ଆମେ ବଡ଼ମାନେ ଯେତେବେଳେ ପିଲାଙ୍କ ଖେଳ କଥା କୁହନ୍ତି ବା ଭାବନ୍ତି ସେତେବେଳେ ଆମ ଭିତରେ ଏହା ତାଙ୍କର ମଜାମସ୍ତି, ଟାଇମପାସ୍, ଦୁଷ୍ଟାମି, ସ୍କୁଲ୍ ପାଠ ଠକିବା ଆଦିର ମାଧ୍ୟମ ବୋଲି ଗୋଟେ ଧାରଣା ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଖେଳ କେବଳ ମଜା ନୁହେଁ ବରଂ ପିଲାଙ୍କ ମାନସିକ, ଶାରୀରିକ, ସାମାଜିକ ଓ ଭାବନାତ୍ମକ ବିକାଶରେ ବଡ଼ ଭୂମିକା ତୁଲାଇ ଥାଏ । ପ୍ରତ୍ୟେକ ଖେଳରେ ପିଲାଙ୍କ ଜୀବନକୁ ପ୍ରଭାବିତ କରିବା ଭଳି କିଛି ସାମର୍ଥ୍ୟ ଲୁଚି ରହିଥାଏ । ତେଣୁ ଆମେ ଆଜି ଖେଳ କେମିତି ପିଲାଙ୍କ ବିକାଶରେ ସହାୟକ ହୁଏ ଓ ବ୍ୟକ୍ତିତ୍ୱ ଗଠନ କରେ ସେ ସମ୍ପର୍କରେ ଜାଣିବା ।
୧.ସୃଜନ ଓ କଳ୍ପନା ଶକ୍ତିର ବିକାଶ କରେ
ଆପଣ କେବେ ପିଲାଟିଏ ବସି କିଛି କାଳ୍ପନିକ ଖେଳ ଖେଳୁଥିବାର ଲକ୍ଷ୍ୟ କରିଛନ୍ତି କି? ବହିର ଚିତ୍ର ଦେଖି ଚରିତ୍ରମାନଙ୍କୁ ନେଇ ଗୁଣୁଗୁଣୁ ହେବାର ଦୃଶ୍ୟ, କାଗଜକୁ ଧରି ରକେଟ କରି ମହାକାଶକୁ ପଠେଇବାର ଦୃଶ୍ୟ, ଘରେ ପଡିଥିବା ଅନାବନା ଜିନିଷକୁ ଯୋଡି ଗାଡି ତିଆରି କରିବାର ଦୃଶ୍ୟ, ନହେଲେ କାଦୁଅର ହାଣ୍ଡି ତାଟିଆ କରି ମିଛିମିଛିକା ରୋଷେଇ କରିବାର ଦୃଶ୍ୟ ଅବା କାଗଜରେ ଏଣୁତେଣୁ ଗାର ପକେଇ ତାକୁ ଦେଖେଇ ଲମ୍ବା ଲମ୍ବା କାହାଣୀ କହିବାର ଦୃଶ୍ୟ । ଏମିତି ଖେଳ ସବୁ ପିଲାଙ୍କ କଳ୍ପନା ଶକ୍ତିକୁ ବଢ଼ାଏ । ଏଇଥିରୁ ହିଁ ଗୋଟିଏ ଜିନିଷକୁ ଦେଖିବାର ନୂଆ ଦୃଷ୍ଟିକୋଣ ଓ ଭାବନା ତିଆରି ହୁଏ । ସମସ୍ୟା ସମାଧାନ କରିବାର କ୍ଷମତା ମଧ୍ୟ ଏଇଥିରୁ ତିଆରି ହୁଏ । ନୂଆ କିଛି ସୃଜନ କରିବାର ମୂଳଦୂଆ ଏଇଠୁ ପଡେ, ଯାହା ଭବିଷ୍ୟତ ଜୀବନରେ ବହୁତ କାମରେ ଲାଗେ ।
୨.ବୋଧଶକ୍ତି ବିକାଶରେ ସହାୟକ ହୁଏ
