Advertisment

Mahabharat Story: ବନ୍ଧୁ ଉପରେ ପ୍ରତିଶୋଧ ଓ ଘରେ ନିଆଁ ଲଗେଇ ଭାଇମାନଙ୍କୁ ପୋଡ଼ି ମାରିବା ଯୋଜନା

କାହିଁକି ନିଜର ପୁରୁଣା ପିଲାଦିନର ସାଙ୍ଗକୁ ନିଜ ଶିଷ୍ୟଙ୍କୁ ପଠେଇ ବାନ୍ଧି ଆଣିଲା ଜଣେ ସାଙ୍ଗ ? କାହିଁକି ନିଜ ଭାଇମାନଙ୍କୁ ଅନ୍ୟ ଜଣେ ଭାଇ ପୋଡି ମାରିବାର ଯୋଜନା କଲା? ପୁଣି ନିଆଁର ସେ ଚକ୍ରବ୍ୟୁହରୁ ସେମାନେ ଖସିଲେ କେମିତି ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Revenge on friends and plans to set fire to brothers

Revenge on friends and plans to set fire to brothers

ଶିଷ୍ୟମାନଙ୍କ ଭିତରେ ଅସ୍ତ୍ର ପ୍ରତିଯୋଗିତା ପରେ ଆଚାର୍ଯ୍ୟ ଦ୍ରୋଣ ଦିନେ ସମସ୍ତଙ୍କୁ ପାଖକୁ ଡାକିଲେ ଓ କହିଲେ ତୁମମାନଙ୍କର ଅସ୍ତ୍ର ଅସ୍ତ୍ର ଶିକ୍ଷା ତ ସରିଲା । ଏବେ ମୋତେ ତୁମମାନଙ୍କୁ ଗୁରୁ ଦକ୍ଷୀଣା ଦେବାକୁ ହେବ ।

Advertisment

ପାଞ୍ଚାଳର ରାଜା ଦ୍ରୁପଦଙ୍କ ଉପରେ ପ୍ରତିଶୋଧ ନେବାକୁ ଅନେକ ଦିନ ହେଲାଣି ଅପେକ୍ଷା କରି ରହିଥିଲେ ଆଚାର୍ଯ୍ୟ ଦ୍ରୋଣ । ଏବେ ସେ ସମୟ ଆସି ଉପସ୍ଥିତ । ଦ୍ରୋଣ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ତୁମମାନଙ୍କୁ ସମସ୍ତ ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ମୁଁ ପାରଙ୍ଗମ କରି ସାରିଛି । ଏବେ ଗୁରୁ ଦକ୍ଷୀଣା ଭାବରେ ମୋ ଆଗରେ ପାଞ୍ଚାଳ ନରେଶକୁ ବନ୍ଦୀ କରି ଆଣି ଛିଡାକର ।

ଗୁରୁ ଆଜ୍ଞା ଶୁଣି କୌରବ ଓ ପାଣ୍ଡବ ଭାଇମାନେ ଦ୍ରୁପଦଙ୍କ ଦେଶରେ ପହଞ୍ଚିଲେ । ପ୍ରଥମେ ଦ୍ରୁପଦଙ୍କ ଗୋଧନ ଅପହରଣ କରିବାକୁ ଉଦ୍ୟମ କରିବାରୁ ରାଜା ତାଙ୍କ ସୈନ୍ୟସାମନ୍ତ ଧରି ସମ୍ମୁଖ ଯୁଦ୍ଧକୁ ବାହାରି ଆସିଲେ । କିନ୍ତୁ ପାଣ୍ଡବ ଓ କୌରବମାନଙ୍କ ସାମ୍ନାରେ ସେ କେତେ ସମୟ ଠିଆ ହୋଇପାରିଥାନ୍ତେ? ଅଳ୍ପ ସମୟ ଭିତରେ ଅର୍ଜୁନଙ୍କ ରଥ ଦ୍ରୁପଦଙ୍କ ରଥର ନିକଟତର ହେଲା ଓ ଅର୍ଜୁନ ତାଙ୍କୁ ଅକ୍ଲେଶରେ ବାନ୍ଧି ନିଜ ରଥରେ ଧରି ଦୃତ ବେଗରେ ହସ୍ତିନା ପ୍ରସ୍ଥାନ କଲେ । ଅର୍ଜୁନଙ୍କ ରଥ ପଛେ ପଛେ ଅନ୍ୟମାନେ ବି ଫେରି ଆସିଲେ ।

Advertisment

ପରାଜିତ ଦ୍ରୁପଦଙ୍କୁ ସାମ୍ନାରେ ଦେଖି ଆଚାର୍ଯ୍ୟ ଦ୍ରୋଣ ପ୍ରଥମେ ହସିଲେ ଓ କହିଲେ, ହେ ବନ୍ଧୁ ତୁମେ ଏବେ ରାଜ୍ୟ ଓ ରାଜଗାଦି ହରାଇଲା ପରେ ଜଣେ ସାଧାରଣ ବନ୍ଦୀ ନାଗରିକ ମାତ୍ର । ପାଞ୍ଚାଳ ଦେଶ ଜୟ କରି ମୋ ଶିଷ୍ୟମାନେ ମୋତେ ଗୁରୁ ଦକ୍ଷୀଣା ଭାବରେ ଉପହାର ଦେଇସାରିଛନ୍ତି । ସେ ପୁରା ଦେଶ ଏବେ ମୋର । ତୁମର ମନେ ଅଛି ନା? ଦିନେ ଜଣେ ଗରୀବ ବ୍ରାହ୍ଣଣ, ଜଣେ ରାଜାର ବନ୍ଧୁ ହୋଇପାରିବନି ବୋଲି କହି, ହସି ହସି ଭରା ରାଜ ଦରବାରରେ ମୋତେ ଅପମାନିତ କରିଥିଲ । ଏବେ ମୁଁ ତୁମକୁ ସେମିତି ଆଦୌ ଅପମାନିତ କରିବିନି । ଏବେ ତୁମକୁ ଅଧା ରାଜ୍ୟ ମୁଁ ଦାନରେ ଦେଉଛି । ଅଧା ଦେଶ ତୁମର, ଅଧା ଦେଶ ମୋର । ଆଜି ଠାରୁ ଗଙ୍ଗା ନଦୀର ଦକ୍ଷୀଣ ଭାଗର ରାଜା ତୁମେ ଓ ଉତ୍ତର ଭାଗର ରାଜା ମୁଁ । ଏବେ ଆମେ ପ୍ରତିପତ୍ତିରେ ବରାବର ଆଉ ସମାସ୍କନ୍ଦ । ଆଶା କରୁଛି ଏବେ ମୋତେ ବନ୍ଧୁ ଭାବରେ ତୁମେ ନିଶ୍ଚୟ ସ୍ୱୀକାର କରିବ ।

ଅପମାନିତ ଲାଗୁଥିଲେ ବି ଦ୍ରୁପଦ ବାଧ୍ୟ ହସ ଖଣ୍ଡେ ହସିଲେ ଓ କହିଲେ ହଁ ଆମେ ଏବେ ବନ୍ଧୁ । ତାପରେ ଦ୍ରୁପଦ କାମ୍ପିଲ୍ୟକୁ ତାଙ୍କ ରାଜଧାନୀ କଲେ ଓ ଦ୍ରୋଣ ଅହିଛତ୍ରକୁ ରାଜଧାନୀ କରି ଦେଶ ଶାସନ କଲେ ।

Revenge on friends and plans to set fire to brothers ବନ୍ଧୁ ଉପରେ ପ୍ରତିଶୋଧ ଓ ଭାଇମାନଙ୍କୁ ନିଆଁ ଲଗେଇ ମାରିବା ଯୋଜନା

ସେପଟେ କୌରବ ଓ ପାଣ୍ଡବମାନଙ୍କ ଭିତରେ ସମ୍ପର୍କ ଆହୁରି ଖରାପ ହେବାକୁ ଲାଗିଥାଏ । କେହି କାହାକୁ ନିମିଶେ ମାତ୍ର ସହ୍ୟ କରିବାକୁ ପ୍ରସ୍ତୁତ ନଥାନ୍ତି । ଧିରେ ଧିରେ ଦେଶର ପ୍ରଜାମାନେ ପାଣ୍ଡବ ପାଞ୍ଚ ଭାଇଙ୍କ ସୁଗୁଣ ଓ କୌରବ ଶହେ ଭାଇଙ୍କ ଦୁର୍ଗୁଣ ଜାଣିବାକୁ ଲାଗିଥାନ୍ତି । ସମସ୍ତ ପ୍ରକାର ଖରାପ ଗୁଣ ଧରି ଜନ୍ମ ହେଇଥିବା କୌରବ ଭାଇମାନଙ୍କୁ ଆହୁରି କୁମନ୍ତ୍ରଣା ଯୋଗାଇ ଦେଉଥିଲେ ସେମାନଙ୍କର ମାମୁଁ ଶକୁନି ।

