Astrospeak
  • Live TV
  • Read In English

Mahabhart Story: ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀ ଓ ପାତ୍ରରୁ ଜନ୍ମିତ ଜଣେ ଧନୁର୍ଦ୍ଧରଙ୍କ କାହାଣୀ

ଘର ସଂସାର ଛାଡି କାହିଁକି ରାଜମାତା ସାନ୍ୟାସିନୀ ହେଲେ? କେମିତି ତୀର ଧାର ଉପରେ ଜନ୍ମିଲେ ଯାଆଁଳା ଭାଇ ଭଉଣୀ? କାହିଁକି ଜଣେ ରାଜା ତାଙ୍କ ପିଲାଦିନର ଗରିବ ସାଙ୍ଗକୁ ଅପମାନିତ କଲେ ଭରା ରାଜ ଦରବାରରେ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

Twins born on the edge of the arrow
ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀ କାହାଣୀ

ପଣ୍ଡୁ ଓ ମାଦ୍ରୀଙ୍କ ଶ୍ରାଦ୍ଧ ଆଦି ସମସ୍ତ କର୍ମ କର୍ମାଣୀ ସରିଲା । ବ୍ୟାସଦେବ ଦେଖିଲେ ତଥାପି ପରିବାରରୁ କେହି ବି ସେ ଶୋକ ଓ ଦୁଃଖରୁ ବାହାରି ପାରୁନାହାଁନ୍ତି । ଦିନେ ବ୍ୟାସ ଦେବ ମାଆ ସତ୍ୟବତୀଙ୍କ ପାଖରେ ବସି କଥା ହେଉଥିବା ବେଳେ କହିଲେ – ମାଆ ସୁଖର ସମୟ ଏଥର ସରିଲା ଜାଣନ୍ତୁ। ଏବେ ଦୁଃଖର ସମୟ ଆସୁଛି । ମୁଁ ଦେଖିପାରୁଛି କଳା ବାଦଲ କେମିତି ହସ୍ତିନାପୁରର ଆକାଶ ଆଡକୁ ଧିରେ ଧିରେ ଘୋଟି ଆସୁଛି । ଏବେ ପରିବାର ଆଉ ସଂସାରର ମାୟା ତ୍ୟାଗ କରି ସନ୍ୟାସିନୀର ଜୀବନ ଅତିବାହିତ କରିବାକୁ ମୋ ସହ ବାହାରି ଆସନ୍ତୁ । ପରିବାର ପ୍ରତି ଆପଣଙ୍କର ଦାୟିତ୍ୱ ବି ସରିସାରିଛି । ନିଜ ଆଖିରେ ଆପଣ ଆପଣଙ୍କ ହାତ ଗଢା ପରିବାର ଓ ବଂଶର କ୍ଷୟ ଦେଖିପାରିବେନି। ପୁଅ ବ୍ୟାସଦେବଙ୍କ କଥାରେ ସତ୍ୟବତୀ ଭୀଷ୍ମଙ୍କ ପାଖରୁ ଅନୁମତି ନେଇ ଦୁଇ ବୋହୂ ଅମ୍ବିକା ଓ ଅମ୍ବାଳିକାଙ୍କୁ ସାଙ୍ଗରେ ଧରି ଜଙ୍ଗଲକୁ ବାହାରି ଗଲେ।

ଅଧିକ ପଢ଼ନ୍ତୁ: Mahabharat Story: ଶତ ମାଟି ପାତ୍ରରୁ ଶତ ପୁତ୍ରଙ୍କ ଜନ୍ମ ଘଟଣା ଓ ଅଭିଶପ୍ତ ରାଜାଙ୍କ ମୃତ୍ୟୁ ବୃତ୍ତାନ୍ତ

କିଛି ଦିନ କଟିଗଲା । ସଜ ଦୁଃଖ ପୁରୁଣା ହେଇ ଆସିଲା । ସମୟ ପୁରୁଣା କ୍ଷତକୁ ଆଉଁଷି ଆଉଁଷି କଷ୍ଟ ଲାଘବ କରିଦେଲା।

