କିଏ ସେହି ବ୍ୟକ୍ତି, ଯିଏ ଗୋଟିଏ ଦିନରେ କଲେ ୧୫ଟି ବିଶ୍ୱ ରେକର୍ଡ

ଆମେରିକାର ଇଡାହୋ ନିବାସୀ ଡେଭିଡ ରସ୍ । ନିକଟରେ ସେ ଗୋଟିଏ ଦିନରେ ୧୫ଟି ବିଶ୍ୱ ରେକର୍ଡ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଛନ୍ତି ।

Guinness World Record

ସେ ଶୀଘ୍ର ଲେମ୍ୱୁପାଣି ପିଇବାର ହେଉ କି, କ୍ଷୀପ୍ର ଗତିରେ ସେଓ ଖାଇବାର ହେଉ । ଏହି ବ୍ୟକ୍ତି ହାସଲ କରିଛନ୍ତି ବିଶ୍ୱ ରେକର୍ଡ । ଏପରିକି ସେ ଗୋଟିଏ ଦିନରେ ୧୫ଟି ବିଶ୍ୱ ରେକର୍ଡ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଛନ୍ତି । କଥାଟି ଆଶ୍ଚର୍ଯ୍ୟ କଲା ଭଳି ନାଁ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଗୋଟିଏ ମଣିଷ ଗୋଟିଏ ଦିନରେ ଏତେ ରେକର୍ଡ କରିବା କ’ଣ ସମ୍ଭବ । କିନ୍ତୁ କଥାଟି ସମ୍ପୁର୍ଣ୍ଣ ସତ୍ୟ ।

ଆମେରିକାର ଇଡାହୋ ନିବାସୀ ଡେଭିଡ ରସ୍ । ନିକଟରେ ସେ ଗୋଟିଏ ଦିନରେ ୧୫ଟି ବିଶ୍ୱ ରେକର୍ଡ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଛନ୍ତି । ଖାଲି ସେତିକି ନୁହେଁ ଏହାସହ ଡେଭିଡ ୨୫୦ରୁ ଉର୍ଦ୍ଧ୍ୱ ଥର ଗିନିଜ୍‌ ବୁକ୍‌ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ନିଜ ନାମ ପଞ୍ଜୀକୃତ କରିସାରିଛନ୍ତି । ସେ ଦାନ୍ତରେ ସାଇକେଲ କାମୁଡି ଉଠାଇବା ହେଉ କି ୩୦ ସେକେଣ୍ଡ ଭିତରେ ୨୦ଟି ସାର୍ଟ ପିନ୍ଧିବା । ଡେଭିଡଙ୍କ ନାମରେ ଅଛି ଏପରି ଅନେକ ଅଜବ ବିଶ୍ୱ ରେକର୍ଡ । ତାଙ୍କ ଅନୁଯାୟୀ, ସେ ମଧ୍ୟ ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ସେ କିପରି ଏତେ ବିଶ୍ୱ ରେକର୍ଡକୁ ହାସଲ କଲେ । ତେବେ ଆସନ୍ତୁ ଜାଣିବା ଡେଭିଡଙ୍କ କିଛି ଅବିଶ୍ୱସନୀୟ ବିଶ୍ୱ ରେକର୍ଡ ସମ୍ପର୍କରେ ।

ଗୋଟିଏ ମିନିଟ୍ ଭିତରେ ୩ଟି ସେଓକୁ ୧୯୮ ଥର କାମୁଡିବାର ବିଶ୍ୱ ରେକର୍ଡ ଅଛି ଡେଭିଡଙ୍କ ନାମରେ । ସେହିପରି ମାତ୍ର ୫.୩୭ ସେକେଣ୍ଡରେ ନିଜ ଗୋଟିଏ ହାତ ବ୍ୟବହାର କରି ୧୦ଟି ଟଏଲେଟ ପେପରର ଟାଓ୍ବାର ଛିଡା କରିଛନ୍ତି, ଡେଭିଡ ମାତ୍ର ୧୩.୯୯ ସେକେଣ୍ଡରେ ଗୋଟିଏ ଷ୍ଟ୍ର’ ସାହାଯ୍ୟରେ ୧ ଲିଟର ଲେମ୍ୱୁପାଣି ପିଇଛନ୍ତି । ସେହିପରି ମାତ୍ର ୫.୧୨ ସେକେଣ୍ଡରେ ଗୋଟିଏ କାଗଜ ପ୍ଲେନ୍‌ ତିଆରି କରି ଉଡାଇବାର ରେକର୍ଡ ରହିଛି ଡେଭିଡଙ୍କ ନାମରେ । ଏକ ଟେବୁଲ ଟେନିସ୍‌ ବଲକୁ ୧ ମିନିଟରେ ୩୯୮ ଥର କାନ୍ଥରେ ମାରିବାର ବିଶ୍ୱ ରେକର୍ଡ ମଧ୍ୟ ଡେଭିଡ କରିଛନ୍ତି । ଏହିପରି ଭାବେ ୨୫୦ରୁ ଅଧିକ ରେକର୍ଡ ତାଙ୍କ ନାମରେ ରହିଛି ।