ଦୁର୍ଯ୍ୟୋଧନ କୌଣସି ପ୍ରକାର ହସ୍ତିନାପୁରର ସିଂହାସନ ଅନ୍ୟ କାହା ହାତରେ ଛାଡିବାକୁ ରାଜି ନଥିଲେ । ଦୁର୍ଯ୍ୟୋଧନଙ୍କର ଯୁକ୍ତି ଥିଲା ତାଙ୍କ ବାପା ବଡପୁଅ ହୋଇଥିଲେ ବି, ଅନ୍ଧ ବୋଲି ସାନଭାଇ ପଣ୍ଡୁଙ୍କୁ ରାଜଗାଦି ମିଳିଥିଲା । ଏବେ ତାଙ୍କ ବାପା ରାଜା ଓ ତାଙ୍କ ବଡ ପୁଅ ଅନ୍ଧ ନୁହଁନ୍ତି । ତେଣୁ ଧୃତରାଷ୍ଟ୍ରଙ୍କ ପୁଅ ଭାବରେ ସେ ହିଁ ହସ୍ତିନାପୁରର ପରବର୍ତ୍ତୀ ରାଜା ହେବା କଥା । ସେପଟେ କିନ୍ତୁ ରାଜ ଦରବାରରେ ବୟୋଜ୍ୟେଷ୍ଠ ହିତାକାଂକ୍ଷୀମାନେ ରାଜା ଧୃତରାଷ୍ଟ୍ରଙ୍କୁ ଉପଦେଶ ଦେଉଥିଲେ, ବଂଶର ବଡ ପୁଅ ଧାର୍ମିକ ଯୁଧିଷ୍ଠିରଙ୍କର ଏବେ ରାଜାଭିଷେକ କରାଯାଉ । ଦେଶର ପ୍ରଜାମାନେ ବି ଯୁଧିଷ୍ଠିରଙ୍କୁ ସେମାନଙ୍କ ପରବର୍ତ୍ତୀ ରାଜା ଭାବରେ ଦେଖିବାକୁ ଚାହୁଁଥାନ୍ତି ।

ଦିନେ ପାଖରେ କେହିନଥିବା ବେଳେ ଧୃତରାଷ୍ଟ୍ରଙ୍କ ପାଖରେ ଦୁର୍ଯ୍ୟୋଧନ ପହଞ୍ଚିଲେ । ପଚାରିଲେ ସେ କ'ଣ ପାଣ୍ଡବମାନଙ୍କ ହାତରେ ସିଂହାସନ ଟେକିଦେବାକୁ ମନସ୍ଥ କରିଛନ୍ତି କି? ଏମିତି ଯଦି ହୁଏ ତେବେ ପାଣ୍ଡବମାନେ ଆମ ଶହେ ଭାଇଙ୍କୁ ବହୁତ ହଇରାଣ କରିବେ ।

ଦୁର୍ଯ୍ୟୋଧନଙ୍କ କଥା ଶୁଣି ପୁତ୍ର ପ୍ରେମରେ ଅନ୍ଧ ଧୃତରାଷ୍ଟ୍ର କହିଲେ ବାପ, ଏମିତି କ'ଣ ହେଇପାରିବ? ତୋର ଏ ପ୍ରସ୍ତାବକୁ ଭୀଷ୍ମ, ବିଦୁର, କୃପ, ଦ୍ରୋଣ ଓ ଅନ୍ୟ ମନ୍ତ୍ରୀ, ଅମାତ୍ୟମାନେ ନିଶ୍ଚୟ ବିରୋଧ କରିବେ । ତୁ ଧର୍ମର ରାସ୍ତା କଥା କହୁନୁ । ସେମାନେ ସମସ୍ତେ ଜାଣନ୍ତି, ଧର୍ମ ପଥରେ ସଦା ଚାଲୁଥିବା ପଣ୍ଡୁ, ହସ୍ତିନାର ରାଜା ଥିବା ସମୟରେ ମୋ ପ୍ରତି ଓ ଆମ ପରିବାର ପ୍ରତି ତା'ର କେତେ ସମ୍ମାନ ଓ ଭଲପାଇବା ଥିଲା । ପରିବାରର ବଡ ପୁଅ ଭାବରେ ପଣ୍ଡୁ ପୁତ୍ର ହିଁ ରାଜା ହେବା କଥା । ଯଦିଓ ହୃଦୟ ଭିତରେ ମୁଁ ଚାହେଁ ତୁ ମୋ ପରେ ରାଜ ସିଂହାସନ ଆରୋହଣ କର ।

