ଛୁଆଟିଏ ଜନ୍ମ ହେବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତାର ସ୍ତନ୍ୟପାନ। ମା’ର ପ୍ରଥମ କ୍ଷୀର କୋଲଷ୍ଟ୍ରମ୍ ଛୁଆପାଇଁ ଅତ୍ୟନ୍ତ ଉପାଦେୟ ଓ ଏଥିରେ ଛୁଆର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଦରକାର ମୁତାବକ ଆଣ୍ଟିବଡ଼ି ଥାଏ। ଏଣୁ ବର୍ତ୍ତମାନ ସଚେତନତା ବଢ଼ିବା ସହ ଶିଶୁକୁ ମାର ପ୍ରଥମ କ୍ଷୀର ଦେବାକୁ ପ୍ରୋତ୍ସାହିତ କରାଯାଉଛି।
କିନ୍ତୁ କେବେ ଆପଣ ଏପରି ସ୍ଥିତି ଦେଖିଛନ୍ତି କି, ଆପଣଙ୍କ ବନ୍ଧୁ-ବାନ୍ଧବ କିମ୍ୱା ପରିବାର କ୍ଷେତ୍ରରେ କେହି ନୂଆ ମାଆ ହେବା ପରେ କ୍ଷୀର ହେଉ ନଥିବ କିମ୍ୱା ଛୁଆ କ୍ଷୀର ଖାଇପାରୁ ନଥିବ। ହଁ, ଏପରି ଅନେକ କ୍ଷେତ୍ରରେ ଘଟେ, ବିଶେଷକରି ପ୍ରଥମ କରି ମା’ ହେଉଥିବା ମହିଳାଙ୍କ କ୍ଷେତ୍ରରେ। ଏଥିପାଇଁ କିଛି ସାଧାରଣ ନିୟମାବଳୀ ବା ଉପାୟ ମାଆମାନେ ଆପଣେଇବା ଉଚିତ୍ ଯାହାଦ୍ୱାରା ସେମାନେ ଛୁଆକୁ ଆରାମରେ ସ୍ତନ୍ୟପାନ କରାଇପାରିବେ ଏବଂ ଛୁଆ ମଧ୍ୟ ନିଜେ ଖାଇବା ଶିଖିବ।
Also Read
ସ୍ତନ୍ୟପାନ କରାଇବାକୁ କାହିଁକି ଇଛା ହୁଏ ନାହିଁ:
ସାଧାରଣ ଭାବେ ନବଜାତ ଶିଶୁର ସ୍ତନ୍ୟପାନ ଖୁବ ସହଜ ଲାଗୁଥିଲେ ମଧ୍ୟ ମାଆ ସହ ଆବଶ୍ୟକଠାରୁ କମ୍ ସଂସ୍ପର୍ଶରେ ରହିଲେ ଶିଶୁର ସ୍ତନରୁ କ୍ଷୀର ଖାଇବା ପ୍ରକ୍ରିୟାର ଆରମ୍ଭ ହେବା ସହଜ ହେବ ନାହିଁ। ଏଥିଯୋଗୁଁ ମାଆର ସ୍ତନରେ ବିଭିନ୍ନ ସମସ୍ୟା ଦେଖାଯାଏ। ସ୍ତନରେ ଇନ୍ଫେକ୍ସନ୍ ତଥା କ୍ଷୀର ଜମାଟ ବାନ୍ଧିବା ଆଦି ସମସ୍ୟା ହେଲେ ମାଆକୁ ଯନ୍ତ୍ରଣା ହୁଏ, ଯାହା ଫଳରେ ସେ ସ୍ତନ୍ୟପାନ କରାଇବାକୁ ଇଛା କରେ ନାହିଁ।

ଯଦି ମାଆର ସି ସେକ୍ସନ୍ ହୋଇ ପ୍ରସବ ହୋଇଛି ତେବେ ମଧ୍ୟ ଛୁଆକୁ ମାଆ ଠିକ୍ ଭାବେ ସ୍ତନ୍ୟପାନ କରାଇପାରେ ନାହିଁ। କିନ୍ତୁ ଉପଯୁକ୍ତ ଭାବେ ଶିଖାଇଲେ ମାଆ ଖୁବ୍ ସହଜରେ ଶିଶୁକୁ ସ୍ତନ୍ୟପାନ କରାଇପାରିବ। କେତେକାଂଶରେ ପ୍ରଥମ କ୍ଷୀର କ୍ଷରଣରେ ସମୟ ଲାଗେ। ଏପରି ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ତଥା ଉପଯୁକ୍ତ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି।
କଙ୍ଗାରୁ ଯତ୍ନ ବ୍ୟବସ୍ଥା କ’ଣ:
