ପ୍ରାତିକାମୀ ଦୁର୍ଯ୍ୟୋଧନ ଆଦେଶରେ ଦ୍ରୌପଦୀଙ୍କୁ ଡାକିବାକୁ ଯାଇ ଫେରିଆସିଲେ । କ୍ରୀଡା ମଣ୍ଡପକୁ ଫେରିଆସି ଦ୍ରୌପଦୀ ପଚାରିଥିବା ପ୍ରଶ୍ନ ଯୁଧିଷ୍ଠିରଙ୍କୁ ପଚାରିଲେ ।
ଯୁଧିଷ୍ଠିରଙ୍କ ପାଖରେ କିଛି ବି ଉତ୍ତର ନଥିଲା । କ'ଣ ବା ସେ କହିଥା'ନ୍ତେ? ତଳକୁ ମୁଣ୍ଡ କରି କେବଳ ନୀରବରେ ବସି ରହିଲେ। ଦୁଃଖ ଓ ଅପମାନରେ ସେ ନିଶ୍ଚଳ ହେଇ ବସିଥା'ନ୍ତି । ଦୁର୍ଯ୍ୟୋଧନ ପାଣ୍ଡବ ଭାଇମାନଙ୍କୁ ଚାହିଁ ହସି ହସି ପ୍ରାତିକାମୀଙ୍କୁ କହିଲେ, ତମେ ସେ ପାଞ୍ଚାଳୀଙ୍କୁ ଏଇ ସଭାସ୍ଥଳକୁ ଶୀଘ୍ର ଆସିବାକୁ କୁହ ଓ ଯାହା ପଚାରିବା କଥା ଏଇଠି ଆମମାନଙ୍କ ସାମ୍ନାରେ ଆସି ପଚାରିବାକୁ କୁହ । ସ୍ୱାମୀ ସ୍ତ୍ରୀଙ୍କ କଥା ଆମେ ବି ଶୁଣିବା ।
Also Read
ପ୍ରାତିକାମୀ ପୁଣି ଥରେ ଦ୍ରୌପଦୀଙ୍କ ପାଖକୁ ଫେରିଲେ ଓ କହିଲେ, ମହାରାଣୀ ଆପଣଙ୍କ ସ୍ୱାମୀ ଧର୍ମରାଜ ନିରୁତ୍ତର ରହିଲେ । କିଛିବି କହିଲେନି । କିନ୍ତୁ ସେ ଦୁଷ୍ଟ ଦୁର୍ଯ୍ୟୋଧନ ବାର ବାର ମୋତେ ଆଦେଶ ଦେଉଛନ୍ତି ଆପଣଙ୍କୁ ସଭାସ୍ଥଳକୁ ନେଇ ଯିବାକୁ । ମୋତେ ଯାହା ଲାଗୁଛି କୌରବମାନଙ୍କୁ ବିନାଶ କାଳେ ବିପରୀତ ବୁଦ୍ଧି ଘାରିଛି ।
ଦ୍ରୌପଦୀ କହିଲେ, ନା ପ୍ରାତିକାମୀ ମୁଁ ମୋ ପ୍ରଶ୍ନର ଉପଯୁକ୍ତ ଉତ୍ତର ନ ପାଇଲା ପର୍ଯ୍ୟନ୍ତ ସେଠାକୁ ଯିବିନି । ସଭାରେ ଆହୁରି ଅନ୍ୟ ମାନ୍ୟ ଗଣ୍ୟ ବିଜ୍ଞ ବ୍ୟକ୍ତି ବି ଉପସ୍ଥିତ ଅଛନ୍ତି । ସେମାନଙ୍କୁ ମୋ ପ୍ରଶ୍ନ ପଚାରି ଉତ୍ତର ଆଣ ।
