ମହାଭାରତ ଯୁଦ୍ଧରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ଦୁର୍ଯ୍ୟୋଧନଙ୍କ ସମେତ ନିଜର ୧୦୦ ପୁଅଙ୍କୁ ହରାଇଲେ। ଏହା ସେମାନଙ୍କ ପାଇଁ ବହୁତ ଦୁଃଖର ସମୟ ଥିଲା। ରାଜ୍ୟ ମଧ୍ୟ ଚାଲିଗଲା, ଯୁଧିଷ୍ଠିର ହେଲେ ନୂଆ ରାଜା ଏବଂ ଭୀମ ହେଲେ ନୂଆ ଯୁବରାଜ। ଏଭଳି ନୂଆ ପରିସ୍ଥିତିରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ନିଜକୁ ଅବହେଳିତ ଅନୁଭବ କରିବା ଆରମ୍ଭ କଲେ।
ଭୀମ ତ ସେମାନଙ୍କୁ ବିଭିନ୍ନ ସମୟରେ ଅପମାନିତ ମଧ୍ୟ କରୁଥିଲେ। ଏଭଳି ପରିସ୍ଥିତିରେ ଉଭୟଙ୍କ ଜୀବନ କିପରି ଥିଲା ତାହା ବୋଧହୁଏ ଅନେକ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ସେମାନେ କେଉଁଠି ରହିଲେ, କିପରି ବଞ୍ଚିଲେ ଓ କେଉଁ ବୟସରେ ସେମାନଙ୍କ ମୃତ୍ୟୁ ହେଲା।
Also Read
ଯୁଧିଷ୍ଠିରଙ୍କ ସମ୍ମାନ:
ପରିସ୍ଥିତି ଏପରି ଥିଲା ଯେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ଆଉ କୁଆଡେ ମଧ୍ୟ ଯାଇପାରି ନ ଥାନ୍ତେ। ହୃଦୟରୁ ମଧ୍ୟ ସେମାନେ ପାଣ୍ଡବମାନଙ୍କ ସହିତ ରହିବାକୁ ମନ ନ ଥିଲା। ମହାଭାରତ ଅନୁସାରେ ଯେତେବେଳେ ଦୁହେଁ ରାଜଭବନ ଛାଡିବାକୁ ସ୍ଥିର କଲେ, ସେତେବେଳେ ଯୁଧିଷ୍ଠିର ସେମାନଙ୍କୁ ଅଟକାଇଥିଲେ।
ସେମାନଙ୍କୁ ସମ୍ମାନ ମଧ୍ୟ ଦେଇଥିଲେ। ସେମାନଙ୍କୁ ରହିବାକୁ ପ୍ରାସାଦ ଏବଂ ସେବକ ମଧ୍ୟ ଦିଆଗଲା। ସେ ଯଥାସମ୍ଭବ ଚେଷ୍ଟା କରୁଥିଲେ ଯେ ଉଭୟଙ୍କୁ ଯେପରି ଅସମ୍ମାନ କରାଯାଉଛି ବୋଲି ସେମାନେ ଅନୁଭବ ନ କରନ୍ତୁ।
ଅଧିକ ପଢ଼ନ୍ତୁ: ପାଣ୍ଡବମାନେ କିପରି କରୁଥିଲେ ଉପବାସ; ଭାଙ୍ଗିବା ପରେ କ’ଣ ଖାଉଥିଲେ
ଛାଡୁ ନ ଥିଲା ପୁତ୍ର ଶୋକ:
ଯେତେବେଳେ ଯୁଧିଷ୍ଠିର ରାଜା ଭାବରେ ଅଭିଷିକ୍ତ ହେଲେ, ସେତେବେଳେ ଏହି ଉତ୍ସବରେ ଧୃତରାଷ୍ଟ୍ରଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ସାମିଲ୍ କରାଯାଇଥିଲା। ଯୁଧିଷ୍ଠିର ପ୍ରାୟତଃ ତାଙ୍କଠାରୁ ପରାମର୍ଶ ନେଉଥିଲେ। ଉଭୟ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ଜାଣିଥିଲେ ଯେ ସେମାନେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ସେମାନେ ନିଶ୍ଚିତ ଭାବରେ ରାଜପ୍ରାସାଦରେ ରହୁଥିଲେ ସତ କିନ୍ତୁ ନିଜ ପୁଅମାନଙ୍କ ଦୁଃଖରୁ କେବେ ବି ମୁକ୍ତି ହୋଇପାରୁ ନ ଥିଲେ।
ସେମାନେ ଅନୁଭବ କରୁଥିକେ ଯେ ହସ୍ତିନାପୁରର ସମସ୍ତେ ତାଙ୍କୁ ପରିହାସ କରୁଛନ୍ତି। ଭୀମ ମଧ୍ୟ ସେମାନଙ୍କୁ ଅନେକ ସମୟରେ କଟୁ କଥା କହୁଥିଲେ। ଜନ୍ମରୁ ଧୃତରାଷ୍ଟ୍ର ଅନ୍ଧ ଥିଲେ। ଗାନ୍ଧାରୀ ନିଜ ସ୍ୱାମୀଙ୍କ ପ୍ରତି ସମର୍ପଣ ଭାବ ରଖି ନିଜ ଆଖିରେ ବନ୍ଦପୁଟୁଳି ବବାନ୍ଧିଥିଲେ। ଦୁହେଁ ଶାରୀରିକ ଏବଂ ମାନସିକ ଭାବେ ଦୁର୍ବଳ ହୋଇଯାଉଥିଲେ।
ଭୀମଙ୍କ କଟାକ୍ଷ:
ମହାଭାରତ ଯୁଦ୍ଧ ପରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ପ୍ରାୟ ୧୫ ବର୍ଷ ହସ୍ତିନାପୁରରେ ରହିଲେ। ଏହି ସମୟ ମଧ୍ୟରେ, ଯୁଧିଷ୍ଠିର ସେମାନଙ୍କ ଯତ୍ନରେ କୌଣସି ଉଣା କରୁ ନଥିଲେ। କିନ୍ତୁ ଭୀମଙ୍କ ଆଚରଣ ଧୃତରାଷ୍ଟ୍ରଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହେଉଥିଲା। ଦୁର୍ଯ୍ୟୋଧନଙ୍କର ସବୁଠାରୁ ବଡ ଶତ୍ରୁ ଥିଲେ ଭୀମ। ବେଳେବେଳେ ସେ କଟାକ୍ଷ କରି ଧୃତରାଷ୍ଟ୍ରଙ୍କୁ ତାଙ୍କ ପୁଅମାନଙ୍କ ମୃତ୍ୟୁ ବିଷୟରେ ମନେପକାଇ ଦେଉଥିଲେ।
୧୫ ବର୍ଷ ହସ୍ତିନାପୁରରେ ରହିଲେ:
ଗାନ୍ଧାରୀ କିନ୍ତୁ ଖୁବ ସଂଯମୀ ଏବଂ ଧାର୍ମିକ ପ୍ରକୃତିର ଥିଲେ। ସେ ନିଜର ଦୁଃଖକୁ ଭକ୍ତି ଓ ତପରେ ବୁଡ଼ାଇଦେବାକୁ ଚେଷ୍ଟା କରୁଥିଲେ। ଉଭୟ କିନ୍ତୁ ସେମାନଙ୍କ ଜୀବନର ଶେଷ ସମୟରେ ଅନୁଭବ କରିବାକୁ ଲାଗିଲେ ଯେ ବର୍ତ୍ତମାନ ସେମାନେ ସାଂସାରିକ ଜୀବନରୁ ମୁକ୍ତି ହେବା ଉଚିତ। ହସ୍ତିନାପୁରରେ ୧୫ ବର୍ଷ ରହିବା ପରେ ଧୃତରାଷ୍ଟ୍ରକୁ ସନ୍ନ୍ୟାସ ନେବାକୁ ବିଦୁର ପରାମର୍ଶ ଦେଇଥିଲେ।
