ପିଲାଦିନରୁ ମାଆ ମୋର ସବୁଦିନ ସକାଳ ଆଉ ସଞ୍ଜରେ ସରୁ ସରୁ ଫାଙ୍କ ଥିବା ମୋଟା ଶିଙ୍ଗ ପାନିଆରେ ମୁଣ୍ଡ କୁଣ୍ଡେଇବାର ଦେଖିଛି । ମୁଁ କିନ୍ତୁ ସେଇଟା ବ୍ୟବହାର କରେନି । ଏକରେ ତ ସେ ମୋ ହାତରୁ ଖସି ଭାଙ୍ଗିଯାଏ, ଦୁଇରେ ମୋ ଚୁଟିରେ ଏତେ ଲଟା ହୁଏ ଯେ ସରୁ ଫାଙ୍କ ଥିବା ଶିଙ୍ଗ ପାନିଆରେ ଲଟା ଛଡେଇବାକୁ ବହୁତ ସମୟ ଲାଗେ । ମୋର ପୁଣି ଧୈର୍ଯ୍ୟର ଘର ଟିକେ ଛୋଟ । ତାପରେ ଟିକେ ବଡ ହେବା ପରେ ଦେଖିଲି ଶିଙ୍ଗରେ ତିଆରି ଆହୁରି କେତେ ଜିନିଷ । ମୋତେ ବେଶି ଭଲ ଲାଗେ ଶିଙ୍ଗରେ ତିଆରି ବେଶ୍ ଲମ୍ବା ଧ୍ୟାନରତ ଯୋଡ଼ିକିଆ ବଗ, ଲମ୍ବା ଗୋଡ଼ିଆ ଚିଙ୍ଗୁଡ଼ି ଓ ପାଲ ଟଣା ଜାହାଜ । ଗୟଳର ଧଳା ଶିଙ୍ଗରେ ତିଆରି ଚିଙ୍ଗୁଡ଼ି ତ ପାଣିରୁ ସଦ୍ୟ ଧରା ହୋଇ ଆସିଥିବା ଚିଙ୍ଗୁଡ଼ିର ଭ୍ରମ ତିଆରି କରେ । କିଛି ବର୍ଷ ତଳେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଶିଙ୍ଗର ମୁଣ୍ଡ କଣ୍ଟାଟିଏ ଦେଇଥିଲେ ଯାହାର ଅଗରେ ଗୋଟିଏ ଚଢ଼େଇ ଥିଲା । ଦେଖିଲା ପରି କାମ ସତରେ । ସେଇଟା କିନ୍ତୁ ଦିନେ ସ୍କୁଟି ଚଲେଇ ଯାଉ ଯାଉ ଖସେଇ ପକେଇ କେଉଁଠି ହଜେଇଦେଲି ଯେ ଆଉ ପାଇଲିନି... । ଦିନାକେତେ ସେଇ ରାସ୍ତାରେ ଯିବାଆସିବା କଲି ଖାସ୍ ତାକୁଇ ଖୋଜିବା ପାଇଁ । ତଥାପି ମିଳିଲାନି । ସେମିତି ଆଉ ଗୋଟିଏ ପାଇବା ପାଇଁ ସବୁ ମେଳା ମଉଛବକୁ ଯାଏ, ଅନେକ କାରିଗରଙ୍କୁ ପଚାରେ ବି ।
ଏବେ ଏବେ ଶିଙ୍ଗ କାମ ପାଇଁ ପ୍ରସିଦ୍ଧ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଯାଇଥିଲି । ସେଇଠି ଶିଙ୍ଗ କାମ ତିଆରିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା ପ୍ରକ୍ରିୟାକୁ ଦେଖିଲି, ଭିଡିଓ କଲି ଓ କାରିଗରଙ୍କ ସହ କଥାହେଲି । ଧୀରେ ଧୀରେ ଶିଙ୍ଗ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍ ମିଳିବାରେ ଅଭାବ ଓ ଆମ ଅବହେଳାରୁ କାମ ଏବେ କମି କମି ଆସୁଛି । ଆଗାମୀ ପିଢି ପାଇଁ ତାକୁ ବଞ୍ଚାଇ ରଖିବାକୁ ଆମକୁ ଅନ୍ତତଃ ସେ ସମ୍ପର୍କରେ ଜାଣିବାକୁ ହେବ । ସେଥିପାଇଁ ପୂରା ପ୍ରକ୍ରିୟାଟିକୁ ମୁଁ ଏଇଠି ଲେଖିଛି । ସତରେ କାରିଗର ପାଖରେ ପଡିଥିବା ମଳିଛିଆ, ଆବୁଡା ଖାବୁଡା ଶିଙ୍ଗକୁ ଦେଖି ଆପଣ ଆଦୌ ବିଶ୍ୱାସ କରିପାରିବେନି ଯେ ଏଇଥିରୁ ଏତେ ସୁନ୍ଦର କଳା ମଚମଚ ଚିକ୍କଣ ଶିଙ୍ଗ କାମ ହେଉଛି ବୋଲି ।
ଶିଙ୍ଗ କାମ ପାଇଁ ବ୍ୟବହୃତ ଉପକରଣ ଓ କଞ୍ଚାମାଲ୍:
୧.ପଶୁ ଶିଙ୍ଗ: ଶିଙ୍ଗ କଳାକୃତି ତିଆରି କରିବା ପାଇଁ ପଶୁ ଶିଙ୍ଗ ହେଉଛି ମୂଳ ଉପାଦାନ । ମଇଁଷି, ହରିଣ, ଗୟଳ, ବଳଦ ଆଦିଙ୍କର ଶିଙ୍ଗ ଏହି କାମ ପାଇଁ ବ୍ୟବହୃତ ହୁଏ । ଭିତର ଫମ୍ପା ଥିବା ଶିଙ୍ଗ ସବୁ ଚଢ଼େଇର ଡେଣା, ମାଛର ଦେହ, ବଡ ବଡ କଳାକୃତିର ଛୋଟ ଛୋଟ ଅଂଶ ଆଦି ପରି ସ୍ୱଚ୍ଛ ଓ ପାରଦର୍ଶିତାପୂର୍ଣ୍ଣ କଳାକୃତି ତିଆରି ପାଇଁ ଉତ୍କୃଷ୍ଟ । ନିଦା ଶିଙ୍ଗ ସବୁ ହାତୀର ଦେହ, ବିଭିନ୍ନ ଜୀବଙ୍କର ଶରୀର ଓ ଅନ୍ୟ ମୁଖ୍ୟ ଅଂଶ ତିଆରି କରିବା କାମରେ ଲାଗେ ।
୨.କୋଇଲା: କଳାକୃତି ତିଆରି ପ୍ରକ୍ରିୟାରେ କୋଇଲା ଅନ୍ୟ ଏକ ମୁଖ୍ୟ କଞ୍ଚାମାଲ୍ । ଏହାର ବ୍ୟବହାର ମୁଖ୍ୟତଃ ଏସବୁକୁ ଉଜ୍ଜ୍ୱଳ କରିବା ଏବଂ ଜେଟ୍-ବ୍ଲାକ୍ ଫିନିସିଂ ଦେବା ପାଇଁ ହୋଇଥାଏ ।
୩. ଅଠା ଓ ରଙ୍ଗ: ଯେଉଁ କଳାକୃତିରେ ବହୁତ ଛୋଟ ଛୋଟ ଅଂଶ ଥାଏ ସେସବୁକୁ ଯୋଡିବା ପାଇଁ ଅଠା ବ୍ୟବହାର କରାଯାଏ । ରଙ୍ଗର ବ୍ୟବହାର କଳାକୃତିର ସୁକ୍ଷ୍ମ କାମ ଓ କେତେକାଂଶରେ ଶେଷ ସ୍ପର୍ଶ ଦେବା ପାଇଁ କରାଯାଇଥାଏ ।
୪. ଆରି: ଏହାର ବ୍ୟବହାର ଶିଙ୍ଗକୁ ଆବଶ୍ୟକ ଆକାର ଓ ଲମ୍ବା ଅନୁସାରେ କାଟିବା ପାଇଁ କରାଯାଏ ।
୫. ଟେବଲ୍ ଆରି: ଏହାର ବ୍ୟବହାର ମୋଟା ଓ ବଡ ଶିଙ୍ଗକୁ ଆବଶ୍ୟକ ଆକାର ଓ ଲମ୍ବା ଅନୁସାରେ କାଟିବା ପାଇଁ କରାଯାଏ ।
