Odia Mythology Legend: ବାଲି ତଳେ ଶୋଇଥିବା ଦାନବ ଓ ବ୍ୟାଧର ତତ୍ତ୍ୱ ଜ୍ଞାନ କଥା

ମଧୁ କୈଟଭ କିଏ? ବିଷ୍ଣୁଙ୍କୁ ସେମାନେ କ'ଣ ବର ଦେଲେ? ବାଲି ତଳେ ଶୋଇ ରହୁଥିଲା କେଉଁ ଅସୁର? ନିଆଁ ବାହାର କରୁଥିବା ସେ ଦାନବ ମଲା କେମିତି? ବେଦଜ୍ଞ ବ୍ରାହ୍ମଣ ମାଂସ କାଟି ବିକୁଥିବା ବ୍ୟାଧ ପାଖରୁ କେମିତି ପାଇଲେ ତତ୍ତ୍ୱ ଜ୍ଞାନ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ

ମାର୍କଣ୍ଡେୟ ଧୁନ୍ଧୁ ଦାନବ କଥା କହିବାକୁ ଆରମ୍ଭ କଲାରୁ ଯୁଧିଷ୍ଠିର ପଚାରିଲେ କିଏ ସେହି ଦାନବ? ହେ ମୁନିବର ତାର ପରିଚୟ ଓ କାହାଣୀ ମୋତେ ଦୟାକରି କୁହନ୍ତୁ ।

ମାର୍କଣ୍ଡେୟ କହିଲେ, ହେ ରାଜନ ସମଗ୍ର ସଂସାର ପ୍ରଳୟ ଜଳରେ ବୁଡ଼ିଗଲା ଓ ବିଷ୍ଣୁ ଶେଷ ନାଗ ଶେଯରେ ଶୟନ କଲେ । ଅନେକ କାଳ ପରେ ବିଷ୍ଣୁଙ୍କ ନାଭିରୁ ଏକ ପଦ୍ମ ଫୁଲ ବାହାରିଲା ସେଥିରୁ ବ୍ରହ୍ମା ଉତ୍ପନ୍ନ ହେଲେ । ବ୍ରହ୍ମା ଚାରି ମୁଖରେ ଚାରିବେଦ ପଢ଼ିବାକୁ ଆରମ୍ଭ କଲେ ।

ମଧୁ ଓ କୈଟଭ ନାମରେ ଦୁଇ ଅସୁର ଦେଖିଲେ ମହା ତେଜ ଧରି ମୁଣ୍ଡରେ କିରୀଟୀ, ଗଳାରେ କୌସ୍ତୁଭ ମଣି, ହଳଦୀ ରଙ୍ଗର ପାଟଲୁଗା ପିନ୍ଧି ଯୋଜନ ବିସ୍ତୀର୍ଣ୍ଣ ନାଗ ଶେଯ ଉପରେ ବିଷ୍ଣୁ ନିଶ୍ଚିନ୍ତରେ ଶୋଇଛନ୍ତି । ସେମାନେ ପଦ୍ମରେ ବସିଥିବା ବ୍ରହ୍ମାଙ୍କୁ ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ଦୁହେଁ ବ୍ରହ୍ମାଙ୍କୁ ଡରେଇବାକୁ ଚେଷ୍ଟାକଲାରୁ ବ୍ରହ୍ମା ପଦ୍ମ ପାଖୁଡ଼ା ବନ୍ଦ କରିଦେଲେ । ପଦ୍ମ ବୁଜି ହୋଇ ବିଷ୍ଣୁଙ୍କ ନାଭି ଭିତରକୁ ଚାଲିଗଲା ପରେ ବିଷ୍ଣୁ ଅନନ୍ତ ଶୟନରୁ ଉଠିଲେ ।

ଦୁଇ ଅସୁରଙ୍କୁ ଦେଖି ବିଷ୍ଣୁ କହିଲେ, 'ତୁମ ଦୁହିଁଙ୍କୁ ଦେଖି ମୁଁ ଖୁସି ହେଲି । ଏବେ ମୋତେ କେଉଁ ବର ମାଗୁଛ ମାଗ।' ମଧୁ ଓ କୈଟଭ ଦୁହେଁ ବିଷ୍ଣୁଙ୍କ କଥା ଶୁଣି ହସି ହସି କହିଲେ, 'ଆମକୁ ବର ଦରକାର ନାହିଁ ଆମେ ବର ନେବୁନୁ ଦେବୁ । ତୁମେ ଆମକୁ କି ବର ଦେବ ବରଂ ତୁମର କ'ଣ ଇଚ୍ଛା ଅଛି ମାଗ । ଆମେ ପୂରଣ କରିବୁ ।'

