Mahabharat Story: ଭେରୀ, ଖେଣ୍ଟା ଶିମିଳି ଗଛ, ଗଧ ଓ ରାଜକୁମାର ଦ୍ୱାରପାଳ ଥିବା ଏକ ନଗରୀ ଓ ଛୟାଅଶୀ ରାଜାଙ୍କୁ ବନ୍ଦୀ କରିଥିବା ରାଜାର ମରଣ ବୃତ୍ତାନ୍ତ

କାହିଁକି ଜଣେ ରାଜା ଅନ୍ୟ ଛୟାଅଶୀ ରାଜାଙ୍କୁ ବନ୍ଦୀ କରି ରଖିଥିଲା? କାହିଁକି ଗଧ ପାଦ ଧରିଲେ କୃଷ୍ଣ? କାହିଁକି ଗୋଟେ ଖେଣ୍ଟା ଶିମିଳି ଗଛ ରାଜାଙ୍କ ଦ୍ୱାରପାଳ ଥିଲା? ସୁନ୍ଦରୀ ଅପସରୀ ପୁଣି କାହିଁକି ଭେରୀ ହୋଇ ଜନ୍ମ ନେଲା? ମହାଭାରତ ପୃଷ୍ଠା ଭିତରେ ଥିବା ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ମହାଭାରତ କଥା

ଜରାସନ୍ଧକୁ ପରାସ୍ତ କରି ନିଧନ କରିବାକୁ କୃଷ୍ଣ, ଅର୍ଜୁନ ଓ ଭୀମ ମଗଧର ରାଜଧାନୀ ଗିରିବ୍ରଜରେ ଯାଇଁ ପହଞ୍ଚିଲେ । ଜରାସନ୍ଧ ତାଙ୍କ ରାଜଧାନୀକୁ ଅତ୍ୟନ୍ତ ସୁନ୍ଦର ଓ ସମୃଦ୍ଧ କରି ଗଢିଥାନ୍ତି। ନଗରୀକୁ ପାଞ୍ଚଟି ପର୍ବତ ଓ ଅରଣ୍ୟ ଘେରି ରହିଥିଲା। ନଗର ଭିତରକୁ ଯିବାକୁ ପୁଣି ଚାରୋଟି ଦ୍ୱାର। ଚାରି ଦ୍ୱାରରେ ଚାରିଜଣ ଅଲଗା ଅଲଗା ଦ୍ୱାରପାଳ। ପ୍ରଥମ ଦ୍ୱାର ଜରାସନ୍ଧଙ୍କ ପୁଅ ହାତରେ । କୌଣସି ଅସ୍ତ୍ରଶସ୍ତ୍ର ନେଇ ଭିତରକୁ କେହି ଯାଇପାରିବନି । ତା ପର ଦ୍ୱାରରେ ଅଛି ଗୋଟେ ଭେରୀ । ସେ ଶତ୍ରୁ ଦେଖିଲା ତ ଆପେ ଆପେ ବାଜିବ । ଭେରୀ ଶବ୍ଦ ଶୁଣିଲେ ଜରାସନ୍ଧ ଜାଣିଯାଆନ୍ତି କେହି ଶତ୍ରୁ ଆସି ପହଞ୍ଚିଛି, ତେଣୁ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇଯାଆନ୍ତି । ତୃତୀୟ ଦ୍ୱାର ଜଗିଛି ଗୋଟେ ଖେଣ୍ଟା ଶିମିଳି ଗଛ । ଗଛରେ ନା ପତ୍ର ଅଛି ନା ଫୁଲ । କିନ୍ତୁ ଶତ୍ରୁ ଆସିଲେ ସେ ଗଛରେ ହଠାତ୍ ପତ୍ର କଅଁଳେ ଓ ଫୁଲ ଫୁଟେ । ଚତୁର୍ଥ ଦ୍ୱାରରେ ଅଛି ଗୋଟେ ଗଧ । ଯଦି କୌଣସି ଶତ୍ରୁ ଆସି ପହଞ୍ଚେ ତେବେ ସେ ଗଧ ବିକଟାଳ ରଡି ଛାଡ଼େ। ଜରାସନ୍ଧଙ୍କୁ ସଦା ଜାଗ୍ରତ ରଖିବାକୁ ଚାରି ଦ୍ୱାରପାଳ ଦିନରାତି ଦାୟିତ୍ୱରେ ଥାଆନ୍ତି । ତେଣୁ କୌଣସି ଶତ୍ରୁ ଜରାସନ୍ଧଙ୍କ ରାଜଧାନୀରେ ସହଜରେ ପ୍ରବେଶ କରିପାରେନି ।

ଅଧିକ ପଢ଼ନ୍ତୁ : ବଣ ପୋଡ଼ି ଓ ଶାର୍ଙ୍ଗକ ଚଢ଼େଇମାନଙ୍କ କାହାଣୀ 

କୃଷ୍ଣ, ଅର୍ଜୁନ ଓ ଭୀମ ତିନିହେଁ ଗିରିବ୍ରଜ ନଗରୀରେ ପ୍ରବେଶ କରି ତା'ର ରାଜମାର୍ଗରେ ବୁଲା ବୁଲି କରି ସୁସଜ୍ଜିତ ଦୋକାନ ବଜାର ସବୁ ଦେଖିଲେ । ତା'ପରେ ମାଳି ଦୋକାନରୁ ସୁନ୍ଦର ଫୁଲମାଳ ଆଣି ନିଜ ନିଜ ବେକରେ ପକାଇଲେ । ଦେହରେ ଚନ୍ଦନ ଏବଂ ଅଗୁରୁ ବୋଳିହେଇ ରଙ୍ଗୀନ ପୋଷାକ ପିନ୍ଧି ବ୍ରାହ୍ମଣ ବେଶରେ ଯାଇ ପ୍ରଥମ ଦ୍ୱାରରେ ପହଞ୍ଚିଲେ । ଦ୍ୱାରରେ ପହଞ୍ଚି ବ୍ରାହ୍ମଣ ବେଶରେ କୃଷ୍ଣ ଉଚ୍ଚ ସ୍ୱରରେ ବେଦ ଧ୍ୱନୀ କଲେ । ଜରାସନ୍ଧଙ୍କ ପୁଅ ସହଦେବ ତିନି ବ୍ରାହ୍ମଣଙ୍କୁ ଦେଖି ଓ ବେଦ ଧ୍ୱନୀ ଶୁଣି ସେମାନଙ୍କୁ ପ୍ରଣାମ କଲେ । କୃଷ୍ଣ କହିଲେ ସେମାନେ ରାଜାଙ୍କର ଯଜ୍ଞ ଖବର ପାଇ ବହୁ ଦୂର ଦେଶରୁ ଆସିଛନ୍ତି । ଉଦ୍ଦେଶ୍ୟ ହେଲା ରାଜାଙ୍କୁ ସାକ୍ଷାତ କରି କିଛି ଦାନ ଦକ୍ଷିଣା ମାଗିବୁ। ବେଦଜ୍ଞ ବ୍ରାହ୍ମଣ ଦେଖି ଜରାସନ୍ଧଙ୍କ ପୁଅ ସହଦେବ ତିନି ଜଣଙ୍କୁ ବାଟ ଛାଡିଦେଲେ ।

ତାପର ଦ୍ୱାରରେ ଭେରୀ ବାଟ ଜଗିଥାଏ । ତ୍ରେତୟା ଯୁଗରେ ଥରେ ମଦନିକା ନାମକ ଜଣେ ଅପ୍ସରୀ ଗଙ୍ଗା ନଦୀରେ ଗାଧୋଇ ସାରି ଉପରକୁ ବାହାରିଲା ବେଳକୁ ନଳକୁବେର ତାଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହେଇ ପ୍ରେମ ନିବେଦନ କଲେ । ମଦନିକା ରାଜି ନ ହେବାରୁ ନଳକୁବେର କାମ ବାସନାରେ ବଶବର୍ତ୍ତୀ ହୋଇ ବଳ ପ୍ରୟୋଗ କଲେ ଓ ମଦନିକା ଭୟରେ ଚିତ୍କାର କଲେ । ସେଥିରେ ନଳକୁବେର ରାଗିଗଲେ ଓ ମଦନିକାକୁ ଅଭିଶାପ ଦେଇ କହିଲେ, ମୋ ପ୍ରେମକୁ ପ୍ରତ୍ୟାଖ୍ୟାନ କରି ଏମିତି ଭେରୀ ପରି ଚିତ୍କାର କରୁଥିବାରୁ ଦ୍ୱାପର ଯୁଗରେ ଭେରୀ ହୋଇ ଜରାସନ୍ଧର ଦ୍ୱାର ଜଗିବୁ ଓ ଲୋକ ଦେଖିଲେ ଏମିତି ଚିତ୍କାର କରୁଥିବୁ । କୃଷ୍ଣ, ଅର୍ଜୁନ ଓ ଭୀମସେନ ଜରାସନ୍ଧର ଦ୍ୱିତୀୟ ଦ୍ୱାରରେ ପହଞ୍ଚିଲାରୁ ଭେରୀ ଆପେ ଆପେ ଶବ୍ଦ କରିବାକୁ ଚେଷ୍ଟା କଲା । କିନ୍ତୁ ଭୀମ ତାଙ୍କ ବଜ୍ର ମୁଷ୍ଠିରେ ଭେରୀ ଉପରେ ଏମିତି ବିଧାଏ ଦେଲେ ଯେ ଭେରୀ ସେଇଠି ଭାଙ୍ଗି ଚୁନା ହୋଇଗଲା । ଭେରୀ ଭାଙ୍ଗି ଯିବାରୁ ସେଥିରୁ ସୁନ୍ଦରୀ ମଦନିକା ଅପ୍ସରୀ ଶାପ ମୁକ୍ତ ହୋଇ କୃଷ୍ଣ ଓ ଦୁଇ ପାଣ୍ଡବଙ୍କୁ ପ୍ରଣାମ କରି ଖୁସିରେ ସ୍ୱର୍ଗକୁ ଚାଲିଗଲେ ।

ଅଧିକ ପଢ଼ନ୍ତୁ : ଛୟାଅଶୀ ରାଜାଙ୍କୁ ବନ୍ଦୀ କରିଥିବା ଜଣେ ରାଜା ଓ ରାଜସୂୟ ଯଜ୍ଞ ଆୟୋଜନ 

ତୃତୀୟ ଦ୍ୱାରର ଦ୍ୱାରପାଳ ହେଇଛି ଗୋଟେ ଖେଣ୍ଟା ଶିମିଳି ଗଛ । ଥରେ ଜଣେ ଗନ୍ଧର୍ବ ଜଣେ ଋଷିଙ୍କ ଗାଈ ଚୋରେଇ ଥିଲେ । ସାତ ବର୍ଷ ଧରି ଋଷି ତାଙ୍କ ଗାଈକୁ ଖୋଜି ଖୋଜି ନପାଇଲା ପରେ ଅଭିଶାପ ଦେଇ କହିଲେ, ଯିଏ ମୋ ଗାଈ ଚୋରେଇଛି ତାକୁ ଯମଦୂତମାନେ ଶିମିଳି ଗଛରେ ବାନ୍ଧି ଶିମିଳି କଣ୍ଟାର ବାଡିରେ ପିଟନ୍ତୁ । ଅଭିଶାପ ଯୋଗୁଁ ସେ ଗନ୍ଧର୍ବଙ୍କୁ ଯମଦୂତମାନେ ସ୍ୱର୍ଗର ଶିମିଳି ଗଛରେ ବାନ୍ଧି ପିଟିଲେ । ଶିମିଳି ଗଛ ତାଙ୍କୁ କିଛିବି ସହଯୋଗ କଲାନି ବୋଲି ଗନ୍ଧର୍ବ ସେ ଗଛକୁ ଅଭିଶାପ ଦେଇ କହିଲେ, ତୁ ମର୍ତ୍ତ୍ୟରେ ଖେଣ୍ଟା ଗଛ ହେଇ ଜନ୍ମ ନେବୁ । କୃଷ୍ଣ ଓ ଦୁଇ ପାଣ୍ଡବଙ୍କୁ ଦେଖି ଜରାସନ୍ଧଙ୍କୁ ଖବର ଦେବାକୁ ଶିମିଳି ଗଛରେ ପତ୍ର ଫୁଲ ଆସିବା ଆଗରୁ ଅର୍ଜୁନ ତାକୁ ଉପାଡି ଏମିତି ଫୋପାଡିଲେ ଯେ ସେ ଗଛ ଯାଇଁ ସିଧା ସମୁଦ୍ରରେ ପଡିଲା । ସ୍ୱର୍ଗର ଶିମିଳି ଗଛ ଶାପମୁକ୍ତ ହେଇ ସ୍ୱର୍ଗକୁ ବାହୁଡି ଗଲେ ।

