ଇରାନ-ଇସ୍ରାଏଲ୍ ଯୁଦ୍ଧ
ଯୁଦ୍ଧର କୌଣସି ଅନ୍ତ ନାହିଁ । ପୃଥିବୀର ଗୋଟିଏ କୋଣରେ ଯୁଦ୍ଧ ଶେଷହେଲେ ଆଉ ଏକ କୋଣରେ ଆରମ୍ଭ ହୋଇଯାଏ । ମାନବ ସଭ୍ୟତା ଯେତିକି ବିକଶିତ ହେଉଛି ପ୍ରତି ମୁହୂର୍ତ୍ତରେ ଯୁଦ୍ଧର ଆଶଙ୍କା ସେତିକି ବଢ଼ି ବଢ଼ି ଚାଲିଛି । ଯୁଦ୍ଧର ସାଧାରଣ କାରଣ ହେଉଛି ମତାମତରେ ଭିନ୍ନତା । ଏଥିରେ ଲକ୍ଷ ଲକ୍ଷ ମୂଲ୍ୟବାନ ନିରୀହ ଜୀବନ ନଷ୍ଟ ହୋଇଯାଏ ଏବଂ ଏହାର ପ୍ରଭାବରେ ଭବିଷ୍ୟତ ପିଢ଼ି ମଧ୍ୟ କ୍ଷତିଗ୍ରସ୍ତ ହୁଏ । ଏବେ କୌଣସି ବି ମୁହୂର୍ତ୍ତରେ ଇରାନ ଓ ଇସ୍ରାଲଏ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ ।
ଇରାନ ଉପରେ ଘନ ଘନ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଇରାନର ସାମରିକ ଘାଟି ସହିତ ପରମାଣୁ ଘାଟି ଉପରେ ମଧ୍ୟ ବୋମାମାଡ଼ କରାଯାଇଛି। ଇସ୍ରାଏଲର ଆକ୍ରମଣରେ ଇରାନର ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ସମେତ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥିରେ ସେନା ଏବଂ ବାୟୁସେନା ମୁଖ୍ୟ ମଧ୍ୟ ସାମିଲ ଅଛନ୍ତି। ଇସ୍ରାଏଲ ଆକ୍ରମଣରେ ଇରାନର ୬ ଜଣ ପରମାଣୁ ବୈଜ୍ଞାନିକ ମଧ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପକ୍ଷରୁ ଇରାନର ତେହେରାନରେ ଥିବା ପରମାଣୁ ଗବେଷଣା କେନ୍ଦ୍ର ଏବଂ ଦୁଇଟି ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ନଷ୍ଟ ହୋଇଛି । ଇରାନ ସରକାର ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି । ଇରାନ ପ୍ରତିଆକ୍ରମଣ କଲେ ବିଶ୍ଵ ପୁଣି ଏକ ଯୁଦ୍ଧକୁ ସାମ୍ନା କରିବା ନିଶ୍ଚିତ ବୋଲି କୁହାଯାଉଛି।
ହେଲେ ଏଠି ପ୍ରଶ୍ନ ଉଠେ କାହିଁକି ଯୁଦ୍ଧମୁହାଁ ଏହି ଦୁଇ ଦେଶ ? ଦିନେ ମିତ୍ର ବୋଲାଉଥିବା ଇସ୍ରାଏଲ ଓ ଇରାନ ଉଭୟ ଉଭୟଙ୍କର ଶତ୍ରୁ କାହିଁକି ପାଲଟି ଯାଇଛନ୍ତି ? ଉଭୟ ଦେଶ ଛୋଟ କିନ୍ତୁ ବହୁତ ପ୍ରଭାବଶାଳୀ । କିଛି ବର୍ଷ ହେବ ପରସ୍ପର ପରସ୍ପରର ରକ୍ତପିପାସୁ ହୋଇଉଠିଛନ୍ତି ।
କେବେ ଅସ୍ତିତ୍ୱ ପାଇଲା ଇସ୍ରାଏଲ ?
