ଆଶ୍ରମରେ ବାଳକ ପରାଶରଙ୍କର ଜନ୍ମ ପରେ ବଶିଷ୍ଠ ଋଷି ବେଶ ଖୁସି ହେଲେ । ଏଥର ସେ ଧୀରେ ଧୀରେ ନିଜ ଶହେ ପୁଅଙ୍କ ମୃତ୍ୟୁ ଜନିତ ଶୋକକୁ ଭୁଲିଯିବାକୁ ଚାହିଁଲେ । ନିଜ ଜୀବନକୁ ନଷ୍ଟ କରିବାର ପ୍ରୟାସ ବି ଆଉ କଲେନି । ଟିକେ ବଡ଼ ହେଲା ପରେ ବାଳକ ପରାଶର କଥା କହିବା ଆରମ୍ଭ କଲେ । ଅଦୃଶ୍ୟନ୍ତୀଙ୍କୁ ମାଆ ଡାକିଲେ ଓ ତା' ସହ ବଶିଷ୍ଠଙ୍କୁ ବାପା ବୋଲି ସମ୍ବୋଧନ କଲେ । ଦିନେ ଅଦୃଶ୍ୟନ୍ତୀ ପୁଅ ପରାଶରକୁ ତା' ବାପା କିଏ ଓ କୋଉ ପରିସ୍ଥିତରେ ତାଙ୍କୁ ଏକ ରାକ୍ଷାସ ଖାଇଗଲା ଏବଂ ସେ ମୃତ୍ୟୁ ଲାଭ କଲେ ସେ କାହାଣୀ କହିଲେ । ମାଆଙ୍କ ପାଖରୁ ଏପରି ଦୁଃଖଦ କାହାଣୀ ଶୁଣି ପରାଶର ଦୁଃଖି ହୋଇଗଲେ । ତାପରେ ସେ ନିଷ୍ପତ୍ତି ନେଲେ, ପୃଥିବୀରୁ ସବୁ ରାକ୍ଷସଙ୍କୁ ମାରିବାକୁ ଗୋଟେ ଯଜ୍ଞର ଆୟୋଜନ କରିବେ ।
ପରାଶରଙ୍କ ଏପରି ନିଷ୍ପତ୍ତି କଥା ବଶିଷ୍ଠ ଶୁଣିଲେ । ଦିନେ ନାତିକୁ ପାଖକୁ ଡାକି କହିଲେ, ବାପରେ କ୍ରୋଧ ମଣିଷର ଦୁଃଖର ଅନ୍ୟତମ କାରଣ । ତୋ ବାପା କ୍ରୋଧ ବଶତଃ ରାଜାକୁ ଅଭିଶାପ ଦେଲା ମଣିଷ ଖିଆ ରାକ୍ଷସ ହେଇ ଯିବାକୁ । ଅଭିଶାପ ପାଇଲା ପରେ ସେଇ ରାକ୍ଷସ ତୋ ବାପାକୁ ଆଗ ଖାଇଲା ଓ ତାପରେ ଅନ୍ୟ ସବୁ ଭାଇମାନଙ୍କୁ ବି ଖାଇଦେଲା । ଏବେ ତୁ ବାହାରିଲୁଣି ସାରା ସଂସାରର ମଣିଷ ଖିଆ ରାକ୍ଷସଙ୍କୁ ମାରିବୁ । ମୋ କଥା ମନେ ରଖ, ଏ ଘଟଣା କେବେବି ସେଇଠି ଛିଡିବନି । ଗୋଟେ ଘଟଣା ଆଉ ଏକ ଘଟଣାକୁ ଜନ୍ମ ଦେବ । ପ୍ରତିଶୋଧ ନୁହେଁ, କ୍ଷମା ହିଁ ପରମ ଧର୍ମ । ମୋ ଜୀବନରେ ମୋର ସବୁଠାରୁ ଅଧିକ କ୍ଷତି କରିଥିବା ବିଶ୍ୱାମିତ୍ରଙ୍କୁ ମୁଁ କ୍ଷମା କରିଦେଇଥିଲି । ପ୍ରତିଶୋଧ ନେବାକୁ ସାମନ୍ୟ ପ୍ରୟାସ ବି କରିନଥିଲି । ତଥାପି ତୋତେ ଗୋଟେ କାହାଣୀ କହୁଛି । ଶୁଣ । ତାପରେ ତୋତେ ଯାହା ଠିକ ଲାଗିବ ତୁ କରିବୁ । ବଶିଷ୍ଠ ଗପିଲେ-
ପୁରାକାଳରେ କୃତବୀର୍ଯ୍ୟ ନାମରେ ଜଣେ ରାଜା ଶାସନ କରୁଥିଲେ । ରାଜାଙ୍କ କୁଳ ପୁରୋହିତ ଭାବରେ ଭୃଗୁଙ୍କ ବଂଶଜ ବେଦଜ୍ଞ ବ୍ରାହ୍ମଣମାନେ ରାଜାଙ୍କ ପାଇଁ ନୀୟମିତ ଯାଗ ଯଜ୍ଞର ଆୟୋଜନ କରୁଥିଲେ । ଯଜ୍ଞ ପରେ ରାଜା ଯଥେଷ୍ଟ ପରିମାଣରେ ଦାନ ଓ ଦକ୍ଷିଣା ଦେଇ ସେମାନଙ୍କୁ ସନ୍ତୁଷ୍ଟ କରୁଥିଲେ । ଅନେକ ଧର୍ମ ଅର୍ଜନ କଲା ପରେ ରାଜା କୃତବୀର୍ଯ୍ୟ ଦିନେ ସ୍ୱର୍ଗବାସ କଲେ।
ଏହା ଭିତରେ ଅନେକ ଦିନ ବିତିଗଲା। ବିଭିନ୍ନ ପ୍ରକାର ଯୁଦ୍ଧ ଓ ଅଯଥା ବ୍ୟୟ କରିବାରୁ ଶେଷରେ କୃତବୀର୍ଯ୍ୟଙ୍କ ବଂଶଧରମାନଙ୍କର ଦିନେ ଅର୍ଥର ଆବଶ୍ୟକତା ଆସିଲା । ସେମାନେ ଜାଣିଥିଲେ କୃତବୀର୍ଯ୍ୟ ରାଜ ପୁରୋହିତ ଭୃଗୁମାନଙ୍କୁ ଅନେକ ଅର୍ଥ ଅତୀତରେ ଦାନ କରିଛନ୍ତି । ତେଣୁ ସେମାନେ ଭୃଗୁମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ କିଛି ଧନ ମାଗିଲେ । ଭୃଗୁମାନେ ତାଙ୍କର ପୂର୍ବପୁରୁଷମାନଙ୍କର ଅର୍ଜିତ ଧନକୁ ଏମିତି କ୍ଷତ୍ରୀୟମାନଙ୍କୁ ଅକାରଣରେ ଦେଇଦେବାକୁ ଇଚ୍ଛା କରୁନଥିଲେ। ତେଣୁ ସେ କ୍ଷତ୍ରୀୟମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଅଳ୍ପ କିଛି ଧନ ଦେଇସାରି, ବାକି ଧନରୁ କିଛି ଅନ୍ୟ ବ୍ରାହ୍ମଣଙ୍କ ଭିତରେ ବାଣ୍ଟିଦେଲେ ଓ ଅବଶିଷ୍ଟ ଧନକୁ ସୁରକ୍ଷିତ ରଖିବାକୁ ମାଟି ତଳେ ପୋତିଦେଲେ ।
କୌଣସି ଉପାୟରେ କ୍ଷତ୍ରୀୟମାନେ ଜାଣିଗଲେ ଭୃଗୁମାନେ ସେମାନଙ୍କ ଧନକୁ ମାଟିତଳେ ପୋତିଛନ୍ତି। ତେଣୁ ସେମାନେ ଦିନେ ନିର୍ଦ୍ଦିଷ୍ଟ ସ୍ଥାନର ମାଟି ଖୋଳିଲେ ଓ ପୋତା ଧନ ସମ୍ପତ୍ତିତକ ନେଇ ଗଲେ । ସେତିକିରେ କଥା କିନ୍ତୁ ସରିଲାନି । ଧନ ମାଗିଲା ପରେ ବି ସେମାନଙ୍କୁ ନଦେଇ ମାଟି ତଳେ ଲୁଚେଇ ପୋତିଥିବାର ଜାଣି କ୍ଷତ୍ରୀୟମାନେ କ୍ରୋଧରେ ଭୃଗୁ ବଂଶଜ ବ୍ରାହ୍ମଣମାନଙ୍କୁ ହତ୍ୟା କରିବା ଆରମ୍ଭ କଲେ । ଏପରିକି ମାଆର ପେଟରେ ଥିବା ପିଲା ବି ସେଥିରୁ ବାଦ ପଡିଲେନି ।
ଭୟରେ ଅନେକ ଭୃଗୁ ବଂଶଜ ବ୍ରାହ୍ମଣମାନଙ୍କ ବିଧବା ପତ୍ନୀ ହିମାଳୟ ପଳେଇଲେ ଓ ସେଇଠି ଲୁଚିଲେ । ଜଣେ ବ୍ରାହ୍ମଣଙ୍କ ବିଧବା ପତ୍ନୀ ନିଜ ବଂଶ ରକ୍ଷା କରିବାକୁ ଏକ ଅଭିନବ ଉପାୟ ଚିନ୍ତା କଲେ ଓ ତାଙ୍କ ଗର୍ଭାଶୟରେ ବଢୁଥିବା ପିଲାକୁ ଆଣି ତାଙ୍କ ନିଜ ଜଙ୍ଘ ଭିତରେ ଗୋପନରେ ରଖିଦେଲେ । କିନ୍ତୁ ଘଟଣା ବେଶିଦିନ ଲୁଚି ରହିଲାନି । ଏକଥା କ୍ଷତ୍ରୀୟମାନେ ଜାଣିଲେ ଓ ସେ ପିଲାକୁ ମାରିବାକୁ ଦିନେ ପହଞ୍ଚିଗଲେ ।
ସେତିକିବେଳେ କିନ୍ତୁ ଏକ ଅଲୌକିକ ଘଟଣା ଘଟିଲା । ନିଜ ମାଆଙ୍କ ଜାନୁ ଭିତରେ ଲୁଚିଥିବା ପିଲାଟି ହଠାତ୍ ଜାନୁ ଚିରି ବାହାରକୁ ବାହାରି ଆସିଲା । ଉରୁ ଚିରି ଜନ୍ମ ହୋଇଥିବାରୁ ତାଙ୍କ ନାମ ଔର୍ବ ରଖାଗଲା । ଶହେ ସୂର୍ଯ୍ୟଙ୍କ ତେଜରେ ତେଜିୟାନ ସେ ପିଲାଟିର ତେଜରେ ତାଙ୍କୁ ମାରିବାକୁ ଯାଇଥିବା କ୍ଷତ୍ରୀୟମାନେ ଅନ୍ଧ ହେଇଗଲେ । ସେମାନେ ସେମାନଙ୍କ ଆଖିରେ କିଏ ନିଆଁ ଖଣ୍ଡ ରଖିଦେଲା ପରି ଯନ୍ତ୍ରଣା ଅନୁଭବ କରୁଥାନ୍ତି । ଅନ୍ଧ ହେଲା ପରେ ସେ କ୍ଷତ୍ରୀୟ ବୀରମାନେ ବାଟ ନପାଇ ଓ ଯନ୍ତ୍ରଣାରେ କାତର ହୋଇ ପାହାଡ ସାରା ଘୁରି ବୁଲିଲେ। ଶେଷରେ କିଛି ଉପାୟ ନପାଇ ସେଇ ବ୍ରାହ୍ମଣ ସ୍ତ୍ରୀ ଲୋକ ପାଖରେ ପହଞ୍ଚି ଆପଣା ଭୁଲ ସ୍ୱୀକାର କଲେ ଓ ଅନ୍ଧପଣରୁ ମୁକ୍ତି ପାଇଁ ପାର୍ଥନା କଲେ । ବ୍ରାହ୍ମଣ ସ୍ତ୍ରୀ ଲୋକ ଜଣକ କହିଲେ ଦେଖ, ମୁଁ ତ ତୁମମାନଙ୍କୁ ଅନ୍ଧ କରିନି, ତେଣୁ ମୁଁ ତୁମମାନଙ୍କ ଦୃଷ୍ଟିଶକ୍ତି କେମିତି