Advertisment

ଅମଳିନ ଶରତ ପୂଜାରୀ

ଓଡ଼ିଆ ସିନେମା ଜଗତରେ ଶରତ ଯେବେ ଆବିର୍ଭାବ ହେଲେ, ରୂପେଲି ପରଦା ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା। ତାଙ୍କ ଆଗମନ ପରେ ଲାଇଟ୍ କ୍ୟାମେରା ଆକ୍ସନ ଦୁନିଆ ଚମକି ଉଠିଲା। ଚିକିମିକି ସିତାରା ହୋଇ ସିନେମାରେ ସେ ନିଜେ ଚମକିଲେ, ଆଉ ତାଙ୍କ ଚମକ ଦେଖି ବିମୁଗ୍ଧ ହୋଇଗଲେ ଅଗଣିତ ସିନେପ୍ରେମୀ । ଟିକେଟ୍‌ କାଉଣ୍ଟରରେ ଜମିଗଲା ଭିଡ଼। ରୂପେଲି ପରଦାରେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ଦଉଡିଆସି ସିନେମା ହଲ୍ ଆଗରେ ଧାଡି ଲଗାଇଲେ ସିନେମାପ୍ରେମୀ। ଯାହାଙ୍କ ପାଇଁ ଏତେ ଉପମା ଆଉ ଏତେ ଅଳଙ୍କାର ସିଏ ହେଉଛନ୍ତି ଓଡିଆ ସିନେମାର ସର୍ବକାଳୀନ ରୋମାଣ୍ଟିକ ହିରୋ ଶରତ ପୂଜାରୀ।

ଅମଳିନ ଶରତ ପୂଜାରୀ

Sarat Pujari

Advertisment

ଭାଦ୍ର ଆଶ୍ୱୀନ ଶରତରେ, ନିର୍ମଳ ଶୋଭା ଜଗତରେ। ଶରତ ରତୁ ଆସିଲେ ନିର୍ମଳ ଶୋଭା ବିସ୍ତାରିତ ହୁଏ। ପ୍ରକୃତି ରାଣୀ ପତ୍ର ଝଡା ଦେଇ ପୁଣି ଥରେ ନୂଆ ରୂପ ନେବାକୁ ପ୍ରସ୍ତୁତ ହୁଏ। ଆଉ ତା’ ପରେ ପ୍ରକୃତି ରାଣୀର ଯେଉଁ ରୂପ ଆମ ସାମ୍ନାରେ ଉଭାହୁଏ, ତାହା ପ୍ରତିଟି ହୃଦୟକୁ ଜିଣିନିଏ। ଓଡ଼ିଶା ସିନେମା ଜଗତ ପ୍ରକୃତିର ଏହି ନିୟମରୁ ବାଦ ଯାଆନ୍ତା ବା କେମିତି ! କୁହାଯାଏ ଓଡ଼ିଆ ସିନେମା ଜଗତରେ ଶରତ ଯେବେ ଆବିର୍ଭାବ ହେଲେ, ରୂପେଲି ପରଦା ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା। ତାଙ୍କ ଆଗମନ ପରେ ଲାଇଟ୍ କ୍ୟାମେରା ଆକ୍ସନ ଦୁନିଆ ଚମକି ଉଠିଲା। ଚିକିମିକି ସିତାରା ହୋଇ ସିନେମାରେ ସେ ନିଜେ ଚମକିଲେ, ଆଉ ତାଙ୍କ ଚମକ ଦେଖି ବିମୁଗ୍ଧ ହୋଇଗଲେ ଅଗଣିତ ସିନେପ୍ରେମୀ । ଟିକେଟ୍‌ କାଉଣ୍ଟରରେ ଜମିଗଲା ଭିଡ଼। ରୂପେଲି ପରଦାରେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ଦଉଡିଆସି ସିନେମା ହଲ୍ ଆଗରେ ଧାଡି ଲଗାଇଲେ ସିନେମାପ୍ରେମୀ। ଯାହାଙ୍କ ପାଇଁ ଏତେ ଉପମା ଆଉ ଏତେ ଅଳଙ୍କାର ସିଏ ହେଉଛନ୍ତି ଓଡିଆ ସିନେମାର ସର୍ବକାଳୀନ ରୋମାଣ୍ଟିକ ହିରୋ ଶରତ ପୂଜାରୀ।