ଧୃତରାଷ୍ଟ୍ରଙ୍କ ଅନ୍ତର କଥା ଜାଣି ସାରିଲା ପରେ ଦୁର୍ଯ୍ୟୋଧନ ଓ ଶକୁନି ତାଙ୍କ କାମରେ ଲାଗିପଡିଲେ । ସେମାନେ ଏଥର ବହୁତ ବଡ ଗୋଟେ ଯୋଜନାକୁ ଫଳବତୀ କରିବାକୁ ଜାଲ ବିଛାଇବା ଆରମ୍ଭ କଲେ । ଦୁର୍ଯ୍ୟୋଧନ ପ୍ରଥମେ ଦ୍ରୋଣଙ୍କ ପୁଅ ଅଶ୍ୱତ୍ଥମାଙ୍କୁ ନିଜ ପଟକୁ ଆଣିଲେ । ଦୁର୍ଯ୍ୟୋଧନ ସ୍ଥିର ନିଶ୍ଚିନ୍ତ ଥିଲେ ଅଶ୍ୱତ୍ଥମା ତାଙ୍କୁ ସମର୍ଥନ କଲେ ତାଙ୍କ ବାପା ଦ୍ରୋଣ ଓ ମାମୁଁ କୃପ ତାଙ୍କୁ ବିରୋଧ କରିବେନି । ତାପରେ କିଛି ଅମାତ୍ୟମାନଙ୍କୁ ଅର୍ଥ ଓ ଭୟ ଦେଖାଇ ବଶ କରାଗଲା । ଯୋଜନା କରି ପାଣ୍ଡଵମାନଙ୍କୁ ହସ୍ତିନାପୁରରୁ ଦୂରକୁ ପଠେଇବାକୁ କିଛି ଅମାତ୍ୟଙ୍କ ମୁହଁରେ ବାର ବାର ବାରଣାବତ ନଗର ବିଷୟରେ କୁହାଗଲା । ଯେମିତି ବାରଣାବତ ନଗର ପାଣ୍ଡବମାନଙ୍କ ଦୃଷ୍ଟି ଆକର୍ଷଣ କରିବ । ବାରବାର ବାରଣାବତ ନଗର ବିଷୟରେ ଶୁଣି ଦିନେ ପାଣ୍ଡବ ଭାଇମାନେ ସାଙ୍ଗରେ ମା କୁନ୍ତିଙ୍କୁ ଧରି ସେଠାକୁ ବୁଲିଯିବାକୁ ବାହାରିଲେ ।

ବାହାରିଲା ବେଳକୁ ବିଦୁର ପହଞ୍ଚି ଯୁଧିଷ୍ଠିରଙ୍କୁ କହିଲେ ଅନ୍ଧ ଲୋକର ଦିଗ ଜ୍ଞାନ କିଛି ନଥାଏ । ତେଣୁ ସେ ବାଟ କ'ଣ ଜାଣିପାରେନି ଓ କେଉଁ ଦିଗରେ ଦେଶକୁ ନବ ବୁଝିପାରେନି । ମନେରଖ କେବଳ ଖଣ୍ଡା, ଧନୁ କି ଗଦାକୁ ଅସ୍ତ୍ର ଭାବିବନି । ଅନେକ ପ୍ରକାରର ଅସ୍ତ୍ର ଅଛି । କିଛି ଅଦୃଶ୍ୟ ଅସ୍ତ୍ର ବି ଅଛି ।ମୋର ଏତିକି ଉପଦେଶ ବାହାର ଯାଗାରେ ସବୁବେଳେ ଆଖି କାନ ଖୋଲା ରଖିଥିବ ଓ ସତର୍କ ରହିଥିବ । ଏତିକି କହି ବିଦୁର ତାଙ୍କ ରାସ୍ତାରେ ଚାଲିଗଲେ ।