ଫେରେଇ ପାରିବି? ତୁମେମାନେ ଆମ ପରିବାରର ଲୋକମାନଙ୍କୁ ବର୍ଷ ବର୍ଷ ବର୍ଷ ଧରି ହତ୍ୟା କରି ଆସିଲଣି । ପୁଅ ମୋର ମୋ ଗର୍ଭରେ ଥାଇ ସବୁ ଜାଣିଛି । ତୁମେମାନେ ଅନ୍ଧ ହେଇଛ ମୋ ପୁଅ ଔର୍ବର ତେଜ ପାଇଁ । ଏବେ ଯାହା କରିବ ସେ ହିଁ କରିପାରିବ ।
କ୍ଷତ୍ରୀୟମାନେ ଔର୍ବଙ୍କ ପାଖରେ ସେମାନଙ୍କ ଭୁଲ ସ୍ୱୀକାର କରି କ୍ଷମା ପାର୍ଥନା କଲେ ଓ ସେମାନଙ୍କ ଦୃଷ୍ଟିଶକ୍ତି ଫେରେଇ ଦେବାକୁ ଅନୁରୋଧ କଲେ । ଔର୍ବ କ୍ଷତ୍ରୀୟମାନଙ୍କ ଦୃଷ୍ଟିଶକ୍ତି ଫେରେଇ ଦେଲେ ଓ କ୍ଷତ୍ରୀୟମାନେ ସେଠାରୁ ଫେରି ଆସିଲେ ।
କ୍ଷତ୍ରୀୟମାନଙ୍କୁ କ୍ଷମା କରି ଦୃଷ୍ଟିଶକ୍ତି ଫେରେଇ ଦେଲେ ମଧ୍ୟ ଔର୍ବଙ୍କ କ୍ରୋଧ କିନ୍ତୁ ସାମନ୍ୟ ଉଣା ହେଇନଥାଏ । ସେ ମନସ୍ଥ କରିଥା'ନ୍ତି ସାରା ସଂସାରକୁ ଏକାବେଳକେ ଧ୍ୱଂସ କରିଦେବେ । ତିନିଲୋକକୁ ଧ୍ୱଂସ କରିବାକୁ ସେ ଯଜ୍ଞର ଆୟୋଜନ କଲେ । ସେ ସିଦ୍ଧାନ୍ତ ନେଇଥାନ୍ତି ସଂସାରରେ ଦେବ ମାନବ ନାଗ କେହି ବି ଆଉ ବଞ୍ଚି ରହିବେନି । ମୃତ୍ୟୁଲାଭ ପରେ ସ୍ୱର୍ଗବାସୀ ଭୃଗୁମାନେ ଖବର ପାଇଲେ ସେମାନଙ୍କ ବଂଶଜ ଜଣେ ଯୁବକ ତିନିଲୋକକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇ ଏକ ଯଜ୍ଞର ଆୟୋଜନ କରୁଛି । ତେଣୁ ଦିନେ ସେମାନେ ସ୍ୱର୍ଗରୁ ବାହାରି ଔର୍ବଙ୍କ ପାଖରେ ଆସି ପହଞ୍ଚିଲେ ।
ସ୍ୱର୍ଗବାସୀ ଭୃଗୁମାନଙ୍କୁ ଦେଖି ଔର୍ବ କହିଲେ ବର୍ଷ ବର୍ଷର ସଞ୍ଚିତ କ୍ରୋଧରୁ ତାଙ୍କର ଜନ୍ମ । ମାଆଙ୍କ ପେଟରେ ଥିବା ସମୟରେ ସେ ଭୃଗୁ ବଂଶଜମାନଙ୍କ ହତ୍ୟାର କରୁଣ ଆର୍ତ୍ତ ଚିତ୍କାର ଶୁଣିଛନ୍ତି । ପାଷାଣ୍ଡ କ୍ଷତ୍ରୀୟମାନେ ମା ପେଟରେ ଥିବା ପିଲାମାନଙ୍କୁ ବି ଛାଡିନାହାଁନ୍ତି । ଯେତେବେଳେ କ୍ଷତ୍ରୀୟମାନେ ନିରୀହ ଭୃଗୁମାନଙ୍କୁ ହତ୍ୟା