ଚତୁର୍ଥ ଦ୍ୱାରର ଦ୍ୱାରପାଳ ଗଧ । ଗଧ ଜାଣିପାରିଲା ଜରାସନ୍ଧର ଅସଲ ଶତ୍ରୁ ଆସି ପହଞ୍ଚି ଗଲେଣି । ସେ ଜରାସନ୍ଧକୁ ସତର୍କ କରିବାକୁ ରଡି କରିବାକୁ ପ୍ରୟାସ କଲା ବେଳକୁ କୃଷ୍ଣ ତୁରନ୍ତ ଗୋଟେ ଶଙ୍ଖ ତା' ପାଟିରେ ଗୁଞ୍ଜି ଦେଲେ । କେହି ଗଧ ରଡିବା ଶୁଣି ପାରିଲେନି, ସମସ୍ତଙ୍କୁ ଶଙ୍ଖ ଧ୍ୱନୀ ଶୁଭିଲା । ତଥାପି ଗଧର ରଡି ବନ୍ଦ ନହେବାରୁ କୃଷ୍ଣ ତା' ବେକକୁ ଚିପି ଧରିଲାରୁ ଗଧ କୃଷ୍ଣଙ୍କୁ ଚିହ୍ନି ପକାଇଲା । କୃଷ୍ଣ ସେଠାକୁ ଆସିବାର ଉଦ୍ଦେଶ୍ୟ ଗଧକୁ କହିଲେ ଓ ଚୁପ ରହିବାକୁ ଆଦେଶ ଦେଲେ । ଗଧ କହିଲା ଯଦି ସ୍ୱୟଂ କୃଷ୍ଣ ତା' ପାଦ ଧରି ଅନୁରୋଧ କରନ୍ତି ତେବେ ସେ ଅବଶ୍ୟ ଚୁପ ପଡିବ ।

ମହାଭାରତ କଥା

ଗଧର କଥା ଶୁଣି ଭୀମ ଭୀଷଣ ରାଗିଗଲେ । କିନ୍ତୁ ଶ୍ରୀକୃଷ୍ଣ ଭୀମଙ୍କୁ କହିଲେ କାର୍ଯ୍ୟ ସିଦ୍ଧି ପାଇଁ ଦରକାର ପଡିଲେ ଗଧର ପାଦ ଧରିବାକୁ ହେବ। ଏଥିରେ କିଛି ଦୋଷ ନାହିଁ । ତାପରେ କୃଷ୍ଣ ବାମ ହାତରେ ଗଧର ପାଦ ଛୁଇଁବାରୁ ତା'ର ମୂର୍ଦ୍ଧନା ଫାଟିଗଲା । ସେ ସେଇଠି ମରି ପଡିଲା । ସେ ଗଧ ପୂର୍ବଜନ୍ମର ଜଣେ ଗନ୍ଧର୍ବ । ଜଣେ ଅପସରୀକୁ ପ୍ରେମ କରି ଇନ୍ଦ୍ରଙ୍କ ଦ୍ୱାରା ଅଭିଶପ୍ତ ହୋଇ ମର୍ତ୍ତ୍ୟ ଲୋକରେ ଗଧ ଭାବରେ ଜନ୍ମ ହେଇଥିଲା। କୃଷ୍ଣଙ୍କ ସ୍ପର୍ଶରେ ସେ ମୁକ୍ତି ପାଇଗଲା ।

ଚାରି ଦୁଆର ଟପି, ତିନିହେଁ ଯାଇଁ ଜରାସନ୍ଧର ଯଜ୍ଞଶାଳରେ ପହଞ୍ଚିଲେ । ବନ୍ଦୀ କରିଥିବା ରାଜାମାନଙ୍କୁ ବଳି ଦେବାର ଯୋଜନାରେ ବେଦଜ୍ଞ ବ୍ରାହ୍ମଣମାନଙ୍କୁ ନେଇ ଜରାସନ୍ଧ ଯଜ୍ଞ କରୁଥାନ୍ତି । କୃଷ୍ଣ ଯଜ୍ଞଶାଳରେ ପହଞ୍ଚି ବେଦ ଧ୍ୱନୀ କଲେ । ଯଜ୍ଞଶାଳରେ ହଠାତ୍ ତିନି ବ୍ରାହ୍ମଣଙ୍କୁ ଦେଖି ଜରାସନ୍ଧ ସେମାନଙ୍କ ଉପଯୁକ୍ତ ସତ୍କାର କଲେ ଓ ପରିଚୟ ପଚାରିଲେ । ଅର୍ଜୁନ ଓ ଭୀମ କିଛି ଉତ୍ତର ଦେଲେନି । କୃଷ୍ଣ କହିଲେ ଏ ଦିହେଁ ବ୍ରତ ପାଳନ କରୁଛନ୍ତି । ସେଥିପାଇଁ ରାତି ଅଧ ପର୍ଯ୍ୟନ୍ତ କିଛି କଥା କହିବେନି । ଆସିବାର କାରଣ ପଚାରିବାରୁ କୃଷ୍ଣ କହିଲେ ଆମେ ସବୁ ଗରିବ ବ୍ରାହ୍ମଣ ଓ ଦାନ ଆଶାରେ ଆସିଛୁ । ଦାନ ଦକ୍ଷିଣା ମିଳିଲେ ଆମେ ଖୁସି ହୋଇ ଏଠୁ ଚାଲିଯିବୁ ।

ଜରାସନ୍ଧ କହିଲେ ଠିକ ଅଛି କେତେ ଧନ ରତ୍ନ ଦରକାର କୁହନ୍ତୁ। ଯଜ୍ଞାହୁତି ଛାଡି ଆଉ ଯାହା ମାଗିଲେ ମୁଁ ଦେଇପାରିବି । କୃଷ୍ଣ କହିଲେ, ନା ରାଜା ଆମର ଯଜ୍ଞାହୁତି ମାଗିବାର ନାହିଁ । ତାପରେ କୃଷ୍ଣ ଜରାସନ୍ଧର ହାତରେ ଶଙ୍ଖ ଧରେଇ ସେଥିରେ ପାଣି ଭରି କହିଲେ ସତ୍ୟ ଶପଥ କଲେ ଆମର ଯାହା ଦରକାର ମାଗିବୁ ।

ଜରାସନ୍ଧ ସତ୍ୟ ଶପଥ କଲା ପରେ କୃଷ୍ଣ କହିଲେ ତୁମ ସହ ଆମେ ଲଢିବାକୁ ଚାହୁଁଛୁ । କୃଷ୍ଣଙ୍କ କଥା ଶୁଣି ଜରାସନ୍ଧ ଆଶ୍ଚର୍ଯ୍ୟ ହୋଇ କହିଲେ ବ୍ରାହ୍ମଣ ହୋଇ ମୋ ସାଙ୍ଗରେ ଲଢି ମରିବାକୁ କାହିଁକି ଚାହୁଁଛ? ମୋ ଭୟରେ କୃଷ୍ଣ ବଳରାମ ଯାଇ ସମୁଦ୍ର ଭିତରେ ଘର କରି ରହିଛନ୍ତି । ଛୟାଅଶୀ ରାଜାଙ୍କୁ ମୁଁ ବନ୍ଦୀ କରି ରଖିଛି ବଳି ଦେଇ ଯଜ୍ଞରେ ପୂର୍ଣ୍ଣାହୁତି ଦେବି ବୋଲି । ତୁମେ ସବୁ ବ୍ରାହ୍ମଣ, ତୁମମାନଙ୍କୁ ମାରିଲେ ମୋତେ ପୁଣି ବ୍ରହ୍ମହତ୍ୟା ପାପ ଲାଗିବ । ବରଂ ଆଉ ଯାହା ମାଗିବା କଥା ମାଗ । ଜରାସନ୍ଧଙ୍କ କଥା ଶୁଣି ଭୀମ କହିଲେ ଆମ ସହ ଲଢିଲେ ତ ତମର ନିଶ୍ଚୟ ମୃତ୍ୟୁ ହେବ। ତେଣୁ ବ୍ରହ୍ମହତ୍ୟା ଦୋଷ ପୁଣି କେତେବେଳେ ଲାଗିବ? କୃଷ୍ଣ କହିଲେ, ଆମେ ବ୍ରାହ୍ମଣ ନୋହୁ କ୍ଷତ୍ରୀୟ । ଏ ଦୁହେଁ ହେଉଛନ୍ତି ପଣ୍ଡୁ ପୁତ୍ର ଅର୍ଜୁନ ଓ ଭୀମ । ମୁଁ ହେଉଛି ବସୁଦେବ ପୁତ୍ର କୃଷ୍ଣ । ଆମେ ତମକୁ ମାରି ବନ୍ଦୀ ରାଜାମାନଙ୍କୁ ମୁକ୍ତ କରିବାକୁ ଆସିଛୁ ।

