• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଥାରେ କହନ୍ତି ଚାକିରି କରିବ ପୁଲିସି, ମାଛ ଖାଇବ ଇଲିଶି । ପୋଲିସ ଚାକିରି ପାଇଁ କାହାର ବା ଇଚ୍ଛା ନଥାଏ ? କିନ୍ତୁ ଏଥିପାଇଁ ଯେଉଁ ଶାରିରୀକ ଦକ୍ଷତା ଦରକାର, ଆମ ପିଲାଙ୍କୁ ସ୍କୁଲକଲେଜ ସ୍ତରରୁ ସେଦିଗରେ ପ୍ରସ୍ତୁତ କରାଯାଉଛି ତ ? ଖାସ୍ କରି ଛାତ୍ରୀଙ୍କ ଶାରିରୀକ ଶିକ୍ଷା ଉପରେ ଦିଆଯାଉଛି ତ ଯଥେଷ୍ଟ ଗୁରୁତ୍ୱ ? ଏଭଳି ଆଶଙ୍କା ଉପୁଜିଛି, ନିକଟରେ ସରିଥିବା ମହିଳା କନଷ୍ଟେବଲ ନିଯୁକ୍ତି ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିବା ପରେ ।

ସମ୍ବଲପୁରର ପୋଲିସ ରିଜର୍ଭ ପଡ଼ିଆରେ ଚାଲିଛି କନଷ୍ଟେବଲ ପଦବୀ ପୂରଣ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା ବା ପିଇଟି । ଫୁଲ୍ ଯୋଶରେ ଉଭୟ ପୁରୁଷ ଓ ମହିଳା ଆଶାୟୀ । ତଦାରଖ କରୁଛନ୍ତି ଖୋଦ୍ ଏସପି । ୧୬ଶହ ମିଟର ଦୌଡ଼ିବାକୁ ପୁରୁଷଙ୍କୁ ମିଳୁଛି ସାଢ଼େ ୬ମିନିଟ୍ ଓ ମହିଳାଙ୍କ ପାଇଁ ସାଢ଼େ ୮ ମିନିଟ୍ । ଲମ୍ବଡିଆଁ ପୁରୁଷଙ୍କ ପାଇଁ ୩.୬୬ ମିଟର ଓ ମହିଳାଙ୍କ ପାଇଁ ୨.୭୫ ମିଟର ।

ତେବେ ଆଶ୍ଚର୍ଯ୍ୟଜନକ କଥା କ’ଣ ଜାଣିଛନ୍ତି, ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା । ଏହାକୁ ପୂରଣ କରିବା ପାଇଁ ଆଗକୁ କ’ଣ କରାଯିବ, ସେନେଇ ପୋଲିସ ମୁଖ୍ୟାଳୟ ଓ ଷ୍ଟେଟ୍ ସିଲେକ୍ସନ ବୋର୍ଡ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସମ୍ବଲପୁର ଏସପି ।

ରାଜ୍ୟର ୩୫ଟି ପୋଲିସ ଜିଲ୍ଲାରେ ୪ହଜାର ୭୯୦ଟି କନଷ୍ଟେବଲ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା ୩୩ ପ୍ରତିଶତ, ଅର୍ଥାତ୍ ୧୫୯୫ଟି ପଦବୀ । ହେଲେ ଚିନ୍ତାଜନକ କଥା ହେଉଛି, କେବଳ ଯେ ସମ୍ବଲପୁରରେ ୫୧ଟି ପୋଷ୍ଟରୁ ୬ଟି ଫିଲପ୍ ହୋଇଛି ତା ନୁହେଁ, ଅନେକ ଜିଲ୍ଲାରେ ଏଭଳି ଟ୍ରେଣ୍ଡ୍ ଦେଖିବାକୁ ମିଳିଛି । ନବରଙ୍ଗପୁରରେ ୩୧ରୁ ମାତ୍ର ୯ଟି, ମାଲକାନଗିରିରେ ୧୬ରୁ ୧୦ଟି ଓ ରାୟଗଡ଼ାରେ ୫୦ରୁ ୩୭ଟି ପଦବୀ ପୂରଣ ହୋଇଛି ।

ଶାରୀରିକ ଦକ୍ଷତା ପରୀକ୍ଷା ବେଳେ ପଛରେ ପଡ଼ିଯାଉଛନ୍ତି କି ଓଡ଼ିଆ ଝିଅ ? ଦୌଡ଼ ଓ ଲମ୍ବଡିଆଁ ପାଇଁ କରୁନାହାନ୍ତି କି ପର୍ଯ୍ୟାପ୍ତ ଅଭ୍ୟାସ ? ସ୍କୁଲ ଓ କଲେଜ ସ୍ତରରୁ ସେମାନଙ୍କୁ ମିଳୁନି କି ଉଚିତ ଶାରିରୀକ ଶିକ୍ଷା ? ସ୍କୁଲ ସ୍ତରରୁ ଫିଜିକାଲ୍ ଏଲିଜିବିଲିଟି ଟେଷ୍ଟ ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯିବା ଉଚିତ ବୋଲି ଅବସରପ୍ରାପ୍ତ ପୋଲିସ ଅଧିକାରୀ କହିଥିବା ବେଳେ, ରାଜ୍ୟର ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି କଲେଜର ଶାରିରୀକ ପ୍ରଶିକ୍ଷିକା । କହିଛନ୍ତି, ଫିଜିକାଲ୍ ଏଜୁକେସନ ଲାଗି କୌଣସି ସ୍ୱତନ୍ତ୍ର ପିରିୟଡ୍ ନାହିଁ ।

ପୋଲିସ ଓ ସେନା ଭଳି ବହୁ କ୍ଷେତ୍ରରେ ଝିଅଙ୍କ ଲାଗି ବ୍ୟାପକ ନିଯୁକ୍ତି ସୁଯୋଗ ସହିତ ସଂରକ୍ଷଣ ସୁବିଧା ମଧ୍ୟ ରହିଛି । ତେବେ ସେଠି ଲୋଡ଼ା ଶାରିରୀକ ଦକ୍ଷତା । ତେଣୁ ପାଠ୍ୟକ୍ରମରେ ସେଦିଗକୁ ମଧ୍ୟ ସାମିଲ କରିବା ଉପରେ ସରକାର ଗୁରୁତ୍ୱର ସହ ଚିନ୍ତା କରିବା ଦରକାର ବୋଲି ମତ ପ୍ରକାଶ ପାଇଛି ।