Advertisment

Mahabharat Story: ରାଜକୁମାରମାନଙ୍କ ଉପଯୁକ୍ତ ଗୁରୁ ଓ ଗୁରୁଙ୍କ ଶ୍ରେଷ୍ଠ ଶିଷ୍ୟ ସନ୍ଧାନର କଥା

କେମିତି କୂଅ ଭିତରୁ ସହଜରେ ଘାସ କାଣ୍ଡରେ ବାହାରିଲା ପେଣ୍ଡୁ? କାହିଁକି ଜଣେ ବ୍ରାହ୍ମଣ ନିଜ ପ୍ରତିଶୋଧ ପାଇଁ କ୍ଷତ୍ରୀୟମାନଙ୍କ ଅସ୍ତ୍ର ଗୁରୁ ହେଲେ? କାହିଁକି ଅନେକ ଶିଷ୍ୟଙ୍କ ଭିତରୁ କେବଳ ଜଣକୁ ଗୁରୁ ପୃଥିବୀର ଶ୍ରେଷ୍ଠ ଧନୁର୍ଧର କରିବାକୁ କଥା ଦେଲେ? ମହାକାବ୍ୟର ଆହୁରି ଏପରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
Story of the princes' suitable guru and search for a best disciple

Story of the princes' suitable guru and search for a best disciple

Advertisment

ପଞ୍ଚୁ ପାଣ୍ଡବ ଓ କୌରବ ଭାଇମାନେ ହସ୍ତିନାର ରାଜନଅର ବାହାରକୁ ଆସି ସେଦିନ କାଠର ପେଣ୍ଡୁ ଧରି ଖେଳୁଥାନ୍ତି । ଖେଳୁ ଖେଳୁ ହାଠାତ୍ ପେଣ୍ଡୁଟି ପାଖରେ ଥିବା ଗୋଟେ କୂଅ ଭିତରକୁ ପଡିଗଲା । ପିଲାମାନେ କୂଅ ଚାରିପାଖରେ ବୁଲି ବୁଲି ପେଣ୍ଡୁକୁ ଉଦ୍ଧାର କରିବାକୁ ଉପାୟ ଚିନ୍ତା କରୁଥାନ୍ତି ଓ ଚେଷ୍ଟା କରୁଥାନ୍ତି । କିନ୍ତୁ ଗଭୀର କୂଅ ଭିତରକୁ ଯିବ ବା କିଏ? କେମିତି ତେବେ ପେଣ୍ଡୁ ଉପରକୁ ଆସିବ?

Advertisment

ସେତିକିବେଳେ ସେଇ ରାସ୍ତାରେ ଯାଉ ଯାଉ ଦ୍ରୋଣ କିଛି ସମୟ ପାଇଁ ଅଳ୍ପ ଦୂରରେ ବସି ପଡିଥିଲେ । ବସି ବସି ସେ ପିଲାମାନଙ୍କର ଅସହାୟତାକୁ ଦେଖୁଥା'ନ୍ତି । ଦ୍ରୋଣ ଜାଣିସାରିଥା'ନ୍ତି ଏ ପିଲାଏ ହସ୍ତିନା ରାଜ ପରିବାରର । କିନ୍ତୁ ପିଲାଏ ଯେତେବେଳେ ଶତ ଚେଷ୍ଟା ପରେ ବି ପେଣ୍ଡୁକୁ ଉଦ୍ଧାର କରିପାରିଲେନି, ସେତେବେଳେ ଯାଇଁ ଦ୍ରୋଣ ସେମାନଙ୍କ ପାଖରେ ପହଞ୍ଚିଲେ । ପାଖକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ପିଲାମାନଙ୍କୁ ଦ୍ରୋଣ କହିଲେ, ତୁମେ ସବୁ ମହାନ କ୍ଷତ୍ରୀୟ ଭରତଙ୍କ ବଂଶରେ ଜନ୍ମିତ । ଅଥଚ ତୁମେ ସବୁ କି ପ୍ରକାର ଅସ୍ତ୍ର ଶସ୍ତ୍ର ଶିକ୍ଷା କରୁଛ ଯେ, କୂଅ ଭିତରୁ ଗୋଟେ ସାମନ୍ୟ ପେଣ୍ଡୁକୁ ଉଦ୍ଧାର କରିପାରୁନ? ଦେଖ କେତେ ସହଜରେ ମୁଁ ଏଇଠି ରହି ପେଣ୍ଡୁକୁ କୂଅରୁ କାଢି ଆଣିବି । ତାପରେ ଦ୍ରୋଣ ପାଖରେ ଥିବା ଏକ ଘାସର କାଣ୍ଡକୁ ଛିଡାଇ କୂଅ ଭିତରେ ଥିବା ପେଣ୍ଡୁକୁ ଲକ୍ଷ କରି ଫିଙ୍ଗିଲେ । କାଣ୍ଡଟି ପେଣ୍ଡୁରେ ବିଦ୍ଧ ହେଲା ପରେ ଆଉ ଏକ ଘାସ କାଣ୍ଡକୁ ପୂର୍ବ ଘାସ କାଣ୍ଡର ପଛକୁ ଲକ୍ଷ୍ଯ କରି ପୁଣି ଫିଙ୍ଗିଲେ । ଏମିତି ଏମିତି ଗୋଟି ଗୋଟି ଘାସ କାଣ୍ଡ ପଛକୁ ପଛ ଯୋଡି ହେଇ କୂଅର ଉପର ଯାଏଁ ଆସିଲେ ଓ ଦ୍ରୋଣ ଏଥର ସହଜରେ ପେଣ୍ଡୁକୁ ଉପରକୁ ବାହାର କରି ଆଣି ପିଲାମାନଙ୍କ ହାତରେ ଧରେଇ ଦେଲେ।

ଅଧିକ ପଢ଼ନ୍ତୁ: ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି ଓ ଜଣେ ଅନ୍ଧ ରାଜପୁତ୍ରଙ୍କ ଜନ୍ମ ବୃତ୍ତାନ୍ତ

Advertisment

ଏତେ ସହଜରେ ଓ ଏତେ ନିଖୂଣ ଭାବରେ ଘାସ କାଣ୍ଡମାନଙ୍କୁ ପଛକୁ ପଛ ଗୁନ୍ଥି ପେଣ୍ଡୁକୁ ଉଦ୍ଧାର କରିବାର କୌଶଳ ଦେଖି ଉଭୟେ ପାଣ୍ଡବ ଓ କୌରବ ଭାଇମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଯେତେବେଳେ ଦ୍ରୋଣଙ୍କ ପରିଚୟ ଜାଣିବାକୁ ଚାହିଁଲେ ସେତେବେଳେ ଦ୍ରୋଣ କହିଲେ ଯାଅ ଓ ତୁମମାନଙ୍କ ପିତାମହ ଭୀଷ୍ମଙ୍କୁ ଏ ବିଷୟରେ କୁହ । ମୁଁ କିଏ ସେ ନିଶ୍ଚୟ ଜାଣିପାରିବେ ଓ ମୋ ପରିଚୟ ତୁମମାନଙ୍କୁ ଦେଇପାରିବେ । ପିଲାଏ ସେଉଠୁ ତୁରନ୍ତ ରାଜନଗ୍ରକୁ ଯାଇ ଭୀଷ୍ମଦେବଙ୍କୁ ସବୁ କଥା ବର୍ଣ୍ଣନା କରି କହିଲେ । ଭୀଷ୍ମ ସାଙ୍ଗେ ସାଙ୍ଗେ ଜାଣିଗଲେ ଏପରି ଚମତ୍କାର କରିପାରୁଥିବା ଧର୍ନୁଧର ବୀର ଦ୍ରୋଣଙ୍କ ଛଡା ଆଉ କେହି ହେଇନଥିବେ । ଭୀଷ୍ମ କାଳ ବିଳମ୍ବ ନକରି ଦ୍ରୋଣ ଅପେକ୍ଷା କରିଥିବା ସ୍ଥାନକୁ ଆସିଲେ । ଦ୍ରୋଣଙ୍କ ପାଖରେ ପହଞ୍ଚି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଭୀଷ୍ମ ଅନୁରୋଧ କଲେ ଯେ ସେ ହସ୍ତିନାପୁରରେ ରହି ପଣ୍ଡୁଙ୍କ ପାଞ୍ଚ ପୁଅ ଓ ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରି ଆଚାର୍ଯ୍ୟ ଭାବରେ ଅସ୍ତ୍ର- ଶସ୍ତ୍ର ଶିକ୍ଷା ଦିଅନ୍ତୁ । ଦ୍ରୋଣ ରାଜି ହୋଇଗଲେ। ସେ ତ ସେଇଥିପାଇଁ ଆସିଥିଲେ ।

