ଦିନେ ଧୃତରାଷ୍ଟ୍ର ଏକା ଥିବାବେଳେ ଶକୁନି ଓ ଦୁର୍ଯ୍ୟୋଧନ ଯାଇଁ ତାଙ୍କ ପାଖରେ ପହଞ୍ଚିଲେ । ଧୃତରାଷ୍ଟ୍ର କିଛି ପଚାରିବା ଆଗରୁ ଶକୁନି କହିଲେ- ମହାରାଜ ଆପଣ ଦେଶ କଥା କେବଳ ଚିନ୍ତା କରୁଛନ୍ତି, କିନ୍ତୁ ଆପଣଙ୍କ ବଡ ପୁଅ ବିଷୟରେ କିଛି ବି ଭାବୁନାହାଁନ୍ତି। ଦୁଃଖରେ ଘାଣ୍ଟି ହୋଇ ବେଳକୁ ବେଳ ତାଙ୍କ ଦେହ କ୍ଷୀଣ ହେବାକୁ ଲାଗିଲାଣି । ଯାହା ଦେଖୁଛି ସେଥିକୁ ଆପଣଙ୍କର ଆଦୌ ନିଘା ନାହିଁ ।
ଶକୁନିଙ୍କ ପାଖରୁ ଏମିତି କଥା ଶୁଣି ଧୃତରାଷ୍ଟ୍ର ବ୍ୟସ୍ତ ହେଇଗଲେ। ପଚାରିଲେ ବାପରେ ତୋର କୋଉଥିରେ ଅଭାବ ରହିଲା ଯେ ତୁ ଦୁଃଖରେ ଘାଣ୍ଟି ହେଉଛୁ? ଦୁର୍ଯ୍ୟୋଧନ କହିଲେ, କେବଳ ଖାଇବା ପିଇବା ଶୋଇବା କ'ଣ ଜୀବନ? ଏ କ'ଣ ଜଣେ କ୍ଷତ୍ରୀୟର ଜୀବନ? ରାଜସୂୟ ଯଜ୍ଞରେ ପାଣ୍ଡବମାନଙ୍କ ଐଶ୍ୱର୍ଯ୍ୟ ଦେଖି ମୁଁ ନିଜକୁ ନିତ୍ୟାନ୍ତ କ୍ଷୁଦ୍ର ମନେକରୁଛି । ରାଜାମାନେ ସେମାନଙ୍କୁ ସମ୍ମାନ ଜଣାଇ ଭଳିକି ଭଳି ଉପହାର ଭେଟି ଦେଲେ । ଇନ୍ଦ୍ରପ୍ରସ୍ଥ ସହ ଆମ ହସ୍ତିନାପୁରକୁ ତୁଳନା କରି ମୁଁ ଲାଜରେ ମରିଯାଉଛି । ପାଣ୍ଡବମାନେ ଆମର ଚିର ଶତୃ । ସେମାନଙ୍କ ଶ୍ରୀ ବୃଦ୍ଧିରେ ମୁଁ ବିଷର୍ଣ୍ଣ ହେବା କିଛି ବଡ କଥା ନୁହେଁ ।
Also Read
ଧୃତରାଷ୍ଟ୍ରଙ୍କୁ ଦୁର୍ଯ୍ୟୋଧନଙ୍କର ଇର୍ଷାପୂର୍ଣ୍ଣ ମନୋଭାବ ଠିକ୍ ଲାଗିଲାନି । ସେ ଦୁର୍ଯ୍ୟୋଧନଙ୍କୁ ବୁଝେଇ କହିଲେ - ପୁଅ ଅନ୍ୟର ଶ୍ରୀ ଦେଖି ଏପରି ହତୋତ୍ସାହ ହୋଇପଡିବା ଜ୍ୟେଷ୍ଠ କୌରବ ଭାବରେ ତୁମ ପାଖରେ ଶୋଭା ପାଉନି । ନିଜ ଲୋକମାନଙ୍କ ପ୍ରତି ଏପରି ବିଦ୍ୱେଷ ରଖିବା ଭଲ ନୁହେଁ । ବିଦ୍ୱେଷର ବିଷ ସବୁ ସୁଖ ଶାନ୍ତିକୁ ପୋଡି ଜାଳି ଛାରଖାର କରିଦେବ। ଯୁଧିଷ୍ଠିର ଧର୍ମ ପଥରେ ଆତଯାତ ହୁଅନ୍ତି । ମୁଁ ଜାଣେ, ତାଙ୍କ ମନରେ ତୁମମାନଙ୍କ ପ୍ରତି କୌଣସି ଆବିଳତା