• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ମାର୍ଚ୍ଚ ମାସରେ ଫରେଷ୍ଟର, ଫରେଷ୍ଟଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷାରେ ୨୫ କିଲୋମିଟର ଦୌଡି ଦୌଡି ୩ ଜଣ ଯୁବକଙ୍କ ଜୀବନ ଯାଇଥିଲା । ଦୁଇମାସ ପରେ ଏବେ ହୋମଗାର୍ଡ ଚାକିରି ପାଇଁ ଗଜପତି ଜିଲ୍ଲାର୨ଜଣଙ୍କର ଜୀବନ ଗଲା । ମଝିରେ ଦେବଗଡ଼ ରିଜର୍ଭ ପୋଲିସ ପଡିଆରେ ହୋମଗାର୍ଡ ଶାରିରୀକ ପରୀକ୍ଷା ପରେ ଜଣେ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିଲା l କେବଳ ଏହି ବର୍ଷ ନୁହେଁ, ବର୍ଷ ବର୍ଷ ଧରି ଏଭଳି ଘଟଣା ଦେଖାଯାଉଥିଲ ମଧ୍ୟ ସମ୍ପୃକ୍ତ ବିଭାଗ ଏଥିରୁ କିଛି ଶିକ୍ଷା ପାଉଥିବା ମନେହୁଏ ନାହିଁ l ଯାହାଦ୍ୱାରା ବାରମ୍ବାର ଏଭଳି ଅଘଟଣ ଦେଖିବାକୁ ମିଳୁଛି l 

୧୯୯୬ ଟେଷ୍ଟ ନେଇଥିଲା ୪ ଜୀବନ

ଅକ୍ଟୋବର ୧୯୯୬ରେ ଭଦ୍ରକ ସହରରେ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ଚାରି ଜଣ ଯୁବକଙ୍କ ପାଇଁ ଘାତକ ପାଲଟିଗଲା, ଯେଉଁମାନେ ୧୦ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରିବା ସମୟରେ କ୍ଳାନ୍ତି ଯୋଗୁଁ ମୃତ୍ୟୁବରଣ କରିଥିଲେ । ପ୍ରାୟ ୨୫ ଜଣ ଅସୁସ୍ଥ ହୋଇ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏହି ଘଟଣାର ଯାଂଚ କରିବାକୁ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । 

ମୃତ୍ୟୁର ତାଲିକା ଲମ୍ବା 

୨୦୨୩ ମାର୍ଚ୍ଚରେ ଛତ୍ରପୁର ରିଜର୍ଭ ପୁଲିସ ପଡିଆରେ କନେଷ୍ଟବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ୧୬ଶହ ମିଟର୍ ଦୌଡ ପ୍ରତିଯୋଗିତାରେ ଥିବା ଦୀପ୍ତିରଂଜନ ପ୍ରାଣ ହରାଇଥିଲେ । ୨୦୨୨ରେ ଭୁବନେଶ୍ୱରରେ ପୁଲିସ ନିଯୁକ୍ତି ପାଇଁ ଜଣେ ୨୮ ବର୍ଷୀୟ ପରୀକ୍ଷାର୍ଥୀ ୫ କିଲୋମିଟର ଦୌଡ଼ ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ସେମିତି ୨୦୨୧ରେ କଟକରେ ପୁଲିସ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଦେଉଥିବା ଜଣେ ୩୦ ବର୍ଷୀୟ ପରୀକ୍ଷାର୍ଥୀ ହଠାତ ହୃଦଘାତରେ ମୃତ୍ୟୁବରଣ କରିଥିଲେ । 

ଏହା ପୂର୍ବରୁ ୨୦୧୮ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ କଟକରେ ଦୌଡ ପ୍ରତିଯୋଗିତା ବେଳେ ବଡମ୍ବା-ନରସିଂହପୁରର ରମେଶ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା । ୨୦୧୯ରେ ବ୍ରହ୍ମପୁରରେ ପାରାମିଲିଟାରୀ ନିଯୁକ୍ତି ପରୀକ୍ଷାରେ ଜଣେ ୨୫ ବର୍ଷୀୟ ପରୀକ୍ଷାର୍ଥୀ ଶାରୀରିକ ପରୀକ୍ଷା ସମୟରେ ଅଜଣା ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁବରଣ କରିଥିଲେ । ଏ ସମସ୍ତ ଘଟଣାରେ ଅଧିକାଂଶ ମୃତ୍ୟୁ ହୃଦଘାତ ବା ଅଜଣା ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ହୋଇଛି, ଯାହା ଅତ୍ୟଧିକ ଶାରୀରିକ ପରିଶ୍ରମ ଦ୍ୱାରା ଘଟିଥିବା ଜଣାପଡିଲା ।

୩୮ ଡିଗ୍ରୀ ତାତି, ୨୫ କିମି ଦୌଡ଼

୨୦୨୫ ମାର୍ଚ୍ଚ ମାସରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ପଶୁପାଳନ ପରିଦର୍ଶକ ପଦବୀ ପାଇଁ ଶାରୀରିକ ପରୀକ୍ଷାରେ ୩ଜଣ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଲା । ମାର୍ଚ୍ଚ ମାସର ପ୍ରାୟ ୩୮ ଡିଗ୍ରୀ ତାପମାତ୍ରାରେ ଶାରୀରିକ ପରୀକ୍ଷା ସ୍ଥିର କରିବା ଏବଂ ଏଥିରେ ୨୫ କିମି ଦୌଡ ରଖାଯିବା ନେଇ ଓଏସ୍ଏସ୍ଏସ୍ସିକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥିଲା । 

ଦୌଡ ପ୍ରତିଯୋଗିତାରେ ରାଉରକେଲାର ପ୍ରବୀଣ କୁମାର ପଣ୍ଡା, କେନ୍ଦୁଝର ଓସ୍ତପଙ୍ଗାର ବ୍ୟୋମକେଶ ନାଏକ (୨୬), ଜଗତସିଂପୁର ବାଲିକୁଦା ମାଳପୁରର ଜ୍ଞାନସଂଜନ ଜେନା (୨୭)ଙ୍କର ମୃତ୍ୟୁ ଘଟିଥିଲା । ୩ଜଣଙ୍କ ମୃତ୍ୟୁ ପରେ ସାମାନ୍ୟ ଚେଇଁଥିଲେ କର୍ତ୍ତୃପକ୍ଷ । ପ୍ରଚଣ୍ଡ ଖରା କାରଣରୁ ଭୋର ସାଢେ ୪ଟାରୁ ଦୌଡ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ଏବଂ ପ୍ରତି ଏକ କିମି ବ୍ୟବଧାନରେ ପାଣି, ଗ୍ଲୁକୋଜ ଆଦି ବ୍ୟବସ୍ଥା କରାଯାଇଥିଲା ।

 ଏଭଳି କ୍ଷେତ୍ରରେ ବିଶେଷଜ୍ଞମାନେ ପରୀକ୍ଷା ପୂର୍ବରୁ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଯେମିତି ଇସିଜି, ରକ୍ତଚାପ, ଷ୍ଟ୍ରେସ ଟେଷ୍ଟ ଏବଂ ଉନ୍ନତ ପରୀକ୍ଷା ପରିଚାଳନା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜଳଯୋଗାଣ ଓ ଅତ୍ୟଧିକ ଗରମକୁ ଏଡ଼ାଇବା ପାଇଁ ପରାମର୍ଶ ରହିଛି । 

ଚାଲିଯାଉଛନ୍ତି ଅନ୍ଧଲଉଡ଼ି 

ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲି ଆସିଛି । ବାପା-ମାଆଙ୍କୁ ଦୁଃଖ, କଷ୍ଟ, ଅଭାବ ଅନଟନରୁ ଉଦ୍ଧାର କରି ମୁଠାଏ ସୁଖ ଦେବାର ସ୍ୱପ୍ନକୁ ସଫଳ କରିବାକୁ ଅନେକ ଅନ୍ଧର ଲଉଡି ଆଖିବୁଜିଛନ୍ତି । ହେଲେ ଜିରୋ କାଜୁଆଲିଟି ଫିଜିକାଲ ଏଫିସିଏନ୍ସି ଟେଷ୍ଟ (ପିଇଟି) ଏକ ଆହ୍ୱାନ ହୋଇ ରହିଯାଇଛି । ତେବେ ଏଭଳି ଘଟୁଛି କାହିଁକି? ଏଥିପାଇଁ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ଆବଶ୍ୟକତା ରହିଛି କି?

ପୂର୍ବତନ ଡିଜିପିଙ୍କ ମତ କଣ ?

ନିକଟରେ ଗଜପତି ଜିଲ୍ଲାରେ ହୋମଗାର୍ଡ ଚାକିରି ପାଇଁ ୨ଜଣ ଯୁବକଙ୍କ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁ ଘଟଣାରେ ଦୁଇ ଜଣ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ଓ ଗୋପାଳ ନନ୍ଦ ମତ ଦେଲେ । ଯେକୌଣସି ଶାରୀରିକ ପରୀକ୍ଷା ଦେବା ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୱାର୍ମିଂ ଅପ ଆବଶ୍ୟକ, କିନ୍ତୁ ଅନେକ ଏହା ବିଷୟରେ ସଚେତନ ନାହାଁନ୍ତି । ଅଳ୍ପ ସମୟ ମଧ୍ୟରେ, ଜଣେ ପ୍ରାର୍ଥୀ ପ୍ରାୟତଃ ତାଙ୍କର ପୂର୍ଣ୍ଣ ଶକ୍ତି ପ୍ରୟୋଗ କରନ୍ତି, ଏବଂ ଯଦି ସେମାନେ ପୂର୍ବରୁ ଶାରୀରିକ ଭାବରେ ସକ୍ରିୟ ନଥାନ୍ତି, ତେବେ ସେମାନେ ବିପଦ ସମ୍ମୁଖୀନ ହୁଅନ୍ତି । ତେବେ କର୍ତ୍ତୃପକ୍ଷ ଏପରି ଚାକିରିରେ ଶାରୀରିକ ପରୀକ୍ଷା ପାଇଁ ଆସୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସ୍ପଷ୍ଟ ଚେତାବନୀ ଦେବା ଆବଶ୍ୟକ । ଏପରି ଘଟଣା ଏଡାଇବା ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ସଚେତନତା ଓ ଶାରୀରିକ ସୁସ୍ଥତା ଜରୁରୀ ବୋଲି ଏକ ଇଂରାଜୀ ଖବରକାଗଜରେ ନିଜ ମତ ରଖିଥିଲେ, l

ମୋହନ ସରକାରଙ୍କ ପାଇଁ ଆହ୍ୱାନ 

ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ପ୍ରାଣହାନୀ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ସଂପୃକ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି, ଯାହା ନିଶ୍ଚିତ ପ୍ରଶଂସନୀୟ l ତେବେ ଆଗାମୀ ଦିନରେ ଏଭଳି ଅଘଟଣ ଯେପରି ନଘଟେ ସେଥିପାଇଁ ସରକାର ପଦକ୍ଷେପ ନେବା ଜରୁରୀ l