ତିନି ବ୍ରାହ୍ମଣଙ୍କ ପରିଚୟ ପାଇ ଜରାସନ୍ଧ ଏଥର ଭୀଷଣ ରାଗିଗଲେ । କହିଲେ ଯାଅ ତମ ସୈନ୍ୟସାମନ୍ତ ଧରି ମୋ ସେନାଙ୍କ ସହ ଲଢ, ନହେଲେ ତମେ ତିନିଜଣ ମିଶି କରି କିମ୍ବା ଜଣ ଜଣ କରି ମୋ ସହ ଲଢିପାର । ମୁଁ ସବୁ ପ୍ରକାରର ଯୁଦ୍ଧ ପାଇଁ ପ୍ରସ୍ତୁତ । କୃଷ୍ଣ କହିଲେ, ସୈନ୍ୟସାମନ୍ତଙ୍କର ଦରକାର ନାହିଁ, ଆମ ତିନିଜଣଙ୍କ ଭିତରୁ କାହା ସହ ଲଢିବ ଯଦି ଲଢ । ଜରାସନ୍ଧ ଭୀମଙ୍କ ସହ ମଲ୍ଲ ଯୁଦ୍ଧ ଲଢିବାକୁ ବାହାରିଲେ । ତାପରେ ସେ ଯଜ୍ଞ ବେଶ ଛାଡି ମାଲକଛା ପିନ୍ଧିଲେ ଓ ମୁକୁଳା ବାଳକୁ ବାନ୍ଧି ଗଣ୍ଠି ପକେଇଲେ । ଭୀମ ତ ପ୍ରସ୍ତୁତ ହୋଇ ରହିଥିଲେ । ଦୁହିଁଙ୍କ ଭିତରେ ଘମାଘୋଟ ଲଢେଇ ଚାଲିଲା । ଗର୍ଜନ, ତର୍ଜନ ଓ ହୁଙ୍କାରରେ ସେ ସ୍ଥାନ କମ୍ପି ଉଠିଲା । ଦୁହେଁ ବଳଶାଳୀ ଥିଲେ ଓ ମଲ୍ଲ ଯୁଦ୍ଧରେ ବେଶ ପାରଙ୍ଗମ ଥିଲେ । କେହି କାହା ଠାରୁ ଉଣା ନଥିଲେ । ଦୁହିଁଙ୍କ ଯୁଦ୍ଧ ଦେଖିବାକୁ ଅନେକ ଲୋକ ଧିରେ ଧିରେ ଜମା ହେବାକୁ ଲାଗିଲେ । ଜରାସନ୍ଧ ଓ ଭୀମଙ୍କ ଭିତରେ ପୂରା ଚଉଦ ଦିନ ଧରି ଯୁଦ୍ଧ ଚାଲିଲା । ପନ୍ଦରଦିନ ବେଳକୁ ଜରାସନ୍ଧ କ୍ଲାନ୍ତ ଓ ଅବଶ ହେବାକୁ ଲାଗିଲେ। ସୁଯୋଗର ଅପେକ୍ଷାରେ ଥିବା ଭୀମ ଆଉ ବିଳମ୍ବ ନକରି ଜରାସନ୍ଧକୁ ଦୁଇ ହାତରେ ଉପରକୁ ଉଠେଇ ବହୁ ଜୋରରେ ଘୂରାଇଲେ ଓ ମାଟିରେ କଚାଡି ଦେଲେ । ଜରାସନ୍ଧର ମେରୁ ହାଡ ଭାଙ୍ଗିଗଲା । ତାପରେ ଭୀମ ତାକୁ ଉଠାଇ ଦୁଇ ଫାଳ କରି ଚିରି ଫିଙ୍ଗିଦେଲେ । ଜରାସନ୍ଧ କିନ୍ତୁ ପୁଣି ଯୋଡ଼ି ହୋଇଗଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ସେତିକିବେଳେ ଭୀମଙ୍କୁ ଦେଖାଇ କୃଷ୍ଣ ଗୋଟେ ପତ୍ରକୁ ଦୁଇ ଫାଳ କରି ଚିରି ବିପରୀତ ଦିଗକୁ ଫିଙ୍ଗିଦେଲେ । ଭୀମ କୃଷ୍ଣଙ୍କ ଠାର ବୁଝିଗଲେ ଓ ଆଉ ବିଳମ୍ବ ନକରି ଜରାସନ୍ଧର ଦୁଇ ଗୋଡକୁ ଦୁଇ ହାତରେ ଧରି ତା ଶରୀରକୁ ଫାଡି ଦୁଇ ଫାଳ କରି ବିପରୀତ ଦିଗକୁ ଫିଙ୍ଗିଦେଲେ । ଜରାସନ୍ଧ ଯେମିତି ଭାବରେ ଦୁଇ ଫାଳ ହୋଇ ଜନ୍ମ ହୋଇଥିଲା ସେମିତି ଦୁଇ ଫାଳ ହୋଇ ମୃତ୍ୟୁ ବରଣ କଲା ।

