ଦୈନନ୍ଦିନ ଜୀବନରେ ସାବୁନ, ଡିଟରଜେଣ୍ଟର ଆବଶ୍ୟକତା ଖୁବ ବେଶୀ । ପୋଷାକ ସଫା ରହିବା ସହ ବାସ୍ନା ବି ବାହାରିବା ଦରକାର । ସେଥିପାଇଁ ବିଭିନ୍ନ ବ୍ରାଣ୍ଡର କମ୍ପାନୀମାନେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ସାବୁନ, ଡିଟରଜେଣ୍ଟ ମାର୍କେଟକୁ ଛାଡୁଛନ୍ତି । ଏମିତି ଏକ ଦିନ ଥିଲା ଯେତେବେଳେ ଟେଲିଭିଜନର ଅର୍ଦ୍ଧାଧିକ ବିଜ୍ଞାପନ ଡିଟରଜେଣ୍ଟ ବା ସାବୁନର ରହୁଥିଲା ।
ଆଜି ସିନା ସାବୁନ, ଡିଟରଜେଣ୍ଟ ଆମ ପୋଷାକକୁ ଏମିତି ଚକଚକ ରୂପ ଦେଉଛି । ଯେତେବେଳେ ସାବୁନ, ଡିଟରଜେଣ୍ଟ ନ ଥିଲା ଲୋକେ କ’ଣ କରୁଥିଲେ ? ବିଶେଷକରି ରାଜାରାଜୁଡାମାନଙ୍କ ପୋଷାକ କେମିତି ଏତେ ଚିକଚିକ କରୁଥିଲା ? କେଉଁଥିରେ ସେମାନେ ପୋଷାକ ସଫା କରୁଥିଲେ ?
ଭାରତରେ ୧୮୮୮ ମସିହାରେ ପ୍ରଥମ ଥର ପାଇଁ ମେସିନରେ ସାବୁନ ଉତ୍ପାଦନ ଆରମ୍ଭ ହୋଇଥିଲା । ଡିଟରଜେଣ୍ଟ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଦେଶକୁ ଆସିଥିଲା । କହିବାକୁ ଗଲେ ଡିଟରଜେଣ୍ଟର ବ୍ୟବହାର ୧୯୬୦ ଦଶକରେ ଆରମ୍ଭ ହୋଇଥିଲା । ହିନ୍ଦୁସ୍ତାନ ଲିଭର ପ୍ରଥମେ ଏହାର ବଜାର ପ୍ରବେଶ କରାଇଥିଲା । ଡିଟରଜେଣ୍ଟ ଆସିବା ପରେ ପୋଷାକର ଚମକ ବେଶ ବୃଦ୍ଧି ପାଇଥିଲା । ତେବେ ଏକଥା ନୁହେଁ ଯେ, ପ୍ରାଚୀନ କାଳରେ ଲୋକେ ସଫାସଫି କରୁ ନ ଥିଲେ । ସେ ସମୟରେ ରାଜାରାଜୁଡାମାନଙ୍କର ପୋଷାକ ଏମିତି ଚମକୁ ଥିଲା ଯେ, ଆଖି ଝଲସି ଯାଉଥିଲା । ପିନ୍ଧିବାକୁ ବି ବେଶ ଆରାମ ଲାଗୁଥିଲା ।
ସେ ସମୟରେ ରାଜା, ରାଣୀମାନେ ବେଶ ଦାମୀ ପୋଷାକ ପିନ୍ଧୁଥିଲେ । ଏହାକୁ ସଫା କରା ଯାଉଥିଲା । ସଫା ପରେ ଏହାର ଚମକ ବଢି ଯାଉଥିଲା । ତା ଛଡା ପୋଷାକ ବି ସୁରକ୍ଷିତ ରହୁଥିଲା ।
ପ୍ରାଚୀନ କାଳରେ କେମିତି କରୁଥିଲେ ସଫା
ସାବୁନର ଉପଯୋଗ ଭାରତରେ ପ୍ରାଚୀନ କାଳରୁ ଚାଲି ଆସୁଥିଲା । ପରେ ଆଧୁନିକ ସାବୁନ ଏବଂ ଡିଟରଜେଣ୍ଟର ବିକାଶ ବହୁତ ପଛରେ ହୋଇଥିଲା । ପ୍ରାଚୀନ କାଳରେ ଲୋକେ ସ୍ୱଚ୍ଛତା ପାଇଁ ପ୍ରାକୃତିକ ପଦାର୍ଥର ଉପଯୋଗ କରୁଥିଲେ । ବୈଦିକ ଯୁଗ ଅର୍ଥାତ ଖ୍ରୀଷ୍ଟପୂର୍ବ ୧୫୦୦ରୁ ୫୦୦ ମଧ୍ୟରେ ଲୋକେ ନିମ, ରିଠା, ଶିକାକାଇ, ହଦଳୀ ପରି ପ୍ରାକୃତିକ ପଦାର୍ଥର ବ୍ୟବହାର କରି ଶରୀର ଏବଂ ପୋଷାକକୁ ସଫା କରୁଥିଲେ । ନିମ ପତ୍ର ଏବଂ ନିମ ତେଲର ଜୀବାଣୁରୋଧକ ଗୁଣ ରହିଛି ।
ପ୍ରଥମେ ଆସିଲା ସାବୁନ
ଭାରତରେ ଆଧୁନିକ ସାବୁନ ବ୍ୟବହାର ଆରମ୍ଭ ୧୩୦ ବର୍ଷ ପୂର୍ବେ ବ୍ରିଟିଶ ଶାସନ ସମୟରେ ହୋଇଥିଲା । ଲିବର ବ୍ରଦର୍ସ ଇଂଲଣ୍ଡ ଭାରତରେ ପ୍ରଥମେ ଆଧୁନିକ ସାବୁନର ବଜାର ପ୍ରବେଶ କରାଇଥିଲେ । ପ୍ରଥମେ ଏହି କମ୍ପାନୀ ବ୍ରିଟେନରୁ ସାବୁନ ଭାରତକୁ ଆମଦାନୀ କରୁଥିଲେ ଏବଂ ଏଠାରେ ତାହାର ମାର୍କେଟିଂ ବି କରୁଥିଲେ । ଭାରତର ଲୋକ ଯେତେବେଳେ ସାବୁନ ବ୍ୟବହାର ଆରମ୍ଭ କଲେ ସେତେବେଳେ ଭାରତରେ ସାବୁନ ଫ୍ୟାକ୍ଟ୍ରି ସ୍ଥାପିତ ହୋଇଥିଲା ।
ପ୍ରଥମେ ଏହି କମ୍ପାନୀ ଲୁଗାସଫା ଏବଂ ଗାଧୁଆ ସାବୁନ ପ୍ରସ୍ତୁତ କରୁଥିଲା । ମିରଟରେ ନର୍ଥ ୱେଷ୍ଟ ସାବୁନ କମ୍ପାନୀ ୧୮୯୭ରେ ପ୍ରତିଷ୍ଠା କରାଯାଇଥିଲା । ଏହାର ବ୍ୟବସାୟ ଖୁବ ଭଲ ଚାଲିଥିଲା । ଏହା ପରେ ଗୋଦରେଜ ଏବଂ ଟାଟା ସାବୁନ କମ୍ପାନୀ ପ୍ରତିଷ୍ଠା କରିଥିଲେ ।
ତେବେ ପ୍ରଶ୍ନ ହେଉଛି, ଭାରତରେ ସାବୁନ ଉତ୍ପାଦନ ହେବା ପୂର୍ବରୁ କ’ଣ ବ୍ୟବହାର କରୁଥିଲେ ଲୋକେ ? ସୋଢା, ତେଲକୁ ନେଇ ସାବୁନ ପ୍ରସ୍ତୁତ କରିବାର କଳା ସେତେବେଳର ଲୋକଙ୍କୁ ମାଲୁମ ନ ଥିଲା । ତେବେ କେମିତି ସଫା କରୁଥିଲେ ପୋଷାକ ?
