ସ୍ୱାନ୍ତେ ପାବୋଙ୍କୁ ମେଡିସିନରେ ନୋବେଲ

ଚଳିତ ବର୍ଷ ମେଡିସିନ୍‌ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର।

Svante Pääbo

୨୦୨୨ ବର୍ଷ ପାଇଁ ମେଡିସିନରେ ନୋବେଲ ପାଇବେ ସ୍ୱାନ୍ତେ ପାବୋ(Svante Pääbo) । ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ସ୍ୱିଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର ମିଳିବ । ବିଲୁପ୍ତ ହୋମିନିନ୍ ଆଦିମାନବ ଗୁଣସୂତ୍ରର ଆବିଷ୍କାର ଓ ମାନବ ବିବର୍ତ୍ତନ ସଂପର୍କିତ ଉଲ୍ଲେଖନୀୟ ଗବେଷଣା ପାଇଁ ପାବୋଙ୍କୁ ମିଳିବ ପୁରସ୍କାର । ସ୍ୱିଡେନର ନୋବେଲ ଆସେମ୍ଲି ତରଫରୁ ଏହି ଘୋଷଣା କରାଯାଇଛି ।

ନୋବେଲ ପୁରସ୍କାର ସମିତି ଅନୁସାରେ, ପାବୋ ନିଜ ଗବେଷଣା ମାଧ୍ୟମରେ କିଛି ଏଭଳି ଆବିଷ୍କାର କରିଛନ୍ତି ଯାହା, ବର୍ତ୍ତମାନ ସମୟରେ ଅସମ୍ଭବ ମନେ ହେଉଥିଲା । ସ୍ୱିଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋ ଜଣେ ଜେନେଟିଷ୍ଟ । ସେ ନିଅଣ୍ଡରଥାଲ୍ ଜିନୋମ୍ ଉପରେ ଦୀର୍ଘ ଦିନ ଧରି ଗବେଷଣା କରିଛନ୍ତି । ସେ ପେଲିଓ ଜେନେଟିକ୍ସର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି । ସେହିପରି ନିଏଣ୍ଡରଥାଲ୍ ଜିନୋମ ଉପରେ ମୁଖ୍ୟ ରୂପେ ମଧ୍ୟ କାମ କରୁଥିଲେ । ଏବେ ପାବୋଙ୍କୁ ଏକ ସ୍ୱର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ୱିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ ।

ପ୍ରାୟ ୭୦ ହଜାର ବର୍ଷ ପୂର୍ବେ ହୋମିନିନମାନେ ଆଫ୍ରିକାରୁ ବିଶ୍ୱର ଅନ୍ୟସ୍ଥାନକୁ ଯାଇଥିଲେ । ଏମାନଙ୍କ ଆଦିମାନବ ହୋମୋ ସାପିଏନ୍ସକୁ ଜିନ ଟ୍ରାନ୍ସଫର ହୋଇଥିଲା। ପ୍ରାକ୍ ମାନବ ହୋମିନିନରୁ ହୋମୋ ସାପିଏନ୍ସ ଓ ଆଧୁନିକ ମାନବ ଶରୀରକୁ ଯାଇଥିବା ଏହି ଜିନ୍‌ ଏବେ ବି କାଏମ ରହିଛି । ଏହି ଜିନ ଟ୍ରାନ୍ସଫର ଯୋଗୁଁ ହୋମିନିନମାନଙ୍କ ରୋଗପ୍ରତିରୋଧକ ଶକ୍ତି ଆଧିୁନିକ ମାନବ ଶରୀରକୁ ଆସିଥିବା ପୋବା ଆବିଷ୍କାର କରିଥିଲେ ବୋଲି ନୋବେଲ କମିଟି କହିଛି । ୧୯୦୧ରୁ ୨୦୨୧ ମଧ୍ୟରେ ୧୧୨ ଜଣ ଚିକିତ୍ସା ଶାସ୍ତ୍ରରେ ନୋବେଲ ପୁରସ୍କାର ପାଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଅଛନ୍ତି।

ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ପ୍ରତି ବର୍ଷ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଓ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ ।