• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ବହୁତ ପୁରୁଣା ଦିନର କଥା । ଜରତ୍କାରୁ ନାମରେ ଜଣେ ଅତ୍ୟନ୍ତ ଧର୍ମପରାୟଣ ନିଷ୍ଠାବାନ ବ୍ରହ୍ମଚାରୀ ବ୍ରାହ୍ଣଣ ଥିଲେ । କଠୋର ତପ ଆଚରଣ କରି ସେ ଅନେକ ଅସାଧ୍ୟ ସାଧନ କରିଥିଲେ । କମ୍ ଖାଦ୍ୟ ଗ୍ରହଣ କରୁଥିଲେ ଓ କାମ ବାସନା ଉପରେ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଥିଲେ । ତାଙ୍କର କାମ ଥିଲା ଦେଶର ସମସ୍ତ ତୀର୍ଥକ୍ଷେତ୍ର ଭ୍ରମଣ କରିବା ଓ ସେଠାର ପବିତ୍ର ଜଳରେ ସ୍ନାନ କରିବା । ଭ୍ରମଣ ସମୟରେ ଯେଉଁଠି ରାତି ହେଉଥିଲା ସେଇଠି କେବଳ ବିଶ୍ରାମ ନେଉଥିଲେ । ନିଦ୍ରା ଉପରେ ବି ସେ ବିଜୟ ଲାଭ କରିସାରିଥିଲେ । ଆପଣା ଇନ୍ଦ୍ରିୟମାନଙ୍କୁ ଆପଣା ବଶରେ ରଖିଥିଲେ । ତାଙ୍କର ଇଚ୍ଛା ଥିଲା ଆଧ୍ୟାତ୍ମିକ ଜ୍ଞାନ ସହ ତପ ଓ ସାଧନା ବଳରେ ସେ ଜନ୍ମ – ମୃତ୍ୟୁର ଚକ୍ରରୁ କେମିତି ମୁକ୍ତି ପାଇବେ ।

ଥରେ ଏମିତି ଏଣେ ତେଣେ ଭ୍ରମଣ କରୁ କରୁ ସେ ଏକ ପ୍ରାଚୀନ ଗୁମ୍ଫା ଦେଖି ଭିତରକୁ ଗଲେ । ଗୁମ୍ଫା ଭିତରେ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖି ସେ ପ୍ରଥମେ କିଛି ବୁଝି ପାରିଲେନି । ତାଙ୍କର ପୂର୍ବପୁରୁଷମାନଙ୍କର ଆତ୍ମା ସେଇ ପ୍ରାଚୀନ ଗୁମ୍ଫା ଭିତରେ ଉପରକୁ ପାଦ ଓ ତଳକୁ ମୁଣ୍ଡ କରି ଦଉଡିର ସୂତା ଖିଅରେ ଝୁଲି ରହିଥାନ୍ତି । ତଳେ ଅଛି ଗଭୀର ଗର୍ତ୍ତ ।