ରାଜାରାଜୁଡାଙ୍କ ଘରେ ଲୁଗା ସଫା କରିବା ପାଇଁ ସ୍ୱତନ୍ତ୍ର ଜାତିର ଲୋକ ଥିଲେ । ସେମାନଙ୍କର ଲୁଗା ସଫା କରିବାର କଳା ପ୍ରକୃତରେ ଅଦ୍ଭୁତ ଥିଲା । ଜାଣିଲେ ଯେ କେହି ବି ପ୍ରଭାବିତ ହୋଇଯିବେ । ଦେଶୀ କୌଶଳରେ ସେମାନେ ପୋଷାକକୁ ପୂରା ଚମକାଇ ଦେଉଥିଲେ । ରେଶମ ହେଉ ବା ସୂତା ପୋଷାକ, ନୂଆ ପରି ଝଟକୁଥିଲା ।
ସଫା ପାଇଁ ବ୍ୟବହାର ହେଉଥିଲା ରିଠା ଫଳ
ଭାରତ ଜଙ୍ଗଲ ସମ୍ପଦ ଏବଂ ଖଣିଜ ସମ୍ପଦରେ ଭରପୂର । ଏମିତି ଏକ ଗଛ ରହିଛି ରିଠା । ସେତେବେଳେ ରିଠା ଫଳରେ ପୋଷାକ ସଫା କରାଯାଉଥିଲା । ରାଜ ମହଲରେ ରିଠା ଗଛର ଉଦ୍ୟାନ ଥିଲା । ଦାମୀ ରେଶମୀ ପୋଷାକକୁ ସଫା ରଖିବା ସହ ଏହକୁ କୀଟାଣୁ ମୁକ୍ତ ରଖିବା ପାଇଁ ରିଠା ଫଳ ବ୍ୟବହାର କରାଯାଉଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ, ଆଜି ବି ପୋଷାକ ସଫା କରବାର ପାଇଁ ସବୁଠାରୁ ଭଲ ଅର୍ଗାନିକ ପ୍ରଡକ୍ଟ ଭାବେ ରିଠାକୁ ହିଁ ବ୍ୟବହାର କରାଯାଉଛି ।
ସୁପର ସାବୁନ ଥିଲା ରିଠା
ପ୍ରାଚୀନ ଭାରତରରେ ରିଠାର ବ୍ୟବହାର ସୁପର ସାବୁନ ଭାବେ ବ୍ୟବହାର କରାଯାଉଥିଲା । ରିଠା ଫଳର ଚୋପାରୁ ଫେଣ ବାହାରୁଥିଲା । ଏହି ଫେଣରେ ପୋଷାକ ସଫା କରାରଯାଉଥିଲା । ଏହାଦ୍ୱାରା ପୋଷାକ ସଫା ହେବା ସହ ଚମକ ବି ଆସୁଥିଲା । ରିଠା କୀଟାଣୁନାଶକ ଭାବେ କାମ କରୁଥିଲା ।
ଏବେ ରିଠାର ବ୍ୟବହାର କେଶ ସଫା କରିବାରେ ବ୍ୟବହାର କରାଯାଉଛି । ଏପରିକି ରିଠାରେ ସାମ୍ପୋ ମଧ୍ୟ ପ୍ରସ୍ତୁତ ହେଉଛି ଯାହାର ଖୁବ ଚାହିଦା ରହିଛି । ପ୍ରାଚୀନ ଯୁଗରେ ରାଣୀ, ରାଜକୁମାରୀମାନେ ନିଜର ଲମ୍ବା କେଶକୁ ଏହି ରିଠା ଫଳରେ ସଫା କରୁଥିଲେ । ଏହାକୁ ସୋପ ବେରି ବା ୱାଶ ନଟ ବି କୁହାଯାଏ ।
ପାଣିରେ ଫୁଟାଇ ସଫା ହେଉଥିଲା ପୋଷାକ
