ଗୁଜରାଟର ସୋମନାଥ ମନ୍ଦିର । ଭାରତର ଅନ୍ୟତମ ପ୍ରାଚୀନ ଓ ପବିତ୍ର ଶିବ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ । ମନ୍ଦିରଟି ଆରବ ସାଗର କୂଳରେ ଅବସ୍ଥିତି ।
ସୋମନାଥ ମନ୍ଦିର ବାହାର ଶତ୍ରୁ ମାନଙ୍କ ଦ୍ବାରା ବାରମ୍ବାର ଆକ୍ରମଣ ଓ ଲୁଟର ଶିକାର ହୋଇଛି । ମନ୍ଦିରଟିକୁ ବାରମ୍ବାର ପୁନଃନିର୍ମାଣ କରାଯାଇଛି । ବର୍ତ୍ତମାନର ମନ୍ଦିର ୧୯୫୧ରେ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତତ୍ତ୍ୱାବଧାନରେ ପୁନନିର୍ମାଣ କରାଯାଇଥିଲା। ଏହାର ଉଦଘାଟନ ଡ. ରାଜେନ୍ଦ୍ର ପ୍ରସାଦ କରିଥିଲେ।
ଶିବ ପୁରାଣ ଅନୁସାରେ, ଚନ୍ଦ୍ରଦେବ ଦକ୍ଷ ପ୍ରଜାପତିଙ୍କ ୨୭ଜଣ କନ୍ୟାଙ୍କୁ ବିବାହ କରିଥିଲେ । କିନ୍ତୁ ଚନ୍ଦ୍ର କେବଳ ରୋହିଣୀଙ୍କ ପ୍ରତି ଅଧିକ ଆକର୍ଷିତ ଥିଲେ ଓ ଅନ୍ୟ ପତ୍ନୀ ମାନଙ୍କୁ ଉପେକ୍ଷା କରୁଥିଲେ। ଏହା ଦେଖି ଅନ୍ୟ ପତ୍ନୀମାନେ ଦୁଃଖରେ ରହୁଥିଲେ।
Also Read
ଦିନେ ସେମାନେ କ୍ରୋଧରେ ପିତା ଦକ୍ଷଙ୍କୁ ସବୁ କଥା ଜଣାଇଲେ । ଦକ୍ଷ ଏନଇ ଚନ୍ଦ୍ରଙ୍କୁ ବୁଝାଇଲେ । କିନ୍ତୁ ଚନ୍ଦ୍ରଦେବ କିଛି ବୁଝିଲେନାହିଁ । ରୋହିଣୀଙ୍କ ବ୍ୟତୀତ ଚନ୍ଦ୍ରଙ୍କୁ ଆଉ କେହି ବି ଦେଖାଯାଉନଥିଲେ । ଏହା ଦେଖି ଦକ୍ଷ କ୍ରୋଧିତ ହୋଇ ଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ । ଚନ୍ଦ୍ରଙ୍କ ଉଜ୍ଜ୍ୱଳତା କ୍ଷୟ ହେବ ଓ ସେ ଧୀରେ ଧୀରେ ଅଦୃଶ୍ୟ ହୋଇଯିବେ।
ଏହି ଶାପରେ ଚନ୍ଦ୍ରଦେବ ଅତ୍ୟନ୍ତ ଦୁଃଖୀ ହୋଇପଡ଼ିଲେ ଓ ତାଙ୍କର କାନ୍ତି କ୍ଷୟ ହେବାକୁ ଲାଗିଲା। ଏହାଦେଖି ଅନ୍ୟ ଦେବାଦେବୀ ଚନ୍ଦ୍ରଙ୍କୁ ବ୍ରହ୍ମାଙ୍କ ନିକଟକୁ ଯିବାକୁ କହିଲେ । ବ୍ରହ୍ମା ସବୁ ଶୁଣି ଚନ୍ଦ୍ରଙ୍କୁ ଭଗବାନ ଶିବଙ୍କ ପୂଜା କରିବାକୁ କହିଲେ । ଶାପ ମୁକ୍ତି ପାଇଁ ସେ ମହାଦେବଙ୍କୁ ତପସ୍ୟା କରିବାକୁ ନିଷ୍ପତ୍ତି ନେଲେ ଚନ୍ଦ୍ର ।
ସେ ଗୁଜରାଟର ପ୍ରଭାସ କ୍ଷେତ୍ର (ବର୍ତ୍ତମାନର ସୋମନାଥ)ରେ କଠୋର ତପସ୍ୟା କଲେ। ତାଙ୍କର ଭକ୍ତି ଓ ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ଦର୍ଶନ ଦେଲେ ଓ ଅଭିଶାପରୁ ମୁକ୍ତ କଲେ ।
ଶାପଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ନ ପାରିବାରୁ ଶିବ ଆଶୀର୍ବାଦ ଦେଲେ ଚନ୍ଦ୍ରଙ୍କର କାନ୍ତି କୃଷ୍ଣପକ୍ଷରେ କ୍ଷୟ ହେବ ଓ ଶୁକ୍ଳପକ୍ଷରେ ବୃଦ୍ଧି ପାଇବ । ଶିବଙ୍କ ପ୍ରତି କୃତଜ୍ଞତା ସ୍ୱରୂପ, ଚନ୍ଦ୍ରଦେବ ପ୍ରଭାସ କ୍ଷେତ୍ରରେ ଏକ ଭବ୍ୟ ଶିବଲିଙ୍ଗ ପ୍ରତିଷ୍ଠା କରି ମନ୍ଦିର ନିର୍ମାଣ କଲେ। ଏହି ମନ୍ଦିର ଚନ୍ଦ୍ରଙ୍କ ନାମ ଅନୁସାରେ “ସୋମନାଥ” ନାମରେ ପରିଚିତ ହେଲା ।