କରୁଥିଲେ ସେତବେଳେ ତିନି ଲୋକର ଅନ୍ୟମାନେ କରୁଥିଲେ କ'ଣ? କି ସହାୟତା ଯୋଗାଇଥିଲେ ସେମାନେ? ବରଂ ସେମାନେ ସମସ୍ତେ ନୀରବ ଥିଲେ । ଅଧର୍ମ ଓ ଅନ୍ୟାୟକୁ ଦେଖି ସହି ଚୁପ ରହିବା ବି ଅନ୍ୟାୟ । ତେଣୁ ଧର୍ମ କର୍ମ ଭୁଲିସାରିଥିବା ଏ ସଂସାର, ଆଉ ବେଶିଦିନ ତିଷ୍ଠି ରହିବାର ଆବଶ୍ୟକତା ନାହିଁ । ତା'ର ଧ୍ୱଂସର ସମୟ ଆସିଯାଇଛି । ମୁଁ ଶପଥ ନେଇଛି ସବୁ କିଛି ଧ୍ୱଂସ କରିସାରି ନିଶ୍ୱାସ ନେବି । ମୋ ଭିତରେ ଥିବା କ୍ରୋଧର ଅଗ୍ନି ଯଦି ବାହ୍ୟ ସଂସାରକୁ ଧ୍ୱଂସ କରିବନି ଓ ମୁଁ ସେ କ୍ରୋଧକୁ ନିଜ ଭିତରେ ଚାପିବାକୁ ଚେଷ୍ଟା କରିବି, ତେବେ ତାହା ମୋତେ ହିଁ ଧ୍ୱଂସ କରିଦେବ । ମୁଁ ନିଜେ ନିଜକୁ ଧ୍ୱଂସ କରିବାକୁ ଚାହେଁନି ।
ଔର୍ବଙ୍କ ଯୁକ୍ତି ଶୁଣି ତାଙ୍କ ପୂର୍ବପୁରୁଷମାନେ କହିଲେ - ହେ ପୁତ୍ର ଏ ସଂସାର ଜଳରୁ ଉତ୍ପତ୍ତି । ଏକମାତ୍ର ଜଳ ହିଁ ଅଗ୍ନିଙ୍କୁ ନିର୍ବାପିତ କରିପାରନ୍ତି । ତୁମେ ତୁମର କ୍ରୋଧାଗ୍ନିକୁ ଜଳରେ ସମାହିତ କରିଦିଅ । ପୂର୍ବପୁରୁଷଙ୍କ କଥା ମାନି ଔର୍ବ ତାଙ୍କ ଭିତରେ ପ୍ରଜ୍ୱଳିତ ଅତ୍ୟନ୍ତ ଭୟଙ୍କର କ୍ରୋଧର ଅଗ୍ନିକୁ ସମୁଦ୍ରରେ ନିର୍ବାପିତ ହେବାକୁ ଛାଡିଦେଲେ ।
ଏତିକି କହି ବଶିଷ୍ଠ ତାଙ୍କ ନାତି ପରାଶରଙ୍କୁ କହିଲେ ଔର୍ବଙ୍କ ପୁର୍ବପୁରୁଷମାନେ ତାଙ୍କୁ କ୍ଷମାର ଗୁରୁତ୍ୱ ଓ ଆବଶ୍ୟକତା ବୁଝାଇନଥିଲେ ଓ ଔର୍ବ ସେମାନଙ୍କ କଥା ସେଦିନ ମାନି ନଥିଲେ ଆମେ ତୁମେ ଦେଖୁଥିବା ଏଇ ସୁନ୍ଦର ସଂସାର ଆଜି ଆଉ ନଥାନ୍ତା।
