• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

କିଛିି ଦିନ ତଳେ ଯେତେବେଳେ ମୁଁ "ମେଁ ସୁନ୍ ରହି ହୁଁ’ ନାମରେ ଗୋଟିଏ ପ୍ରୟାସ ଆରମ୍ଭ କଲି ଓ ସୋସିଆଲ୍ ମିଡିଆରେ ପ୍ରଥମ ଭିଡିଓ ପୋଷ୍ଟ କଲି, ସେତେବେଳେ ମୋତେ ଜଣା ନଥିଲା ଯେ ଏହା ଲୋକଙ୍କ ହୃଦୟକୁ ଏତେ ମାତ୍ରାରେ ଛୁଇଁବ ବୋଲି । ଏହା କେବଳ ଗୋଟେ ଛୋଟିଆ ବେଶ୍ ସାଦାସିଧା ଧାରଣାଟେ ଥିଲା । ଯେଉଁଠାରେ ମୁଁ କେବଳ ଶୁଣିବି । କୌଣସି ପରାମର୍ଶ ନାହିଁ, କୌଣସି ବିଚାର ନାହିଁ, କୌଣସି ନିର୍ଣ୍ଣୟ ନାହିଁ କିମ୍ବା କାହାକୁ କାଠଗଡାରେ ଠିଆ କରେଇବାର ବି ନାହିଁ ।

କେବଳ ଯେଉଁମାନଙ୍କ ପାଖରେ ନିଜ କଥା କହିବା ପାଇଁ ବିଶ୍ୱସ୍ତ ମଣିଷଟେ ନାହିଁ, ସମ୍ବେଦନର ସହ ଶୁଣିବାକୁ ଲୋକଟେ ନାହିଁ ସେମାନଙ୍କ କଥାକୁ ଶୁଣିବି । ତାଙ୍କ କଥାରେ ହଁ ଭରିବି । ସେମାନଙ୍କୁ ସୁରକ୍ଷାର ଅନୁଭବଟିଏ ଦେଇ ତାଙ୍କ ପରିଚୟ ଗୋପନ ରଖିବି । ଏତକ କଥା କହି ପ୍ରଥମ ଭିଡିଓ ପୋଷ୍ଟ କରିବା ଦିନ ବହୁତ ଲୋକ ମୋତେ ଧନ୍ୟବାଦ ଜଣେଇ ମେସେଜ୍ କରିଥିଲେ । ସେ ଭିତରେ ଚିହ୍ନା ଯେତିକି ଥିଲେ ଅଚିହ୍ନା ବି ସେତିକି ଥିଲେ । ଭାରତ ଭିତରୁ ଯେତିକି ଥିଲେ ଭାରତ ବାହାରୁ ବି ସେତିକି ଥିଲେ । ସେମାନଙ୍କର କହିବା କଥା ଥିଲା, "ଆପଣ ବହୁତ ଭଲ କାମ କରୁଛନ୍ତି ।

ଆଜିର ସମୟରେ ଏହାର ବହୁତ ଆବଶ୍ୟକତା ରହିଛି । ଖାଶ୍, କେହି ଜଣେ ହୁଏତ ଏମିତି ଆଗରୁ କରିଥାଆନ୍ତା କି?" ଏସବୁ କଥା ସହ କିଛି ସତସତିକା ଜୀବନର କଥା ବି ଆସିଲା । ଯେଉଁମାନେ ମୋତେ କେଉଁ ନା କେଉଁ ଭାବେ ଏମିତି ଖାଲି ଜାଣିଥିଲେ, ସେମାନେ ମଧ୍ୟ ମୋ ସହ କଥା ହେବାକୁ ସମୟ ମାଗିଲେ । ବର୍ଷ ବର୍ଷ ଧରି ଭୋଗୁଥିବା ନିଜ ଦୁଃଖ, ଚିନ୍ତା, ଅବସାଦ, ସମ୍ପର୍କ, ଆର୍ଥିକ ଅସୁବିଧା, ଅଫିସ୍ ସମସ୍ୟା ବିଷୟରେ କେତେ କ'ଣ କଥା କହିଲେ । ମୁଁ କେବଳ ଶୁଣିଲି ଓ ହୁଁ ମାରିଲି ।

ସେବେଠୁ ଅନେକ କଥା ଯାହା ହୁଏତ କାହାଣୀ ପରି ମନେହେବ ସେସବୁ ମୁଁ ଶୁଣିଛି । ସବୁ ଭିତରେ ଯେଉଁ ଗୋଟିଏ ସାମଞ୍ଜସ୍ୟ ଅଛି ତାହା ହେଉଛି ନିଃଶବ୍ଦ ଯନ୍ତ୍ରଣା । ଯେଉଁ ଯନ୍ତ୍ରଣା ବର୍ଷ ବର୍ଷ ଧରି ଛାତି ଭିତରେ ପଥର ପରି ଜମାଟ ବାନ୍ଧି ରହିଛି । ବାହାରକୁ ବାଟ ଖୋଜି ବାହାରି ପାରିନି । କିନ୍ତୁ ଯେତେ ଯେତେ ଅଧିକ ଶୁଣିଲି ସେତେ ସେତେ ଅଧିକ ଅନୁଭବ କଲି ଆମର ଶୁଣିବା ଲୋକଙ୍କ ସଂଖ୍ୟା କେତେ କମ୍ । ଆମର ଏଠି ଆହୁରି ଅଧିକ ଶ୍ରୋତାଙ୍କର ଆବଶ୍ୟକତା ଅଛି ।

ଆମେମାନେ ଏବେ ଏମିତି ଏକ ସମୟରେ ବଞ୍ଚୁଛନ୍ତି ଯେଉଁଠି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସବୁଠାରୁ ବଡ ସମସ୍ୟା ଭାବରେ ଆମ ସାମ୍ନାରେ ଠିଆ ହୋଇଛି । ଚିନ୍ତା, ଅବସାଦ, ବ୍ୟସ୍ତତା ଅନେକଙ୍କ ପାଇଁ ଦୈନନ୍ଦିନ ଜୀବନର ଅଂଶ ପାଲଟି ଯାଇଛି । ଲୋକମାନେ ଉପେକ୍ଷିତ ଅନୁଭବ କରୁଛନ୍ତି । ସେମାନଙ୍କ ଚାରିପାଖରେ ବହୁତ ସାଙ୍ଗ, ସାଥି ଓ ଆତ୍ମୀୟ ଘେରି ରହିଛନ୍ତି ସତ କିନ୍ତୁ ଶୁଣିବା ଲୋକ କେହି ନାହାଁନ୍ତି । ସେମାନେ ଯେ ନିଜ କଥା କହିବାକୁ ଚାହୁଁନାହାଁନ୍ତି ସେମିତି କଥା ନୁହେଁ, ହେଲେ ସେମାନେ କହିବା ପାଇଁ ଲୋକଟିଏ ପାଉନାହାଁନ୍ତି । ସମାଜ ପ୍ରାୟତଃ ଭାବପ୍ରବଣତାକୁ ଏଡାଇ ଯାଇ ଉପଦେଶ ଦିଏ  । କୁହେ "ଦୃଢ ହୁଅ, ସମସ୍ତଙ୍କର ଅସୁବିଧା ଅଛି, ପରିସ୍ଥିତିକୁ ଗ୍ରହଣ କରିନିଅ ।" 

କିନ୍ତୁ ଆମକୁ ବୁଝିବାକୁ ହେବ ଯେ ଯନ୍ତ୍ରଣା ଏକ ପ୍ରତିଯୋଗିତା ନୁହେଁ ଯେ କାହାର କମ୍ କାହାର ବେଶୀ ତୁଳନା କରିବା ।

ତୁଳନା କଲେ ସଂଘର୍ଷ କମିଯାଏନି । ଅନ୍ୟର ଯନ୍ତ୍ରଣାକୁ ସମ୍ବେଦନଶୀଳତାର ସହ ବିଚାର କରିବା ଉଚିତ । ପ୍ରତ୍ୟେକଙ୍କ ଅନ୍ତରର କଥା ଶୁଣାଯିବା ଜରୁରୀ । ପ୍ରାୟ ସମସ୍ତେ ସମସ୍ୟା କହିବାକୁ କହିଦେଇ ଏମିତି ପରିବେଶ ସୃଷ୍ଟି କରନ୍ତି ଯେ ସାମ୍ନା ଲୋକ ନିଜ କଥା କହିବାକୁ ନିରାପଦ ମନେକରେନି ।ସତକଥା ହେଉଛି ଅନେକ ଲୋକ ପ୍ରତ୍ୟାଖ୍ୟାନ, ଜଜମେଣ୍ଟାଲ୍ ହେବାର ଭୟ ଓ ଶୁଣିବା ଲୋକର ନିଃସ୍ପୃହତା ଭୟରେ ହିଁ ନିଜ ସଂଘର୍ଷ କଥା କହିବାକୁ ପଛାନ୍ତି । ସେମାନେ ଡରନ୍ତି କାଳେ କେହି ତାଙ୍କୁ ଓଭରଥିଙ୍କର କି ଆଟେନସନ୍ ସିକର୍ କହିଦେବ କି? କିନ୍ତୁ ଯେତେବେଳେ ଜଣେ ବିନା ଜଜମେଣ୍ଟରେ ଶୁଣିବାକୁ ଆରମ୍ଭ କରେ ସେତେବେଳେ ବିଶ୍ୱାସ ଓ ବୁଝାମଣାର ପରିବେଶଟିଏ ତିଆରି ହୁଏ । ଅସୁସ୍ଥ ମଣିଷ ସୁସ୍ଥ ହେବାର ପ୍ରକ୍ରିୟା ଆରମ୍ଭ ହୁଏ ।

ଶୁଣିବା କିପରି ସୁସ୍ଥ କରେ 

ଶୁଣିବା କହିଲେ କେବଳ ଶବ୍ଦ ସବୁକୁ ଶୁଣିବା ନୁହେଁ । ଶୁଣିବା ପାଇଁ ଏକ ସୁରକ୍ଷିତ, ନିରାପଦ ପରିବେଶର ଆବଶ୍ୟକତା ରହିଛି । ଯେଉଁଠି ଆବେଗଗୁଡିକ ବି ନିଃଶ୍ୱାସ ନେଇପାରିବେ । ଏଇଠି ପ୍ରକୃତ ଶୁଣିବା ଦ୍ୱାରା କେମିତି ସାହାଯ୍ୟ ମିଳିପାରିବ ସେ ସମ୍ପର୍କରେ କହୁଛି ।

୧.ଏହା ଆବେଗଗୁଡିକୁ ସ୍ୱୀକୃତି ଦିଏ।

ଲୋକ ପ୍ରାୟତଃ ନିଜ ସଂଘର୍ଷକୁ ନିଜ ଭିତରେ ସିମୀତ ରଖନ୍ତି। କାରଣ କାଳେ କିଏ ତାଙ୍କ କଥା ଓ ଆବେଗ ଅନୁସାରେ ତାଙ୍କୁ ବିଚାର କରିବ ବୋଲି ଡର ଗୋଟେ ଭିତରେ ଲୁଚିକି ଥାଏ । କିନ୍ତୁ ଯେତେବେଳେ କେହି ଜଣେ ସହାନୁଭୂତିର ସହ ଶୁଣେ ଓ କୁହେ, "ଆପଣଙ୍କ ଅନୁଭବ ବାସ୍ତବ ଓ ଏମିତି ହେବା ସ୍ୱାଭାବିକ।" ତାପରେ ଚୁପ ଥିବା ମଣିଷଟି ପ୍ରଗଳ୍ଭ ପରି ଗପି ଚାଲେ। ଧରିନିଅନ୍ତୁ ଜଣେ ନିଜ ବ୍ରେକ୍ ଅପ୍ ପରିସ୍ଥିତି ଦେଇ ଗତି କରୁଛି । ସେ ଯଦି ଏକଥାକୁ ତା'ର ଏମିତି ଜଣେ ସାଙ୍ଗକୁ କହେ, ଯିଏ ତାକୁ କେବଳ କହୁଛି ଯେ, "ତୁ ଏଥିରୁ ବାହାରିଯିବୁ, ଏ କଥାକୁ ଏତେ ବଡ ବନେଇବାର କ'ଣ ଅଛି ଯେ?"  ତେବେ ତାକୁ ନିଶ୍ଚୟ ଆହୁରି ଏକୁଟିଆ ଲାଗିବ । କିନ୍ତୁ ଯଦି ଜଣେ ସେତେବେଳେ ତା' ସାଙ୍ଗକୁ ସତରେ ଶୁଣେ ଓ କହେ, "ମୁଁ ଜାଣିପାରୁଛି ଏହା ବହୁତ ଯନ୍ତ୍ରଣାଦାୟକ । ବୁଝିପାରୁଛି ତୋ ପାଇଁ ଏହା କେତେ କଷ୍ଟକର," ତେବେ ତାକୁ ନିଶ୍ଚୟ ବହୁତ ହାଲ୍କା ଲାଗିବ ।

୨.ଏହା ମାନସିକ ବୋଝକୁ କମ୍ କରେ 

ଜମି ରହିଥିବା ଆବେଗ ଚାପ ଓ ଚିନ୍ତା ତିଆରି କରେ । କାହାକୁ ଜଣକୁ ସେକଥା କହିଦେବାଟା ମାନସିକ ଭାବେ ମୁକ୍ତ ହେଲା ପରି ଲାଗେ । ଠିକ୍ ଯେମିତି ଅଣନିଃଶ୍ୱାସୀ ଲାଗୁଥିବା ନିବୁଜ ଘରର ଝରକା ଖୋଲିଦେଲେ ଲାଗେ ସେମିତି । ସମସ୍ୟା ସମାଧାନ ନହେଲେ ବି ବୋଝ କିନ୍ତୁ ହାଲୁକା ହୋଇଯାଏ ।

୩. ଏହା ଚାପ ଓ ଉଦବେଗକୁ କମାଏ 

ଗବେଷଣାରୁ ଜଣାପଡିଛି ଯେ, ସମସ୍ୟାକୁ ଅନ୍ୟ ଆଗରେ କହିବା ଦ୍ୱାରା ଚାପର ସ୍ତର କମେ ଓ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ହୁଏ । ଯେତେବେଳେ ଆମେ ଆମର ଚିନ୍ତାକୁ ପ୍ରକାଶ କରିଦିଅନ୍ତି, ସେତେବେଳେ ଆମେ ଭାବନାତ୍ମକ ବୋଝରୁ ମୁକ୍ତି ପାଇଯାଆନ୍ତି । ଜଣେ ଶ୍ରୋତାକୁ ସମାଧାନ ଦେବାର ଆବଶ୍ୟକତା ପଡେନି, ବେଳେବେଳେ "ମୁଁ ତୁମ କଥା ଶୁଣୁଛି" ବୋଲି କହିଦେବା ବି ଯଥେଷ୍ଟ ହୁଏ ।

୪.ଏହା ବିଶ୍ୱାସ ଓ ସମ୍ପର୍କ ତିଆରି କରେ 

ଆପଣ ନିଜ କଥା ଯଦି ଜଣେ ସମ୍ବେଦନଶୀଳ ବନ୍ଧୁ, ପରିବାର ଲୋକ କିମ୍ବା ସହକର୍ମୀକୁ କହୁଛନ୍ତି ବା ଶୁଣୁଛନ୍ତି, ତେବେ ଏହାଦ୍ୱାରା ନିଶ୍ଚୟ ସମ୍ପର୍କ ମଜବୁତ ହେବ । ଯେତେବେଳେ ଲୋକ ଜାଣିଯିବେ ଯେ ଆପଣଙ୍କ ସହ ବିନା ଉପେକ୍ଷା ଓ ବିଚାରର ଭୟ ଛାଡି କଥା ହେଇହେବ, ସେତେବେଳେ ସେମାନେ ମନ ଖୋଲି କଥାହେବେ ।

୫.ଏହା ସମସ୍ୟା ସମାଧାନରେ ସାହାଯ୍ୟ କରେ 

ଅନେକ ସମୟରେ କହିବା ଭିତରେ ହିଁ ସମସ୍ୟାର ସ୍ପଷ୍ଟତା ଆସିଯାଏ ଓ ଜଣେ ଆପେ ଆପେ ସମାଧାନର ରାସ୍ତା ପାଇଯାଏ । ଜଣେ ଭଲ ଶ୍ରୋତାକୁ ସମାଧାନ ବତେଇବାର ଆବଶ୍ୟକତା ପଡେନି । ହୁଏତ ସେ ଏମିତି ଏକ ପ୍ରଶ୍ନ ପଚାରିପାରେ ଯାହା ଆତ୍ମଚିନ୍ତନ କରିବାକୁ ପ୍ରୋତ୍ସାହିତ କରେ ।

୬.ଏହା ନିସଙ୍ଗ ହେବାର ଅନୁଭବକୁ ଅଟକାଇଥାଏ 

ଡିପ୍ରେସନ୍ ର ସବୁଠୁ ବଡ କାରଣ ଏକୁଟିଆ ଲାଗିବା । ବହୁତ ଜଣକୁ ଲାଗେ ଯେ ସେମାନଙ୍କୁ କେହି ବୁଝନ୍ତିନି । କିନ୍ତୁ କେହି ଜଣେ ଯେତେବେଳେ ତାଙ୍କୁ ଆଗ୍ରହର ସହ ଶୁଣେ ତାଙ୍କୁ ମନେହୁଏ ଯେ ସେ ଏକୁଟିଆ ନୁହଁନ୍ତି । କେହି ଜଣେ ତାଙ୍କ କଥା ଶୁଣିବାକୁ ଅଛି ।

ଶୁଣିବା ସଚେତନତା କିପରି ତିଆରି ହେବ?

୧.ଲୋକଙ୍କୁ ଶୁଣିବାର ଲାଭ ବିଷୟରେ ଜଣାନ୍ତୁ ।

ମାନସିକ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ପ୍ରାୟତଃ ଲୋକଙ୍କୁ ସାହାଯ୍ୟ ନେବା ପାଇଁ ପ୍ରୋତ୍ସାହିତ କରେ, କିନ୍ତୁ ସେମାନଙ୍କୁ ଶ୍ରୋତାର ଭୂମିକା ଉପରେ ବି ଜୋର୍ ଦେବାକୁ ହେବ ।

୨.ଶୁଣିବା ଚକ୍ର ତିଆରି କରନ୍ତୁ ।

ବିଭିନ୍ନ ଜାଗାରେ ସୁରକ୍ଷିତ ସ୍ଥାନ ତିଆରି କରିବାକୁ ହେବ, ଯେଉଁଠି ଲୋକମାନେ ବିନା ଡରରେ ନିଜ କଥା କହିପାରିବେ। ଏହା ସହାନୁଭୂତି ଓ ବୁଝାମଣାର ଗୋଟେ ପରମ୍ପରା ତିଆରି କରିପାରିବ ।

୩.ନିଜେ ଉଦାହରଣ ହୁଅନ୍ତୁ ।

ଆପଣ ନିଜ କଥା କହିବାକୁ ଯେତିକି ବ୍ୟାକୁଳ ଆଉ ଜଣେ ବି ହୁଏତ ସେତିକି ବ୍ୟାକୁଳ ଥାଇପାରେ ବୋଲି ବୁଝିବାକୁ ହେବ । ତେବେ ଯାଇ ନିଜେ ଜଣେ ଶ୍ରୋତା ହୋଇପାରିବେ ।

୪.ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କଥାବାର୍ତ୍ତାକୁ ଗୁରୁତ୍ୱ ଦିଅନ୍ତୁ ।

ଅନେକ ପ୍ରଭାବଶାଳୀ ଲୋକ ନିଜ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କଥା କହି ଅନ୍ୟମାନଙ୍କୁ କହିବାକୁ ପ୍ରେରଣା ଦେଇଛନ୍ତି । କିନ୍ତୁ ଏହା ପ୍ରତ୍ୟେକ ସ୍ତରରେ ହେବାର ଅଛି; ଘର, ପରିବାର ପରି ପ୍ରତ୍ୟେକ ସ୍ଥାନରେ ହେବାର ଅଛି ।

କଥାବାର୍ତ୍ତା ପାଇଁ ସୁରକ୍ଷିତ ସ୍ଥାନ କିପରି ତିଆରି କରିବେ?

୧.ସେଇ ମୁହୂର୍ତ୍ତରେ ରୁହନ୍ତୁ ।

ଯେତେବେଳେ ଜଣେ ନିଜର ଭାବନା କହୁଛି ସେତେବେଳେ ଧ୍ୟାନର ସହ ଶୁଣନ୍ତୁ। ଫୋନ୍ ବା ଅନ୍ୟ କୌଣସି ଡିସଟ୍ରାକସନ୍ ଠାରୁ ଦୂରେଇ ରୁହନ୍ତୁ ।

୨.ଜଜମେଣ୍ଟାଲ ହୁଅନ୍ତୁ ନାହିଁ ।

"ଏହା ବଡ କଥା ନୁହେଁ, ଅନ୍ୟମାନଙ୍କ ସହ ଏହାଠୁ ବି ଖରାପ ହେଉଛି" ପରି ବାକ୍ୟରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ପ୍ରତ୍ୟେକ ବ୍ୟକ୍ତିର କଷ୍ଟ ତା' ପାଇଁ ବାସ୍ତବ ଓ ଯଥେଷ୍ଟ ପୀଡ଼ାଦାୟକ।

୩.ଗୋପନୀୟତା ନିଶ୍ଚିତ କରନ୍ତୁ ।

ଯଦି କେହି କିଛି ବ୍ୟକ୍ତିଗତ କଥା ଆପଣଙ୍କୁ କହୁଛି, ତେବେ ତା' ଭରସାର ସମ୍ମାନ କରନ୍ତୁ ଓ କଥାକୁ ଗୋପନୀୟ ରଖନ୍ତୁ ।

୪.ସମ୍ବଦନଶୀଳ ହୁଅନ୍ତୁ ।

"ଆପଣ ପ୍ରକୃତରେ କେମିତି ଅଛନ୍ତି" ପରି ଛୋଟ ସମ୍ବେଦନଶୀଳ ପ୍ରଶ୍ନ ବେଳେବେଳେ ଗଭୀର ଆଲୋଚନା ପାଇଁ ବାଟ ଖୋଲେ । ଗୋଟେ ଛୋଟ ସମ୍ବଦନଭରା ମେସେଜ୍ ବି ଜଣଙ୍କର ଦିନକୁ ସୁନ୍ଦର କରିଦିଏ ।

୫. ଆବଶ୍ୟକ ଥିଲେ ବିଶେଷଜ୍ଞଙ୍କ ସହାୟତା ନେବାକୁ ପ୍ରୋତ୍ସାହିତ କରନ୍ତୁ ।

କେହି ଯଦି ବହୁତ ଦିନ ଧରି ଖୁବ୍ ବେଶୀ ଚାପଗ୍ରସ୍ଥ ଅଛି ଦେଖୁଛନ୍ତି ତେବେ ପେଶାଦାର ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପ୍ରୋତ୍ସାହିତ କରନ୍ତୁ ।

ଏହି ଶୁଣିବାର ପ୍ରକ୍ରିୟା ଭିତରେ ମୁଁ ଗୋଟିଏ କଥା ଶିଖିଛି ଯେ, ଲୋକମାନଙ୍କର ସବୁବେଳେ ସମାଧାନ ନୁହେଁ, ଶୁଣିବା ଲୋକଟିଏ ଦରକାର। ମୋତେ ଆସୁଥିବା ପ୍ରତ୍ୟେକ ମେସେଜ୍ ମୋତେ ମନେପକେଇଦିଏ ଯେ, ଭାବନା ଓ ସଂଘର୍ଷ ବିଷୟରେ କଥାବାର୍ତ୍ତା ପାଇଁ ଦୁନିଆକୁ ଆହୁରି ଅଧିକ ସୁରକ୍ଷିତ ସ୍ଥାନର କେତେ ଯେ ଆବଶ୍ୟକତା ରହିଛି । ମୁଁ ତ ମୋ ଛୋଟିଆ ପ୍ରୟାସ ଆରମ୍ଭ କରିଛି । ଆପଣ ବି ଆପଣଙ୍କ ପାଖ ଲୋକଙ୍କ ଠାରୁ ଶୁଣିବା ଆରମ୍ଭ କରନ୍ତୁ, ନହେଲେ କହିବା ଆରମ୍ଭ କରନ୍ତୁ । କିନ୍ତୁ ମନେରଖିଥିବେ "ମୁଁ ଶୁଣୁଛି ଓ ଆପଣ ଆଦୌ ଏକୁଟିଆ ନୁହଁନ୍ତି ।"

OTV is now on Whatsapp

Join and get latest news update delivered to you via whatsapp

Join Now