ଏମିତି କିଛି ଖେଳ ଅଛି ଯେଉଁଥିରେ ନିୟମ ତିଆରି କରିବାକୁ ପଡେ, ମନେ ରଖିବାକୁ ପଡେ, ସମାଧାନ କରିବାକୁ ପଡ଼େ । ପୁରୁଣା ଖେଳ ଭିତରୁ ପଣ୍ଡିତ ଖେଳ, ଷ୍ଟାଚ୍ୟୁ, ମ୍ୟୁଜିକ୍ ଚେୟାର୍, ଲୁଚକାଳି, ବୋହୂ ଚୋରି ଆଉ ଏବେର କାର୍ଡ ମ୍ୟାଚିଙ୍ଗ, ବୋର୍ଡ ଗେମ୍ ଆଦି ସେଇଥିରେ ଅନ୍ତର୍ଭୁକ୍ତ । ଏସବୁ ଖେଳ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା, ଏକାଗ୍ରଚିତ୍ତ ହେବା ଓ ନିଷ୍ପତ୍ତି ନେବା ଆଦି ସାମର୍ଥ୍ୟର ବିକାଶ କରେ । ପଣ୍ଡିତ ଖେଳ ପରି ସରଳ ଖେଳ ବି ପିଲାକୁ ଧ୍ୟାନର ସହ ଶୁଣିବା, ଶୁଣି ବୁଝିବା ଓ ବୁଝି ସେଇ ଅନୁସାରେ ପ୍ରଦର୍ଶନ କରିବା ଶିଖାଏ । ଏହା ସେମାନଙ୍କ ବୋଧଶକ୍ତିକୁ ତୀକ୍ଷ୍ଣ କରେ ।
୩. ମନର କଥା ବ୍ୟକ୍ତ କରିବାକୁ ସୁଯୋଗ ଦିଏ
ପ୍ରାୟତଃ ପିଲାମାନେ ନିଜ ଭାବନାକୁ ବ୍ୟକ୍ତ କରିବାରେ ସଂକୋଚ କରନ୍ତି । କିନ୍ତୁ ଖେଳ ମାଧ୍ୟମରେ ସେମାନେ ନିଜ ଭାବନାକୁ ବୁଝିବାରେ ଓ ବ୍ୟକ୍ତ କରିବାରେ ସକ୍ଷମ ହୋଇପାରନ୍ତି । ରୋଲ୍ ପ୍ଲେ ପରି ଖେଳ ପିଲାଙ୍କୁ ଭାବନାକୁ ବୁଝିବାକୁ ଏକ ସୁରକ୍ଷିତ ବାତାବରଣ ଦିଏ ।
୪.ସାମାଜିକ ନିୟମ ଓ ସହଯୋଗର ଭାବନା ବଢାଏ
ସାମୂହିକ ଖେଳ ସବୁ ପିଲାଙ୍କୁ ଧୈର୍ଯ୍ୟ, ସହଯୋଗ ଓ ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ ହେବାକୁ ଶିଖାଏ । ସେ ବୋର୍ଡ ଗେମ୍ ହେଉ ବା କବାଡି, ଖୋ ଖୋ ଅବା ଆଉ କେଉଁ ଦଳଗତ ଖେଳ । ଏମିତି ଖେଳ ପିଲାଙ୍କୁ ଅନ୍ୟମାନଙ୍କ ସହ ମିଶି ଦଳରେ କାମ କରିବା, ଅନ୍ୟମାନଙ୍କର କଥା ବୁଝିବା ଓ ନିୟମ ପାଳନ କରିବା ଶିଖାଏ । ଏହାଦ୍ୱାରା ସେମାନେ ସୁସ୍ଥ ସମ୍ପର୍କ ବନାଇବାର କଳା ଶିଖନ୍ତି ।
୫. ଏକାଗ୍ରତା କ୍ଷମତା ବଢାଏ
ଆଜିର ଡିଜିଟାଲ୍ ଯୁଗରେ ଏକାଗ୍ରତା ରଖିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଖେଳ ପିଲାଙ୍କୁ ଫୋକସଡ୍ ରଖିବାରେ ସାହାଯ୍ୟ କରେ । ବିଶେଷତଃ ଯେଉଁ ଖେଳରେ ଏକାଗ୍ରତା ଓ ନିରନ୍ତର ଲାଗିରହିବା ଆବଶ୍ୟକ ଥାଏ । ଯେମିତିକି ବୋର୍ଡଗେମ୍, ଚେସ, କ୍ୟାରମ୍, ପଜଲ୍ । ଏସବୁ ଏକାଗ୍ର ହେବାର ଅଭ୍ୟାସ ତିଆରି କରେ, ଯାହା ତାଙ୍କର ବିଦ୍ୟାଳୟ ଶିକ୍ଷା ଓ ଭବିଷ୍ୟତ ଜୀବନ ଲାଗି ବେଶ୍ ସହାୟକ ହୁଏ ।
୬. ନମ୍ରତା ଓ ସମସ୍ୟା ସମାଧାନ କୌଶଳକୁ ପ୍ରୋତ୍ସାହିତ କରେ
