Advertisment

Mahabharat Story: ଦ୍ରୌପଦୀଙ୍କ ଅପମାନ ଓ ଭୀମଙ୍କ ଶପଥ କଥା

ରାତି ଅଧରେ ଦ୍ରୌପଦୀଙ୍କୁ ପାଖରେ ପାଇ କ’ଣ କହିଲା କିଚକ ? କାହିଁକି କିଚକ କବଳରୁ ତାଙ୍କୁ କେହିବି ରକ୍ଷା କରିପାରିଲେନି? କାହିଁକି ଦ୍ରୌପଦୀଙ୍କୁ ଭୀମସେନଙ୍କ ପାଖକୁ ଯିବାକୁ ହେଲା? କିଚକଙ୍କୁ ମାରିବାକୁ କ'ଣ ଯୋଜନା କଲେ ଭୀମ? ମହାଭାରତ ଭିତରୁ ଏପରି ଆହୁରି ଅନେକ ଅଜଣା କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

ମହାରାଣୀ ସୁଦେଷ୍ଣା ଯୋଜନା କରି ତାଙ୍କ ଭାଇ ମତ୍ସ ଦେଶର ସେନାପତି କିଚକଙ୍କ ପାଖକୁ ଦ୍ରୌପଦୀଙ୍କୁ ରାତି ଅଧରେ ମଦିରା ଆଣିବାକୁ ପଠେଇଲେ । ସୈରୀନ୍ଧ୍ରୀ ରୂପରେ ଥିବା ଦ୍ରୌପଦୀ ଯେତେ ମନା କଲେବି ସୁଦେଷ୍ଣା ଶୁଣିଲେନି । ଅଧ ରାତିରେ ଦ୍ରୌପଦୀଙ୍କୁ ବାଧ୍ୟ ହୋଇ କିଚକପୁରକୁ ଯିବାକୁ ହେଲା । ଦ୍ରୌପଦୀଙ୍କୁ ନିର୍ଜନ ରାତିରେ ଏକୁଟିଆ ନିଜ ଘରର ଦୁଆର ମୁହଁରେ ଦେଖି କିଚକ ବଡ଼ ଖୁସି ହୋଇଗଲା। ଦ୍ରୌପଦୀଙ୍କୁ ଅନେକ ପ୍ରକାରର ସୁନାର ଗହଣା ଗାଣ୍ଠି ଉପହାର ଭାବରେ ଯାଚି କହିଲା, “ମୋ ଭାଗ୍ୟ ତୁମେ ମୋତେ ଏକାନ୍ତରେ ସାକ୍ଷାତ କରିବାକୁ ଆସିଛ । ଭିତରକୁ ଆସ ତୁମ ପାଇଁ ତୁଳୀତଳ୍ପ ଶଯ୍ୟା ଅପେକ୍ଷା କରି ରହିଛି । ଆସ ଆଉ ବିଳମ୍ବ କରନି । ଆଜି ଠାରୁ ତୁମେ ମୋର ରାଣୀ ହେଲ ଜାଣ ।”

Advertisment

କିଚକର କଥା ଶୁଣି ଦ୍ରୌପଦୀ କହିଲେ, “ମହାରାଣୀ ସୁଦେଷ୍ଣା ମଦିରା ପାଇଁ ମୋତେ ପାତ୍ର ଦେଇ ପଠେଇଛନ୍ତି । ଶୀଘ୍ର ମଦିରା ଦିଅ ମୁଁ ଫେରିଯିବି ।” 

କିଚକ ଦ୍ରୌପଦୀଙ୍କ କଥା ଶୁଣିବା ଅବସ୍ଥାରେ ନଥିଲା । ସେ ସଙ୍ଗେ ସଙ୍ଗେ ଦ୍ରୌପଦୀଙ୍କ ହାତକୁ ଧରିପକେଇ ବଳ ପ୍ରୟୋଗ କରି ଉପଭୋଗ କରିବାକୁ ପ୍ରୟାସ କଲା । ଦ୍ରୌପଦୀ କହିଲେ “ମୁଁ ସତୀନାରୀ । ତୁ ପାପାଚାରୀ ମୋତେ ବଳତ୍କାର କରିବାକୁ ଚେଷ୍ଟା କରି ଯେଉଁ ପାପ ଅର୍ଜନ କରୁଛୁ ସେଥିରୁ ବୁଝିଯା ତୋର ମରଣ କାଳ ପାଖେଇ ଆସିଲାଣି ।” 

Advertisment

ଦ୍ରୌପଦୀ କିଛି ସମୟ ପ୍ରତିରୋଧ କରି ନିଜକୁ ବଞ୍ଚେଇବାକୁ ଚେଷ୍ଟାକରି ଅସଫଳ ହେବାରୁ ସେ ସ୍ଥାନରୁ ଦୌଡି ଦୌଡି ବିରାଟଙ୍କ ରାଜସଭା ଆଡକୁ ଚାଲିଗଲେ । କିଚକ ବି ତାଙ୍କ ପଛେ ପଛେ ଯାଇ ସଭାରେ ପହଞ୍ଚିଲା । ଦ୍ରୌପଦୀ ବିରାଟଙ୍କ ସଭାରେ ପହଞ୍ଚି ସାହାଯ୍ୟ ପାଇଁ ଆକୁଳ ନିବେଦନ କଲେ ବି କିଚକ ଆଗରେ ପାଟି ଫିଟାଇବାକୁ କେହି ସାହସ କଲେନି । ଓଲଟି ଦ୍ରୌପଦୀଙ୍କ ପାଟି ଚୁପ କରିବାକୁ କିଚକ ତାଙ୍କ କେଶ ଆକର୍ଷଣ କରି ତଳେ ପକେଇ ପଦାଘାତ କରିବାକୁ ଲାଗିଲା । ରାଜା ବିରାଟ ଅନ୍ୟାୟ ଦେଖି ବି ତାଙ୍କ ସଭା ପରିଷଦଙ୍କ ସହ ଚୁପ ରହିଲେ । ସଭାରେ ଉପସ୍ଥିତ ଥିବା ଯୁଧିଷ୍ଠିର ବି କିଛି କହିଲେନି । କିନ୍ତୁ ଦ୍ରୌପଦୀଙ୍କ ସୁରକ୍ଷା ପାଇଁ ସୂର୍ଯ୍ୟଦେବତା ନିଯୁକ୍ତ କରିଥିବା ରାକ୍ଷସ କିଚକଙ୍କୁ ଏକ ଧକ୍କା ଦେଲା ଓ କିଚକ ମୁହଁ ମାଡ଼ି ତଳେ ପଡ଼ି ଅଚେତ ହୋଇଗଲା। 

ଦ୍ରୌପଦୀ ତାପରେ ରାଜା ବିରାଟ ଓ ସେଠାରେ ଉପସ୍ଥିତ ପରିଷଦମାନଙ୍କୁ ଜାଣି ଜାଣି ଅଧର୍ମକୁ ପ୍ରଶ୍ରୟ ଦେଉଥିବାରୁ ଅନେକ ପ୍ରକାର ଧିକ୍କାର କରି କଟୁ କଥା କହିବା ସହ ତିରସ୍କାର କରିବାକୁ ଲାଗିଲେ। କହିଲେ, “ଆପଣମାନେ ଏତେ ଲୋକ ଥାଉ ଥାଉ ମୋତେ କେହିବି ରକ୍ଷା କରିପାରିଲନି । କିନ୍ତୁ ମନେରଖନ୍ତୁ, ମୋର ଗନ୍ଧର୍ବପତିମାନେ ଏହାର ପ୍ରତିଶୋଧ ଖୁବ ଶୀଘ୍ର ନେବେ ।” ତାପରେ ଆଖିରେ ଲୁହ ଓ କ୍ରୋଧକୁ ରଖି ଯୁଧିଷ୍ଠିରଙ୍କୁ ଚାହିଁ କହିଲେ, “ଯେଉଁ ନାରୀମାନଙ୍କର ପତିମାନେ ସଦା ସର୍ବଦା ପଶା ଖେଳରେ ବ୍ୟସ୍ତ, ସେଇ ନାରୀମାନେ ବାର ବାର ଭରା ସଭାରେ ଏମିତି ଅପଦସ୍ତ ଅପମାନିତ ହେବେ ।” 

ଦ୍ରୌପଦୀ ତାପରେ ଦ୍ରୁତ ଗତିରେ ସଭା ଗୃହଛାଡି ସୁଦେଷ୍ଣାଙ୍କ ପାଖକୁ ଚାଲିଗଲେ । ସେତେବେଳକୁ ଦ୍ରୌପଦୀଙ୍କ ପିନ୍ଧା ଲୁଗା ଅସଜଡା, ମୁଣ୍ଡର କେଶ ମୁକୁଳା ହୋଇ ଅଡୁଆ ହୋଇ ସାରିଥାଏ । ଆଖିରୁ ଧାର ଧାର ବହି ଚାଲିଥାଏ ଲୁହ । ତାଙ୍କର ଏପରି ଅବସ୍ଥା ଦେଖି ସବୁ ଜାଣି କିଛି ନଜାଣିଲା ପରି ରାଣୀ ସୁଦେଷ୍ଣା ପଚାରିଲେ, “କ'ଣ ହେଲା?” ଦ୍ରୌପଦୀ ସବୁ କଥା ବର୍ଣ୍ଣନାକରି କହିଲା ପରେ ସୁଦେଷ୍ଣା କହିଲେ, “ ବ୍ୟସ୍ତ ହୁଅନି ସୈରୀନ୍ଧ୍ରୀ, କିଚକର ଏପରି ପାପାପୂର୍ଣ୍ଣ ନିଚ କର୍ମ ପାଇଁ ତାକୁ ମୁଁ ଉପଯୁକ୍ତ ଦଣ୍ଡ ନିଶ୍ଚୟ ଦେବି।” 

ଦ୍ରୌପଦୀ କହିଲେ, “ସେ ଯେଉଁମାନଙ୍କ ପାଖରେ ଅପରାଧ କରିଛି ସେଇମାନେ ହିଁ ତାକୁ ତା'ର ଉପଯୁକ୍ତ ଦଣ୍ଡ ବିଧାନ ଖୁବ ଶୀଘ୍ର କରିବେ । ମୁଁ ଦେଖିପାରୁଛି ତା'ର ବିନାଶ କାଳ ଆସିଗଲାଣି ।” 

ଦ୍ରୌପଦୀ ତାଙ୍କ କୋଠରୀକୁ ଫେରି ଶୋଇବାକୁ ଚେଷ୍ଟା କରି ଠିକରେ ଶୋଇପାରିଲେନି । କିଛି ସମୟ ପୂର୍ବରୁ ପାଇଥିବା ଅପମାନ ପାଇଁ ଆଖିର ପଲକ ପଡିଲାନି । ମନ ଭିତରେ ପ୍ରତିଶୋଧର ନିଆଁ ଜଳିବାକୁ ଲାଗିଲା । ଦ୍ରୌପଦୀ ମନେ ମନେ ଭାବିବାକୁ ଲାଗିଲେ କ'ଣ କଲେ କିଚକର ନିଧନ ହେବ । କିଏ ମାରିପାରିବ ତାକୁ । ଦ୍ରୌପଦୀଙ୍କୁ ଲାଗିଲା ଭୀମସେନଙ୍କ ଛଡ଼ା କିଚକକୁ ମାରି ଏତେ ଶୀଘ୍ର ଆଉ କେହି ପ୍ରତିଶୋଧ ନେଇପାରିବେନି । ଦ୍ରୌପଦୀ ଆଉ ଡେରି ନକରି ସଙ୍ଗେ ସଙ୍ଗେ ଭୀମଙ୍କ ପାଖରେ ଯାଇଁ ପହଞ୍ଚିଲେ । ଭୀମ ପେଟଭରି ଖାଇ ନିଘୋଡ ନିଦରେ ଶୋଇଥାନ୍ତି । ଦ୍ରୌପଦୀ କାନ୍ଦି କାନ୍ଦି ଭୀମଙ୍କୁ ନିଦରୁ ଉଠେଇ କହିଲେ, “ମୋତେ ବଳତ୍କାର କରିବାକୁ ଚେଷ୍ଟାକରି ଅପମାନିତ କରିଥିବା କିଚକ ବଞ୍ଚି ଥାଉ ଥାଉ ତୁମେ ସୁଖ ନିଦ୍ରାରେ କେମିତି ଶୋଇପାରୁଛ?” ଏତେ ରାତିରେ ତାଙ୍କ ଶୋଇବା ଘରେ ଦ୍ରୌପଦୀଙ୍କୁ କାନ୍ଦୁଥିବାର ଦେଖି ଭୀମ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ଦ୍ରୌପଦୀଙ୍କ ପାଖରୁ ଭୀମ ସେଦିନର ପୁରା କାହାଣୀ ବିସ୍ତାରରେ ଶୁଣିଲେ । 

ଦ୍ରୌପଦୀ କୋହ ମିଶା ସ୍ୱରରେ କହିଲେ, “ମୋର ଦୁଃଖ ସହିବାର ସବୁ ସୀମା ଅତିକ୍ରମ କରିସାରିଲାଣି । ପଶା ଖେଳି ଅନେକ ଦୁଃଖ ଡାକିଆଣିଥିବା ଯୁଧିଷ୍ଠିର ଏବେବି ପଶା ଖେଳରେ ବ୍ୟସ୍ତ । ତାଙ୍କରି ପାଇଁ ମୋତେ ରାଣୀ ସୁଦେଷ୍ଣାଙ୍କ ଦାସୀ ହୋଇ ରହିବାକୁ ହୋଇଛି । ସେବା ପାଇଁ ଚନ୍ଦନ କର୍ପୁର ଘୋରି ଘୋରି ଓ ରାଣୀଙ୍କ ଶରୀରରେ ବିଭିନ୍ନ ସୁଗନ୍ଧ ଦ୍ରବ୍ୟ ମାଲିସ କରିକରି ମୋ ହାତ ଚିକ୍କଣ ହୋଇସାରିଲାଣି । ସେଥିରେ ପୁଣି ରାଣୀଙ୍କୁ ଭୟ କରି ରହିବାକୁ ହେଉଛି । ପାଞ୍ଚ ଜଣ ବୀର ସ୍ୱାମୀ ଥାଉ ଥାଉ ମୁଁ ମୋ ସମ୍ନାନ ରକ୍ଷା କରିପାରୁନି । ପର ପୁରୁଷ ଦୁଷ୍ଟ ନିଚ କିଚକ ମୋ କେଶ ଟାଣି ମୋତେ ପଦାଘାତ କରିଛି । ପାପ ନଜର ପକାଇଛି । ଏହା ଠାରୁ ବଳି ମନ୍ଦ ଭାଗ୍ୟ କୌଣସି ସ୍ତ୍ରୀ ଲୋକର ନଥିବ । ହେ ଭୀମସେନ, ମୋତେ ଏଠି ଆଉ ନିଜକୁ ନିରାପଦ ଲାଗୁନି ।” 

ମହାଭାରତ କଥାମହାଭାରତ କଥା

ଏମିତି କଥା ସବୁ କହି ଦ୍ରୌପଦୀ ଭୀମସନଙ୍କୁ ଧରି କାନ୍ଦିବାକୁ ଲାଗିଲେ । ପତ୍ନୀଙ୍କ ଦୁଃଖ କଷ୍ଟ ଓ ଅପମାନର କାହାଣୀ ଶୁଣି ଭୀମଙ୍କ ଆଖିରେ ବି ଲୁହ ଆସିଗଲା । କିଛି ସମୟ ଦୁହେଁ ପରସ୍ପରଙ୍କୁ ଧରି କାନ୍ଦିଲା ପରେ ଭୀମ କହିଲେ, “ତୁମେ ବ୍ୟସ୍ତ ହୁଅନି ପାଞ୍ଚାଳୀ । ତୁମକୁ ଅପମାନିତ କରିଥିଲେ ବୋଲି ମୁଁ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କୁ ମାରିବାର ଶପଥ ନେଇଛି । ଆଜି ଶପଥ ନେଉଛି ଆସନ୍ତାକାଲି ସୂର୍ଯ୍ୟୋଦୟ ଦୁରାଚାରୀ ବିରାଟ ଜୀବନର ଶେଷ ସୂର୍ଯ୍ୟୋଦୟ ହେବ ।” ତାପରେ ଦ୍ରୌପଦୀଙ୍କ ଆଖି ପୋଛିଦେଇ ଭୀମ କହିଲେ, “ଶୁଣ ପାଞ୍ଚାଳୀ କେବଳ ଅଜ୍ଞାତବାସରେ ଛଦ୍ମବେଶରେ ଅଛି ବୋଲି କିଚକ ଏଯାଏଁ ବଞ୍ଚିକି ଅଛି । ତୁମେ ଏବେ ଆଖିରୁ ଲୁହ ପୋଛି ଗୋଟେ କାମ କର । କାଲି ସେ ଦୁରାଚାରୀ ପାଖକୁ ଯାଇ ଅଭିନୟ କରି କୁହ ତୁମେ ତାକୁ ନୃତ୍ୟମନ୍ଦିରରେ ନିରୋଳା ମଧ୍ୟରାତ୍ରୀରେ ଅପେକ୍ଷା କରିଥିବ। କାହାକୁ କିଛି ନକହି ଗୋପନରେ ତୁମକୁ ସାକ୍ଷାତ କରିବାକୁ ଆସିବାକୁ କୁହ । ତୁମେ ନୁହେଁ ତୁମପରି ଶାଢୀ ପିନ୍ଧି ମୁଁ ପଲଙ୍କରେ ବସିଥିବି । ତାପରେ ସେ ନରାଧମ ସହ ମୋର ବେଶ ପ୍ରଗାଢ଼ ପ୍ରେମ ସମ୍ଭାଷଣ ହେବ । ଏମିତି ଯୋଜନା କରିସାରି କାଳେ କିଏ ଦେଖିଦେବ କହି ଭୀମ ଦ୍ରୌପଦୀଙ୍କୁ ତାଙ୍କ ବାସଘରୁ ଶୀଘ୍ର ଚାଲିଯିବାକୁ କହିଲେ ।