ପ୍ରାତିକାମୀ ପୁଣିଥରେ ଦ୍ୟୁତକ୍ରୀଡା ସ୍ଥାନକୁ ଫେରିଲେ ଓ ଦ୍ରୌପଦୀ ତାଙ୍କୁ ଯାହା କହିଲେ ତାହା କହିଲେ । ସଭାରେ ଉପସ୍ଥିତ ବିଜ୍ଞ ଜନେ କିନ୍ତୁ କେହି କିଛି କହିଲେନି । ସମସ୍ତେ ନୀରବ ରହିବାକୁ ପସନ୍ଦ କଲେ । ଦ୍ରୌପଦୀଙ୍କୁ ନଆଣି ବାର ବାର ପ୍ରାତିକାମୀ ଏମିତି ଫେରି ଆସୁଥିବାରୁ ଦୁର୍ଯ୍ୟୋଧନ ଭୀଷଣ ରାଗିଗଲେ । ଅତ୍ୟନ୍ତ କର୍କଶ ସ୍ୱରରେ କହିଲେ -ଏ ପ୍ରାତିକାମୀ ଆମ ଦାସ ହେଇସାରିଥିବା ଭୀମକୁ ହୁଏତ ଭୟ କରୁଛି । ସେ ଦ୍ରୌପଦୀକୁ ଆଣିପାରିବନି । ଆମେ ଆଉ ଏ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଶୁଣି ପାରିବନି । ଦୁଃଶାସନ, ତମେ ଶୀଘ୍ର ଯାଇ ସେ ଦ୍ରୁପଦ ନନ୍ଦିନୀକୁ ସଭା ସ୍ଥଳକୁ ଘୋଷାଡି ଘୋଷାଡି ଆଣ ।
ଦୁଃଶାସନ ଯେମିତି ବଡ ଭାଇ ଦୁର୍ଯ୍ୟୋଧନଙ୍କ ଆଦେଶକୁ ଅନେଇ ବସିଥିଲେ । ସେ ଆଦେଶ ଶୁଣୁ ଶୁଣୁ ରାଣୀ ହଂସପୁରକୁ ଝପଟି ଗଲେ । ଏକ ଏକାନ୍ତ କୋଠରୀରେ ଦ୍ରୌପଦୀ ଚୁପ ଚାପ ବସି କାନ୍ଦୁଥା'ନ୍ତି । ସେତବେଳକୁ ସେ ତାଙ୍କର ମାସିକ ଧର୍ମ ପାଳନ କରୁଥା'ନ୍ତି । ରଜଃସ୍ୱଳା ପାଇଁ ଦେହରେ ଖଣ୍ଡିଏ ମାତ୍ର ବସ୍ତ୍ର ପରିଧାନ କରିଥା'ନ୍ତି । ଦ୍ରୌପଦୀଙ୍କୁ ଦେଖୁ ଦେଖୁ ଦୁଃଶାସନ ଚିତ୍କାର କରି କହିଲେ, ତୁମ ସ୍ୱାମୀ ତୁମକୁ ପଶା ଖେଳରେ ପଣ ରଖି ହାରି ସାରିଛନ୍ତି । ଏଠି ଘର କଣରେ ବସି କାନ୍ଦିଲେ କ'ଣ ହେବ? ଶୁଣ, ତୁମେ ଏବେ ଆମମାନଙ୍କ ଦାସୀ । ବଡ ଭାଇ ଦୁର୍ଯ୍ୟୋଧନଙ୍କ ଆଦେଶକୁ ତୁମେ ଅବଜ୍ଞା କରିବାକୁ ସାହସ କଲ କେମିତି? ଏଣିକି ସେ ହତଭାଗା ପାଣ୍ଡବମାନଙ୍କୁ ଭୁଲି କୁରୁରାଣ ଦୁର୍ଯ୍ୟୋଧନଙ୍କ ବିଷୟରେ ଚିନ୍ତା କର ।