ହସ୍ତିନାପୁରର ରାଜନଅର ଆଜି କାଲି ବେଶି ଚଳ ଚଞ୍ଚଳ । ଧୃତରାଷ୍ଟ୍ରଙ୍କର ଶହେ ପୁଅ ଓ ପଣ୍ଡୁଙ୍କର ପାଞ୍ଚ ପୁଅଙ୍କର ଗହଳି ଚହଳି । ପିଲାମାନଙ୍କର ମା ଓ ଦାସଦାସୀ ସେଇମାନଙ୍କ ପାଖରେ । ସବୁ ଖେଳ କୁଦ ଭିତରେ କିନ୍ତୁ ଶହେ ଭାଇଙ୍କ ସହ ପଞ୍ଚୁ ପାଣ୍ଡବଙ୍କର ସମ୍ପର୍କ ଭଲ ନଥାଏ । ଦୁର୍ଯ୍ୟୋଧନ ଓ ତାଙ୍କ ଅନ୍ୟ ଭାଇମାନେ ପାଣ୍ଡବ ପାଞ୍ଚ ଭାଇଙ୍କୁ ସହି ପାରୁନଥାନ୍ତି । ମଧ୍ୟମ ପାଣ୍ଡବ ଭୀମ ଏକା ଶହେ ଭାଇଙ୍କୁ ବଡ ହଇରାଣ କରୁଥା'ନ୍ତି । କେବେ ଦଶ କୌରବ ଭାଇଙ୍କୁ ଏକା ସାଙ୍ଗରେ ଧରି ପାଣିରେ ବୁଡାଇ ଦେଉଥା'ନ୍ତି ତ କେବେ ସେମାନେ ଗଛରେ ଚଢିଥିବା ବେଳେ ଗଛ ମୂଳକୁ ହଲାଇ ସେମାନଙ୍କୁ ତଳକୁ ଖସେଇ ପକାଉଥା'ନ୍ତି । ସେଇଥିରେ ସବୁଦିନ କାହାର ଗୋଡ ଭାଙ୍ଗୁଥାଏ ଓ କାହାର ପୁଣି ମୁଣ୍ଡ ଫାଟୁଥାଏ । କୌରବ ଭାଇମାନେ ଶତ ଚେଷ୍ଟା କରି ବି ମିଳିମିଶି ଭୀମସେନଙ୍କର କିଛି କ୍ଷତି କରିପାରୁନଥା'ନ୍ତି ।

ସେଥିପାଇଁ ଦୁର୍ଯ୍ୟୋଧନ ସବୁବେଳେ ଉପାୟ ଓ ସଠିକ ବେଳାର ଅନୁସନ୍ଧାନରେ ଥାଆନ୍ତି, କେମିତି ଭୀମସେନଙ୍କୁ ବାଟରୁ ସବୁଦିନ ପାଇଁ ହଟେଇ ପାରିବେ ।

ଭାଇମାନେ ମିଳିମିଶି ଜଳ କ୍ରୀଡା କରିବା ପାଇଁ ଏକ ବିଶାଳ ପୁଷ୍କରିଣୀ ଥାଏ । ଖେଳ ପରେ ବିଶ୍ରାମ ନେବାକୁ ଘରଟିଏ ବି ଥାଏ । ଥରେ ଭୀମ ଜଳ କ୍ରୀଡା ସାରି ହାଲିଆ ହୋଇ ବିଶ୍ରାମ ନେଉ ନେଉ ଗଭୀର ନିଦ୍ରାରେ ଶୋଇ ପଡିଥା'ନ୍ତି । ଦୂର୍ଯ୍ୟୋଧନ ଏମିତି ଏକ ସମୟର ଅପେକ୍ଷାରେ ଥିଲେ । ସେଦିନ ନିଦରେ ଶୋଇଥିବା ଭୀମଙ୍କୁ ଅନ୍ୟ ଭାଇମାନଙ୍କ ସହାୟତାରେ ଭଲରେ ଦଉଡିରେ ବାନ୍ଧି ଗଭୀର ପାଣିକୁ ଫିଙ୍ଗିଦେଲେ । ପାଣିରେ ପଡିଲା ପରେ ଭୀମଙ୍କର ହୋସ୍ ଆସିଲା ଓ ସେ ବନ୍ଧା ଦଉଡିକୁ ଛିଡାଇ ଉପରକୁ ଆସିଗଲେ । ପ୍ରଥମ ଉଦ୍ୟମ ବିଫଳ ହେଲା ପରେ ଥରେ ଭୀମ ଶୋଇଥିବା ସମୟରେ ତାଙ୍କ କୋଠରୀ ଭିତରକୁ କିଛି ବିଷଧର ସାପଙ୍କୁ ଛାଡିଦେଲେ ଦୂର୍ଯ୍ୟୋଧନ । କିନ୍ତୁ ସାପମାନେ ଭୀମଙ୍କୁ ଦଂଶନ କରିପାରିଲେନି । ବରଂ ନିଦ ଭାଙ୍ଗିଲା ପରେ ଭୀମ ଓଲଟି ସବୁ ସାପଙ୍କୁ ମାରି ପକାଇଲେ । ଭୀମ ଖାଇବାକୁ ବହୁତ ଭଲ ପାଉଥିଲେ । ସେମିତି ଆଉଥରେ ଭୀମଙ୍କୁ ମାରିବାକୁ ତାଙ୍କୁ ବିଷ ମିଶା ଲଡୁ ପୁଳାଏ ଆଣି ଦିଆଗଲା । ବିଷ କିନ୍ତୁ ଭୀମଙ୍କର କିଛି ବି କ୍ଷତି କରିପାରିଲାନି। ବିଷ ଲଡୁ ଖାଇ ତାକୁ ହଜମ କରିଦେଲେ ଭୀମ । ଶତ ଚେଷ୍ଟା କଲାପରେ ବି ଦୁର୍ଯ୍ୟୋଧନ ଓ ତାଙ୍କ ସାନ ଭାଇମାନେ ଭୀମଙ୍କର କିଛି କ୍ଷତି କରିପାରୁନଥା'ନ୍ତି ।

ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀଙ୍କ କାହାଣୀ

ଶରଦ୍ୱତଙ୍କ ଜାଆଁଳା ପିଲା :

ମହର୍ଷି ଗୌତମଙ୍କର ପୁଅଟିଏ ହେଲା । ପୁଅର ନାମ ଦିଆଗଲା ଶରଦ୍ୱତ। ଶରଦ୍ୱତ ପିଲାଦିନରୁ ବେଦ ଅଧ୍ୟୟନ ଓ ଯଜ୍ଞ ଆଦି କର୍ମ ଅପେକ୍ଷା ଧର୍ନୁବିଦ୍ୟା ପ୍ରତି ଅଧିକ ଆକର୍ଷିତ ଥାଆନ୍ତି ଓ ସେଇଥିରେ ଅଧିକରୁ ଅଧିକ ସାଧନା କରୁଥା'ନ୍ତି । ଶରଦ୍ୱତଙ୍କ ଧର୍ନୁବିଦ୍ୟାରେ ସାଧନା, ପାରଦର୍ଶିତାକୁ କିନ୍ତୁ ଦେବରାଜ ଇନ୍ଦ୍ର ସହଜରେ ଗ୍ରହଣ କରିପାରିଲେନି । ଶରଦ୍ୱତଙ୍କ ସାଧନା ଭଙ୍ଗ କରିବାକୁ ସେ ଜନପଦୀ ନାମକ ଜଣେ ଅପସରୀଙ୍କୁ ଶରଦ୍ୱତଙ୍କ ପାଖକୁ ପଠେଇଲେ । ଜନପଦୀ ଝିନ ବସନ ପରିଧାନ କରି ଓ ନିଜକୁ ଅତ୍ୟନ୍ତ ଆକର୍ଷଣୀୟ କରି ସଜେଇ ଶରଦ୍ୱତଙ୍କ ପାଖରେ ପହଞ୍ଚିଲେ । ଏକାନ୍ତରେ ଧର୍ନୁବିଦ୍ୟା ସାଧନା କରୁଥିବା ଶରଦ୍ୱତ ସେଠି ସୁନ୍ଦରୀ ଅପସରୀଙ୍କକୁ ଦେଖି ହଠାତ୍ ବିଚଳିତ ତ ହେଲେ, କିନ୍ତୁ ପରମ ସଞ୍ଜମତାରେ ନିଜର କାମ ପ୍ରବଣତାକୁ ଆକଟ କରି ରଖିଲେ । ତଥାପି ତାଙ୍କ ହାତରୁ ଧନୁ ଓ ତୀର ଆପେ ତଳକୁ ଖସିପଡିଲା । ନିଜକୁ ଯେତେ ଅଟକାଇଲେ ମଧ୍ୟ ଅଜଣାତରେ ତାଙ୍କ ଶରୀରରେ କିନ୍ତୁ ତାର ପ୍ରଭାବ ଦେଖାଗଲା ଓ ହଠାତ୍ ରେତ ସ୍ଖଳନ ହେଇଗଲା । ଶରଦ୍ୱତ ତୁରନ୍ତ ସେ ସ୍ଥାନ ଛାଡି ଚାଲିଗଲେ। ସେତେବେଳକୁ ସ୍ଖଳିତ ରେତ ଧନୁ ତୀର ଉପରେ ପଡି ଦୁଇ ଭାଗରେ ବିଭକ୍ତ ହୋଇଯାଇଥାଏ । ସେଉଠୁ ଦୁଇ ଯାଆଁଳା ପିଲାଙ୍କର ଜନ୍ମ ହେଲା । ଗୋଟେ ପୁଅ ଓ ଗୋଟେ ଝିଅ।