ପୋଷାକ ଦୁଇ ପ୍ରକାର ଶୈଳୀରେ ସଫା କରାଯାଉଥିଲା । ସାଧାରଣ ଲୋକମାନେ ପ୍ରଥମେ ଗରମ ପାଣିରେ ପୋଷାକକୁ ପକାଇ ଏହାକୁ ଫୁଟାଇ ଦେଉଥିଲେ । କିଛି ସମୟ ଫୁଟାଇବା ପରେ ଏହାକୁ ଚୁଲିରୁ କାଢି ଥଣ୍ଡା କରାଯାଉଥିଲା । ପରେ ଏହାକୁ ପଥର ଉପରେ ପିଟୁଥିଲେ ଯାହାଫଳରେ ଏଥିରେ ଥିବା ମଇଳା ବାହାରି ଯାଉଥିଲା । ବଡ ବଡ ହାଣ୍ଡି ବସି ଲୁଗାସଫା କରା ଯାଉଥିଲା । ଭାରତରେ ଏବେ ବି ଯେଉଁଠି ଧୋବି ତୁଠ ଅଛି ସେଠାରେ ଏମିତି ଦେଶୀ ଶୈଳୀରେ ଲୁଗା ସଫା କରାଯାଏ । ଏଥିରେ ସାବୁନ ବ୍ୟବହାର କରାଯାଏ ନାହିଁ ।
ଦାମୀ ପୋଷାକ ପାଇଁ ରିଠାଫଳ
ଦାମୀ ତଥା ନରମ ପୋଷାକ ପାଇଁ ଲୋକେ ରିଠା ଫଳକୁ ବ୍ୟବହାର କରୁଥିଲେ । ପାଣିରେ ରିଠା ଫଳକୁ ପକାଇ ପ୍ରଥମେ ଗରମ କରାଯାଏ । ଏପରି କରିବା ଦ୍ୱାରା ଫେଣ ବାହାରିଥାଏ ।ଏଥିରେ ପୋଷାକକୁ ପକାଇ ବ୍ରଶ କିମ୍ବା ହାତରେ ସଫା କରାଯାଇ ଥାଏ । ଏହା ଦ୍ୱାରା ପୋଷାକ ସଫା ରହିବା ସହ ଶରୀରରେ କୌଣସି ରିଆକ୍ସନ ହୋଇ ନ ଥାଏ ।
ଧଳା ପୋଷାକ ପାଇଁ ଥିଲା ସ୍ୱତନ୍ତ୍ର ପାଉଡର
ପ୍ରାଚୀନ ଯୁଗରେ ସଫା କରିବାର ଆଉ ଏକ ଶୈଳୀ ମଧ୍ୟ ଥିଲା । ସେ ସମୟୟରେ ଖାଲି ପଡିଥିବା ଜମି ଉପରେ, ନଦୀ, ପୋଖରୀ କୂଳରେ, ଜମି ହିଡ ନିକଟରେ ଧଳା ରଙ୍ଗର ଏକ ମାଟି ଦେଖିବାକୁ ମିଳିଥାଏ । ଏହାକୁ ଓଡ଼ଶାରେ ବନ ମାଟି ବୋଲି କହିଥାନ୍ତି । ଅନ୍ୟସ୍ଥାନରେ ଏହାକୁ ରେହ ବୋଲି କହନ୍ତି । ଭାରତରେ ଏହି ପ୍ରକାର ମାଟି ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ ବିନା ପଇସାରେ ଏହା ମିଳି ଯାଇଥାଏ । ଏହି ମାଟିକୁ ପାଣିରେ ପକାଇ ପୋଷାକକୁ ଭିଜାଇ ଦେଉଥିଲେ । ଏହା ପରେ କାଠଗଣ୍ଡି ସାହାଯ୍ୟରେ ଘଷି ଘଷି ପୋଷାକକୁ ସଫା କରାଯାଉଥିଲା ।
ଏହି ମାଟି ଏକ ମୂଲ୍ୟବାନ ଖଣିଜ ମଧ୍ୟ ଅଟେ । ଏଥିରେ ସୋଡିଅମ ସଲଫେଟ, ମ୍ୟାଗ୍ନେସିଅମ ସଲଫେଟ, କ୍ୟାଲସିଅମ ସଲଫେଟ ଥାଏ । ଏହାବ୍ୟତୀତ ସୋଡିଅମ ହାଇପୋକ୍ଲୋରାଇଡ ମଧ୍ୟ ମିଳିଥାଏ । ଏହା ପୋଷାକକୁ କୀଟାଣୁ ମୁକ୍ତ ରଖିଥାଏ ।