ବିଷ୍ଣୁ ସ୍ମିତ ହାସ ଖେଳାଇ କହିଲେ 'ହଉ ସେଇଆ ହେଉ। ସଂସାରର ମଙ୍ଗଳ ପାଇଁ ତୁମ ଦୁହିଁଙ୍କୁ ମୁଁ ମାରିବି ବୋଲି ମୋତେ ବର ଦିଅ ।' ମଧୁ ଓ କୈଟଭ କହିଲେ, 'ପ୍ରଭୁ ଭାଗ୍ୟକୁ କେହି ଏଡାଇ ପାରିବେନି । ଆମେ କେବେବି ମିଛ କହିନୁ, ପାପ କାମ କିଛି କରିନୁ, ସଦା ଧର୍ମର ରାସ୍ତାରେ ଚାଲିଛୁ । ବଳ, ଶୌର୍ଯ୍ୟ, ସୌନ୍ଦର୍ଯ୍ୟ ଓ ଇନ୍ଦ୍ରୀୟ ଦମନରେ ଆମ ପରି ଆଉ କେହି ନାହାଁନ୍ତି। ହଉ ମାରିବାକୁ ଇଚ୍ଛା କରିଛନ୍ତି ଯଦି ମାରନ୍ତୁ । ଆମର କିନ୍ତୁ ଇଚ୍ଛା ଆମକୁ ଯେ କୌଣସି ଖୋଲା ଜାଗାରେ ମାରିବେନି ।' ବିଷ୍ଣୁ କହିଲେ ହଉ। ପ୍ରଳୟ ଜଳରେ ପୃଥିବୀ ଆକାଶ ଏକାକାର । କୋଉଠି ବି ଖାଲି ଜାଗା ନାହିଁ । ବିଷ୍ଣୁ ତାଙ୍କ ଜଙ୍ଘ ଉପରେ ମଧୁ ଓ କୈଟଭଙ୍କୁ ପକାଇ ସୁଦର୍ଶନ ଚକ୍ରରେ ଦୁହିଁଙ୍କ ମୁଣ୍ଡ କାଟ କଲେ ।

ମଧୁ ଓ କୈଟଭଙ୍କର ଗୋଟେ ପୁଅ ଥିଲା । ତା'ର ନାମ ଧୁନ୍ଧୁ । ଧୁନ୍ଧୁ ଗୋଟେ ପାଦରେ ଠିଆହୋଇ ପ୍ରଚଣ୍ଡ ତପସ୍ୟା କଲା । ତପସ୍ୟାରେ ସନ୍ତୁଷ୍ଟ ହୋଇ ପିତାମହ ବ୍ରହ୍ମା ତା' ଆଗରେ ପ୍ରକଟ ହୋଇ ପଚାରିଲେ କି ବର ମାଗୁଛୁ ମାଗ । ଧୁନ୍ଧୁ କହିଲା; ସେ ଦେବ, ଦାନବ, ଗନ୍ଧର୍ବ ଓ ଯକ୍ଷଙ୍କ ହାତରେ ମରିବନି । ବ୍ରହ୍ମା କହିଲେ 'ତଥାସ୍ତୁ' ।

