Advertisment

Brain Fog: ଆପଣ ସବୁ କଥା ଭୁଲିଯାଉଛନ୍ତି କି ? କ’ଣ କହିବାକୁ ଚାହୁଁଛି ଆପଣଙ୍କ ମସ୍ତିଷ୍କ, ଜାଣନ୍ତୁ

ବେଳେବେଳେ ମଣିଷ କ୍ଷେତ୍ରରେ ହଠାତ୍ କଥା ମଝିରେ ଶବ୍ଦ ଭୁଲିଯିବା, ସ୍ମରଣଶକ୍ତି ହରାଇବା, ଏକାଗ୍ରତାରେ ଅଭାବ, ଶୀଘ୍ର ନିର୍ଣ୍ଣୟ ନନେଇ ପାରିବା, ଛୋଟ ଛୋଟ କଥାରେ ଦ୍ୱନ୍ଦ୍ୱ କିମ୍ବା ମସ୍ତିଷ୍କର ବିଚାର କରିବା ଶକ୍ତିରେ ଶିଥିଳତା ଦେଖାଯାଏ, ଏହାକୁ “ବ୍ରେନ୍-ଫଗ୍” କୁହନ୍ତି।

Brain Fog

Brain Fog

Advertisment

ଆପଣ ଦୋକାନରେ ପହଞ୍ଚି ଭୁଲି ଯାଉଛନ୍ତି କ’ଣ ନେବାକୁ ଯାଇଥିଲେ । କଥା କହିବା ସମୟରେ ହଠାତ୍ ସେଇଠି ପ୍ରୟୋଗ ହେବାକୁ ଥିବା ଶବ୍ଦ ମନେ ପଡୁନି। ଗୋଟିଏ ବହିର ଦୁଇ ପୃଷ୍ଠା ସରି ଗଲାଣି ଆଉ ଆପଣ ହଠାତ୍ ମନେ ପକାଇ ପାରୁ ନାହାଁନ୍ତି କ’ଣ ପଢିଲେ। ପରୀକ୍ଷା ଆଗକୁ ଅଛି ହେଲେ ଆପଣ ବହି ସାମନାରେ ବସି ମଧ୍ୟ ମନ ଦେଇ ପଢି ପାରୁ ନାହାଁନ୍ତି। ଅତି ପରିଚିତ ହୋଇ ମଧ୍ୟ ଆପଣ ରାସ୍ତା ବତାଇବାକୁ ଯାଇ ଛକର ନାଁ ଭୁଲି ଯାଉଛନ୍ତି। ଆମ ଭିତରୁ ପ୍ରାୟ ସମସ୍ତେ ଥରେ ନା ଥରେ ଏମିତିକା ମୁହୂର୍ତ୍ତର ସାମନା କରିଥିବା। ପଢିଲେ ଏହା ସାଧାରଣ ଲାଗିପାରେ। କିନ୍ତୁ ଜାଣନ୍ତି ଯଦି ଏହା ଲଗାତାର ଲାଗି ରୁହେ ଏହା ଆମ ଶରୀର ପାଇଁ ଗୋଟିଏ ଚେତାବନୀର ସୂଚନା ହୋଇ ପାରେ। ଏହା “ବ୍ରେନ୍-ଫଗ୍” ହୋଇପାରେ।

Advertisment

ବ୍ରେନ୍-ଫଗ୍ କ’ଣ: ଲକ୍ଷ୍ୟ କରିଥିବେ ବାୟୁମଣ୍ଡଳର ତାପମାତ୍ରା କମ୍ ଥିଲେ କାଚ ଝରକା କିମ୍ବା ଗାଡିର କାଚ ଉପରେ ହଠାତ୍ ଜଳୀୟ ବାଷ୍ପ ଧଳା ହୋଇ ଏକାଠି ହୋଇଯାଆନ୍ତି, କାଚ ଆରପାଖ ସ୍ପଷ୍ଟ ଦିଶେ ନାହିଁ କିମ୍ବା ଶୀତ ଋତୁରେ ସକାଳୁ କୁହୁଡି ହୁଏ, ଏହାକୁ ଫଗ୍ କୁହାଯାଏ। ସେମିତି ବେଳେବେଳେ ମଣିଷ କ୍ଷେତ୍ରରେ ହଠାତ୍ କଥା ମଝିରେ ଶବ୍ଦ ଭୁଲିଯିବା, ସ୍ମରଣଶକ୍ତି ହରାଇବା, ଏକାଗ୍ରତାରେ ଅଭାବ, ଶୀଘ୍ର ନିର୍ଣ୍ଣୟ ନନେଇ ପାରିବା, ଛୋଟ ଛୋଟ କଥାରେ ଦ୍ୱନ୍ଦ୍ୱ କିମ୍ବା ମସ୍ତିଷ୍କର ବିଚାର କରିବା ଶକ୍ତିରେ ଶିଥିଳତା ଦେଖାଯାଏ, ଏହାକୁ “ବ୍ରେନ୍-ଫଗ୍” କୁହନ୍ତି। ଏହା କୌଣସି ରୋଗ ନୁହେଁ, ଏହା ଲକ୍ଷଣ ମାତ୍ର ଏବଂ ଆମ ଶରୀର ତରଫରୁ ଆମ ପାଇଁ ସଜାଗ ହେବାର ଗୋଟିଏ ଚେତାବନୀ ସ୍ବରୂପ। 

ବ୍ରେନ୍-ଫଗ୍ ର ସାଧାରଣ ଲକ୍ଷଣ:

ଏକାଗ୍ରତାର ଅଭାବ

ଦୁର୍ବଳ ସ୍ମରଣଶକ୍ତି ଏବଂ କଥା ମଝିରେ ଶବ୍ଦ କିମ୍ବା ଘଟଣା ଭୁଲି ଯିବା

ଦ୍ୱନ୍ଦ୍ୱ

ନିଷ୍ପତ୍ତି ଏବଂ ନିର୍ଣ୍ଣୟ ନେବାରେ ଅସୁବିଧା

ମାନସିକ ସ୍ତରରେ ଦୁର୍ବଳ ତଥା ଆତ୍ମବିଶ୍ବାସର ଅଭାବ

ଦୈନନ୍ଦିନ କାର୍ଯ୍ୟ କରିବାରେ ଏକାଗ୍ରତା ଏବଂ ଆଗ୍ରହ ହରାଇବା

ସମ୍ଭାବ୍ୟ କାରଣ:

ରାତିରେ ଡେରିରେ ଏବଂ କମ୍ ସମୟ ଶୋଇବା, ନିଦ ପୂରା ନହେବା, ଡିଷ୍ଟର୍ବ୍ଡ ସ୍ଲିପ୍, ବାରମ୍ବାର ନିଦ ଭାଙ୍ଗିବା।

Advertisment

ଶରୀରରେ ଭାଇଟାମିନ୍ -B12 ଏବଂ D ତଥା ଓମେଗା-3 ଫ୍ୟାଟି ଏସିଡ୍ ର ଅଭାବ

ଓଜନ କମାଇବା ପାଇଁ ହଠାତ୍ ଖାଦ୍ୟର ମାତ୍ରା କମାଇଦେବା ଦ୍ବାରା ଶରୀର ବାରମ୍ବାର ମାତ୍ରାଧିକ ଶର୍କରା ଦରକାର କରେ, ଯାହା ପୁରା ନହେଲେ ମସ୍ତିଷ୍କ ବାରମ୍ବାର ଭାବନା ଏବଂ ବିଚାର ଶୂନ୍ୟ ଲାଗେ

ଲଗାତାର ଏବଂ ମାତ୍ରାଧିକ ସ୍କ୍ରିନ୍-ଟାଇମ୍: ଗୋଟିଏ ସମୟରେ ଏକାଧିକ ଆପ୍ ବ୍ୟବହାର, ଅନଲାଇନ୍ ଗେମିଂ, ସୋସିଆଲ ମିଡ଼ିଆର ବ୍ୟବହାର - ଏହାଦ୍ବାରା ଶରୀରରେ dopamine exhaustion କାରଣରୁ ଏକାଗ୍ରତାର ଅଭାବ ଦେଖାଯାଏ

Advertisment

ଲଗାତାର ଚିନ୍ତା ବା stress and anxiety କାରଣରୁ ଶରୀରରେ କର୍ଟିସୋଲ୍ ମାତ୍ରାରେ ଅସନ୍ତୁଳନ ଦେଖାଯାଏ, ଏହା ସ୍ମରଣିଶକ୍ତି, ଏକାଗ୍ରତା, ଚିନ୍ତା କରିବା କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ମଧୁମେହ, ରକ୍ତହୀନତା, ଥାଇରଏଡ୍ ଡିଜଅର୍ଡର, ପିସିଓଏସ୍, ପୋଷ୍ଟ-ଭାଇରାଲ୍ ଫ୍ୟାଟିଗ୍

ଲଗାତାର କାର୍ଯ୍ୟବ୍ୟସ୍ତ ରହିବା, ବିଶ୍ରାମ ନନେବା

ବ୍ରନ୍-ଫଗ୍ କୁ ଦୂର କରିବାର ସରଳ ଅଭ୍ୟାସ:

କାମ ଏବଂ ବିଶ୍ରାମର ସମୟ ନିର୍ଦ୍ଧାରିତ କରନ୍ତୁ

ଶଯ୍ୟାକୁ ଯିବାର ଏବଂ ଉଠିବାର ସମୟ ନିର୍ଦ୍ଧାରିତ କରନ୍ତୁ। ରାତିରେ ଅତିକମରେ ୬-୭ ଘଣ୍ଟା ଶୁଅନ୍ତୁ

ସ୍କ୍ରିନ୍ ଟାଇମ୍ କମ କରନ୍ତୁ, ଶୋଇବାକୁ ଯିବାର ୩୦ ମିନିଟ୍ ପୂର୍ବରୁ ମୋବାଇଲ୍ ସ୍କ୍ରିନ୍ କୁ ଦେଖିବା ବନ୍ଦ କରନ୍ତୁ

ଖାଦ୍ୟରେ ଶର୍କରା, ଶ୍ବେତସାର, ସ୍ନେହସାରର ମାତ୍ରା ନିୟନ୍ତ୍ରଣ କରନ୍ତୁ। ମସ୍ତିଷ୍କକୁ ଫୁର୍ତ୍ତି ଲାଗିବା ପାଇଁ ଚା’ କିମ୍ବା କଫି ବ୍ୟବହାର କରନ୍ତୁ ନାହିଁ। ଜଙ୍କ୍, ପ୍ରୋସେସ୍ଡ କିମ୍ବା କେକ୍-ପ୍ୟାଷ୍ଟ୍ରି କିମ୍ବା ମସଲା-ରାଗ ଯୁକ୍ତ ଖାଦ୍ୟ ଖାଇ ମସ୍ତିଷ୍କକୁ ସଜାଗ କିମ୍ବା ଫୁର୍ତ୍ତି ରଖିବା ପାଇଁ ଚେଷ୍ଟା କରନ୍ତୁ ନାହିଁ।

ଖାଦ୍ୟରେ ଅଧିକ ସବୁଜ ପନିପରିବା, ନଟ୍ସ ଏବଂ ସିଡ୍ସ, ମାଛ ଗ୍ରହଣ କରନ୍ତୁ, ସନ୍ତୁଳିତ ଆହାର ନିଅନ୍ତୁ

ନିୟମିତ ଏବଂ ସଠିକ୍ ମାତ୍ରାରେ ପାଣି ପିଅନ୍ତୁ

ଡେସ୍କ ଜବ୍ କିମ୍ବା ଓ୍ବାର୍କ ଫ୍ରମ୍ ହୋମ୍ କରୁଥିଲେ, ଲଗାତାର ଗୋଟିଏ ଜାଗାରେ ବସି ନରହି ମଝିରେ ୧୦-୨୦ ମିନିଟ୍ ଚାଲିବା ଦ୍ବାରା ମସ୍ତିଷ୍କ ଅଧିକ ଆକ୍ଟିଭ ହୋଇଥାଏ

ନିଜ ପାଇଁ ୨୦-୨୦-୨୦ ନିୟମ ନିର୍ଦ୍ଧାରିତ କରନ୍ତୁ: ପ୍ରତି ୨୦ ମିନିଟରେ ଥରେ ୨୦ ଫୁଟ ଦୂରରେ ଥିବା ବସ୍ତୁ ଉପରେ ୨୦ ସେକେଣ୍ଡ୍ ପାଇଁ ଦୃଷ୍ଟି ପକାନ୍ତୁ

ଅନଲାଇନ୍ ଗେମ ନଖେଳି କାଗଜ କଲମରେ ସୁଡୋକୁ କିମ୍ବା ଓ୍ବାର୍ଡ ଗେମ୍ ଖେଳନ୍ତୁ।

ଖବରକାଗଜ ଏବଂ ବହି ପଢନ୍ତୁ

ନୂଆ ଭାଷା ଶିଖିବା ପାଇଁ ଚେଷ୍ଟା କରନ୍ତୁ

ସକାଳ ଖରାରେ ଚାଲିବା, ଷ୍ଟ୍ରେଚିଂ, ମାଇଲ୍ଡ ଏକ୍ସରସାଇଜ୍, ଯୋଗ ଏସବୁ ମସ୍ତିଷ୍କର ଆହାର ସଦୃଶ

ବ୍ରିଦିଂ ଏକ୍ସରସାଇଜ୍ କରନ୍ତୁ

ପ୍ରତିଦିନ ଡାଏରୀ ବା ଜର୍ଣ୍ଣାଲ୍ ଲେଖିବା ଅଭ୍ୟାସ କରନ୍ତୁ

ଡାକ୍ତରଙ୍କ ସାହାଯ୍ୟ କେତେବେଳେ ନେବେ: 

ଦୈନନ୍ଦିନ ଅଭ୍ୟାସ ଏବଂ ଲାଇଫ୍ ଷ୍ଟାଇଲ୍ ବଦଳାଇବାର ଅନେକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ବ୍ରେନ୍-ଫଗ୍ ସମସ୍ୟା ଜାରି ରହିଲେ 

ନିଜର ମଧୁମେହ, ରକ୍ତହୀନତା, ଥାଇରଏଡ୍ ଡିଜଅର୍ଡର, ପିସିଓଏସ୍ ବିଷୟରେ ଅବଗତ ଥିଲେ

ସବୁବେଳେ ଦ୍ବନ୍ଦ୍ୱ, ଅବସାଦ, ଅସହଜ ଭାବ ଲାଗିରହି, କୌଣସି କାମରେ ଆଗ୍ରହ ଦେଖାନଗଲେ ଏବଂ ମାନସିକ ସ୍ତରରେ ନିଜକୁ ଦୁର୍ବଳ, ଆତ୍ମବିଶ୍ବାସହୀନ ତଥା ଅସହାୟ ଲାଗିଲେ

ବାରମ୍ବାର ବ୍ରେନ୍-ଫଗ୍ କୁ ନେଇ ନିଜ ଭିତରେ ଡର ଏବଂ ଅସହାୟତା ଅନୁଭବ କଲେ

ମନେ ରଖନ୍ତୁ ଜୀବନଶୈଳୀ ବଦଳାଇ ଦେଲେ ଯେ ବ୍ରେନ୍-ଫଗ୍ ହଠାତ୍ ଦିନକରେ ଚାଲିଯିବ ତାହା ନୁହେଁ। ପରିବର୍ତ୍ତନ ଧିରେ ଧିରେ ଆସିବ। ଅସ୍ଥିର ହେବା ଦ୍ବାରା ସମସ୍ୟା ବଢି ମଧ୍ୟ ପାରେ। ନିଜେ ଯଦି ନିଜ ଭିତରେ ଏପ୍ରକାର ଅସ୍ଥିରତା କିମ୍ବା ବ୍ରେନ୍-ଫଗ୍ କୁ ଅନୁଭବ କରୁଛନ୍ତି ତେବେ ନିଜ ବ୍ୟସ୍ତବହୁଳ ଜୀବନ ଭିତରୁ ଟିକେ ବିରତି ନିଅନ୍ତୁ, ବିଶ୍ରାମ ନିଅନ୍ତୁ ଏବଂ ପୁଣି କାମ ଆରମ୍ଭ କରନ୍ତୁ।

ଅଧିକ ପଢ଼ନ୍ତୁ: ର୍ଷାଦିନ ପାଇଁ ୭ଟି ସ୍ୱାସ୍ଥ୍ୟକର ଖାଦ୍ୟ ବିକଳ୍ପ, ପାଖ ମାଡ଼ିବନି ରୋଗ

Brain Modern Human Brain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