ବଶିଷ୍ଠଙ୍କ କଥା ଶୁଣି ପରାଶର କିଛି ସମୟ ଚିନ୍ତା କଲେ ଓ ପୃଥିବୀକୁ ଧ୍ୱଂସ କରିବା ନିଷ୍ପତ୍ତିରୁ ଓହରିଗଲେ । କିନ୍ତୁ ତାଙ୍କ ବାପା ଓ ଦାଦାମାନଙ୍କୁ ମାରି ଖାଇଥିବା ରାକ୍ଷସ ବଂଶ ପ୍ରତି ତାଙ୍କ କ୍ରୋଧ କମିନଥିଲା । ତେଣୁ ସେ ରାକ୍ଷସମାନଙ୍କୁ ମାରିବା ପାଇଁ ଏକ ଯଜ୍ଞର ଆୟୋଜନ କଲେ । ଏଥର ବଶିଷ୍ଠ ପରାଶରଙ୍କୁ ଆଉ କିଛି କହିଲେନି। କିନ୍ତୁ ଆକାଶରୁ ସପ୍ତଋଷିଙ୍କ ଭିତରୁ ପୁଲଃ, ପୁଲସ୍ଥ ଓ କ୍ରତୁ ଆସି ପରାଶରଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ । ସେମାନେ ଆସି ପରାଶରଙ୍କୁ ବୁଝାଇ କହିଲେ, ହେ ବ୍ରହ୍ମଣ ଶ୍ରେଷ୍ଠ, ଏଇଟା କ'ଣ ଠିକ୍ ହେଉଛି କି? ତୁମ ବାପାଙ୍କ ଅଭିଶାପରେ ରାକ୍ଷସ ପାଲଟି, ତୁମ ବାପା ଓ ତାଙ୍କ ଭାଇମାନଙ୍କୁ ଖାଇଥିବା ରାଜା କଳ୍ମୁଷପାଦ କେବଠୁ ସ୍ୱର୍ଗକୁ ଯାଇସାରିଲେଣି । ତୁମ ବାପା ଶକ୍ତି ଓ ଦାଦାମାନେ ସ୍ୱର୍ଗରେ ବଡ ଆନନ୍ଦରେ ଅଛନ୍ତି । ତୁମେ ଜଣେ ବେଦଜ୍ଞ ଗୁଣୀ ବ୍ରାହ୍ମଣ ଭାବରେ କ୍ଷମା ଆଚରଣ କର ଓ ରାକ୍ଷସମାନଙ୍କୁ ତାଙ୍କ ବାଟରେ ବଞ୍ଚିବାକୁ ଛାଡିଦିଅ । ପରାଶର ଶେଷରେ ବଶିଷ୍ଠ ଓ ଦେବଋଷିମାନଙ୍କ କଥା ମାନି ରାକ୍ଷସ ମାରଣ ଯଜ୍ଞ ବନ୍ଦ କରିଦେଲେ ।
ତାପରେ ଗନ୍ଧର୍ବ ଅଙ୍ଗାରପର୍ଣ୍ଣ ଆହୁରି ଅନେକ ଗୁଡେ ଗପ ଅର୍ଜୁନଙ୍କୁ କହିଲେ ।
ଅର୍ଜୁନ ବୁଝିପାରୁଥିଲେ ଗନ୍ଧର୍ବ ଅଙ୍ଗାରପର୍ଣ୍ଣ ତାଙ୍କ ଭିତରେ ଥିବା ପ୍ରତିଶୋଧର ପ୍ରଚଣ୍ଡ ଅଗ୍ନିକୁ ହୁଏତ ଦେଖିପାରିଥିଲେ । ସେଇଥିପାଇଁ ସେ କ୍ଷମା ଆଚରଣର ଅନେକ କାହାଣୀ ସେମାନଙ୍କୁ ଶୁଣେଇଲେ । କିନ୍ତୁ କୌରବମାନେ ଯେଉଁ ପ୍ରକାରର ଦ୍ରୋହ ଆଚରଣ କରିଛନ୍ତି ଓ ଅମାନବୀୟ ବ୍ୟବହାର କରିଛନ୍ତି, ସେମାନେ କ୍ଷମାର ଯୋଗ୍ୟ ନୁହଁନ୍ତି । ପଣ୍ଡୁ ପରିବାରଙ୍କ ସହ କୌରବ ଭାଇମାନେ କି କି ପ୍ରକାର ବ୍ୟବହାର କରିଛନ୍ତି ସେ କଥା ସବୁ ଗୋଟି ଗୋଟି କରି ଅଙ୍ଗାରପର୍ଣ୍ଣଙ୍କୁ ବୁଝାଇ କହିଲେ ଅର୍ଜୁନ ।
