ଫୁସକି ଗଲା କି ଚୀନର ଚାଲାକି ?

ସନ୍ଦିଗ୍ଧ ବେଲୁନକୁ ମିଜାଇଲ୍ ମାରି ଖସାଇ ଦେଲା ଆମେରିକା

china

ଚୀନର ସ୍ପାଏ ବେଲୁନକୁ ମିଜାଇଲ୍ ମାଡ଼ କରି ଖସାଇଦେଲା ଆମେରିକା । ନିମିଷକେ ଧ୍ୱଂସ ହୋଇଗଲା ୩ଟି ବସ୍ ଆକାରର ବିଶାଳକାୟ ସନ୍ଦିଗ୍ଧ ବେଲୁନ । ଯେତେବେଳେ ଧଳା ରଙ୍ଗର ଏକ ଗୋଲାକାର ବେଲୁନ ସାଉଥ୍ କାରୋଲିନା ତଟରୁ ୧୦ କିଲୋମିଟର ଦୂରରେ ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ୁଥିଲା, ସେତେବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶକ୍ରମେ, ଭର୍ଜିନିଆର ଲାଙ୍ଗଲେ ବାୟୁସେନା ଘାଟିରୁ F-22 ଫାଇଟର୍ ଜେଟ୍ ଯାଇ ବେଲୁନ ଉପରେ ନିଶାନା ସାଧିଥିଲା। ଗୋଟିଏ ମିଜାଇଲ ମାଡ଼ ହିଁ ଯଥେଷ୍ଟ ଥିଲା ଚୀନି ସ୍ପାଏ ବେଲୁନକୁ ନଷ୍ଟ କରିବା ପାଇଁ ।

ଏହାପରେ ସମୁଦ୍ରରେ ଖସିପଡ଼ିଥିବା ଧ୍ୱଂସାବଶେଷ ଓ ଯନ୍ତ୍ରାଂଶ ଗୋଟାଇବା ପାଇଁ ଅଭିଯାନ ଆରମ୍ଭ କରିଛି ଆମେରିକୀୟ ସେନା ।୧୧ କିଲୋମିଟର ଅଞ୍ଚଳରେ ୧୪ ମିଟର ଗଭୀର ପାଣିରେ ସେଗୁଡ଼ିକୁ ଖୋଜିବା ପାଇଁ ଏକାଧିକ ବୋଟ୍ ଓ ବୁଡ଼ାଳି ନିୟୋଜିତ ହୋଇଛନ୍ତି । ତେଣେ ଏହି ଘଟଣାରେ ସନ୍ତୋଷ ବ୍ୟକ୍ତି କରିବା ସହିତ, ବାୟୁସେନା ପାଇଲଟଙ୍କୁ ସାବାସୀ ଦେଇଛନ୍ତି ବାଇଡେନ୍ । ୩ଟି ବସ୍ ଯେତିକି ବଡ଼, ହାଇ-ଅଲଟିଚ୍ୟୁଡ୍ ସର୍ଭେଲାନ୍ସ ବେଲୁନଟି ବେଶ୍ କିଛି ଦିନ ଧରି ଉତ୍ତର ଆମେରିକା ମହାଦେଶ ଉପରେ ଉଡ଼ୁଥିଲା । ଜାନୁଆରୀ ୨୮ରେ ଆଲାସ୍କାରେ ପ୍ରବେଶ କରିବା ପରେ, ୩୦ରେ କାନାଡ଼ା ବାୟୁସୀମାରେ ଏବଂ ୩୧ରେ ପୁଣି ଆମେରିକା ଆକାଶରେ ପ୍ରବେଶ କରିଥିଲା ।

ଏହା ଚୀନର ବୋଲି ସ୍ପଷ୍ଟ କରିବା ସହିତ, ତାକୁ ଦିନରାତି ଟ୍ରାକ୍ କରୁଥିଲା ଆମେରିକୀୟ ସେନା ମୁଖ୍ୟାଳୟ ପେଣ୍ଟାଗନ୍ । ତେବେ ସନ୍ଦିଗ୍ଧ ବେଲୁନଟି ମଣ୍ଟାନା ସହର ଭଳି କିଛି ସମ୍ବେଦନଶୀଳ ସ୍ଥାନଉପର ଦେଇ ଉଡ଼ିବା ପରେ, ଚୀନ୍ ହୁଏତ ବେଲୁନ ଦ୍ୱାରା ଆମେରିକାର ଗୁପ୍ତ ସାମରିକ ଘାଟିର ଫଟୋ ଉଠାଉଥାଇପାରେ ବୋଲି ଆଶଙ୍କା ଉପୁଜିଥିଲା । କାରଣ ମଣ୍ଟାନାର ମାଲଷ୍ଟୋମ୍ ବାୟୁସେନା ଘାଟିରେ ରହିଛି ପରମାଣୁ ଅସ୍ତ୍ର ବହନକ୍ଷମ ମିନିଟ୍ ମ୍ୟାନ୍-୩ ମିଜାଇଲ୍ ସମେତ ୧୫୦ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ ମିଜାଇଲ ଥିବା ଅସ୍ତ୍ରାଗାର ।  ତେଣୁ ଆମେରିକାର ଗୁପ୍ତ ସୂଚନା ଯେପରି ବେଲୁନ୍ ସାହାଯ୍ୟରେ ଚୀନ୍ ହାତରେ ନଲାଗେ, ସେଥିପାଇଁ ଆମେରିକା ଆକାଶରୁ ବାହାରକୁ ଯିବା ପୂର୍ବରୁ ତାକୁ ଧ୍ୱଂସ ଦେଇଛି ଆମେରିକା ।...

ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ପରେ ଚିହିଁକି ଉଠିଛି ଚୀନ୍ । ପୂର୍ବରୁ ଏହାକୁ କୌଣସି ଗୁଇନ୍ଦା ବେଲୁନ ନୁହେଁ, ବରଂ ବେସାମରିକ ୱେଦର୍ ବେଲୁନ୍ ବା ପାଣିପାଗ ଗବେଷଣା ବେଲୁନ ବୋଲି ଦର୍ଶାଇଥିବା ବେଜିଂ, ଅନିଚ୍ଛାକୃତ ଭାବେ ତାହା ଆମେରିକା ବାୟୁସୀମାକୁ ପ୍ରବେଶ କରିଥିବା ଜଣାଇଥିଲା । ତେବେ ବେଲୁନକୁ ଧ୍ୱଂସ କରିଦିଆଯିବା ପରେ, ଏହାର ପରିଣତି ଆମେରିକାକୁ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି ଚୀନ୍ । ଆମେରିକାର ଏଭଳି ତୀବ୍ର ପ୍ରତିକ୍ରିୟା ଅମୂଳକ ଏବଂ ବଳପ୍ରୟୋଗ କରି ଏହାକୁ ଖସାଇଦେବା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛି ଚୀନ୍ ବୈଦେଶିକ ମନ୍ତ୍ରାଳୟ । ତେଣେ ସ୍ପାଏ ବେଲୁନ ଆମେରିକା ଓ ଚୀନ୍ ମଧ୍ୟରେ ତିକ୍ତତା ବଢ଼ାଇବା ପରେ, ଆଜି ହେବାକୁ ଥିବା ୨ ଦିନିଆ ଚୀନ୍ ଗସ୍ତକୁ ବାତିଲ କରିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ।