/odishatv-khabar/media/post_attachments/uploadimage/library/16_9/16_9_0/Mahabharat_1751866141.jpg)
Mahabharat
କାହିଁକି ଯୁଦ୍ଧକୁ ଆସିଥିବା କୌରବସେନା ହଠାତ୍ ଭୟ କଲେ? କ'ଣ ସବୁ ଅଯଥା ଆତ୍ମଗର୍ବ କଥା କର୍ଣ୍ଣ କହିଲେ ଯେ ଦ୍ରୋଣ, କୃପ ଓ ଅଶ୍ୱତ୍ଥମା ବିରକ୍ତ ହେଲେ? କାହିଁକି ଯୁଦ୍ଧ କରିବେନି ବୋଲି କହିଲେ ଅଶ୍ୱତ୍ଥମା? ପ୍ରଶ୍ନ ପଛରେ ଥିବା ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।
ଶମୀ ବୃକ୍ଷରୁ ଆପଣା ଅସ୍ତ୍ରଶସ୍ତ୍ର ଓ କବଚ ଧରି ଅର୍ଜୁନ ବାହାରିଲେ କୌରବସେନାଙ୍କୁ ସମ୍ମୁଖୀନ ହେବାକୁ । ମତ୍ସ୍ୟ ଦେଶର ଯୁବରାଜ ଉତ୍ତର ଏବେ ଅର୍ଜୁନଙ୍କ ରଥର ସାରଥି । ଅର୍ଜୁନ ତାଙ୍କ ହାତରୁ କଙ୍କଣ ଓ କାନରୁ କୁଣ୍ଡଳ ବାହାର କରିଦେଲେ। ଲମ୍ବ କେଶରାଶିକୁ ଏକ ଧଳା କପଡାରେ ବାନ୍ଧି ପକାଇଲେ। ତାପରେ ରଥରେ ବସି ପୂର୍ବଦିଗକୁ ମୁହଁ କରି ପାଖରେ ଥିବା ଦେବଦତ୍ତ ଆୟୁଧଗୁଡିକୁ ଧ୍ୟାନ କଲେ । ଧ୍ୟାନରୁ ଉଠି ଅର୍ଜୁନ ଯେତେବେଳେ ତାଙ୍କ ପ୍ରିୟ ଗାଣ୍ଡିବ ଧନୁରେ ଗୁଣ ଚଢେଇ ଥରେ ଟଙ୍କାରି ଦେଲେ ସେତେବେଳେ ଚାରି ଦିଗ ଶବ୍ଦରେ ଧ୍ୱନିତ ହେବାକୁ ଲାଗିଲା। ଗାଣ୍ଡିବର ମହାଧ୍ୱନୀ ଚାରିଦିଗରେ ପ୍ରକମ୍ପିତ ହେବାରୁ ପବନ ମହାବେଗରେ ବହିବାକୁ ଲାଗିଲା, ଆକାଶରୁ ଆକସ୍ମିକ ଉଲକାପାତ ହେଲା । ଦିଗ ସବୁ ହଠାତ୍ ଅନ୍ଧାର ହୋଇଗଲେ। ଆକାଶରେ ପକ୍ଷୀମାନେ ଭୟରେ ଉଡିବାକୁ ଲାଗିଲେ । ବଡ ବଡ ଗଛମାନେ କମ୍ପିତ ହେଲେ ।
ଅର୍ଜୁନ ଯୁବରାଜ ଉତ୍ତରଙ୍କୁ କହିଲେ, “ଘୋଷଯାତ୍ରା ସମୟରେ ମୁଁ ଏକା ଏକା ଗନ୍ଧର୍ବମାନଙ୍କ ସହ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିଥିଲି । ଖାଣ୍ଡବ ଦହନ ସମୟରେ ଏକା ଏକା ଦେବତା ଓ ରାକ୍ଷସମାନଙ୍କୁ ପରାସ୍ତ କରିଥିଲି । ପାଞ୍ଚାଳୀ ସ୍ୱୟଂବର ସମୟରେ ଅସଂଖ୍ୟ ରାଜାଙ୍କୁ ପରାଜିତ କରିଥିଲି । ମୁଁ ଯୁଦ୍ଧ କ୍ଷେତ୍ରରେ ଦେବ, ମାନବ, ଦାନବ କାହାକୁ ବି ଭୟ କରୁନି । ତୁମେ ମଧ୍ୟ ଭୟ ପରିହାର କର ଓ ଶୀଘ୍ର ରଥ ଧରି ସେ କୌରବସେନାଙ୍କ ପାଖକୁ ଚାଲ ।”
କୌରବ ଶିବିରରେ ଆଉ ସନ୍ଦେହ ରହିଲାନି ଯେ ଭୟଙ୍କର ଶବ୍ଦ ଅର୍ଜୁନଙ୍କ ଗାଣ୍ଡିବରୁ ହିଁ ଆସୁଛି । ଅର୍ଜୁନ ଆସୁଛନ୍ତି ବୋଲି କୌରବସେନା ଭିତରେ କୋଳାହଳ ଆରମ୍ଭ ହୋଇଗଲା। ଅର୍ଜୁନ ତାଙ୍କ ଦେବଦତ୍ତ ଶଙ୍ଖକୁ ବଜେଇଲେ । ଧନୁର ଟଙ୍କାର ଓ ଶଙ୍ଖଧ୍ୱନି ଶୁଣି ଆଚାର୍ଯ୍ୟ ଦ୍ରୋଣ କହିଲେ “ମୁଁ ଏବେ ସ୍ଥିର ନିଶ୍ଚିନ୍ତ ଆମମାନଙ୍କୁ ସାମ୍ନା କରିବାକୁ ସ୍ୱୟଂ ସବ୍ୟସାଚୀ ଆସୁଛି ।”
ଦ୍ରୋଣ ଚାରିଦିଗକୁ ଆଖି ପକାଇ ସାରି ଦୁର୍ଯ୍ୟୋଧନକୁ କହିଲେ, “ଅର୍ଜୁନଙ୍କ ଧନୁର ଟଙ୍କାର ଆଉ ରଥର ନିର୍ଘୋଷ ଶୁଣି ଆମ ସେନାମାନେ ଭୟ କଲେଣି। ସେମାନଙ୍କ ଭିତରେ ଯୁଦ୍ଧ କରିବାର ଆଗ୍ରହ ମରିଗଲାଣି । ଦେଖ ଘୋଡାମାନେ ଭୟରେ ହ୍ରେଷାରବ କରୁଛନ୍ତି । ଆମ ଚାରିପାଖରେ ଶାଗୁଣା ଓ କାଉମାନେ ବିବ୍ରତ ହୋଇ ଉଡୁଛନ୍ତି । ଏହି ଅଶୁଭ ଶକୁନଗୁଡିକ ଆଦୌ ଯୁଦ୍ଧ ପାଇଁ ଅନୁକୂଳ ନୁହେଁ । ମୋ ମତରେ ଆମେ ଏବେ ବିରାଟଙ୍କ ଗୋଧନକୁ ମୁକ୍ତ କରିଦେବା ବୁଦ୍ଧିମାନର କାମ ହେବ ।”
ଦୁର୍ଯ୍ୟୋଧନଙ୍କ ମୁର୍ଖାମୀର କୌଣସି ସୀମା ନଥିଲା । ସେ କୌଣସି ପରିସ୍ଥିତିରେ ବିରାଟଙ୍କ ଗୋଧନକୁ ଫେରାଇବାକୁ ଚାହୁଁନଥିଲେ । ସେ ସମସ୍ତଙ୍କୁ ଶୁଣାଇଲା ପରି କହିଲେ, “ପଶା ଖେଳରେ ପାଣ୍ଡବମାନେ ପରାସ୍ତ ହୋଇ ସର୍ତ୍ତ ଅନୁସାରେ ବାର ବର୍ଷ ବନବାସରେ ଓ ଗୋଟେ ବର୍ଷ ଅଜ୍ଞାତବାସରେ ବାହାରିଥିଲେ । ମୋ ହିସାବ ଅନୁସାରେ ଏବେବି ସର୍ତ୍ତ ମୁତାବକ ସେମାନଙ୍କ ଅଜ୍ଞାତବାସର ସମୟ ଅତିକ୍ରାନ୍ତ ହେଇନି। ଭଲ କଥା ଯଦି ଆମମାନଙ୍କ ସହ ଯୁଦ୍ଧ କରିବାକୁ ଅର୍ଜୁନ ଆସୁଛି । ଚିହ୍ନା ପଡିଲେ ଏବେ ପୁଣି ଥରେ ପାଣ୍ଡବମାନଙ୍କୁ ବାରବର୍ଷ ପାଇଁ ବନବାସରେ ଯିବାକୁ ହେବ । ପାଣ୍ଡବମାନେ ଯଦି ସେମାନଙ୍କ ଅଜ୍ଞାତବାସର ସମୟ ଶେଷ ହେବା ଆଗରୁ ଯୁଦ୍ଧ କରନ୍ତି ତେବେ ସେମାନଙ୍କର ହିଁ ଅଧିକ କ୍ଷତି ହେବ । ବିରାଟଙ୍କ ଗୋଧନ ଅପହରଣ କରିବାରେ କିଛି ଅନ୍ୟାୟ ନାହିଁ । ଆମେ ଆମର ବନ୍ଧୁ ଦେଶ ତ୍ରିଗର୍ତ୍ତ ରାଜାଙ୍କୁ ସାହାଯ୍ୟ କରିବାକୁ ଆସିଛୁ ।
ଏବେ ଅନ୍ୟତ୍ର ତ୍ରିଗର୍ତ୍ତ ରାଜା ଓ ବିରାଟଙ୍କ ଭିତରେ ଯୁଦ୍ଧ ଚାଲିଛି । ସେ ଯୁଦ୍ଧର ଫଳାଫଳ କ'ଣ ହେଲା ଆମେ ଜାଣିନେ । ଏଇ ରଥରେ ତ୍ରିଗର୍ତ୍ତ ରାଜା ବିରାଟଙ୍କୁ ପରାଜିତ କରିସାରି ଆମ ପାଖକୁ ସୁସମ୍ବାଦ ପଠେଇଛନ୍ତି ଅବା ବିରାଟଙ୍କ ହାତରେ ପରାଜିତ ହୋଇ ସନ୍ଧି ସ୍ଥାପନା ପାଇଁ ମଧ୍ୟସ୍ଥି ରୂପରେ ଆମମାନଙ୍କୁ ଡକେଇଛନ୍ତି ଆମେ ଜାଣିନେ । ହୁଏତ କୌଣସି ବୀରପୁରୁଷ ଆମ ସହ ଯୁଦ୍ଧ କରିବାକୁ ଆସିଥାଇପାରନ୍ତି । ଆମେ ଥରେ ଯେତେବେଳେ ଯୁଦ୍ଧ କରିବାର ନିଷ୍ପତ୍ତି ନେଇ ଆସିଛନ୍ତି, ଯୁଦ୍ଧ ତ କରିବାକୁ ହେବ । ସେ ଅର୍ଜୁନ ହୁଅନ୍ତୁ କି ଆଉ କିଏ ହୁଅନ୍ତୁ ଯୁଦ୍ଧ ନିଶ୍ଚୟ ହେବ ।”
ତାପରେ ଦୁର୍ଯ୍ୟୋଧନ ଆଚାର୍ଯ୍ୟ ଦ୍ରୋଣଙ୍କୁ ଚାହିଁ କହିଲେ, “ଗୁରୁଦେବ! ଆପଣ ଅଯଥାରେ ଆମମାନଙ୍କ ଭିତରେ ଭୟ ସଞ୍ଚାର କରନ୍ତୁ ନାହିଁ । ଆଜି ସ୍ୱୟଂ ଇନ୍ଦ୍ର ଆସିଲେ ବି ଆମ ପାଖରୁ ଗୋଧନ ଫେରେଇ ନେଇ ପାରିବେନି ।”
କର୍ଣ୍ଣ ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନଙ୍କ କଥାରେ ସମ୍ମତି ଜଣେଇ କହିଲେ, “ଗୁରୁଦେବ ଦ୍ରୋଣ ନିଜେ ଭୟ କରୁଛନ୍ତି । ସେଥିପାଇଁ ସୈନ୍ୟମାନଙ୍କ ଭିତରେ ଭୟର ବାତାବରଣ ତିଆରି ହେଉଛି । ଗୁରୁଦେବ କୌରବ ପକ୍ଷରେ ରହି ପାଣ୍ଡବମାନଙ୍କ ଗୁଣଗାନ କରୁଛନ୍ତି । ଅର୍ଜୁନଙ୍କର ଏତେ ଅଯଥା ପ୍ରଶଂସା ମୁଁ ଶୁଣିପାରିବିନି । ଗୁରୁଦେବଙ୍କର ଅର୍ଜୁନଙ୍କ ପ୍ରତି ଥିବା ପ୍ରୀତି ସମସ୍ତେ ଜାଣନ୍ତି । ମୋତେ ଲାଗୁଛି ଆଚାର୍ଯ୍ୟ ଦ୍ରୋଣ ପାଣ୍ଡବ ପକ୍ଷର ଲୋକ ହୋଇ ତୁମପାଖରେ ଅଛନ୍ତି । କୋଉ ଲକ୍ଷଣ ଦେଖିଲେ କ'ଣ ଫଳ ମିଳିବ ସେକଥା ନେଇ ବିଚାର ବିମର୍ଷ ପଣ୍ଡିତମାନେ ବସି ଅନ୍ୟତ୍ର କରିପାରନ୍ତି କିନ୍ତୁ ଯୁଦ୍ଧ କ୍ଷେତ୍ରରେ ସେ ବିଷୟରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ । ଅର୍ଜୁନଙ୍କୁ ପ୍ରଶଂସା କରି ଓ ଅର୍ଜୁନଙ୍କ ପ୍ରତି ଭୟ ସୃଷ୍ଟି କରି ଯୁଦ୍ଧ କରାଯାଇ ପାରିବନି ।”
ତାପରେ କର୍ଣ୍ଣ ବୀର ଦର୍ପରେ କହିଲେ, “ମୁଁ ଜାଣିପାରୁନି କୌରବ ପକ୍ଷର ବୀରମାନେ କ'ଣ ପାଇଁ ଭୟାତୁର ମନେହେଉଛନ୍ତି? ରଥରେ ବସି ରାଜା ବିରାଟ ଆସନ୍ତୁ କି ଅର୍ଜୁନ ଆସନ୍ତୁ, ବେଳାଭୂମି ସମୁଦ୍ରକୁ ଆକଟ କଲାପରି ମୁଁ ଏକା ଏକା ସାମ୍ନା କରିବାକୁ ପ୍ରସ୍ତୁତ । ପୂର୍ବରୁ ମୁଁ ବନ୍ଧୁ ଦୁର୍ଯ୍ୟୋଧନଙ୍କ ପାଖରେ ଋଣୀ । ଆଜି ଅର୍ଜୁନକୁ ମାରି ମୋ ଋଣ ପରିଶୋଧ କରିବି । ଋଷି ଶ୍ରେଷ୍ଠ ପର୍ଶୁରାମଙ୍କ ପାଖରୁ ମୁଁ ଅସ୍ତ୍ର ବିଦ୍ୟା ଶିକ୍ଷା କରିଛି । ଅର୍ଜୁନ କ'ଣ ଶିକ୍ଷା କରିଛି ତା'ର ହିସାବ ଆଜି ଏଇଠି ହେବ । ମୋର ଦୃଢ ବିଶ୍ୱାସ ଅର୍ଜୁନ କେବେ ବି ମୋ ଆଗରେ ଛିଡା ହୋଇପାରିବନି। କୌରବସେନା ଗୋଧନ ଧରି ହସ୍ତିନାକୁ ଯାଆନ୍ତୁ। ମୁଁ ଆଜି ଏକା ଅର୍ଜୁନଙ୍କୁ ସାମ୍ନା କରିବି । ଯେଉଁମାନେ ଭୟରେ ଆତୁର ହୋଇସାରିଛନ୍ତି ସେମାନେ ନୀରବ ରହି ମୋ ଯୁଦ୍ଧ ଦେଖନ୍ତୁ ।“