ଗନ୍ଧର୍ବ ଅଙ୍ଗାରପର୍ଣ୍ଣ କହିଲେ ଠିକ ଅଛି, ତୁମେମାନେ ଯଦି ମନସ୍ଥ କରିସାରିଛ ତେବେ ସେ ଯାତ୍ରା ଏଉଠୁ ଏଇ ମୁହୂର୍ତ୍ତରୁ ଆରମ୍ଭ କର। ମୁଁ ତ ଘୋଡା ଦେଉଛି । ଏବେ ଜଣେ ବ୍ରାହ୍ମଣ ପୁରୋହିତର ବ୍ୟବସ୍ଥା କର । ଉଚ୍ଚକୁଳର ଶକ୍ତିଶାଳୀ ରାଜପରିବାର ଦେଖି ବିବାହ କର । ତାପରେ ଦେଶ ଜୟ କର ଓ ରାଜା ହୋଇ ଆନନ୍ଦରେ ଶାସନ କର ।
ଗନ୍ଧର୍ବଙ୍କ କଥା ଶୁଣି ପାଣ୍ଡବମାନେ କହିଲେ ଆମକୁ ଉପହାରରେ ଦେଇଥିବା ଘୋଡାସବୁ ବର୍ତ୍ତମାନ ପାଇଁ ତୁମ ପାଖରେ ଥାଆନ୍ତୁ । ଆବଶ୍ୟକ ସମୟରେ ଆମେ ମାଗି ନେବୁ । ଏବେ କୁହ, କାହାକୁ ଆମ ପୁରୋହିତ ଭାବରେ ଆମେ ନିଯୁକ୍ତ କରିବୁ? ଗନ୍ଧର୍ବ ଅଙ୍ଗାରପର୍ଣ୍ଣ କହିଲେ ଏଠାରୁ ତୁମେମାନେ ସିଧା ଉତ୍କଚକ ନାମକ ଅରଣ୍ୟକୁ ଯାଅ । ସେଠି ଧୌମ୍ୟ ନାମରେ ଜଣେ ବ୍ରାହ୍ମଣ ଅଛନ୍ତି। ତାଙ୍କୁ ତୁମମାନଙ୍କ ପୁରୋହିତ ହେବା ପାଇଁ ଅନୁରୋଧ କର ।
ଗନ୍ଧର୍ବ ଅଙ୍ଗାରପର୍ଣ୍ଣଙ୍କ କଥାରେ ପାଣ୍ଡବମାନେ ଏବେ ଏକ ନୂଆ ରାସ୍ତାର ସନ୍ଧାନ ପାଇଲେ । ଅର୍ଜୁନ ବସିବା ସ୍ଥାନରୁ ଠିଆ ହେଲେ ଓ ନୂଆ ବନ୍ଧୁ ଅଙ୍ଗାରପର୍ଣ୍ଣଙ୍କୁ ଅଗ୍ନେୟାସ୍ତ୍ର ପ୍ରଦାନ କରି ଭାଇ ଓ ମାଆଙ୍କୁ ସାଙ୍ଗରେ ଧରି ସେଠାରୁ ବିଦାୟ ନେଲେ ।
ତାପରେ ପାଣ୍ଡବମାନେ ଗନ୍ଧର୍ବଙ୍କ କହିବା ଅନୁସାରେ ଉତ୍କଚକ ତୀର୍ଥରେ ବେଦଜ୍ଞ ଧୌମ୍ୟଙ୍କୁ ସାକ୍ଷାତ କରି ପରିଚୟ ଦେଲେ ଓ ସେମାନଙ୍କ ପୁରୋହିତ ହେବା ପାଇଁ ଅନୁରୋଧ କଲେ । ଧୌମ୍ୟ ସମ୍ମତି ପ୍ରଦାନ କଲାପରେ ସମସ୍ତେ ସେଠୁ ପାଞ୍ଚାଳ ଦେଶ ଅଭିମୂଖେ ବାହାରିଲେ ।
ଅର୍ଜୁନ ଚଞ୍ଚଳ ଚଞ୍ଚଳ ପାଦ ପକେଇ ଚାଲୁଥାନ୍ତି ଓ ମନେ ମନେ ଭାବୁଥାନ୍ତି ତାଙ୍କୁ ଦ୍ରୁପଦ ରାଜାଙ୍କ ଝିଅର ସ୍ୱୟମ୍ବରରେ ଯେମିତି ହେଲେ ଶୀଘ୍ର ପହଞ୍ଚିବାକୁ ହେବ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)