ନାହିଁ । ଶୁଣ, ନିଜ ପରିବାର ଭିତରେ କଳହ ଆହୁରି ଅଧିକ ଅଶାନ୍ତି ଓ ଦୁଃଖ ଡାକିଆଣିବ । ସେମାନେ ସେମାନଙ୍କ ବଳରେ ରାଜସୂୟ ଯଜ୍ଞ କଲେ । ତୁମେ ବି କରିପାରିବ । ତୁମକୁ ବି ରାଜାମାନେ ଆସି ସମ୍ମାନ ଜଣେଇବେ । ଧନ ରତ୍ନ ଉପହାର ଦେବେ । ମୋତେ ଲାଗୁଛି ତୁମର ମନ ବିଚଳିତ ଅଛି । ସେଥିପାଇଁ ଏପରି ଖରାପ ଚିନ୍ତା ସବୁ ମୁଣ୍ଡକୁ ଆସୁଛି । ମନକୁ ଶାନ୍ତ ହେବାକୁ ଦିଅ । ସବୁ ଠିକ ହେଇଯିବ ।
ଧୃତରାଷ୍ଟଙ୍କ ଉପଦେଶ ଦୁର୍ଯ୍ୟୋଧନଙ୍କୁ ବିଷ ପରି ଲାଗୁଥାଏ । ସେ ବୁଝିବେ କ'ଣ ଓଲଟି ରାଜା ଧୃତରାଷ୍ଟଙ୍କୁ କଟୁ ବାକ୍ୟ କହିବାକୁ ଲାଗିଲେ । ତାପରେ କହିଲେ, ଆପଣ ସେ ପାଣ୍ଡବମାନଙ୍କୁ ପଶା ଖେଳିବାକୁ ହସ୍ତିନାପୁରକୁ ନିମନ୍ତ୍ରଣ କରନ୍ତୁ। ତା' ପର କଥା ମାମୁ ଶକୁନି ବୁଝିବେ ।
ଶକୁନି କହିଲେ ହଁ ମହାରାଜ, ମୁଁ ଜାଣିଛି ଯୁଧିଷ୍ଠିର ପଶା ଖେଳିବାକୁ ଭଲ ପାଅନ୍ତି । ସେମାନଙ୍କୁ ଥରେ ଏଇଠିକି ଡାକନ୍ତୁ। ମୋ ଆଗରେ ତ ତାଙ୍କ ଜିତବା ଅସମ୍ଭବ ।
ଧୃତରାଷ୍ଟ୍ର ବୁଝିଲେ ଶକୁନି ହିଁ ସବୁ ଦୁଷ୍ଟ ବୁଦ୍ଧି ଦୁର୍ଯ୍ୟୋଧନ ମୁଣ୍ଡରେ ପୁରେଇଛି । ସେ କହିଲେ ଏ ବିଷୟରେ ମୁଁ ବିଦୁରଙ୍କ ସହ ପ୍ରଥମେ କଥା ହେବି । ସେ ମୋର ମୁଖ୍ୟ ପରାମର୍ଶଦାତା । ଜଣେ ନିରପେକ୍ଷ ବିଚାରବନ୍ତ ମଣିଷ ଭାବରେ ସେ ଉଭୟ ପକ୍ଷର ମଙ୍ଗଳ ଚାହାଁନ୍ତି । ତାଙ୍କୁ ଥରେ ମୁଁ ପଚାରେ ସେ କ'ଣ କହୁଛନ୍ତି । ବିଦୁରଙ୍କୁ ପଚାରିବା କଥା ଶୁଣି ଶକୁନି ଓ ଦୁର୍ଯ୍ୟୋଧନ ପ୍ରମାଦ ଗଣିଲେ । ସେମାନେ ଜାଣିଥିଲେ ବିଦୁର କେବେବି ଜୁଆ ଖେଳ ପାଇଁ ରାଜି ହେବେନି ।
