• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବେଙ୍ଗ କୁହେ ବେଙ୍ଗୁଲୀ ଲୋ ପୃଥ୍ୱୀ କ୍ଷଣ କ୍ଷଣକେ ଆନ। କ୍ଷମତା ରାଜନୀତିରେ ଏହି ଉକ୍ତିଟିର ଯଥାର୍ଥତା ବେଶ୍ ପ୍ରତିଫଳିତ ହୁଏ । ସତ କହିବାକୁ ଗଲେ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ । ସାମ୍ପ୍ରତିକ ରାଜନୀତି ସୁବିଧାବାଦର ଏକ ମହା ଅରଣ୍ୟ ପାଲଟିଗଲାଣି । ଏଠାରେ ସମୟ ଆସିଲେ ସଭିଏଁ ନିଜର, ଆଉ ବେଳା ଖରାପ ପଡ଼ିଥିଲେ ସଭିଏଁ ପର । କେତେବେଳେ ବନ୍ଧୁ ଶତ୍ରୁ ପାଲଟିଯାଏ ତ କେତେବେଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ମିତ୍ର ପାଲଟି ଯାଆନ୍ତି । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି । ପରମ ବନ୍ଧୁ ବୋଲାଉଥିବା ଦୁଇ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଏବେ ଶତ୍ରୁ ହୋଇଯାଇଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ସାରଥୀ ସାଜିଥିବା ଏଲନ ମସ୍କଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ଆଉ ଭଲ ନାହିଁ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏକଦା ତାଙ୍କର ସହଯୋଗୀ ଥିବା ଆରବପତି ବ୍ୟବସାୟୀ ଏଲନ ମସ୍କଙ୍କ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ଏବେ ଉଭୟଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଦୁହେଁ ଦୁଇ ଜଣଙ୍କ ବିରୋଧରେ ଖୋଲାଖୋଲି ବୟାନବାଜି କରୁଛନ୍ତି । ଫଳରେ ଏଲନ ମସ୍କଙ୍କ କମ୍ପାନୀଗୁଡ଼ିକୁ ପ୍ରଦାନ କରାଯାଉଥିବା ସରକାରୀ ଚୁକ୍ତିନାମା ଓ ସବସିଡି ବନ୍ଦ କରିବାକୁ ଧମକ ଦେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ହେଲେ ଟେସଲା ସିଇଓ ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କ ଧମକରେ ଡରିନଯାଇ ପାଲଟା ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ସମ୍ପର୍କିତ ପୋଷ୍ଟକୁ ସମର୍ଥନ କରିଛନ୍ତି ମସ୍କ ।

ସମୟ ଥିଲା ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କ ଭଲ ବନ୍ଧୁ ଥିଲେ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିଲେ ମସ୍କ । ଟ୍ରମ୍ପ ଏବଂ ଅନ୍ୟ ରିପବ୍ଲିକାନ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ମସ୍କ ପ୍ରାୟ ୩୦୦ ନିୟୁତ ଡଲାର ଖର୍ଚ୍ଚ କରିଥିଲେ ବୋଲି କୁହାଯାଏ । ହେଲେ ଏପରି ଗଭୀର ବନ୍ଧୁତାରେ କିପରି ଫାଟ ସୃଷ୍ଟିହେଲା.. ଏତେ ନିକଟତର ଥିବା ଦୁଇ ବନ୍ଧୁ ହଠାତ ପରସ୍ପରର ଶତ୍ରୁ କିପରି ପାଲଟିଗଲେ.. ?

ଉଭୟଙ୍କ ସମ୍ପର୍କ ଖରାପ ହେବା ପଛରେ ରହିଛି ୱାନ ବିଗ ବିୟୁଟିଫୁଲ ବିଲ୍ । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଏହି ବିଲ ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଆଉ ବିବାଦ ମଧ୍ୟରେ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଆମେରିକା ପାର୍ଟି ଗଠନ କରିବେ ବୋଲି ସଙ୍କେତ ଦେଇଛନ୍ତି ଏଲନ ମସ୍କ । ଏଥିପାଇଁ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ କରିଥିଲେ ଏଲନ ମସ୍କ । ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଗଠନର ସମୟ ଆସିଛି କି ବୋଲି ପ୍ରଶ୍ନ କରିଥିଲେ । ମସ୍କଙ୍କ ଏକ୍ସ ପୋଲରେ ୪୧ ଲକ୍ଷରୁ ଅଧିକ ଭୋଟ ମିଳିଥିବା ବେଳେ ୮୧% ଲୋକେ ନୂଆ ଦଳ ଗଠନକୁ ସମର୍ଥନ କରିଛନ୍ତି।

ଆସନ୍ତୁ ଜାଣିବା ୱାନ ବିଗ ବିୟୁଟିଫୁଲ ବିଲ୍ କ’ଣ ?

ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ ଆକ୍ଟ (OBBBA) ୨୦୨୫ ଏକ ବ୍ୟାପକ ବିଲ୍ ଅଟେ । ମେ ୨୨, ୨୦୨୫ ରେ ୨୧୫-୨୧୪ ଭୋଟରେ ଆମେରିକାର ପ୍ରତିନିଧି ସଭାରେ ଏହି ବିଲ ଗୃହୀତ ହୋଇଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରୋଇ ନୀତି ଏବଂ ତାଙ୍କ ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ବିଲରେ ଟ୍ୟାକ୍ସ କମେଇବା, ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଓ ସରକାରୀ ଋଣ ବୃଦ୍ଧି କରୁଥିବା ବ୍ୟବସ୍ଥା ରହିଛି । ଏହି ବିଲକୁ ଏଲନ ମସ୍କ ତୀବ୍ର ବିରୋଧ କରିଛନ୍ତି। ମସ୍କ ଏହାକୁ ଘୃଣ୍ୟ ଅସଙ୍ଗତି ବୋଲି କହିଛନ୍ତି । ଏହା ଆମେରିକାର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବ ବୋଲି ସେ କହିଛନ୍ତି । ଏହା ଆମେରିକାର ଋଣଭାରକୁ ଆଗାମୀ ଦଶ ବର୍ଷରେ ପ୍ରାୟ ୩.୮ ଟ୍ରିଲିୟନ ଡଲାର ବୃଦ୍ଧି କରିପାରେ ବୋଲି ଅନୁମାନ କରାଯାଉଛି।

ଏହି ବିଲ ସମ୍ପର୍କରେ ଜାଣନ୍ତୁ..

• ୨୦୧୭ରେ ଟାକ୍ସ କଟସ ଆଣ୍ଡ ଜବ୍ସ ଆକ୍ଟ (TCJA)କୁ ସ୍ଥାୟୀ କରିବା ପାଇଁ ବିଲରେ ଅନୁମତି ଦିଆଯାଇଛି, ଯେଉଁଥିରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଓ ଟାକ୍ସ ବ୍ରାକେଟସ କମ୍ କରିବା ଆଦି ସାମିଲ ରହିଛି । ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ TCJA ପ୍ରଣୟନ କରିଥିଲେ।

• ଓଭରଟାଇମ୍, ଟିପ୍ସ ଏବଂ ସାମାଜିକ ସୁରକ୍ଷା ଆୟ ଉପରେ ନୂତନ ଟିକସ ହ୍ରାସର ପ୍ରାବଧାନ ରହିଛି । ଏହାସହିତ ବାର୍ଷିକ ୩୦,୦୦୦ ରୁ ୮୦,୦୦୦ ଡଲାର ରୋଜଗାର କରୁଥିବା ଆମେରିକୀୟଙ୍କ ପାଇଁ ୧୫% ଟିକସ ହ୍ରାସର ପ୍ରାବଧାନ ରହିଛି ।

• କ୍ଷୁଦ୍ର ବ୍ୟବସାୟ ଏବଂ ଗବେଷଣା ଏବଂ ବିକାଶ (R&D) ପାଇଁ ଟିକସ ରିହାତି, ଯଦ୍ୱାରା GDP ୧.୬% ବୃଦ୍ଧିର ଆକଳନ କରାଯାଇଛି।

• ଅବୈଧ ପ୍ରବାସୀମାନଙ୍କ ପାଇଁ ଗଣ ନିର୍ବାସନ ନୀତି ଏବଂ ସୀମା ପ୍ରାଚୀର ନିର୍ମାଣ ପାଇଁ ୧୭୫ ବିଲିୟନ ଡଲାରର ବ୍ୟୟବରାଦ ।

• ବିଦେଶକୁ ଟଙ୍କା ପଠାଇବା ଉପରେ ୩.୫% ରୁ ୫% ଟିକସ । ଏହି ଟିକସ ଅଣ-ଆମେରିକୀୟ ନାଗରିକଙ୍କ ଉପରେ ପ୍ରଯୁଜ୍ୟ ହେବ। ଏହା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଉପରେ ଏକ ବଡ଼ ଆର୍ଥିକ ବୋଝ ପକାଇପାରେ ।

• ଏଥିରେ ସୀମା ସୁରକ୍ଷା ଏବଂ ଆମେରିକୀୟ ସାମରିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ ବ୍ୟୟ ବୃଦ୍ଧିର ବ୍ୟବସ୍ଥା କରାଯାଇଛି।

• ଏହି ବିଲ ଆମେରିକୀୟ ଜାତୀୟ ଋଣ ସୀମା ବୃଦ୍ଧି କରିବାକୁ ଅନୁମତି ପ୍ରଦାନ କରେ, ଯାହା ବିଲ୍ ପରିଶୋଧ କରିବା ପାଇଁ ଆବଶ୍ୟକ।

• ଏହି ବିଲ୍ ପ୍ରଣୟନ ହେଲେ ୧୦ ବର୍ଷ ମଧ୍ୟରେ ଜାତୀୟ ଋଣ ୨.୪ରୁ ୪ ଟ୍ରିଲିୟନ ଡଲାର ବୃଦ୍ଧି ପାଇପାରେ।

• ମେଡିକେଡ (Medicaid) ଓ ସପ୍ଲିମେଣ୍ଟାଲ ନ୍ୟୁଟ୍ରିସନ ପ୍ରୋଗ୍ରାମ (SNAP) ପରି ସରକାରୀ କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିବ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଏବଂ ଖାଦ୍ୟ ସହାୟତା ପାଇବାରୁ ବଞ୍ଚିତ କରିପାରେ।

• ଏହି ବିଲରେ ବାଇଡେନ ଶାସନ ସମୟର ମୁଦ୍ରାସ୍ଫୀତି ହ୍ରାସ ଆଇନର ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ ବୈଦ୍ୟୁତିକ ଯାନବାହନ, ବ୍ୟାଟେରୀ ଉତ୍ପାଦନ ଏବଂ ସୌରଶକ୍ତି ପାଇଁ ସଂଘୀୟ ଟିକସ ପ୍ରୋତ୍ସାହନ ସାମିଲ ଥିଲା। ଏଲନ୍ ମସ୍କ ଏହି ନୀତିକୁ ସବୁଠାରୁ ଅଧିକ ବିରୋଧ କରୁଛନ୍ତି ।

ଟିକସ ହ୍ରାସକୁ ବୃଦ୍ଧି କରିବା, ସୀମା ସୁରକ୍ଷା ଉପରେ ଖର୍ଚ୍ଚ ବୃଦ୍ଧି କରିବା ଏବଂ କିଛି ସରକାରୀ କାର୍ଯ୍ୟକ୍ରମକୁ ହ୍ରାସ କରିବା ହେଉଛି ବିଗ୍ ବିୟୁଟିଫୁଲ୍ ବିଲର ମୂଳ ଉଦ୍ଦେଶ୍ୟ । କିନ୍ତୁ ଏହାର ଆର୍ଥିକ ଏବଂ ସାମାଜିକ ପ୍ରଭାବ ବିଷୟକୁ ନେଇ ଏବେ ଗମ୍ଭୀର ବିତର୍କ ଚାଲିଛି।

