Advertisment

ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମ୍ସ; ଚିନ୍ତା ବଢ଼ାଇଛି 'ସୁପର୍ ବଗ୍'

ଏଣ୍ଟେରୋବ୍ୟାକ୍ଟର ବଗାଣ୍ଡେନସିସ୍ ନାମକ ଏହି ବ୍ୟାକ୍ଟେରିଆ ଉପରେ ଅନେକ ଆଣ୍ଟିବାୟୋଟିକ ପ୍ରଭାବ ଦେଖାଉନଥିବାରୁ, ଏହାକୁ ସୁପରବଗ୍ ବୋଲି କୁହାଯାଉଛି। ଶ୍ବାସତନ୍ତ୍ରକୁ ସଂକ୍ରମିତ କରୁଥିବା ଏହି ବ୍ୟାକ୍ଟେରିଆ ସ୍ପେଶ ଷ୍ଟେସନର ଆବଦ୍ଧ ପରିବେଶରେ ଆହୁରି ଶକ୍ତିଶାଳୀ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Sunita Williams

Sunita Williams

Advertisment

ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ। ଦୁଇ ସପ୍ତାହ ପୂରିବାକୁ ବସିଥିଲେ ବି, ସେଠାରୁ ଫେରିବା କିମ୍ବା ତାଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନି। ବୋଇଂ ନିର୍ମିତ ପ୍ରଥମ ସ୍ପେଶକ୍ରାଫ୍ଟରେ ସେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଯିବା ପରେ, ଏହି ମହାକାଶଯାନରେ ଗୁରୁତର ସମସ୍ୟା ଦେଖାଦେଇଛି । । ଏବେ ଭୂପୃଷ୍ଠରେ ଥିବା ଇଂଜିନିୟରମାନେ ଷ୍ଟାରଲାଇନର ସ୍ପେଶ୍ କ୍ରାଫ୍ଟର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ସେ ଆହୁରି ମାସାଧିକ ସମୟ ସେଠାରେ ରହିବେ ବୋଲି ଜଣାପଡିଛି।

Advertisment

ଗତ ଜୁନ୍ ୫ ତାରିଖରେ ଆମେରିକାର ଫ୍ଲୋରିଡ଼ାରୁ ଦୁଇ ଆଷ୍ଟ୍ରୋନଟ୍ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋରଙ୍କୁ ସାଥିରେ ଧରି ଉତକ୍ଷେପଣ ହୋଇଥିଲା ବୋଇଂର ଷ୍ଟାରଲାଇନର ସ୍ପେଶ୍ କ୍ରାଫ୍ଟ । ଏହା ଥିଲା ବୋଇଂ ନିର୍ମିତ ପ୍ରଥମ ମହାକାଶଯାନ। ମିଶନ ଆରମ୍ଭରୁ ବାରମ୍ବାର ସମସ୍ୟା ଦେଖାଦେବା ପରେ, ଲଞ୍ଚିଂକୁ ଏକାଧିକ ଥର ସ୍ଥଗିତ ରଖିବାକୁ ପଡ଼ିଥିଲା । ତେବେ ଶେଷରେ ଜୁନ୍ ୫ରେ ଲଞ୍ଚ ହୋଇ ଜୁନ୍ ୬ରେ ଏହା ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପହଞ୍ଚିଥିଲା।

ଯୋଜନା ମୁତାବକ ଏହି ୮ ଦିନିଆ ମିଶନ ସାରି ୧୩ ତାରିଖ ବେଳକୁ ଉଭୟ ସୁନୀତା ଓ ବ୍ୟାରି ପୃଥିବୀକୁ ଫେରିଆସିଥାନ୍ତେ । ହେଲେ ଚିନ୍ତାର ବିଷୟ ୩ ଥର ସ୍ଥଗିତ ହେଲାଣି ମିଶନ। ବୋଇଂ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଦେଖାଦେଇଛି ଜଟିଳ ସମସ୍ୟା। ସୂଚନା ଅନୁସାରେ, ସେଥିରେ ୫ଟି ସ୍ଥାନରେ ହିଲିୟମ ଲିକ୍ ହେଉଛି, ୨୮ରୁ ୫ଟି ଥ୍ରଷ୍ଟର ଅଚଳ ହୋଇଯାଇଛି, ପ୍ରୋପେଲାଣ୍ଟ ଭାଲ୍ଭ ମଧ୍ୟ କାମ କରୁନାହିଁ । ମହାକାଶଯାନର ଦିଗ ବଦଳାଇବା, କ୍ଷୀପ୍ରବେଗକୁ ହ୍ରାସ ବା ନିୟନ୍ତ୍ରଣ କରିବା ଏବଂ ପୃଥିବୀର ବାୟୁମଣ୍ଡଳରେ ସୁରକ୍ଷିତ ପ୍ରବେଶ କରିବା ପାଇଁ ଏସବୁ ଯନ୍ତ୍ର ଅତି ଜରୁରୀ ବୋଲି କୁହାଯାଉଛି।