ଦୁଃଶାସନଙ୍କ ଚିତ୍କାର ଓ ଗର୍ଜନ ଶୁଣି ଦ୍ରୌପଦୀ ଭୟ ପାଇଗଲେ ଓ ଥରିବାକୁ ଲାଗିଲେ । ନିଜକୁ ବଞ୍ଚାଇବାକୁ ସେ ନେହୁରା ହୋଇ କହିଲେ ତାଙ୍କର ମାସିକ ଧର୍ମ ଚାଲିଛି ଓ ସେ ଖଣ୍ଡିଏ ମାତ୍ର ବସ୍ତ୍ର ପରିଧାନ କରିଛନ୍ତି । ଏପରି ଅବସ୍ଥାରେ ସେ ଗୁରୁ ଗୁରୁଜନ ବସିଥିବା ସଭାକକ୍ଷକୁ ଯାଇପାରିବେନି । ମୁଢ ଦୁଃଶାସନ ଦ୍ରୌପଦୀଙ୍କର କୌଣସି କଥା ଶୁଣିବା ଅବସ୍ଥାରେ ନଥିଲେ । ସେ ଆହୁରି ଅଧିକ ଗର୍ଜନ କରି କହିଲେ ତୁମକୁ ଏଇ ମୁହୂର୍ତ୍ତରେ ବଡ ଭାଇଙ୍କ ଆଦେଶ ଅନୁସାରେ ସଭା ଗୃହକୁ ଆସିବାକୁ ହେବ। ତୁମେ ଖଣ୍ଡେ ଶାଢୀ ପିନ୍ଧିଥାଅ କି ଆଦୌ ପିନ୍ଧି ନଥାଅ । ସେଥିରେ ଆମକୁ କିଛି ଫରକ ପଡୁନି ।
ଦ୍ରୌପଦୀ ନିଜକୁ ବଞ୍ଚାଇବାକୁ ଅନ୍ୟ ଏକ କୋଠରୀକୁ ଦୌଡି ପଳେଇବାକୁ ଚେଷ୍ଟା କଲା ବେଳକୁ ଦୁଃଶାସନ ତାଙ୍କ ପାଖରେ ପହଞ୍ଚିଗଲେ ଓ ଦ୍ରୌପଦୀଙ୍କ ଲମ୍ବା ଘଞ୍ଚ କଳା କେଶକୁ ଧରି ଟାଣିବାକୁ ଲାଗିଲେ । ଦ୍ରୌପଦୀ ନିଜକୁ ରକ୍ଷା କରିବାକୁ ଅନେକ ଚେଷ୍ଟା କଲେ, ଅନୁରୋଧ କଲେ ଓ ଅନେକ ପ୍ରକାରର କଟୁ କଥା ଵି ଦୁଃଶାସନଙ୍କୁ କହିଲେ । କିନ୍ତୁ ଦୁଃଶାସନଙ୍କ ଉପରେ କିଛି ଫରକ ପଡୁନଥାଏ । ସେ ସେମତି ତଳେ ପଡିଯାଉଥିବା ଓ କେବେ ପାଦ ଘୋଷାଡି ହୋଇଯାଉଥିବା ଓ କାନ୍ଦୁଥିବା ଦ୍ରୌପଦୀଙ୍କୁ ଜୋର ଜବରଦସ୍ତି ଦ୍ୟୁତ କ୍ରୀଡାର ମଣ୍ଡପକୁ ଟାଣି ଟାଣି ନେଇଗଲେ ।
ଦ୍ରୌପଦୀଙ୍କୁ ଏପରି ଅପମାନ ଜନକ ଅବସ୍ଥାରେ ଟାଣି ଟାଣି ଆଣିବା ଦେଖି ପାଣ୍ଡବ ଭାଇମାନଙ୍କ ଅବସ୍ଥା କହିଲେ ନସରେ । ସେମାନେ କିଛି ସମୟ ଆଗରୁ ସବୁ କିଛି ହରେଇ ସାରିଥିଲେ। ଏପରିକି ଯୁଧିଷ୍ଠିର ଭାଇମାନଙ୍କ ସହ ନିଜକୁ ବି ଜୁଆ ଖେଳରେ ହରାଇ କୌରବଙ୍କ ଦାସ ହେଇ ସାରିଥିଲେ । ଏ ସବୁ ଘଟଣା ଓ ପରିସ୍ଥିତିରେ ସେମାନଙ୍କୁ ଯେତିକି ଅସହାୟ ଲାଗିନଥିଲା ଦ୍ରୌପଦୀଙ୍କୁ ଦେଖି ତା' ଠାରୁ କାହିଁ କେତେ ଗୁଣା ଦୁଃଖି ଓ ଅସହାୟ ଲାଗୁଥିଲା । ଦୁଃଶାସନ ଦ୍ରୌପଦୀଙ୍କୁ ବାର ବାର ଦାସୀ ବୋଲି ଡାକୁଥା'ନ୍ତି । ପାଣ୍ଡବମାନଙ୍କ ଅସହାୟତା ଦେଖି ଓ ଦୁଃଶାସନଙ୍କ ଦାସୀ ସମ୍ବୋଧନ ଶୁଣି ଦୁର୍ଯ୍ୟୋଧନ, ଶକୁନି ଓ କର୍ଣ୍ଣଙ୍କ ସହ ଅନ୍ୟ କୌରବ ଭାଇମାନେ ତାତ୍ସଲ୍ୟ ପୂର୍ଣ୍ଣ ଅଟ୍ଟହାସ କରୁଥା'ନ୍ତି ।
ଶେଷରେ ଦ୍ରୌପଦୀ ନିଜକୁ ସାମାନ୍ୟ ସମ୍ଭାଳି ନେଇ ସଭାର ଚାରି ଦିଗକୁ ଥରେ ଅନେଇଲେ । ଦେଖିଲେ ପିତାମହ ଭୀଷ୍ମଙ୍କ ଠାରୁ ଆରମ୍ଭ କରି ଆଚାର୍ଯ୍ୟ କୃପ, ଆଚାର୍ଯ୍ୟ ଦ୍ରୋଣ, ବିଦୂର ଓ ସଞ୍ଜୟ ଆଦି ତଳକୁ ମୁହଁ କରି ବସିଛନ୍ତି । ପାଣ୍ଡବ ଭାଇମାନେ କେହିବି ଦ୍ରୌପଦୀଙ୍କ ଆଖିରେ ଆଖି ମିଶାଇ ପାରୁନଥାନ୍ତି । ଦ୍ରୌପଦୀ ଲୁହ ଓ କୋହ ମିଶା ସ୍ୱରରେ ପୁରା ସଭାକୁ ପଚାରିଲେ, ହେ ଭାରତ ବର୍ଷର ଗୁଣୀ ବୟୋଜେଷ୍ଠ ବୀର ପୁରୁଷମାନେ! ଅନେକ ଶାସ୍ତ୍ର ପଢିଥିବା ଓ ତା'ର ବ୍ୟାଖ୍ୟା କରି ଜାଣିଥିବା ଜ୍ଞାନୀଜନମାନେ । ମୁଁ ଆପଣମାନଙ୍କୁ ପଚାରୁଛି କୋଉ ଧର୍ମଶାସ୍ତ୍ର ଅନୁସାରେ ଜଣେ ରାଜା ତାଙ୍କ ଧର୍ମ ପତ୍ନୀକୁ ଜୁଆରେ ବାଜି ଲଗାଇବ? ନ୍ୟାୟ ଅନୁସାରେ ପୂର୍ବରୁ ନିଜକୁ ହରାଇ ଅନ୍ୟର ଦାସ ହୋଇସାରିଥିବା ଜଣେ ବ୍ୟକ୍ତି କେମିତି ଅନ୍ୟ ଜଣକୁ ପଣ ରଖିପାରିବ? ପରିବାରର ଜଣେ ରଜସ୍ୱଳା ହୋଇଥିବା କୁଳବଧୁକୁ କୁରୁ ସଭା ଭିତରେ ଯେପରି ଅପମାନ ଦିଆଯାଉଛି ସେଥିରେ ଆପଣମାନଙ୍କୁ କିଛି ଫରକ ପଡୁନି ? ଆପଣମାନଙ୍କ ଭିତରୁ କେହି ଜଣେ ବି ଦୁଃଶାସନକୁ ଆକଟ କରିବାକୁ ସାହସ କରିନାହାଁନ୍ତି । କେହି ଜୁଆ ଖେଳକୁ ବନ୍ଦ କରିବାକୁ ଚେଷ୍ଟା କରିନାହାଁନ୍ତି । ମୋତେ ଲାଗୁଛି ଏଥିରେ ଆପଣ ସମସ୍ତଙ୍କର ହୁଏତ ନୀରବ ସମର୍ଥନ ରହିଛି ।
