• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ରାଜ୍ୟର କିନ୍ନର କ୍ୟାମ୍ପ ଏବେ ଚଳଚଞ୍ଚଳ । ଓଡିଶା ପୋଲିସର ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିବା ପରେ ଏବେ ଏଥିପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି । ପାଠପଢାଠୁ ଆରମ୍ଭ କରି ଫିଟନେସ୍ ପର୍ଯ୍ୟନ୍ତ ସବୁ ଉପରେ ଗୁରୁତ୍ୱ ଦେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ପୋଲିସ ଚାକିରି ପାଇବା ଆଶାରେ ଉତ୍ସାହିତ ତୃତୀୟଲିଙ୍ଗୀ । କ୍ଲାସ ରୁମରେ ବସି କିଏ GK ପଢୁଛି ତ କିଏ ରିଜୋନିଂ କରୁଛି । ଆଉ କିଏ ପୁଣି କମନ ଇଂଲିସ ଏରର ଦେଖୁଛି । ଓଡିଶା ପୋଲିସର ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଏହି କିନ୍ନର ମାନଙ୍କ ସମୟ ଏବେ ଏଭଳି କଟୁଛି । ପଢାପଢିରେ ଦିନକୁ ୮ରୁ ୧୦ ଘଣ୍ଟା ସମୟ ବିତାଉଛନ୍ତି । କେବଳ ପାଠପଢା ନୁହେଁ, ଯୋଗ ଠାରୁ ଆରମ୍ଭ କରି ଫିଟନେସ ପାଇଁ ଦୌଡ଼ିବା, ଲମ୍ବା ଡିଆଁ ଡେଇଁବା ଆଦି ଓ୍ୱର୍କ ଆଉଟ ମଧ୍ୟ କରୁଛନ୍ତି । ଏସଆଇ ପାଇଁ ଆବେଦନ କରିବା ପରଠାରୁ ପୂରା ଦିନ ରାତି ଏକ୍ କରି ଦମରେ ଲାଗି ପଡିଛନ୍ତି କିନ୍ନର ।

ନିକଟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ସାଧାରଣ ଆବେଦନକାରୀଙ୍କ ଭଳି କିନ୍ନର ମାନେ ଆବେଦନ କରିବାକୁ ବିଜ୍ଞାପନ ପ୍ରକାଶ ପାଇଥିଲା । ଚଳିତ ଥର ରାଜ୍ୟର ୨୬ ଜଣ କିନ୍ନର ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଛନ୍ତି । ତେବେ ଏଥିରେ କିନ୍ନର ମାନଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ । କର୍ଣ୍ଣାଟକ ସରକାର କିନ୍ନରଙ୍କ ପାଇଁ ସରକାରୀ ଚାକିରିରେ ୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏ ଦିଗରେ ବିଚାର କରିବାକୁ ଦାବି କରିଛି କିନ୍ନର ସଂଘ ।

ସରକାରୀ ପଦବୀରେ ନିଯୁକ୍ତି ପାଇଁ କିନ୍ନର ମାନେ ଆବେଦନ କରିପାରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରଥମ ଘୋଷଣା । ହେଲେ ଦେଖିବାର କଥା, ସବ-ଇନ୍ସପେକ୍ଟର ପଦବୀରେ କେତେ ଜଣ କିନ୍ନର ନିଯୁକ୍ତି ପାଉଛନ୍ତି ।