ଦୂର୍ଯ୍ୟୋଧନ ଯାହା ଚାହୁଁଥିଲେ ଯୋଜନା ମୁତାବକ ତାହାହିଁ ହେଲା । ପାଣ୍ଡବମାନେ ବାରଣାବତରେ ପହଞ୍ଚିବା ଆଗରୁ ସେ ତାଙ୍କର ଅତ୍ୟନ୍ତ ବଶମ୍ବଦ ପୁରୋଚନ ନାମକ ଜଣେ ଅନୁଚରକୁ ଗୁପ୍ତରେ ଏକ ଗୁରୁ ଦାୟିତ୍ୱ ଦେଲେ । କହିଲେ ପଣ୍ଡୁ ପରିବାର ପାଇଁ ଗୋଟେ ନୂଆ ଘର ଶୀଘ୍ର ସେଠି ତିଆରି କରାଯିବ । ସେମାନେ ସେଇଠି ରହିବେ । ଘର ତିଆରି ହେବ କାଠ, ବାଉଁଶ, ବେତ ଓ ଘାସରେ । କାନ୍ଥର ମାଟିରେ ଘିଅ, ପ୍ରଚୁର ପରିମାଣର ବିଭିନ୍ନ ପ୍ରକାର ତୈଳବୀଜ ଓ ଲାଖ ଆଦି ଶୀଘ୍ର ନିଆଁ ଲାଗିଯାଉଥିବା ଜିନିଷର ବହୁଳ ବ୍ୟବହାର କରାଯିବ । ଘରର ସମସ୍ତ ଆସବାବପତ୍ର କେବଳ କାଠରେ ହିଁ ତିଆରି ହେବ । ଘର ତିଆରି ସରିଲେ ପାଣ୍ଡବ ପାଞ୍ଚଭାଇ ଓ ତାଙ୍କ ମାଆ କୁନ୍ତି ସେଠି କିଛିଦିନ ବାସ କଲାପରେ ଦିନେ ସୁବିଧା ଦେଖି ରାତିରେ ନିଆଁ ଲଗେଇ ଦିଆଯିବ। ଦାୟିତ୍ୱ ଦେଇସାରି ବିରୋଚନକୁ ସତର୍କ କରାଇଦେଲେ ଦୁର୍ଯ୍ୟୋଧନ କହିଲେ, ଏ କଥା କାନରୁ ଦିଇ କାନ ଯେମିତି ନହୁଏ ।

Revenge on friends and plans to set fire to brothers ବନ୍ଧୁ ଉପରେ ପ୍ରତିଶୋଧ ଓ ଭାଇମାନଙ୍କୁ ନିଆଁ ଲଗେଇ ମାରିବା ଯୋଜନା

ନିର୍ଦ୍ଦିଷ୍ଟ ଦିନରେ ପଞ୍ଚୁ ପାଣ୍ଡବ ଓ ମାଆ କୁନ୍ତୀ ସମସ୍ତଙ୍କ ଠାରୁ ବିଦାୟ ନେଇ ରଥ ଚଢି ବାରଣାବତ ବାହାରିଗଲେ । ବାରଣାବତ ନଗରବାସୀ ପାଣ୍ଡବମାନଙ୍କୁ ପାଖରେ ପାଇ ବଡ ଖୁସିହେଲେ ଓ ନଗରରେ ଉତ୍ସବ ପାଳନ ହେଲା । ପାଣ୍ଡବ ଭାଇମାନେ ଖୁସି ଯେ ସତରେ ନଗରୀଟି ଖୁବ ସୁନ୍ଦର ହେଇଛି । ବିରୋଚନ ବି ସେମାନଙ୍କର ଖୁବ୍ ଚର୍ଚ୍ଚା କଲା । ରାଜ ପରିବାରର ସେ ଏକମାତ୍ର ବଶମ୍ବଦ ଓ ଅନୁଗତ ବୋଲି ଅଭିନୟ କରୁଥାଏ । ସବୁବେଳେ ସତର୍କ ମଧ୍ୟ ଥାଏ । ଯେମିତି ତା' ଅଭିନୟ ଧରା ନପଡେ ।

କିଛିଦିନ ପରେ ବିରୋଚନ ପାଣ୍ଡବମାନଙ୍କ ପାଇଁ ତିଆରି କରୁଥିବା ସୁଦୃଶ୍ୟ ଓ ଅତ୍ୟନ୍ତ ମନୋରମ ଘର ପ୍ରସ୍ତୁତ ହୋଇଗଲା। ଭାଇମାନେ ଘର ଦେଖି ବହୁତ ଖୁସି ହେଲେ । ପ୍ରଶସ୍ଥ କୋଠରୀ, ବୃହତ ଅଗଣା, ଚମତ୍କାର କାରୁକାର୍ଯ୍ୟ ହେଇଥିବା କବାଟ, ଝରକା, ଖଟ ଓ ପଲଙ୍କ । ଘର ଦେଖିଲା ପରେ ଯୁଧିଷ୍ଠିରଙ୍କ ଆଗରେ ଏଥର ସବୁକିଛି ସ୍ପଷ୍ଟ ହେଇଗଲା । ସେ ବୁଝିଗଲେ ବିରୋଚନ କାହା କଥାରେ କ'ଣ କରିବାକୁ ଚାହୁଁଛି ଓ ସେମାନେ ଏଠାକୁ ଆସିଲା ବେଳକୁ ବିଦୁର ସେମାନଙ୍କୁ କାହିଁକି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଦୁର୍ଯ୍ୟୋଧନର ଯୋଜନା ବୁଝାପଡିଗଲା । ପାଣ୍ଡବ ଭାଇମାନେ ଚାହୁଁନଥିଲେ ବିରୋଚନର ମନରେ କିଛି ସନ୍ଦେହ ଆସୁ । ସେମାନେ ଚୁପ ଚାପ ସେଇ ନୂଆ ତିଆରି ଜଉ ଘରେ ସତର୍କତାର ସହ ରହିବାକୁ ଆରମ୍ଭ କଲେ । ଦିନେ ରାତିରେ ଜଣେ ବ୍ୟକ୍ତି ଆସି ସେମାନଙ୍କୁ ଗୁପ୍ତରେ ଦେଖା କଲା ଓ କହିଲା ତାକୁ ବିଦୁର ପଠେଇଛନ୍ତି । ଲୋକଟି ସିନ୍ଧି ଖୋଳିବା କଳାରେ ଧୁରନ୍ଧର । କଥା ହେଲା ସମସ୍ତଙ୍କ ଅଗୋଚରରେ ସେ ଲୋକ ଘର ଭିତରୁ ଜଙ୍ଗଲ ପର୍ଯ୍ୟନ୍ତ ସିନ୍ଧି ଖୋଳିବ ଓ ସମୟ ଅସିଲେ ସେଇ ସିନ୍ଧି ସୁଡଙ୍ଗ ଦେଇ ପାଣ୍ଡବ ପାଞ୍ଚଭାଇ ଓ ମାଆ କୁନ୍ତୀ ନିରାପଦରେ ସେ ଘରୁ ବାହାରକୁ ଖସିଯାଇପାରିବେ ।