ଆଲୋଚନା ଓ ବିବାଦ

ଏହି ବିଲ୍‌କୁ ଘୃଣ୍ୟ ଏବଂ ଅର୍ଥହୀନ ବୋଲି କହିଛନ୍ତି ମସ୍କ । ଏହା ଦେଶ ପାଇଁ ଆର୍ଥିକ ବିପଦ ସୃଷ୍ଟି ବୋଲି ସେ କହିଛନ୍ତି। ଏହାଦ୍ୱାରା DOGE (ସରକାରୀ ଦକ୍ଷତା ବିଭାଗ) ର ଉଦ୍ଦେଶ୍ୟ ଦୁର୍ବଳ ହେବ । ଏଥିପାଇଁ ବିଲ୍‌କୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମସ୍କ କିନ୍ତୁ ଟ୍ରମ୍ପ୍ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ। ଟ୍ରମ୍ପ୍ ପ୍ରଶାସନ ଦାବି ଅନୁସାରେ ଏହି ବିଲ୍ ନିଅଣ୍ଟକୁ ହ୍ରାସ କରିବ ଏବଂ ଆମେରିକାର ଅର୍ଥନୀତିକୁ ବୃଦ୍ଧି କରିବ।

ଭାରତ ଉପରେ ପ୍ରଭାବ କ’ଣ ?

ଏହି ବିଲ୍ କାର୍ଯ୍ୟକାରୀ ହେବା ପରେ ଭାରତ ସବୁଠାରୁ ଅଧିକ ପ୍ରଭାବିତ ଦେଶ ହୋଇପାରେ। ଏହି ବିଲରେ ଥିବା ଟ୍ୟାକ୍ସ ନୀତି ଓ ବାଣିଜ୍ୟ ନିୟମ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିପାରେ। ବିଲରେ ଥିବା ଟାରିଫ ଓ ବୈଦେଶିକ ନୀତିରେ ପରିବର୍ତନ ଭାରତୀୟ ରପ୍ତାନି ଉପରେ ପ୍ରଭାବ ପକାଇପାରେ। ଏହା ବ୍ୟତୀତ ବିଲରେ ଇମିଗ୍ରେସନ ନୀତି କଡ଼ାକଡ଼ି କରାଯାଇଥିବାରୁ ଭାରତୀୟଙ୍କ ପାଇଁ ଆମେରିକାରେ କାମ କରିବା କଷ୍ଟକର ହୋଇପାରେ।

କାରଣ ବିଦେଶୀ ଟଙ୍କା ଗ୍ରହଣ କରିବାରେ ବିଶ୍ୱର ଶୀର୍ଷ ଦେଶମାନଙ୍କ ମଧ୍ୟରେ ରହିଛି ଭାରତର ନାମ। ବିଶ୍ୱ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ୨୦୨୪ ମସିହାରେ ଭାରତକୁ ଆସିଛି ପ୍ରାୟ ୧୨୯ ବିଲିୟନ ଡଲାର ମୂଲ୍ୟର ଟଙ୍କା । ଏହି ରାଶି ପାକିସ୍ତାନ (୬୭ ବିଲିୟନ ଡଲାର) ଏବଂ ବାଂଲାଦେଶ (୬୮ ବିଲିୟନ ଡଲାର) ର ବାର୍ଷିକ ବଜେଟ୍ ସହିତ ସମାନ। ଏହି ରାଶିର ସବୁଠାରୁ ବଡ଼ ଅଂଶ ଆମେରିକାରେ ଥିବା ଭାରତୀୟଙ୍କଠାରୁ ଆସିଥାଏ। ପ୍ରସ୍ତାବିତ ନୂଆ କର ଯୋଗୁଁ ଭାରତରେ ଲକ୍ଷ ଲକ୍ଷ ପରିବାରକୁ ସହାୟତା ଦେଉଥିବା ପାଣ୍ଠିରେ କୋଟି କୋଟି ଡଲାର କ୍ଷତିର ଆଶଙ୍କା ରହିଛି ।