ଅଧିକ ପଢ଼ନ୍ତୁ: Mahabharat Story: ମନ୍ତ୍ର ବଳରେ ଦେବତାଙ୍କୁ ପୃଥିବୀକୁ ଡାକି ପୁତ୍ର ଜନ୍ମ କରିଥିବା ଜଣେ ମାଆର କାହାଣୀ

ସେଦିନ ହସ୍ତିନାପୁରର ରାଜା ଶାନ୍ତନୁ ଶିକାର ପାଇଁ ଜଙ୍ଗଲକୁ ଯାଇଥା'ନ୍ତି । ରାଜାଙ୍କର ଜଣେ ସୈନ୍ୟ ଜଙ୍ଗଲ ଭିତରେ ଦୁଇ ପିଲାଙ୍କୁ ଏକା ଦେଖି ସେମାନଙ୍କୁ ଧରି ରାଜାଙ୍କ ପାଖକୁ ଆଣିଲା ଓ କହିଲା ସେ ଏଇ ପିଲା ଦୁଇଙ୍କ ପାଖରେ ଧନୁ ଓ ତୀର ସାଙ୍ଗରେ କଳା ହରୀଣର ଚମଡା ଦେଖିବାକୁ ପାଇଲା । ଶାନ୍ତନୁ ବୁଝିଗଲେ ପିଲା ଦୁଇ ଜଣ ଧର୍ନୁବିଦ୍ୟା ସାଧନା କରୁଥିବା କୌଣସି ଜଣେ ବ୍ରାହ୍ମଣର ସନ୍ତାନ । ରାଜା ଶାନ୍ତନୁ ଦୁଇ ପିଲାଙ୍କୁ ସାଙ୍ଗରେ ଧରି ରାଜନଅରକୁ ଆସିଲେ ଓ ସେମାନଙ୍କର ଳାଳନ ପାଳନର ଦାୟିତ୍ୱ ନେଲେ । ପୁଅର ନାମ କୃପ ଓ ଝିଅର ନାମ କୃପି ରଖାଗଲା ।

କିଛିଦିନ ପରେ ଶରଦ୍ୱତ ନିଜର ଶକ୍ତିବଳରେ ଜାଣିପାରିଲେ ତାଙ୍କର ପିଲାମାନେ ଏବେ ହସ୍ତିନାପୁରରେ ରାଜା ଶାନ୍ତନୁଙ୍କ ଦ୍ୱାରା ପାଳିତ । ସେ ଦିନେ ହସ୍ତିନାପୁରରେ ପହଞ୍ଚି ନିଜ ପରିଚୟ ଦେବା ସହ କୃପ ଓ କୃପିଙ୍କ ବଂଶ ପରିଚୟ ଦେଲେ । ଅନକେ ବର୍ଷର ସାଧନା ଫଳରେ ଶରଦ୍ୱତ ଧର୍ନୁବିଦ୍ୟାରେ ଯାହା ଜାଣିଥିଲେ ନିଜ ପୁଅ କୃପଙ୍କୁ ଶିକ୍ଷା ଦେଲେ ।