୬.ହାତୁଡି ଓ ନିହାଣ: ଏହି ଦୁଇଟି ମୁଖ୍ୟ ଉପକରଣ ଯାହାକୁ ବ୍ୟବହାର ଏହି କଳାକୃତିଗୁଡିକ ଭିତରୁ ଅଧିକାଂଶକୁ କିଛି ନା କିଛି ଆକାର ଦେବା ପାଇଁ କରାଯାଏ । ନିହାଣର ବ୍ୟବହାର ଶିଙ୍ଗର ମୋଟେଇ କମ୍ କରିବା ପାଇଁ କରାଯାଏ, ଯଦ୍ୱାରା ଏହା ମୋଟରରେ ଫିଟ୍ ହୋଇପାରିବ ।
୭.ଫାଇଲ୍: କଳାକୃତିକୁ ଚିକ୍କଣ କରିବା ସହ ତାକୁ ଆକାର ଦେବା ପାଇଁ ଅଲଗା ଅଲଗା ଗ୍ରେଡ୍ ର ଫାଇଲ୍ ବ୍ୟବହାର କରାଯାଏ । ଛୋଟ ଭାଙ୍ଗ ଥିବା କଳାକୃତିକୁ ଚିକ୍କଣ କରିବା ପାଇଁ ଅର୍ଦ୍ଧବୃତ୍ତାକାର ଓ ଗୋଲାକାର ଫାଇଲ୍ ର ବ୍ୟବହାର କରାଯାଏ ।
୮. ଡ୍ରିଲିଂ ମେସିନ୍: ଏହାକୁ ଶିଙ୍ଗ ଦେହରେ ଛିଦ୍ର ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଅନେକ ସମୟରେ ହାତରେ ଚଲାଯାଉଥିବା ଡ୍ରିଲିଂ ମେସିନ୍ ବ୍ୟବହାର କରାଯାଏ । କାରଣ, ଫମ୍ପା ଶିଙ୍ଗଗୁଡିକ ବହୁତ ନରମ ହୋଇଥାନ୍ତି । ତା ଉପରେ ମେସିନ୍ ଚାଳିତ ଡ୍ରିଲିଂ ମେସିନ୍ ଚାଲିଲେ ଅଧିକ ଭାଙ୍ଗି ଯାଇପାରନ୍ତି ।
ଅଧିକ ପଢ଼ନ୍ତୁ: କତା କଣ୍ଢେଇ ଓ କୟର କ୍ରାଫ୍ଟ – ପୁରୀର ନଢ଼ଣା ଗାଁର ପାରମ୍ପରିକ କଳା ସଂସ୍କୃତିର ନୂତନ ଦୃଷ୍ଟି
୯. ମୋଟର: କଳାକୃତିକୁ ତୀବ୍ର ବେଗରେ ଘୁରାଇ ପଲିସ୍ କରିବା ପାଇଁ ଏକ ମୋଟରର ବ୍ୟବହାର କରାଯାଏ, ଯଦିଓ ଏସବୁକୁ ଫାଇଲ୍ ଦ୍ୱାରା ମଧ୍ୟ ଚିକ୍କଣ କରାଯାଏ । କିଛି କଳାକୃତିର ପଲିସିଙ୍ଗ ଓ ବଫିଙ୍ଗ ମଧ୍ୟ ଏମିତି ଭାବରେ କରାଯାଏ ।
୧୦. ବଫିଙ୍ଗ ମେସିନ୍: ଏହି ମେସିନ୍ ର ବ୍ୟବହାର ବିଶେଷ କରି ତିଆରି ହୋଇସାରିଥିବା ଉତ୍ପାଦଗୁଡିକୁ ଚମକଦାର କରିବା ପାଇଁ କରାଯାଏ । ଏହାକୁ କଳାକୃତି ତିଆରି ପୂର୍ବରୁ ଅଲଗା ଅଲଗା ହୋଇଥିବା ଛୋଟ ଛୋଟ ଖଣ୍ଡଗୁଡିକୁ ପଲିସ୍ ପାଇଁ ମଧ୍ୟ ବ୍ୟବହାର କରାଯାଏ ।
ଶିଙ୍ଗ କାମ ତିଆରି ପ୍ରକ୍ରିୟା:
୧. ଶିଙ୍ଗ ବାଛିବା: ସବୁଠୁ ପ୍ରଥମ ଓ ଜରୁରୀ କାମ ହେଉଛି ଶିଙ୍ଗ ବାଛିବା । ଅନ୍ତିମ କଳାକୃତିର ପ୍ରକାର ଅନୁସାରେ ଶିଙ୍ଗ ବାଛିବାକୁ ହୁଏ । ଖୋଦେଇ କାମରେ ପ୍ରାୟତଃ ମଇଁଷି ଶିଙ୍ଗ ବ୍ୟବହାର କରାଯାଏ, ହରିଣ ଶିଙ୍ଗ ନୁହେଁ । ହାତୀ, ବିଭିନ୍ନ ପଶୁ ଆଦି ମଜଭୁତ ଜିନିଷ ତିଆରି ପାଇଁ ମଇଁଷି ଶିଙ୍ଗ ବ୍ୟବହାର କରାଯାଏ । ଚଢେଇର ଡେଣା, ମାଛର ଲାଞ୍ଜ ଆଦି ହାଲୁକା, ଚମକଦାର ଓ ପାରଦର୍ଶିତାପୂର୍ଣ୍ଣ ଆକୃତି ତିଆରି ପାଇଁ ଫମ୍ପା ଶିଙ୍ଗ ବ୍ୟବହାର କରାଯାଏ । କାରଣ ପଲିସିଂ ହେବା ପରେ ଏହା ଖୁବ୍ ଚମତ୍କାର ଦିଶେ । ହରିଣ ଶିଙ୍ଗ ପ୍ରାୟତଃ ଯେମିତି ମିଳିଥାଏ ସେମିତି ବ୍ୟବହାର କରାଯାଏ । ଏହାକୁ ଚିକ୍କଣ କରିବା ଦରକାର ପଡ଼େନାହିଁ ।
୨. ଶିଙ୍ଗ କାଟିବା: ଥରେ ଶିଙ୍ଗ ମିଳିଗଲା ପରେ ତା'ର ଶିରା କାଟିବା ସହ ଉପର ଅଂଶକୁ ସମାନ କରି କଟାଯାଏ । ଏଥିପାଇଁ ଆରି ଓ ଟେବୁଲ୍ ଆରି ବ୍ୟବହାର କରାଯାଏ ।
୩. ବାହ୍ୟ ଆକୃତି ଦେବା: ହାତୁଡି ଓ ନିହାଣ ବ୍ୟବହାର କରି କାରିଗର ମୋଟାମୋଟି ଭାବେ କଳାକୃତିକୁ ଗୋଟେ ଆକାର ଦିଏ । ଶିଙ୍ଗର ଗୋଟିଏ ମୁଣ୍ଡକୁ ପତଳା ବି କରେ ମୋଟର୍ ଭିତରେ ଭର୍ତ୍ତି କରିବା ପାଇଁ ।
୪. ଡିଜାଇନ୍ ତିଆରି: କାରିଗର ଏଥର ତୀକ୍ଷ୍ଣ ଧାର ଥିବା ଫାଇଲ୍ ବ୍ୟବହାର କରି ଶିଙ୍ଗକୁ ବିଭିନ୍ନ ଆକାର ଦିଏ । ଯେମିତିକି ଡେଣାର ଉପରେ ଥିବା ଗାର, ମାଛର ଆଖି ଇତ୍ୟାଦି । ଯଦି କେଉଁଠି ଛିଦ୍ର କରିବାର ଥାଏ ତେବେ ହାତ ଡ୍ରିଲ୍ ବ୍ୟବହାର କରାଯାଏ । ଏହାଦ୍ୱାରା ସୂକ୍ଷ୍ମ କାମ ଭାଙ୍ଗିଯାଏ ନାହିଁ । ଥରେ କଳାକୃତିରେ କୌଣସି ପ୍ରକାର ପରିବର୍ତ୍ତନ କରିବା ପରେ ଟିକିନିଖି ନିରିକ୍ଷଣ କରାଯାଏ ।