ଅଭିମାନ ମିଶା ବିରକ୍ତି ଭାବ ନେଇ ଦୁର୍ଯ୍ୟୋଧନ କହିଲେ; ତେବେ ଠିକ ଅଛି, ଜାଣିରଖ ମୋ କଥା ନରହିଲେ ମୋ ମଲା ମୁହଁ ଦେଖିବ । ତାପରେ ସେଇ ବିଦୁରଙ୍କୁ ଅନେଇ ସମୟ କାଟିବ । ପୁତ୍ର ପ୍ରେମରେ ଅନ୍ଧ ଧୃତରାଷ୍ଟ୍ର ଆଉ ବିଳମ୍ବ ନକରି ପଶାଖେଳ ପାଇଁ ଏକ ସ୍ୱତନ୍ତ୍ର ମଣ୍ଡପ ତିଆରି କରିବାକୁ ଜଣେ ପରିଚାରକଙ୍କୁ ନିର୍ଦ୍ଦେଶ ଦେଲେ ଓ ଆଉ ଜଣଙ୍କ ହାତରେ ବିଦୁରଙ୍କୁ ତୁରନ୍ତ ଆସିବାକୁ ଖବର ପଠାଇଲେ । ଅଳ୍ପ ସମୟ ଭିତରେ ବିଦୁର ଆସି ପହଞ୍ଚିଲେ। ପଶାଖେଳ କଥା ଶୁଣି ଧୃତରାଷ୍ଟ୍ରଙ୍କୁ ଅନେକ ପ୍ରକାର ବୁଝାଇବାକୁ ଚେଷ୍ଟା କଲେ । କହିଲେ, ମହାରାଜ ଆପଣ ଶକୁନି ଓ ଦୁର୍ଯ୍ୟୋଧନ କଥାରେ ପରିଚାଳିତ ହୋଇ ଯାହା କରିବାକୁ ଯାଉଛନ୍ତି ସେଥିରେ କିଛି ଲାଭ ମିଳିବନି, ବରଂ ଆପଣଙ୍କର ଏ ନିଷ୍ପତ୍ତି କୁରୁକୂଳ ଧ୍ୱଂସ ହେବାର ଅନ୍ୟତମ କାରଣ ହେବ ।
ବିଦୁରଙ୍କ କଥା କିଏ ଶୁଣୁଛି । ଧୃତରଷ୍ଟ୍ର ଦ୍ୟୁତକ୍ରୀଡା ପାଇଁ ମଣ୍ଡପ ନିର୍ମାଣ ପାଇଁ ଆଦେଶ ଦେଇ ସାରିଥିଲେ । ଏବେ ବିଦୁରଙ୍କୁ କହିଲେ ମୋ ଆଦେଶ ଆଉ ଫେରେଇ ହେବନି । ତୁମେ ମୋ କଥା ମାନ ଓ ଇନ୍ଦ୍ରପ୍ରସ୍ଥ ଯାଇ ଯୁଧିଷ୍ଠିରଙ୍କୁ ପଶା ଖେଳିବାକୁ ନିମନ୍ତ୍ରଣ କରି ଆସ । ବିଦୁରଙ୍କର ଆଉ କିଛି କହିବାର ନଥିଲା । ସେ ବଡ ବିଷର୍ଣ୍ଣ ମନରେ ରାଜା ଆଜ୍ଞା ପାଳନ କରି ବାଧ୍ୟରେ ଇନ୍ଦ୍ରପ୍ରସ୍ଥ ବାହାରିଲେ । ଯିବା ପୂର୍ବରୁ ଭୀଷ୍ମଙ୍କୁ ଦେଖା କରି ପରିସ୍ଥିତି ବର୍ଣ୍ଣନା କଲେ । ଭୀଷ୍ମ ନିଜର ଅସହାୟତା ପ୍ରକାଶ କରି କହିଲେ, ସେ ଯେଉଁ ଭୟ ଅନେକ ଦିନରୁ କରି ଆସୁଥିଲେ ଏବେ ସେ ସମୟ ଆସିଯାଇଛି ।

ବିଦୁର ଇନ୍ଦ୍ରପ୍ରସ୍ଥରେ ପାଣ୍ଡବମାନଙ୍କ ରାଜପ୍ରାସାଦରେ ପହଞ୍ଚିବା କ୍ଷଣି ପାଣ୍ଡବମାନେ ତାଙ୍କ ପାଦ ବନ୍ଦନା କଲେ ଓ ହସ୍ତିନାପୁରର ଭଲ ମନ୍ଦ ବିଷୟରେ ପଚାରିଲେ । କିନ୍ତୁ ବିଦୁରଙ୍କ ବିଷର୍ଣ୍ଣ ମୁହଁ ଦେଖି ଯଧିଷ୍ଠିର ପଚାରିଲେ କଥା କ'ଣ? ଆପଣ ଏପରି ମଳିନ 'କଣ ପାଇଁ ଦିଶୁଛନ୍ତି? କିଛି ଅମଙ୍ଗଳ ହେଇଛି କି? ହସ୍ତିନାପୁରରେ ସର୍ବ କୁଶଳ ତ?
