ୟୁକ୍ରେନ୍ ଆକ୍ରମଣକୁ ଯଥାର୍ଥ ଦର୍ଶାଇଲେ ପୁଟିନ

ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।

Vladimir Putin

ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ । ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତାସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ । ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକି ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆସୈନ୍ୟ ୟୁକ୍ରେନରେ ଲଢୁଥିବା ବାର୍ତ୍ତା ଦେଇଛନ୍ତି ।  ଏହି ଅବସରରେ ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ସେ କହିଛନ୍ତି  ।  ସୈନ୍ୟମାନଙ୍କ ବୀରତ୍ୱକୁ ବି ଉଚ୍ଚ ପ୍ରଂଶସା କରିଛନ୍ତି ।  

ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା, ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି । ତାସହ ନାଟୋ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା, ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।  ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଆମେ ଜିତୁଥିଲୁ ଏବେ ମଧ୍ୟ ଜିତିବୁ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏତ୍ ଋଷର ବିଜୟ ସ୍ମାରକୀ  ଭିକ୍ଟ୍ରି ଡେ ପରେଡରେ ସଲାମୀ ନେବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ । ମାତୃଭୂମିକୁ ସୁରକ୍ଷିତ ରଖିବାକୁ ଋଷ ସୈନ୍ୟ ଲଢୁଥିବା ସେ କହିଛନ୍ତି ।  ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକା ଓ ପଶ୍ଚିମୀ ଦେଶଙ୍କ ଭୁଲ ନୀତିକୁ ଦାୟୀ କରିଛନ୍ତି ପୁଟିନ ।  ବିଶ୍ୱବ୍ୟାପୀ ଘଟିବାକୁ ଥିବା ରକ୍ତପାତ ରୋକିବା ଲାଗି ତାଙ୍କ ନିକଟରେ ଅନ୍ୟ ବିକଳ୍ପ ନଥିଲା ବୋଲି ଉତ୍ସବରେ ସାମିଲ ହଜାର ହଜାର ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । 

 ଋଷିଆ ଏକ ନିଶ୍ଚିତ ବିପଦର ସମ୍ମୁଖୀନ ହେବାକୁ ଯାଉଥିଲା, କ୍ରିମିଆ ସମେତ ଅନ୍ୟ ଋଷୀୟ ଅଞ୍ଚଳ ଉପରେ କବଜା କରିବା ଚକ୍କରରେ ଥିଲେ ପଶ୍ଚିମୀ ଦେଶ । ଏହାକୁ ରୋକିବା ଲାଗି ସେ ଠିକ୍ ସମୟରେ ୟୁକ୍ରେନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛନ୍ତି ।  ଅନ୍ୟପକ୍ଷରେ ଯୁଦ୍ଧରେ ମୃତାହତ ପ୍ରତି ସୈନ୍ୟଙ୍କ ପାଇଁ ସେ ଦୁଃଖିତ ।  ତେବେ ସେମାନଙ୍କ ପରିବାରକୁ ସରକାର ଉଚିତ୍ ଥଇଥାନ କରିବେ ବୋଲି ସେ ଦେଶ ଉଦ୍ଦେଶ୍ୟରେ ପୁଟିନ କହିଛନ୍ତି  ।

ଅପରପକ୍ଷରେ ଆକ୍ରମଣକାରୀଙ୍କ ବିରୋଧରେ ତାଙ୍କ ଦେଶର ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି । ଆମ ପିଲାମାନଙ୍କ ସ୍ୱାଧୀନତା ପାଇଁ ଲଢୁଛୁ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୮୦ ଲକ୍ଷ ୟୁକ୍ରେନବାସୀ ଜୀବନ ଦେଇଥିଲେ । ସେତେବେଳେ ବି ଆମେ ଜିତୁଥିଲୁ ଓ ଏବେ ମଧ୍ୟ ଜିତିବୁ ବୋଲି ଜେଲେନସ୍କି କହିଛନ୍ତି ।  ସେ G-7 ଦେଶ ସମୂହର ନେତାଙ୍କ ସହ ମଧ୍ୟ କଥା ହୋଇଛନ୍ତି । ୟୁକ୍ରେନକୁ ସାମରିକ ଓ ଆର୍ଥିକ ସାହାଯ୍ୟ ଯୋଗାଣ ଅବ୍ୟାହତ ରହିବ ବୋଲି ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ୍  ।
 
ଏଭିତରେ ୭୬ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ ।  ମେ ୯ ଭିକ୍ଟ୍ରି ଡେରେ ପୁଟିନ ୟୁକ୍ରେନ୍ ବିରୋଧରେ ବିଧିବଦ୍ଧ ଭାବେ ଯୁଦ୍ଧ ଘୋଷଣା କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ଖଣ୍ଡନ କରିଛି ମସ୍କୋ  । ତେଣେ ୟୁକ୍ରେନର ପୂର୍ବାଞ୍ଚଳ ଡୋନବାସରେ ଘମାଘୋଟ ଯୁଦ୍ଧ ଜାରି ରହିଛି ଲୁହାନସ୍କର ଏକ ଶିବିରରେ ୯୦ରୁ ଅଧିକ ଲୋକ ଆଶ୍ରୟ ନେଇଥିବା ବେଳେ ଋଷ ପକ୍ଷରୁ ବୋମାମାଡ଼ କରାଯାଇଥିବା ସେଠାକାର ଶାସକ ଅଭିଯୋଗ କରିଛନ୍ତି । ଏଥିରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।