ଜରାସନ୍ଧ ବଧ

ତାପରେ ଅର୍ଜୁନ ବନ୍ଦୀଶାଳ ଯାଇ ଜରାସନ୍ଧ ଦ୍ୱାରା ଅଟକ ଥିବା ରାଜାମାନଙ୍କୁ ମୁକ୍ତ କଲେ । ଯଜ୍ଞରେ ବଳି ପଡିବା ପାଇଁ ଅପେକ୍ଷା କରିଥିବା ରାଜାମାନେ ଖୁସିରେ ଓ କୃତଜ୍ଞ ହୋଇ ପାଣ୍ଡବମାନଙ୍କର ବଶ୍ୟତା ସ୍ୱୀକାର କଲେ । ଜରାସନ୍ଧର ପୁଅ ସହଦେବକୁ କୃଷ୍ଣ ମଗଧର ରାଜା କରାଇଲେ । ତାପରେ କୃଷ୍ଣ, ଅର୍ଜୁନ ଓ ଭୀମ ଇନ୍ଦ୍ରପ୍ରସ୍ଥକୁ ଫେରି ଆସିଲେ । ଛୟାଅଶୀ ରାଜାଙ୍କ ସମର୍ଥନ ପରେ ଆଖପାଖର ଅନ୍ୟ ରାଜ୍ୟମାନଙ୍କୁ ପାଣ୍ଡବମାନେ ସହଜରେ ଜୟ କଲେ । ଏବେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ପାଇଁ ଆଉ କିଛି ବାଧା ରହିଲାନି । ରାଜସୂୟ ଯଜ୍ଞର ପ୍ରସ୍ତୁତି ଆରମ୍ଭ ହେଲା ।

ଅଧିକ ପଢ଼ନ୍ତୁ : ଖାଣ୍ଡବ ବନ ଦହନ ଓ ଜଙ୍ଗଲ ପୋଡିରୁ ରକ୍ଷା ପାଇଥିବା କେତେଜଣଙ୍କ କାହାଣୀ