ଘରର ପିଲାମାନଙ୍କ ଶିକ୍ଷା ଦୀକ୍ଷା ପାଇଁ ଭୀଷ୍ମ ଯେଉଁ ଜଣେ ଉପଯୁକ୍ତ ଗୁରୁଙ୍କ ସନ୍ଧାନ ମନେ ମନେ କରୁଥିଲେ ତାହା ପୂରଣ ହେଲା । କିନ୍ତୁ ଭୀଷ୍ମଙ୍କ ପ୍ରସ୍ଥାବରେ ରାଜି ହୋଇଥିବା ଦ୍ରୋଣ ଯେବେ ପର୍ଶୁରାମଙ୍କ ପାଖରୁ ଅସ୍ତ୍ର ବିଦ୍ୟା ଶିଖୁଥିଲେ, ସେତେବେଳେ ପର୍ଶୁରାମ ତାଙ୍କୁ କହିଥିଲେ, ଏ ବିଦ୍ୟା କେବେବି କୌଣସି କ୍ଷତ୍ରୀୟଙ୍କୁ ଶିଖାଇବନି । ରାଜା ଦ୍ରୁପଦଙ୍କ ଉପରେ ପ୍ରତିଶୋଧ ନେବାକୁ ଦ୍ରୋଣ ଜାଣି ଜାଣି ସେ କଥାକୁ ଆଉ ମନ ପକାଉନଥିଲେ । ସେ ଭୀଷ୍ମଙ୍କ ଅନୁରୋଧ ରକ୍ଷା କଲେ ଓ ହସ୍ତିନାପୁରରେ ଆଶ୍ରମ ପ୍ରତିଷ୍ଠା କରି ରାଜକୁମାରମାନଙ୍କୁ ଅସ୍ତ୍ର ଶସ୍ତ୍ରର ବ୍ୟବହାର ଓ ବିଭିନ୍ନ ଯୁଦ୍ଧ କୌଶଳ ସବୁ ଶିକ୍ଷା ଦେବା ଆରମ୍ଭ କଲେ ।

Advertisment
Story of the princes' suitable guru and search for a best discipleରାଜକୁମାରମାନଙ୍କ ଉପଯୁକ୍ତ ଗୁରୁ ଓ ଗୁରୁଙ୍କ ଶ୍ରେଷ୍ଠ ଶିଷ୍ୟ ସନ୍ଧାନର କଥା

ଦିନେ ଆଚାର୍ଯ୍ୟ ଦ୍ରୋଣ ତାଙ୍କର ସମସ୍ତ ଶିଷ୍ୟଙ୍କୁ ପାଖକୁ ଡାକିଲେ ଓ କହିଲେ ତୁମମାନଙ୍କୁ ମୋ ଆଗରେ ଗୋଟେ ଶପଥ କରିବାକୁ ହେବ । ସମସ୍ତ ଯୁଦ୍ଧବିଦ୍ୟା ଓ ଅସ୍ତ୍ର ଚାଳନା ଶିଖିଗଲା ପରେ ମୁଁ ତୁମମାନଙ୍କୁ ଦିନେ ଗୁରୁ ଦକ୍ଷିଣା ମାଗିବି । ଅନ୍ୟମାନେ କିଛି କହିବା ଆଗରୁ ଅର୍ଜୁନ କହିଲେ ଗୁରୁ ଆପଣ ଯାହାବି କହିବେ ମୁଁ ତାହା ପୂରଣ କରିବାକୁ ରାଜି ଅଛି ।