୫. ଚିକ୍କଣ ଓ ବଫିଙ୍ଗ କରିବା: ଖୋଦେଇ କାମ ସରିଗଲା ପରେ ବାଲି କାଗଜରେ ଶିଙ୍ଗର କଳାକୃତିକୁ ଘଷାଯାଏ । ଏହାପରେ ଓଦା କପଡାରେ କଳାକୃତିକୁ ସଫା କରାଯାଏ । ତାପରେ ଯାଇ କୋଇଲାକୁ ପାଣିରେ ମିଶାଇ ଶିଙ୍ଗ ଉପରେ ଲଗାଯାଏ । ଏହାଦ୍ୱାରା କଳାକୃତି ଉପରେ ଥିବା ଛୋଟଛୋଟ ଫାଙ୍କ ଭରିଯାଏ । କଳାକୃତିକୁ ଏଥର ଶୁଖିଲା କପଡାରେ ପୋଛି ସଫା କରି ଶୁଖେଇ ଦିଆଯାଏ । ଏଥର ସବୁ ଜାଗା କଳା ଦିଶିବା ସହ ଚକମକ କରେ ।
୬. ପେଣ୍ଟିଂ ଓ ଶେଷ ସ୍ପର୍ଶ: କାରିଗର ପୁଣିଥରେ ଆବଶ୍ୟକ ହେଲେ ଅନ୍ୟ ଉପକରଣ ବ୍ୟବହାର କରି ମାଛର ଆଖି, ଚଢେଇର ଡେଣା ଆଦି ପରି ସୁକ୍ଷ୍ମ ଅଂଶକୁ ପେଣ୍ଟିଂ ବି କରେ ।
୭. ଛୋଟ ଅଂଶକୁ ଯୋଡିବା: ଯେଉଁ କଳାକୃତିରେ ଛୋଟ ଛୋଟ ବହୁତଗୁଡିଏ ଖଣ୍ଡ ଥାଏ ତାକୁ ଅଲଗା ଅଲଗା ଖୋଦେଇ କରି, ରଙ୍ଗ ଦେଇ, ଚିକ୍କଣ କରିସାରି ଅଠା ବା ଛୋଟ ପିରିକ ସାହାଯ୍ୟରେ ଯୋଡି ଶୁଖେଇ ଦିଆଯାଏ । ଏଇ ଯେମିତି ଡେଣା, ଗୋଡ, ଲାଞ୍ଜ ଇତ୍ୟାଦି ।
ସବୁ ସରିବା ପରେ କଳାକୃତିଟିକୁ ନିରେଖି ଦେଖି, ସଫା କରି ବିକ୍ରି ପାଇଁ ପ୍ରସ୍ତୁତ କରାଯାଏ । ସାଧାରଣରେ ଅବ୍ୟବହୃତ ଫୋପଡା ହେଇଯାଉଥିବା ଶିଙ୍ଗ ଏଥର ସୁନ୍ଦର କଳାକୃତିର ରୂପ ନେଇଯାଇଥାଏ ।
ଶିଙ୍ଗ କାମ ପାଇଁ ପରିଚୟ ଲଭିଥିବା ପାରଳାଖେମୁଣ୍ଡିରେ କିନ୍ତୁ ଧିରେ ଧିରେ ଏଇ ଶିଙ୍ଗର କଳାକୃତି ତିଆରି କମି କମି ଆସିଲାଣି । ରାଜରାସ୍ତା କଡରେ ଥିବା ଶିଙ୍ଗ କାରିଗରମାନଙ୍କର ଅନେକ ଦୋକାନ ବନ୍ଦ ହୋଇ ସାରିଲାଣି । ଏଥିପାଇଁ ଆମେ କୌଣସି ଗୋଟିଏ କାରଣକୁ ଦାୟୀ କରିପାରିବାନି । କୌଣସି କଳାକୃତି ତା'ର ଚାହିଦାକୁ ଅନେଇ ବଞ୍ଚିରୁହେ ଅବା ମରିଯାଏ । ପାନିଆ, ଚାବି ରିଂ, ମୁଣ୍ଡ କଣ୍ଟା ପରି ଅଳ୍ପ କେତୋଟି ବ୍ୟବହାର୍ଯ୍ୟ ଜିନିଷକୁ ଛାଡିଦେଲେ ଶିଙ୍ଗ କାରିଗର ଅନ୍ୟ ସବୁକିଛି ସାଜସଜା ଜିନିଷ ତିଆରି କରୁଛନ୍ତି । ଏକଥା ସତ ଯେ ବଜାରରରେ ଆଜି ଭଳିକି ଭଳି ଅଳ୍ପ ମୂଲ୍ଯର ଘର ସଜା ଜିନିଷ । ସେଥିରେ ପୁରୁଣା କାଳିଆ ଶିଙ୍ଗକାମର ଜିନିଷକୁ ପଚାରୁଛି କିଏ?