ଏମିତି ଅଜବ ଦୃଶ୍ୟ ଦେଖି ଜରତ୍କାରୁ ସେମାନଙ୍କୁ ଏମିତି ବିପଦଜନକ ଭାବରେ ଗୁମ୍ଫା ଭିତରେ ଝୁଲିରହିବାର କାରଣ ପଚାରିଲେ । ଝୁଲି ରହିଥିବା ଆତ୍ମାମାନେ କହିଲେ - ହେ ବ୍ରାହ୍ମଣପୁତ୍ର ଆମେ ସବୁ ତପସ୍ୱୀ । କିନ୍ତୁ ବଡ ଦୁଃଖର କଥା ହେଲା, ଆମର ବଂଶ ଲୋପ ପାଇବାକୁ ବସିଛି । ସେଇ ଭୟରେ ଆମେ ଏ ଗୁମ୍ଫାରେ ଏମିତି ଝୁଲିକି ରହିଛୁ । ଏବେ ଆମ ବଂଶର ଦାୟଦ ଭାବରେ ଜଣେ ମାତ୍ର ଯୁବକ ଅଛି । ଯାହାର ନାମ ହେଉଛି ଜରତ୍କାରୁ। କିନ୍ତୁ ସେ ମୂର୍ଖ ନିଜର ପୂର୍ବପୁରୁଷଙ୍କ ବିଷୟରେ କିଛି ବି ଚିନ୍ତା କରୁନି । କିମ୍ବା ନିଜର ବଂଶବୃଦ୍ଧି କଥା ବି ଆଦୌ ଭାବୁନି । ତା' ପାଇଁ ଏମିତିକା ପ୍ରସଙ୍ଗ ଗୁରୁତ୍ୱହୀନ । ସେ କେବଳ ତା'ର ଜପ -ତପରେ ସବୁବେଳେ ବ୍ୟସ୍ତ ରହୁଛି । କେବଳ ବିଭିନ୍ନ ତୀର୍ଥ ଭ୍ରମଣ କରୁଛି । ତା'ର ବିବାହ କରି ସଂସାର ଧର୍ମ ପାଳନ କରିବାରେ ତିଳେ ବି ଆଗ୍ରହ ନାହିଁ କି ପ୍ରୟାସ ବି ନାହିଁ। ଆମେମାନେ ଏବେ ନିଶ୍ଚିତ ଯେ ଆମ ବଂଶର ଆଉ କେହି ଉତ୍ତରାଧିକାରୀ ରହିବେନି । ସେଇ ଭୟରେ ଆମେ ଏମିତି ଅବସ୍ଥାରେ ଅଛୁ । ସବୁ ଥାଇ ବି ଆଜି ଆମମାନଙ୍କ ପାଖରେ କିଛି ବି ନାହିଁ । ଆମମାନଙ୍କର ଆଶଙ୍କା ଯେ ଧରାପୃଷ୍ଠରୁ ଆମ ବଂଶ ନିଶ୍ଚୟ ଲୋପ ହେଇଯିବ ।

ଏପରି ନିଜର ଦୁଃଖ ଓ କ୍ଷୋଭଭରା କାହାଣୀ ବଖାଣିବା ପରେ ସେମାନେ ଜରତ୍କାରୁଙ୍କୁ ତାଙ୍କ ପରିଚୟ ବି ମାଗିଲେ । ପଚାରିଲେ ହେ ତେଜସ୍ୱୀ ବ୍ରାହ୍ମଣ ଯୁବକ, ତୁମେ କିଏ ? ଏଠିକୁ କାହିଁକି ଓ କେମିତି ଆସିଛ ? ତୁମେ ଆମମାନଙ୍କ ଦୁର୍ଭାଗ୍ୟ ପାଇଁ କାହିଁକି ଏତେ ଚିନ୍ତା କରୁଛ?

ଜରତ୍କାରୁ ଏଥର ନିଜର ପରିଚୟ ଦେଇ କହିଲେ ହେ ମୋର ପିତା, ପିତାମହ ଓ ପ୍ରପିତାମହମାନେ! ମୁଁ ଆପଣମାନଙ୍କର ସେଇ ଅଧମ ବଂଶଧର ଜରତ୍କାରୁ । ଯାହାର ନାମ ଆପଣମାନେ କିଛି ମୁହୂର୍ତ୍ତ ପୂର୍ବରୁ ଉଲ୍ଲେଖ କରୁଥିଲେ । ହଁ ମୁଁ ତୀର୍ଥ ଭ୍ରମଣ କରୁଛି ଓ ତପ ଆଚରଣ କରୁଛି । ମୋର ଇଚ୍ଛା ଧର୍ମ ଓ ଜ୍ଞାନ ବଳରେ ମୁଁ ଏ ସଂସାରର ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତି ପାଇବାକୁ ଚାହୁଛି । ପିଲାଦିନରୁ ସଂସାର ବିଷୟ ବାସନାରେ ମୁଁ ବାନ୍ଧି ହେବାକୁ କେବେବି ଇଚ୍ଛା କରିନି । ଆପଣମାନଙ୍କ ସହ ସାକ୍ଷାତ୍ ହେଲାପରେ ମୁଁ ମୋର ଦାୟିତ୍ୱ ସମ୍ପର୍କରେ ଏବେ ସଚେତନ ହେଲି । କୁହନ୍ତୁ ମୁଁ କ'ଣ କଲେ ଆପଣମାନେ ଶାନ୍ତି ଲଭିବେ । ଦାୟଦ ଭାବରେ ଆପଣମାନଙ୍କ ଆତ୍ମାର ସଦଗତିର ଦାୟିତ୍ୱ ଏକାନ୍ତ ଭାବରେ ମୋର ।

ଜପତପରେ ମଗ୍ନ ଜରତ୍କାରୁ
ଜପତପରେ ମଗ୍ନ ଜରତ୍କାରୁ

ଜରତ୍କାରୁଙ୍କ ଠାରୁ ଏମିତି ଆଶାପୂର୍ଣ୍ଣ କଥା ଶୁଣି ତାଙ୍କ ପିତୃପୁରୁଷମାନେ କହିଲେ, ହେ ପୁତ୍ର ତୁମେ ଯଦି ଆମମାନଙ୍କର ସତରେ ମଙ୍ଗଳ କାମନା କରୁଛ, ତେବେ ଆମର ବଂଶବୃକ୍ଷକୁ ବିସ୍ତାର କରିବାର ରାସ୍ତା ତୁମକୁ ବାଛିବାକୁ ପଡିବ । ସେଥିପାଇଁ ଉପଯୁକ୍ତ କନ୍ୟା ସନ୍ଧାନ କରି ତୁମକୁ ବିବାହ କରିବାକୁ ହେବ । ସଂସାର ବନ୍ଧନରେ ବାନ୍ଧି ହେବାକୁ ପଡିବ । ବିବାହ କରି ପୁତ୍ର ସନ୍ତାନ ଜନ୍ମ ଦେଲେ ଯାଇଁ, ତାହା ତୁମ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପରମ ପୂଣ୍ୟବନ୍ତ କର୍ମ ହେବ । ଏ ସଂସାରରେ ପୁତ୍ର ସନ୍ତାନର ପିତା ହେବା ଠାରୁ ବଳି କିଛି ବି ବଡ ପୂଣ୍ୟ ନାହିଁ । ତୁମେ ଅନେକ କଠିଣ ତପ ଆଚରଣ କରୁଥାଇପାର, କିନ୍ତୁ ନିଜର ଓ ନିଜ ପିତୃପରୁଷଙ୍କ ମଙ୍ଗଳ ବିଧାନ ପାଇଁ ବଂଶବୃକ୍ଷର ବିସ୍ତାର ଠାରୁ ବଡ ତପ କିଛି ନାହିଁ । ଜାଣିରଖ ସଂସାର ଧର୍ମ ପାଳନ ଠାରୁ ବଡ ଧର୍ମ କିଛି ନାହିଁ । ତେଣୁ ହେ ପୁତ୍ର, ତୁମେ ଆମ ସମସ୍ତଙ୍କ ମୁକ୍ତି ବିଧାନ ପାଇଁ ଏବେ ବିବାହ କର ଓ ପୁଅଟିଏ ଜନ୍ମ ଦେବା ପାଇଁ ବିହିତ ଅନୁଷ୍ଠାନର ଆୟୋଜନ କର ।

ପିତୃପୁରୁଷଙ୍କ ଠାରୁ ସବୁ କଥା ଶୁଣିସାରି ଜରତ୍କାରୁ କହିଲେ , ନିଜର ବ୍ୟକ୍ତିଗତ କିଛି ଲାଭ ପାଇଁ ସେ କେବେବି ବିବାହ କରିବେନି କିମ୍ବା ବିଷୟ ସୁଖ ପାଇଁ ଅର୍ଥ ମଧ୍ୟ ରୋଜଗାର କରିବେନି । କେବଳ ପିତୃପରୁଷମାନଙ୍କ କଥା ସବୁକୁ ସମ୍ମାନ ଦେଇ ଓ ସେମାନଙ୍କ ମଙ୍ଗଳ ପାଇଁ ବିବାହ କରିବେ । ସେ ଏକ ପତ୍ନୀ ବ୍ରତ ହିଁ ଗ୍ରହଣ କରିବେ । ଏତିକି କହିସାରି ଟିକିଏ ଚୁପ ରହିଲେ ଜରତ୍କାରୁ । ତାପରେ ନିଜର ପୂର୍ବପରୁଷମାନଙ୍କ ଆଗରେ ଗୋଟିଏ ସର୍ତ୍ତ କଥା ଉଠାଇଲେ । କହିଲେ ଯେ, ସେ ଏବେ ବିବାହ କରିବାକୁ ଅରାଜି ନୁହଁନ୍ତି । କିନ୍ତୁ ଯେଉଁ କନ୍ୟାଟିର ପାଣି ଗ୍ରହଣ କରିବେ ତା'ର ନାମ ବି ତାଙ୍କ ନାମ ଯାହା ଅବିକଳ ତାହା ହିଁ ହେଇଥିବା ଦରକାର । ଅର୍ଥାତ ସେ କନ୍ୟାର ନାମ ବି ଜରତ୍କାରୁ ହେବା ଦରକାର । କେହି ଯଦି ସେପରି କନ୍ୟାଟିଏ ମୋତେ ଦାନ କରେ, ମୁଁ ଅବଶ୍ୟ ସେ କନ୍ୟାକୁ ବିନା ଦ୍ୱିଧାରେ ଗ୍ରହଣ କରିବି । ଯଦି ଏପରି କିଛି ସମ୍ଭବ ହୁଅନ୍ତା ତେବେ ମୁଁ ପୁତ୍ର ସନ୍ତାନଟିଏ ଜନ୍ମ ଦେଇ ଆପଣମାନଙ୍କ ମୁକ୍ତିର ପଥ ସୁଗମ କରନ୍ତି । କିନ୍ତୁ ମୋ ପରି ଜଣେ ଦରିଦ୍ର ବ୍ରାହ୍ମଣକୁ କିଏ ବା କାହିଁକି କନ୍ୟାଦାନ କରିବ । ମୁଁ ତ ପରିବ୍ରାଜକ ପରି ଜୀବନ ବିତାଉଛି । ମୋର ନା ଘର ଅଛି ନା କିଛି ବିଷୟ ସମ୍ପତ୍ତି ଅଛି ।

ଆପଣା ପୂର୍ବପୂରୁଷମାନଙ୍କୁ କଥାଦେଇ ଜରତ୍କାରୁ ସେ ଗୁମ୍ଫାରୁ ବାହାରି ଆସିଲେ । ବିବାହ କରିବେ ବୋଲି ମନସ୍ଥ କରି କଥା ସିନା ଦେଇଦେଲେ କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ ବିବାହ କରିବାକୁ ଉପଯୁକ୍ତ କନ୍ୟା ପ୍ରାପ୍ତ ହେଲାନି । ବଡ ଚିନ୍ତାରେ ପଡିଗଲେ ଜରତ୍କାରୁ । ଅପେକ୍ଷାର ସମୟ ବ୍ୟର୍ଥ ଗଲାପରେ ଥରେ ସେ ଏକ ଜଙ୍ଗଲରେ ପହଞ୍ଚିଲେ ଓ ଆପଣା ପାଇଁ କନ୍ୟା ପାଇବା ପାଇଁ ଦେବତାମାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ଜରତ୍କାରୁଙ୍କ ପ୍ରାର୍ଥନା ଶୁଣି ତାଙ୍କ ସାମନାରେ ସେତିକିବେଳେ ତକ୍ଷକ ନାଗଙ୍କ ଭାଇ ବାସୁକିନାଗ ଆବିର୍ଭାବ ହେଲେ । ନାଗରାଜ ବାସୁକି ଜାଣିଥିଲେ ଭବିଷ୍ୟତରେ ରାଜା ଜନ୍ମେଜୟଙ୍କ ସର୍ପମାରଣ ଯଜ୍ଞରୁ ସର୍ପକୁଳକୁ କେବଳ ତାଙ୍କ ଭଉଣୀର ସନ୍ତାନ ହିଁ ରକ୍ଷା କରିବ ।

ଏକଦା ତପସ୍ୱୀ କଶ୍ୟପଙ୍କ ପତ୍ନୀ କଦ୍ରୁ ନିଜ ଭଉଣୀ ବିନତାଙ୍କୁ ଯୁକ୍ତିରେ ହରେଇବାକୁ ଉଚୈଶ୍ରବା ଘୋଡାର ଲାଞ୍ଜରେ ସାପମାନଙ୍କୁ ଗୁଡେଇହେଇ ରହିବାକୁ ଆଦେଶ ଦେଇଥିଲେ । ଯେମିତି ଲାଗିବ ଘୋଡାର ଲାଞ୍ଜ ଧଳା ନୁହେଁ କଳା । କଦ୍ରୁଙ୍କ ହଜାରେ ନାଗପିଲା ତାଙ୍କ କଥା ପ୍ରଥମେ ଶୁଣିନଥିଲେ । ସେଇଥିପାଇଁ ଦକ୍ଷ ପ୍ରଜାପତିଙ୍କ ଝିଅ କଦ୍ରୁ ନିଜର ସନ୍ତାନ ସାପମାନଙ୍କୁ ନିଆଁରେ ପୋଡିହେଇ ମରିବାର ଅଭିଶାପ ଦେଇଥିଲେ । କଦ୍ରୁଙ୍କ ସେଇ ଅଭିଶାପରୁ ସମଗ୍ର ସର୍ପକୂଳକୁ ବଞ୍ଚାଇବା ପାଇଁ ସାପମାନଙ୍କ ରାଜା, ବାସୁକୀନାଗ ଆପଣା ଭଉଣୀକୁ ଜଣେ ବେଦଜ୍ଞ ବ୍ରାହ୍ମଣ ହାତରେ ସମର୍ପିବାକୁ ଯୋଜନା କରି ଅପେକ୍ଷାକରି ରହିଥିଲେ । ସେ ଜାଣିଥିଲେ ଆପଣା ଭଉଣୀ ଗର୍ଭରୁ ଜନ୍ମ ହେବାକୁ ଥିବା ପୁଅ ହିଁ ତା'ର ସମଗ୍ର ମାମୁଁଘର ବଂଶକୁ ନିଶ୍ଚିତ ବିପଦରୁ ରକ୍ଷା କରିପାରିବ। ବାସୁକିନାଗ ବଡ ନମ୍ର ଭାବରେ ଜରତ୍କାରୁଙ୍କୁ କହିଲେ, ହେ ବେଦଜ୍ଞ ତେଜସ୍ୱୀ ବ୍ରାହ୍ଣଣ, ଆପଣ ବିବାହ ପାଇଁ ମୋ ସାନ ଭଉଣୀକୁ ଗ୍ରହଣ କରନ୍ତୁ ।

ବାସୁକିନାଗଙ୍କ ପ୍ରସ୍ତାବ ଶୁଣି ପ୍ରଥମରୁ ଜରତ୍କାରୁ ନୀରବ ରହିଲେ, କିଛି କହିଲେନି । କାରଣ ସେ ମନ ଭିତରେ ଭାବୁଥିଲେ ନାଗରାଜ ବାସୁକି ହୁଏତ ତାଙ୍କ ସର୍ତ୍ତ ବିଷୟରେ ଜ୍ଞାତ ନାହାଁନ୍ତି । ଜରତ୍କାରୁଙ୍କ ମାନସିକ ଦ୍ୱିଧା ଦେଖି ନାଗରାଜ ବାସୁକି କହିଲେ, ହେ ବ୍ରାହ୍ମଣ ମୁଁ ତୁମ ସର୍ତ୍ତ ବିଷୟରେ ସବୁକିଛି ବହୁ ଆଗରୁ ଜାଣିଛି । ସବୁଜାଣି ହିଁ ତୁମ ପାଖରେ ପହଞ୍ଚିଛି । ଆପଣ ବିନା ଦ୍ୱିଧାରେ ମନରେ କୌଣସି ପ୍ରକାରର ଶଂକା ନରଖି ମୋର ଏଇ ସାନଭଉଣୀକୁ ଗ୍ରହଣ କରିପାରିବେ । ସଂଯୋଗ ବଶତଃ ତା'ର ନାମ ମଧ୍ୟ ତୁମ ନାମ ପରି ଜରତ୍କାରୁ । ଏପରି ସାମଞ୍ଜସ୍ୟତାରୁ ବୁଝାପଡୁଛି ତୁମ ଦୁହଁଙ୍କ ବିବାହ ବିଧି ନିର୍ଦ୍ଧିଷ୍ଟ ।

ନାଗକନ୍ୟାଙ୍କ ସହ ବିବାହ
ନାଗକନ୍ୟାଙ୍କ ସହ ବିବାହ

ଜରତ୍କାରୁଙ୍କର ଆଉ କିଛି କହିବାର ନଥିଲା । ନିଜ ବିବାହ ପାଇଁ ସେ ରଖିଥିବା ସମସ୍ତ ସର୍ତ୍ତ ପୂରଣ ହେଲାପରେ ନାଗକନ୍ୟା ଜରତ୍କାରୁଙ୍କ ସହ ତାଙ୍କର ବିବାହ ରୀତି-ନିତି ସହ ସରଳ ଓ ନିରାଡମ୍ବର ଭାବରେ ସମ୍ପନ୍ନ ହେଲା । ଜରତ୍କାରୁ କିନ୍ତୁ ପୂର୍ବପରି ସାଧାରଣ ଭାବରେ ଜୀବନ ଯାପନ କଲେ ଓ ତାଙ୍କ ପତ୍ନୀ ଜରତ୍କାରୁ ମଧ୍ୟ ସ୍ୱାମୀଙ୍କ ସେବା କରିବା ସହ ସରଳ ଜୀବନକୁ ଆଦରି ନେଲେ । କିଛି ଦିନ ପରେ ଯଥାସମୟରେ ନାଗକନ୍ୟା ଜରତ୍କାରୁ ଗର୍ଭବତୀ ହେଲେ । ବ୍ରାହ୍ଣଣ ଜରତ୍କାରୁଙ୍କ ଔରସରୁ ଓ ନାଗକନ୍ୟା ଜରତ୍କାରୁଙ୍କ ଗର୍ଭରୁ ଶୁଭ ବେଳାରେ ଏକ ପୁତ୍ର ସନ୍ତାନ ଜନ୍ମ ନେଲା । ତା'ର ନାମ ରଖାଗଲା ଆସ୍ତିକ । ଆସ୍ତିକଙ୍କ ଜନ୍ମ ପରେ ଜରତ୍କାରୁଙ୍କ ବଂଶବୃକ୍ଷ ଆଗକୁ ବଢିଲା ଓ ତାଙ୍କ ପୂର୍ବପୁରୁଷମାନଙ୍କର ଅତୃପ୍ତ ଆତ୍ମା ସେ ଅନ୍ଧାରୀ ଗୁମ୍ଫାରୁ ମୁକ୍ତି ପାଇ ସ୍ୱର୍ଗ ପ୍ରାପ୍ତି କଲେ । ଅନେକ ବର୍ଷ ପରେ ଜରତ୍କାରୁ ମଧ୍ୟ ପୁତ୍ର ଆସ୍ତିକଙ୍କୁ ଛାଡି ସ୍ୱର୍ଗାରୋହଣ କଲେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now