ଆଜିର ଦ୍ରୁତ ଗତିଶୀଳ ଦୁନିଆରେ ଆମେ ନ ଚାହିଁଲେ ବି ଆମ ପାଖରେ ସବୁବେଳେ ହଜାର ହଜାର ସୂଚନା ପହଞ୍ଚି ଯାଉଛି ଓ ହଜାର ହଜାର ବାଟ ବି ଅଛି ଅନ୍ୟମନସ୍କ ହେବାର । ତେଣୁ ପୂର୍ବାପେକ୍ଷା ଏକ ତାଲିମପ୍ରାପ୍ତ ବ୍ରେନ୍ ଏବେ ନିହାତି ଗୁରୁତ୍ୱପୂର୍ଣ୍ଣ । ଶାରୀରିକ ସୁସ୍ଥତା ଯେପରି ଆମ ଶରୀରକୁ ସର୍ବୋତ୍ତମ କାର୍ଯ୍ୟ କରିବାକୁ ସକ୍ଷମ କରେ, ମାନସିକ ସୁସ୍ଥତା ସେମିତି ଆମେ କିପରି ସ୍ପଷ୍ଟ ଭାବରେ ଚିନ୍ତା କରିପାରିବା, ଦକ୍ଷତାର ସହିତ ସମସ୍ୟାର ସମାଧାନ କରିପାରିବା, ଦୈନନ୍ଦିନ ଚ୍ୟାଲେଞ୍ଜଗୁଡିକୁ ସାମ୍ନା କରିପାରିବା ତାହା ନିଶ୍ଚିତ କରାଏ । ଆମ ମାଂସପେଶୀ ପରି ଆମ ବ୍ରେନ୍ କୁ ବି ତୀକ୍ଷ୍ଣ ଓ ନମନୀୟ ରହିବା ପାଇଁ ତାଲିମ୍ ଦରକାର । ମସ୍ତିଷ୍କର ପ୍ରଶିକ୍ଷଣ ସ୍ମୃତି, ଏକାଗ୍ରତା, ସୃଜନଶୀଳତା ଆଦି ବଢାଏ ଓ ବୟସ ବଢିବା ସହ ସଂଜ୍ଞାନାତ୍ମକ ବା ବୋଧଶକ୍ତି କମିଯିବାର ସମ୍ଭାବନାକୁ ମଧ୍ୟ କମାଏ । ଏତଦ୍ ବ୍ୟତୀତ ଏକ ତୀକ୍ଷ୍ଣ ମସ୍ତିଷ୍କ ଭାବନାତ୍ମକ ସାମର୍ଥ୍ୟକୁ ବଢାଏ, ଯାହା ଆମକୁ ଚିନ୍ତା ଓ ଅସଫଳତା ଆଦିକୁ ସହଜରେ ତୁଲେଇ ନେବାରେ ସାହାଯ୍ୟ କରେ । ତେଣୁ ସକ୍ରିୟ ଭାବରେ ଆପଣ ଆପଣଙ୍କ ମସ୍ତିଷ୍କକୁ ତାଲିମ୍ ଦେଇ ନା କେବଳ ନିଜ ଜୀବନ ବଞ୍ଚିବାର ମାନରେ ଉନ୍ନତି ଆଣିବେ, ବରଂ ନିଜକୁ ଏକ ଜଟିଳ ଓ ଗତିଶୀଳ ପରିବେଶରେ ବଞ୍ଚିବା ପାଇଁ ପ୍ରସ୍ତୁତ କରିପାରିବେ ।
ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ବହୁତଗୁଡିଏ ଉପାୟ ଅଛି । ସେଥିରୁ ଅନେକଟା ଆପଣ ଜାଣିଥିବେ ମଧ୍ୟ । ତେବେ ଅନେକ ବର୍ଷ ଧରି ମୁଁ ଛୋଟ ବଡ କରି ପ୍ରୟୋଗ କରିଥିବା ଅନେକ ଉପାୟରୁ କେତୋଟି ଏଇଠି କହୁଛି । ଏହା ଖୁବ୍ ସହଜ ଓ ଯେକେହି ବି ଏହାକୁ ନିଜ ଜୀବନରେ ପ୍ରୟୋଗ କରି ଦେଖିପାରିବେ ।

୧.ମସ୍ତିଷ୍କକୁ ଠିକ୍ ଖାଦ୍ୟ ଦିଅନ୍ତୁ