ମାଟି ଏବଂ ପାଉଁଶ ଘଷି ଶରୀରକୁ ସଫା କରୁଥିଲେ ଭାରତୀୟ
ପ୍ରାଚୀନ ଭାରତ କଥା ଛାଡନ୍ତୁ, କିଛି ଦଶକ ପୂର୍ବରୁ ବି ଲୋକେ ମାଟି ଏବଂ ପାଉଁଶକୁ ମୁହଁ ଏବଂ ଶରୀରରେ ଘଷି ଗାଧୋଇବାର ପରମ୍ପରା ଥିଲା । ଏଥିରେ ହାତ ସଫା କରୁଥିଲେ , ବାସନ ମାଜୁଥିଲେ । ପ୍ରାଚୀନକାଳରେ ସଫା କରିବାର ଏକମାତ୍ର ମାଧ୍ୟମ ଥିଲା ମାଟି ।
ଅଧିକ ପଢ଼ନ୍ତୁ: କିପରି ସଫା ହୁଏ ମହାକାଶଚାରୀଙ୍କ ପୋଷାକ ? କେଉଁଠୁ ଆସେ ଏତେ ପାଣି ?
ଭାରତକୁ ଆସିଲା ସାବୁନର ଯୁଗ
ପ୍ରଥମେ ସାବୁନ ବିଭିନ୍ନ ଗଛରୁ ପ୍ରସ୍ତୁତ ତେଲ ଏବଂ ଖାରରୁ ପ୍ରସ୍ତୁତ ହେଉଥିଲା । ଏହି ସାବୁନ ଭାରତରେ ବହୁଳ ପ୍ରଚଳିତ ଥିଲା । ତେବେ ଏହାର ବହୁଳ ବ୍ୟବହାର ଅଷ୍ଟାଦଶ ଏବଂ ଉନବିଂଶ ଶତାବ୍ଦୀରେ ହୋଇଥିଲା । ୧୮୮୮ରେ ପ୍ରଥମ ସାବୁନ ବ୍ୟବହାର ହୋଇଥିଲା । ପ୍ରଥମେ ଲିଭର ବ୍ରଦର୍ସ ଏବଂ ପରେ ପରେ ଅନ୍ୟ ଭାରତୀୟ କମ୍ପାନୀମାନେ ସାବୁନ ଉତ୍ପାଦନ ଆରମ୍ଭ କଲେ । ପରେ ଟାଟା ଅଏଲ ମିଲ୍ସ ସାବୁନ ଉଦ୍ୟୋଗରେ ପାଦ ରଖିଲା । ସନଲାଇଟ ସାବୁନ ଲିଭର ବ୍ରଦର୍ସ କମ୍ପାନୀର ଉତ୍ପାଦ ଥିଲା ଯାହା କି ଭାରତରେ ଖୁବ ଲୋକପ୍ରିୟ ଥିଲା ।
ସର୍ଫର ଇତିହାସ ବେଶି ଦିନର ନୁହେଁ
ପରେ ଆସିଲା ଡିଟରଜେଣ୍ଟ । ଭାରତରେ ଡିଟରଜେଣ୍ଟର ବ୍ୟବହାର ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ହୋଇଥିଲା । ୧୯୫୦ରେ ସିନ୍ଥେଟିକ ଡିଟରଜେଷ୍ଟର ବଜାର ପ୍ରବେଶ ହୋଇଥିଲା । ହିନ୍ଦୁସ୍ଥାନ ଲିଭର ଲିମିଟେଡ ୧୯୬୦ରେ ସର୍ଫ ଡିଟରଜେଣ୍ଟ ଭାରତରେ ଲଞ୍ଚ କରିଥିଲେ । ଏହା ଭାରତରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏପରିକି ସାବୁନ ଠାରୁ ଏହା ଅଧିକ ପ୍ରଭାବଶାଳୀ ବିକଳ୍ପ ହୋଇପାରିଥିଲା ।
ବି.ଦ୍ର. - ଏହା ଲେଖିକାଙ୍କ ନିଜସ୍ୱ ମତ ।