Advertisment

କାହିଁକି ଆଫଗାନ୍‌ରେ ସରକାର ଗଢ଼ିବାକୁ ଡ଼େରି କରୁଛି ତାଲିବାନ?

ବନ୍ଧୁକ ବଳରେ ଦେଶ ଦଖଲ, ଆଉ ଦେଶ ପାଇଁ ସରକାର ଗଠନ। ୨ଟି ପୂରାପୂରି ଅଲଗା ପାଠ। ଏକଥାକୁ ମର୍ମେ ମର୍ମେ ଅନୁଭବ କରିସାରିଲାଣି ତାଲିବାନ। ବୋଧହୁଏ ସେଇଥିପାଇଁ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି, ଆଫଗାନିସ୍ତାନର ନୂଆ ସରକାର ଘୋଷଣା କରିପାରୁନି ସଂଗଠନ। ସରକାର ଘୋଷଣା ପରେ କାବୁଲ୍ ଓ ରାଷ୍ଟ୍ରପତି ପ୍ୟାଲେସକୁ ଧଳା ପତାକାରେ ପୋତି ପକାଇବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଅଦ୍ୟତନ ହୋଇଛି
Taliban

Taliban

Advertisment

କାବୁଲ୍‌: ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ପରେ ତାଲିବାନ ଯେଉଁ ବିଜୁଳି ବେଗରେ ଆଫଗାନିସ୍ତାନ ଦଖଲ କରିନେଲା, ସେହି ବେଗରେ ଯେ ସରକାର ଗଠନ କରିପାରିବ, ତାକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । କାରଣ ଗଲା ୩-୪ ଦିନ ଧରି ଖୁବଶୀଘ୍ର ସରକାର ଘୋଷଣା କରିବୁ , ଆଜି କରିବୁ, କାଲି କରିବୁ, ଏମିତି କହି କହି ଦିନ ଗଡ଼ାଇ ଚାଲିଛି ତାଲିବାନ। କିନ୍ତୁ ଆଫଗାନିସ୍ତାନବାସୀଙ୍କୁ ନୂଆ ସରକାର ଦେଇପାରୁନି। କୁହାଯାଉଛି, ଏହାର ୨ଟି ପ୍ରମୁଖ କାରଣ ରହିଛି, ଗୋଟିଏ ପଞ୍ଜଶିର ପ୍ରତିରୋଧ, ଅନ୍ୟଟି ତୀବ୍ର ଅନ୍ତର୍କନ୍ଦଳ।

Advertisment

ବନ୍ଧୁକ ବଳରେ ଦେଶ ଦଖଲ, ଆଉ ଦେଶ ପାଇଁ ସରକାର ଗଠନ। ୨ଟି ପୂରାପୂରି ଅଲଗା ପାଠ। ଏକଥାକୁ ମର୍ମେ ମର୍ମେ ଅନୁଭବ କରିସାରିଲାଣି ତାଲିବାନ। ବୋଧହୁଏ ସେଇଥିପାଇଁ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି, ଆଫଗାନିସ୍ତାନର ନୂଆ ସରକାର ଘୋଷଣା କରିପାରୁନି ସଂଗଠନ। ସରକାର ଘୋଷଣା ପରେ କାବୁଲ୍ ଓ ରାଷ୍ଟ୍ରପତି ପ୍ୟାଲେସକୁ ଧଳା ପତାକାରେ ପୋତି ପକାଇବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମୁଲ୍ଲା ବରାଦର୍ ଶାସନ ମୁଖ୍ୟ ହେବେ, ଏହା ବି ଧାର୍ଯ୍ୟ । ତଥାପି ଅଙ୍କ ଛିଣ୍ଡୁନି କି ତାରିଖ ଆସୁନି। ଅନୁମାନ କରାଯାଉଛି, ଏଦିଗରେ ବଡ଼ କଣ୍ଟା ସାଜିଛି ପଞ୍ଜଶିର । ବାରମ୍ବାର ଆକ୍ରମଣ ପରେ ବି, ପଞ୍ଜଶିର ଘାଟିରେ ତାଲିବାନ ଭୀଷଣ କ୍ଷତି ସହୁଛି। ୭ଶହରୁ ଅଧିକ ତାଲିବାନୀ ନିହତ ହୋଇଥିବା ଏବଂ ୬ଶହରୁ ଅଧିକ ବନ୍ଦୀ ଥିବା ଦାବି କରିଛି ରେଜିଷ୍ଟାନ୍ସ ଫୋର୍ସ। ଅନ୍ୟପକ୍ଷରେ ତାଲିବାନ ପଞ୍ଜଶିର ପ୍ରୋଭିନ୍ସର ପାରିୟାନ୍, ସୋତୁଲ୍, ଖେଞ୍ଜ୍ ଓ ଅବଶାର୍ ଆଦି ୪ଟି ଜିଲ୍ଲାକୁ ଦଖଲ କରିସାରିଥିବା ଦାବି କରିଛି। ଅନୁମାନ କରାଯାଉଛି, ପ୍ରତିରୋଧର ଶେଷଗଡ଼କୁ ସଂପୂର୍ଣ୍ଣ ଅକ୍ତିଆର ନକରିବା ଯାଏଁ, ତାଲିବାନ ସରକାର ଘୋଷଣା କରିନପାରେ।