ସ୍ୱାସ୍ଥ୍ୟକର ଖାଦ୍ୟ ମସ୍ତିଷ୍କକୁ ଅଧିକ ଦିନ ଲାଗି କାର୍ଯ୍ୟକ୍ଷମ ରଖିବାରେ ସାହାଯ୍ୟ କରେ । ତେଣୁ ଠିକ୍ ଓ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଯଦି ଆପଣ ଆପଣଙ୍କ ପେଟ୍ରୋଲ୍ ଗାଡିରେ ଡିଜେଲ୍ ପକେଇବେ ତେବେ ତାହା ଚାଲିବ କି? ନୁହେଁ ନା। ଏହି କଥା ଆମ ମସ୍ତିଷ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ସୁସ୍ଥ ମସ୍ତିଷ୍କ ସବୁବେଳେ ସୁସ୍ଥ ଖାଇବାରୁ ଆରମ୍ଭ ହୁଏ ।
୨. ତୀକ୍ଷ୍ଣ ମନ ପାଇଁ ଏକ୍ସରସାଇଜ୍ କରନ୍ତୁ
ନିଜ ଶରୀରର ଯତ୍ନ ନିଅନ୍ତୁ । ମନର ଯତ୍ନ ନେବାର ପ୍ରକ୍ରିୟା ଆରମ୍ଭ ହୁଏ ଶରୀରର ଯତ୍ନ ନେବାରୁ । ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅତି କମ୍ ରେ ୨୦ ମିନିଟ୍ ସମୟ ଦିଅନ୍ତୁ । ଚାଲିବା, ଯୋଗ, ପହଁରିବା ପରି କାର୍ଯ୍ୟକଳାପ ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବଢେ ଓ ଏହା ଦ୍ୱାରା ସ୍ମୃତି ଶକ୍ତି, ଏକାଗ୍ରତା ପରି ସାମର୍ଥ୍ୟ ବଢେ ।
୩. ପ୍ରତିଦିନ ନିଜକୁ ଚ୍ୟାଲେଞ୍ଜ କରନ୍ତୁ
ଆମ ମସ୍ତିଷ୍କ ଚ୍ୟାଲେଞ୍ଜକୁ ଭଲ ପାଏ । ତେଣୁ ସବୁବେଳେ କିଛି ଗୋଟେ ନୂଆ କାମ ଶିଖନ୍ତୁ । ଏହା ମସ୍ତିଷ୍କକୁ ନୂଆ ନୂଆ ଚ୍ୟାଲେଞ୍ଜ ଦେଇ ବ୍ୟସ୍ତ ରଖେ ଓ ଭଲ ଭାବେ କାର୍ଯ୍ୟ କରିବାକୁ ଦକ୍ଷ କରେ । କେତେକ କାମକୁ ନୂଆ ପ୍ରକାର କରିବାର ଚେଷ୍ଟା ବି କରିପାରିବେ । ଏଇ ଯେମିତି ସାଧାରଣତଃ ଆମେ ସବୁ କାମ ଡାହାଣ ହାତରେ କରନ୍ତି । କିଛି ଲୋକ ବାଁ ହାତରେ ମଧ୍ୟ କରିନ୍ତି । ତେଣୁ ଆପଣ ଆପଣଙ୍କର ବେଶୀ ବ୍ୟବହାର ହେଉନଥିବା ହାତକୁ ବ୍ୟବହାର କରି କିଛି କାମ କରିବାକୁ ଚେଷ୍ଟା କରନ୍ତୁ । ଏହା ମନକୁ ଶକ୍ତିଶାଳୀ କରାଏ । ଚ୍ୟାଲେଞ୍ଜିଂ ହୋଇଥିବାରୁ ମସ୍ତିଷ୍କର କାର୍ଯ୍ୟକଳାପକୁ ବୃଦ୍ଧି କରେ । ଆଉ ଗୋଟିଏ କାମ ବି କରିପାରିବେ । ସନ୍ଧ୍ୟାରେ ଘରକୁ ଫେରି ସାଙ୍ଗେ ସାଙ୍ଗେ ଆଲୁଅ ଲଗାନ୍ତୁ ନାହିଁ । ରାତିରେ ଆଲୁଅ ଲିଭାଇ ଦିଅନ୍ତୁ । କିଛି ସମୟ ପାଇଁ ଘର ଭିତରେ ସେମିତି ଅନ୍ଧାରରେ ବୁଲାବୁଲି କରନ୍ତୁ । ଦୃଷ୍ଟି ଶକ୍ତି ବ୍ୟତୀତ ସବୁ ଇନ୍ଦ୍ରୀୟ ଏହି ସମୟରେ କାମ କରିବ । ଏହା ଉଭୟ ସ୍ମୃତି ଶକ୍ତି ଓ ଏକାଗ୍ରତା ବଢାଇବାରେ ସାହାଯ୍ୟ କରିବ ।
୪. ଏକାଗ୍ର ହୁଅନ୍ତୁ ଓ ଧ୍ୟାନ କରନ୍ତୁ
ଆମ ଜୀବନ ଯେଉଁ ବୁଲେଟ୍ ଟ୍ରେନ୍ ପରି ତୀବ୍ର ବେଗରେ ଗତି କରୁଛି ସେଠି ଅଳ୍ପ କେଇ ମିନିଟ୍ ପାଇଁ ବିରାମ ନେବା ବି ଆରମ୍ଭରେ ନିରର୍ଥକ ଓ ଚ୍ୟାଲେଞ୍ଜିଂ ଲାଗିପାରେ । ତଥାପି ପ୍ରତିଦିନ ଅନ୍ତତଃ କିଛି ସମୟ ଧ୍ୟାନ କରନ୍ତୁ । ପାଞ୍ଚ ମିନିଟ୍ ରୁ ବି ଆରମ୍ଭ କରିପାରିବେ । ଧ୍ୟାନ ଆମର ଏକାଗ୍ରତା, ସହାନୁଭୂତି, ରୋଗ ପ୍ରତିରୋଧକ କ୍ଷମତା, କାର୍ଯ୍ୟଦକ୍ଷତା ଓ ସ୍ମୃତିଶକ୍ତି ବଢାଏ ।

୫. ଭଲରେ ଶୋଇ ବ୍ରେନ୍ ରିସେଟ୍ କରନ୍ତୁ
ଭାବନ୍ତୁ ଆପଣଙ୍କ ମସ୍ତିଷ୍କ ହେଉଛି ଆପଣଙ୍କ ଘର । ଘରକୁ ସବୁଦିନ ଝଡାପୋଛା କରି ସଫା ରଖିବାକୁ ହୁଏ । ଠିକ୍ ସେମିତି ମସ୍ତିଷ୍କ ଘରକୁ ସଫା କରିବା ପାଇଁ ନିଦ ଦରକାର । ନିଦ ତଥ୍ୟ ସବୁର ପ୍ରକ୍ରିୟାକରଣ କରେ, ସ୍ମୃତିକୁ ଏକତ୍ରିତ କରେ ଓ ଯାବତୀୟ ଟକ୍ସିନକୁ ପରିଷ୍କାର କରେ । ପ୍ରତି ରାତିରେ ସାତ ଆଠ ଘଣ୍ଟା ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ । ଯେଉଁଦିନ ଭଲ ନିଦ ହୋଇଥାଏ ତା' ପରଦିନ ମୁଁ ଲକ୍ଷ୍ୟ କରେ ଯେ ମୋର ସମସ୍ୟା ସମାଧାନ କରିବାର ସାମର୍ଥ୍ୟ ତୀକ୍ଷ୍ଣ ହୋଇଯାଇଛି । କଥାରେ କହନ୍ତିନି, ଆଜି ମୁଣ୍ଡଟା ବଢିଆ କାମ କରୁଛି ।
୬. ପଢନ୍ତୁ, ଭାବନ୍ତୁ ଓ ଲେଖନ୍ତୁ
