ଗ୍ରାଉଣ୍ଡ୍ ଆଟାକ୍ ପାଇଁ ଇସ୍ରାଏଲର ଚରମବାଣୀ ପରେ ଗାଜାରେ ଆରମ୍ଭ ହୋଇଛି ସମୂହ ପଳାୟନ । ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯାଅ ବୋଲି ଇସ୍ରାଏଲ୍ ଚେତାବନୀ ଦେଇଛି । ନଚେତ୍ ପରିସ୍ଥିତି ପାଇଁ ଲୋକମାନେ ନିଜେ ଦାୟୀ ରହିବେ ବୋଲି କୁହାଯାଇଛି ।
ଏହାପରେ ଲୋକମାନେ ଆସବାବପତ୍ର ଧରି ଅନ୍ୟତ୍ର ପଳାଉଥିବା ଦେଖିବାକୁ ମିଳିଛି । ସେପଟେ କିଛି ଗାଜାବାସୀ କହିଛନ୍ତି, ମରିଯିବୁ ପଛେ କୁଆଡ଼େ ବି ଯିବୁନାହିଁ। ଅନ୍ୟପକ୍ଷେ, ଗାଜା ଉପରେ ଆକ୍ରମଣ ହେଲେ ବଡ଼ ଯୁଦ୍ଧ ହେବ ବୋଲି ଇରାନ କହିଛି ।
ଗତ ୭ ଦିନରେ ୪ ହଜାର ଟନରୁ ଅଧିକ ଗୋଳାବାରୁଦ ବ୍ୟବହାର ହୋଇଥିବା ବେଳେ, ୬ ହଜାର ବୋମାମାଡ଼ କଲାଣି ଇସ୍ରାଏଲ୍ । ଗାଜାପଟ୍ଟିରେ ପଶି ହମାସ ଆତଙ୍କୀଙ୍କୁ ନିପାତ କରିବା ପାଇଁ ସ୍ଥଳସେନା ଟ୍ୟାଙ୍କ ଓ ତୋପ ଆଦି ସହ ଗାଜା ସୀମାରେ ପ୍ରସ୍ତୁତ ରହି କେବଳ ଆଦେଶକୁ ଅପେକ୍ଷା କରିଛନ୍ତି ।
Also Read
ଗ୍ରୀନ ସିଗ୍ନାଲ ମିଳିବା କ୍ଷଣି ଇସ୍ରାଏଲ୍ ସୈନ୍ୟ ଗାଜାରେ ପଶି ପ୍ରତି ଘର, ଗଳିକନ୍ଦି ଓ ଭୂତଳ ଟନେଲରେ ପଶି ହମାସ ବିରୋଧୀ ଅପରେସନ୍ ଚଳାଇବ । ଗାଜା ଅତି ଜନବହୁଳ ହୋଇଥିବାରୁ ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଛି । ଯାହାକି ମାନବୀୟ ସଙ୍କଟକୁ ଆହୁରି ଗୁରୁତର କରିପାରେ ।
ଉତ୍ତର ଗାଜାରୁ ଏତେ ସଂଖ୍ୟକ ଲୋକ ଏତେ କମ୍ ସମୟରେ ଘରଦ୍ୱାର ଛାଡ଼ି କେମିତି ଯିବେ ବୋଲି ଜାତିସଂଘ ପଚାରିଛି । ଏଥିସହିତ ନିଜ ନିର୍ଦ୍ଦେଶନାମା ପ୍ରତ୍ୟାହାର ପାଇଁ ଇସ୍ରାଏଲ୍କୁ ପରାମର୍ଶ ଦେଇଛି ।