୧୯୪୮ ପୂର୍ବରୁ ଇସ୍ରାଏଲ ନାମକ କୌଣସି ଦେଶ ନଥିଲା । ଏହା ଥିଲା ସମଗ୍ର ପାଲେଷ୍ଟାଇନ, ଯାହା ଓଟୋମନ ସାମ୍ରାଜ୍ୟ ଦ୍ୱାରା ଶାସିତ ହେଉଥିଲା । ୧୯୪୭ରେ ପାଲେଷ୍ଟାଇନର ବିଭାଜନ ପାଇଁ ପ୍ରସ୍ତାବ ରଖିଥିଲା ଜାତିସଂଘ । ହେଲେ ସେତେବେଳେ ଆରବ ଦେଶ ଗୁଡ଼ିକ ଏହାର କଡ଼ା ବିରୋଧ କରିଥିଲେ । ଅନେକ ସଂଘର୍ଷ ପରେ ୧୯୪୮, ମେ ୧୪ରେ ଇସ୍ରାଏଲ ଅସ୍ତିତ୍ୱ ପାଇଥିଲା । ସମସ୍ତଙ୍କ ବିରୋଧ ସତ୍ୱେ ଇରାନ ୧୯୫୦ ମସିହାରେ ଇସ୍ରାଏଲକୁ ସ୍ୱୀକୃତି ଦେଇଥିଲା । ଫଳରେ ଉଭୟ ଦେଶ ମଧ୍ୟରେ କୂଟନୈତିକ, ସାମରିକ ଏବଂ ତୈଳ ବାଣିଜ୍ୟ ସମ୍ପର୍କ ଗଢ଼ି ଉଠିଥିଲା । ୧୯୭୦ ଦଶକ ପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କ ଦୃଢ଼ ଥିଲା।
ଶାହଙ୍କ ଶାସନ ସମୟରେ ବନ୍ଧୁ ଥିଲେ ଇରାନ ଏବଂ ଇସ୍ରାଏଲ
୧୯୫୩ ମସିହାରେ ଏକ ବିପ୍ଳବ ପରେ ଇରାନକୁ ଫେରିଥିଲା ଶାହଙ୍କ ଶାସନ । ଏହା ଇରାନ-ଇସ୍ରାଏଲ ସମ୍ପର୍କରେ ଏକ ପରିବର୍ତ୍ତନ ଘଟାଇଥିଲା। ମହମ୍ମଦ ରେଜା ଶାହ ପହଲଭି କ୍ଷମତାକୁ ଫେରିବା ପରେ ଇରାନ ଏବଂ ଇସ୍ରାଏଲ ଘନିଷ୍ଠ ହେବାସହ ଉଭୟ ଦେଶ ବହୁମୁଖୀ ମେଣ୍ଟ ଗଠନ କରିବା ଆରମ୍ଭ କରିଥିଲେ । ୧୯୫୦ ମସିହାରେ ଇରାନ ଆନୁଷ୍ଠାନିକ ଭାବରେ ଇସ୍ରାଏଲକୁ ସ୍ୱୀକୃତି ଦେଇଥିଲା, ସେହି ସମୟରେ ଇରାନରେ ଥିଲା ସର୍ବାଧିକ ଇହୁଦି ଜନସଂଖ୍ୟା ।
ଶାହ ପହଲଭି ଶାସନ ସମୟରେ ଇସ୍ରାଏଲକୁ ଏକ ସହଯୋଗୀ ଭାବରେ ଦେଖୁଥିଲା ଇରାନ । ପାରସ୍ପରିକ ଲାଭ ଦ୍ୱାରା ପରିଚାଳିତ ଏହି ବନ୍ଧୁତା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଅର୍ଥନୈତିକ, ସାମରିକ ଏବଂ ଗୁପ୍ତଚର ସହଯୋଗକୁ ପ୍ରୋତ୍ସାହିତ କରିଥିଲା। ତତ୍କାଳୀନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଡେଭିଡ୍ ବେନ୍ ଗୁରିଅନଙ୍କ ନେତୃତ୍ୱରେ ଇରାନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆହୁରି ଘନିଷ୍ଠ ହୋଇଥିଲା । ସେତେବେଳେ ନବଗଠିତ ଇହୁଦି ଦେଶ ଇସ୍ରାଏଲ ଇରାନ ଠାରୁ ୪୦% ତେଲ ଆମଦାନୀ କରୁଥିଲା ଏବଂ ପ୍ରତିବଦଳରେ ଅସ୍ତ୍ରଶସ୍ତ୍ର, ପ୍ରଯୁକ୍ତିବିଦ୍ୟା ଏବଂ କୃଷି ସାମଗ୍ରୀର ବ୍ୟବସାୟ ଆରମ୍ଭ କରିଥିଲା।
ଇସ୍ରାଏଲର ଶିଳ୍ପ ଏବଂ ସାମରିକ ଆବଶ୍ୟକତା ପାଇଁ ଇରାନରୁ ଆସୁଥିବା ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଇସ୍ରାଏଲର ଶତ୍ରୁ ଅନ୍ୟ ଆରବ ଦେଶ ଗୁଡ଼ିକ ତେଲ ଦେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।
୧୯୬୮ ମସିହାରେ ପ୍ରତିଷ୍ଠିତ ଏଲାଟ-ଆସ୍କେଲନ ପାଇପଲାଇନ୍ କମ୍ପାନୀ ଏକ ପ୍ରମୁଖ ମିଳିତ ପ୍ରକଳ୍ପ ଥିଲା, ଯାହା ଇଜିପ୍ଟର ଅଧୀନରେ ଥିବା ସୁଏଜ୍ କେନାଲ ଦେଇ ଇସ୍ରାଏଲକୁ ଇରାନ ତେଲ ପରିବହନ କରୁଥିଲା। ପ୍ରତିବଦଳରେ ଇରାକ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ୧୯୮୦ ଦଶକରେ ଇରାନକୁ ଆଧୁନିକ ସାମରିକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ଇସ୍ରାଏଲ । ଟାଇମ୍ସ ଅଫ୍ ଇସ୍ରାଏଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲରୁ ହାଇ-ଟେକ୍ ମିସାଇଲ୍ ସିଷ୍ଟମ୍, ଗ-୪୦ ଆଣ୍ଟିଟ୍ୟାଙ୍କ୍ ଗନ୍, ଉଜି ସବମସିନ୍ ଗନ୍ ଏବଂ ଏୟାରକ୍ରାଫ୍ଟ ଇଞ୍ଜିନ୍ ମଧ୍ୟ ଆମଦାନୀ କରୁଥିଲା ଇରାନ ।
ପଡ଼ୋଶୀ ସହ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ଯୋଗାଇଥିବାରୁ ମହମ୍ମଦ ରେଜା ଶାହ ପହଲଭି ଇସ୍ରାଏଲକୁ ପ୍ରଶଂସା କରିବା ସହ ବନ୍ଧୁ ମାନୁଥିଲେ । ତା’ପରେ ଉଭୟ ଦେଶର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ପ୍ରୋଜେକ୍ଟ ଫ୍ଲାୱର । ଏହି ପ୍ରକଳ୍ପ ଅଧୀନରେ ହାଇଟେକ୍ ମିସାଇଲ୍ ସିଷ୍ଟମ୍ ବିକଶିତ କରିବା ପାଇଁ ଇସ୍ରାଏଲ-ଇରାନ ଉଦ୍ୟମ କରିଥିଲେ। କେବଳ ଏତିକି ନୁହେଁ ୧୯୫୭ରେ ଇସ୍ରାଏଲର ସହାୟତାରେ ସୃଷ୍ଟି ହୋଇଥିଲା ଇରାନର ସିକ୍ରେଟ ପୋଲିସ SAVAK ।
ବନ୍ଧୁତ୍ୱରେ ଫାଟ
ହେଲେ ୧୯୭୯ ମସିହା ବେଳକୁ ଇରାନରେ ଆରମ୍ଭ ହୋଇଥିଲା ଇସଲାମିକ କ୍ରାନ୍ତି । ଆଉ ଏହି କ୍ରାନ୍ତି ଇରାନ-ଇସ୍ରାଏଲ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ପହଲଭି ରାଜବଂଶର ପତନ ଏବଂ ଆୟାତୋଲ୍ଲା ଖାମେନିଙ୍କ ନେତୃତ୍ୱରେ ଇସଲାମିକ୍ ଗଣରାଜ୍ୟ ପ୍ରତିଷ୍ଠା ଇରାନର ବୈଦେଶିକ ନୀତି ଏବଂ ବିଶ୍ୱ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ଓଲଟାପାଲଟ କରିଦେଇଥିଲା । ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବଜାୟ ରଖିବା ପାଇଁ ଇରାନ ଏବଂ ଇସ୍ରାଏଲ ସରକାର ଖୁବ ଜୋର ଦେଇଥିଲେ । ହେଲେ ସଦ୍ଦାମ ହୁସେନଙ୍କ ଇରାକୀ ସରକାରକୁ ମୁକାବିଲା କରିବା ସମୟରେ ଉଭୟ ଦେଶ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା ।
ବ୍ରିଟିଶ ଖବରକାଗଜ ଦି ଅବଜରଭର ଅନୁଯାୟୀ, ୧୯୮୦-୮୮ ମସିହାର ଇରାନ-ଇରାକ ଯୁଦ୍ଧ ସମୟରେ ଇସ୍ରାଏଲ, ଇରାନକୁ ବାର୍ଷିକ ୫୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା। କେବଳ ଏତିକି ନୁହେଁ ଏହି ଚୁକ୍ତି ଗୁଡ଼ିକୁ ସହଜ କରିବା ପାଇଁ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଥିଲା ଇସ୍ରାଏଲ । ଇରାକ ସହ ଯୁଦ୍ଧ ସମୟରେ ସାହାଯ୍ୟ କରିଥିବାରୁ ଇରାନ ସେନା ଆୟାତୋଲ୍ଲା ସରକାରଙ୍କୁ ଗାଦିଚ୍ୟୁତ କରିବ ବୋଲି ଚିନ୍ତା କରିଥିଲା ଇସ୍ରାଏଲ । ହେଲେ ସେପରି କିଛି ହୋଇନଥିଲା । ଇରାନ-ଇରାକ ଯୁଦ୍ଧ ପରେ କିଛି ସମୟ ପାଇଁ ଦୁଇ ଦେଶ ମଧ୍ୟରେ ଗୁପ୍ତ ସମ୍ପର୍କ ଜାରି ରହିଥିଲା, କିନ୍ତୁ ପରେ ସମ୍ପର୍କ ଖରାପ ହେବାକୁ ଲାଗିଲା।
ଇସ୍ରାଏଲକୁ ସୈତାନ କହିଥିଲା ଇରାନ
ଇସ୍ରାଏଲକୁ ପାଲେଷ୍ଟାଇନ ଭୂମିର ଏକ ଦଖଲକାରୀ ବୋଲି ବିବେଚନା କରେ ଇରାନ । ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ିବା ପରେ ଇସ୍ରାଏଲକୁ ସାନ ସୈତାନ ଓ ଆମେରିକାକୁ ବଡ଼ ସୈତାନ ବୋଲି କହିଥିଲା ଇରାନ । ସେବେଠାରୁ ଉଭୟ ଦେଶ ମିତ୍ରରୁ ଶତ୍ରୁ ପାଲଟି ଯାଇଥିଲେ ।
ଇରାନ ଏକ ସିଆ ବହୁଳ ଇସଲାମିକ ଗଣରାଜ୍ୟ, ଯିଏ ନିଜକୁ ସମଗ୍ର ଇସଲାମିକ ଜଗତର ସର୍ବେସର୍ବା ବୋଲି ବିବେଚନା କରେ । ଅନ୍ୟପକ୍ଷରେ ଇସ୍ରାଏଲ ଏକ ଇହୁଦି ରାଷ୍ଟ୍ର । ଇରାନର କଥା ଅନୁସାରେ, ଇସ୍ରାଏଲ ଜୋରଜବରଦସ୍ତ ପାଲେଷ୍ଟାଇନକୁ ଦଖଲ କରିଥିବାରୁ ଏହାକୁ ଧ୍ୱଂସ କରି ସେଠାରେ ପୁନର୍ବାର ଇସଲାମିକ ଶାସନ ପ୍ରତିଷ୍ଠା କରାଯିବା ଉଚିତ। ଅନ୍ୟପକ୍ଷରେ ନିଜର ଅସ୍ତିତ୍ୱ ଏବଂ ସୁରକ୍ଷା ପାଇଁ ଦେଶକୁ ଧ୍ୱଂସ କରିବା କଥା କହୁଥିବା ପ୍ରତ୍ୟେକ ରାଷ୍ଟ୍ରକୁ ଶତ୍ରୁ ବୋଲି ବିବେଚନା କରେ ଇସ୍ରାଏଲ। ଆୟାତୋଲ୍ଲା ଖୋମେନିଙ୍କ ସମୟରୁ ଆୟାତୋଲ୍ଲା ଅଲି ଖାମେନିଙ୍କ ପର୍ଯ୍ୟନ୍ତ ଇରାନର ଧର୍ମଗୁରୁ ଓ ନେତାମାନେ ଇସ୍ରାଏଲକୁ କ୍ୟାନସର ମାନେ ମାରାତ୍ମକ ରୋଗ ବୋଲି କହି ଆସୁଛନ୍ତି।
ଉଭୟ ଦେଶ ଖୋଲାଖୋଲି ଭାବରେ କୌଣସି ଯୁଦ୍ଧ ଲଢ଼ନ୍ତି ନାହିଁ । କିନ୍ତୁ ଇରାନ ଓ ଇସ୍ରାଏଲ ମଧ୍ୟରେ ସବୁବେଳେ ଛଦ୍ମ ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ପରସ୍ପରକୁ କ୍ଷତି ପହଞ୍ଚାଇବା ପାଇଁ ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ ।
୧୯୯୧ ମସିହାରେ ଗଲ୍ଫ ୱାରର ସମାପ୍ତି ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଖୋଲା ଶତ୍ରୁତାର ଯୁଗ ଆରମ୍ଭ ହୋଇଥିଲା। ସୋଭିଏତ୍ ୟୁନିଅନର ପତନ ଏବଂ ଏକମାତ୍ର ମହାଶକ୍ତି ଭାବରେ ଆମେରିକାର ଅଭ୍ୟୁଦୟ ଶତ୍ରୁତାକୁ ଆହୁରି ବଢ଼ାଇ ଦେଇଥିଲା । ଇରାନ ଏବଂ ଇସ୍ରାଏଲ ପ୍ରାୟ ପ୍ରତ୍ୟେକ ପ୍ରମୁଖ ଭୂରାଜନୈତିକ ଆଲୋଚନାରେ ପରସ୍ପର ବିରୋଧରେ ମୋର୍ଚ୍ଚା ଚଳାଉଥିଲେ ।
୧୯୮୦ ଦଶକରେ ଆରମ୍ଭ ହୋଇଥିବା ଇରାନର ପରମାଣୁ କାର୍ଯ୍ୟକ୍ରମ ୧୯୯୦ ଦଶକରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ମିଶି ଇରାନକୁ ଏହାର ପରମାଣୁ ମହତ୍ତ୍ୱାକାଂକ୍ଷା ତ୍ୟାଗ କରିବାକୁ କହିଥିଲା ଇସ୍ରାଏଲ । କାରଣ ଏହା ଆଞ୍ଚଳିକ ଏବଂ ବିଶ୍ୱ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା କୁହାଯାଇଥିଲା ।
ଆମେରିକା ଏବଂ ଇସ୍ରାଏଲ ପାଇଁ ଇରାନ ବର୍ତ୍ତମାନ ଏକ ମୌଳବାଦୀ ଏବଂ ସ୍ୱେଚ୍ଛାଚାରୀ ଆୟାତୋଲ୍ଲା ଦ୍ୱାରା ଶାସିତ ଦେଶ । ରୁହୋଲ୍ଲା ଖୋମେନିଙ୍କ ପରେ ତାଙ୍କ ଉତ୍ତରାଧିକାରୀ ଆୟାତୋଲ୍ଲା ଅଲି ଖାମେନି ଏହି ଭୟଙ୍କର ଯୁଦ୍ଧର ଉତ୍ତରାଧିକାରୀ ହୋଇଥିଲେ ।
ଏପଟେ ଇରାନ ମଧ୍ୟପ୍ରାଚ୍ୟରେ ଅନେକ ମୌଳବାଦୀ ଏବଂ ଆତଙ୍କବାଦୀ ସଂଗଠନକୁ ପାଳିପୋଷି ରଖିଛି, ଯେଉଁମାନେ ଇସ୍ରାଏଲ ବିରୋଧରେ ଷଡ଼ଯନ୍ତ୍ର ରଚନ୍ତି । ଏଥିରେ ହିଜବୁଲ୍ଲା (ଲେବାନନ୍), ହମାସ (ଗାଜା ଷ୍ଟ୍ରିପ୍), ଇସଲାମିକ୍ ଜିହାଦ ଆନ୍ଦୋଳନ (ପାଲେଷ୍ଟାଇନ୍) ଏବଂ ସିଆ ମିଲିସିଆ (ଇରାକ, ସିରିଆ) ଆଦି ଆତଙ୍କୀ ସଂଗଠନ ସାମିଲ । ଏହି ସଂଗଠନଗୁଡ଼ିକ ଇସ୍ରାଏଲ ଉପରେ ରକେଟ ଆକ୍ରମଣ, ସୀମାନ୍ତ ଅନୁପ୍ରବେଶ ଏବଂ ଆତ୍ମଘାତୀ ଆକ୍ରମଣ କରନ୍ତି ।
ବର୍ତ୍ତମାନ ଏହି ଆତଙ୍କୀ ସଂଗଠନର ମୁକାବିଲା ପାଇଁ ଇସ୍ରାଏଲ ଇରାନୀ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି । ଏହି କାରଣରୁ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ଧ୍ୱଂସ କରିଛି। ଏହା ସହ ହମାସ ବିରୋଧରେ ଯୁଦ୍ଧ ମଧ୍ୟ ଜାରି ରହିଛି । ଘନ ଘନ ଏୟାର ଷ୍ଟ୍ରାଇକରେ ଲେବାନନରେ ହିଜବୁଲ୍ଲାକୁ ପ୍ରାୟ ଧ୍ୱଂସ କରିସାରିଛି ଇସ୍ରାଏଲ। ସିରିଆରେ ଇରାନ ସମର୍ଥିତ ଘାଟି ଉପରେ ବିମାନ ଆକ୍ରମଣ କରୁଛି ଇସ୍ରାଏଲ। ଇରାନୀ ବୈଜ୍ଞାନିକମାନଙ୍କୁ ହତ୍ୟା କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆକ୍ରମଣ ପର୍ଯ୍ୟନ୍ତ ସାଇବର ଆକ୍ରମଣ କରୁଛି।
ଏପ୍ରିଲ ୨୦୨୪ ରେ ଦମାସକସ ସ୍ଥିତ ଇରାନ ଦୂତାବାସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ଇସ୍ରାଏଲ । ଏଥିରେ ଅନେକ ବରିଷ୍ଠ ଇରାନୀ ଅଧିକାରୀ ନିହତ ହୋଇଥିଲେ। ଏହାର ଜବାବରେ ଇରାନ ୧୩ ଏପ୍ରିଲ ୨୦୨୪ରେ ପ୍ରଥମ ଥର ପାଇଁ ଇସ୍ରାଏଲ ଉପରେ ସିଧାସଳଖ ୩୦୦ ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏଥିମଧ୍ୟରୁ ଅଧିକାଂଶ ଇସ୍ରାଏଲ ଏବଂ ଏହାର ସହଯୋଗୀ (ଆମେରିକା, ୟୁକେ, ଫ୍ରାନ୍ସ) ଦ୍ୱାରା ଖସାଇ ଦିଆଯାଇଥିଲା। ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା।
ଉଭୟ ଦେଶର ଶତ୍ରୁତା ମଧ୍ୟରେ ବିଶ୍ୱର ଭୂମିକା
ଆମେରିକା ଏବଂ ୟୁରୋପ ଇସ୍ରାଏଲ ସହିତ ଠିଆ ହୋଇଛନ୍ତି। ରୁଷ ଏବଂ ଚୀନ ଗୁପ୍ତ ଭାବରେ ଇରାନକୁ ସମର୍ଥନ କରନ୍ତି। ଆରବ ଦେଶଗୁଡ଼ିକ କେତେବେଳେ ଇରାନ ବିରୋଧରେ ତ କେତେବେଳେ ନିରପେକ୍ଷ ମନ୍ତବ୍ୟ ଦିଅନ୍ତି। ତେବେ ଇସ୍ରାଏଲ ସହିତ ୟୁଏଇର ସମ୍ପର୍କ ସ୍ୱାଭାବିକ ରହିଛି । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେଲେ ତେଲ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହେବ ଏବଂ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଆହୁରି ଗଭୀର ହେବ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଧର୍ମ, ରାଜନୀତି, ପ୍ରାଧାନ୍ୟ ଏବଂ ସୁରକ୍ଷା ପ୍ରଶ୍ନ ଉପରେ ଆଧାରିତ ପରି ମନେ ହେଉନାହିଁ । ଯେପର୍ଯ୍ୟନ୍ତ ପାଲେଷ୍ଟାଇନ ସମସ୍ୟାର ସମାଧାନ ହୋଇନି , ଇରାନ ତାହାର ପରମାଣୁ କାର୍ଯ୍ୟକ୍ରମ ବନ୍ଦ ନକରିଛି, ଏବଂ ଉଭୟ ସେମାନଙ୍କର ମୌଳିକ ମନୋଭାବ ପରିବର୍ତ୍ତନ କରିନାହାନ୍ତି, ସେପର୍ଯ୍ୟନ୍ତ ସମାଧାନର କୌଣସି ସୁଯୋଗ ନାହିଁ । ବରଂ ଉଭୟ ଦେଶ ମଧ୍ୟରେ ନିରନ୍ତର ସଂଘର୍ଷ ଜାରି ରହିବ ବୋଲି ଆଶଙ୍କା କରାଯାଉଛି ।
ଏପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି ଭାରତ ସରକାର । ଇରାନରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିବାକୁ ପରାମର୍ଶ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749886727.jpg)