Advertisment
ଅମଳିନ ଶରତ ପୂଜାରୀ

୧୯୩୪ ମସିହା ଅଗଷ୍ଟ ୮ ତାରିଖରେ ନୟାଗଡ ଜିଲ୍ଲାର ଖଣ୍ଡପଡାରେ ଜନ୍ମଲାଭ କରିଥିଲେ ଶରତ। ପିଲାବେଳରୁ ଭଲ ପାଠ ପଢୁଥିଲେ। ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ସହ ଚିତ୍ରକଳାରେ ମଧ୍ୟ ଡିପ୍ଳୋମା ହାସଲ କରିଥିଲେ। ଆଉ ତା ପରେ ଆରମ୍ଭ ହୋଇଗଲା କର୍ମମୟ ଜୀବନ। ପିଲାଦିନରୁ ଶିକ୍ଷକତା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ତେଣୁ ପାଠପଢା ଶେଷ ପରେ ବରଗଡ କଲେଜରେ ଅଧ୍ୟାପକ ଭାବେ ଯୋଗଦେଲେ । ଚାଲିଲା ଅବିରତ ଶିକ୍ଷାଦାନ। ଅଧ୍ୟାପକରୁ ଅଧ୍ୟକ୍ଷ ପାଲଟିଲେ। ଲରମ୍ଭା କଲେଜ ନିଜ ଉଦ୍ୟମରେ ଗଠନ କରିବା ସହ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ। ଅଭିନୟର ରୁଚି ଆଉ ଏକ ଦିଗକୁ ଟାଣିନେଇଗଲା। ସାଧାରଣ ମହାବିଦ୍ୟାଳୟରୁ ପହଞ୍ଚିଗଲେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଆଉ ଏହି କଲେଜରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କଲେ। ପରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦବୀ ମଣ୍ଡନ କରିଛନ୍ତି। ତେବେ ଥକିଯାଇ ନାହାନ୍ତି ଶରତ ନିଜର ଏହି ସୁଦୀର୍ଘ ଜୀବନଯାତ୍ରାରେ।

ଅମଳିନ ଶରତ ପୂଜାରୀ

ଶରତ ପୂଜାରୀ ୬୦ ଦଶକର ସବୁଠୁ ଚୁଲବୁଲ ହିରୋ। କଥା କୁହା ଆଖିକୁ, ଜୀବନ୍ତ ଅଭିନୟ ତାଙ୍କୁ ଗଢିତୋଳିଥିଲା ଗ୍ଲାମର ହିରୋ ଭାବରେ। ୧୯୫୮ ମସିହାରେ ‘ମହାଲକ୍ଷ୍ମୀ ପୂଜା’ ଥିଲା ଶରତଙ୍କର ପ୍ରଥମ ସିନେମା। ଏଥିରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମିକାରେ ଅଭିନୟ କରିଥିଲେ। ପୌରାଣିକ କାହାଣୀକୁ ନେଇ ତିଆରି ହୋଇଥିଲା ଏହି ଫିଲ୍ମ। ସବୁଠୁ ବଡ଼କଥା ହେଲା, ତାଙ୍କର ଏହି ପ୍ରଥମ ଫିଲ୍ମକୁ ହିଁ ଜବରଦସ୍ତ ପସନ୍ଦ କରିଥିଲେ ଦର୍ଶକ। ଏହାପରେ ୧୯୬୩ ମସିହାରେ ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦଶନାରେ ତିଆରି ହୋଇଥିଲା ‘ଜୀବନ ସାଥୀ’। ଏହି ସିନେମାରେ ଅଭିନୟର ସୁଯୋଗ ପାଇଲେ ଶରତ। ଆଉ ତା’ ପରେ ପଛକୁ ଫେରି ଚାହିଁବାର ବେଳ ନାହିଁ। ଗୋଟିଏ ପରେ ଗୋଟେ ହିଟ୍ ଫିଲ୍ମ ଦେଇ ସେ ଦର୍ଶକମାନଙ୍କ ହୃଦୟରେ ରାଜ୍ କଲେ।

Advertisment

୧୯୬୬ ମସିହାର ସିନେମା ‘ମାଟିର ମଣିଷ’ରେ ବରଜୁ ଚରିତ୍ରରେ ଅଭିନୟକୁ ଭୁରି ଭୁରି ପସନ୍ଦ କରିଥିଲେ ଦର୍ଶକ। ସ୍ୱାଭିମାନୀ ମଣିଷ ବରଜୁ ଚରିତ୍ରରେ ତାଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା। ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ‘ମାଟିର ମଣିଷ’କୁ ନେଇ ଏହି ସିନେମା ତିଆରି କରିଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ମୃଣାଳ ସେନ୍। ସେହି ବର୍ଷ ମୁକ୍ତିଲାଭ କଲା ଏକ କିମ୍ବଦନ୍ତୀ ଚଳଚ୍ଚିତ୍ର କା’, ଯାହାର ମୂଳ ଲେଖକ ଥିଲେ ସାହିତ୍ୟିକ କାହ୍ନୁ ଚରଣ।

Advertisment

୧୯୬୭ ମସିହାରେ ବଡ ପରଦାରେ ଦର୍ଶକ ଶରତଙ୍କ ଅଭିନୀତ ଅରୁନ୍ଧତି ଦେଖିଲେ। ଏହି ସିନେମାରେ ମନୋଜ ଚରିତ୍ରରେ ଅଭିନୟ କରିଥିଲେ ଶରତ। ଶୁଣିବାକୁ ମିଳେ ଯେ, ସେତେବେଳେ ଶରତ ପୂଜାରୀ ଏବଂ ମିନତୀ ମିଶ୍ରଙ୍କ ଯୋଡି ସୁପର୍‌ହିଟ୍ ଥିଲା। ବେଷ୍ଟ ଫିଚର ଫିଲ୍ମ କାଟାଗୋରୀରେ ଏହି ସିନେମାକୁ ମିଳିଥିଲା ନ୍ୟାସ୍‌ନାଲ୍‌ ଆୱାର୍ଡ। ଶାନ୍ତୁନୁ ମହାପାତ୍ରଙ୍କ କମ୍ପୋଜିସନ୍‌ରେ ‘ମୟୁରୀ ଗୋ ତୁମ ଆକାଶେ ମୁଁ’ ଗୀତକୁ କିମ୍ବଦନ୍ତୀ ଗାୟକ ମହମ୍ମଦ ରଫି ଗାଇଥିଲେ, ଯାହା ଆଜି ମଧ୍ୟ ଅନେକ ସଙ୍ଗୀତ ସମାରୋହରେ କରତାଳି ସାଉଁଟେ। ଖାଲି ସେତିକି ନୁହେଁ, ଅରୁନ୍ଧତୀ ସିନେମାର ‘ତୁମକୁ ପାରୁନି ତ ଭୁଲି’ ଗୀତରେ ଶରତଙ୍କ ବିରହ ବେଦନାର ଅଭିନୟ ହୋଇଥିଲା ଅତ୍ୟନ୍ତ ଚମତ୍କାର।

ସେ ଯେ, କେବଳ କ୍ୟାମେରା ଆଗରେ ରହି ଅଭିନୟ କରିଛନ୍ତି, ତା’ ନୁହେଁ, ନିଜେ ବି ପରଦା ପଛର ନେପଥ୍ୟ ନାୟକ ସାଜି ଅନେକ ନାୟକ ସୃଷ୍ଟି କରିଛନ୍ତି । ୧୯୭୮ ମସିହାରେ ପ୍ରଥମେ ତଅପୋଇ ଚଳଚ୍ଚିତ୍ରରେ ନିର୍ଦ୍ଦଶେନା ଦେଲେ। ପ୍ରଥମ ସିନେମା ରିଲିଜ ହେବାର ୪ ବର୍ଷ ପରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ନାଟକରୁ ପ୍ରେରଣା ପାଇ ୧୬୮୨ରେ ‘ଅଶାନ୍ତ ଗ୍ରହ’ ସିନେମା ନିର୍ମାଣ କଲେ। ସେହି ବର୍ଷ ‘ଅସ୍ତରାଗ’ ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ନିଭାଇଥଲେ। ସବୁଠୁ କୌତୁହଳର କଥା ହେଲା, ଏହି ସିନେମାରେ ଶରତ ଜଣେ ନୂଆ କଳାକାରଙ୍କୁ ଏଣ୍ଟ୍ରି କରାଇଥିଲେ, ଯିଏ ପରବର୍ତୀ ସମୟରେ ରୂପେଲି ପରଦାରେ ରାଜ୍ କଲେ। ସେ ହେଉଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି।