ଖେଳରେ ହାରିବାକୁ ସାମ୍ନା କରିବା ଓ ସମସ୍ୟାକୁ ଅତିକ୍ରମ କରିବା ପିଲାଙ୍କୁ ନମ୍ର ହେବା ଶିଖାଏ । ଖେଳରେ ଚ୍ୟାଲେଞ୍ଜିଂ ପରିସ୍ଥିତିର ସାମ୍ନା କରିବା ତାଙ୍କୁ ଶିଖାଏ ଯେ ହାରିବା ଶେଷ କଥା ନୁହେଂ, ବରଂ ଏହା ପ୍ରୟାସ କରିବାର ଏକ ଅଂଶ । ଏହା ବାସ୍ତବ ଜୀବନରେ ସମସ୍ୟା ସବୁକୁ ଆତ୍ମବିଶ୍ୱାସ ସହ ସାମ୍ନା କରିବାରେ ସେମାନଙ୍କୁ ସାହାଯ୍ୟ କରେ ।
୭. ଶାରୀରିକ ବିକାଶରେ ସହାୟକ ହୁଏ
ପିଲାଙ୍କ ଲାଗି ଖେଳ ଶାରୀରିକ ବିକାଶର ଏକ ଭଲ ମାଧ୍ୟମ । ଯେମିତିକି ଦଉଡିବା, ଡିଆଁକୁଦା, ବଲ୍ ଖେଳିବା ଇତ୍ୟାଦି । ଏମିତି ଖେଳ ସବୁ ପିଲାଙ୍କୁ ସମନ୍ୱୟ ରଖିବା, ଶାରୀରିକ ସାମର୍ଥ୍ୟ ବଢେଇବା ସହିତ ମନର ବିକାଶରେ ବି ସହାୟକ ହୁଏ ।
୮. ରଣନୀତି ଓ ଯୋଜନା ତିଆରି କରିବା ଶିଖାଏ
ଚେସ୍ ପରି ରଣନୀତିକ ଖେଳ ପିଲାଙ୍କୁ ଭାବିବା ଓ ଯୋଜନା କରିବା ପରି କଳା ଶିଖାଏ । ଏହା ସେମାନଙ୍କୁ ଭବିଷ୍ୟତ ପାଇଁ ଯୋଜନା କରିବା, ସଂଗଠିତ ରହିବା ଓ ସମୟର ସୁଚାରୁ ପରିଚାଳନା କରିବାରେ ସାହାଯ୍ୟ କରେ । ଏହି କୌଶଳ ପାଠପଢା ଓ ସବୁଦିନିଆ ଜୀବନ ଲାଗି ବହୁତ ସହାୟକ ହୁଏ ।
୯. ରୋଲ୍-ପ୍ଲେ ମାଧ୍ୟମରେ ସହାନୁଭୂତିର ବିକାଶ କରାଏ
ସହାନୁଭୂତି ଏକ ଜରୁରୀ ସାମାଜିକ ଗୁଣ । ରୋଲ୍ ପ୍ଲେ ପରି ଖେଳ ଯେଉଁଠି ପିଲାମାନେ ଅଲଗା ଅଲଗା ଚରିତ୍ରର ଭୂମିକା ନିଅନ୍ତି, ତାହା ସେମାନଙ୍କୁ ଅନ୍ୟଜଣକ ଜାଗାରେ ନିଜକୁ ରଖିବାର ସୁଯୋଗ ଦିଏ । ଏହା ସେମାନଙ୍କୁ ସହାନୁଭୂତି ଓ ବୁଝାମଣାର ଭାବ ବିକାଶ କରିବାରେ ସାହାଯ୍ୟ କରେ ।
୧୦. ଚିନ୍ତାକୁ କମାଏ ଓ ଖୁସି ରହିବାକୁ ପ୍ରୋତ୍ସାହିତ କରେ
ଖେଳ ଚିନ୍ତା କରିବାର ଗୋଟିଏ ବଢିଆ ଉପାୟ । ଏହା ଟେନସନ୍ କମାଏ ଓ ଭିତରର ଶକ୍ତି ବା ଉର୍ଜାକୁ ବାହାରକୁ ଆଣିବାର ସୁଯୋଗ ଦିଏ । ଖେଳରୁ ମିଳୁଥିବା ସଫଳତାର ଖୁସି ଓ ହସ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସକାରାତ୍ମକ କରେ ଓ ଖୁସି ରଖେ ।