ପରଦିନ ସକାଳୁ ସକାଳୁ କିଚକ ପୁଣି ଥରେ ଦ୍ରୌପଦୀଙ୍କୁ ଦେଖି ତା'ର ପ୍ରେମ ନିବେଦନ ଆରମ୍ଭ କଲା । କହିଲା, “ହେ ସୁନ୍ଦରୀ ମୋ ପାଖରୁ ଖସି ତୁମେ ଯେଉଁ ରାଜଦରବାରରେ ପହଞ୍ଚିଲ ସେଠି ତୁମକୁ କିଏ ରକ୍ଷା କଲେ କି? ବିରାଟ ଏଠି ନାମକୁ ମାତ୍ର ରାଜା । ପ୍ରକୃତ ରାଜା ମୁଁ । ତମ କେଶ ଆକର୍ଷଣ କରି ଭରା ସଭାରେ ତୁମକୁ ପଦାଘାତ କଲି । କେହି ସେଠି ପାଟି ଫିଟେଇଲେ କି? ତେଣୁ ଆଉ ମୋର ଧୈର୍ଯ୍ୟର ପରୀକ୍ଷା ନିଅନି । ଶୀଘ୍ର ମୋ ପାଖରେ ନିଜକୁ ସମର୍ପଣ କର ଓ ଏ ବିରାଟ ରାଜ୍ୟର ସମସ୍ତ ଐଶ୍ୱର୍ଯ୍ୟ ଭୋଗକର ।”

କିଚକର କଥା ଶୁଣି ଦ୍ରୌପଦୀ ଓଠରେ ତାଙ୍କର ଲାଜମିଶା ହସ ଖେଳାଇ ଓ ଆଖିରେ କଟାକ୍ଷ ହାଣି କହିଲେ, " ହେ ବୀର! ତୁମ ଶୌର୍ଯ୍ୟ ଆଉ ଅମିତ ପରାକ୍ରମ ଜାଣିବାକୁ ମୋର ବାକି କିଛି ନାହିଁ। ମୁଁ ତୁମ ପ୍ରେମକୁ ସ୍ୱୀକାର କରୁଛି । କିନ୍ତୁ ମୋର ଗୋଟେ ବିଶେଷ ଅନୁରୋଧ ରହିଛି । ଆମ ପ୍ରେମ ପ୍ରଣୟ ବର୍ତ୍ତମାନ ପାଇଁ ଗୋପନ ହୋଇ ରହିଥାଉ । ମୁଁ ଗୋଟେ ନିର୍ଜନ ସ୍ଥାନରେ ବିଳମ୍ବିତ ରାତିରେ ତୁମକୁ ଭେଟିବାକୁ ଚାହୁଁଛି । ତୁମେ ଆସିବ ତ ।” 

କାମ ପୀଡାରେ ପିଡିତ କିଚକ କହିଲା, “ସୁନ୍ଦରୀ ତୁମେ ଯେଉଁ ସ୍ଥାନକୁ ଆସିବାକୁ କହିବ ମୁଁ ପହଞ୍ଚି ଯିବି । କୁହ କୋଉଠି ଭେଟିବା? ମୁଁ ପ୍ରତିଜ୍ଞା କରି କହୁଛି ଆମ ସମ୍ପର୍କକୁ ମୁଁ ଯଥାସମ୍ଭବ ନିଶ୍ଚୟ ଗୋପନ ରଖିବି ।” 

ଦ୍ରୌପଦୀ କହିଲେ, “ତେବେ ଠିକ ଅଛି। ରାଜକନ୍ୟାମାନେ ଦିନବେଳେ ଯୋଉ ନୃତ୍ୟମନ୍ଦିରରେ ନୃତ୍ୟ ଓ ସଙ୍ଗୀତ ଅଭ୍ୟାସ କରନ୍ତି ସେ ସ୍ଥାନ ରାତି ହେଲେ ନିରୋଳା ହୋଇଯାଏ । ରାତିରେ ସେଠି କେହି ନଥା'ନ୍ତି । ମୁଁ ଭାବୁଛି ମୋର ପ୍ରଥମ ଗୋପନ ଅଭିସାର ସେଇ ସ୍ଥାନରୁ ଆରମ୍ଭ ହେବ । ହେ ବୀର, ଆଜି ମଧ୍ୟରାତ୍ରିରେ ତୁମକୁ ମୁଁ ସେଇ ନୃତ୍ୟ ମନ୍ଦିରରେ ଅପେକ୍ଷା କରିଥିବି ।”

Mahabharat Mahabharat Bheem Mahabharat Story
Advertisment
Advertisment