ଭୀଷ୍ମ ଯେତେବେଳେ ଦେଖିଲେ ଘରର ପିଲାମାନେ କେବଳ ଖେଳ କୁଦ ଓ ଯାବତୀୟ ଦୁଷ୍ଟାମୀରେ ସମୟ କାଟୁଛନ୍ତି, ସେ ସେତେବେଳେ ସେମାନଙ୍କ ବିଦ୍ୟା ଶିକ୍ଷା କରିବାର ଦାୟିତ୍ୱ କୃପଙ୍କୁ ଦେଲେ। କୃପଙ୍କ ଭଉଣୀ କୃପୀଙ୍କର ବାହାଘର ମହର୍ଷି ଭରଦ୍ୱାଜଙ୍କ ପୁଅ ଦ୍ରୋଣଙ୍କ ସହ ହେଲା ।

ପୁରୁଣା ଦିନର କଥା । ଥରେ ମହର୍ଷି ଭରଦ୍ୱାଜ ଯଜ୍ଞ ପାଇଁ ପ୍ରସ୍ତୁତ ହେଉଥା'ନ୍ତି । ହଠାତ୍ ଋଷି ଦେଖିଲେ କିଛି ଦୂରରେ ଗଙ୍ଗା ନଦୀରେ ଘୃତାଚୀ ନାମକ ଜଣେ ଅପରୂପା ସୁନ୍ଦରୀ ଅପସରୀ ସ୍ନାନ କରୁଛି। ମହର୍ଷିଙ୍କ ଆଖି ସେପଟେ ପଡୁ ପଡୁ ପବନରେ ସେ ଅପସରୀଙ୍କ ପିନ୍ଧା ଲୁଗା ତଳକୁ ଖସିପଡିଲା । ଏପରି ଦୃଶ୍ୟ ଦେଖିବା ଫଳରେ ମହର୍ଷି ଭରଦ୍ୱାଜଙ୍କର ଆକସ୍ମିକ ଭାବରେ ରେତ ସ୍ଖଳନ ହୋଇଗଲା । ରେତକୁ ନଷ୍ଟ ନକରି ମହର୍ଷି ସେଇ ପାଖରେ ଥିବା ଏକ ଖାଲି ପାତ୍ରରେ ତାକୁ ରଖିନେଲେ । ସେଇ ପାତ୍ରରୁ ପୁଅଟିଏ ଜନ୍ମ ନେଲା । ମହର୍ଷି ଭରଦ୍ୱାଜ ପୁଅର ନାମ ରଖିଲେ ଦ୍ରୋଣ । ପୁଅକୁ ସମସ୍ତ ବୈଦିକ ଶାସ୍ତ୍ର ସହ ଅସ୍ତ୍ରଶସ୍ତ୍ର ଶିକ୍ଷାର ବ୍ୟବସ୍ଥା କଲେ ଭରଦ୍ୱାଜ ।

ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀଙ୍କ କାହାଣୀ

ପୃଷତ ନାମରେ ମହର୍ଷି ଭରଦ୍ୱାଜଙ୍କର ଜଣେ ବନ୍ଧୁ ଥାଆନ୍ତି। ସେ ପାଞ୍ଚାଳ ଦେଶର ରାଜା । ପୃଷତଙ୍କର ଦ୍ରୋଣଙ୍କ ବୟସର ଦ୍ରୁପଦ ନାମର ପୁଅଟିଏ ଥାଏ । ଦ୍ରୁପଦ ଅନେକ ସମୟରେ ଦ୍ରୋଣଙ୍କ ସହ ଖେଳ ଖେଳିବାକୁ ଓ ପାଠ ପଢିବାକୁ ଭରଦ୍ୱାଜଙ୍କ ଆଶ୍ରମକୁ ଆସୁଥା'ନ୍ତି । ଦୁହିଁଙ୍କ ଭିତରେ ବେଶ୍ ନିବିଡ଼ ବନ୍ଧୁତା ଥାଏ ।

