠିରଙ୍କୁ କହିଲେ ମୁଁ ଆଉ ଗୋଟେ ପାଦ ବି ଚାଲିପାରିବିନି ।
ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ, ବଣ ତଥାପି ସରିନି। ଆଜି ଆମମାନଙ୍କୁ ବଣ ଅତିକ୍ରମ କରି ଜନବସତିରେ ପହଞ୍ଚିବାକୁ ହେବ ଓ ସେଇଠି ରାତ୍ରୀ ଯାପନ କରିବା । ତେଣୁ ତୁମେ ପାଞ୍ଚାଳୀଙ୍କୁ ବୋହିକରି ଚାଲ । ନଗର ଆଉ ଅଳ୍ପ ବାଟ ଥାଏ, ଯୁଧିଷ୍ଠିର ତାଙ୍କ ଭାଇମାନଙ୍କୁ ପଚାରିଲେ ଏବେ ଆମେ ସାଙ୍ଗରେ ଅସ୍ତ୍ର ଶସ୍ତ୍ର ଧରି ରାଜନଅରକୁ ଯାଇ ପାରିବାନି । ଗାଣ୍ଡିବ ଧନୁ ଧରି ଅର୍ଜୁନ ଗଲେ ତାଙ୍କୁ ତ ଯେ କେହିବି ଚିହ୍ନି ପକେଇବ । ଗଦା କାନ୍ଧରେ ପକେଇ ଭୀମଙ୍କୁ ଦେଖି ବି ଲୋକେ ଚିହ୍ନି ପକେଇବେ । ଏବେ କିନ୍ତୁ ଏହି ଅସ୍ତ୍ର ଶସ୍ତ୍ରକୁ ଲୁଚେଇବା କୋଉଠି?
ସେମାନଙ୍କ ସାମ୍ନାରେ ଅଳ୍ପ ଦୂରରେ ମଶାଣୀ ପାଖରେ ଗୋଟେ ବିଶାଳ ଶମୀ ଗଛ ଠିଆ ହୋଇଥିଲା । ଅର୍ଜୁନ ସେ ଗଛକୁ ଦେଖାଇ କହିଲେ ଚାଲ ଅସ୍ତ୍ର ଶସ୍ତ୍ର ସବୁକୁ ଭଲରେ ବନ୍ଧାବନ୍ଧି କରି ସେଇ ଗଛର ଗହଳିଆ ପତ୍ର ଗହଳରେ ଲୁଚେଇ ଦେବା । କେହି କିଛି ଜାଣି ପାରିବେନି । ଆମମାନଙ୍କ ଅଜ୍ଞାତବାସ ସରିଲେ ଆସି ସଂଗ୍ରହ କରିନେବା ।
ପାଣ୍ଡବମାନେ ସେମାନଙ୍କ ସମସ୍ତ ଅସ୍ତ୍ରଶସ୍ତ୍ରକୁ ଏକାଠି କରି ସେ ଶମୀ ଗଛର ସବୁଠାରୁ ଉଚ୍ଚା ଡାଳରେ ଭଲଭାବରେ ଏମିତି ବାନ୍ଧିଦେଲେ ଯେ ବାହାରୁ କେହି ତା'ର ସନ୍ଧାନ ପାଇବେନି । ପାଖ ଶ୍ମଶାନରୁ ଗୋଟେ ମୁର୍ଦ୍ଦାର ଆଣି ସେ ଗଛରେ ଝୁଲେଇଦେଲେ । ଉଦ୍ଦେଶ୍ୟ ଥିଲା ମଲା ମଣିଷ ଝୁଲି ରହିଥିବାରୁ ଓ ସେଥିରୁ ପଚା ଦୁର୍ଗନ୍ଧ ବାହାରୁଥିବାରୁ କେହି ସାଧାରଣ ମଣିଷ ସେ ଗଛ ପାଖକୁ ଯିବନି । ପାଣ୍ଡବମାନଙ୍କୁ ଗଛରେ କ'ଣ କରୁଛନ୍ତି ବୋଲି ବାଟରେ ଯାଉଥିବା ଗୋପାଳମାନେ ପଚାରିବାରୁ ସେମାନଙ୍କୁ ପାଣ୍ଡବମାନେ କହିଲେ, ଆମ ଶହେଅଶୀ ବର୍ଷର ବୁଢ଼ୀ ମା ମରିଯିବାରୁ ଆମ ପ୍ରଥା ଅନୁସାରେ ତାକୁ ଗଛରେ ଝୁଲାଉଛୁ ।
ଏଥର ବିରାଟ ନଗରୀ ପାଣ୍ଡବମାନଙ୍କୁ ସ୍ପଷ୍ଟ ଦେଖାଗଲା । ଏବେ ଏଇଠି ରାଜାଙ୍କୁ ଛଦ୍ମ ପରିଚୟ ଦେଇ ପୁରା ଗୋଟେ ବର୍ଷ ଅଜ୍ଞାତବାସରେ ରହିବାକୁ ହେବ । ଯୁଧିଷ୍ଠିରଙ୍କ ମନରେ ତଥାପି ଶଙ୍କା । ତେଣୁ ଯୁଧିଷ୍ଠିର ତ୍ରୀଭୂବନେଶ୍ୱରୀ ମା ଦୁର୍ଗାଙ୍କୁ ସ୍ତୁତି କରିବାକୁ ଲାଗିଲେ । ହେ ମା ଦୁର୍ଗେ, ଖଡ୍ଦ ଖର୍ପର ଧାରିଣୀ, ଯଶୋଦା ନନ୍ଦିନୀ, ନାରାୟଣ ପ୍ରଣୟନୀ, କୁଳବିବର୍ଦ୍ଧିନି, ଅଶୁଭନାଶିନି ମା...ଅସୁରବିନାସିନି, ଆମମାନଙ୍କୁ ସହାୟ ହୁଅ ମାଆ, ଆମକୁ ରକ୍ଷା କର । ଦୁଷ୍ଟ କଂସ ଯେବେ ତୁମକୁ ଶିଳା ଉପରେ କଚାଡ଼ି ମାରିବାକୁ ପ୍ରୟାସ କରିଥିଲା ତୁମେ ଅନାୟସରେ ତା' ହାତରୁ ଖସି ଆକାଶ ମାର୍ଗକୁ ଚାଲିଯାଇଥିଲ । ହେ ବରଦେ କୃଷ୍ଣେ, କୁମାରୀ, ବ୍ରହ୍ମଚାରିଣୀ, ମହିଷାସୁରମର୍ଦ୍ଦିନୀ, କୀର୍ତ୍ତି, ଶ୍ରୀ, ଧୃତି, ହ୍ରୀ, ସିଦ୍ଧି, ନିଦ୍ରା, ବିଦ୍ୟା, ମତି, ସନ୍ଧ୍ୟା, ପ୍ରଭା, କାନ୍ତି, କ୍ଷମା ଓ ଦୟାସ୍ୱରିପିଣୀ ଆମକୁ ରକ୍ଷା କର। ଆମ ପ୍ରତି ପ୍ରସନ୍ନ ହୁଅ । ତୁମେ ବ୍ରହ୍ମରୂପିଣୀ, ଅମ୍ବରବିରହିଣୀ । ତୁମର ପୂଜା ଅର୍ଚ୍ଚନା କଲେ ମନୁଷ୍ୟ ତା'ର ମୋହ, ପୁତ୍ରନାଶ, ଧନକ୍ଷୟ, ବ୍ୟାଧି, ମୃତ୍ୟୁ ଓ ଭୟକୁ ବିନାଶ କରେ । ଆମେ ପଥଭ୍ରଷ୍ଟ ହୋଇ ରାଜ୍ୟ ହରାଇ ଆପଣଙ୍କ ଶରଣ ପଶୁଛୁ । ଆମକୁ ରକ୍ଷା କର ମାଆ.. ..
ମହାଭାରତ କଥାମନ ଧ୍ୟାନ ଦେଇ ଆବାହନ କଲାପରେ ମାଆ ଦୁର୍ଗା ପ୍ରସନ୍ନ ହୋଇ ପାଣ୍ଡବମାନଙ୍କ ଆଗରେ ଉଭା ହେଲେ । ମାଆ ଦୁର୍ଗା କହିଲେ, "ହେ ଯୁଧିଷ୍ଠିର ମୋ ପ୍ରସାଦ ଓ ଆଶୀର୍ବାଦରେ ତୁମର ଓ ତୁମ ଭାଇମାନଙ୍କର କିଛିବି କ୍ଷତି ହେବନି । ମୁଁ ସଦାସର୍ବଦା ତୁମମାନଙ୍କୁ ସହାୟ କରିବି । ତୁମେ ଖୁବ ଶୀଘ୍ର ଶତ୍ରୁମାନଙ୍କୁ ସମୂଳେ ବିନାଶ କରି ନିଷ୍କଣ୍ଟକ ରାଜ୍ୟ ଭୋଗ କରିବ । ହେ ରାଜା ଇହଲୋକରେ ଯିଏ ପୂଣ୍ୟବାନ ହୋଇଥାଏ ସେ ହିଁ ମୋତେ ସ୍ତବକରେ । ମୁଁ ସେମାନଙ୍କୁ ରାଜ୍ୟ, ପୁତ୍ର, ସ୍ୱାସ୍ଥ୍ୟ ଓ ପରମାୟୁ ପ୍ରଦାନ କରେ । ତୁମେମାନେ ଏବେ ବିନା ଭୟରେ ବିରାଟ ନଗରୀକୁ ଯାଅ । ମୋ ଆଶୀର୍ବାଦରେ ଏବେ ବର୍ଷେ ପର୍ଯ୍ୟନ୍ତ ତୁମମାନଙ୍କୁ କୌରବଙ୍କ ଚର ଅବା ନଗରବାସୀ କେହିବି ଚିହ୍ନି ପାରିବେନି ।
ଏତିକି କହି ପାଣ୍ଡବମାନଙ୍କୁ ଆଶୀର୍ବାଦ କରି ମା ଦୁର୍ଗା ଅନ୍ତର୍ହିତ ହୋଇଗଲେ । ପାଣ୍ଡବମାନେ ପୂର୍ବରୁ କଳ୍ପନା କରିଥିବା ଛଦ୍ମବେଶ ହୋଇ ବିରାଟ ରାଜାଙ୍କ ରାଜସଭାକୁ ଗଲେ । ଯୁଧିଷ୍ଠିର ବ୍ରାହ୍ମଣ ବେଶରେ ପଶାପାଲି ଓ ପଶା କାଠିକୁ ଲୁଗା କାନିରେ ବାନ୍ଧି କାଖରେ ଜାକି ବିରାଟଙ୍କ ରାଜଦରବାରରେ ପହଞ୍ଚିଲେ । ଯୁଧିଷ୍ଠିରଙ୍କ ତେଜୋଦୀପ୍ତ ରୂପ ଦେଖି ସମସ୍ତେ ଭାବିଲେ ଇଏ କିଏ? ପରିଚିତ ତ ଲାଗୁନାହାଁନ୍ତି । କେଉଁ ଦୂରଦେଶରୁ ନିଶ୍ଚୟ ଆସିଛନ୍ତି। ଯୁଧିଷ୍ଠିର ରାଜାଙ୍କୁ ଅଭିବାଦନ ଜଣାଇ କହିଲେ, "ହେ ରାଜା ମୁଁ ଆପଣଙ୍କ ପାଖରେ କାମ କରିବାକୁ ଚାହୁଁଛି । ମୁଁ ଜାତିରେ ବ୍ରାହ୍ମଣ ଓ ମୋର ନାମ କଙ୍କ । ପୂର୍ବରୁ ମୁଁ ହସ୍ତିନାପୁରରେ ରାଜା ଯୁଧିଷ୍ଠିରଙ୍କ ସଖା ଥିଲି ଓ ଧର୍ମରାଜଙ୍କୁ ସହଯୋଗ କରିବା ସହ ତାଙ୍କ ସାଙ୍ଗରେ ପଶା ଖେଳୁଥିଲି।"
ରାଜା ବିରାଟ କଙ୍କ ରୂପୀ ଯୁଧିଷ୍ଠିରଙ୍କୁ ଖୁସିରେ କାମରେ ରଖିଲେ। ତାପରେ ରାଜ ଦରବାର ଭିତରକୁ ଭୀମସେନ ହାତରେ ଜାଲି ଚଟୁ ଓ ଅନ୍ୟାନ୍ଯ ରୋଷେଇ କରିବାର ସରଞ୍ଜାମ ଧରି ପ୍ରବେଶ କଲେ । ଭୀମଙ୍କ ବିଶାଳ ଶରୀର ଦେଖି ରାଜା ପଚାରିଲେ, ମୁଁ ତୁମକୁ ପୂର୍ବରୁ ଦେଖିଲା ପରି ମନ ହେଉନି । ତୁମେ କିଏ? ମୋ ଦରବାରକୁ କୋଉ ଆଶା ନେଇ ଆସିଛ? ଭୀମ କହିଲେ, "ହେ ରାଜା ମୋ ନାମ ବଲ୍କବ । ମୁଁ ଯୁଧିଷ୍ଠିରଙ୍କ ଉଆସରେ ରୋଷେଇ କରୁଥିଲି । ମୋ ହାତ ରନ୍ଧା ଖାଦ୍ୟ ରାଜାଙ୍କର ଖୁବ ପସନ୍ଦ ଥିଲା। ପାଣ୍ଡବମାନେ ବନବାସରେ ଗଲା ପରେ ମୁଁ ଭାବିଲି ଆପଣଙ୍କୁ ସାକ୍ଷାତ କରି ଅନୁରୋଧ କରିବି ମୋତେ ରନ୍ଧନଶାଳରେ ନିଯୁକ୍ତି ଦିଆଯାଉ। ରୋଷେଇବାସ ଛଡା ମୁଁ ମଲ୍ଲ ଯୁଦ୍ଧରେ ନିପୁଣତା ହାସଲ କରିଛି । ମହାରାଜା କହିଲେ ମୁଁ ଅନ୍ୟ ମଲ୍ଲବୀରମାନଙ୍କ ସହ କୁସ୍ତି କରି ରାଜ ପାରିଷଦଙ୍କ ମନୋରଞ୍ଜନ ମଧ୍ୟ କରିପାରିବି।
ସହଦେବ ଗଉଡ ବେଶରେ ବିରାଟ ରାଜାଙ୍କ ଗୋଶାଳାରେ ପହଞ୍ଚିଲେ । ତାଙ୍କୁ ପୂର୍ବରୁ କେହି ଦେଖିନଥିବାରୁ ରାଜାଙ୍କୁ ଖବର ଦିଆଗଲା । ରାଜା ବିରାଟ ସହଦେବଙ୍କୁ ପାଖକୁ ଡାକି ପଚାରିଲେ ତୁମେ ବାପ କିଏ? ସହଦେବ ନମ୍ର ଭାବରେ କହିଲେ ମୁଁ ଜଣେ ବୈଶ୍ୟ । ଆଗରୁ ମୁଁ ପାଣ୍ଡବମାନଙ୍କ ଗୋଶାଳା ଦାୟିତ୍ୱରେ ରହି ସେମାନଙ୍କ ଗାଈ ଗୋରୁଙ୍କ ଯତ୍ନ ନେଉଥିଲି । ସେମାନେ ଦେଶ ଛାଡି ଗଲା ପରେ କାମ ସନ୍ଧାନରେ ମୁଁ ବିଭିନ୍ନ ଦେଶ ବୁଲି ବୁଲି ଆପଣଙ୍କ ଦେଶରେ ପହଞ୍ଚିଛି । ମୋତେ ଆପଣଙ୍କ ଗୋଶାଳର ଦାୟିତ୍ୱ ଦେଲେ ମୁଁ ବହୁତ ଭଲ ଯତ୍ନ ନେଇପାରନ୍ତି । ମୋତେ ସମସ୍ତେ ତନ୍ତିପାଳ ନାମରେ ଡାକନ୍ତି ।
ସହଦେବଙ୍କ କଥା ବିଶ୍ୱାସ ହେଲା ପରେ ରାଜା ବିରାଟ ତନ୍ତିପାଳଙ୍କୁ ତାଙ୍କ ଗୋଧନର ଦାୟିତ୍ୱ ଦେଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)