ପଢିବା ଦ୍ୱାରା ଆପଣଙ୍କ ଜ୍ଞାନର ପରିସର ବଢିବା ସହିତ କଳ୍ପନା ଶକ୍ତି ବି ବଢେ । ଆଉ ଲେଖିବା ଦ୍ୱାରା ବିଚାରରେ ସ୍ପଷ୍ଟତା ଆସେ । ଆପଣ ନିଜର ବିଚାର ଓ ଚିନ୍ତା ସମୂହକୁ ପ୍ରତିଦିନ ଡାଏରୀରେ ମଧ୍ୟ ଲେଖିପାରିବେ । ମନକୁ ତତ୍ପର ରଖିବା ପାଇଁ ଆପଣଙ୍କ ରୁଚି ଥିଲେ ଛୋଟ ଛୋଟ ଗପ କବିତା ଲେଖିପାରିବେ । ତା' ସହିତ ସବୁଦିନ ଡାଏରୀ ଲେଖିପାରିବେ । ଅନ୍ୟ ଛୋଟ ମୋଟ କାମ ବି କରିପାରିବେ । ଏଇଯେମିତି, ଗାଁ ବା ସହରର ମାନଚିତ୍ର ମନେପକାଇ ଆଙ୍କନ୍ତୁ । ବିଭିନ୍ନ ସ୍ଥାନ, ରାସ୍ତା ଘାଟ ମନେପକାଇ ଆଙ୍କିବା ଦ୍ୱାରା ଏହା ମସ୍ତିଷ୍କର ବିଭିନ୍ନ ଅଂଶକୁ କାର୍ଯ୍ୟକ୍ଷମ କରାଏ ।
୭. ସୋସିଆଲାଇଜ୍ ହୁଅନ୍ତୁ
ଅର୍ଥପୂର୍ଣ୍ଣ କଥାବାର୍ତ୍ତା ଓ ଆଲୋଚନାରେ ସାମିଲ୍ ହୁଅନ୍ତୁ । ପରିବାର ଓ ସାଙ୍ଗସାଥୀଙ୍କ ସହ ସମ୍ପର୍କ ବଜାୟ ରଖନ୍ତୁ । ଏହା ଆପଣଙ୍କୁ ଉତ୍ସାହିତ ରଖେ ଓ ଏକ ସମୟରେ ମସ୍ତିଷ୍କର ଏକାଧିକ କ୍ଷେତ୍ରକୁ କାର୍ଯ୍ୟକାରୀ କରାଏ । ଏହା ସହାନୁଭୂତି, ସଜାଗ ରହି ଶୁଣିବା ଓ ସମାଲୋଚନା ଚିନ୍ତାଧାରା ଆଦିକୁ ଉତ୍ସାହିତ କରେ । ମସ୍ତିଷ୍କକୁ ତାଲିମ୍ ଦେବା ସହ ବୋଧଶକ୍ତିର ବୃଦ୍ଧି ପାଇଁ ଜୀବନରେ ଅର୍ଥପୂର୍ଣ୍ଣ ସମ୍ପର୍କ ରହିବା ଜରୁରୀ ।
୮. କୃତଜ୍ଞତା ଜଣାନ୍ତୁ
ଆଶ୍ଚର୍ଯ୍ୟର କଥା ଯେ, କୃତଜ୍ଞତା କେବଳ ଆତ୍ମା ପାଇଁ ନୁହେଁ ମସ୍ତିଷ୍କ ପାଇଁ ମଧ୍ୟ ବହୁତ ଭଲ । ଏହା ମାନସିକ ସ୍ୱଚ୍ଛତା ଆଣେ, ସକାରାତ୍ମକ ଚିନ୍ତାଧାରା ତିଆରି କରେ ଓ ଆମକୁ ଆମର ଉତ୍ସ ଅର୍ଥାତ୍ ପ୍ରକୃତି ସହିତ ସମ୍ପର୍କିତ ହୋଇ ରହିବାରେ ସାହାଯ୍ୟ କରେ । ସବୁଦିନ କୃତଜ୍ଞ ଅନୁଭବ କରୁଥିବା ଦଶଟି କଥା ଲେଖିପାରିବେ । ଆପଣ ମାତ୍ର ତିନୋଟି କଥା ଲେଖି ଏହାର ଆରମ୍ଭ କରିପାରିବେ ।

୯. ଖେଳନ୍ତୁ ଓ ହସ ମଜା କରନ୍ତୁ
ପହେଳି, ଚେସ୍, ବୋର୍ଡ ଗେମ୍, ସୁଡୋକୁ ଆଦି ମସ୍ତିଷ୍କକୁ କାମରେ ଲଗାଇବା ପରି ଖେଳ ଖେଳନ୍ତୁ । ଏହା ଆପଣଙ୍କୁ ଆକ୍ଟିଭ୍ ରଖିବା ସହ ବୋଧଶକ୍ତି, ସମସ୍ୟା ସମାଧାନ କୌଶଳ ବଢିବାରେ ସାହାଯ୍ୟ କରେ । ଜୋକ୍ସ ବା ହସକଥା ପଢନ୍ତୁ ନହେଲେ ତିଆରି କରନ୍ତୁ । ଜୀବନରେ ଏଇ ହାସ୍ୟରସ ରହିବା ନିହାତି ଜରୁରୀ । ଯଦି ଏହା ନାହିଁ, ତେବେ ତାକୁ ସୃଷ୍ଟି କରାଯାଇପାରେ । ନୂଆ ହସକଥା ତିଆରି କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଓ ବୁଦ୍ଧି ତୀକ୍ଷ୍ଣ ହୁଏ ।
୧୦.ପରିବର୍ତ୍ତନକୁ ଗ୍ରହଣ କରନ୍ତୁ
ଜୀବନ ଆଶ୍ଚର୍ଯ୍ୟ ଓ ଆକସ୍ମିକ ଘଟଣାରେ ପରିପୂର୍ଣ୍ଣ । ଆମର ପରିସ୍ଥିତି ସହ ଖାପ୍ ଖୁଆଇବା କ୍ଷମତା ଆମକୁ ଆଗକୁ ବଢିବାରେ ସାହାଯ୍ୟ କରେ । ମସ୍ତିଷ୍କକୁ ପରିବର୍ତ୍ତନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବାକୁ ଶିଖାଇବା ଦ୍ୱାରା ସମସ୍ୟା ସମାଧାନ, ନିଷ୍ପତ୍ତି ନେବା ସାମର୍ଥ୍ୟ ବଢେ । ଲକ୍ଷ୍ୟ କରାଯାଏ ଯେ, ଯେତେବେଳେ ଅନୁକୂଳ ମାନସିକତା ସହ ସମସ୍ୟାକୁ ସାମ୍ନା କରାଯାଏ ସେତେବେଳେ ଆରମ୍ଭରୁ ଯାହା କଳ୍ପନା କରାଯାଇଥାଏ ତା' ଠାରୁ ଭଲ ପଳାଫଳ ମିଳିଥାଏ । ପରିବର୍ତ୍ତନକୁ ଗ୍ରହଣ କରିବା କେବଳ ଆପଣଙ୍କ ମନକୁ ମଜଭୁତ କରେ ନାହିଁ, ଆପଣଙ୍କ ଜୀବନଜୁ ବି ଫଳପ୍ରସୂ କରାଏ ।
ମସ୍ତିଷ୍କକୁ ତାଲିମ୍ ଦେବା ପାଇଁ ବହୁତ ବଡ ବଡ ପରିବର୍ତ୍ତନର ଆବଶ୍ୟକତା ନାହିଁ । ଏଥିପାଇଁ ଛୋଟ ଛୋଟ କିନ୍ତୁ ନିୟମିତ ଅଭ୍ୟାସ ଦରକାର । ଏହି ଅଭ୍ୟାସ ମାନସିକ ରୂପରେ ସୁସ୍ଥ ଓ ସ୍ଥିର ମସ୍ତିଷ୍କ ତିଆରି କରିବାରେ ସାହାଯ୍ୟ କରେ । ଆପଣ ନିଜକୁ ସୁହାଇଲା ପରି ଦୁଇ ତିନୋଟି ଅଭ୍ୟାସରୁ ଆରମ୍ଭ କରିପାରିବେ । ମନେ ରଖିବାକୁ ହେବ ଯେ ଆପଣଙ୍କ ମସ୍ତିଷ୍କ ଆପଣଙ୍କର ଆଜୀବନ ସାଥୀ । ତାହାର ଦାୟିତ୍ୱ ନିଅନ୍ତୁ, ତାକୁ ଚ୍ୟାଲେଞ୍ଜ କରନ୍ତୁ ଏବଂ ତାକୁ ସମୃଦ୍ଧ ହେବାର ଦେଖନ୍ତୁ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)