ତେବେ ବାପାମାଆ, ପରିବାର ଲୋକ ଓ ଶିକ୍ଷକମାନେ ଖେଳର ଆବଶ୍ୟକତା ବୁଝିଲେ ପିଲାର ଖେଳ ପ୍ରତି ଦୃଷ୍ଟିକୋଣ ବଦଳିପାରିବ । ଏଇଠି ଛୋଟ ଛୋଟ ଦୁଇ ତିନୋଟି କଥା କହୁଛି ଯାହାକୁ ଧ୍ୟାନରେ ରଖିଲେ ଆପଣ ସେମାନଙ୍କ ଖେଳର ସମୟକୁ ଆହୁରି ଉପକାରୀ ଓ ଲାଭଦାୟକ କରିପାରିବେ ।
-ସଂଗଠିତ ଖେଳ ଯେତିକି ଗୁରୁତ୍ୱପୂର୍ଣ୍ଣ, ଅସଂଗଠିତ ଖେଳ ମଧ୍ୟ ସମାନ ଭାବରେ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହା ପିଲାମାନଙ୍କୁ ସ୍ୱାଧୀନ ଭାବରେ ଚିନ୍ତା କରିବା ଓ ନୂତନ ଜିନିଷ ଆବିଷ୍କାର କରିବାର ସୁଯୋଗ ଦିଏ ।
-ଶାରୀରିକ, ସଂଜ୍ଞାନାତ୍ମକ ଓ କଳ୍ପନାଶୀଳ ଆଦି ସବୁପ୍ରକାର ଖେଳକୁ ମିଶାଇ ବାଛନ୍ତୁ । ଏହା ଦ୍ୱାରା ଏକ ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ ।
-କେବେକେବେ ଆପଣ ନିଜେ ସେମାନଙ୍କ ସହ ଖେଳନ୍ତୁ । ଏହା ସେମାନଙ୍କ ସହ ଯୋଡି ହୋଇ ରହିବାର ଭଲ ମାଧ୍ୟମ । କିନ୍ତୁ ଖେଳର ନିୟନ୍ତ୍ରଣ ସେମାନଙ୍କ ହାତରେ ହିଁ ରହିବାକୁ ଦେବେ ।
ଖେଳ କେବଳ ସ୍କୁଲ୍ ପାଠ ଓ ଅନ୍ୟ କାର୍ଯ୍ୟରୁ ଗୋଟିଏ ବ୍ରେକ୍ ନୁହେଁ, ଶୈଶବ ଓ କୈଶୋରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ । ସେ କଳ୍ପନାଶକ୍ତି, ବୁଦ୍ଧିମତା, ଏକାଗ୍ରତା ବଢାଇବା ହେଉ ବା ସାମାଜିକ ସମ୍ପର୍କ ତିଆରି କରିବା, ଖେଳର ପ୍ରଭାବ ବହୁତ ଗଭୀର । ନିଜ ପିଲାକୁ ଖେଳ ମାଧ୍ୟମରେ ଶିଖିବାର ସୁଯୋଗ ଦେଇ ଆପଣ ତାଙ୍କ ଭବିଷ୍ୟତ ପାଇଁ କେବଳ ଅନେକ ସାମର୍ଥ୍ୟ ଦିଅନ୍ତିନି, ଅନେକ ସ୍ମୃତି ବି ଦିଅନ୍ତି ।
ତେଣୁ ଏହାପରେ ଆପଣ ଯେତେବେଳେ ବି ନିଜ ପିଲାକୁ ଖେଳ ଭିତରେ ହଜି ଯାଇଥିବାର ଦେଖିବେ, ଆଉ ଭାବିବେନି ଯେ ସେମାନେ ମଜା ମସ୍ତି କରୁଛନ୍ତି । ସେମାନେ ଶିଖୁଛନ୍ତି, ବୁଝୁଛନ୍ତି, ବଢୁଛନ୍ତି ଏବଂ ସହାନୁଭୁତିଶୀଳ ବ୍ୟକ୍ତି ବିଶେଷରେ ପରିଣତ ହେଉଛନ୍ତି, ଯେଉଁମାନେ ଦିନେ ଆମ ଭବିଷ୍ୟତ ସମାଜର ଏକ ଅଂଶ ହେବେ । ଏବଂ ଏସବୁ ଏଇ ଖେଳ ଠାରୁ ହିଁ ଆରମ୍ଭ ହୁଏ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)