ତାଲିବାନ ପାଇଁ ସରକାର ଘୋଷଣା ବାଟରେ ପଞ୍ଜଶିରଠୁ ବି ବଡ଼ ଅଡ଼ୁଆ ଅନ୍ତର୍କନ୍ଦଳ। ବରାଦର୍ ଗୋଷ୍ଠୀ ବନାମ୍ ହକ୍କାନୀ ଗୋଷ୍ଠୀ ବନାମ୍ ମୁଲ୍ଲା ୟାକୁବ୍ ଗୋଷ୍ଠୀ। ତାଲିବାନର ସହ ପ୍ରତିଷ୍ଠାତା ତଥା ଶାସନ ମୁଖ୍ୟ ହେବାକୁ ଯାଉଥିବା ମୁଲ୍ଲା ବରାଦର୍ ଗୋଷ୍ଠୀ ମୁଖ୍ୟତଃ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ, ଯେଉଁଥିରେ ଶେର୍ ଅବ୍ବାସ୍ ଷ୍ଟାନିକ୍ଜାଇ ବି ସାମିଲ। ଏହି ଗୋଷ୍ଠୀ ଦୋହା ଶାନ୍ତି ଆଲୋଚନା କରିବା ସହ, ବିଶ୍ୱକୁ ତାଲିବାନର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିବା ଏବଂ ଦେଶର ସଂଖ୍ୟାଲଘୁ ସଂପ୍ରଦାୟକୁ ନେଇ ଏକ ମିଳିତ ସରକାର ଗଠନ କରିବାକୁ ଚାହୁଁଥିବା କହୁଛି।

Advertisment

ଅନ୍ୟପକ୍ଷରେ କୌଣସି ମିଳିତ ସରକାର ନୁହେଁ, ବରଂ କେବଳ ଅତି-ରକ୍ଷଣଶୀଳ ସୁନ୍ନି ପସ୍ତୁନ୍ ସରକାର ଗଠନ ହେଉ ବୋଲି ଜିଦ୍ ଧରିଛି ହକ୍କାନୀ ଗୋଷ୍ଠୀ। ତାଲିବାନ ଡେପୁଟି-ଲିଡର୍ ସିରାଜୁଦ୍ଦିନ୍ ହକ୍କାନୀଙ୍କ ନେତୃତ୍ୱରେ ଗଠିତ ଏହି ଗୋଷ୍ଠୀ କେବଳ ଲଢ଼ାକୁଙ୍କୁ ନେଇ ଗଠିତ ଏବଂ ଏମାନେ କାବୁଲ୍କୁ କବଜାରେ ରଖିଛନ୍ତି। ସେପଟେ ହକ୍କାନୀ ଗୋଷ୍ଠୀ ଗୁଳିମାଡ଼ରେ ମୁଲ୍ଲା ବରାଦର୍ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କାବୁଲ୍ ଗୋଷ୍ଠୀ ସହ ମୁଲ୍ଲା ୟାକୁବଙ୍କ ନେତୃତ୍ୱାଧୀନ କାନ୍ଧାର ଗୋଷ୍ଠୀର ବି ଭୀଷଣ ମତଭେଦ ରହିଛି। ସମସ୍ତେ ସରକାରରେ ନିଜ ନିଜ ସିଂହଭାଗ ଚାହୁଁଥିବାରୁ ଏଯାଏଁ ନୂଆ ଆଫଗାନ୍‌ ସରକାରର ଚୂଡ଼ାନ୍ତ ରୂପରେଖ ନିର୍ଣ୍ଣୟ କରିପାରିନି ତାଲିବାନ୍।

Advertisment

ସେପଟେ ବିଲେଇଙ୍କ ପିଠା କଳିରୁ ମାଙ୍କଡ଼ ଭଳି ଫାଇଦା ନେବା ଚକରରେ ରହିଛି ପାକିସ୍ତାନ। ତାଲିବାନର ନିମନ୍ତ୍ରଣ ପାଇଁ ସରକାର ଗଠନ ପ୍ରକ୍ରିୟାରେ ପରାମର୍ଶ ଦେବାକୁ କାବୁଲ୍ ଯାଇଛନ୍ତି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମୁଖ୍ୟ ଫୈଜ୍ ହମିଦ୍। ପ୍ରତିକ୍ରିୟାରେ କହିଛନ୍ତି, ସବୁ କିଛି ଠିକ୍ ହୋଇଯିବ। ସେପଟେ ତାଲିବାନ ଆଇଏସ୍ଆଇ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପରିଚାଳିତ ହେଉଥିବା ଅଭିଯୋଗ କରିବା ସହ, ପଞ୍ଜଶିରରେ ମାନବୀୟ ସଂକଟ ଓ ନୀରିହ ଲୋକଙ୍କ ଉପରେ ତାଲିବାନର ଆକ୍ରମଣ ପ୍ରସଙ୍ଗରେ ଜାତିସଂଘର ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତି କାମଚଳା ରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହ୍।

Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