ଦ୍ରୋଣଙ୍କ ଆଶ୍ରମ ଆଖଡାରେ ତାପରେ ସବୁଦିନ ଯୁଦ୍ଧବିଦ୍ୟା ଶିକ୍ଷା ଆରମ୍ଭ ହେଲା । କିଛିଦିନ ଭିତରେ ଯୁଧିଷ୍ଠିର ବର୍ଚ୍ଛାରେ, ଅର୍ଜୁନ ଧନୁରେ, ଏବଂ ଭୀମ, ଦୁର୍ଯ୍ୟଧନ ଓ ଦୁଃଶାସନ ଗଦାରେ, ନକୁଳ ଓ ସହଦେବ ଖଣ୍ଡାରେ ବିଶେଷ ପାରଦର୍ଶିତା ଲାଭ କଲେ । ଏଥିସହ ଘୋଡା, ହାତୀ, ରଥ ଉପରୁ ଓ ମାଟି ଉପରେ ସମ୍ମୁଖ ଯୁଦ୍ଧର ଅନେକ କଳା କୌଶଳ ସମସ୍ତେ ଶିଖିଲେ ।

ଅର୍ଜୁନ ଧିରେ ଧିରେ ଲକ୍ଷ୍ଯ କଲେ ଆଚାର୍ଯ୍ୟ ଦ୍ରୋଣ ଯୁଦ୍ଧର ଅନେକ ଗୁପ୍ତ ବିଦ୍ୟା ସେମାନଙ୍କୁ ଶିଖାଉ ନାହାଁନ୍ତି । ସତ କଥା ହେଲା ଦ୍ରୋଣ କିଛି ଦିବ୍ୟାସ୍ତ୍ରର ପ୍ରୟୋଗ ଓ ବ୍ୟବହାର ବିଦ୍ୟା ନିଜ ପୁଅ ଅଶ୍ୱତ୍ଥମାଙ୍କ ପାଇଁ ଲୁଚେଇ ରଖିଥା'ନ୍ତି ଓ ଅନ୍ୟମାନଙ୍କ ଆଢୁଆଳରେ ଗୋପନରେ ଏକା ଏକା ପୁଅକୁ ଶିଖାଇବାକୁ ଚାହୁଁଥାନ୍ତି । ଏକଥା ଅର୍ଜୁନଙ୍କୁ ଅଛପା ହୋଇ ରହିଲାନି । ତେଣୁ ସେ ଦ୍ରୋଣ ଓ ଅଶ୍ୱତ୍ଥମାଙ୍କୁ ସବୁବେଳେ ପିଛା କଲେ ଓ କେବେବି ଏକୁଟିଆ ହେବାକୁ ଦେଲେନି । ତେଣୁ ବାଧ୍ୟହେଇ ଦ୍ରୋଣଙ୍କୁ ଉଭୟ ଅର୍ଜୁନ ଓ ଅଶ୍ୱତ୍ଥମାଙ୍କୁ କିଛି ବିଶେଷ ବିଦ୍ୟା ଶିଖାଇବାକୁ ପଡିଲା ।

ଅଧିକ ପଢ଼ନ୍ତୁ: ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀ ଓ ମୃଗ ମାରି ଅଭିଶାପ ପାଇଥିବା ଜଣେ ରାଜାଙ୍କ କାହାଣୀ

ଦିନେ ରାତିରେ ଦ୍ରୋଣଙ୍କ ଆଶ୍ରମରେ ଅର୍ଜୁନ ଖାଉଥିବା ବେଳେ ହଠାତ୍ ପବନ ହେଲା ଓ ସେଠି ଜଳୁଥିବା ଦୀପ ଲିଭିଗଲା । ଦ୍ରୋଣ ଲକ୍ଷ କଲେ ଅନ୍ଧାର ଯୋଗୁଁ ଅର୍ଜୁନଙ୍କର ଖାଇବାରେ କିଛି ବି ଅସୁବିଧା ହେଉନି । ସେ ସଠିକ ଭାବରେ ନିର୍ଦ୍ଧାରିତ ଖାଦ୍ୟ ପାତ୍ର ମାନଙ୍କରୁ ଖାଦ୍ୟ ନେଉଛନ୍ତି ଓ ସୁରୁଖୁରୁରେ ଖାଇ ଚାଲିଛନ୍ତି। ସେଇଦିନରୁ ଦ୍ରୋଣ ତାଙ୍କୁ ରାତିର ଅନ୍ଧାରରେ କେମିତି ତୀରରେ ଲକ୍ଷ୍ୟସ୍ଥଳକୁ ବିଦ୍ଧ କରାଯାଇ ପାରିବ ଶିକ୍ଷା ଦେବା ଆରମ୍ଭ କଲେ । ଅର୍ଜୁନ ବାମ ଓ ଦକ୍ଷିଣ ଉଭୟ ହାତରେ ତୀର ସନ୍ଧାନ କରିପାରୁଥିଲେ । ସେଥିପାଇଁ ତାଙ୍କୁ ସବ୍ୟସାଚୀ କୁହାଗଲା ।

ଥରେ ଆଚାର୍ଯ୍ୟ ଦ୍ରୋଣ ଜଣେ କାରିଗରକୁ ଡାକି ଗୋଟେ ଚଢେଇର ପ୍ରତିରୂପ ଗଢିବାକୁ କହିଲେ ଓ ଗଢା ସରିଲା ପରେ ତାକୁ ନେଇ ଗୋଟେ ଗଛର ସବୁଠାରୁ ଗହଳିଆ ଡେଙ୍ଗା ଡାଳରେ ନେଇ ରଖିଦେଲେ । ତାପରେ ସମସ୍ତ ଶିଷ୍ୟଙ୍କୁ ସେଠିକୁ ଡାକି କହିଲେ, ନିଜ ନିଜ ଧନୁରେ ଗୁଣ ବାନ୍ଧ ଓ ତୀର ଯୋଖି ରଖ । ଦେଖ ଏ ଗଛର ଗୋଟେ ଉଚ୍ଚା ଡାଳରେ ଚଢେଇଟେ ବସିଛି । ତାକୁ ଏବେ ତୀର ମୁନରେ ଲକ୍ଷ୍ଯ କର । ସମସ୍ତେ ସେମିତି ଧନୁରେ ତୀର ଯୋଖି ସାରିଲା ପରେ ଦ୍ରୋଣ ଯୁଧିଷ୍ଠିରଙ୍କୁ ପଚାରିଲେ ଏବେ ମୋତେ କୁହ ତୁମେ କ'ଣ ଦେଖୁଛ?

ଯୁଧିଷ୍ଠିର ସେମିତି ଲକ୍ଷ୍ଯ ସ୍ଥଳକୁ ନିରୀକ୍ଷଣ କରି କହିଲେ - ହେ ଗୁରୁଦେବ! ମୁଁ ଏବେ ଏଠାରେ ଉପସ୍ଥିତ ଥିବା ସମସ୍ତ ଭାଇମାନଙ୍କୁ, ଆପଣଙ୍କୁ, ବୃକ୍ଷକୁ ଓ ଡାଳରେ ବସିଥିବା ଚଢେଇକୁ ଦେଖୁଛି । ସବୁକିଛି ଦେଖିପାରୁଛି ମୁଁ । ଆଚାର୍ଯ୍ୟ ଦ୍ରୋଣ ସ୍ମିତ ହାସ ଖେଳେଇ କିଛି ଉତ୍ତର ନଦେଇ ତୁରନ୍ତ ଗୋଟି ଗୋଟି କରି ଅନ୍ୟମାନଙ୍କୁ ସେଇ ଏକା ପ୍ରଶ୍ନ ପଚାରି ଚାଲିଲେ । ଅନ୍ୟମାନେ ବି ଯୁଧିଷ୍ଠିରଙ୍କ ପାଖାପାଖି ଉତ୍ତର ଦେଲେ । କିଏ ଆକାଶ ସହ ଗଛ ସହ ଚଢେଇ ଦେଖୁଥାଏ ତ କିଏ ପୁରା ଭୂଦୃଶ୍ୟ ସହ ଚଢେଇକୁ ଦେଖୁଥାଏ । କିଏ ଆକାଶର ମେଘ ଖଣ୍ଡ ସହ ଚଢେଇ ଦେଖୁଥିଲା। କିନ୍ତୁ ଆଚାର୍ଯ୍ୟ ଦ୍ରୋଣ ଯେତେବେଳେ ଅର୍ଜୁନଙ୍କୁ ସେଇ ଏକା ପ୍ରଶ୍ନ କଲେ, ସେ କହିଲେ ଗୁରୁଦେବ! ମୁଁ କିନ୍ତୁ ଏଠାରେ ଉପସ୍ଥିତ ଆପଣଙ୍କୁ, ମୋର କୌଣସି ଭାଇଙ୍କୁ କିମ୍ବା ଗଛକୁ ଦେଖିପାରୁନି । ମୋତେ କେବଳ ଚଢେଇଟି ଦିଶୁଛି। ନା ନା ଗୁରୁଦେବ ମୋତେ କେବଳ ଚଢେଇର ମୁଣ୍ଡ ଦିଶୁଛି । ଟିକେ ରହି ଅର୍ଜୁନ ପୁଣି କହିଲେ ନା ନା ଗୁରୁଦେବ ମୋତେ ପ୍ରକୃତରେ କେବଳ ଚଢେଇର ଆଖି ହିଁ ଦିଶୁଛି ।

ଏବେ ଧନୁରୁ ତୀରକୁ ଛାଡ । ଦ୍ରୋଣ ଆଦେଶ ଦେଲେ । ଅର୍ଜୁନ କାଳ ବିଳମ୍ବ ନକରି ତୀର ନିକ୍ଷେପ କଲେ ଓ ତୀର ଯାଇଁ ସିଧା ଚଢେଇର ଆଖିକୁ ବିଦ୍ଧ କଲା । ଆଚାର୍ଯ୍ୟ ଦ୍ରୋଣ ଓ ପାଣ୍ଡବ ଭାଇମାନେ ଖୁସି ହେଲେ କିନ୍ତୁ କୌରବ ଭାଇମାନେ ଈର୍ଷାରେ ଦୁଃଖି ହେଇଗଲେ ।

Story of the princes' suitable guru and search for a best discipleରାଜକୁମାରମାନଙ୍କ ଉପଯୁକ୍ତ ଗୁରୁ ଓ ଗୁରୁଙ୍କ ଶ୍ରେଷ୍ଠ ଶିଷ୍ୟ ସନ୍ଧାନର କଥା

କିଛିଦିନ ପରେ ଦିନେ ନଦୀରେ ଗାଧାଉଥିବା ବେଳେ ଗୋଟେ କୁମ୍ଭୀର ଆସି ଦ୍ରୋଣଙ୍କ ଗୋଡକୁ କାମୁଡି ଆକ୍ରମଣ କରି ପାଣି ଭିତରକୁ ଟାଣି ନେବାକୁ ଚେଷ୍ଟା କରୁଥାଏ । ସେଠି ଅନ୍ୟମାନେ ଥିଲେ ବି ସମସ୍ତେ ଅସହାୟ ହୋଇ ଠିଆ ହୋଇଥିବା ବେଳେ ଅର୍ଜୁନ ତତକ୍ଷଣାତ୍ ତାଙ୍କ ଧନୁରେ ତୀର ମାରି ସେ କୁମ୍ଭୀରକୁ ମାରି ଦ୍ରୋଣଙ୍କୁ ରକ୍ଷା କଲେ । ଏହି ଘଟଣା ପରେ ଆଚାର୍ଯ୍ୟ ଦ୍ରୋଣଙ୍କର ସବୁଠାରୁ ପ୍ରିୟ ଛାତ୍ର ହୋଇଗଲେ ଅର୍ଜୁନ । ଏଥର ଦ୍ରୋଣ ଚାହିଁଲେ ଅର୍ଜୁନଙ୍କୁ ସମସ୍ତ ଯୁଦ୍ଧ ବିଦ୍ୟା ଶିଖାଇବେ, ଯେମିତି ସମଗ୍ର ପୃଥିବୀରେ ତାଙ୍କ ଠାରୁ ବଳି ଧନୁର୍ଧର କେହି ବି ନଥିବେ ।