ସନ୍ନ୍ୟାସ ଏବଂ ବନବାସ:
ମହାଭାରତ ଅନୁଯାୟୀ, ଧୃତରାଷ୍ଟ୍ର ଯୁଦ୍ଧର ୧୫ ବର୍ଷ ପରେ ଯୁଧିଷ୍ଠିରଙ୍କୁ ଜଙ୍ଗଲକୁ ଯିବାକୁ ଅନୁମତି ମାଗିଥିଲେ। ସେ ଜୀବନର ଶେଷ ଦିନଗୁଡ଼ିକୁ ତପ ଏବଂ ପ୍ରାୟଶ୍ଚିତରେ ବିତାଇବାକୁ ଚାହୁଁଥିଲେ। ଗାନ୍ଧାରୀ ମଧ୍ୟ ତାଙ୍କ ସହିତ ଯିବାକୁ ସ୍ଥିର କଲେ।
ସେମାନଙ୍କ ସହ ପାଣ୍ଡବଙ୍କ ମାତା କୁନ୍ତୀ ମଧ୍ୟ ଜଙ୍ଗଲ ଯିବାକୁ ସ୍ଥିର କଲେ। କାରଣ ସେ ମଧ୍ୟ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ଥିଲେ। ସେ ମଧ୍ୟ ନିଜ ପୁଅମାନଙ୍କଠାରୁ ଦୂରରେ ରହି ତପସ୍ୟା କରିବାକୁ ଚାହୁଁଥିଲେ। ସମସ୍ତେ ବନବାସ ଗଲେ ଆଉ ଆଶ୍ରମରେ ଜୀବନ ବିତାଇଲେ।
ଜଙ୍ଗଲରେ ନିଆଁ ଲାଗି ମୃତ୍ୟୁ:
ଜଙ୍ଗଲରେ ରହୁଥିବା ବେଳେ ହଠାତ ଦିନେ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀ ଏଥିରୁ ରକ୍ଷା ପାଇପାରି ନଥିଲେ। ସେମାନେ ଏହାକୁ ଜୀବନର ଅନ୍ତ ଭାବି ଏହାକୁ ଗ୍ରହଣ କରିନେଲେ। ଅଗ୍ନିରେ ସେମାନଙ୍କ ଜୀବନକୁ ସମର୍ପଣ କରିଦେଲେ।
କେଉଁ ବୟସରେ ମୃତ୍ୟୁ:
ତେବେ ମହାଭାରତରେ ସେମାନଙ୍କ ବୟସ ବିଷୟରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। କିନ୍ତୁ ଆକଳନକୁ ଆଧାର କରି କିଛି ପଣ୍ଡିତ ବିଶ୍ୱାସ କରନ୍ତି ଯେ ଯୁଦ୍ଧ ସମୟରେ ଧୃତରାଷ୍ଟ୍ରଙ୍କୁ ପ୍ରାୟ ୭୦-୮୦ ବର୍ଷ ହୋଇଥିବ। କାରଣ ତାଙ୍କ ପୁଅ ଦୁର୍ଯ୍ୟୋଧନଙ୍କୁ ସେହି ସମୟରେ ପ୍ରାୟ ୩୦-୪୦ ବର୍ଷ ବୟସ ହୋଇଥିଲା।
ଯୁଦ୍ଧ ପରେ ଆଉ ୧୫ ବର୍ଷ ବଞ୍ଚିଥିଲେ। ଏହି ଆଧାରରେ ମୃତ୍ୟୁ ବେଳକୁ ତାଙ୍କ ବୟସ ପ୍ରାୟ ୮୫-୯୫ ବର୍ଷ ମଧ୍ୟରେ ହୋଇଥିବ। ଗାନ୍ଧାରୀ ଯେହେତୁ ଧୃତରାଷ୍ଟ୍ର ଠାରୁ କିଛି ବର୍ଷ ସାନ ଥିଲେ, ତାଙ୍କୁ ମଧ୍ୟ ପ୍ରାୟ ୮୦-୯୦ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଏ।