• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ ଏହା ସ୍ପଷ୍ଟ ହୋଇଛି । ଗତବର୍ଷ ସର୍ବାଧିକ ପର୍ଯ୍ୟଟକ ଆସିଥିବା ଟପ୍ ଟେନ୍ ରାଜ୍ୟ ଭିତରେ ଓଡ଼ିଶାର ସ୍ଥାନ ନାହିଁ । ଗୋଟିଏ ପଟେ ଓଡ଼ିଶା ପର୍ଯ୍ୟଟନକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟପଟେ ଅନେକ ପର୍ଯ୍ୟଟନ କେନ୍ଦ୍ର କେତେ ଫମ୍ପା, ତାହା ସ୍ପଷ୍ଟ କରିଛି କେନ୍ଦ୍ରର ରିପୋର୍ଟ ।

ମହକ ହରାଉଛି କି ଓଡ଼ିଶା ପର୍ଯ୍ୟଟନ? ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ  ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା । ଡୋମେଷ୍ଟିକ୍ ଟୁରିଷ୍ଟ୍ ରାଙ୍କିଙ୍ଗ୍‌ରେ ୧୮ ଓ ଫରେନ୍ ଟୁରିଷ୍ଟ୍ ରାଙ୍କିଙ୍ଗରେ ୨୦ତମ ସ୍ଥାନରେ ରହିଛି ଆମ ରାଜ୍ୟ ।

ଗତବର୍ଷ ୩୭ ଲକ୍ଷ ୪୨ ହଜାର ୨୨୧ ଭାରତୀୟ ପର୍ଯ୍ୟଟକ ଆସିଥିବା ବେଳେ, ବିଦେଶରୁ ଆସିଛନ୍ତି ମାତ୍ର ୨ହଜାର ୨୬୯ ଜଣ । ୨୦୨୦ରେ ଏହାଠୁ ଅଧିକ ଟୁରିଷ୍ଟ୍ ଆସିଥିଲେ । ମୋଟାମୋଟି କହିବାକୁ ଗଲେ, ଗତବର୍ଷ ଦେଶରେ ବୁଲାବୁଲି କରିଥିବା ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ଶତକଡ଼ା ୧ ଭାଗ ବି ଓଡ଼ିଶା ଆସିନାହାନ୍ତି । କେବଳ ଏତିକି ନୁହେଁ, ଏଏସ୍‌ଆଇ ଟିକେଟେଡ୍ ମନ୍ୟୁମେଣ୍ଟ ବା ଐତିହ୍ୟସ୍ଥଳ ବର୍ଗରେ ବି ଓଡ଼ିଶା ପଛରେ ପଡ଼ିଛି । ବିଦେଶୀ ପର୍ଯ୍ୟଟକ ବୁଲିଥିବା ଟପ୍‌ ଟେନ୍‌ ମନ୍ୟୁମେଣ୍ଟ ଭିତରେ ଓଡ଼ିଶାରୁ ଗୋଟିଏ ବି ନଥିବା ବେଳେ, ଭାରତୀୟ ପର୍ଯ୍ୟଟକ ବୁଲିଥିବା ଟପ୍‌ ଟେନ୍‌ ମନ୍ୟୁମେଣ୍ଟ୍ ଭିତରେ କେବଳ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି, ତା ବି ୭ ନମ୍ବରରେ ।

ଟୁରିଜିମ୍ ସର୍କିଟ୍, ବ୍ଲୁ ଫ୍ଲାଗ୍ ବିଚ୍, ଇକୋ ରିଟ୍ରିଟ୍, ଇକୋଟୁରିଜିମ୍, ଆଉ ତା ସହିତ ବିଭିନ୍ନ ମେଳା ମହୋତ୍ସବ । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଉଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଏହାର ବାସ୍ତବତା କଣ, ତାହା କେନ୍ଦ୍ରର ପର୍ଯ୍ୟଟନ ପରିସଂଖ୍ୟାନ ରିପୋର୍ଟରୁ ସ୍ପଷ୍ଟ ହେଉଛି ବୋଲି ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ଆର୍‌ ଯାଦବ କହିଛନ୍ତି ଯେ, କରୋନା ଲକ୍‌ଡାଉନ ପାଇଁ ପର୍ଯ୍ୟଟନ ପ୍ରଭାବିତ ହୋଇଛି । ତେବେ ଚଳିତବର୍ଷ ଏଥିରେ ସୁଧାର ଆସିବ ଏବଂ ଏଥିପାଇଁ ସରକାର ବହୁ ଅଭିନବ ପଦକ୍ଷେପ ନେଉଛନ୍ତି ।

ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ, ତାମିଲନାଡ଼ୁକୁ ସବୁଠୁ ଅଧିକ ଭାରତୀୟ ପର୍ଯ୍ୟଟକ ଯାଇଥିବା ବେଳେ, ପଞ୍ଜାବ ବୁଲିଛନ୍ତି ସର୍ବାଧିକ ବିଦେଶୀ ପର୍ଯ୍ୟଟକ । ବିଦେଶୀଙ୍କୁ ତାମିଲନାଡ଼ୁର ମାମଲ୍ଲାପୁରମ୍ ଏବଂ ଭାରତୀୟ ପର୍ଯ୍ୟଟକଙ୍କୁ ଆଗ୍ରା ତାଜମହଲ ଅଧିକ ଆକୃଷ୍ଟ କରିଛି ।

(ରିପୋର୍ଟର- ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ ଓ ପୁରୀରୁ ପ୍ରଦୀପ ମହାନ୍ତି)