ଦିନେ ଦେବଯାନୀ ତାଙ୍କ ସାଥିରେ ଶର୍ମିଷ୍ଠା ଓ ଅନ୍ୟ ହଜାରେ ପରିଚାରିକା ଦାସୀଙ୍କୁ ଧରି ଖେଳାବୁଲା କରିବା ପାଇଁ ସେଇ ପୁରୁଣା ଜଙ୍ଗଲକୁ ଯାଇଥା'ନ୍ତି । ସେଦିନ ବି ରାଜା ଯଯାତି ମୃଗୟାରେ ସେଇ ଏକା ଜଙ୍ଗଲକୁ ଆସିଥା'ନ୍ତି। ଶିକାର ପାଇଁ ମୃଗ ଖୋଜିଲା ବେଳେ ରାଜାଙ୍କୁ ଶୋଷ ହେଲା । ଶୋଷରେ ପାଣି ସନ୍ଧାନରେ ବୁଲୁ ବୁଲୁ ରାଜା ଦେବଯାନୀ ଓ ତାଙ୍କ ଅନ୍ୟ ସହଚରୀମାନେ ଯେଉଁଠି ଥିଲେ ସେଇଠି ଆସି ପହଞ୍ଚିଲେ । ସେତେବେଳକୁ ହଜାରେ ପରିଚାରିକା ଦେବଯାନୀଙ୍କ ସେବାରେ ବ୍ୟସ୍ତ ଥାଆନ୍ତି । ଶର୍ମିଷ୍ଠା ପାଖରେ ବସି ଦେବଯାନୀଙ୍କ ପାଦ ଘସି ଦେଉଥା'ନ୍ତି ।
ଏମିତି ଏକ ପରିବେଶ ଦେଖି ରାଜା ଯଯାତି ପାଖକୁ ଆସିଲେ ଓ ଦେବଯାନୀଙ୍କୁ ତାଙ୍କ ପରିଚୟ ମାଗିଲେ । ଦେବଯାନୀ ନିଜର ପରିଚୟ ଦେଇ କହିଲେ, ସେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଓ ମୋର ପାଦ ଘଷୁଥିବା ଯୁବତୀ ଜଣକ ଦାନବ ରାଜା ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠା ।
ଜଣେ ସୁନ୍ଦରୀ ରାଜକନ୍ୟା ହେଇ ଆଉଜଣଙ୍କର ଦାସୀ ହେବାର କାରଣ ଯଯାତି ବୁଝିପାରିଲେନି । ସେ ଯେତେବେଳେ ତା'ର କାରଣ ପଚାରିଲେ, ଦେବଯାନୀ କହିଲେ ସବୁକିଛି ଭାଗ୍ୟ ନିର୍ଦ୍ଧାରିତ । ଆପଣ ତ ଜ୍ଞାନୀ ଓ ବେଶ ପୋଷାକରୁ ରାଜା ପରି ଦିଶୁଛନ୍ତି । ଏ ଜଙ୍ଗଲ ଭିତର କ'ଣ କରୁଛନ୍ତି? ତାପରେ ରାଜା ଯଯାତି ନିଜର ପରିଚୟ ଦେଲେ ଓ ସେଠାକୁ ଆସିବାର କାରଣ ଜଣାଇ ସେଠାରୁ ବିଦାୟ ନେବାକୁ ବାହାରିଲା ବେଳକୁ ଦେବଯାନୀ ଯଯାତିଙ୍କୁ କହିଲେ, ହେ ରାଜା! ଆପଣଙ୍କ ସେବାରେ ମୋର ଏହି ସମସ୍ତ ପରିଚାରିକା ଅଛନ୍ତି । ତାପରେ ଆପଣ ତ ଥକିଗଲା ପରି ଲାଗୁଛନ୍ତି । ଏଇଠି କିଛି ସମୟ ପାଇଁ ବିଶ୍ରାମ କାହିଁକି ନେଉନାହଁନ୍ତି?
ତାପରେ କିଛି ସମୟ ପରେ ଦେବଯାନୀ ଯଯାତୀଙ୍କୁ ବିବାହ ପ୍ରସ୍ଥାବ ଦେଲେ । ବିବାହ କଥା ଶୁଣି ଯଯାତି କହିଲେ, ତୁମେ ବ୍ରାହ୍ମଣ କନ୍ୟା ଓ ମୁଁ କ୍ଷତ୍ରୀୟ । ତେଣୁ ତୁମ ବାପା ମୋ ସହ ତୁମର ବିବାହ କେବେବି ଦେବେନି । ଦେବଯାନୀ ସେତିକିବେଳେ ଯଯାତୀଙ୍କୁ ମନ ପକାଇଦେଲେ ଯେ, ଏକଦା ସେଇ ଜଙ୍ଗଲର ପରିତ୍ୟକ୍ତ କୂଅ ଭିତରୁ ତାଙ୍କୁ ଯଯାତି ହିଁ ଦିନେ ରକ୍ଷା କରିଥିଲେ । ତାପରେ ଏଯାଏଁ ଯଯାତୀଙ୍କ ଛଡା ଅନ୍ୟ କୌଣସି ପୁରୁଷ ତାଙ୍କ ଅଙ୍ଗ ସ୍ପର୍ଶ କରିନାହାଁନ୍ତି ।
ଦେବଯାନୀଙ୍କ ଜଣେ ସହକାରୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ଶୁକ୍ର ଆସି ପହଞ୍ଚିଲେ । ଶୁକ୍ରାଚାର୍ଯ୍ୟଙ୍କ ଅନୁମତି କ୍ରମେ ଯଯାତି ଏଥର ଦେବଯାନୀଙ୍କୁ ବିବାହ କରିବାକୁ ରାଜି ହେଲେ । ଯଥାରୀତି ବିବାହ ସମ୍ପନ୍ନ ହେଲା । ଦେବଯାନୀ ତାଙ୍କ ହଜାରେ ଦାସୀଙ୍କ ସହ ଶର୍ମିଷ୍ଠାଙ୍କୁ ଧରି ଯଯାତିଙ୍କ ରାଜନଅରକୁ ଚାଲିଲେ । ଝିଅ ଜ୍ୱାଇଁଙ୍କୁ ବିଦାୟ ଦେଲାବେଳେ ଯଯାତୀଙ୍କୁ ଶୁକ୍ରାଚାର୍ଯ୍ୟ କହିଲେ ହେ ରାଜା, ମୋ ଝିଅ ସହ ଅନ୍ୟତମ ଦାସୀ ଭାବରେ ତୁମ ଘରକୁ ଯାଉଥିବା ଶର୍ମିଷ୍ଠା ହେଉଛି ଦାନବ ରାଜାଙ୍କ ଝିଅ । ତେଣୁ ତା ପ୍ରତି ସବୁବେଳେ ସମ୍ମାନ ପ୍ରଦର୍ଶନ କରିବ । କେବେବି ସମ୍ପର୍କ ରଖିବାକୁ ତାକୁ ତୁମ ବିଛଣାକୁ ଡାକିବ ନାହିଁ ।
ଯଯାତି ଓ ଦେବଯାନୀ ବିବାହ କରି ରାଜଧାନୀକୁ ଫେରି ଆନନ୍ଦରେ ରହିଲେ । ଖୁସିରେ ଖୁସିରେ ଅନେକ ବର୍ଷ ବିତିଗଲା । ଦିନେ ଦେବଯାନୀ ଗର୍ଭବତୀ ହେଲେ ଓ କିଛି ମାସ ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଦେବଯାନୀ ମହାରାଣୀ ହୋଇ ସ୍ୱାମୀ ଓ ପିଲାର ମାଆ ହେଇ ଆନନ୍ଦରେ ଥାଆନ୍ତି, କିନ୍ତୁ ତାଙ୍କର ଦାସୀ ହୋଇ ସମୟ କାଟୁଥିବା ରାଜକୁମାରୀ ଶର୍ମିଷ୍ଠା ବଡ଼ ଦୁଃଖରେ ଥାଆନ୍ତି । ଘଟଣାଚକ୍ରରେ ସିନା ସେ ଦାସୀ ଓ ଦେବଯାନୀ ମହାରଣୀ । ନହେଲେ ତ ଦୁହେଁ ସମବୟସୀ ଓ ବାନ୍ଧବୀ । ଶର୍ମିଷ୍ଠା ମନେ ମନେ ଭାବୁଥା'ନ୍ତି ତାଙ୍କ ଜୀବନକୁ ସ୍ୱାମୀ ସୁଖ ଓ ସନ୍ତାନ ସୁଖ ବୋଧେ ଆଉ ଆସିବନି । ଏ କଥା ବି ମନକୁ ଆସୁଥାଏ, ରାଜା ଯଯାତିଙ୍କୁ ମନ କଥା କହିଲେ ସେ କ'ଣ କିଛି ବ୍ୟବସ୍ଥା କରିବେନି? ସେମିତିକା ସୂଯୋଗ ବି ଦିନେ ଆସି ପହଞ୍ଚିଲା । ଅଶୋକ ବାଟିକାରେ ଶର୍ମିଷ୍ଠା ଦିନେ ଏକା ଏକା ବୁଲୁଥିବା ବେଳେ ସେଠି ଯଯାତି ବି ଆସି ଆକସ୍ମିକ ପହଞ୍ଚିଲେ । ଯଯାତିଙ୍କୁ ଏକାନ୍ତରେ ଦେଖି ଶର୍ମିଷ୍ଠା ତାଙ୍କ ମନର ଇଚ୍ଛା ପ୍ରକାଶ କଲେ । ଯଯାତି କିନ୍ତୁ ଦେବଯାନୀଙ୍କ ସହ ବିବାହ ସମୟରେ ଶୁକ୍ରାଚାର୍ଯ୍ୟଙ୍କୁ ଦେଇଥିବା କଥା ମନରେ ରଖି ଶର୍ମିଷ୍ଠାଙ୍କୁ ସିଧା ମନା କରିଦେଲେ । ଯଯାତି କହିଲେ, ଜଣେ ରାଜା ଭାବରେ ଧର୍ମ ରକ୍ଷା କରିବା ମୋର କର୍ତ୍ତବ୍ୟ । ମୁଁ ମୋ ପ୍ରଜାମାନଙ୍କ ପାଇଁ ଏମିତିକା ଉଦାହରଣ ରଖି ପାରିବିନି ।
ଯଯାତିଙ୍କ କଥା ଶୁଣି ଶର୍ମିଷ୍ଠା କହିଲେ, ହେ ରାଜା ଶାସ୍ତ୍ରରେ କୁହାଯାଇଛି ପାଞ୍ଚଟି ମାମଲାରେ ମିଛ କହିଲେ ଦୋଷ ନାହିଁ । ଏକରେ ମଜାରେ ମଜାରେ, ଦୁଇରେ ସ୍ତ୍ରୀ ଲୋକଙ୍କ ସାମ୍ନାରେ, ତିନିରେ ବିବାହ ସମୟରେ, ଚାରିରେ ନିଶ୍ଚିନ୍ତ ମରଣକୁ ସାମ୍ନା କଲାବେଳେ ଆଉ ପାଞ୍ଚରେ କାହାର ସବୁ ସମ୍ପତ୍ତି ନଷ୍ଟ ହେବାର ସମ୍ଭାବନା ଦେଖାଯାଉଥିବା ବେଳେ। ଏବୁ ଜାଗାରେ ଜଣେ ମିଛ କହିପାରେ । ହଁ ସାମାନ୍ୟ ଓ ଛୋଟ ଛୋଟ କଥାରେ ମିଛ କହିବା କିନ୍ତୁ କ୍ଷତିକାରକ । ତାପରେ ମୁଁ ହେଉଛି ଆପଣଙ୍କ ପତ୍ନୀ ଦେବଯାନୀର ବାନ୍ଧବୀ ଓ ତାର ଦାସୀ ଵି । ଦେବଯାନୀର ଦାସୀ ଭାବରେ ଆପଣଙ୍କର ମୋ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ଅଛି । ତାପରେ ମୋ ବାନ୍ଧବୀର ସ୍ୱାମୀକୁ ମୁଁ ସ୍ୱାମୀ ଭାବରେ ବରଣ କରିବାରେ ଅଧର୍ମ କେଉଁଠି ରହିଲା? ମୁଁ ମଧ୍ୟ ଜଣେ ନାରୀ ଭାବରେ ନାରୀର ଧର୍ମ ପାଳନ କରିବାକୁ ସନ୍ତାନ କାମନା କରୁଛି । ମା ହେବାରେ ଜଣେ ନାରୀର ସାର୍ଥକତା । ମୋର ଇଚ୍ଛା ପୁରଣ ନକଲେ ବରଂ ଆପଣ ପାପ କରିବେ ।
ଏପରି ଅନେକ ଧର୍ମ-ଅଧର୍ମ, ପାପ-ପୂଣ୍ୟର ବିଚାର ପରେ, ଶର୍ମିଷ୍ଠାଙ୍କ କଥାରେ ରାଜା ଯଯାତି ରାଜି ହେଲେ । ଦୁହିଁଙ୍କ ମିଳନ ପରେ ଯିଏ ଯାହାର ବାଟରେ ସେଠାରୁ ବାହାରି ଗଲେ । ସେଇ ମିଳନରେ ରାଜକୁମାରୀ ଶର୍ମିଷ୍ଠା ଯଯାତିଙ୍କ ଔରସରୁ ଗର୍ଭବତୀ ହେଲେ ଓ ଯଥା ସମୟରେ ଏକ ପୁତ୍ର ସନ୍ତାନର ଜନନୀ ହେଲେ।
ଶର୍ମିଷ୍ଠାଙ୍କର ପୁଅ ହେବା ଖବର ଦେବଯାନୀ ପାଇଲେ । ଖବର ପାଇ ଦେବଯାନୀ ତୁରନ୍ତ ଶର୍ମିଷ୍ଠାଙ୍କ ପାଖରେ ପହଞ୍ଚିଲେ ଓ ରାଗରେ ପଚାରିଲେ ଯେ, ତୁ ଏମିତି କେମିତି କରିପାରିଲୁ? କିଏ ଏ ପିଲାର ବାପା ? ମୋତେ ଏବେ ସତ କଥା ସିଧା ସିଧା କହିଦେ । ସତ କଥା କହିଦେଲେ ତା'ର ପରାଭବ କ'ଣ ହେବ, ସେ କଥା ଶର୍ମିଷ୍ଠା ଭଲରେ ଜାଣିଥିଲେ । ତେଣୁ ସେ କହିଲେ, ଦିନେ ଏକା ଥିବା ସମୟରେ ହଠାତ୍ ଜଣେ ତପସ୍ୱୀ ଆସି ମୋ ପାଖରେ ପହଞ୍ଚିଲେ । ସୂର୍ଯ୍ୟଙ୍କ ପରି ତେଜବାନ ସେଇ ବେଦଜ୍ଞ ତପସ୍ୱୀଙ୍କୁ ମୁଁ ଗୋଟେ ବର ମାଗିଲି । ସେଇ ବର ପ୍ରାପ୍ତିରୁ ମୋର ଏକ ଦେବସୁଲଭ ପୁତ୍ର ସନ୍ତାନ ଲାଭ ହୋଇଛି । ପିଲାଟି କେଉଁ ବଂଶର ବୋଲି ଦେବଯାନୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶର୍ମିଷ୍ଠା କହିଲେ, ଘଟଣାକ୍ରମ ଏତେ ସଂକ୍ଷିପ୍ତ ଥିଲା ଓ ତପସ୍ୱୀଙ୍କର ତେଜ ଏତେ ଅଧିକ ଥିଲା ଯେ, ସେ ରୁଷିବରଙ୍କୁ ପରିଚୟ ମାଗିବାକୁ ଭୁଲିଯାଇଛନ୍ତି ।
ଶର୍ମିଷ୍ଠାଙ୍କ ମନଗଢା କାହାଣୀକୁ ଦେବଯାନୀ ବିଶ୍ୱାସ କଲେ ଓ ତାଙ୍କ ରାଗ ଥଣ୍ଡା ପଡିଲା । ତାପରେ ହସ ଖୁସିରେ ଦୁଇ ବାନ୍ଧବୀ କିଛି ସମୟ କଥା ହେଲା ପରେ ଦେବଯାନୀ ଫେରିଗଲେ । ଶର୍ମିଷ୍ଠା ତାଙ୍କ ପୁଅର ନାମ ଦେଲେ ଦୃହ୍ୟୁ । ତାପରେ ଯଯାତିଙ୍କ ସହ ଗୋପନରେ ତାଙ୍କର ଆହୁରି ମିଳନ ହେଲା ଓ ସେ ଆହୁରି ଦୁଇ ପୁଅଙ୍କୁ ଜନ୍ମ ଦେଲେ । ସେମାନଙ୍କର ନାମ ଦିଆଗଲା ଅନୁ ଓ ପୁରୁ । ସେପଟେ ଦେବଯାନୀ ବି ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ । ପ୍ରଥମ ପୁଅର ନାମ ଦିଆଯାଇଥିଲା ଯଦୁ । ତା ପର ପୁଅର ନାମ ଦିଆ ଗଲା ତୁର୍ବସୁ ।
ଶର୍ମିଷ୍ଠା ତିନି ତିନିଟି ପୁଅ ଜନ୍ମ କଲେ ମଧ୍ୟ ସେମାନଙ୍କର ବାପା ଯେ ତାଙ୍କ ସ୍ୱାମୀ ସ୍ୱୟଂ ରାଜା ଯଯାତି, ସେକଥା ଦେବଯାନୀ ଜାଣିନଥା'ନ୍ତି । ଥରେ ଯଯାତିଙ୍କ ସହ ଦେବଯାନୀ ଅରଣ୍ୟ ଭ୍ରମଣରେ ଯାଇଥା'ନ୍ତି । ସେଇଠି ଦେବଯାନୀ ଦେଖିଲେ ଦେବୋପମ କାନ୍ତି ନେଇ ଅତ୍ୟନ୍ତ ସୁନ୍ଦର ତିନିଜଣ ବାଳକ ଖେଳୁଛନ୍ତି । କୌତୁହଳରେ ଦେବଯାନୀ ସେମାନଙ୍କ ପାଖକୁ ଯାଇ ସେମାନଙ୍କ ପରିଚୟ ପଚାରିଲାରୁ ସେମାନେ ଯଯାତିଙ୍କ ଆଡକୁ ଆଙ୍ଗୁଳି ଦେଖାଇଲେ । ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲାପରେ ଦେବଯାନୀ ଯେତେବେଳେ ସେମାନଙ୍କ ମାଆଙ୍କ ନାମ ଶର୍ମିଷ୍ଠା ବୋଲି ଜାଣିଲେ, ସେତେବେଳେ ସେ ଅତ୍ୟନ୍ତ କ୍ରୋଧ ଓ ଅସହାୟତାର ସହ ଯଯାତିଙ୍କୁ ଚାହିଁଲେ । ସେତିକିବେଳେ ପିଲାମାନେ ଯଯାତିଙ୍କ ପାଖକୁ ସ୍ନେହ ପାଇଁ ଆସିଲା ବେଳକୁ ଯଯାତି ଚିହ୍ନା ପଡିବେ ବୋଲି ଚୁପ୍ ରହିଗଲେ । ପିତାଙ୍କର ସେମାନଙ୍କ ପ୍ରତି ଏମିତି ଅଜଣା ଲୋକ ପରି ବ୍ୟବହାରରେ ଦୁଃଖୀ ହେଇ ପିଲାଏ ମାଆ ଶର୍ମିଷ୍ଠାଙ୍କ ପାଖକୁ ଚାଲିଗଲେ । ପିଲାଙ୍କ ପଛେ ପଛେ ଦେବଯାନୀ ମଧ୍ୟ ଶର୍ମିଷ୍ଠାଙ୍କ ପାଖରେ ପହଞ୍ଚିଲେ ।
ଦେବଯାନୀ ସବୁ କଥା ବୁଝି ସାରିଥିଲେ । ବୁଝିସାରିଥିଲେ ତାଙ୍କ ସ୍ୱାମୀ ଓ ଦାସୀ ହେଇଥିବା ତାଙ୍କ ବାନ୍ଧବୀ ଦୁହେଁ ତାଙ୍କୁ ଅସଲ ସତକଥାଟି ଲୁଚାଇ ମିଛ କହିଛନ୍ତି । ତଥାପି ସେ ଶର୍ମିଷ୍ଠାଙ୍କୁ ଏମିତି କେମିତି ଅଧର୍ମ କର୍ମ କଲୁ ବୋଲି ପଚାରିଲେ । ଶର୍ମିଷ୍ଠା କହିଲେ ନା, ସେ କୌଣସି ଅଧର୍ମ ରାସ୍ତାରେ ଯାଇନାହିଁନ୍ତି । ବାନ୍ଧବୀର ପତିକୁ ନିଜ ପତି ଭାବରେ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ । ମୁଁ ଋଷିବରଙ୍କ ଠାରୁ ବର ପ୍ରାପ୍ତି କଥା ବି ମିଛ କହିନି । ଯଯାତି ତ ଜଣେ ରାଜର୍ଷି । ତୁ ରାଜାଙ୍କ ସହ ରହିଲୁ ମୁଁ ରୁଷିଙ୍କ ସହ ।
ଦେବଯାନୀଙ୍କର ଯଯାତି ଓ ଶର୍ମିଷ୍ଠାଙ୍କୁ ଆଉ ଅଧିକ କିଛି କହିବାର ନଥିଲା । ସେ କେବଳ ଯଯାତିଙ୍କୁ କହିଲେ, ହେ ରାଜା ! ତୁମେ ଧର୍ମ ପାଳନ କରିନ ଓ ମୋତେ ବିନା କାରଣରେ ଦୁଃଖି କରାଇଛ । ଆପଣଙ୍କ ରାଜ୍ୟରେ ମୁଁ ଆଉ ମୁହୂର୍ତ୍ତଟେ ମଧ୍ୟ ରହିବାକୁ ଚାହୁଁନି । ମୁଁ ଏଇ ମୁହୂର୍ତ୍ତରେ ମୋ ବାପାଙ୍କ ଘରକୁ ଚାଲିଲି । ଯଯାତି ପ୍ରାଣପଣେ ଦେବଯାନୀଙ୍କୁ ବୁଝାଇବାକୁ ଚେଷ୍ଠା କରୁଥା'ନ୍ତି । କିନ୍ତୁ ତାଙ୍କର କୌଣସି କଥା ଶୁଣିବାକୁ ଦେବଯାନୀ ସେତେବେଳେ ପ୍ରସ୍ତୁତ ନଥା'ନ୍ତି ।
ଦେବଯାନୀ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ପହଞ୍ଚିଲେ ଓ କାନ୍ଦି କାନ୍ଦି ତାଙ୍କ ଦୁଃଖ କଥା ସବୁ କହିଲେ । ସେତିକିବେଳେ ସେଠାରେ ପଛେ ପଛେ ରାଜା ଯଯାତି ମଧ୍ୟ ଯାଇ ପହଂଚିଲେ । ଦେବଯାନୀଙ୍କ ଅଭିଯୋଗ ପରେ ଯଯାତି ଶୁକ୍ରାଚାର୍ଯ୍ୟଙ୍କୁ ତାଙ୍କ ଅସହୟତା କଥା କହିଲେ । କୋଉ ପରିସ୍ଥିତରେ ସେ ଶର୍ମିଷ୍ଠାଙ୍କ ସହ ଏକାଠି ହୋଇଛନ୍ତି ତାହା ବାପ ଝିଅଙ୍କୁ ବୁଝାଇବାକୁ ଚେଷ୍ଠା କଲେ । ସବୁ ଶୁଣି ଶୁକ୍ର କହିଲେ, ହେ ରାଜା ତୁମେ ତୁମ ଧର୍ମ ନଷ୍ଟ କରିଛ । ଏମିତି ପରିସ୍ଥିରେ ତୁମେ ପରାମର୍ଶ ପାଇଁ ମୋର ସହାୟତା ନେଇପାରିଥା'ନ୍ତ । କିନ୍ତୁ ତୁମେ ନିଜେ ଯେଉଁ ଭୁଲ କରିଛ ତାକୁ ଠିକ୍ ବୋଲି ପ୍ରମାଣ କରିବାକୁ ବୃଥା ଚେଷ୍ଠା କରୁଛ । ଯୌବନର ଉଦ୍ଦାମତା ଓ କାମନାର ବଶବର୍ତ୍ତୀ ହୋଇ ତୁମେ ଯେଉଁ କର୍ମ କରିଛ, ତା' ପାଇଁ ତୁମକୁ ମୁଁ ଅଭିଶାପ ଦେଉଛି । ତୁମର ଯୌବନ ଏଇ ମୁହୂର୍ତ୍ତରୁ ହିଁ ଚାଲିଯିବ ଓ ତୁମେ ଜଣେ ବୃଦ୍ଧର ଶରୀର ନେଇ ଅବଶିଷ୍ଠ ଜୀବନ ବଂଚିରହିବ ।
ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ଶୁଣି ଯଯାତି ବ୍ୟସ୍ତ ହୋଇପଡିଲେ । ଅତ୍ୟନ୍ତ ଦୁଃଖର ସହ ଶୁକ୍ରଙ୍କୁ ଏମିତି ଭୟଙ୍କର ଅଭିଶାପ ଫେରାଇ ନେବାକୁ ଅନୁରୋଧ କଲେ । ଯଯାତି ଶୁକ୍ରଙ୍କୁ ବୁଝାଇଲେ ଯେ, ଆପଣ ମୋତେ ଯେଉଁ ଅଭିଶାପ ଦେଲେ ସେଥିରେ କେବଳ ମୁଁ ନୁହେଁ, ଆପଣଙ୍କ ଝିଅ ଦେବଯାନୀ ମଧ୍ୟ ଅଭିଶପ୍ତ ଜୀବନ ଅତିବାହିତ କରିବ । କାରଣ ଏବେ ସେ ତା'ର ଯୌବନ କାଳରେ ଜଣେ ରୋଗୀଣା ବୁଢାବର ସାଙ୍ଗରେ ସମୟ କାଟିବ । ଶୁକ୍ର କହିଲେ ନା ରାଜା ଅଭିଶାପ ଆଉ ଫେରାଇ ହେବନି । ହଁ କେହି ଯଦି ସ୍ୱେଚ୍ଛାରେ ତୁମର ବାର୍ଦ୍ଧକ୍ୟ ନେଇ ପ୍ରତିବଦଳରେ ତା'ର ଯୌବନ ତୁମକୁ ଦିଏ, ତେବେ ପୁଣି ଥରେ ତୁମେ ତୁମ ଯୁବାବସ୍ଥା ଫେରି ପାଇବ ।
ଯଯାତି ଭାବିଲେ ତାଙ୍କର ପାଞ୍ଚ ପୁଅ । ଅନୁରୋଧ କଲେ କେହି ନା କେହି ତାଙ୍କୁ ଧାର ସୂତ୍ରରେ ଯୌବନ ନିଶ୍ଚୟ ଦେବ । ଯେଉଁ ପୁଅ ମୋତେ ତାର ଯୌବନ ଦେବ, ସମୟ ହେଲେ ତାକୁ ପୁଣି ମୁଁ ତାର ଯୌବନ ଫେରାଇ ଦେବି ଓ ତା' ସାଙ୍ଗରେ ମୋର ରାଜ ସିଂହାସନ, ନାମ, ଯଶ ଓ ପ୍ରତିପତ୍ତି ସବୁକିଛି ଦେଇ ସନ୍ୟାସୀ ହୋଇ ଜଙ୍ଗଲକୁ ଚାଲିଯିବି ।
ଅଭିଶାପ ଫଳରେ ରାଜା ଯଯାତି ଏବେ ପକ୍ୱ କେଶ, ଲୋଳିତ ଚର୍ମ ଓ କୋଟରଗତ ଚକ୍ଷୁ ଧାରୀ ଜଣେ ବୁଢାଲୋକ ପରି ଦିଶୁଥିଲେ । ଆପଣା ଶରୀରରେ ଅକାଳ ବାର୍ଦ୍ଧକ୍ୟ ଧରି ଶୁକ୍ରଙ୍କ ପାଖରୁ ଯଯାତି ବାହାରିଲେ । ଏବେ ଉଧାର ସୂତ୍ରରେ ଯୌବନ ମାଗିବାକୁ ତାଙ୍କୁ ତାଙ୍କ ପୁଅମାନଙ୍କ ପାଖକୁ ଯିବାର ଅଛି ।
କିଏ ଜାଣେ କିଏ କ'ଣ କହୁଛି?
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)