ଅମଳିନ ଶରତ ପୂଜାରୀ

ଅନ୍ଧ ଦିଗନ୍ତ, କିଏ କାହାର, ତପସ୍ୟା, ସୂର୍ଯ୍ୟମୂଖୀ, ଜୀବନସାଥୀ, ଅରଣ୍ୟ ରୋଦନ, ମାନସୀ, ପତି ପତ୍ନୀ, ଜନ୍ମଦାତା, ମଥୁରା ବିଜୟ, ଅକ୍ଷୀ ତୃତିୟା, ଫୁଲ ଚନ୍ଦନ, ଭକ୍ତ ସାଲବେଗ, ଆଶାର ଆକାଶ ଏବଂ ଜୁଆଁଇ ପୁଅ ଭଳି ସିନେମାରେ ଅଭିନୟ କରି ପ୍ରଶଂସା ପାଇଛନ୍ତି । ୧୯୮୯ ମସିହାର ଭୁଖା ସିନେମାରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ବାରିହୋଇପଡେ। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦଶିତ ଏହି ସିନେମାରେ ଶରତ ପୂଜାରୀ ଏବଂ ସାଧୁମେହରଙ୍କ ଅଭିନୟ ବେଶ ଚମତ୍କାର ଥିଲା। ଭୁଖା ହେଉଛି ପ୍ରଥମ ଓଡିଆ ଫିଲ୍ମ ଯାହାକୁ ମିଳିଥିଲା ଇଣ୍ଟରନ୍ୟାସ୍‌ନାଲ୍‌ ଆୱାର୍ଡ । ୧୯୯୦ ମସିହାରେ ଗିଜନ୍ ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ ସ୍ପେନ୍‌ରେ ଜୁରି ଆୱାର୍ଡ ମିଳିଥିଲା। ଫ୍ରାନ୍ସରେ ୱାର୍ଲ୍ଡ ରୁରାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ବି ପ୍ରଶଂସା ସାଉଟିଁଥିଲା ଓଡିଆ ଫିଲ୍ମ ଭୁଖା।

ଏପରିକି ପ୍ରଥମ ଓଡିଆ ଶିଶୁ ଚଳଚ୍ଚିତ୍ର ‘ବାବୁଲା’ରେ ବି ଅଭିନୟ କରିଥିଲେ ଶରତ ଆଉ ଏହାର ନିର୍ଦ୍ଦଶନା ଦେଇଥିଲେ ସାଧୁମେହେର। ୧୯୯୪ ମସିହାରେ ଅପୂର୍ବ କିଶୋର ବୀର (ଏକେ. ବୀର)ଙ୍କ ହିନ୍ଦୀ ସିନେମା ‘ଆରଣ୍ୟକ’ରେ ରାଜା ସାହେବ ଚରିତ୍ରରେ ଅଭିନେତା ଶରତ ପୂଜାରୀ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିଲେ। ଗାଳ୍ପିକ ମନୋଜ ଦାସଙ୍କ ଲିଖିତ ‘ଆରଣ୍ୟକ’ ଉପରେ ଆଧିରିତ ଥିଲା ଏହି ହିନ୍ଦୀ ସିନେମା। ପୁନଶ୍ଚ, ୧୯୯୭ ସମିହାରେ ଏକେ. ବୀରଙ୍କ ‘ଶେଷ ଦୃଷ୍ଟି’ରେ ଜମିଦାର୍ ବାହାଦୁର୍ ସୂର୍ଯ୍ୟକାନ୍ତ ସିଂ ଭୂମିକାରେ ନଜର ଆସିଥିଲେ। ଏହା ଓଡିଆ ସାହିତ୍ୟର ବିଶିଷ୍ଟ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଉପରେ ଆଧାରିତ ଥିଲା।

ଅମଳିନ ଶରତ ପୂଜାରୀ

୪୦ରୁ ଅଧିକ ସିନେମାରେ ଅଭିନୟ କରିବା ସହିତ ୩ଟି ସିନେମାରେ ନିର୍ଦ୍ଦଶନା ଦେବା ସହ ଅନେକ ସିନେମାର ପ୍ରଯୋଜନା ବି କରିଛନ୍ତି ଶରତ। ‘ସାଧନା’ ସିନେମାକୁ ଯେଉଁ ୪ଜଣ ପ୍ରଯୋଜକ ମିଶିକି ତିଆରି କରିଥିଲେ ତା’ ଭିତରୁ ଶରତ ପୂଜାରୀ ଥିଲେ ଜଣେ। କଳାକୁ ଭଲ ପାଉଥିବା ଆଉ କଳାରେ ବଞ୍ଚୁଥିବା ମଣିଷ ଶରତ ପୂଜାରୀ ଭଲ ଚିତ୍ର ବି ଆଙ୍କିପାରୁଥିଲେ।

ଓଡିଆ ସିନେମାର ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓଲିଉଡ ଜଗତର ଏହି ରୋମାଣ୍ଟିକ ହିରୋ ଶରତ ପୁଜାରୀ। ୨୦୧୪ ମସିହା ମେ ମାସ ୧୨ ତାରିଖରେ ଆମ ଗହଣରୁ ବିଦାୟ ନେଇଥିଲେ ଏହି ଚୀର ସବୁଜ କଳାକାର ଶରତ ପୂଜାରୀ।

ରୋଜାଲିନ୍ ମିଶ୍ର

Ollywood Sarat Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