ପଣ ଜାଣନ୍ତି, ସାମାନ୍ୟ ପଶୁ କଙ୍ଗାରୁ ତା’ ଛୁଆକୁ ପେଟ ପାଖରେ ଥଳି ଭିତରେ ଧରି ରଖିବା ପରି ନବଜାତ ଶିଶୁକୁ ମାଆ ଶରୀରରେ ଲଗାଇ ରଖି ସ୍ତନ୍ୟପାନ କରାଇବାକୁ କୁହାଯାଏ। ଏହାକୁ କଙ୍ଗାରୁ ଯତ୍ନ ବ୍ୟବସ୍ଥା କୁହାଯାଏ। ପ୍ରାୟତଃ ପ୍ରି ମ୍ୟାଚୁର ବେବି ବା ସମୟ ପୂର୍ବରୁ ଜନ୍ମ ଶିଶୁ ପାଇଁ ଏହା ଉପାଦେୟ ହୋଇଥିବା ବେଳେ ସ୍ତନ୍ୟପାନ ବେଳେ ମାଆ ଶିଶୁ ଶରୀରର ସଂସ୍ପର୍ଶ ବଢ଼ାଇବାକୁ ଏହି ପ୍ରଣାଳୀ ଖୁବ ଭଲ। ଯଦି ପ୍ରସବ ସାଧାରଣ ଭାବେ ହୋଇଛି ତେବେ ଚେଷ୍ଟା କରନ୍ତୁ, ସିଧା ବସି ଶିଶୁକୁ ହାତରେ ଦୋଳିରେ ଶୋଇବା ପରି ଧରି ନିଜେ ତାର ମୁହଁ ପାଖକୁ ସ୍ତନ ନିଅନ୍ତୁ, ସେ ନିଜେ ଖାଇବା ଆରମ୍ଭ କରିବ।

ଶିଶୁ ସହ ସ୍ତନର ଉତ୍ତମ ସଂସ୍ପର୍ଶ:
ମାଆର ସ୍ତନ୍ୟପାନ କରାଇବା ସ୍ଥିତି ବା ପୋଜିସନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସର୍ବଦା ନିଜ ଆରାମ ଅନୁସାରେ ବସି ଛୁଆକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା କ୍ଷୀର ଠିକ୍ ଭାବେ କ୍ଷରଣ ହେବ ଏବଂ ସ୍ତନର ଏରିଓଲା ଅଂଶକୁ ପୂର୍ଣ୍ଣ ଭାବେ ଶିଶୁର ମୁଖରେ ରଖିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଶିଶୁର ରିଫ୍ଲକ୍ସ ଆକ୍ସନ ବଢ଼ିବ ଓ ସେ କ୍ଷୀରକୁ ଶୋଷାଡ଼ି ଖାଇବା ଶିଖିବ। ଏହା ହିଁ ଶିଶୁ ସହ ସ୍ତନର ଉତ୍ତମ ସଂସ୍ପର୍ଶ ବୋଲି କୁହାଯାଏ। ପ୍ରତିଥର ଖୁଆଇବା ପରେ ଛୁଆର ପିଠି ଥାପୁଡ଼ାନ୍ତୁ ଯାହା ଦ୍ୱାରା ସ୍ତନ୍ୟପାନ କରିବାବେଳେ ଯଦି ଶ୍ୱାସନଳୀରେ ବାୟୁ ରହିଯାଏ ତାହା ସଫା ହୋଇଯିବ।
କ୍ଷୀର ପରିମାଣ ବୃଦ୍ଧି ପାଇଁ:
ଯଦି ଆପଣଙ୍କ ଛୁଆ ଦିନରେ ସର୍ବନିମ୍ନ ଛଅ ଥର ପରିସ୍ରା କରୁଛି ତେବେ ସେ ପର୍ଯ୍ୟାପ୍ତ ପରିମାଣର ସ୍ତନ୍ୟପାନ କରୁଛି ବୋଲି କହିହେବ। ପ୍ରତି ଦୁଇ ଘଣ୍ଟାରେ ଥରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତୁ। ଯଦି କୌଣସି କାରଣରୁ ଆପଣଙ୍କୁ ଲାଗୁଛି ଯେ କ୍ଷୀର ପରିମାଣ କମ ହେଉଛି ଏବଂ ଶିଶୁର ଖାଇବା ଯଥେଷ୍ଟ ହେଉ ନାହିଁ, ତେବେ ଆପଣଙ୍କ ଖାଦ୍ୟରେ ପରିବର୍ତ୍ତନ ଆଣନ୍ତୁ।

ଅମୃତଭଣ୍ଡା, ରସୁଣ, ସାଗୁ ଆଦି ମାଆ କ୍ଷୀର ଉତ୍ପାଦନ ପାଇଁ ଅତ୍ୟନ୍ତ ଫଳପ୍ରଦ। ଏହା ପରେ ବି ଯଦି ଆପଣ ଅସୁବିଧା ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସପ୍ଲିମେଣ୍ଟ୍ ନେଇପାରିବେ। ସର୍ବଦା ଚେଷ୍ଟା କରନ୍ତୁ ମାଆକୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଦେଇ ଶିଶୁ ପାଇଁ କ୍ଷୀର ଉତ୍ପାଦନ ଠିକ୍ ରଖିବେ। ଶିଶୁକୁ କୌଣସି ପରିସ୍ଥିତିରେ ଛଅମାସ ପୂର୍ବରୁ ପାଣି କିମ୍ୱା କୌଣସି ବାହାର ତରଳ ଦିଅନ୍ତୁ ନାହିଁ।
ଶିଶୁର ପ୍ରଥମ ପୋଷଣ:
ଶିଶୁର ପ୍ରଥମ ପୋଷଣ ମାଆ କ୍ଷୀରରୁ ମିଳେ। ଏଣୁ ବାହାର ଖାଦ୍ୟ ବା ଫର୍ମୁଲା ଆଦି ଦେବା ଦ୍ୱାରା ଛୁଆର ଶରୀରର ବୃଦ୍ଧି ତ ହୁଏ କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ ପରିମାଣରେ ବଢ଼ିପାରେ ନାହିଁ। ଏଣୁ ମାଆ କ୍ଷୀର କୌଣସି ପରିସ୍ଥିତିରେ ବନ୍ଦ କରନ୍ତୁ ନାହିଁ। ଆମ ଗାଁ ଗହଳିରେ ବଡ଼ମାନେ ସାଧାରଣତଃ ମା’କୁ ଥଣ୍ଡା ଜ୍ୱର ହେଲେ ଛୁଆକୁ କ୍ଷୀର ଦେବାକୁ ମନା କରନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ୍। ମାଆର ଥଣ୍ଡା କିମ୍ୱା ଜ୍ୱର ହେବା ବେଳେ ତା’ ଶରୀରରେ ଆଣ୍ଟିବଡ଼ି ବା ରୋଗପ୍ରତିରୋଧକ ଶକ୍ତି ତିଆରି ହୁଏ, ଏହା ପରୋକ୍ଷ ଭାବେ ଶିଶୁ ଦେହକୁ ଯାଇଥାଏ। ତେଣୁ ଶିଶୁକୁ ସେହି ସମୟରେ ସ୍ତନ୍ୟପାନରୁ ବିରତ କରାଇବା ଉଚିତ ନୁହେଁ।
ନିର୍ଦ୍ଦିଷ୍ଟ ଔଷଧ ନେବାକୁ ବାରଣ:
ସ୍ତନ୍ୟପାନ କରାଉଥିବା ମାଆକୁ କେତେକ ନିର୍ଦ୍ଦିଷ୍ଟ ଔଷଧ ନେବାକୁ ବାରଣ କରାଯାଏ, ଯାହା କେବଳ ଡାକ୍ତରଙ୍କ ପରାମର୍ଶ ପରେ କରିବେ। ଯଦି କିଛି ବିଶେଷ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଯାଏ ତେବେ ଡାକ୍ତରଙ୍କ ପରାମର୍ଶ କରି ନିଷ୍ପତ୍ତି ନିଅନ୍ତୁ।
ମାଆ ଗର୍ଭବତୀ ଥିବା ସମୟରେ କୌଣସି ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି କିନ୍ତୁ ସୁସ୍ଥ ଶିଶୁ ଜନ୍ମ ହୋଇଛି ତେବେ ମଧ୍ୟ ସ୍ତନ୍ୟପାନ କରାଇବାରେ ଅସୁବିଧା ନାହିଁ। କିନ୍ତୁ କୌଣସି ପରିସ୍ଥିତିରେ ଯଦି ଛୁଆ କ୍ଷୀର ଖାଇପାରୁନି, ଜଣ୍ଡିସ୍ କିମ୍ୱା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମାଆଠାରୁ ଅଲଗା ରହିଛି, ତେବେ ମାଆଠାରୁ ଏକ ସ୍ୱଚ୍ଛ ଷ୍ଟେରିଲାଇଜ୍ ହୋଇଥିବା କଣ୍ଟେନର ବା କାଚ ବୋତଲରେ କ୍ଷୀର ବାହାର କରି ସାଧାରଣ କୋଠରୀ ତାପମାତ୍ରାରେ ରଖି ଦେଇହେବ। ହେଲେ ଧ୍ୟାନ ରଖନ୍ତୁ କ୍ଷୀର ରଖିବାର ସ୍ଥାନ ସଫାସୁତୁରା ରହିବା ଆବଶ୍ୟକ।
ମାଆକୁ ଉପଯୁକ୍ତ ସୁଷମ ଖାଦ୍ୟ:
ସ୍ତନ୍ୟପାନ କରାଇବା ସମୟରେ ମାଆ ଉପଯୁକ୍ତ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ। ନିୟମିତ ପରିମାଣର କ୍ୟାଲୋରୀ ସହ ଆଉ ୬୦୦ କ୍ୟାଲୋରୀ ଅଧିକ ମିଶାଇ ନେବା ଆବଶ୍ୟକ ହୋଇଥାଏ। ଫଳ, ପନିପରିବା, ଶାଗୁ, ଉଷୁନା ଭାତ ଘିଅ ସହ ଖାଇବା ଭଲ। ଗରିଷ୍ଠ ଖାଦ୍ୟରୁ ଦୂରେଇ ରହିଲେ ଭଲ। ଧିରେ ଧିରେ କରି ଅଳ୍ପ ଅଳ୍ପ ଖାଇପାରିବେ। ସର୍ବଦା ଖାଇବା ବେଳେ ଧ୍ୟାନ ରଖିବେ ଯେ ଆପଣ ଯାହା ଖାଇବେ ତାହା ଶିଶୁର ଶରୀରରେ ହଜମ ହେବା ଆବଶ୍ୟକ।
ମାଆମାନେ ଅଫିସ ଯାଉଥିଲେ କ’ଣ କରିବେ:
ଆଜିକାଲି ପ୍ରାୟ ମାଆମାନେ ଅଫିସ ଯାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ୱାର୍କ ଫ୍ରମ୍ ହୋମ୍ ବା ଘରୁ କାମ କରିବାର ସୁବିଧା ଥିବାବେଳେ କେତେକ କ୍ଷେତ୍ରରେ ନାହିଁ। ସେ କ୍ଷେତ୍ରରେ ଯଦି ଅଫିସରେ ସ୍ତନ୍ୟପାନ ଗୃହ ରହିଛି ତେବେ ଶିଶୁକୁ ନେଇଯାଇପାରିବେ। ଏବେ ପ୍ରାୟ ସମସ୍ତ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କୋଠରୀ ରଖିବା ପାଇଁ ସଚେତନତା ସୃଷ୍ଟି ହେଉଛି। ମଲ୍, ରେଷ୍ଟୁରାଂଣ୍ଟ୍ ଆଦିକୁ ବୁଲିଗଲା ବେଳେ ମଧ୍ୟ ଶିଶୁକୁ ଲଗାତାର ସମୟ ଅନୁସାରେ ସ୍ତନ୍ୟପାନ କରାଇବାକୁ ଭୁଲନ୍ତୁ ନାହିଁ।

ମନେ ରଖନ୍ତୁ, ମା କ୍ଷୀର ଶିଶୁପାଇଁ ଅମୃତ ସମାନ। ଏହା ପ୍ରତି ଜୀବନର ପ୍ରଥମ ପୋଷଣ। ଏଣୁ ଏହା ଯେପରି ସବୁ ଶିଶୁକୁ ଉପଯୁକ୍ତ ପରିମାଣରେ ମିଳେ ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପାଳିତ ହୋଇ ଆସୁଛି ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ପର୍ଯ୍ୟନ୍ତ। ଏଥର ସ୍ତନ୍ୟପାନର ଉପକାରିତା ଓ ଏହାକୁ ସହଜ କରିବାକୁ ସମସ୍ତ ମାଆମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଆପଣ ବି ଚେଷ୍ଟା କରନ୍ତୁ ନିଜ ପରିବାରରେ କିମ୍ୱା ଆଖପାଖରେ କୌଣସି ଶିଶୁଟିଏ ଯେପରି ମାଆ କ୍ଷୀରରୁ ବଞ୍ଚିତ ନ ହେଉ।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)