ଦ୍ରୌପଦୀ କାନ୍ଦି ଚାଲିଥାନ୍ତି । ଆଖିରୁ ତାଙ୍କର ଲୁହ ଧାର ଅନବରତ ଝରି ଚାଲିଥାଏ । ଦ୍ରୌପଦୀଙ୍କ ଅବସ୍ଥା ଦେଖି ଭୀମ ଆଉ ସହିପାରିଲେନି । ସେ କ୍ରୋଧର ସହିତ ଯୁଧିଷ୍ଠିରଙ୍କୁ ଚାହିଁ କହିଲେ, ଜଣେ ବିଜ୍ଞ ମଣିଷ ଭାବରେ ଆପଣ କ'ଣ ଦ୍ୟୁତ କ୍ରୀଡାର ପରିଣାମ ଜାଣିନଥିଲେ? ଯାହା କିଛି ଆମେ ଅର୍ଜନ କରିଥିଲେ ସବୁକିଛି ହରାଇଲା ପରେ ପାଞ୍ଚାଳୀଙ୍କୁ ପଣ ରଖିବା ଉଚିତ ନଥିଲା । କିଛି ବି ଦୋଷ ନକରି ଦ୍ରୁପଦ ନନ୍ଦିନୀଙ୍କୁ ଆପଣ କୌରବଙ୍କ କପଟ ପଶାରେ ପଣ ରଖି ବିବେକହୀନ କାମ କରିଛନ୍ତି । ଦ୍ରୌପଦୀଙ୍କ ସବୁ ଅପମାନ, ଦୁଃଖ, କଷ୍ଟ ଓ ଲାଞ୍ଛନାଫ କାରଣ କେବଳ ଆପଣ । ତାପରେ ଭୀମସେନ ସହଦେବଙ୍କୁ ଅନେଇ କହିଲେ, ହେ ସହଦେବ ଯାଅ ନିଆଁ ଟିକେ ଆଣ । ଯୋଉ ହାତ ଜୁଆ ଖେଳି ଦ୍ରୌପଦୀଙ୍କର ଏପରି ଦୁରାବସ୍ଥା କରିଛି ସେ ହାତକୁ ମୁଁ ଏଇଠି ଜାଳି ଦେବି ।
ଭୀମଙ୍କର ଏପରି କଥା ଶୁଣି ଅର୍ଜୁନ କହିଲେ, ହେ ମଧ୍ୟମ ପାଣ୍ଡବ ଆପଣ ଏପରି କଟୁକଥା ବଡ ଭାଇଙ୍କୁ ପୂର୍ବରୁ କେବେବି କହିନଥିଲ । ଏ ଦୁରାଚାରୀ କୌରବମାନେ ଏଇଆ ତ ଚାହୁଁଛନ୍ତି। କେମିତି ଆମ ଭାଇ ଭାଇଙ୍କ ଭିତରେ ମତାନ୍ତର ହେଉ, ମନାନ୍ତର ହେଉ । ଜାଣି ଜାଣି ସେମାନଙ୍କ ଷଡଯନ୍ତ୍ରର ଜାଲରେ ଆମେ କେବେବି ଫସିବାନି । ଧର୍ମ ଆମର ସଦା ସହାୟ ହେଇଛନ୍ତି । ନିଜ ବଡ ଭାଇଙ୍କୁ ଅପମାନ ଦେବା କେବେବି ଧର୍ମର କଥା ନୁହେଁ।
ଅର୍ଜୁନଙ୍କ କଥା ଶୁଣି ଭୀମ ତାଙ୍କ କ୍ରୋଧ ସମ୍ବରଣ କଲେ ।
ଏତିକିବେଳେ ଧୃତରାଷ୍ଟ୍ରଙ୍କ ଅନ୍ୟତମ ଭାଇ ବିକର୍ଣ୍ଣ ତାଙ୍କ ଆସନରୁ ଠିଆ ହେଲେ ଓ ପୁରା ସଭାକୁ ହାତ ଯୋଡି ବଡ ପାଟିକରି ପଚାରିଲେ- ହେ ଧର୍ମ ରକ୍ଷକ ବିଜ୍ଞ ସଭାସଦ ମଣ୍ଡଳୀ, ଏବେ ସମସ୍ତେ ନୀରବ କାହିଁକି । ସତରେ କ'ଣ କାହା ପାଖରେ ଏଠି ପାଞ୍ଚାଳୀ ପଚାରିଥିବା ପ୍ରଶ୍ନର ଉତ୍ତର ନାହିଁ? ବୟସରେ ମୁଁ ଆପଣମାନଙ୍କ ପାଖରୁ ଯଥେଷ୍ଠ ସାନ, ତଥାପି ମୋତେ ଯାହା ଠିକ ଲାଗୁଛି ତାହାହଁ କହୁଛି । ଛଳ କପଟ ଓ ଚଞ୍ଚକତା କରି ମୋ ଭାଇମାନେ ଶକୁନି ମାମୁଁଙ୍କ ସହାୟତରେ ଧର୍ମରାଜଙ୍କୁ ଜୁଆରେ ପରାଜିତ କରି ତାଙ୍କର ସର୍ବସ୍ୱ ଅପହରଣ କରିଛନ୍ତି । ଏସବୁ ଘଟଣା କ୍ରମରେ ମୋତେ ଧର୍ମର ତିଳେମାତ୍ର ଉପସ୍ଥିତି ଦୃଶ୍ୟ ହେଉନି । ମାନୁଛି ଧର୍ମରାଜ ବିବେକ ହରାଇ ପାଞ୍ଚାଳୀଙ୍କୁ ପଣ ରଖି ହାରିଛନ୍ତି ।

କିନ୍ତୁ ପାଞ୍ଚାଳୀଙ୍କୁ ପଣ ରଖିଲା ବେଳକୁ ଯୁଧିଷ୍ଠିର ତ ନିଜକୁ ହାରି ସାରିଥିଲେ । ତାପରେ ପାଞ୍ଚାଳୀ କେବଳ ଯୁଧିଷ୍ଠିରଙ୍କ ପତ୍ନୀ ନୁହଁନ୍ତି । ସେ ଅନ୍ୟ ଚାରି ପାଣ୍ଡବଙ୍କର ମଧ୍ୟ ପତ୍ନୀ । ଅନ୍ୟ ଭାଇମାନଙ୍କ ସମ୍ମତି ବିନା ସେ ପାଞ୍ଚାଳୀଙ୍କୁ କେମିତି ପଣ ରଖିପାରିବେ? ଆମେ ସମସ୍ତେ ଦେଖିଛେ ଶକୁନି ମାମୁ କେମିତି ଧର୍ମରାଜଙ୍କୁ ତାଙ୍କ ପତ୍ନୀଙ୍କୁ ପଣ ଭାବରେ ରଖିବାକୁ ପରାମର୍ଶ ଦେଉଥିଲେ । ଯୁଧିଷ୍ଠିର ନିଜ ଇଚ୍ଛା ଅନୁସାରେ ପଞ୍ଚାଳୀଙ୍କୁ ପଣ ରଖିନାହାଁନ୍ତି । ତେଣୁ ମୋ ମତରେ ପାଞ୍ଚାଳୀକୁ କୌରବମାନେ ଜୟ କରିନାହାଁନ୍ତି । ଭରା ସଭାରେ ଜଣେ କୂଳ ବଧୂଙ୍କୁ ଏପରି ଲାଞ୍ଚନା ଦେବା ଶୋଭା ପାଉନି ।
ଏପରି କଥା ଶୁଣିଲା ପରେ ସଭାରେ ଉପସ୍ଥିତ ଥିବା ଅନେକ ବିକର୍ଣ୍ଣଙ୍କୁ ସମର୍ଥନ କଲେ ଓ ଶକୁନିଙ୍କର ନିନ୍ଦାଗାନ କଲେ । ଧର୍ମର ଜୟ ଜୟ କାର ଶୁଣି ଅଙ୍ଗରାଜ କର୍ଣ୍ଣ ତାଙ୍କ ଆସନରୁ ଠିଆ ହେଇ ବିକର୍ଣ୍ଣଙ୍କ ଉଦ୍ଦେଶ୍ୟରେ କହିଲେ, ବଡମାନେ କଥା କହୁଥିବା ବେଳେ ଓ କିଛି ବିଚାର କରୁଥିବା ବେଳେ ସାନମାନେ ନୀରବ ରହିବା ଉଚିତ । ବିକର୍ଣ୍ଣ ତୁମେ ବାଳକ ବୁଦ୍ଧିରେ କ'ଣ କହୁଛ ବୁଝିପାରୁନ । ଜଙ୍ଗଲର ନିଆଁ ଜଙ୍ଗଲରେ ସୃଷ୍ଟି ହୋଇ ସେଇ ଜଙ୍ଗଲକୁ ପୋଡି ଧ୍ୱଂସ କଲା ପରି ତୁମେ ଯୋଉ କୌରବ ବଂଶରେ ଜନ୍ମ ନେଇଛ ସେଇ ବଂଶର ମନ୍ଦ ଚିନ୍ତା କରୁଛ । ଯୁଧିଷ୍ଠିର ତାଙ୍କର ସର୍ବସ୍ୱ ହାରିବା ଭିତରେ ତାଙ୍କ ପତ୍ନୀ କଣ ସାମିଲ ନୁହଁନ୍ତି କି? ଶକୁନିଙ୍କ କଥାରେ ଯଦି ଯୁଧିଷ୍ଠିର ପାଞ୍ଚାଳୀକୁ ପଣ ରଖିଲେ ସେତବେଳେ ଅନ୍ୟ ଭାଇମାନେ ବିରୋଧ କାହିଁକି କଲେନି? କୌରବମାନେ ପାଣ୍ଡବମାନଙ୍କ ଉପରେ ବଳ ପ୍ରୟୋଗ କରି ସର୍ବସ୍ୱ ଅପହରଣ କରି ନାହାଁନ୍ତି । ପଶା ଖେଳରେ ଜିତିଛନ୍ତି। ଏଠି ଅଧର୍ମର କଥା ଆସିଲା କୋଉଠୁ?
କର୍ଣ୍ଣଙ୍କର ସେତବେଳକୁ ମନେ ପଡୁଥିଲା ଦିନେ ପାଞ୍ଚାଳୀ କେମିତି ତାଙ୍କ ସ୍ୱୟଂବର ସମୟରେ ସୂତପୁତ୍ର ସ୍ୱୟଂବରରେ ଭାଗ ନେଇ ପାରିବନି ବୋଲି କହି ଅପମାନ କରିଥିଲେ। ତା ପରେ କର୍ଣ୍ଣ ନିଜକୁ ଆଉ ଟିକେ ଅଧିକ କଠୋର କରି କହିଲେ ଏବେ ଏ ହତଭାଗା ପାଣ୍ଡବମାନଙ୍କର ସବୁକିଛି କୌରବଙ୍କର । ଏପରିକି ପାଣ୍ଡବମାନେ ପରିଧାନ କରିଥିବା ଅଙ୍ଗ ବସ୍ତ୍ର ବି କୌରବ ମାନଙ୍କର। କର୍ଣ୍ଣଙ୍କ କଥା ଶୁଣି ପାଣ୍ଡବ ପାଞ୍ଚ ଭାଇ ପରିଧାନ କରିଥିବା ଉତ୍ତରୀୟକୁ ନିଜ ନିଜ ଦେହରୁ କାଢି ଫିଙ୍ଗିଦେଲେ । ସେତିକିରେ କର୍ଣ୍ଣଙ୍କର ମନ ଭରିଲାନି ସେ ଆଉ ପାଦେ ଆଗକୁ ଯାଇ ଦୁଃଶାସନଙ୍କୁ କହିଲେ ସେ ଦ୍ରୁପଦ ନନ୍ଦିନୀ ପାଞ୍ଚାଳୀର ପିନ୍ଧା ଲୁଗା ବି କୌରବଙ୍କର ।
କର୍ଣ୍ଣଙ୍କ ଏଇ ପଦିଏ କଥାରେ ସମସ୍ତେ ଚମକି ପଡିଲେ ଓ ଦ୍ରୌପଦୀ ନିଜ ଅଙ୍ଗ ବାସକୁ ଜାବୁଡି ଧରି ଭୟାତୁର ଆଖିରେ ଚାରି ଦିଗକୁ ଚାହିଁଲେ ।