• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସମସ୍ତ ଅଙ୍ଗକୁ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆମେ ପ୍ରାୟ ନିଜ ହୃଦୟ, ଯକୃତ ଏବଂ ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ଅନେକ ପଦକ୍ଷେପ ନେଉ, କିନ୍ତୁ କିଡ୍‌ନୀ ସ୍ୱାସ୍ଥ୍ୟକୁ ଅନେକ ସମୟରେ ଅଣଦେଖା କରାଯାଏ।

ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ କିଡ୍‌ନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଏଥିରେ ଥିବା କୌଣସି ପ୍ରକାର ସମସ୍ୟା ଶରୀରରେ ଗୁରୁତର ରୋଗ ସୃଷ୍ଟି କରିପାରେ। ବର୍ଜ୍ୟବସ୍ତୁ ଛାଣି ରକ୍ତକୁ ଶୁଦ୍ଧ କରିବାରେ କିଡ୍‌ନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟତୀତ ମୂତ୍ର ପ୍ରଣାଳୀର କାର୍ଯ୍ୟ, ହର୍‌ମୋନ୍ ନିର୍ଗତ ହେବା ଏବଂ ଶରୀରରେ ରକ୍ତଚାପର ଉପଯୁକ୍ତ ସ୍ତର ବଜାୟ ରଖିବାରେ କିଡ୍‌ନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଅଧିକ ପଢ଼ନ୍ତୁ: କିଡ୍‌ନୀକୁ ସୁସ୍ଥ ରଖିବାକୁ ଖାଆନ୍ତୁ ଏହି ପାଞ୍ଚଟି ଶସ୍ତା ଖାଦ୍ୟ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ଉତ୍ତମ ଖାଦ୍ୟ ବଜାୟ ରଖିବା ସହିତ ଦୈନନ୍ଦିନ ଜୀବନରେ ଯୋଗାସନ ଅଭ୍ୟାସ କିଡ୍‌ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ଏବଂ ଅଙ୍ଗଗୁଡ଼ିକର ଉପଯୁକ୍ତ ଯତ୍ନ ନେବାରେ ବିଭିନ୍ନ ପ୍ରକାରର ଯୋଗାସନ ଅଭ୍ୟାସ କରାଯାଇପାରେ। ଜଣେ ଯଦି ଦୈନନ୍ଦିନ କାର୍ଯ୍ୟରେ କିଛି ଯୋଗାସନକୁ ସାମିଲ କରେ ତେବେ କିଡ୍‌ନୀର ସ୍ୱାସ୍ଥ୍ୟ ନିଶ୍ଚିତ କରିବା ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ତେବେ ଆସନ୍ତୁ ଆଜି ‘ବିଶ୍ୱ କିଡ୍‌ନୀ ଦିବସ’ ଅବସରରେ ଏମିତି କିଛି ଯୋଗାସନ ବିଷୟରେ ଜାଣିନେବା।

କପାଳଭାତି ପ୍ରାଣାୟାମ:

କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ଶରୀରରେ ଉତ୍ତାପ ଉତ୍ପନ୍ନ ହୁଏ, ଯେଉଁ କାରଣରୁ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପଦାର୍ଥ ତରଳିଯାଇଥାନ୍ତି। ଏଥି ସହିତ, ଏହା ରକ୍ତ ସଞ୍ଚାଳନ, ହଜମ, ମେଟାବୋଲିଜିମ୍‌ରେ ଉନ୍ନତି ଆଣେ ଏବଂ କିଡ୍‌ନୀ ଓ ଯକୃତର କାର୍ଯ୍ୟକୁ ମଧ୍ୟ ମଜବୁତ କରେ।

ଉପାୟ:

  • ଏକ ମ୍ୟାଟ୍ ଉପରେ ପଦ୍ମାସନରେ ବସନ୍ତୁ
  • ଏକ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ତା’ପରେ ପେଟରେ ଏକ ହାଲ୍‌କା ଛଟ୍‌କା ସହିତ ଶ୍ୱାସ ଛାଡନ୍ତୁ
  • ଏପରି ବାରମ୍ବାର କରନ୍ତୁ
  • ଏହାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ

ଧନୁରାସନ:

ଧନୁରାସନ ପେଟ, ଜଙ୍ଘ, ବକ୍ଷଦେଶ, ପାଦ ଗଣ୍ଠି, ଗଳା ଏବଂ ଶରୀରର ଉପର ଅଂଶରେ ବିଶେଷ ପ୍ରଭାବ ପକାଇଥାଏ। ଏହାର ଅଭ୍ୟାସ ରକ୍ତ ସଞ୍ଚାଳନକୁ ଉନ୍ନତ କରିବା ସହିତ ହଜମ ପ୍ରକ୍ରିୟା, ଲିଭର୍ ଏବଂ କିଡ୍‌ନୀ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। କେବଳ ଏତିକି ନୁହେଁ, ଏହା ମଧୁମେହ ରୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆସନ।

ଉପାୟ:

  • ଯୋଗ ମ୍ୟାଟ୍ ଉପରେ ପେଟ ମାଡି ଶୋଇଯାଆନ୍ତୁ
  • ଶ୍ୱାସ ନେଇ ଦୁଇ ଗୋଡକୁ ଉପରକୁ ଉଠାଇ ଆଣ୍ଠୁ ଭାଙ୍ଗି ପିଠି ଆଡକୁ ଆଣନ୍ତୁ
  • ସମାନ ଭାବେ ମୁଣ୍ଡ ମଧ୍ୟ ଉଠାନ୍ତୁ
  • ଦୁଇ ହାତ ପଛକୁ କରି ବଳଗଣ୍ଠି ପାଖରୁ ଧରନ୍ତୁ
  • ଏହି ସ୍ଥିତିରେ ୩୦ରୁ ୬୦ ସେକେଣ୍ଡ ରହିବାକୁ ଚେଷ୍ଟା କରନ୍ତୁ
  • ଏହା ପରେ ମୂଳ ଅବସ୍ଥାକୁ ଫେରିଆସନ୍ତୁ
  • ଉପଯୁକ୍ତ ଫଳ ପାଇନା ପାଇଁ ଏହାକୁ୧୦-୧୫ ଥର ପୁନରାବୃତ୍ତି କରନ୍ତୁ

ପଶ୍ଚିମୋତ୍ତାନାସନ:

ପଶ୍ଚିମୋତ୍ତାନାସନ ଅଭ୍ୟାସ ଲିଭର୍, କିଡ୍‌ନୀ, ଓଭାରି ଏବଂ ଗର୍ଭାଶୟର କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଏହା ସହିତ, ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହିତ ପେଟ ଏବଂ ତଳିପେଟର ଅଙ୍ଗକୁ ଟୋନ୍ କରିଥାଏ। ଏହି ଆସନର ଦୈନନ୍ଦିନ ଅଭ୍ୟାସ ମହିଳାମାନଙ୍କ ମାସିକ ଋତୁସ୍ରାବକୁ ସନ୍ତୁଳିତ କରିଥାଏ ଏବଂ ମସ୍ତିଷ୍କକୁ ଶାନ୍ତ ରଖିବା ସହ ଉଦାସୀନତା, ଚାପ ଏବଂ ଥକାପଣକୁ ଦୂର କରିଥାଏ।

ଉପାୟ:

  • ମ୍ୟାଟ୍ ଉପରେ ଗୋଡ ଆଗକୁ ଲମ୍ବେଇ ଦଣ୍ଡାସନରେ ରୁହନ୍ତୁ
  • ପିଠି ଓ ଗୋଡ ସମ୍ପୂର୍ଣ୍ଣ ସିଧା ରହିବ
  • ଦୁଇ ହାତକୁ ସିଧା ଉପରକୁ ଉଠାନ୍ତୁ
  • ଶ୍ୱାସ ଛାଡି ପେଟକୁ ଖାଲି କରନ୍ତୁ ଏବଂ ଶରୀରକୁ ଆଗକୁ ଭାଙ୍ଗନ୍ତୁ
  • ପେଟକୁ ଜଙ୍ଘର ନିକଟତର କରିବାକୁ ଚେଷ୍ଟା କରନ୍ତୁ
  • ଦୁଇ ହାତରେ ପାଦର ଆଙ୍ଗୁଠିକୁ ଧରିବାକୁ ଚେଷ୍ଟା କରନ୍ତୁ
  • ପେଟକୁ ଜଙ୍ଘ ଉପରେ ରଖିବା ସହ ନାକକୁ ଆଣ୍ଠୁକୁ ଛୁଇଁବାକୁ ଚେଷ୍ଟା କରନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ପାଇଁ ରୁହନ୍ତୁ
  • ତା’ପରେ ଶ୍ୱାସ ନେଇ ସାଧାରଣ ସ୍ଥିତିକୁ ଫେରି ଆସନ୍ତୁ

ଚକ୍ରାସନ:

ଚକ୍ରାସନର ଅଭ୍ୟାସ ଛାତିକୁ ବିସ୍ତାର କରିବା ସହ ଫୁସ୍‌ଫୁସ୍‌ର କ୍ଷମତାକୁ ବଢାଇଥାଏ। ଏହା ସହିତ, ଏହା ଯକୃତ ଏବଂ କିଡ୍‌ନୀ ପ୍ରକ୍ରିୟାରେ ମଧ୍ୟ ପ୍ରଭାବ ପକାଏ। ଖାଲି ଏତିକି ନୁହେଁ ଏହି ଆସନ ରକ୍ତକୁ ଶୁଦ୍ଧ କରିବା ସହ ରକ୍ତ ସଞ୍ଚାଳନକୁ ମଧ୍ୟ ବଢାଇଥାଏ। ଏହା ବାହୁ ଏବଂ ଗୋଡର ମାଂସପେଶୀକୁ ମଧ୍ୟ ମଜବୁତ କରିଥାଏ। ଏହାର ନିୟମିତ ଅଭ୍ୟାସ ଚାପଗ୍ରସ୍ତ ପରିସ୍ଥିତିରେ ମଧ୍ୟ ପ୍ରଭାବଶାଳୀ ଭାବରେ କାମ କରେ।

ଉପାୟ:

  • ସିଧା ଠିଆ ହୁଅନ୍ତୁ
  • ଶ୍ୱାସ ନେଇ ଶରୀରକୁ ଅଣ୍ଟାରୁ ଯଥା ସମ୍ଭବ ପଛକୁ ଭାଙ୍ଗନ୍ତୁ
  • ହାତକୁ ଉପରକୁ ନେଇ ଓଲଟା ଭୂମିରେ ଲଗାନ୍ତୁ
  • ଯେଉଁମାନେ ଠିଆ ହୋଇ କରିପାରୁ ନାହାନ୍ତି ସେମାନେ ମ୍ୟାଟ୍ ଉପରେ ପିଠି ପଟିଆ ଶୋଇଯାଆନ୍ତୁ
  • ତା’ପରେ ଧୀରେ ଧୀରେ ଅଣ୍ଟାକୁ ବଙ୍କା କରି ଉପରକୁ ଉଠାନ୍ତୁ
  • ଶରୀରକୁ ଏକ ଅର୍ଦ୍ଧ ଚନ୍ଦ୍ର ପରି କରନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରହିବା ପରେ ସାଧାରଣ ସ୍ଥିତିକୁ ଫେରି ଆସନ୍ତୁ

କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ଅନ୍ୟାନ୍ୟ ଟିପ୍ସ:

ଯୋଗ ବ୍ୟତୀତ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳୀରେ କିଛି ପରିବର୍ତ୍ତନ ମଧ୍ୟ ଆବଶ୍ୟକ, ଯାହାକୁ ବ୍ୟବହାର କରି ଆପଣ ବିଶେଷ ଲାଭ ପାଇପାରିବେ।

  • ଘରେ ରନ୍ଧା ଖାଦ୍ୟ ଖାଆନ୍ତୁ ଏବଂ ବାହ୍ୟ ଖାଦ୍ୟରୁ ଦୂରେଇ ରୁହନ୍ତୁ
  • ଆପଣଙ୍କ ଖାଦ୍ୟରେ ଅଧିକ ଫଳ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ସାମିଲ କରନ୍ତୁ
  • ଅଧିକ ପୋଟାସିୟମ ଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ
  • ଖାଦ୍ୟରେ ଅଧିକ ଲୌହଯୁକ୍ତ ଖାଦ୍ୟ ସାମିଲ୍‌ କରନ୍ତୁ
  • ପ୍ରଚୁର ପାଣି ପିଅନ୍ତୁ ଏବଂ ପ୍ରତିଦିନ ୬-୮ ଘଣ୍ଟା ଶୋଇବା ଉଚିତ