ବ୍ରହ୍ମାଙ୍କ ପାଖରୁ ବର ପାଇଲା ପରେ ଧୁନ୍ଧୁ ଅତ୍ୟାଚାର ଆରମ୍ଭ କରିଦେଲା । ମଧୁ ଓ କୈଟଭଙ୍କ ମରିବା କଥା ତା'ର ମନରେ ଥାଏ । ଦେବତା, ଗନ୍ଧର୍ବ ଓ ଯକ୍ଷମାନଙ୍କୁ ବହୁତ ପୀଡ଼ା ଦେଲା । ଧୁନ୍ଧୁ ଯାଇ ଉତ୍ତଙ୍କ ଋଷିଙ୍କ ଆଶ୍ରମ ପାଖ ମରୁଭୂମିରେ ଲୁଚିକି ରହିଲା । ତା'ର ଖର ନିଶ୍ୱାସରେ ଉଡୁଥିବା ବାଲି ସାଙ୍ଗରେ ନିଆଁ ସମସ୍ତଙ୍କୁ ଅସହ୍ୟ ହେଉଥାଏ । ଦିନେ ଧୁନ୍ଧୁକୁ ମାରିବାକୁ ଉତ୍ତଙ୍କ ଋଷି ରାଜା କୁବଳାଶ୍ୱଙ୍କୁ କହିଲେ । ରାଜା କୁବଳାଶ୍ୱ ତାଙ୍କର ଏକୋଇଶି ହଜାର ବଳୁଆ ଯୋଦ୍ଧା ପୁଅଙ୍କୁ ସାଙ୍ଗରେ ଧରି ଧୁନ୍ଧୁ ଅସୁରକୁ ମାରିବାକୁ ଆସିଲେ । ରାଜା ଓ ଦାନବର ଯୁଦ୍ଧ ଦେଖିବାକୁ ସ୍ୱର୍ଗରୁ ଦେବତା, ଗନ୍ଧର୍ବ ଓ ଯକ୍ଷମାନେ ଆସି ଆକାଶରେ ଅପେକ୍ଷା କରି ରହିଲେ ।

ଧୁନ୍ଧୁକୁ ଖୋଜିବାକୁ ରାଜା କୁବଳାଶ୍ୱଙ୍କ ଏକୋଇଶି ହଜାର ପୁଅ ସାତ ଦିନ ଧରି ବାଲି ଖୋଳିବାକୁ ଲାଗିଲେ । ଦାନବ ବାଲି ଭିତରେ ଲୁଚି କୁମ୍ଭକର୍ଣ୍ଣ ପରିକା ଶୋଇଥାଏ । ସୂର୍ଯ୍ୟଙ୍କ ପରି ଦେହ ତା'ର ଜଳୁଥାଏ । କୁବଳାଶ୍ୱଙ୍କ ପୁଅମାନେ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଧରି ନିଦରେ ଶୋଇଥିବା ଧୁନ୍ଧୁକୁ ପ୍ରଥମେ ଆକ୍ରମଣ କଲେ । ଧୁନ୍ଧୁର ନିଦ ଭାଙ୍ଗିଗଲା ଓ ସେ ଭୀଷଣ କ୍ରୋଧରେ ପାଟିରୁ ନିଆଁ ବାହାର କରି କୁବଳାଶ୍ୱଙ୍କ ପୁଅମାନଙ୍କୁ ସିଧା ଭଷ୍ମ କରିଦେଲା । କୁବଳାଶ୍ୱ ଆଉ ଡେରି ନକରି ଦାନବର ଦେହ ଓ ମୁହଁରୁ ବାହାରୁଥିବା ନିଆଁକୁ ଦେଖି ବିଷ୍ଣୁଶକ୍ତିରେ ନିଜ ଦେହରୁ ପାଣି ବାହାର କରି ପ୍ରଥମେ ନିଆଁକୁ ଶୀତଳ କଲେ ଓ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଦାନବକୁ ନିଧନ କଲେ । ଦାନବର ମରଣ ପରେ ରାଜା କୁବଳାଶ୍ୱ ଧୁନ୍ଧୁମାର ନାମରେ ବିଖ୍ୟାତ ହେଲେ ।

ଅଧିକ ପଢ଼ନ୍ତୁ: ସ୍ବର୍ଗରୁ ଆସିଥିବା ଜଣେ ରାଜା ଓ ସବୁଠାରୁ ବୟସ୍କ ବୁଢ଼ା ଖୋଜିବାର କାହାଣୀ

ଦାନବ ଦମନ ପରେ ଦେବତା ଓ ବ୍ରହ୍ମର୍ଷିମାନେ ପ୍ରୀତ ହୋଇ ରାଜାଙ୍କୁ ବର ମାଗିବା ପାଇଁ କହିବାରୁ ରାଜା କୁବଳାଶ୍ୱ କହିଲେ ସେ ସବୁବେଳେ ଧର୍ମର ରାସ୍ତାରେ ରହିବେ, ଶତ୍ରୁଜୟ କରିବେ ଓ ଶେଷରେ ସ୍ୱର୍ଗ ପ୍ରାପ୍ତି କରିବେ । ଦେବତାମାନେ ତଥାସ୍ତୁ କହିଲେ। ତାପରେ ରାଜା କୁବଳାଶ୍ୱ ଅନେକ ବର୍ଷ ଦେଶ ଶାସନ କଲାପରେ ଦିନେ ସ୍ୱର୍ଗବାସ କଲେ । ରାଜାଙ୍କର ଦୃଢ଼ାଶ୍ୱ, କପିଳାଶ୍ୱ ଓ ଚନ୍ଦ୍ରାଶ୍ୱ ନାମରେ ତିନି ପୁଅ ବଞ୍ଚିକରି ଥିଲେ । ସେମାନେ ଇକ୍ଷାକୁ ବଂଶକୁ ଆଗକୁ ନେଲେ ।