ବିରୋଚନର ମିଛ ଆତିଥ୍ୟ ସ୍ୱୀକାର କରି ପାଣ୍ଡବମାନେ ସେ ଘରେ ଥାଆନ୍ତି । ଘର ଭିତରେ ଅତ୍ୟନ୍ତ ଗୋପନୀୟ ଭାବରେ ସୁଡଙ୍ଗ ଖୋଳା ଚାଲିଥାଏ । ଦିନେ ସୁଡଙ୍ଗ ଖୋଳା କାମ ସରିଲା। ପରଦିନ କୁନ୍ତୀ ସେ ଘରେ ଏକ ଭୋଜିର ଆୟୋଜନ କଲେ । ଭୋଜିରେ ଅନେକ ନଗରବାସୀ ଓ ସେମାନଙ୍କ ପରିବାର ଲୋକେ ଯୋଗ ଦେଇଥାନ୍ତି । ଭୋଜି ପରେ ସେମାନେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ । ଭୋଜିକୁ ଖାଇବା ସନ୍ଧାନରେ ଏକ ନିଷାଦ ପରିବାରର ଜଣେ ମା ଓ ତାର ପାଞ୍ଚ ପୁଅ ବି ଭୋଜିକୁ ଆସିଥାନ୍ତି। ସେମାନେ ଖାଇ ପିଇ ସାରିଲା ପରେ ଆଉ ରାତିରେ ଘରକୁ ଫେରିଲେନି । ସେଇଠି ଶୋଇଗଲେ । ଦାଣ୍ଡ ଘରେ ବିରୋଚନ ବି ଶୋଇଥାଏ । ସେଇ ରାତିକୁ ସୁବର୍ଣ୍ଣ ସୁଯୋଗ ଭାବି, ରାତି ଅଧରେ ଭୀମ ସେନ ଦାଣ୍ଡ ପଟରୁ ବିରୋଚନର ଶୋଇବା ପାଖରେ ହିଁ ନିଆଁ ଲଗେଇଲେ । ନିଆଁ ଲାଗୁ ଲାଗୁ ପାଞ୍ଚ ଭାଇ ଓ କୁନ୍ତୀ ତରତରରେ ସୁଡଙ୍ଗରେ ପଶି ଜଙ୍ଗଲ ଆଡକୁ ଚାଲିଗଲେ। ପାଣ୍ଡବମାନେ ଜାଣିଥିଲେ, ଏବେ ଦୁନିଆ ଆଖିରେ ସେମାନେ ସମସ୍ତେ ମୃତ । ଏବେ କିଛି ଦିନ ସେମାନଙ୍କୁ ଦୁର୍ଯ୍ୟୋଧନ ଓ ତା ଚରମାନଙ୍କ ପାଖରୁ ଲୁଚିକି ରହିବାକୁ ହେବ ।

ଚାହୁଁ ଚାହୁଁ ଘିଅ, ତେଲ ମଞ୍ଜି ଓ ଜଉରେ ତିଆରି ଘରକୁ ଅଗ୍ନିଦେବ ଜିଭ ବୁଲେଇ ନେଲେ । ଚାରି ପାଖରେ ବରୁଣବନ୍ତର ନଗରବାସୀ ଛାତି ପିଟି କାନ୍ଦୁଥାନ୍ତି ସିନା କିଛି କରିପାରୁନଥାନ୍ତି । ସକାଳକୁ ନିଆଁର ପ୍ରକୋପ କମିଲା ପରେ ନଗରବାସୀ ଦେଖିଲେ କୁନ୍ତୀ ଓ ତାଙ୍କ ପାଞ୍ଚ ପୁଅଙ୍କ ସାଙ୍ଗରେ ବିରୋଚନ ବି ପୋଡି ମରିଯାଇଛି ।

ହସ୍ତିନାପୁରରେ ଖବର ପହଞ୍ଚିଲା । ସମସ୍ତେ ଶୋକ ଓ ଦୁଃଖରେ ମ୍ରିୟମାଣ ହେଇଗଲେ । କୌରବ ଭାଇମାନେ କିନ୍ତୁ ଖୁସିହେଲେ। ମନେ ମନେ ସବୁଠାରୁ ଅଧିକ ଖୁସିହେଲେ ଦୁର୍ଯ୍ୟୋଧନ । ମାମୁଁ ଶକୁନି ଓ ସେ ମିଶି ଯେଉଁ ଯୋଜନା କରିଥିଲେ ତା ସଫଳ ହେଇଛି । ପାଣ୍ଡବ ନାମକ କଣ୍ଟା ସବୁଦିନ ପାଇଁ ତାଙ୍କ ରାସ୍ତାରୁ ହଟି ଯାଇଛି । ଏଣିକି ସେ ନିଷ୍କଣ୍ଟକ ହୋଇ ହସ୍ତିନାର ରାଜ ସିଂହାସନ ଆରୋହଣ କରିପାରିବେ ।

ବିଦୁର ଚୁପ ଚାପ ଥିଲେ । ଭାବୁଥିଲେ ପାଣ୍ଡବ ପରିବାର ଏବେ ଜଙ୍ଗଲରେ କ'ଣ କରୁଥିବେ? କ'ଣ ଖାଉଥିବେ, କୋଉଠି ଶୋଉଥିବେ?

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
Advertisment
Advertisment