କିଛି ବର୍ଷ ପରେ ପୃଷତଙ୍କର ମୃତ୍ୟୁ ହେଲା ଓ ପିତାଙ୍କ ଅନ୍ତେ ଦ୍ରୁପଦ ପାଞ୍ଚାଳ ଦେଶର ରାଜା ହେଲେ । ମହର୍ଷି ଭରଦ୍ୱାଜଙ୍କର ବି ସ୍ୱର୍ଗବାସ ହେଲା । ଦ୍ରୋଣ ତାଙ୍କ ବାପାଙ୍କ ଇଚ୍ଛା ଅନୁସାରେ ଶରଦ୍ୱତଙ୍କ ଝିଅ କୃପୀଙ୍କୁ ବିବାହ କଲେ । କିଛି ଦିନ ପରେ ତାଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ହେଲା । ଜନ୍ମ ବେଳେ ଘୋଡା ପରି ଉଚ୍ଚ ସ୍ୱର କରିଥିବାରୁ ଦ୍ରୋଣ ପୁଅର ନାମ ଅଶ୍ୱତ୍ଥମା ଦେଲେ । ପୁଅକୁ ଜୀବନରୁ ବଳି ଭଲପାଉଥାନ୍ତି ଦ୍ରୋଣ। ଦ୍ରୋଣ ଆର୍ଥିକ ଦିଗରୁ ବଡ଼ ଦରିଦ୍ର ଥାଆନ୍ତି ।

ଅଧିକ ପଢ଼ନ୍ତୁ: ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି ଓ ଜଣେ ଅନ୍ଧ ରାଜପୁତ୍ରଙ୍କ ଜନ୍ମ ବୃତ୍ତାନ୍ତ

ଥରେ ଦ୍ରୋଣ ଖବର ପାଇଲେ ଋଷି ଜମଦଗ୍ନୀଙ୍କ ପୁଅ ମହା ପ୍ରତାପୀ ପର୍ଶୁରାମ ନିଜର ସବୁ କିଛି ଦାନ କରିଦେଉଛନ୍ତି । ଖବର ଶୁଣି କିଛି ଧନ ସମ୍ପତ୍ତି ମିଳିବା ଆଶାରେ ଦ୍ରୋଣ ବି ଯାଇଁ ସେଠି ପହଞ୍ଚିଲେ ଓ ନିଜ ପରିଚୟ ଦେଲେ। ଦ୍ରୋଣଙ୍କୁ ଦେଖି ପର୍ଶୁରାମ କହିଲେ, ମୁଁ ତ ମୋର ସବୁ କିଛି ଧନ ରତ୍ନ ଦାନ କରିସାରିଲିଣି । ଏବେ ମୋ ପାଖରେ ମୋ ଶରୀର ଓ ଅନେକ ଗୁଡ଼େ ଦିବ୍ୟ ଅସ୍ତ୍ର ଶସ୍ତ୍ର ଛାଡି ଆଉ କିଛି ବି ନାହିଁ । ତଥାପି ହେ ବ୍ରାହ୍ମଣ, ଶୀଘ୍ର କୁହ ତୁମର କ'ଣ ଏଥିରୁ କିଛି ଦରକାର କି? ପର୍ଶୁରାମଙ୍କ କଥା ଶୁଣି ଦ୍ରୋଣ କହିଲେ, ଦେବାର ଅଛି ଯଦି ଆପଣଙ୍କର ଅସ୍ତ୍ର ଶସ୍ତ୍ର ସବୁ ମୋତେ ଦୟାକରି ଦେଇଦିଅନ୍ତୁ । ତା' ସାଙ୍ଗରେ ଦିବ୍ୟ ଅସ୍ତ୍ରକୁ କ୍ଷେପଣ କରିବା ଓ ତାକୁ ଫେରାଇ ଆଣିବାର ଗୁପ୍ତ ବିଦ୍ୟା ବି ଶିଖାଇ ଦିଅନ୍ତୁ ।

ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀଙ୍କ କାହାଣୀ

ତାପରେ ପର୍ଶୁରାମଙ୍କ ଠାରୁ ସମସ୍ତ ଅସ୍ତ୍ର ଶସ୍ତ୍ର ସହ, ଦିବ୍ୟ ଅସ୍ତ୍ରମାନଙ୍କର ବ୍ୟବହାର ଶିଖିଲା ପରେ ଦ୍ରୋଣ ଫେରିଆସିଲେ। ଖୁସିର ଖବର କାହାକୁ ଦେବେ ଭାବି ସେ ତାଙ୍କର ପିଲାଦିନର ବନ୍ଧୁ ତଥା ପାଞ୍ଚାଳ ନରେଶ ଦ୍ରୁପଦଙ୍କୁ ଦେଖା କରିବାକୁ ତାଙ୍କ ଦରବାରରେ ହଞ୍ଚିଲେ । କିନ୍ତୁ ଦ୍ରୋଣଙ୍କ ଆନନ୍ଦ ନିମିଷେକ ଭିତରେ ମିଳେଇଗଲା । କାରଣ ରାଜା ଦ୍ରୁପଦ ଦ୍ରୋଣଙ୍କୁ ବନ୍ଧୁ ହିସାବରେ ସ୍ୱୀକାର କରିବାକୁ ଅନିଚ୍ଛୁକ ଥିଲେ । ରାଜାଙ୍କ କହିବା ଅନୁସାରେ ଜଣେ ଗରିବ ବ୍ରାହ୍ମଣର ଜଣେ ରାଜା ସାଙ୍ଗରେ ବନ୍ଧୁତା ଅସମ୍ଭବ। ବନ୍ଧୁତା କେବଳ ସମାସ୍କନ୍ଧଙ୍କ ଭିତରେ ହିଁ ସମ୍ଭବ । ସେ ପିଲାଦିନର ବନ୍ଧୁତା କଥା ମନେ ପକାଇ ଏତେ ଦିନ ପରେ ତାଙ୍କ ପାଖରେ ଦ୍ରୋଣଙ୍କ ପହଞ୍ଚିବାକୁ ନେଇ ଖୁବ ହସିଲେ ରାଜା ।

ପିଲାଦିନର ବନ୍ଧୁ ଏମିତି ଭରା ସଭାରେ ତାଙ୍କୁ ବନ୍ଧୁ ବୋଲି ସ୍ୱୀକାର ନକରି କଟୁ କଥା କହି ଅପମାନିତ କରିବା ଦେଖି ମନେ ମନେ ଖୁବ ଦୁଃଖିତ ଓ କ୍ଷୁବ୍ଧ ହେଲେ ଦ୍ରୋଣ । ଦିନେ ନା ଦିନେ ତାଙ୍କୁ ପିଲାଦିନର ଅନ୍ତରଙ୍ଗ ବନ୍ଧୁ ଓ ଆଜିର ପାଞ୍ଚାଳ ନରଶେ ଦ୍ରୁପଦ ଦେଇଥିବା ଅପମାନର ପ୍ରତିଶୋଧ ସେ ନିଶ୍ଚୟ ନେବେ ଭାବିଲେ। ଏମିତି ଏକ ଶପଥ କରି ସେଠାରୁ ତରତରରେ ବାହାରି ଆସିଲେ ଦ୍ରୋଣ। ନିରୋଳାରେ କିଛି ସମୟ ବସି ଭାବିଲା ପରେ ଦ୍ରୋଣ ଠିକ୍ କଲେ ସେ ହସ୍ତିନାପୁର ହିଁ ଯିବେ। ସେଇଠି ହୁଏତ ତାଙ୍କୁ ସବୁ ସମସ୍ୟା ସାମାଧାନର ରାସ୍ତା ସହଜରେ ମିଳିଯିବ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀ ଓ ମୃଗ ମାରି ଅଭିଶାପ ପାଇଥିବା ଜଣେ ରାଜାଙ୍କ କାହାଣୀ