Advertisment

ଗୋଟିଏ ପଟେ ସମୟ ଗଡ଼ିଚାଲିଥିବା ବେଳେ, ସେପଟେ ପାଖେଇ ଆସୁଛି ଆଉ ଏକ ଗୁରୁତର ସମସ୍ୟା । ସୀମିତ ଇନ୍ଧନ ଧାରଣ କ୍ଷମତା ଯୋଗୁଁ ଷ୍ଟାରଲାଇନର ଅତି ବେଶିରେ ୪୫ ଦିନ ପାଇଁ ସ୍ପେଶ୍ ଷ୍ଟେସନରେ ଡକ୍ ହୋଇ ରହିପାରିବ। ତେଣୁ ପ୍ରାୟ ୨୦ ଦିନ ବିତିସାରିଥିବା ବେଳେ ହାତରେ ଆଉ ପ୍ରାୟ ୨୫ ଦିନ । ଏହା ନାସାର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସମସ୍ତ ସେଫଟି ଟେଷ୍ଟ ସଫଳ ହେଲେ ଜୁଲାଇ ୨ ବା ୬ ଆଡ଼କୁ ଏହା ଫେରିପାରେ ବୋଲି ଆଶା ରଖାଯାଉଛି ।

କେବଳ ଯାନ୍ତ୍ରିକ ସମସ୍ୟା ନୁହେଁ, ମହାକାଶଚାରୀଙ୍କ ଚିନ୍ତା ବଢ଼ାଇଛି 'ସୁପର୍ ବଗ୍' । ଅଧିକ ଦିନ ସେଠାରେ ରହିଲେ, ଅଡ଼ୁଆରେ ପଡ଼ିବେନି ତ ସୁନୀତା ସେ ନେଇ ଆଶଙ୍କା ବଢିଯାଇଛି।ଅନ୍ତରୀକ୍ଷରେ ଅହରହ ଘୁରିବୁଲୁଥିବା ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଜୀବାଣୁ ଓ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଅତ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଏ । ମାତ୍ର ସେଠାରେ ଏକ ବ୍ୟାକ୍ଟେରିଆ ବା ଜୀବାଣୁର ଉପସ୍ଥିତି ଠାବ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Advertisment

ଏଣ୍ଟେରୋବ୍ୟାକ୍ଟର ବଗାଣ୍ଡେନସିସ୍ ନାମକ ଏହି ବ୍ୟାକ୍ଟେରିଆ ଉପରେ ଅନେକ ଆଣ୍ଟିବାୟୋଟିକ ପ୍ରଭାବ ଦେଖାଉନଥିବାରୁ, ଏହାକୁ ସୁପରବଗ୍ ବୋଲି କୁହାଯାଉଛି। ଶ୍ବାସତନ୍ତ୍ରକୁ ସଂକ୍ରମିତ କରୁଥିବା ଏହି ବ୍ୟାକ୍ଟେରିଆ ସ୍ପେଶ ଷ୍ଟେସନର ଆବଦ୍ଧ ପରିବେଶରେ ଆହୁରି ଶକ୍ତିଶାଳୀ ହୋଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ୫୮ ବର୍ଷୀୟା ସୁନୀତା ୱିଲିୟମ୍ସ ଆବଶ୍ୟକତା ଠାରୁ ଅଧିକ ଦିନ ସେଠାରେ ବିତାଇବା କେତେ ସୁରକ୍ଷିତ, ତାକୁ ନେଇ ଆଶଙ୍କା ଦେଖାଦେଇଛି।

ତେବେ ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଷ୍ଟାରଲାଇନର ସ୍ପେଶକ୍ରାଫ୍ଟ ସୁରକ୍ଷିତ ରହିଛି ଏବଂ ମହାକାଶଚାରୀମାନେ ସୁସ୍ଥ ଅଛନ୍ତି ଓ ସେଠାରେ ଫସି ରହିବା ଭଳି ସ୍ଥିତି ଉପୁଜିନାହିଁ । ଜରୁରୀସ୍ଥିତିରେ ଏହି ସ୍ପେଶକ୍ରାଫ୍ଟ ପୃଥିବୀକୁ ଫେରିବା ପାଇଁ ସକ୍ଷମ । ନାସା ପକ୍ଷରୁ ପୁଣି ଦାବି କରାଯାଇଛି ଯେ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋର ସ୍ପେଶ ଷ୍ଟେସନରେ ଫସି ରହିବେ ନାହିଁ । ଦୁହେଁ ଏତେମାତ୍ରାରେ ଦକ୍ଷ ଯେ ସେମାନେ ଯେବେ ଚାହିଁବେ ସେବେ ସ୍ପେଶ ଷ୍ଟେସନରୁ କ୍ୟାପସୁଲକୁ ଅନଡକ୍ କରି ପୃଥିବୀକୁ ଫେରି ପାରିବେ ।

NASA International Space Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