କର୍ଣ୍ଣଙ୍କ ଆତ୍ମପ୍ରଶଂସାପୂର୍ଣ୍ଣ କଥା ସବୁ କୃପାଚାର୍ଯ୍ୟଙ୍କୁ ବୃଥା ଆସ୍ଫାଳନ ପରି ଲାଗିଲା । କୃପ ବିରକ୍ତ ହୋଇ କହିଲେ, “କର୍ଣ୍ଣ ସବୁବେଳେ ବଡ ବଡ ଅଯଥା କଥା କୁହନ୍ତି । କର୍ଣ୍ଣ ନିଜ ଆତ୍ମପ୍ରଶଂସା ଭିତରେ ଭୁଲିସାରିଲେଣି ଅର୍ଜୁନ ଏକା ଏକା ଚିତ୍ରସେନ ଓ ତାଙ୍କ ଗନ୍ଧର୍ବସେନାଙ୍କୁ ପରାସ୍ତ କରିଛନ୍ତି, ସୁଭଦ୍ରା ହରଣ ସମୟରେ ଏକା ଏକା ଯଦୁକୁଳ ସହ ଯୁଦ୍ଧ କରିଛନ୍ତି, ଶବର ବେଶରେ ଥିବା ମହାଦେବଙ୍କ ସହ ଯୁଦ୍ଧ କରିଛନ୍ତି, ଖାଣ୍ଡବ ବନ ଦହନ ସମୟରେ ଦେବତାମାନଙ୍କ ସହ ଯୁଦ୍ଧ କରିଛନ୍ତି । ଏକାକୀ ଜଙ୍ଗଲ ଭିତରେ ଜୟଦ୍ରଥକୁ ପରାସ୍ତ କରି ପାଞ୍ଚାଳୀଙ୍କୁ ଉଦ୍ଧାର କରିଛନ୍ତି । ଏମିତି ଗୋଟେ ଯୁଦ୍ଧ କର୍ଣ୍ଣ ତାଙ୍କ ଜୀବନ କାଳରେ କରିଛନ୍ତି କି? ଆଉ କିଏ ଜାଣିଛ ଯଦି କୁହନ୍ତୁ, ମୁଁ କିନ୍ତୁ ଜାଣିନି । ତେଣୁ ସେ ଯେଉଁ ଏକା ଏକା ଲଢିବେ ବୋଲି ଉତ୍ତେଜିତ ହୋଇ ବୃଥା ଆତ୍ମବଡିମା ଦେଖାଉଛନ୍ତି, ତାକୁ ପରିତ୍ୟାଗ କରି ଏକାଠି ଅନ୍ୟ ବୀରମାନଙ୍କ ସହ ମିଳି ମିଶି କେମିତି ଯୁଦ୍ଧ କରାଯିବ ତା'ର ଯୋଜନା କରନ୍ତୁ । ଏକା ଏକା ଅର୍ଜୁନଙ୍କୁ ଯୁଦ୍ଧ କ୍ଷେତ୍ରରେ ପ୍ରତିରୋଧ କରିବା ଅସଂଭବ । ଏବେ ଗ୍ରୀଷ୍ମ ଋତୁ । ବିରାଟଙ୍କ ଦେଶ ଅତ୍ୟନ୍ତ ଦୁର୍ଗମ ପାହାଡ ଓ ଜଙ୍ଗଲରେ ପରିପୂର୍ଣ୍ଣ । ଯୁଦ୍ଧ କରିବାକୁ ଏ ସମୟ ଓ ସ୍ଥାନ ଉଭୟ ଉପଯୁକ୍ତ ନୁହଁନ୍ତି ।“
ମହାଭାରତ କିଛି ସମୟ ପୂର୍ବରୁ କର୍ଣ୍ଣ ଆଚାର୍ଯ୍ୟ ଦ୍ରୋଣଙ୍କ ପ୍ରତି ପ୍ରୟୋଗ କରିଥିବା କଟୁ କଥା ସବୁ ଦ୍ରୋଣଙ୍କ ପୁଅ ଅଶ୍ୱତ୍ଥମାଙ୍କୁ ଭଲ ଲାଗିନଥିଲା । ସେ କର୍ଣ୍ଣଙ୍କୁ ଚାହିଁ କହିଲେ, “ଗୋଧନ ଧରି ହସ୍ତିନାପୁରରେ ନପହଞ୍ଚିବା ପର୍ଯ୍ୟନ୍ତ ନିଜକୁ ବିଜୟୀ ଘୋଷଣା କରନି । କ'ଣ ପାଇଁ ତୁମେ ଏତେ ଆତ୍ମବଡିମା ଦେଖାଉଛ? ତୁମର ଏତେ ଗର୍ବର କାରଣ ମୁଁ ବୁଝିପାରୁନି । ଯୁଦ୍ଧ ଜୟ କରି ଅନେକ ରାଜ୍ୟ ଜୟ କରିଥିବା ବୀର ବି ତୁମ ପରି ବଡିମା ଦେଖାନ୍ତି ନାହିଁ । ନିଆଁ ପୁରା ସଂସାରର ଏତେ ଉପକାର କରୁଛନ୍ତି କିନ୍ତୁ ନୀରବରେ ନିଜ କାର୍ଯ୍ୟ କରୁଛନ୍ତି । ସୂର୍ଯ୍ୟଦେବତା ଚୁପଚାପ୍ ତାଙ୍କର ଆଲୋକ ଓ ଉତ୍ତାପ ପ୍ରଦାନ କରୁଛନ୍ତି, ଧରଣୀ ସମସ୍ତ ସ୍ଥାବର, ଜଙ୍ଗମକୁ ନୀରବରେ ଧାରଣ କରିଛି । ସେଥିପାଇଁ ସେମାନେ କେହି ବି ଅଯଥା ଗର୍ବ ଅହଙ୍କାର ପ୍ରଦର୍ଶନ କରୁନାହାଁନ୍ତି । ହେ କର୍ଣ୍ଣ! ତୁମେ ଅତୀତରେ କେବେବି ଅର୍ଜୁନଙ୍କୁ କିମ୍ବା ଅନ୍ୟ ପାଣ୍ଡବ ଭାଇଙ୍କୁ ପରାସ୍ତ କରିଛ କି? ହଁ ଶକୁନିଙ୍କ ମନ୍ତ୍ରଣାରେ ଛଳ କପଟ ପ୍ରୟୋଗ କରି ପାଣ୍ଡବମାନଙ୍କ ରାଜ୍ୟ ଓ ଧନ ଅପହରଣ କରିଛ । ଭରା ସଭାରେ ସେମାନଙ୍କ ପତ୍ନୀ ପାଞ୍ଚାଳୀଙ୍କୁ ବିବସ୍ତ୍ର କରିବାକୁ ଚେଷ୍ଟା କରିଛ ।
ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସର କଷ୍ଟ ଦେଇଛ। କିନ୍ତୁ ଏହା ଭିତରେ ତୁମେ ଭୁଲିସାରିଛ, ପାଣ୍ଡବମାନେ ବନବାସ ଯିବାବେଳେ ଯୋଉ ପ୍ରତିଜ୍ଞା କରିଥିଲେ । କର୍ଣ୍ଣ ତୁମେ ଭୁଲରେ ବି ଭାବନି ଅର୍ଜୁନ ଆଜି ଏଠାକୁ ଆଉଥରେ ପଶା ଖେଳିବାକୁ ଆସୁଛନ୍ତି । ଗୋଟେ କାମ କର ଯାହା ବୁଦ୍ଧିରେ ସେଦିନ କପଟ ପଶାପାଲି ଉପରେ ପାଣ୍ଡବମାନଙ୍କ ସର୍ବସ୍ୱ ହରଣ କରିଥିଲ, ସେଇ ଶକୁନି ମାମୁର ବୁଦ୍ଧିରେ ଆଜି ଯୁଦ୍ଧ କର । ତାଙ୍କୁ କୁହ ସେଦିନର ଉତ୍ସାହରେ ସେ ଆଜି ଯୁଦ୍ଧ କରନ୍ତୁ । ମନେରଖ ଅର୍ଜୁନଙ୍କ ଗାଣ୍ଡିବ ଧନୁରୁ ପଶା କାଠି ଗଡିବନି । ସେଥିରୁ ସୁଶାଣିତ ତୀକ୍ଷ୍ନ ଅସଂଖ୍ୟ ପରିମାଣର ଅସହ୍ୟ ବାଣ ସବୁ ବାହାରିବେ । ଯମ, ପବନ ଓ ଅଗ୍ନିଦେବଙ୍କ କବଳରୁ କିଛି ହୁଏତ ବଞ୍ଚିଯାଇପାରେ କିନ୍ତୁ ଅର୍ଜୁନଙ୍କ କ୍ରୋଧରୁ କେହି ବର୍ତ୍ତି ପାରିବେନି । ସିଧା କଥା ହେଲା ଅନ୍ୟମାନଙ୍କର ଯାହାର ଇଚ୍ଛା ହେଉଛି ସେ ଯୁଦ୍ଧ କରୁ, ମୁଁ କିନ୍ତୁ ଆଜି ଯୁଦ୍ଧ କରିବିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)