ଏହି ଘଟଣା ପରେ ଦିନେ ଆଚାର୍ଯ୍ୟ ଦ୍ରୋଣ ତାଙ୍କ ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ପାଖକୁ ଡାକିଲେ ଓ ପର୍ଶୁରାମଙ୍କ ପାଖରୁ ପାଇଥିବା ଦୈବଅସ୍ତ୍ରକୁ ଦେଇ କହିଲେ ଆଜି ଏହାର ବ୍ୟବହାର ଓ ପ୍ରୟୋଗ ପରେ ନିଜ ପାଖକୁ ପୁଣି ଫେରାଇ ଆଣିବାର ଜ୍ଞାନ କୌଶଳ ତୁମକୁ ଶିଖାଇବି । ଆଜିଠାରୁ ଏ ଅସ୍ତ୍ର ତୁମର । କିନ୍ତୁ କେବେ ବି ତୁମ ଠାରୁ କୌଣସି ଦୁର୍ବଳ ଲୋକ ପ୍ରତି ଏହାର ପ୍ରୟୋଗ କରିବନି । କୌଣସି ମାନବ ପ୍ରତି ବି ପ୍ରୟୋଗ କରିବନି । ବିଶେଷ ଆବଶ୍ୟକତା ସମୟରେ, ଉପଯୁକ୍ତ ଭାବରେ, ସମାସ୍କନ୍ଧଙ୍କ ଶତ୍ରୁ ପ୍ରତି ପ୍ରୟୋଗ ନକରିଥିଲେ, ଏ ଦିବ୍ୟ ଅସ୍ତ୍ର ତିନି ଭୂବନକୁ ଜାଳି ପୋଡି ଧ୍ୱଂସ କରିଦେବ ।

କିଛିଦିନ ପରେ ଆଚାର୍ଯ୍ୟ ଦ୍ରୋଣ ତାଙ୍କ ଆଶ୍ରମରେ ବସି କିଛି ଦୂରରେ ତାଙ୍କ ଶିଷ୍ୟମାନଙ୍କର ଅସ୍ତ୍ର ଶସ୍ତ୍ରର ଅଭ୍ୟାସ, ବ୍ୟାୟାମ ଓ କୁସ୍ତି ଆଖଡା ଦେଖୁଥାନ୍ତି । ସେ ବୁଝି ସାରିଥିଲେ ଯେଉଁ ସମୟକୁ ସେ ଏତେ ଦିନ ଧରି ଅପେକ୍ଷା କରିଛନ୍ତି, ସେ ସମୟ ଆସି ପହଞ୍ଚିଗଲାଣି । ଏକଦା ପାଞ୍ଚାଳ ନରେଶ ଦ୍ରୁପଦ ତାଙ୍କ ରାଜଦରବାରରେ ତାଙ୍କୁ ଯେଉଁ ଅପମାନ ଦେଇଥିଲେ, ତା'ର ପ୍ରତିଶୋଧ ନେବାର ସମୟ ଆସିଗଲାଣି ।

ଦ୍ରୋଣଙ୍କ ଓଠ ଧାରରେ ଧାରେ ସ୍ମିତ ହସ ଖେଳି ଧିରେ ପୁଣି ମିଳେଇଗଲା।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ବଂଶରକ୍ଷା ପାଇଁ ଦୁଇ ବିଧବା ବୋହୂଙ୍କ ପାଖକୁ ପର ପୁରୁଷଙ୍କୁ ଡାକି ଆଣିଥିବା ଜଣେ ଶାଶୁର କାହାଣୀ

Mahabharata Special Story Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