ନା ନା ସବୁ କିଛି କୁଶଳ । ମୁଁ ରାଜା ଆଜ୍ଞା ଆଣି ତୁମମାନଙ୍କୁ ହସ୍ତିନାପୁରକୁ ନିମନ୍ତ୍ରଣ କରିବାକୁ ଆସିଛି । ରାଜାଙ୍କର ଇଚ୍ଛା ତୁମେ ପାଣ୍ଡବ ଭାଇମାନେ କୌରବ ଭାଇମାନଙ୍କ ସହ ଦ୍ୟୁତ କ୍ରୀଡା ଖେଳିବ । ସେଥିପାଇଁ ମଣ୍ଡପ ନିର୍ମାଣ ଚାଲିଛି । ସମସ୍ତଙ୍କ ଉପସ୍ଥିତିରେ ପଶାପାଲି ପଡିବ । ବିଦୁର କହିଲେ ।
ବିଦୁରଙ୍କ କଥା ଶୁଣି ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହୋଇ କହିଲେ, ଆପଣ ଜଣେ ବିବେକବନ୍ତ ବିଜ୍ଞ ମଣିଷ । ଆପଣ କ'ଣ ଜାଣନ୍ତିନି ପଶା ଖେଳ ବନ୍ଧୁ ଓ ଭାଇମାନଙ୍କ ଭିତରେ କଳହ ସୃଷ୍ଟି କରେ? ହସ୍ତିନାପୁରର ରାଜ ଦରବାରରେ ଆହୁରି କେତେ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି । କେହି ବି କିଛି କହିଲେନି?
ବିଦୁର ଏକ ଦୀର୍ଘଶ୍ୱାସ ପକେଇ କହିଲେ, ଏ ସବୁ ଦୁର୍ଯ୍ୟଧନର ଇଚ୍ଛା । ସେ ତ ମନ୍ଦ ବୁଦ୍ଧି ଶକୁନି କଥାରେ ପରିଚାଳିତ । ରାଜା ଧୃତରାଷ୍ଟ୍ର ପୁତ୍ର ପ୍ରେମରେ ଏକବାର ଅନ୍ଧ । ଅନ୍ୟମାନେ ଅସହାୟ ହୋଇ ସବୁ ବୁଝି, ସବୁ ଜାଣି ବି ନୀରବ ଅଛନ୍ତି । ସେଠି ପୁଣି ଶକୁନିଙ୍କ ସହ ବିବିଂଶତି, ସତ୍ୟବ୍ରତ, ଚିତ୍ରସେନ, ପୁରୁମିତ୍ର ଓ ଜୟଙ୍କ ପରି କପଟି, ମାୟାବୀ ଖେଳାଳିମାନେ ତୁମର ବାଟ ଚାହିଁ ବସିଛନ୍ତି । ମୁଁ ଜାଣେ ଏ ଖେଳର ଫଳାଫଳ କିଛି ଭଲ ହେବନି। କିନ୍ତୁ କ'ଣ କରାଯିବ? ତୁମେ ଚାହିଁଲେ ଦୁର୍ଯ୍ୟୋଧନ ଓ ଶକୁନିଙ୍କ ଖଳ ବୁଦ୍ଧିକୁ ପ୍ରତିହତ କରିପାରିବ । ପଶା ଖେଳରେ ଯୋଗ ଦେବ କି ନଦେବ ସେ ନିଷ୍ପତ୍ତି ତୁମର ।
ଧୃତରାଷ୍ଟ୍ର ସବୁ ବୁଝୁଥିଲେ । କିନ୍ତୁ ପଶା ଖେଳ ପ୍ରତି ତାଙ୍କର ବିଶେଷ ଦୁର୍ବଳତା ଥିଲା । ତେଣୁ ସେ କହିଲେ, ଆମକୁ ଦୁର୍ଯ୍ୟୋଧନ କିମ୍ବା ଶକୁନି ତ ନିମନ୍ତ୍ରଣ ପଠାଇ ନାହାନ୍ତି । ପଠେଇଛନ୍ତି ରାଜା ଧୃତରାଷ୍ଟ୍ର । ଜଣେ ରାଜା ଆଉ ଜଣେ ରାଜାଙ୍କୁ ନିମନ୍ତ୍ରଣ କରିଛନ୍ତି। ତେଣୁ ନ ଯିବାଟା ଅସୁନ୍ଦର ହେବ। ତାପରେ ବିଦୁର ଫେରିଗଲା ପରେ ଯୁଧିଷ୍ଠିର ସାନ ଚାରି ଭାଇ ଓ ପତ୍ନୀ ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ରଥ ଚଢି ହସ୍ତିନା ବାହାରିଲେ । ଆଗରୁ କିଛି ବଡ ନିଷ୍ପତ୍ତି ନେବା ପୂର୍ବରୁ ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କୁ ନିଶ୍ଚୟ ଅବଗତ କରାଉଥିଲେ । ଯୁଧିଷ୍ଠିର ଏଥର ବ୍ୟସ୍ତତା ଓ ସମୟର ସ୍ୱଳ୍ପତା ପାଇଁ ଦ୍ୱାରକାକୁ ଖବର ପଠେଇ ପାରିଲେନି ।
ପରଦିନ ପଶା ଖେଳ ପାଇଁ ସବୁ କିଛି ଆୟୋଜନ ସରିଥାଏ । ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରୁ ଫେରି ବିଶ୍ରାମ ନେଇସାରିଥାନ୍ତି । ରାତି ଗାଢ ହେଲାପରେ ଦୁର୍ଯ୍ୟୋଧନଙ୍କ ପାଖକୁ ଶକୁନି ଆସିଲେ । ଦୁର୍ଯ୍ୟୋଧନଙ୍କୁ ତାଙ୍କ ପଶାକାଠି ଓ ଗୋଟିତକ ଦେଇ କହିଲେ କାଲି ଯେତେବେଳେ ଯୁଧିଷ୍ଠିର ତୁମକୁ ପଶା ଖେଳିବାକୁ କହିବେ, ତୁମେ କହିବ ମୋ ପକ୍ଷରୁ ମୋ ମାମୁଁ ଖେଳିବେ । ମୁଁ ବସିଲା ପରେ ମୋତେ ଏ କାଠିତକ ବଢେଇବ। କାରଣ ସେଠି ଉପସ୍ଥିତ ଥିବା ବିଦୁର ଆଦି ମୋ କାଠିରେ ଓ ଗୋଟିରେ ମାତେ ଖେଳିବାକୁ ଅନୁମତି ଦେବେନି । ଏମିତି କଲେ ମୋ ଅସଲ ପଶା କାଠି ମୋ ପାଖରେ ପହଞ୍ଚିବ ଓ ତାପରେ ଯାହା ହେବାକଥା ତାହା ସବୁ ମୁଁ କରିବି । କପଟିଆ ହସ ହସି ଶକୁନି କହିଲେ ।
ପରଦିନ ସକାଳୁ ନବ ନିର୍ମିତ ମଣ୍ଡପ ପାଖରେ ସମସ୍ତେ ପହଞ୍ଚିଗଲେ । ସବୁଠାରୁ ଅଧିକ ଖୁସି ଥାଆନ୍ତି ଶକୁନି । ଶକୁନି ଯୁଧିଷ୍ଠିରଙ୍କୁ ଦେଖି କହିଲେ, ମହାରାଜ ସବୁ କିଛି ପ୍ରସ୍ତୁତ । କେବଳ ଆପଣଙ୍କୁ ଅପେକ୍ଷା ଥିଲା । ଯୁଧିଷ୍ଠିର ଶକୁନିଙ୍କୁ କହିଲେ ଏଥିରେ ଆନନ୍ଦ ହେବାର କିଛି ନାହିଁ । ମୁଁ ଜାଣିଛି ଏ ପଶା ଖେଳ କଅଣ । ମୁଁ ଆଶା କରୁଛି ଧର୍ମକୁ ସାକ୍ଷୀ ରଖି ଏଠାରେ କିଛି ବି କପଟ କିମ୍ବା ଛଳନାର ଆଶ୍ରୟ ନିଆ ଯିବନି । ପ୍ରତାରଣା ଓ ଚଞ୍ଚକତାର ଆଶ୍ରୟ ନିଆଯିବନି ।
ଶକୁନି ଜାଣିଥିଲେ ଯୁଧିଷ୍ଠିର ପଶା ଖେଳିବାକୁ ଇଚ୍ଛୁକ । ତାଙ୍କ ଇଚ୍ଛାକୁ ବଢାଇବାକୁ ଶକୁନି କହିଲେ, ମହାରାଜ ପଶା ଖେଳ ହେଲା କିଛି ଭାଗ୍ୟ କିଛି କୌଶଳର ଖେଳ । ଯାହାର ଭାଗ୍ୟ ଟାଣ ଓ ଯିଏ ପଶାକାଠି ଗଡାଇବାର କୌଶଳ ଜାଣିଛି ସେ ବିଜୟ ଲାଭ କରିବ । ଆପଣ ଯଦି ଚାହୁଁ ନାହନ୍ତି ତେବେ ଖେଳିବାକୁ କେହି ବାଧ୍ୟ କରୁନାହାଁନ୍ତି । ତେଣିକି ଆପଣଙ୍କ ଇଚ୍ଛା ।
ଶକୁନିଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ ସେ ଖେଳିବାକୁ ପ୍ରସ୍ତୁତ । କିନ୍ତୁ ତାଙ୍କ ସାଙ୍ଗରେ ଖେଳିବ କିଏ? ଯୁଧିଷ୍ଠିରଙ୍କର ଧାରଣା ଥିଲା ତାଙ୍କ ସହ ଦୁର୍ଯ୍ୟୋଧନ ଖେଳିବେ । ସେ ଦୁର୍ଯ୍ୟୋଧନଙ୍କୁ ସହଜରେ ପରାସ୍ତ ପରିପାରିବେ । କିନ୍ତୁ ଦୁର୍ଯ୍ୟୋଧନ କହିଲେ ତାଙ୍କ ପକ୍ଷରୁ ଗାନ୍ଧାର ନରେଶ, ମାମୁଁ ଶକୁନି ଖେଳିବେ । ଦୁର୍ଯ୍ୟୋଧନଙ୍କ ବଦଳରେ ଶକୁନିଙ୍କ ଖେଳିବାକୁ ଯୁଧିଷ୍ଠିର ନାପସନ୍ଦ କଲେ ମଧ୍ୟ ଶେଷରେ ଖେଳିବାକୁ ବସିଗଲେ ।
ପଶା ଖେଳ ପାଇଁ ନିର୍ମିତ ମଣ୍ଡପରେ ରାଜା ଧୃତରାଷ୍ଟ୍ର, ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, ଦୁର୍ଯ୍ୟୋଧନ, କୃପ ଓ ବିଦୁର ଆଦି ଉପସ୍ଥିତ ଥିଲେ । ସେମାନେ ସମସ୍ତେ ଜାଣିଥିଲେ ଆଗକୁ କିଛି ଭଲ ହେବାକୁ ଯାଉନି । କିନ୍ତୁ ପରିସ୍ଥିତି ସେମାନଙ୍କ ନିୟନ୍ତ୍ରଣରେ ଆଉ ନଥିଲା । ଅସହାୟ ଦର୍ଶକ ଭାବରେ ସେମାନେ କେବଳ ବସି ରହିଥିଲେ ।
ଖେଳ ଆରମ୍ଭ ବେଳକୁ ଶକୁନି ତାଙ୍କ ପାଖରେ ଥିବା ପଶା କାଠି ବାହାର କଲେ । ବିଦୁର କହିଲେ ନା, ଶକକୁନିଙ୍କ ପଶା କାଠି ଏଠି ଖେଳରେ ବ୍ୟବହାର ହେଇପାରିବନି । ସେ ଦୁର୍ଯ୍ୟୋଧନଙ୍କ ତରଫରୁ ଖେଳୁଛନ୍ତି । ତେଣୁ ଦୁର୍ଯ୍ୟୋଧନଙ୍କ ପଶା କାଠି ବ୍ୟବହାର ହେବା ଠିକ ହେବ । ଦୁର୍ଯ୍ୟୋଧନ ତୁରନ୍ତ ପୂର୍ବ ରାତିରେ ମାମୁଁ ଶକୁନି ତାଙ୍କୁ ରଖିବାକୁ ଦେଇଥିବା ଦାନ ଓ ପଶା କାଠି ବାହାର କରି ଶକୁନିଙ୍କ ହାତରେ ଧରେଇ ଦେଲେ। ଏବେ ଶକୁନିଙ୍କ ପାଖକୁ ତାଙ୍କ ବାପାଙ୍କ ହାଡରେ ତିଆରି ଅସଲ କାଠି ଓ ଦାନ ଆସିଗଲା। ତାଙ୍କ ପୂର୍ବ ପ୍ରସ୍ତୁତି କାମ ଦେଲା ।
ଯୁଧିଷ୍ଠିରଙ୍କ ଅନୁମତି ପରେ ଶକୁନି ପଶାପାଲି ଉପରେ ଦାନ ରଖି କାଠି ଗଡେଇଲେ ।