କୁବଳାଶ୍ୱ ଓ ଧୁନ୍ଧୁ ଦାନବ କଥା ଶୁଣିସାରିଲା ପରେ ମାର୍କଣ୍ଡେୟ ଋଷିଙ୍କୁ ଯୁଧିଷ୍ଠିର ପଚାରିଲେ, ମହର୍ଷି ମୁଁ ମହାନ ନାରୀମାନଙ୍କ କଥା କିଛି ଶୁଣିବାକୁ ଚାହୁଁଛି । ଯୁଧିଷ୍ଠିରଙ୍କ ଆଗ୍ରହ ଦେଖି ମାର୍କଣ୍ଡେୟ କହିଲେ କୌଶିକ ନାମରେ ଜଣେ ବ୍ରାହ୍ମଣ ଥିଲେ । ଥରେ ସେ ଗୋଟେ ଗଛ ତଳେ ବସି ବେଦ ଅଧ୍ୟୟନ କରୁଥାନ୍ତି । ସେତିକିବେଳେ ହଠାତ୍ ତାଙ୍କ ଉପରେ ଗଛରେ ବସିଥିବା ବଗ ଗୋଟେ ଝାଡ଼ା କରିଦେଲା । ଏତିକିରେ କୌଶିକ ଭୀଷଣ ଭାବରେ ରାଗିଗଲେ । କ୍ରୋଧରେ ବଗକୁ ଚାହିଁବାରୁ ବିଚରା ପକ୍ଷୀଟି ଗଛରୁ ଖସିପଡ଼ି ମରିଗଲା । ବଗ ମରିଗଲା ପରେ କୌଶିକଙ୍କ ମନରେ ଅନୁତାପ ଆସିଲା । କିଛି ସମୟ ଦୁଃଖ କରି ସେ ଗାଁ ଭିତରକୁ ଭିକ୍ଷା ଉଦ୍ଦେଶ୍ୟରେ ବାହାରିଲେ ।

କୌଶିକ ଜଣେ ଗୃହସ୍ଥଙ୍କ  ଘର ପାଖରେ ପହଞ୍ଚି ଖାଇବାକୁ ମାଗିଲେ । ଘରର ଗୃହିଣୀ ଆଗ୍ରହରେ ତାଙ୍କୁ ଅପେକ୍ଷା କରିବାକୁ କହି ଖାଦ୍ୟ ଆଣିବାକୁ ଘର ଭିତରକୁ ଗଲେ । କିନ୍ତୁ ଠିକ୍ ସେତିକିବେଳେ ସେ ମହିଳାଙ୍କ ସ୍ୱାମୀ କାମରୁ ଘରକୁ ଫେରିଲେ। ସେ ବି ଭୋକିଲା ଥିଲେ । ମହିଳା ଜଣକ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ଖାଇବାକୁ ଦେଇସାରିଲା ପରେ ବାହାରକୁ ଆସି ଦେଖନ୍ତି ତ ବିଳମ୍ବ ପାଇଁ କୌଶିକ ରାଗରେ ଅଜ୍ଞାନ ହୋଇ ଅପେକ୍ଷା କରିଛନ୍ତି।

ମହିଳା ଜଣକ କହିଲେ, ହେ ମହାଶୟ ମୋ ସ୍ୱାମୀ ମୋ ପାଇଁ ଦେବତା । ସେ କାମ କରିସାରି ଭୋକରେ ଫେରିଥିଲେ। ଜଣେ ସୁଗୃହିଣୀ ଓ ଜଣେ ପତିପରାୟଣା ଭାର୍ଯ୍ୟା ଭାବରେ ମୋର କର୍ତ୍ତବ୍ୟ ହେଲା ସ୍ୱାମୀଙ୍କ କଥା ପ୍ରଥମେ ବୁଝିବା । ତାଙ୍କୁ ଖାଇବାକୁ ଦେଲାପରେ ଆପଣଙ୍କ ପାଖକୁ ଆସିଲି । ଆପଣ ଜ୍ଞାନୀ ମଣିଷ ତେଣୁ ମୋ କଥା ନିଶ୍ଚୟ ବୁଝି ପାରୁଥିବେ । କୌଶିକଙ୍କର କ୍ରୋଧ କିନ୍ତୁ ଏତିକି କଥାରେ ଉପଶମ ହେଲାନି । ସେ କହିଲେ, ଜଣେ ବେଦଜ୍ଞ ବ୍ରାହ୍ମଣକୁ ଭୋକିଲାରେ ଏତେ ସମୟ ବାହାରେ ଠିଆ କରିବା ଉଚିତ ନୁହେଁ। ଏହା ବ୍ରାହ୍ମଣ ଅପମାନ । ବ୍ରାହ୍ମଣର କୋପ ତୁମେ ଜାଣିନ । ଦେବତାମାନେ ବି ବ୍ରହ୍ମ କୋପକୁ ଭୟ କରନ୍ତି ।

ମହାଭାରତ

ମହିଳା ଜଣକ କହିଲେ ବ୍ରାହ୍ମଣଙ୍କ କୋପ ମୁଁ ଜାଣିଛି । ମୁଁ କିନ୍ତୁ ମୋର ଯାହା କର୍ତ୍ତବ୍ୟ ତାହା ହିଁ କରିଛି । ମୋର କିଛି ଭୁଲ ମୁଁ ଦେଖିପାରୁନି । ଆପଣ କ୍ରୋଧରେ ଗୋଟେ ନିରୀହ ବଗକୁ ବିନାଶ କରିବା କଥା ବି ଜାଣିଛି । ଯେଉଁ ବ୍ୟକ୍ତି ଏ ସଂସାରରେ ଧର୍ମପରାୟଣ, ଜିତେନ୍ଦ୍ରୀୟ, ସୂଚୀବନ୍ତ, ସ୍ୱଧ୍ୟାୟ କରନ୍ତି ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିଥାନ୍ତି ସେହିଁ ବ୍ରାହ୍ମଣ । ଯିଏ ଅଧ୍ୟୟନ, ଅଧ୍ୟାପନ, ଯଜନ, ଯାଜନ ଓ ଦାନ କରନ୍ତି ଦେବତାମାନେ ତାକୁ ବ୍ରାହ୍ମଣ କୁହନ୍ତି ।

ମହିଳା ଜଣକ କୌଶିକଙ୍କୁ ଆହୁରି ଅନେକ କଥା କହିଲା ପରେ କହିଲେ, ହେ ବ୍ରାହ୍ମଣ ପ୍ରଥମେ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ଆଣନ୍ତୁ । ମୁଁ ଜାଣୁଛି ଆପଣ ଧର୍ମର ଗୂଢ଼ ତତ୍ତ୍ୱ କିଛି ଜାଣନ୍ତି ନାହିଁ। ସେଥିପାଇଁ ଆପଣଙ୍କୁ ମିଥିଳା ଯିବାକୁ ହେବ । ସେଠାରେ ଧର୍ମବ୍ୟାଧକୁ ଭେଟିଲେ ସେ ପ୍ରକୃତ ଜ୍ଞାନ ଆପଣଙ୍କୁ ଦାନ କରିବେ।

କୌଶିକଙ୍କର କ୍ରୋଧ ଶାନ୍ତ ହୋଇ ସାରିଥିଲା । ତାଙ୍କୁ ବାଟ ବତାଇଥିବା ମହିଳାଙ୍କୁ ଧନ୍ୟବାଦ ଦେଇ ସେ ଧର୍ମବ୍ୟାଧଙ୍କୁ ଭେଟିବାକୁ ମିଥିଳା ବାହାରିଲେ । କୌଶିକଙ୍କର ମନରେ ପ୍ରଶ୍ନ ଥାଏ ତାଙ୍କ କ୍ରୋଧରେ ବଗ ମରିବା କଥା ସେ ସ୍ତ୍ରୀ ଲୋକ ଜାଣିଲା କେମିତି? ନିଶ୍ଚୟ ମହିଳା ଜଣକ ପାଖରେ କିଛି ସୂକ୍ଷ୍ମ ଶକ୍ତି ରହିଛି।

କୌଶିକ ମିଥିଳାରେ ପହଞ୍ଚିଲେ । ଅତିବ ସୁନ୍ଦର ମନୋରମ ମିଥିଳା ନଗରୀରେ ବାଟ ପଚାରି ପଚାରି ସେ ଧର୍ମବ୍ୟାଧଙ୍କ ପାଖରେ ପହଞ୍ଚିଲେ । ପହଞ୍ଚି ଦେଖିଲେ ଧର୍ମବ୍ୟାଧ ବିଭିନ୍ନ ପଶୁ ମାଂସ ସବୁ ବିକ୍ରୀ କରୁଛନ୍ତି । ଅନେକ ଲୋକ ମାଂସ କିଣୁଛନ୍ତି । ବ୍ରାହ୍ମଣ ଆସିବା ଦେଖି ବ୍ୟାଧ ତାଙ୍କ ସ୍ଥାନରୁ ଉଠି ଆସି କୌଶିକଙ୍କୁ ସ୍ୱାଗତ କଲେ ଓ କହିଲେ ଆପଣ ଯେଉଁ ପତିବ୍ରତା ସ୍ତ୍ରୀଙ୍କ କଥାରେ ମୋ ପାଖକୁ ଆସିଛନ୍ତି ତାହା ମୁଁ ଅବଗତ ଅଛି । କୌଶିକ ଆଉ ଥରେ ଆଶ୍ଚର୍ଯ୍ୟ ହେଲେ ।

ବ୍ୟାଧ କୌଶିକଙ୍କୁ ତାଙ୍କ ଘରକୁ ନେଇଗଲେ ଓ ଯଥାରୀତି ଅତିଥି ସତ୍କାର କଲେ । କୌଶିକ କହିଲେ ତୁମେ ଜ୍ଞାନୀ ହୋଇବି ଏପରି ଅଧମ କାମ କେମିତି କରୁଛ? ବ୍ୟାଧ କହିଲେ, ହେ ବ୍ରହ୍ମଣ ଏହା ମୋର କୌଳିକ ବୃତ୍ତି । ମୁଁ ସଦା ସର୍ବଦା ଧର୍ମ ପଥରେ ଥାଏ । ମୁଁ ମାଂସ ବିକ୍ରୀ କରୁଥିଲେ ବି ଖାଏ ନାହିଁ । ତାପରେ ଧର୍ମବ୍ୟାଧ କୌଶିକଙ୍କୁ ଧର୍ମ ଓ କର୍ମ, ପାପ ଓ ପୂଣ୍ୟ, ସତ୍ୟ ଓ ମିଥ୍ୟା , ହିଂସା ଓ ଅହିଂସା, ଇହଲୋକ ଓ ପରଲୋକ ଏବଂ ଶିଷ୍ଟାଚାର ବିଷୟ ନେଇ ଅନେକ କଥା କହିଲେ । କୌଶିକଙ୍କ ମନରେ ମାଂସ ଆହାର ନେଇ ଥିବା ଧାରଣାକୁ ଦୂର କରିବାକୁ ସେ ଅନେକ ଉଦାହରଣ ଦେଇ ମାଂସ ଭୋଜନ ବିଷୟରେ ବିସ୍ତାର ବିବରଣୀ ଦେଲେ । ବ୍ୟାଧ କହିଲେ, ସେ ଜନ୍ମ ଜନ୍ମାନ୍ତରେ ବ୍ୟାଧ ନଥିଲେ । ପୂର୍ବ ଜନ୍ମରେ ଥରେ ରାଜାଙ୍କ ସାଙ୍ଗରେ ମୃଗୟାକୁ ଯାଇ ଭୁଲରେ ମୃଗ ଭାବି ଜଣେ ଋଷିଙ୍କୁ ସେ ହତ୍ୟା କରିଥିଲେ । ମଲାବେଳକୁ ସେ ଋଷି ତାଙ୍କୁ ବ୍ୟାଧ ହୋଇ ଜନ୍ମ ହେବାକୁ ଅଭିଶାପ ଦେଇଥିଲେ।

ଅନେକ ତତ୍ତ୍ୱ ଜ୍ଞାନ ଲାଭ କରି ଧର୍ମବ୍ୟାଧଙ୍କ ପାଖରୁ କୌଶିକ ଶେଷରେ ବିଦାୟ ନେଇ ଫେରିଲେ ।

ଅଧିକ ପଢ଼ନ୍ତୁ: ବେଙ୍ଗ ରାଜାଙ୍କ ଅଭିଶାପ ଓ ଘୋଡ଼ା ପାଇଁ ରାଜାଙ୍କ ଜୀବନ ଯିବା କଥା